Unknown

 

 

 

 

 

 

 

 

 

ବିନୋଦିନୀ

ରବୀନ୍ଦ୍ରନାଥ ଠାକୁର

 

ଅନୁବାଦ : ଚିତ୍ତରଞ୍ଜନ ଦାସ

 

(୧)

 

ବିନୋଦିନୀର ମାଆ ହରିମତୀ, ମହେନ୍ଦ୍ରର ମାଆ ରାଜଲକ୍ଷ୍ମୀଙ୍କ ପାଖରେ ଆସି ଧାରଣା ଦେଇ ବସିଲେ । ଦୁହିଁଙ୍କର ବାପଘର ଗୋଟିଏ ଗାଆଁରେ, ବାଲ୍ୟକାଳରେ ଦୁହେଁ ଏକାଠି ଖେଳିଛନ୍ତି, ଏକାଠି ବଢ଼ିଛନ୍ତି ।

 

ରାଜଲକ୍ଷ୍ମୀ ମହେନ୍ଦ୍ର ପାଖରେ ଜିଗର କରି କହିଲେ, ‘ବାପ ମହୀ, ଗରିବ ଘରର ଝିଅଟିକୁ ତୋତେ ଉଦ୍ଧାର କରିବାକୁ ହିଁ ପଡ଼ିବ । ଝିଅଟି ଭାରି ସୁନ୍ଦରୀ ଓ ରୂପବତୀ ବୋଲି ମୁଁ ଶୁଣିଚି, ପିଲାଦିନେ ମେମ୍ ପାଖରେ ପଢ଼ାଶୁଣା କରିଚି, –ତୋର ଆଧୁନିକ ରୁଚି ସହିତ ବେଶ୍ ଖାପ ଖାଇବ ।’

 

ମହେନ୍ଦ୍ର କହିଲା, ‘ବୋଉ, ମୋ’ ଛଡ଼ା ତ ଆହୁରି ଅନେକ ଆଧୁନିକ ପାତ୍ର ଅଛନ୍ତି ।’

 

ରାଜଲକ୍ଷ୍ମୀ–‘ମହୀ, ଏଇଟା କିନ୍ତୁ ତୋ’ର ଗୋଟିଏ ବଡ଼ ଦୋଷ । ତୋ’ ପାଖରେ ବିବାହର କୌଣସି ପ୍ରସଙ୍ଗ ଆଣି ପକାଇବା ଏକାବେଳକେ ଅସମ୍ଭବ ।’

 

ମହେନ୍ଦ୍ର–‘ବୋଉ, ଏଇ କଥାଟା ବ୍ୟତୀତ ତ ସଂସାରରେ ଆହୁରି ଅନେକ କଥା ରହିଚି, ତେଣୁ ଏଇଟା ଆଦୌ ମାରାତ୍ମକ ଦୋଷ ନୁହେଁ ।’

 

ପିଲାଟି ଦିନରୁ ମହେନ୍ଦ୍ର ପିତୃହୀନ । ଆପଣାର ମାଆ ସମ୍ବନ୍ଧରେ ତା’ର ବ୍ୟବହାର ସାଧାରଣଙ୍କଠାରୁ ଟିକିଏ ଭିନ୍ନ ଧରଣର ଥିଲା । ବୟସ ଆସି ପ୍ରାୟ ବାଇଶି ହେଲାଣି, ଏମ.ଏ. ପାଶ୍ କରି ଡାକ୍ତରୀପଢ଼ା ଆରମ୍ଭ କରିଚି । ତଥାପି ପ୍ରତିଦିନ ମାଆ ସହିତ ତା’ର ମାନ ଅଭିମାନ ଓ ଆଦର ଅଝଟର ଅନ୍ତ ନ ଥାଏ । ଠିକ୍ କଙ୍ଗାରୁଶାବକ ପରି ମାତୃଗର୍ଭରୁ ଭୂମିଷ୍ଠ ହୋଇଥିଲେ ମଧ୍ୟ ମାତା’ର ବହିର୍ଭାଗର ଥଳିଟି ଭିତରେ ଆବୃତ ରହିବାଟା ତା’ର ଅଭ୍ୟାସ ହୋଇଯାଇଥିଲା । ମାଆର ସାହାଯ୍ୟ ନ ନେଇ ସେ ଆପଣାର ଆହାର–ବିହାର, ଆରାମ ବିରାମ କୌଣସି କଥା ସମ୍ପର୍କ କରିପାରୁ ନ ଥିଲା । ତେଣୁ ଯେତେବେଳେ ଆଜି ମାଆ ଆସି ବିନୋଦିନୀ ସମ୍ବନ୍ଧରେ ତା’ ପାଖରେ ଏକାନ୍ତ ଜିଗର କରିବସିଲେ, ସେତେବେଳେ ମହେନ୍ଦ୍ର କହିଲା, ‘ହଉ, କିନ୍ତୁ ଆଗ ଝିଅଟିକୁ ଥରେ ଦେଖି ଆସେ ।’

 

କିନ୍ତୁ ଦେଖିବାକୁ ଯିବା ଲାଗି ସ୍ଥିର ହୋଇଥିବା ଦିନ ମହେନ୍ଦ୍ର କହିଲା, ‘ଦେଖିବାକୁ ଯାଇ ଆଉ ଲାଭ କ’ଣ ହେବ ? ତୋତେ ଖୁସି କରିବାଲାଗି ଯେତେବେଳେ ନିହାତି ବିବାହ କରିବାକୁ ହିଁ ପଡ଼ିବ, ସେତେବେଳେ ଭଲମନ୍ଦ ବିଚାର କରି ଲାଭ କ’ଣ ?

 

ମହେନ୍ଦ୍ରର କଥାରେ ଟିକିଏ ରାଗର ଉତ୍ତାପ ଅନୁଭୂତ ହେଉଥିଲା । କିନ୍ତୁ ମାଆ ଭାବିଲେ, ଶୁଭ ଦୃଷ୍ଟିବେଳେ ତାଙ୍କର ପସନ୍ଦ ସହିତ ପୁଅର ପସନ୍ଦ ଅବଶ୍ୟ ମେଳ ଖାଇଯିବ, ସେତେବେଳେ ମହେନ୍ଦ୍ରର କଡ଼ା କଣ୍ଠସ୍ୱର ବଳେବଳେ କୋମଳ ହୋଇଯିବ ।

 

ରାଜଲକ୍ଷ୍ମୀ ନିଶ୍ଚିନ୍ତ ଚିତ୍ତରେ ବିବାହର ଦିନ ଠିକ୍ କଲେ । ଦିନଟି ଯେତିକି ପାଖକୁ ଆସିବାକୁ ଲାଗିଲା, ମହେନ୍ଦ୍ରର ମନ ସେତିକି ଉତ୍କଣ୍ଠିତ ହୋଇଉଠିଲା । ଅବଶେଷରେ ଦୁଇ ଚାରିଦିନ ଥାଇ ସେ ହଠାତ୍ ଆସି କହିଲା, ‘ନାଇଁ ବୋଉ, ବିବାହ କରିବା ମୋ’ ପକ୍ଷରେ ଅସମ୍ଭବ-।’

 

ବାଲ୍ୟକାଳରୁ ମହେନ୍ଦ୍ର ଦେବତା ଓ ମାନବ ପାଖରେ ଯାବତୀୟ ପ୍ରକାରର ପ୍ରଶ୍ରୟ ପାଇ ଆସିଚି । ଏଥିପାଇଁ ତା’ର ଇଚ୍ଛାର ବେଗ ସବୁବେଳେ ଏହିପରି ଉଚ୍ଛୃଙ୍ଖଳ ଥିଲା । ଅପରର ଇଚ୍ଛାର ଚାପ ଆଦୌ ସହ୍ୟ କରିପାରୁ ନ ଥିଲା । ନିଜର ପ୍ରତିଜ୍ଞା ଓ ଅପରର ଅନୁରୋଧ ତାକୁ ଏକାନ୍ତ ବାଧ୍ୟ କରିପକାଇଚି, ଏହା ଅନୁଭବ କରିବା ସେଇ ସଙ୍ଗେ ତା’ର ଅକାରଣ ବିତୃଷ୍ଣା ଅତ୍ୟନ୍ତ ଅଧିକ ହୋଇଉଠିଥିଲା ଏବଂ ବିବାହର ଅତି ଆସନ୍ନକାଳରେ ସେ ଏକାବେଳକେ ବିମୁଖ ହୋଇପଡ଼ିଲା ।

 

ବିହାରୀ ହେଉଚି ମହେନ୍ଦ୍ରର ପରମବନ୍ଧୁ । ସେ ମହେନ୍ଦ୍ରକୁ ଭାଇ ଓ ମହେନ୍ଦ୍ରର ମାଆକୁ ମାଆ ବୋଲି ଡାକୁଥିଲା । ମାଆ ତାହାକୁ ଷ୍ଟିମ୍‍ବୋଟ୍‍ର ପଛରେ ବନ୍ଧା ହୋଇଥିବା ଗଧ–ବୋଟ୍ ପରି ମହେନ୍ଦ୍ରର ଗୋଟିଏ ଭାରବୁହା ସାମଗ୍ରୀସ୍ୱରୂପ ଦେଖୁଥିଲେ ଏବଂ ସେଦୃଷ୍ଟିରୁ ତାହାପ୍ରତି ତାଙ୍କର ଯଥେଷ୍ଟ ମମତା ମଧ୍ୟ ଥିଲା । ରାଜଲକ୍ଷ୍ମୀ ଆସି ତାକୁ କହିଲେ, ‘ବାପ, ତୋତେ ଏହି ଦାୟିତ୍ୱ ନେବାକୁ ହିଁ ପଡ଼ିବ, ନଚେତ୍ ଗରିବ ଘରର ଝିଅଟି–’

 

ବିହାରୀ ଯୋଡ଼ହାତ ହୋଇ କହିଲା, ‘ମାଆ ସବୁ ପାରିବି, କିନ୍ତୁ ଏକଥାଟି ପାରିବି ନାହିଁ-। ତୁମର ମହେନ୍ଦ୍ର ଯେଉଁ ମିଠାଇକୁ ଭଲ ଲାଗୁନାହିଁ ବୋଲି କହି ନ ଖାଇ ଛାଡ଼ିଯାଏ, ତୁମର ଅନୁରୋଧରେ ମୁଁ ନିଜେ ସେହି ମିଠାଇକୁ ଖାଇଚି, କିନ୍ତୁ ଏ କନ୍ୟା-ଗ୍ରହଣ ମୋ’ଦ୍ୱାରା ହୋଇପାରିବ ନାହିଁ ।’

 

ରାଜଲକ୍ଷ୍ମୀ ଭାବିଲେ,‘ବିହାରୀ ପୁଣି ବିବାହ କରିବ । ସିଏ ତ କେବଳ ମହୀକୁ ଆବୋରି ପଡ଼ିରହିଥାଏ । ବିବାହ କରି ବୋହୂ ଆଣିବାର ଚିନ୍ତାକୁ ମନରେ ବି ସ୍ଥାନ ଦିଏ ନାହିଁ ।’

 

ଏହି କଥା ଭାବି ବିହାରୀ ପ୍ରତି ତାଙ୍କର କୃପାମିଶ୍ରିତ ମମତା ଆଉ ଟିକିଏ ବଢ଼ିଗଲା ।

 

ବିନୋଦିନୀର ପିତା ବିଶେଷ ଧନୀ ନ ଥିଲେ, କିନ୍ତୁ ତାଙ୍କର ଏକନ୍ୟାମାତ୍ର କନ୍ୟାକୁ ସେ ମିଶନାରୀ ମେମ୍ ରଖାଇ ବହୁ ଯତ୍ନରେ ପଢ଼ାଶୁଣା ଓ କାରୁକାର୍ଯ୍ୟ ଶିଖାଇଥିଲେ । କନ୍ୟାର ବିବାହ-ବୟସ କ୍ରମେ ଗଡ଼ିଯାଉଥିଲା, ତଥାପି ତାଙ୍କର ସେଥିପ୍ରତି ଖିଆଲ ନ ଥିଲା । ଅବଶେଷରେ ତାଙ୍କର ମୃତ୍ୟୁପରେ ବିଧବା ମାଆ କନ୍ୟାଲାଗି ପାତ୍ରଟିଏ ଖୋଜି ଖୋଜି ଅସ୍ଥିର ହୋଇପଡ଼ିଲେଣି । ପାଖରେ ଟଙ୍କାପଇସା ନାହିଁ, ଏଣେ ପୁଣି କନ୍ୟାର ବୟସ ଅଧିକ ହୋଇଗଲାଣି ।

 

ଶେଷକୁ ରାଜଲକ୍ଷ୍ମୀ ତାଙ୍କର ଜନ୍ମଭୂମି ବାରାସତରେ ଥିବା ଗ୍ରାମସମ୍ପର୍କୀୟ ଜଣେ ପୁତୁରା ସହିତ ଉକ୍ତ କନ୍ୟା ବିନୋଦିନୀର ବିବାହ କରାଇଦେଲେ ।

 

ଅନତିକାଳ ପରେ କନ୍ୟାଟି ବିଧବା ହେଲା । ହସି ହସି ମହେନ୍ଦ୍ର କହିଲା, ‘ଭାଗ୍ୟକୁ ମୁଁ କରି ନ ଥିଲି । ସ୍ତ୍ରୀ ବିଧବା ହୋଇଥିଲେ ତ ମୁଁ ଦଣ୍ଡେହେଲେ ବଞ୍ଚି ରହି ପାରି ନ ଥାନ୍ତି ।’

 

ପ୍ରାୟ ତିନି ବର୍ଷପରେ ଆଉ ଦିନେ ମାଆ-ପୁଅ କଥାବାର୍ତ୍ତା ହେଉଥିଲେ ।

 

‘ବାପ, ଲୋକମାନେ ତ ମୋହରି ନିନ୍ଦା କରୁଛନ୍ତି ।’

 

‘କାହିଁକି ମାଆ, ଲୋକଙ୍କର ତୁମେ କି ସର୍ବନାଶ କରିଚ କି ?’

 

‘ଘରକୁ ବୋହୂ ଆସିଲେ କାଳେ ପୁଅ ପର କରିଦେବ, ଏଇ ଭୟରେ କୁଆଡ଼େ ମୁଁ ତୋତେ ବିବାହ କରାଇ ନାହିଁ ବୋଲି ଲୋକମାନେ କୁହାକୁହି ହେଉଛନ୍ତି ।’

 

ମହେନ୍ଦ୍ର କହିଲା, ‘ଭୟ ହେବା ତ ସ୍ୱାଭାବିକ । ମୁଁ ଯଦି ମାଆ ହୋଇଥାନ୍ତି, ତେବେ ପ୍ରାଣ ଥାଉଁ ଥାଉଁ କେବେହେଲେ ପୁଅର ବିବାହ କରିପାରନ୍ତି ନାହିଁ, ମୁଣ୍ଡପୋତି ଲୋକନିନ୍ଦାକୁ ସହିନେଇଥାନ୍ତି ।’

 

ହସି ହସି ରାଜଲକ୍ଷ୍ମୀ କହିଲେ, ‘ଆଗୋ, ଶୁଣ ଗୋ ମୋ ପୁଅର କଥା ।’

 

ମହେନ୍ଦ୍ର କହିଲା, ବୋହୂ ଆସିବା ମାତ୍ରକେ ତ ପୁଅକୁ ଆବୋରି ଧରିବସେ । ସେତେବେଳେ ଏତେ କଷ୍ଟର ଓ ଏତେ ସ୍ନେହର ମାଆ ଯେ କୁଆଡେ ଛାଡ଼ି ଚାଲିଯାଏ, ହୁଏତ ତୋତେ ଏକଥା ଭଲ ଲାଗିପାରେ, କିନ୍ତୁ ମୋତେ ଭଲ ଲାଗେ ନାହିଁ ।’

 

ମନେ ମନେ ପୁଲକିତ ହୋଇ ରାଜଲକ୍ଷ୍ମୀ ତାଙ୍କର ସଦ୍ୟସମାଗତା ବିଧବା ଯା’ଙ୍କୁ ସମ୍ବୋଧନ କରି କହିଲେ, ‘ଶୁଣ ଗୋ ମଝିଆଣୀ, ମହେନ୍ଦ୍ର କ’ଣ କହୁଚି ଶୁଣ । ବୋହୂ ଆସି କାଳେ ପୁଅକୁ ମାଆଠାରୁ ଛଡ଼ାଇ ନେବ, ଏହି ଆଶଙ୍କାରେ ସେ ବିବାହ କରିବାକୁ ରାଜି ନୁହେଁ । ଏପରି ସଂସାରଛଡ଼ା କଥା ତୁମେ କୋଉଠି ଶୁଣିଚ ?’

 

ଯା କହିଲେ, ‘ଏସବୁ ବାପ ଅତି ବେଶି ହୋଇଯାଉଚି । ଯେତେବେଳେ ଯାହା ହେବାର ଉଚିତ, ସେତେବେଳେ ତାହାହିଁ ଶୋଭା ପାଏ । ବର୍ତ୍ତମାନ ବୋଉର କାନିଛାଡ଼ି ବୋହୂ ଆଣି ଘର କରିବାର ସମୟ ହେଲାଣି । ବର୍ତ୍ତମାନ ଛୋଟ ଛୁଆଟି ପରି ବ୍ୟବହାର ଦେଖିଲେ ଭାରି ଲଜ୍ଜା ଲାଗେ ।

 

ଏଇ କଥା କେତେ ପଦ ରାଜଲକ୍ଷ୍ମୀଙ୍କୁ ଆଦୌ ମଧୁର ଲାଗିଲା ନାହିଁ ଏବଂ ଏ ପ୍ରସଙ୍ଗରେ ସେ ଯାହା ଉତ୍ତର ଦେଲେ, ହୁଏତ ତାହା ସରଳ ହୋଇପାରେ, କିନ୍ତୁ ଆଦୌ ମଧୁର ନ ଥିଲା । ସେ କହିଲେ, ‘ମୋର ପୁଅ ଯଦି ଅନ୍ୟ ପୁଅମାନଙ୍କ ଅପେକ୍ଷା ତା’ର ମାଆକୁ ବେଶି ଭଲ ପାଇଲା, ସେଥିରେ ତୁମକୁ କାହିଁକି ଲଜ୍ଜା ଲାଗିବ ? ତୁମ ନିଜର ପୁଅ ଥିଲେ ସିନା ତୁମେ ପୁଅର ମର୍ମ ବୁଝନ୍ତ ।’

 

ରାଜଲକ୍ଷ୍ମୀ ଅନୁମାନ କଲେ, ପୁତ୍ର–ହୀନା ପୁତ୍ର-ସୌଭାଗ୍ୟବତୀକୁ ଇର୍ଷା କରୁଚି । ମଝିଆଣୀ କହିଲେ, ‘ତୁମେ ଆଗ ବୋହୂ ଆଣିବାର କଥା ଉଠାଇବାରୁ ସିନା ଏହି କଥା ପଡ଼ିଲା । ତା’ ନ ହେଲେ ମୋର ଏସବୁ କଥା କହିବାର ବି ଅଧିକାର ଅଛି ?’

 

ରାଜଲକ୍ଷ୍ମୀ କହିଲେ, ମୋର ପୁଅ ଘରକୁ ବୋହୂ ନ ଆଣିଲେ ତୁମ ବୁକୁରେ କାହିଁକି ଶିଳ-ବିଦ୍ଧ ହୋଇଯାଉଚି ? ବେଶ୍ ହେଲା । ଯଦି ମୁଁ ଆଜିଯାଏ ମୋର ପୁଅକୁ ମଣିଷ କରି ଆଣିପାରିଲି, ତେବେ ବର୍ତ୍ତମାନ ମଧ୍ୟ ମୁଁ ତାହାର ଦେଖାଶୁଣା କରିପାରିବି । ସେଥିଲାଗି କାହାରିକୁ ଆଣିବା ଦରକାର ପଡ଼ିବ ନାହିଁ ।

 

ମଝିଆଣୀ ଅଶ୍ରୁପାତ କରି ନୀରବରେ ଚାଲିଗଲେ । ମହେନ୍ଦ୍ର ମନେ ମନେ ଆଘାତ ପାଇଲା ଏବଂ କଲେଜରୁ ଚଞ୍ଚଳ ଫେରି ସେ ସିଧା ଯାଇ ଖୁଡ଼ୀଙ୍କ ଘରେ ଉପସ୍ଥିତ ହେଲା ।

 

ଖୁଡ଼ୀ ତାକୁ ଯାହାସବୁ କହିଛନ୍ତି ସେଥିରେ ସ୍ନେହ ବ୍ୟତୀତ ଯେ ଆଉ କୌଣସି କଥା ନ ଥିଲା, ଏହା ସେ ନିଶ୍ଚୟ କରି ଜାଣିଥିଲା ଏବଂ ଏକଥା ମଧ୍ୟ ସେ ଜାଣିଥିଲା ଯେ ଖୁଡ଼ୀଙ୍କର ପିତୃମାତୃହୀନା ଗୋଟିଏ ଝିଆରୀ ଅଛି ଏବଂ ମହେନ୍ଦ୍ର ସହିତ ତାହାର ବିବାହ ଦେଇ ସନ୍ତାନହୀନ ବିଧବା କୌଣସି ପ୍ରକାରେ ଆପଣାର ଭଉଣୀର ଝିଅଟିକୁ ଆପଣା ପାଖକୁ ଆଣି ତାକୁ ସୁଖୀଭାବେ ଦେଖିବାକୁ ଚାହାନ୍ତି । ବ୍ୟକ୍ତିଗତଭାବେ ସେ ବିବାହର ବିରୁଦ୍ଧରେ ଥିଲେ ମଧ୍ୟ ଖୁଡ଼ୀଙ୍କର ଏହି ମନୋଗତ ଇଚ୍ଛାଟିକୁ ତାକୁ ସ୍ୱାଭାବିକ ଓ ଅତ୍ୟନ୍ତ କରୁଣାବହ ବୋଲି ବୋଧ ହେଉଥିଲା ।

 

ମହେନ୍ଦ୍ର ଯାଇ ଖୁଡ଼ୀଙ୍କ ଘରେ ପହଞ୍ଚିଲାବେଳକୁ ବେଳ ବୁଡ଼ିଆସୁଥାଏ । ଖୁଡ଼ୀ ଅନ୍ନପୂର୍ଣ୍ଣା ତାଙ୍କ ଘରର ଝରକା ଉପରକୁ ମୁଣ୍ଡ ଆଉଜାଇ ଶୁଷ୍କ ବିମର୍ଷ ମୁଖରେ ବସିରହିଥିଲେ, ଆର ଘରେ ଭାତ ସେହିପରି ଘୋଡ଼ା ହୋଇ ଥୁଆ ହୋଇଚି, ଏପର୍ଯ୍ୟନ୍ତ ସ୍ପର୍ଶ କରିନାହାନ୍ତି ।

 

ସାମାନ୍ୟ କାରଣ ପାଇଲେ ହିଁ ମହେନ୍ଦ୍ରର ଆଖି ଲୁହରେ ଢଳଢଳ ହୋଇ ଉଠେ । ଖୁଡ଼ୀଙ୍କୁ ଦେଖିବା ମାତ୍ରକେ ତାଙ୍କର ଆଖି ଲୋତକପୂର୍ଣ୍ଣ ହୋଇଉଠିଲା । ସେ ପାଖକୁ ଆସି ସ୍ନିଗ୍‍ଧ ସ୍ୱରରେ ଡାକିଲା, ‘ଖୁଡ଼ୀ’ ।

 

ହସିବାକୁ ଚେଷ୍ଟା କରି ଅନ୍ନପୂର୍ଣ୍ଣା କହିଲେ, ‘ଆ ମହୀ ବସ୍ ।’

 

ମହେନ୍ଦ୍ର କହିଲା, ‘ଭାରି ଭୋକ କରୁଚି, ଖୁଡ଼ୀ ! ପ୍ରସାଦ ଖାଇବାକୁ ଦିଅ ।’

 

ମହେନ୍ଦ୍ରର କୌଶଳ ବୁଝିପାରି ଅନ୍ନପୂର୍ଣ୍ଣା ବହୁ କଷ୍ଟରେ ଅଶ୍ରୁ ସମ୍ବରଣ କଲେ ଏବଂ ମହେନ୍ଦ୍ରକୁ ଖୁଆଇ ଆପେ ଖାଇଲେ ।

 

ସେତେବେଳେ ମହେନ୍ଦ୍ରର ହୃଦୟ କରୁଣାର ଆର୍ଦ୍ର ହୋଇ ରହିଥିଲା । ଖୁଡ଼ୀଙ୍କୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଆହାରାନ୍ତେ ସେ ହଠାତ୍ କ’ଣ ଗୋଟାଏ ଖିଆଲରେ କହି ବସିଲା, ‘ଖୁଡ଼ୀ, ତୁମର ସେହି ଯେଉଁ ଝିଆରୀଟିର ବିଷୟ ତୁମେ କହିଥିଲ, ଥରେ ହେଲେ କ’ଣ ତାକୁ ଏଠାକୁ ଆଣି ଆମକୁ ଦେଖାଇବ ନାହିଁ ?’ କଥାଟା ଉପସ୍ଥାପନ କରିବାମାତ୍ରକେ ହିଁ ସେ ଭୟଭୀତ ହୋଇପଡ଼ିଲା-

 

ଅନ୍ନପୂର୍ଣ୍ଣା ହସି ହସି କହିଲେ, ‘ତୋର କ’ଣ ପୁଣି ବାହାସାହା ହେବାକୁ ମନ ହେଲାଣି କି ମହୀ ?’

 

ତତକ୍ଷଣାତ୍ ମହେନ୍ଦ୍ର ଉତ୍ତର ଦେଲା, ‘ନାଇଁ, ମୋ ପାଇଁ ନୁହେଁ ଖୁଡ଼ୀ । ମୁଁ ବିହାରୀକୁ ରାଜି କରାଇଚି । ତୁମେ କନ୍ୟା ଦେଖି ବାର ଦିନ ଠିକ୍‍ କରିଦିଅ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ଆହା, ସତେ କ’ଣ ତା’ର ଏଡ଼େ ବଡ଼ ଭାଗ୍ୟ ହେବ ?

 

ବିହାରୀପରି ପୁଅ କ’ଣ ସତେ ତା’ର କପାଳରେ ଅଛି ?’

 

ଖୁଡ଼ୀଙ୍କ ଘରୁ ବାହାରି ଆସୁ ଆସୁ କବାଟ ପାଖରେ ହିଁ ମହେନ୍ଦ୍ର ମାଆଙ୍କୁ ଭେଟିଲା । ରାଜଲକ୍ଷ୍ମୀ ପଚାରିଲେ, ‘କିରେ, ମହେନ୍ଦ୍ର, ଏତେବେଳ ଯାଏ ତୁମ ଦୁହିଁଙ୍କର କ’ଣ ସବୁ ପରାମର୍ଶ ଚାଲିଥିଲା ?’

 

ମହେନ୍ଦ୍ର କହିଲା, ‘ପରାମର୍ଶ କିଛି ନୁହେଁ ମାଆ । ପାନ ଖାଇ ଆସିଥିଲି ।’

 

ମାଆ କହିଲେ, ‘ତୋ ପାଇଁ ତ ମୋ ଘରେ ପାନ ଭଙ୍ଗା ହୋଇ ଥୁଆ ହୋଇଚି ।’

 

କୌଣସି ଉତ୍ତର ନ ଦେଇ ମହେନ୍ଦ୍ର ପ୍ରସ୍ଥାନ କଲା ।

 

ଗୃହ ଭିତରକୁ ପ୍ରବେଶ କରି ଅନ୍ନପୂର୍ଣ୍ଣାଙ୍କର ରୋଦନସ୍ପୀତ ଚକ୍ଷୁ ଦେଖିବା ମାତ୍ରକେ ରାଜଲକ୍ଷ୍ମୀ ଅନେକ କଥା କଳ୍ପନା କରିନେଲେ । ଠୋ କରି କହି ଉଠିଲେ, ‘କି ଗୋ ମଝିଆଁ ସାଆନ୍ତାଣୀ ପୁଅ ପାଖରେ ବସି କନ୍ଦ୍ରନ କରୁଥିଲ ନା କ’ଣ ?’

 

ଏତିକି କହି ଉତ୍ତରର କୌଣସି ଅପେକ୍ଷା ନ କରି ସେ ଦ୍ରୁତିଗତିରେ ସେଠାରୁ ଚାଲିଗଲେ ।

 

(୨)

 

କନ୍ୟା ଦେଖିବା କଥା ମହେନ୍ଦ୍ର ପ୍ରାୟ ଭୁଲିଯାଇଥିଲା, କିନ୍ତୁ ଅନ୍ନପୂର୍ଣ୍ଣା ଭୁଲି ନ ଥିଲେ । ଶ୍ୟାମବଜାରରେ ବାସ କରୁଥିବା କନ୍ୟାର ଅଭିଭାବକ ବଡ଼ବାପାଙ୍କ ଘରକୁ ସେ ଦେଖିଯିବାର ଦିନ ସ୍ଥିର କରି ପତ୍ର ଲେଖିଲେ ।

 

ଦିନ ସ୍ଥିର ହୋଇଛି ଶୁଣି ମହେନ୍ଦ୍ର କହିଲେ, ‘ଏତେଶୀଘ୍ର କାହିଁକି ଦିନ ସ୍ଥିର କଲ ଖୁଡ଼ୀ ? ମୁଁ ତ ଏପର୍ଯ୍ୟନ୍ତ ବିହାରୀକୁ କିଛି କହି ନାହିଁ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ତା କିପରି ହେବ ମହେନ୍ଦ୍ର । ବର୍ତ୍ତମାନ ଦେଖିବାକୁ ନ ଗଲେ ସେମାନେ କ’ଣ ମନେ କରିବେ ?’

 

ବିହାରୀକୁ ଡକାଇ ମହେନ୍ଦ୍ର ସବୁ କଥା କହିଲା । କହିଲା, ’ଚାଲନା, ପସନ୍ଦ ନ ହେଲେ ତୋତେ କେହି ଜୋର କରିବେ ନାହିଁ ।’

 

ବିହାରୀ କହିଲା, ‘ସେ କଥା କହିପାରିବୁ ନାହିଁ । ଖୁଡ଼ୀଙ୍କ ଝିଆରୀଙ୍କୁ ଦେଖିବାକୁ ଯାଇ ପସନ୍ଦ ହେଲା ନାହିଁ ବୋଲି କହିବା ମୋ ମୁହଁରୁ ବାହାରିବ ନାହିଁ ।’

 

ମହେନ୍ଦ୍ର କହିଲା, ‘ସେ ତ ଆହୁରି ଉତ୍ତମ କଥା ହେବ ।’

 

ବିହାରୀ କହିଲା, କିନ୍ତୁ ତୁମର ଏଇଟା ଭାରି ଅନ୍ୟାୟ ହୋଇଛି ମହେନ୍ଦ୍ର ଭାଇ ! ନିଜକୁ ହାଲୁକା ରଖି ପରକାନ୍ଧରେ ଏପରି ବୋଝ ଲଦିଦେବା ତୁମର ଉଚିତ ହେଉନାହିଁ ।

 

ବର୍ତ୍ତମାନ ଖୁଡ଼ୀଙ୍କ ମନରେ ଆଘାତ ଦେବା ମୋ ପକ୍ଷରେ ବଡ଼ କଠିନ ।’

 

ମହେନ୍ଦ୍ର ଟିକିଏ ଲଜ୍ଜିତ ଓ ରୁଷ୍ଟ ହୋଇ କହିଲା, ‘ତେବେ ତୁ କ’ଣ କରିବାକୁ ଚାହୁଁଚୁ ।’

 

ବିହାରୀ କହିଲା, ‘ଯେତେବେଳେ ତୁମେ ମୋ’ ନାଆଁରେ ତାଙ୍କୁ ଆଶା ଦେଇଚ, ତେବେ ତ ମୋତେ ବିବାହ କରିବାକୁ ହିଁ ହେବ । ଦେଖିଯିବାର ସୁଆଙ୍ଗ କରି କି ଲାଭ ?’

 

ଅନ୍ନପୂର୍ଣ୍ଣାଙ୍କୁ ବିହାରୀ ଦେବୀପରି ଭକ୍ତି କରୁଥିଲା ।

 

ଅବଶେଷରେ ଅନ୍ନପୂର୍ଣ୍ଣା ନିଜେ ବିହାରୀକୁ ଡକାଇ କହିଲେ, ‘ସେ କଥା ହେବ ନାହିଁ ବାପ । ନ ଦେଖି ବିବାହ କରିବ, ତାହା କଦାପି ହେବ ନାହିଁ ? ଯଦି ପସନ୍ଦ ନ ହୁଏ, ତେବେ ବିବାହ ଲାଗି କଦାପି ସମ୍ମତ ହେବ ନାହିଁ । ତୁମକୁ ମୋ ରାଣ ରହିଲା ।’

 

ନିର୍ଦ୍ଧାରିତ ଦିନ କଲେଜରୁ ଫେରିଆସି ମହେନ୍ଦ୍ର ମାଆଙ୍କୁ କହିଲା, ‘ମୋର ସେ ରେଶମ ଜାମାଟା ଓ ଢାକାଇ ଧୋତିଟା ବାହାର କରିଦିଅ ।’

 

ମାଆ କହିଲେ, ‘କାହିଁକି, କୁଆଡ଼େ ଯିବାର ଅଛି କି ?’

 

ମହେନ୍ଦ୍ର କହିଲା, ‘ଦରକାର ଅଛି ମା’ । ଶୀଘ୍ର ଦିଅ, ମୁଁ ପରେ କହିବି ।’

 

ମହେନ୍ଦ୍ର ଆପଣାକୁ ଟିକିଏ ନ ସଜାଇ ରହିପାରିଲା ନାହିଁ । ପର ପାଇଁ ହେଲେ ମଧ୍ୟ କନ୍ୟା ଦେଖିବା ପ୍ରସଙ୍ଗରେ ଯୌବନଧର୍ମ ଆପେଆପେ ବାଳଟାକୁ ଟିକିଏ ବାଗେଇନିଏ, ଚାଦରରେ ଟିକିଏ ଅତର ଢାଳିଦେଇଯାଏ ।

 

ଦି’ ବନ୍ଧୁ କନ୍ୟା ଦେଖି ବାହାରିଲେ ।

 

କନ୍ୟାର ବଡ଼ବାପା ଶ୍ୟାମବଜାରର ଅନୁକୂଳବାବୁ, ନିଜ ଉପାର୍ଜିତ ଧନଦ୍ୱାରା ତିଆରି ହୋଇଥିବା ତାଙ୍କର ବଗିଚା ସମେତ ତିନି ମହଲା ଘରଟି ସାହୀର ସବୁ ଘରଠାରୁ ଉଚ୍ଚକୁ ମୁଣ୍ଡ ଟେକିଚି ।

 

ଦରିଦ୍ର ଭ୍ରାତାଙ୍କର ମୃତ୍ୟୁପରେ ପିତୃମାତୃହୀନ ଭ୍ରାତୃପୁତ୍ରୀକୁ ସେ ନିଜ ପାଖରେ ଆଣି ରଖିଛନ୍ତି । ମାଉସୀ ଅନ୍ନପୂର୍ଣ୍ଣା କହିଲେ, ‘ମୋ’ ପାଖରେ ଥାଉ ।’ ଅବଶ୍ୟ ସେଥିରେ ବ୍ୟୟ ଲାଘବର ସୁବିଧା ଥିଲା, କିନ୍ତୁ ଗୌରବ–ଲାଘବ ଭୟରେ ଅନୁକୂଳବାବୁ ରାଜି ହୋଇ ନ ଥିଲେ, ଏପରି କି ଖାଲି ଦେଖି ଆସିବାକୁ ମଧ୍ୟ ସେ ଝିଅଟିକୁ କେବେ ମାଉସୀ ଘରକୁ ପଠାଇ ନ ଥିଲେ । ଆପଣାର ମର୍ଯ୍ୟାଦା ସମ୍ବନ୍ଧରେ ସେ ଭାରି ସତର୍କ ଥିଲେ ।

 

ଝିଅର ବିବାହ-ଭାବନାର ସମୟ ହେଲା । କିନ୍ତୁ ଆଜିକାଲି ଯୁଗରେ କନ୍ୟାର ବିବାହ ସମ୍ବନ୍ଧରେ ‘ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ’ କଥାଟା ଖଟେ ନାହିଁ । ଭାବନା ସହିତ ଖର୍ଚ୍ଚ ମଧ୍ୟ ଦରକାର । କିନ୍ତୁ ଦେବାନେବା କଥା ଉଠିବାମାତ୍ରକେ ଅନୁକୂଳବାବୁ କହନ୍ତି, ‘ମୋ ନିଜର ତ ଝିଅ ଅଛି, ମୁଁ ଏକା ଆଉ କେତେ ପାରିବି ?’ ଏହିପରି ଭାବରେ ଦିନ ଚାଲିଯାଉଥିଲା । ଏହି ସମୟରେ ସଜବାଜ ହୋଇ ଅତର ଲଗାଇ ବନ୍ଧୁକୁ ସାଙ୍ଗରେ ନେଇ ମହେନ୍ଦ୍ର ରଙ୍ଗଭୂମିରେ ପ୍ରବେଶ କଲା ।

 

ସେତେବେଳେ ଚୈତ୍ର ମାସର ଦିନାନ୍ତ ସୂର୍ଯ୍ୟ ଅସ୍ତୋନ୍ମୁଖ, ଚିତ୍ରିତ ଚିକ୍‍କଣ ଚିନା ଟାଇଲ-ଶୋଭିତ ଦୋତାଲାର ଦକ୍ଷିଣ ବାରଣ୍ଡା,–ସେହିଠାରେ ଦୁଇ ଅଭ୍ୟାଗତଙ୍କ ପାଇଁ ରୂପା ଥାଳି ଫଳମୂଳ-ମିଷ୍ଟାନ୍ନରେ ଶୋଭାମାନ ଏବଂ ବରଫ ଜଳପୂର୍ଣ୍ଣ ରୂପାଗ୍ଲାସ ଶୀତଳ ଶିଶିରବିନ୍ଦୁରେ ମଣ୍ଡିତ । ମହେନ୍ଦ୍ର ଆଉ ବିହାରୀ ସଲଜଭାବରେ ଖାଇ ବସିଚନ୍ତି । ତଳେ ବଗିଚାରେ ମାଳୀ ସେତେବେଳେ ଝରୀ ଧରି ଗଛରେ ପାଣି ଦେଉଥିଲା । ସେହି ସିକ୍ତ ମୃତ୍ତିକାର ସ୍ନିଗ୍‍ଧ ଗନ୍ଧ ବହନ କରି ଚୈତ୍ର ମାସର ଦକ୍ଷିଣାପବନ ମହେନ୍ଦ୍ରର ଶୁଭ୍ର କୁଞ୍ଚିତ ସୁବାସିତ ଚାଦରର ପ୍ରାନ୍ତକୁ ଦୁର୍ଦ୍ଦାମ କରି ପକାଉଥିଲା । ପାଖାପାଖି କବାଟ ଝରକାର ଛିଦ୍ରନ୍ତରାଳରୁ ଟିକିଏ ଟିକିଏ ହସ, ଫିସ୍ ଫିସ୍ କଥା ଏବଂ ଗୋଟା ଦି’ଟା ଗହଣାର ଟୁଙ୍ଗଟାଙ୍ଗ୍ ଶବ୍ଦ ଶୁଣାଯାଉଥିଲା ।

 

ଆହାର ସମାପ୍ତ ହେବା ପରେ ଅନୁକୂଳବାବୁ ଘରଆଡ଼କୁ ଅନାଇ କହିଲେ, ‘ଚୁନି, ପାନ ନେଇ ଆ ।’

 

କିଛି ସମୟ ପରେ ଧୀରଭାବରେ ପଛପାଖରୁ ଗୋଟିଏ କବାଟ ଖୋଲିଲା । ଏବଂ ଗୋଟିଏ ବାଳିକା ସର୍ବାଙ୍ଗରେ ସାରା ଦୁନିଆର ଲଜ୍ଜା ବହନ କରି ପାନବଟା ହାତରେ ଅନୁକୂଳବାବୁଙ୍କ ପାଖରେ ଆସି ଠିଆ ହେଲା । ସେ କହିଲେ, ‘ଲାଜ କ’ଣ ମା, ପାନବଟା ସେମାନଙ୍କ ପାଖରେ ରଖ ।’

 

ବାଳିକା ନତ ହୋଇ କମ୍ପିତ ହସ୍ତରେ ଅତିଥିମାନଙ୍କ ଆସନ ପାର୍ଶ୍ୱରେ ପାନବଟା ରଖିଦେଲା । ବାରଣ୍ଡାର ପଶ୍ଚିମ ପ୍ରାନ୍ତରୁ ସୂର୍ଯାସ୍ତ ଆଭା ତାହାର ମୁଖକୁ ମଣ୍ଡିତ କରିଦେଇ ଯାଉଥିଲା । ସେଇ ଅବକାଶରେ ମହେନ୍ଦ୍ର ସେହି କମ୍ପାନିତ୍ୱା ବାଳିକାର କରୁଣ ମୁଖଛବି ଦେଖିନେଲା ।

 

ବାଳିକା ସଙ୍ଗେ ସଙ୍ଗେ ଚାଲିଯିବାକୁ ଉଦ୍ୟତ ହେବାରୁ ଅନୁକୂଳବାବୁ କହିଲେ, ଟିକିଏ ରହ ଚୁନି ! ବିହାରୀବାବୁ, ଏଇ ହେଉଛି ମୋର ଛୋଟ ଭାଇ ଅପୂର୍ବର ଝିଅ । ସେ ତ ଚାଲିଗଲା, ବର୍ତ୍ତମାନ ମୋ’ ଛଡ଼ା ୟାର ଆଉ କେହି ନାହାନ୍ତି ।’–କହି ସେ ଦୀର୍ଘ ନିଃଶ୍ୱାସ ପକାଇଲେ ।

 

ମହେନ୍ଦ୍ରର ହୃଦୟରେ ଦୟାର ଆଘାତ ଲାଗିଲା । ଅନାଥାଟି ଆଡ଼କୁ ସେ ଆହୁରି ଥରେ ଚାହିଁ ଦେଖିଲା ।

 

କେହି ତୋ’ର ବୟସ ଠିକ୍ ଭାବରେ କହିପାରନ୍ତି ନାହିଁ । ଆତ୍ମୀୟମାନେ କହନ୍ତି-ବାର ତେର ବର୍ଷ ହେବ, ଅର୍ଥାତ୍ ଚଉଦ ପନ୍ଦର ବର୍ଷ ହେବାର ସମ୍ଭାବନା ହିଁ ଅଧିକ । କିନ୍ତୁ ଅନୁଗ୍ରହପାଳିତ ବୋଲି ଏକପ୍ରକାରର କୁଣ୍ଠିତ ଭୀରୁଭାବ ତା’ର ନବଯୌବନାରମ୍ଭକୁ ସଂଯତ ସଂବୃତ କରି ରଖିଚି ।

 

ଆର୍ଦ୍ର ଚିତ୍ତ ମହେନ୍ଦ୍ର ପଚାରିଲା, ‘ତୁମ ନାଆଁ କ’ଣ ?’

 

ଅନୁକୂଳବାବୁ ଉତ୍ସାହ ଦେଇ କହିଲେ, ‘କହ ମା, ତୋର ନାଆଁ କହ ।’ ବାଳିକା ତା’ର ଅଭ୍ୟସ୍ତ ଆଦେଶ ପାଳନ କରିବାର ଭାବ ଦେଖାଇ କହିଲା, ‘ମୋ ନାଆଁ ଆଶାଲତା ।’

 

ଆଶା ! ମହେନ୍ଦ୍ର ମନେ ହେଲା, ନାଆଁଟି ଭାରି କରୁଣ ଏବଂ କଣ୍ଠଟି ଭାରି କୋମଳ । ଅନାଥା ଆଶା !

 

ଦି’ ବନ୍ଧୁ ରାସ୍ତାକୁ ଆସି ଗାଡ଼ି ଛାଡ଼ିଦେଲେ । ମହେନ୍ଦ୍ର କହିଲା, ‘ବିହାରୀ, ଏହି କନ୍ୟାଟିକୁ ତୋର ଛାଡ଼ିବା ଅନୁଚିତ ।’

 

ବିହାରୀ ତା’ର ସ୍ପଷ୍ଟ ଉତ୍ତର ନ ଦେଇ କହିଲା, ‘ଝିଅଟିକୁ ଦେଖିଲେ ତା’ର ମାଉସୀକୁ ମନେପଡ଼େ, ବୋଧହୁଏ ସେମିତି ଧୀର ଶାନ୍ତ ହୋଇଥିବ ।’

 

ମହେନ୍ଦ୍ର କହିଲା, ‘ତୋର କାନ୍ଧରେ ମୁଁ ଯେଉଁ ବୋଝ ଲଦିଲି, ବର୍ତ୍ତମାନ ବୋଧହୁଏ ଆଉ ତାହା ସେତେ ବେଶି ଭାରି ଲାଗୁ ନ ଥିବ ।’

 

ବିହାରୀ କହିଲା, ‘ନା–ବୋଧହୁଏ ସହ୍ୟ କରିପାରିବି ।’

 

ମହେନ୍ଦ୍ର କହିଲା, ‘କି ଲାଭ ଏତେ କଷ୍ଟ କରି ? ତୋର ବୋଝ ବରଂ ମୁଁ ନିଜ କାନ୍ଧକୁ ଉଠାଇ ନେଉଚି, କ’ଣ କହୁଚୁ ?’

 

ଗମ୍ଭୀର ଭାବରେ ବିହାରୀ ମହେନ୍ଦ୍ର ମୁହଁକୁ ଚାହିଁଲା, କହିଲା, ‘ମହେନ୍ଦ୍ର ଭାଇ, ସତ କହୁଚ ? ବର୍ତ୍ତମାନ ସୁଦ୍ଧା ସମୟ ଅଛି, ତୁମେ ଠିକ କରି କୁହ । ତୁମେ ବିବାହ କଲେ ଖୁଡ଼ୀ ଖୁବ୍ ଖୁସି ହେବେ । ତାହେଲେ ଝିଅଟିକୁ ସେ ସବୁବେଳେ ପାଖରେ ରଖିପାରିବେ ।’

 

ମହେନ୍ଦ୍ର କହିଲା, ‘ତୁ ପାଗଳ ହେଲୁ ? ହୋଇଥିଲେ ସେକଥା କୋଉକାଳୁ ହୋଇ ସାରନ୍ତାଣି ।’

 

ବିହାରୀ ଅଧିକ ଆପତ୍ତି ନ କରି ଚାଲିଗଲା । ମହେନ୍ଦ୍ର ସିଧା ବାଟ ଛାଡ଼ି ବୁଲାଣି ବାଟ ଧରି ବହୁ ବିଳମ୍ବରେ ଧୀରେ ଧୀରେ ଘରେ ଯାଇ ପହଞ୍ଚିଲା ।

 

ମାଆ ସେତେବେଳେ ଲୁଚି ଛାଣିବାରେ ବ୍ୟସ୍ତ ଥିଲେ । ଖୁଡ଼ୀ ସେପର୍ଯ୍ୟନ୍ତ ତାଙ୍କର ଝିଆରୀ ପାଖରୁ ଫେରି ନ ଥାନ୍ତି ।

 

ମହେନ୍ଦ୍ର ଏକୁଟିଆ ନିର୍ଜନ ଛାତ ଉପରେ ସପ ପାରି ଶୋଇପଡ଼ିଲା । କଲିକତା’ର ହର୍ମ୍ୟଶିଖରପୁଞ୍ଜ ଉପରେ ଶୁକ୍ଲ-ସପ୍ତମୀର ଅର୍ଦ୍ଧଚନ୍ଦ୍ର ନିଃଶବ୍ଦରେ ଆପଣାର ଅପରୂପ ମାୟାମନ୍ତ୍ର ପ୍ରସାର କରୁଥିଲା । ଯେତେବେଳେ ମାଆ ଆସି ଖାଇବାକୁ ଡାକିଲେ, ମହେନ୍ଦ୍ର ଅଳସ ସ୍ୱରରେ କହିଲା, ‘ଭାରି ଭଲ ଲାଗୁଚି, ମୁଁ ଆଉ ଏହିକ୍ଷଣି ଉଠି ଯାଇପାରିବି ନାହିଁ ।

 

ମାଆ କହିଲେ, ‘ତେବେ ମୁଁ ଏଇଠାକୁ ଖାଇବା ନେଇ ଆସୁଚି ?’

 

ମହେନ୍ଦ୍ର କହିଲା, ‘ଆଜି ଆଉ ଖାଇବି ନାହିଁ, ମୁଁ ଖାଇ କରି ଆସିଚି ।’

 

ମାଆ ପଚାରିଲେ, ‘କୋଉଠିକି ଖାଇବାକୁ ଯାଇଥିଲୁ ?’

 

ମହେନ୍ଦ୍ର କହିଲା, ‘ସେ ଅନେକ କଥା, ପରେ କହିବି ।’

 

ମହେନ୍ଦ୍ରର ଏପରି ଅଭୂତପୂର୍ବ ବ୍ୟବହାରରେ ଅଭିମାନିନୀ ମାତା ଆଉ କିଛି ନ କହି ଚାଲିଯିବାକୁ ଉଦ୍ୟତ ହେଲେ ।

 

ତତ୍‍କ୍ଷଣାତ୍ ମୁହୂର୍ତ୍ତକ ମଧ୍ୟରେ ଆତ୍ମସଂବରଣ କରି ଅନୁତପ୍ତ ମହେନ୍ଦ୍ର କହିଲା, ‘ମାଆ, ମୋ ପାଇଁ ଏଇଠିକି ଖାଇବାକୁ ଆଣ ।’

 

ମାଆ କହିଲେ, ‘ଭୋକ ନ ଥିଲେ ଖାଇବା ଦରକାର କ’ଣ ?’

 

ଏହି କଥାଟି ନେଇ ମାଆପୁଅଙ୍କ ମଧ୍ୟରେ କିଛି ସମୟ ମାନ ଅଭିମାନ ପରେ ମହେନ୍ଦ୍ରକୁ ପୁଣି ଖାଇବସିବାକୁ ପଡ଼ିଲା ।

 

(୩)

 

ସେଦିନ ରାତିରେ ମହେନ୍ଦ୍ରର ଭଲ ନିଦ ହେଲା ନାହିଁ । ସକାଳୁ ଯାଇ ସେ ବିହାରୀ ବସାରେ ପହଞ୍ଚିଲା । କହିଲା, ‘ଭାଇ, ଭାବି ଦେଖିଲି, ଖୁଡ଼ୀଙ୍କର ମନୋଗତ ଇଚ୍ଛା ଯେ ମୁଁ ତାଙ୍କ ଝିଆରୀକୁ ବିବାହ କରେଁ ।

 

ବିହାରୀ କହିଲା, ‘ସେଥିପାଇଁ ହଠାତ୍‍ ନୂଆ କରି ଭାବିବାର କୌଣସି ଦରକାର ନ ଥିଲା । ସେ ତ ତାଙ୍କର ଇଚ୍ଛାକୁ ନାନା ପ୍ରକାର ବ୍ୟକ୍ତ କରିଥିଲେ ।’

 

ମହେନ୍ଦ୍ର କହିଲା, ‘ସେଥିପାଇଁ ତ ମୁଁ କହୁଚି, ମୋ ମତରେ ଆଶାକୁ ମୁଁ ବିବାହ ନ କଲେ ତାଙ୍କ ମନରେ ଗୋଟାଏ ବଡ଼ ଦୁଃଖ ରହିଯିବ ।’

 

ବିହାରୀ କହିଲା, ‘ଖୁବ୍ ସମ୍ଭବ ।’

 

ମହେନ୍ଦ୍ର କହିଲା, ‘ମୋର ମନେହୁଏ, ସେପରି କରିବା ମୋ ପକ୍ଷରେ ଭାରି ଅନ୍ୟାୟ ହେବ ।’

 

ବିହାରୀ କିଞ୍ଚିତ ଅସ୍ୱାଭାବିକ ଉତ୍ସାହର ସହିତ କହିଲା, ‘ବାଃ, ସିଏ ତ ଖୁବ୍ ଭଲ କଥା । ତୁମେ ରାଜି ହେଲେ ତ ଆଉ କିଛି କଥାହିଁ ନାହିଁ । ଏହି କର୍ତ୍ତବ୍ୟବୁଦ୍ଧି କାଲି ତୁମ ମୁଣ୍ଡକୁ ଆସିଥିଲେ ତ ଆହୁରି ଭଲ ହୋଇଥାନ୍ତା ।’

 

ମହେନ୍ଦ୍ର–‘ଦିନେ ଡେରିରେ ଆସି କ’ଣ ଏମିତି କ୍ଷତି ହେଲା ?

 

ବିବାହ-ପ୍ରସ୍ତାବର ଭିତରକୁ ମହେନ୍ଦ୍ର ଆପଣା ମନର ଲଗାମ ଛାଡ଼ିଦେଲା କ୍ଷଣି ତା ପକ୍ଷରେ ଧୈର୍ଯ୍ୟରକ୍ଷା କରିବା ଦୁଃସାଧ୍ୟ ହୋଇପଡ଼ିଲା । ତା’ର ମନେହେଲା, ‘ଆଉ ଅଧିକ କଥାବାର୍ତ୍ତା ନ ହୋଇ କାର୍ଯ୍ୟଟା ସମ୍ପନ୍ନ ହୋଇଗଲେ ଭଲ ହୁଅନ୍ତା ।’

 

ସେ ଯାଇ ମାଆଙ୍କୁ କହିଲା, ଆଚ୍ଛା ମାଆ, ମୁଁ ତୋର ଅନୁରୋଧ ରଖିବି । ମୁଁ ବିବାହ କରିବାକୁ ପ୍ରସ୍ତୁତ ।’

 

ମାଆ ମନେ ମନେ କହିଲେ, ‘ବୁଝିଲି, ସେଦିନ ମଝିଆଁ ବୋହୂ କାହିଁକି ହଠାତ୍ ତା’ ଝିଆରୀକୁ ଦେଖିବାକୁ ଗଲା ଆଉ ମହେନ୍ଦ୍ର ସଜବାଜ ହୋଇ ଘରୁ ବାହାରିଗଲା ।’

 

ତାଙ୍କର ବାରମ୍ବାର ଅନୁରୋଧ ଅପେକ୍ଷା ଅନ୍ନପୂର୍ଣ୍ଣାଙ୍କର ଚକ୍ରାନ୍ତ ସଫଳ ହେଲା ବୋଲି ସେ ସବୁ ରକମର ବିଶ୍ୱବିଧାନ ଉପରେ ଅସନ୍ତୁଷ୍ଟ ହୋଇଉଠିଲେ । କହିଲେ, ‘ମୁଁ ତେବେ ଗୋଟିଏ ଭଲ ଝିଅର ସନ୍ଧାନ କରୁଚି ।’

 

ମହେନ୍ଦ୍ର ଆଶା ଉଲ୍ଲେଖ କରି କହିଲା, ‘କନ୍ୟାର ସନ୍ଧାନ ମୁଁ କରିସାରିଚି ।’

 

ରାଜଲକ୍ଷ୍ମୀ କହିଲେ, ‘ସେ କନ୍ୟା ଚଳିବ ନାହିଁ ବାପ, ସେଠାରେ ମୋର ମନ କଦାପି ମାନିବ ନାହିଁ ।’

 

ମହେନ୍ଦ୍ର ଯଥେଷ୍ଟ ସଂଯତ ଭାବରେ କହିଲା, ‘କାହିଁକି ମାଆ, କନ୍ୟାଟି ତ ମନ୍ଦ ନୁହେଁ ?’

 

ରାଜଲକ୍ଷ୍ମୀ–ତା’ର କେହି କୁଆଡ଼େ ନାହାନ୍ତି । ତାକୁ ବୋହୂ କଲେ ମୋର କୁଟୁମ୍ବ ସୁଖ ହୋଇପାରିବ ନାହିଁ ।’

 

ମହେନ୍ଦ୍ର–କୁଟୁମ୍ବ ସୁଖ ନ ହେଲେ ମୁଁ ଆଦୌ ଦୁଃଖିତ ହେବି ନାହିଁ । କିନ୍ତୁ ଝିଅଟିକୁ ମୋର ଭାରି ପସନ୍ଦ ହୋଇଚି ।’

 

ପୁଅର ଜିଦ୍ ଦେଖି ରାଜଲକ୍ଷ୍ମୀଙ୍କ ଚିତ୍ତ ଆହୁରି କଠିନ ହୋଇଉଠିଲା । ସେ ଅନ୍ନପୂର୍ଣ୍ଣାଙ୍କୁ କହିଲେ, ‘ବାପମାଆ ଛେଉଣ୍ଡ ଅଲକ୍ଷଣୀ ଝିଅ ସହିତ ମୋର ଗୋଟିଏ ବୋଲି ପୁଅର ବାହା ଦେଇ ତୁ ମୋ’ ପୁଅକୁ ମୋ’ ପାଖରୁ ଛଡ଼େଇ ନେବାକୁ ବସିଚୁ ? ଏଡ଼େ ସଇତାନ-ବୁଦ୍ଧି ?’

 

ଅନ୍ନପୂର୍ଣ୍ଣା କାନ୍ଦି କାନ୍ଦି କହିଲେ, ‘ମହେନ୍ଦ୍ର ସାଙ୍ଗରେ ତ ଝିଅଟିର ବାହାଘର କଥା ହୋଇନାହିଁ । ସେ ତୁମକୁ କ’ଣ ସବୁ ,ଏଣୁତେଣୁ କହିଚି, ମୁଁ କିଛି ଜାଣିନାହିଁ ।’

 

ମହେନ୍ଦ୍ରର ମାଆ ସେକଥା ତିଳେମାତ୍ର ବିଶ୍ୱାସ କଲେ ନାହିଁ । ଶେଷକୁ ଅନ୍ନପୂର୍ଣ୍ଣା ବିହାରୀକୁ ଡକାଇ ଆଣି ସାଶ୍ରୁନେତ୍ରରେ କହିଲେ, ‘ତୁମ ସହିତ ତ ସବୁ ଠିକ୍ ହୋଇଥିଲା, ପୁଣି କାହିଁକି ବଦଳାଇ ଦେଲ ? ପୁଣିଥରେ ତୁମକୁ ସମ୍ମତ ହେବାକୁ ପଡ଼ିବ । ତୁମେ ଉଦ୍ଧାର ନ କଲେ ମୋତେ ବଡ଼ ଲଜ୍ଜାରେ ପଡ଼ିବାକୁ ହେବ । ଝିଅଟି ଭାରି ଶାନ୍ତଶିଷ୍ଟ, କଦାପି ତୁମର ଅଯୋଗ୍ୟ ହେବନାହିଁ ।’

 

ବିହାରୀ କହିଲା, ‘ଖୁଡ଼ୀ, ସେକଥା ମୋତେ କହିବା ବାହୁଲ୍ୟ । ତୁମର ଝିଆରୀ ସେ, ମୋର ଅମତ ହେବାର ପ୍ରଶ୍ନ ହିଁ ଉଠୁନାହିଁ । କିନ୍ତୁ ମହେନ୍ଦ୍ର–’

 

ଅନ୍ନପୂର୍ଣ୍ଣା କହିଲେ, ‘ନାଇଁ ବାପ, ମହେନ୍ଦ୍ର ସହିତ କୌଣସି ମତେ ତା’ର ବିବାହ ହୋଇପାରିବ ନାହିଁ । ମୁଁ ତୁମକୁ ସତକଥା କହୁଚି, ତୁମ ସହିତ ତା’ର ବିବାହ ହେଲେ ମୁଁ ସବୁଠାରୁ ଅଧିକ ନିଶ୍ଚିନ୍ତ ହେବି । ମହେନ୍ଦ୍ର ସହିତ ହେବା ମୋର ଇଚ୍ଛା ନୁହେଁ ।’

 

ବିହାରୀ କହିଲା, ‘ଖୁଡ଼ୀ, ତୁମର ଯଦି ମନ ନ ଥାଏ, ତେବେ ସେଥିରେ ଜିଦ୍ କରିବାର କ’ଣ ଅଛି ?’

 

ବିହାରୀ ରାଜଲକ୍ଷ୍ମୀଙ୍କ ପାଖକୁ ଯାଇ କହିଲା, ‘ଖୁଡ଼ୀଙ୍କର ଝିଆରୀ ସହିତ ମୋର ବିବାହ ସ୍ଥିର ହୋଇଯାଇଚି । ମୋର ଆତ୍ମୀୟ କେହି ପାଖରେ ନାହାନ୍ତି–ତେଣୁ ନିର୍ଲଜଙ୍କ ପରି ନିଜେ ମୁଁ ଖବରଟା ଜଣାଇବାକୁ ଆସିଲି ।’

 

ରାଜଲକ୍ଷ୍ମୀ– ‘କ’ଣ କହିଲୁ ବିହାରୀ, ଭାରି ଖୁସି କଥା । ଝିଅଟି ଭାରି ଭଲ, ଠିକ୍ ତୋର ଉପଯୁକ୍ତ । ଏମିତିଆ ଝିଅ ଛାଡ଼ନ୍ତି ନାହିଁ ।’

 

ବିହାରୀ– ‘ଛାଡ଼ିବି କାହିଁକି ? ମହେନ୍ଦ୍ର ଭାଇ ନିଜେ ପସନ୍ଦ କରି ସମ୍ବନ୍ଧ ଠିକ୍ କରି ଦେଇଚନ୍ତି ।’

 

ଏହିସବୁ ବାଧାବିଘ୍ନରେ ମହେନ୍ଦ୍ର ଦ୍ୱିଗୁଣ ଉତ୍ତେଜିତ ହୋଇଉଠିଲା । ସେ ମାଆ ଓ ଖୁଡ଼ୀଙ୍କ ଉପରେ ରାଗି ଗୋଟିଏ ଦୀନହୀନ ଛାତ୍ରାବାସରେ ଯାଇ ରହିଲା ।

 

ରାଜଲକ୍ଷ୍ମୀ କାନ୍ଦି କାନ୍ଦି ଅନ୍ନପୂର୍ଣ୍ଣାଙ୍କ ଘରେ ଉପସ୍ଥିତ ହେଲେ । କହିଲେ, ‘ମଝିଆଁ ବୋହୂ, ମୋ ପୁଅ ଉଦାସୀ ହୋଇ ଘରୁ ଚାଲିଗଲା, ତାକୁ ରକ୍ଷା କର ।’

 

ଅନ୍ନପୂର୍ଣ୍ଣା କହିଲେ, ‘ଅପା, ଟିକିଏ ଧୈର୍ଯ୍ୟ ଧରି ରହ । ଦି’ଦିନପରେ ତା’ର ରାଗ ଛାଡ଼ିଯିବ ।’

 

ରାଜଲକ୍ଷ୍ମୀ କହିଲେ, ‘ତୁ ତାକୁ ଜାଣିନୁ । ସେ ଯାହା ଚାହେଁ, ତା ନ ପାଇଲେ ତା’ର ଯାହା ଖୁସି ତାହା କରିପାରେ । ଯେମିତି ହେଉ ତୋ’ ଝିଆରୀ ସହିତ ତା’ର–’

 

ଅନ୍ନପୂର୍ଣ୍ଣା–ଅପା ତା’ କେମିତି ହେବ? ଏଣେ ଯେ ବିହାରୀ ସହିତ କଥାବାର୍ତ୍ତା ହୋଇ ସବୁ ସ୍ଥିର ହୋଇ ସାରିଲାଣି ।

 

ରାଜଲକ୍ଷ୍ମୀ କହିଲେ, ‘ସେକଥା ଭାଙ୍ଗିବାକୁ କେତେ ସମୟ ।’ କହି ବିହାରୀକୁ ଡକାଇ ଆଣି କହିଲେ, ‘ବାପ, ତୋ ପାଇଁ ମୁଁ ଭଲ ପାତ୍ରୀଟିଏ ଖୋଜି ଦେବି । ତୁ ଏଇ ଝିଅଟିକୁ ଛାଡ଼ିଦେ । ଇଏ ମୋଟେ ତୋର ଯୋଗ୍ୟ ହେବ ନାହିଁ ।’

 

ବିହାରୀ କହିଲା, ‘ନାଇଁ ମା’–ଆଉ ତାହା ହୋଇପାରିବି ନାହିଁ । ସବୁ ଠିକ୍ ହୋଇଗଲାଣି ।’

ରାଜଲକ୍ଷ୍ମୀ ଅନ୍ନପୂର୍ଣ୍ଣାଙ୍କୁ ଯାଇ କହିଲେ, ‘ମଝିଆଁ ବୋହୂ, ମୋ ମୁଣ୍ଡ ଖା’,–ତୋର ଗୋଡ଼ ଧରୁଚି, ତୁ ବିହାରୀକୁ କହିଲେ ସବୁ ଠିକ୍ ହୋଇଯିବ ।’

ଅନ୍ନପୂର୍ଣ୍ଣା ବିହାରୀକୁ କହିଲେ, ‘ତୁମକୁ କହିବାକୁ ମୋର ତୁଣ୍ଡ ଲେଉଟୁ ନାହିଁ, କିନ୍ତୁ କ’ଣ କରିବି କହ ? ଆଶାକୁ ତମ ହାତରେ ଦେଇ ମୁଁ ଭାରି ନିଶ୍ଚିନ୍ତ ହୋଇଥାନ୍ତି । କିନ୍ତୁ ତୁମେ ତ ସବୁକଥା ବୁଝୁଚ–’

ବିହାରୀ-ବୁଝିଚି ଖୁଡ଼ୀ । ତୁମେ ଯେପରି ଆଦେଶ କରିବ ତାହାହିଁ ହେବ । କିନ୍ତୁ ଭବିଷ୍ୟତରେ ମୋତେ ଆଉ କେବେ କାହାକୁ ବିବାହ କରିବାକୁ ଅନୁରୋଧ କରିବ ନାହିଁ ।

ବିହାରୀ ଚାଲିଗଲା । ଅନ୍ନପୂର୍ଣ୍ଣାଙ୍କର ଆଖି ଲୁହରେ ଛଳଛଳ ହୋଇଉଠିଲା, ମହେନ୍ଦ୍ରର ଅକଲ୍ୟାଣ-ଆଶଙ୍କାରେ ସେ ତାହାକୁ ପୋଛି ପକାଇଲେ । ବାରମ୍ବାର ମନକୁ ବୁଝାଇବାକୁ ଲାଗିଲେ ଯେ ଯାହା ହେଲା ତାହା ଭଲ ପାଇଁ ହେଲା ।

ରାଜଲକ୍ଷ୍ମୀ, ଅନ୍ନପୂର୍ଣ୍ଣା ଓ ମହେନ୍ଦ୍ରଙ୍କ ଭିତରେ ନିଷ୍ଠୁର ନିଗୂଢ଼ ନୀରବ ଘାତ-ପ୍ରତିଘାତ ଆରମ୍ଭ ହୋଇଗଲା । ଏହିପରି ଭାବରେ କ୍ରମେ ବିବାହର ଦିନ ସମାଗତ ହେଲା । ଆଲୋକ ଉଜ୍ଜ୍ୱଳଭାବରେ ଜଳିଲା, ମହୁରୀ ମଧୁର ସ୍ୱରରେ ବାଜିଲା, ମିଷ୍ଟାନ୍ନରେ ମିଷ୍ଟତା’ର ଭାଗ ଲେଶମାତ୍ର କମ୍ ହେଲା ନାହିଁ ।

ସଜ୍ଜିତ-ସୁନ୍ଦର ଲଜ୍ଜିତ-ମୁଗ୍‍ଧ ଆଶା ଆପଣାର ନୂଆ ସଂସାରରେ ପଦାର୍ପଣ କଲା । ତାହାର ଏହି ନୂତନ ନୀଡ଼ଟି ମଧ୍ୟରେ ଯେ କୌଣସି କଣ୍ଟକ ରହିଥାଇପାରେ, ସେକଥା ତା’ର କମ୍ପିତ କୋମଳ ହୃଦୟ କଳ୍ପନା ହିଁ କରିପାରି ନ ଥିଲା । ବରଂ ତା’ର ଏକମାତ୍ର ମାତୃସ୍ଥାନୀୟ ଅନ୍ନପୂର୍ଣ୍ଣାଙ୍କ ପାଖକୁ ଆସୁଚି ବୋଲି ଆଶ୍ୱାସ ଓ ଆନନ୍ଦରେ ତା’ର ସବୁ ପ୍ରକାର ଭୟ ସଂଶୟ ଚାଲିଯାଇଥିଲା ।

ବିବାହ ପରେ ରାଜଲକ୍ଷ୍ମୀ ମହେନ୍ଦ୍ରକୁ ଡାକି କହିଲେ, ‘ମୁଁ କହୁଚି, ବର୍ତ୍ତମାନ ବୋହୂ କିଛିଦିନ ତାଙ୍କ ବଡ଼ବାପାଙ୍କ ଘରେ ଯାଇ ରହନ୍ତୁ ।’

ମହେନ୍ଦ୍ର କହିଲା, ‘କାହିଁକି ମାଆ ?’

ମାଆ କହିଲେ, ‘ଏଥର ତୋର ପରୀକ୍ଷା, ପଢ଼ାପଢ଼ିରେ ବ୍ୟାଘାତ ହୋଇପାରେ ।’

ମହେନ୍ଦ୍ର–ମୁଁ କ’ଣ ପିଲା ହୋଇଚି, ନିଜ ଭଲମନ୍ଦ ବୁଝି ଚଳିପାରିବି ନାହିଁ ।

ରାଜଲକ୍ଷ୍ମୀ–‘ହଉ ଏବେ । ଗୋଟାଏ ବର୍ଷତ ।’

ମହେନ୍ଦ୍ର କହିଲା, ‘ଯଦି ବୋହୂର ବାପମାଆ କିଏ ଥାଆନ୍ତେ, ତେବେ ତାଙ୍କ ପାଖକୁ ପଠାଇବାକୁ ମୋ’ର ଆପତ୍ତି ନ ଥିଲା,–କିନ୍ତୁ ବଡ଼ବାପାଙ୍କ ଘରେ ତାକୁ ରଖିବାକୁ ମୁଁ ରାଜି ନୁହେଁ ।’

ରାଜଲକ୍ଷ୍ମୀ-(ସ୍ୱଗତଃ) ‘ଆରେ ବାପ୍‌ରେ । ପୁଅ ନିଜେ ମୁରବୀ, ଶାଶୁ କେହି ନୁହେଁ ? କାଲି ବାହା ହେଉ ହେଉ ଆଜି ଏତେ ଶରଧା । କର୍ତ୍ତାମାନେ ତ ପୁଣି ଆମକୁ ବାହା ହୋଇଥିଲେ । କିନ୍ତୁ ଏତେ ସ୍ତ୍ରୈଣତା, ଏତେ ନିର୍ଲଜତା ତ ସେତେବେଳେ ନ ଥିଲା ।’

ମହେନ୍ଦ୍ର ଖୁବ୍ ଜୋର ଦେଇ କହିଲା, ‘କିଛି ଚିନ୍ତା କରନା ମା ! ପରୀକ୍ଷାରେ କୌଣସି କ୍ଷତି ହେବ ନାହିଁ ।’

 

(୪)

 

ହଠାତ୍ ଅପରିମିତ ଉତ୍ସାହରେ ରାଜଲକ୍ଷ୍ମୀ ବୋହୂକୁ ଘରକରଣା କାମ ଶିଖାଇବାରେ ପ୍ରବୃତ୍ତ ହେଲେ । ଭଣ୍ଡାରଘରେ, ରୋଷେଇଘରେ ବା ଠାକୁରଘରେ ଆଶାର ଦିନଗୁଡ଼ିକ କଟିଯିବାକୁ ଲାଗିଲା । ରାତିରେ ରାଜଲକ୍ଷ୍ମୀ ତାକୁ ନିଜ ବିଛଣାରେ ଶୁଆଇ ତା’ର ଆତ୍ମୀୟ ବିଚ୍ଛେଦର କ୍ଷତିପୂରଣ କରିବାକୁ ଲାଗିଲେ ।

 

ଅନେକ ବିବେଚନା କରି ଅନ୍ନପୂର୍ଣ୍ଣା ଝିଆରୀ ପାଖରୁ ଦୂରେଇ ରହୁଥିଲେ ।

 

କୌଣସି ପ୍ରବଳ ଅଭିଭାବକ ଯେତେବେଳେ ଖଣ୍ଡେ ଇକ୍ଷୁଦଣ୍ଡକୁ ପ୍ରାୟ ନିଃଶେଷ ହେବା ପର୍ଯ୍ୟନ୍ତ ଚର୍ବଣ କରୁଥାନ୍ତି, ସେତେବେଳେ ହତାଶ୍ୱାସ ଲୁବ୍‍ଧ ବାଳକର କ୍ଷୋଭ ଯେପରି ଇତ୍ତରୋତ୍ତର ଅସହ୍ୟ ହୋଇଉଠେ, ମହେନ୍ଦ୍ରର ଦଶା ଠିକ୍ ସେହିପରି ହେବାକୁ ଲାଗିଲା । ତା’ର ଆଖି ଆଗରେ ନବଯୌବନା ନବ-ବଧୂର ସବୁ ସରସତା କେବଳ ଘରକାମରେ ପିଷ୍ଟ ହୋଇଯାଉଚି, ତାହା ପକ୍ଷରେ ଏକଥା ସହ୍ୟ କରିବା କଷ୍ଟକର ।

 

ମହେନ୍ଦ୍ର ଅନ୍ନପୂର୍ଣ୍ଣାଙ୍କ ପାଖକୁ ଯାଇ କହିଲା, ‘ଖୁଡ଼ୀ, ମାଆ ବୋହୂକୁ ଏତେ ଖଟେଇ ଖଟେଇ ମାରୁଛନ୍ତି, ମୋତେ ଭଲ ଲାଗୁ ନାହିଁ ।’

 

ଅନ୍ନପୂର୍ଣ୍ଣା ଜାଣିଥିଲେ ଯେ ରାଜଲକ୍ଷ୍ମୀ ସୀମା ଟପିଯାଉଛନ୍ତି, କିନ୍ତୁ କହିଲେ, ‘ହେଲା କ’ଣ ? ବୋହୂ ଘର କାମ ଶିଖୁଛି-ଭଲ କଥା ତ । ଆଜିକାଲିକା ଝିଅଙ୍କ ପରି ନଭେଲ ପଢ଼ି, କାର୍ପେଟ ବୁଣି, ଖାଲି ବାବୁଆଣୀ ହୋଇ ବସିବା କ’ଣ ଭଲ ?’

 

ମହେନ୍ଦ୍ର ଉତ୍ତେଜିତ ହୋଇ କହିଲା, ‘ଆଜିକାଳିକା ଝିଅ ଆଜିକାଲିକା ପରି ନ ହେବ ତ ଆଉ କ’ଣ ହେବ ? ତାହା ଭଲ ହେଉ କି ମନ୍ଦ ହେଉ । ମୋର ସ୍ତ୍ରୀ ଯଦି ମୋରିପରି ନଭେଲ ପଢ଼ି ରସଗ୍ରହଣ କରିପାରେ, ତେବେ ସେଥିରେ ପରିତାପର ବା ପରିହାସର ବିଷୟ କ’ଣ ଅଛି ?’

 

ଅନ୍ନପୂର୍ଣ୍ଣାଙ୍କ ଘରୁ ପୁତ୍ରର କଣ୍ଠସ୍ୱର ଶୁଣି ରାଜଲକ୍ଷ୍ମୀ ସବୁ କାମ ଛାଡ଼ି ଚାଲିଆସିଲେ । ତୀବ୍ର କଣ୍ଠରେ ପଚାରିଲେ, ‘କଥା କ’ଣ ? ତୁମମାନଙ୍କ ଭିତରେ କି ପରାମର୍ଶ ଚାଲିଚି ?’

 

ମହେନ୍ଦ୍ର ଉତ୍ତେଜିତ ଭାବରେ କହିଲା, ‘ପରାମର୍ଶ କିଛି ଚାଲି ନାହିଁ ମାଆ । ବୋହୂକୁ ଏପରି ଦାସୀ ପରି ଖଟାଇବାକୁ ମୁଁ ରାଜି ନୁହେଁ ।’

 

ମାଆ ଆପଣାର ଉଦ୍ଦୀପ୍ତ କ୍ରୋଧ ଦମନ କରି ଅତ୍ୟନ୍ତ ତୀକ୍ଷ୍‍ଣ ଧୀର ଭାବରେ କହିଲେ, ‘ବୋହୂ ଘରକାମ ନ କରିବ ତ ଆଉ କ’ଣ କରିବ ?’

 

ମହେନ୍ଦ୍ର କହିଲା, ‘ମୁଁ ତାକୁ ପଢ଼ାଇବି ।’

 

ରାଜଲକ୍ଷ୍ମୀ କିଛି ନ କହି ଦ୍ରୁତପଦରେ ଚାଲିଗଲେ ଓ ମୁହୂର୍ତ୍ତକ ପରେ ବୋହୂର ହାତଧରି ଟାଣି ଟାଣି ଆଣି ମହେନ୍ଦ୍ରର ସମ୍ମୁଖରେ ପହୁଞ୍ଚାଇ କହିଲେ, ‘ଏଇ ନେ, ଏଥର ତୋର ଭାରିଯାକୁ ତୁ ପଢ଼ା ।’

 

ଏତକ କହିସାରି ଅନ୍ନପୂର୍ଣ୍ଣାଙ୍କ ଆଡ଼କୁ ବୁଲିପଡ଼ି ଗଳବସ୍ତ୍ର ଯୋଡ଼ହସ୍ତ ହୋଇ କହିଲେ,‘କ୍ଷମା କର ମଝିଆଁ ସାଆନ୍ତାଣୀ । ତୁମ ଝିଆରୀର ମର୍ଯ୍ୟାଦା ମୁଁ ବୁଝିପାରି ନ ଥିଲି । ତା’ର କଅଁଳ ହାତରେ ମୁଁ ହଳଦୀଦାଗ ଲଗାଇଚି, ବର୍ତ୍ତମାନ ତୁମେ ତାକୁ ଧୁଆପୋଛା କରି ମେମ୍‌ସାହେବ କରି ସଜାଇ ମହେନ୍ଦ୍ର ହାତରେ ଦିଅ,–ସେ ଗୋଡ଼ ଉପରେ ଗୋଡ଼ ରଖି ଲେଖାପଢ଼ୁ କରନ୍ତୁ–ଆଉ ମୁଁ ଦାସୀବୃତ୍ତି କରୁଥାଏଁ ।’

 

କହିସାରି ରାଜଲକ୍ଷ୍ମୀ ନିଜ ଘରେ ପ୍ରବେଶ କରି ସଶବ୍ଦ କବାଟ ବନ୍ଦ କରିଦେଲେ ।

 

ଅନ୍ନପୂର୍ଣ୍ଣା ଅତି କ୍ଷୁର୍ଣ୍ଣ ଭାବରେ ଭୂଇଁରେ ବସିପଡ଼ିଲେ । ଆଶା ଏହି ଆକସ୍ମିକ ଗୃହ ବିପ୍ଲବର କୌଣସି ତାତ୍ପର୍ଯ୍ୟ ବୁଝି ନ ପାରି ଲଜ୍ଜା-ଭୟ-ଦୁଃଖରେ ବିମର୍ଷ ହୋଇପଡ଼ିଲା । ଅତିମାତ୍ରାରେ ରାଗିଯାଇ ମହେନ୍ଦ୍ର ମନେ ମନେ କହିଲା, ‘ଏଥର ନିଜ ସ୍ତ୍ରୀର ଭାର ନିଜ ହାତକୁ ନେବାକୁ ହେବ, ନ ହେଲେ ମୁଁ ଅତ୍ୟନ୍ତ ଅନ୍ୟାୟ କରିବି ।’

 

ଇଚ୍ଛା ସହିତ କର୍ତ୍ତବ୍ୟ-ବୁଦ୍ଧି ମିଳିତ ହୋଇ ନିଆଁ ସାଙ୍ଗକୁ ପବନ ପରି ହେଲା । କୁଆଡ଼େ ଗଲା କଲେଜ, ପରୀକ୍ଷା, ବନ୍ଧୁକୃତ୍ୟ ଆଉ ସାମଜିକତା,–ସ୍ତ୍ରୀର ଉନ୍ନତି ସାଧନ କରିବାକୁ ମହେନ୍ଦ୍ର ତାକୁ ସାଙ୍ଗରେ ନେଇ ଘରେ ପଶିଲା, କାମ ପ୍ରତି ଦୃକ୍‍ପାତ ବା ଲୋକଙ୍କ ପ୍ରତି ଭ୍ରୁକ୍ଷେପମାତ୍ର କଲା ନାହିଁ ।

 

ଅଭିମାନିନୀ ରାଜଲକ୍ଷ୍ମୀ ମନେ ମନେ କହିଲେ, ‘ଯଦି ମହେନ୍ଦ୍ର ବର୍ତ୍ତମାନ ବୋହୂକୁ ନେଇ ମୋ’ ଘର ସାମନାରେ ଆସି ଅଧିଆ ବି ପଢ଼ିବ, ତେବେ ସୁଦ୍ଧା ମୁଁ ତାକୁ ଅନାଇବି ନାହିଁ । ଦେଖିବି ମାଆକୁ ଛାଡ଼ି ସେ ଖାଲି ସ୍ତ୍ରୀକୁ ନେଇ କେମିତି ଚଳିବ ।’

 

ଦିନେ ଗଲା, ତଥାପି ଘର ବାହାରେ କୌଣସି ଅନୁତପ୍ତର ପାଦଶବ୍ଦ ଶୁଣାଗଲା ନାହିଁ ।

 

ରାଜଲକ୍ଷ୍ମୀ ସ୍ଥିର କଲେ, କ୍ଷମା ମାଗିବାକୁ ଆସିଲେ କ୍ଷମା ଦେବେ, ତା’ ନ ହେଲେ ମହେନ୍ଦ୍ର ଭାରି ଆଘାତ ପାଇବ ।

 

କ୍ଷମାର ଆବେଦନ ଆସିଲା ନାହିଁ । ରାଜଲକ୍ଷ୍ମୀ ସ୍ଥିର କଲେ, ନିଜେ ଯାଇ କ୍ଷମା କରି ଆସିବେ । ପୁଅ ଅଭିମାନ କଲା ବୋଲି ମାଆ ବି କ’ଣ ଅଭିମାନ କରି ରହିବ ?

 

ତିନି ମହଲା ଛାତରେ ଗୋଟିଏ କ’ଣକୁ ଗୋଟିଏ ଛୋଟ ଘରେ ମହେନ୍ଦ୍ରର ଶୟନ ଏବଂ ଅଧ୍ୟୟନର ସ୍ଥାନ । କେତେଦିନ ହେଲା ମାଆ ତା’ର ଲୁଗା ସଜାଡ଼ିବା, ବିଛଣା କରିବା, ଘର ସଜାଡ଼ିବା ଇତ୍ୟାଦିରେ ସମ୍ପୂର୍ଣ୍ଣ ଅବହେଳା କରୁଥିଲେ । କେତେଦିନ ହେଲା ମାତୃସ୍ନେହର ଚିରାଭ୍ୟସ୍ତ କର୍ତ୍ତବ୍ୟଗୁଡ଼ିକ ପାଳନ କରି ନ ଥିବାରୁ ରାଜଲକ୍ଷ୍ମୀଙ୍କର ହୃଦୟ ସ୍ତନ୍ୟଭାରାତୁର ସ୍ତନପରି ବ୍ୟଥିତ ହୋଇ ଉଠୁଥିଲା । ସେଦିନ ଖରାବେଳେ ସେ ଭାବିଲେ, ‘ମହେନ୍ଦ୍ର କଲେଜକୁ ଯିବଣି । ଯାଉଚି ଏହି ଅବସରରେ ତା’ର ଘର ସଜାଡ଼ି ଦେଇ ଆସିବି-କଲେଜରୁ ଫେରି ସେ ନିଶ୍ଚୟ ବୁଝିପାରିବ ଯେ ତା’ ଘରେ ଆଜି ମାଆର ହାତ ବାଜିଚି ।’

 

ରାଜଲକ୍ଷ୍ମୀ ସିଡ଼ିରେ ଉପରକୁ ଉଠିଗଲେ । ମହେନ୍ଦ୍ରର ଶୋଇବା ଘରର ଗୋଟାଏ କବାଟ ଖୋଲାଥିଲା । ଦୁଆର ମୁହଁକୁ ଆସି କଣ୍ଟା ମାଡ଼ିଲା ପରି ସେ ଚମକି ଉଠି ଠିଆ ହୋଇଗଲେ । ଦେଖିଲେ, ମହେନ୍ଦ୍ର ବିଛଣାରେ ନିଦ୍ରିତ ଏବଂ କବାଟଆଡ଼କୁ ପଛ କରି ବୋହୂ ଧୀରେ ଧୀରେ ତା’ର ଗୋଡ଼ ଘଷି ଦେଉଚି । ମଧ୍ୟାହ୍ନର ପ୍ରଖର ଆଲୋକ ପଡ଼ିଥିବା ଖୋଲା ଘରେ ଦାମ୍ପତ୍ୟଲୀଳାର ଏହି ଅଭିନୟ ଦେଖି ରାଜଲକ୍ଷ୍ମୀ ଲଜ୍ଜାରେ ଧିକ୍‌କାରରେ ସଙ୍କୁଚିତ ହୋଇ ନିଃଶବ୍ଦରେ ତଳକୁ ଓହ୍ଲାଇଗଲେ ।

 

(୫)

 

କିଛିଦିନ ଅନାବୃଷ୍ଟି ଫଳରେ ଯେଉଁ ଶସ୍ୟଦଳ ଶୁଷ୍କ, ପୀତବର୍ଣ୍ଣ ହୋଇଯାଇଥାଏ, ବର୍ଷାଧାରା ପାଇବା କ୍ଷଣି ତାହାର ଆଉ କୌଣସି ବିଳମ୍ବ ସହ୍ୟ ହୁଏ ନାହିଁ, ହଠାତ୍ ବଢ଼ି ଉଠି ସେ ଦୀର୍ଘକାଳର ଉପବାସଦୈନ୍ୟ ଦୂର କରେ, ଦୁର୍ବଳ ନତଭାବ ତ୍ୟାଗକରି ଶସ୍ୟକ୍ଷେତ୍ର ମଧ୍ୟରେ ଅସଙ୍କୋଚ ଓ ଅସଂଶୟ ଭାବରେ ଆପଣାର ଅଧିକାରକୁ ଉଜ୍ଜ୍ୱଳ ଉନ୍ନତ ଭାବରେ ପ୍ରତିଷ୍ଠା କରେ । ଆଶାର ଠିକ୍ ସେହିପରି ହେଲା । ଯେଉଁଠି ତା’ର ରକ୍ତର ସମ୍ବନ୍ଧ ଥିଲା, ସେଠାରେ ସେ କେବେ ଆତ୍ମୀୟତା’ର ଦାବି କରିପାରିନାହିଁ, ଆଜି ପର ଘରକୁ ଆସି ସେ ଯେଉଁଠି ବିନା ପ୍ରାର୍ଥନାରେ ଏକ ନିକଟତମ ସମ୍ବନ୍ଧ ଏବଂ ନିଃସନ୍ଦିଗ୍‍ଧ ଅଧିକାର ପ୍ରାପ୍ତ ହେଲା, ଯେତେବେଳେ ସେଇ ଅଯତ୍ନଲାଳିତା ଅନାଥାର ମସ୍ତକରେ ସ୍ୱାମୀ ସ୍ୱହସ୍ତରେ ଲକ୍ଷ୍ମୀମୁକୁଟ ପିନ୍ଧାଇ ଦେଲେ, ସେତେବେଳେ ସେ ଆପଣାର ଗୌରବ ପଦ ଗ୍ରହଣ କରିବାକୁ ଲେଶମାତ୍ର ବିଳମ୍ବ କଲା ନାହିଁ । ନବବଧୂଯୋଗ୍ୟ ଲଜ୍ଜାଭୟ ତ୍ୟାଗ କରି ସୌଭାଗ୍ୟବତୀ ସ୍ତ୍ରୀର ମହିମାରେ ସେ ମୁହୂର୍ତ୍ତକ ମଧ୍ୟରେ ସ୍ୱାମୀର ପଦପ୍ରାନ୍ତରେ ନିଃସଙ୍କୋଚ ହୋଇ ଆପଣାର ସିଂହାସନ ଅଧିକାର କଲା । ସେଦିନ ମଧ୍ୟାହ୍ନରେ ରାଜଲକ୍ଷ୍ମୀ ସେହି ସିଂହାସନ ଉପରେ ଏହି ନୂତନ ଆଗତ ପରଝିଅଟିକୁ ଚିରାଭ୍ୟସ୍ତବତ୍‌ ସ୍ପର୍ଦ୍ଧାର ସହିତ ବସିଥିବାର ଦେଖି ଦୁଃସହ ବିସ୍ମୟରେ ତଳକୁ ଓହ୍ଲାଇ ଆସିଲେ । ନିଜର ଚିତ୍ତଦାହରେ ଅନ୍ନପୂର୍ଣ୍ଣାଙ୍କୁ ଦଗ୍‍ଧ କରିବାକୁ ଗଲେ । କହିଲେ, ‘ଆଗୋ ଦେଖିଆସିବ ଯାଅ, ତୁମ ନବାବଙ୍କ ଝିଅ ନବାବଙ୍କ ଘରୁ କି ଶିକ୍ଷା ପାଇ ଆସିଚନ୍ତି । ସାଆନ୍ତମାନେ ଥିଲେ ଆଜି–’

 

ଅନ୍ନପୂର୍ଣ୍ଣା କାତର ହୋଇ କହିଲେ, ‘ଅପା, ତୁମ ବୋହୂକୁ ତୁମେ ଶିକ୍ଷା ଦେବ, ଶାସନ କରିବ, ମୋତେ କାହିଁକି କହୁଚ ?’

 

ରାଜଲକ୍ଷ୍ମୀ ଧନୁଷ୍ଟଙ୍କାର ପରି ଟଣ୍ କରି ବାଜିଉଠିଲେ, ‘ମୋ ବୋହୂ ? ତୁ ମନ୍ତ୍ରୀ ଥାଉ ଥାଉ ସେ ପୁଣି ମୋତେ ଗ୍ରାହ୍ୟ କରିବ ?’

 

ଅନ୍ନପୂର୍ଣ୍ଣା ସଶବ୍ଦ ପଦକ୍ଷେପରେ ଦମ୍ପତିଙ୍କୁ ସଚକିତ ସଚେତନ କରି ମହେନ୍ଦ୍ରର ଶୟନଗୃହରେ ଉପସ୍ଥିତ ହେଲେ । ଆଶାକୁ କହିଲେ, ‘ତୁ କ’ଣ ଏମିତି ମୋ ମୁଣ୍ଡ ତଳକୁ କରିବୁ ପୋଡ଼ାମୁହିଁ ? ଲାଜ ନାହିଁ, ସରମ ନାହିଁ, ସମୟ ନାହିଁ, ଅସମୟ ନାହିଁ, ବୁଢ଼ୀ ଶାଶୁ ଉପରେ ସମସ୍ତ ଘରକରଣା ଲଦିଦେଇ ତୁ ଏଠି ଆରାମ କରୁଚୁ ? ମୋର ପୋଡ଼ା କପାଳ, ମୁଁ ତୋତେ ଏ ଘରକୁ ଆଣିଥିଲି ।’

 

କହୁ କହୁ ତାଙ୍କ ଆଖିରୁ ଲୁହ ଝରିପଡ଼ିଲା, ଆଶା ମଧ୍ୟ ନତମୁଖରେ ବସ୍ତ୍ରାଞ୍ଚଳ ଖୁଣ୍ଟୁଖୁଣ୍ଟୁ ନିଃଶବ୍ଦରେ ଠିଆ ହୋଇ କାନ୍ଦିବାକୁ ଲାଗିଲା ।

 

ମହେନ୍ଦ୍ର କହିଲା, ଖୁଡ଼ୀ, ତୁମେ ବୋହୂକୁ କାହିଁକି ଅନ୍ୟାୟରେ ଭର୍ତ୍ସନା କରୁଚ ?

 

ମୁଇଁ ସିନା ତାକୁ ଏଠାରେ ଅଟକାଇ ରଖିଚି ।’

 

ଅନ୍ନପୂର୍ଣ୍ଣା କହିଲେ, ‘କ’ଣ ଭାରି ଭଲ କାମଟିଏ କରିଚ ! ସେ ଛୋଟ ପିଲା, ଅନାଥ, ମାଆପାଖରୁ କୌଣସି ଶିକ୍ଷା ପାଇବାର ସୁଯୋଗ ପାଇ ନାହିଁ । ସେ କ’ଣ ଜାଣେ ? ତୁମେ ତାକୁ ଏଠି କି ଶିକ୍ଷା ଦେଉଚ ?’

 

ମହେନ୍ଦ୍ର କହିଲେ, ‘ଏଇ ଦେଖ, ତା’ ପାଇଁ ସିଲଟ, ଖାତା, ବହି କିଣି ଆଣିଚି । ମୁଁ ବୋହୂକୁ ପାଠ ପଢ଼ାଇବି । ସେଥିପାଇଁ ଲୋକମାନେ ନିନ୍ଦା କରନ୍ତୁ ଆଉ ତୁମେମାନେ ରାଗିଲେ ରାଗୁଥାଅ ପଛକେ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ଦିନସାରା କ’ଣ ପଢ଼ାଉଥାନ୍ତ । ସନ୍ଧ୍ୟା ପରେ ଘଣ୍ଟାଏ ପଢ଼ାଇଲେ ତ ଯଥେଷ୍ଟ ।’

 

ମହେନ୍ଦ୍ର । ‘ଏଡ଼େ ସହଜ ନୁହେଁ ଖୁଡ଼ୀ-ପଢ଼ାପଢ଼ି କରିବାକୁ ବେଶ୍ ସମୟ ଦରକାର ।’

 

ବିରକ୍ତ ହୋଇ ଅନ୍ନପୂର୍ଣ୍ଣା ଘରୁ ବାହାରିଗଲେ । ଆଶା ମଧ୍ୟ ଧୀରେ ଧୀରେ ତାଙ୍କର ଅନୁସରଣ କରିବାର ଉପକ୍ରମ କଲା । ମହେନ୍ଦ୍ର ପଥରୋଧ କରି ଠିଆହେଲା, ଆଶାର କରୁଣ ସକଳ ନେତ୍ରର କାତର ଅନୁନୟ ମାନିଲା ନାହିଁ । କହିଲା, ‘ରହ, ଶୋଇପଡ଼ି ଯେଉଁ ସମୟ ନଷ୍ଟ କରିଚି, ବର୍ତ୍ତମାନ ତାହା ପୂରଣ କରିବାକୁ ପଡ଼ିବ ।’

 

ଏପରି ଗମ୍ଭୀର ପ୍ରକୃତିର ଶ୍ରଦ୍ଧେୟ ମୂଢ଼ ମନୁଷ୍ୟ ହୁଏତ ଥାଇପାରନ୍ତି, ଯିଏ କି ମନେକରୁଥିବେ ଯେ ମହେନ୍ଦ୍ର ନିଦ୍ରାବେଶରେ ପଢ଼ାଇବାରେ ସମୟ ନଷ୍ଟ କରିଚି, ବିଶେଷତଃ ସେହିମାନଙ୍କର ଅବଗତ ପାଇଁ କହିରଖିବା ଆବଶ୍ୟକ ଯେ ମହେନ୍ଦ୍ରର ତତ୍ତ୍ୱାବଧାନରେ ଅଧ୍ୟାପନ-କାର୍ଯ୍ୟ ଯେପରି ଭାବରେ ନିର୍ବାହିତ ହୁଏ, କୌଣସି ସ୍କୁଲ ଇନ୍‍ସପେକ୍‍ଟର ତାହା କଦାପି ଅନୁମୋଦନ କରିବେ ନାହିଁ ।

 

ଆଶା ତା’ର ସ୍ୱାମୀକୁ ବିଶ୍ୱାସ କରୁଥିଲା, ସେ ପ୍ରକୃତରେ ମନେକରୁଥିଲା ଯେ ନାନା କାରଣରୁ ପଢ଼ାପଢ଼ି କରିବା ତା ପକ୍ଷରେ ଅବଶ୍ୟ ସହଜ ନୁହେଁ, କିନ୍ତୁ ସ୍ୱାମୀଙ୍କର ଆଦେଶବଶତଃ ତାହା ନିତାନ୍ତ କର୍ତ୍ତବ୍ୟ । ଏଥିପାଇଁ ସେ ପ୍ରାଣପଣେ ଅଶାନ୍ତି ବିକ୍ଷିପ୍ତ ମନକୁ ସଂଯତ କରି ରଖେ ଏବଂ ଶୟନ ଗୃହରେ ପରାହୋଇଥିବା ବିଛଣାର ଗୋଟିଏ କଡ଼କୁ ଅତ୍ୟନ୍ତ ଗମ୍ଭୀର ଭାବରେ ବସି ବହିପତ୍ର ଉପରେ ଝୁଙ୍କିପଡ଼ି ଝୁଲି ଝୁଲି ପାଠ ମୁଖସ୍ଥ କରିବାକୁ ଆରମ୍ଭ କରେ ।

 

ଶୟନ ଗୃହର ଅପର ପ୍ରାନ୍ତରେ ଛୋଟ ଟେବୁଲଟି ଉପରେ ଡାକ୍ତରୀ ବହି ଖୋଲି ଶିକ୍ଷକ ମହାଶୟ ଚଉକୀ ଉପରେ ବସିଥାନ୍ତି, ମଝିରେ ମଝିରେ କଟାକ୍ଷପାତ କରି ଛାତ୍ରୀର ମନୋଯୋଗ ଲକ୍ଷ୍ୟ କରୁଥାନ୍ତି । ଦେଖୁ ଦେଖୁ ହଠାତ୍‍ ଡାକ୍ତରୀ ବହି ବନ୍ଦ କରି ମହେନ୍ଦ୍ର ଆଶାର ଡାକ ନାଆଁ ଧରି ଡାକେ, ‘ଚୁନି’ । ଚକିତ ଆଶା ମୁହଁ ଟେକି ଚାହେଁ । ମହେନ୍ଦ୍ର କହେ, ‘ବହିଟି ନେଇ ଏଠିକି ଆସ, ଦେଖେଁ ତୁମେ କେଉଁଟା ପଢ଼ୁଚ ।’ ଆଶାର ଭୟ ହୁଏ, କାଳେ ମହେନ୍ଦ୍ର ପରୀକ୍ଷା କରିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଆଶା ଖୁବ୍ କମ୍ ଥାଏ, କାରଣ ଚାରୁପାଠର ଗୁରୁତ୍ୱ ପ୍ରଲୋଭନରେ ତା’ର ଅବାଧ୍ୟ ମନ ଆଦୌ ବଶ ହୋଇପାରେ ନାହିଁ । ବଲ୍ମୀକ ସମ୍ବନ୍ଧରେ ଜ୍ଞାନଲାଭ କରିବାକୁ ସେ ଯେତେଥର ଚେଷ୍ଟା କରେ, ଅନ୍ଧାରଗୁଡ଼ାକ ସେତେଥର ତା’ର ଦୃଷ୍ଟିପଥରେ ପିପୀଲିକାଧାରପରି ଧାଡ଼ିବାନ୍ଧି ଚାଲିଯାଆନ୍ତି ।

 

ପରୀକ୍ଷକଙ୍କର ଡାକ ଶୁଣି ଅପରାଧୀ ପରି ଡରି ଡରି ଆଶା ବହିହାତରେ ମହେନ୍ଦ୍ରର ଚଉକୀ ପାଖରେ ଆସି ଉପସ୍ଥିତ ହୁଏ । ମହେନ୍ଦ୍ର ଏକ ହସ୍ତରେ ତା’ର କଟିଦେଶ ବେଷ୍ଟନପୂର୍ବକ ତାକୁ ଦୃଢ଼ ଭାବରେ ବନ୍ଦୀ କରି ଅପର ହସ୍ତରେ ବହି ଧରି କହେ, ‘ଆଜି କେତେଦୂର ପଢ଼ିଲ ଦେଖାଅ ।’ ଆଶା ଯାହା ପଢ଼ିଥାଏ ଦେଖାଇଦିଏ । ମହେନ୍ଦ୍ର କ୍ଷୁର୍ଣ୍ଣ ସ୍ୱରରେ କହେ, ‘ଉଃ ! ଏତେଗୁଡ଼ାଏ ପଢ଼ିପକାଇଚ । ମୁଁ କେତେ ପଢ଼ିଚି ଦେଖିବ ? କହି ତା ଡାକ୍ତରୀ ବହିର ଶିରୋନାମାଟିକକ ଦେଖାଇଦିଏ । ଆଶା ବିସ୍ମୟରେ ବଡ଼ ବଡ଼ ଆଖି କରି କହେ, ‘ତେବେ ଏତେ ବେଳଯାଏ ତୁମେ କ’ଣ କରୁଥିଲ ?’ ମହେନ୍ଦ୍ର ତା’ର ଚିବୁକକୁ ଧରି ଉତ୍ତର ଦିଏ, ‘ମୁଁ ଜଣକ କଥା ଭାବୁଥିଲି । କିନ୍ତୁ ଯାହା କଥା ଭାବୁଥିଲି, ସିଏ ନିଷ୍ଠୁର ସେତେବେଳେ ଚାରୁପାଠରେ ଉତ୍ତର ଅତି ମନୋହର ବିବରଣ ବଢ଼ିବାରେ ବ୍ୟସ୍ତ ରହିଥିଲା । ଆଶା ଏହି ଅମୂଳକ ଅଭିଯୋଗ ବିରୁଦ୍ଧରେ ଉପଯୁକ୍ତ ଜବାବ ଅବଶ୍ୟ ଦେଇପାରିଥାନ୍ତା,-କିନ୍ତୁ ହାୟ, କେବଳ ଲଜ୍ଜାଯୋଗୁ ହିଁ ପ୍ରେମର ପ୍ରତିଯୋଗିତାରେ ତାକୁ ନୀରବରେ ଅନ୍ୟାୟ ପରାଭବ ମାନିନେବାକୁ ହୁଏ ।

 

ଏଥିରୁ ସ୍ପଷ୍ଟ ପ୍ରମାଣିତ ହେବ ଯେ ମହେନ୍ଦ୍ରର ଏହି ପାଠଶାଳାଟି ସରକାରୀ ବା ବେସରକାରୀ କୌଣସି ବିଦ୍ୟାଳୟର କୌଣସି ନିୟମ ମାନି ଚଳେ ନାହିଁ ।

 

ହୁଏତ କେଉଁଦିନ ମହେନ୍ଦ୍ର ଘରେ ନାହିଁ, ସେହି ସୁଯୋଗରେ ଆଶା ପାଠରେ ମନ ଦେବାକୁ ଚେଷ୍ଟା କରୁଚି । ସେହି ସମୟରେ ମହେନ୍ଦ୍ର କୁଆଡ଼ୁ ଆସି ତା’ର ଆଖି ବୁଜି ଧରିଲା । ତା’ପରେ ତା’ର ବହି ଛଡ଼ାଇ ନେଇ କହିଲା, ‘ନିଷ୍ଠୁର, ମୁଁ ପାଖରେ ନ ଥିଲେ ତୁମେ ମୋ କଥା ଆଦୌ ଭାବ ନାହିଁ, ନିଜର ପଢ଼ା ନେଇ ବ୍ୟସ୍ତ ଥାଅ ।’

 

ଆଶା କହିଲା, ‘ଦେଖୁଚି, ତୁମେ ମୋତେ ମୁର୍ଖ ହିଁ କରିରଖିବ ।’

 

ମହେନ୍ଦ୍ର କହିଲା, ‘ତୁମ କଲ୍ୟାଣରୁ ମୋ’ ବିଦ୍ୟା ବା କ’ଣ ଏମିତି ଆଗେଇ ଯାଉଚି ?’

 

ଆଶାକୁ ଏହି କଥାଟା ଭାରି ବାଧିଲା, ସେ ତତ୍‍କ୍ଷଣାତ୍ ଚାଲିଯିବାର ଉପକ୍ରମ କରି କହିଲା, ‘ତୁମ ପଢ଼ାରେ ମୁଁ ବାଧା ଦିଏ କହିଲ ?’

 

ମହେନ୍ଦ୍ର ତା’ ହାତ ଧରି କହିଲା, ‘ସେକଥା ତୁମେ କିପରି ବୁଝିପାରିବ ? ମୋତେ ଛାଡ଼ି ତୁମେ ଯେତେ ସହଜରେ ତୁମର ପଢ଼ା କରିପାର, ତୁମକୁ ଛାଡ଼ି ସେତେ ସହଜରେ ମୁଁ ମୋର ପଢ଼ା କରିପାରେନାହିଁ ।’

 

ଗୁରୁତର ଦୋଷାରୋପ । ଏହାପରେ ଅତି ସ୍ୱାଭାବିକ ଭାବରେ ଶରତର ଅସରାଏ ବର୍ଷା ପରି ଅସରାଏ କାନ୍ଦଣାର ଆରମ୍ଭ ହୁଏ ଏବଂ ଅନତିକାଳମଧ୍ୟରେ କେବଳମାତ୍ର ସହଜ ଉଜ୍ଜ୍ୱଳତା ରଖି ସୋହାଗର ସୂର୍ଯ୍ୟାଲୋକରେ ତାହା ବିଲୀନ ହୋଇଯାଏ ।

 

ଶିକ୍ଷକ ଯଦି ଶିକ୍ଷାର ପ୍ରଧାନ ଅନ୍ତରାୟ ହୁଅନ୍ତି, ତେବେ ବିଦ୍ୟାରଣ୍ୟମଧ୍ୟରେ ବାଟ ଖୋଜି ପାଇବା ଅବଳା ଛାତ୍ରୀ ପକ୍ଷରେ ଅସାଧ୍ୟ । ମଝିରେ ମଝିର ମାଉସୀଙ୍କ ତୀବ୍ର ଭର୍ତ୍ସନା ମନେପଡ଼ି ଚିତ୍ତ ବିଚଳିତ ହୁଏ, ସେ ବୁଝିପାରେ, ପଢ଼ାପଢ଼ି କେବଳ ଛଳମାତ୍ର । ଶାଶୁଙ୍କୁ ଦେଖିଲେ ତା’ର ଲାଜରେ ମରିଯିବାକୁ ଇଚ୍ଛା ହୁଏ । କିନ୍ତୁ ଶାଶୁ ତାକୁ କୌଣସି କାମ କରିବାକୁ କହନ୍ତି ନାହିଁ, କୌଣସି ଉପଦେଶ ଦିଅନ୍ତି ନାହିଁ, ଅନାଦିଷ୍ଟ ଭାବରେ ଆଶା ଗୃହକାର୍ଯ୍ୟରେ ଶାଶୁଙ୍କୁ ସାହାଯ୍ୟ କରିବାକୁ ଗଲେ ସେ ଅତି ବ୍ୟସ୍ତ ହୋଇ କହନ୍ତି, ‘ଥାଉ ଥାଉ, ଶୋଇବା ଘରକୁ ଯାଅ, ତୁମର ପଢ଼ା ମାରା ହେଉଚି ।’

 

ଅବଶେଷରେ ଅନ୍ନପୂର୍ଣ୍ଣା ଆଶାକୁ କହିଲେ, ‘ତୋର ଯାହା ଶିକ୍ଷା ହେଉଚି, ମୁଁ ତ ତାହା ଦେଖୁଚି, କିନ୍ତୁ ମହେନ୍ଦ୍ରକୁ ବି କ’ଣ ତୁ ପରୀକ୍ଷା ଦେବାକୁ ଦେବୁ ନାହଁ ?’

 

ଏକଥା ଶୁଣି ମନକୁ ଖୁବ୍ ଟାଣ କରି ଆଶା ମହେନ୍ଦ୍ରକୁ କହିଲା, ମୁଁ ତୁମ ପରୀକ୍ଷା ପଢ଼ାରେ ଭାରି ବାଧା ଦେଉଚି । ଯାଉଚି ଆଜିଠାରୁ ମାଉସୀଙ୍କ ଘରେ ରହିବି ।’

 

ଏଇ ବୟସରେ ଏଡ଼େ ବଡ଼ କଠିନ ସନ୍ନ୍ୟାସବ୍ରତ । ଶୟନକାଳରୁ ମାଉସୀଙ୍କ ଘରକୁ ଆତ୍ମନିର୍ବାସନ । ଏହି କଠୋର ପ୍ରତିଜ୍ଞା ଉଚ୍ଚାରଣ କରୁ କରୁ ଆଶାର ଆଖି ସଜଳ ହୋଇଉଠିଲା । ଅବାଧ୍ୟ କ୍ଷୁଦ୍ର ଅଧର ଥରି ଉଠି କଣ୍ଠସ୍ୱର ରୁଦ୍ଧ ହୋଇ ଆସିଲା ।

 

ମହେନ୍ଦ୍ର କହିଲା, ‘ତେବେ ଚାଲ, ଖୁଡ଼ୀଙ୍କ ଘରେ ହିଁ ରହିବା, କିନ୍ତୁ ତା’ ହେଲେ ତାଙ୍କୁ ଆସି ଆମ ଘରେ ରହିବାକୁ ପଡ଼ିବ ।

 

ଏଡ଼େବଡ଼ ଉଦାର ଗମ୍ଭୀର ପ୍ରସ୍ତାବରେ ପରିହାସପ୍ରାପ୍ତ ହୋଇ ଆଶା ରାଗିଉଠିଲା । ମହେନ୍ଦ୍ର କହିଲା, ତା’ ଅପେକ୍ଷା ବରଂ ତୁମେ ମୋତେ ଦିନରାତି ଆଖିଏ ଆଖିଏ ରଖି ପହରା ଦିଅ, ଦେଖ । ମୁଁ ପରୀକ୍ଷା–ପଢ଼ା ମୁଖସ୍ଥ କରିବି କି ନାହିଁ ।’

 

ଅତି ସହଜରେ ସେକଥା ସ୍ଥିର ହୋଇଗଲା । ଆଖିଏ ଆଖିଏ ପହରା ଦେବାର କାମ କିପରି ନିର୍ବାହିତ ହେଉଥିଲା, ତାହାର ବିସ୍ତାରିତ ବିଚରଣ ହେବା ଅନାବଶ୍ୟକ, କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ସେ ବର୍ଷ ମହେନ୍ଦ୍ର ଫେଲ ହେଲା ଏବଂ ଚାରୁପାଠର ବିସ୍ତାରିତ ବର୍ଣ୍ଣନା ସତ୍ତ୍ୱେ ପୁରୁଭୁଜଙ୍କ ସମ୍ବନ୍ଧରେ ଆଶାର ଅନଭିଜ୍ଞତା ଦୂର ହେଲା ନାହିଁ ।

 

ଏହି ଅପୂର୍ବ ପଠନ–ପାଠନକାର୍ଯ୍ୟ ଯେ ସମ୍ପୂର୍ଣ୍ଣ ନିର୍ବିଘ୍ନଭାବରେ ସମ୍ପନ୍ନ ହୋଇଥିଲା, ତାହା କୁହାଯାଇପାରିବ ନାହିଁ । ବେଳେ ବେଳେ ବିହାରୀ ଆସି ଭାରି ଗୋଳମାଳ କରୁଥିଲା । ‘ମହେନ୍ଦ୍ର ଭାଇ, ମହେନ୍ଦ୍ର ଭାଇ’ ଡାକି ସେ ସାହି କମ୍ପାଇ ଦେଉଥିଲା । ମହେନ୍ଦ୍ରକୁ ତା’ର ଶୋଇବା ଘରୁ ବାହାର ନ କରି ସେ ଛାଡ଼ୁ ନ ଥିଲା । ପଢ଼ାରେ ଅବହେଳା କରୁଚି ବୋଲି ତାକୁ ବହୁ ବର୍ଣ୍ଣନା କରୁଥିଲା । ଆଶାକୁ କହୁଥିଲା, ‘ନୂଆବୋଉ, ଗିଳି ଦେଲେ ହଜମ ହୁଏ ନାହିଁ । ଚୋବାଇ ସିନା ଖାଆନ୍ତି । ବର୍ତ୍ତମାନ ତୁମେ ଏକା ଗ୍ରାସରେ ସବୁ ଅନ୍ନ ଗିଳିବାରେ ଲାଗିଚ, କିନ୍ତୁ ପରେ ହଜମ ବଟିକା ଖୋଜି ପାଇବ ନାହିଁ ।’

 

ମହେନ୍ଦ୍ର କହେ, ‘ଚୁନି, ତୁମେ ତା’ର କଥା ଶୁଣ ନାହିଁ । ସେ ଆମ ସୁଖରେ ହିଂସା କରୁଚି-।’

 

ବିହାରୀ କହେ, ‘ଯେତେବେଳେ ସୁଖଟା ତୁମ ହାତରେ ରହିଚି, ସେତେବେଳେ ତାକୁ ଏପରି ଭାବରେ ଭୋଗ କରିବା ଦରକାର, ଯେପରି କି ପରର ହିଂସା ନ ହେବ ।’

 

ମହେନ୍ଦ୍ର ଉତ୍ତର ଦିଏ, ‘ଅନ୍ୟର ହିଂସାର ପାତ୍ର ହେବାରେ ସୁଖ ଅଛି । ଚୁନି, ଆଉ ଅଳ୍ପକରେ ତୁ ମୁଁ ଗର୍ଦ୍ଦଭପରି ତୁମକୁ ବିହାରୀ ହାତରେ ସମର୍ପଣ କରିବାକୁ ଯାଉଥିଲି ।’

 

ବିହାରୀ ଆରକ୍ତ ହୋଇ କହିଉଠେ, ‘ଚୁପ’ !

 

ଏହିସବୁ ବିଷୟରେ ଆଶା ମନେ ମନେ ବିହାରୀ ଉପରେ ଭାରି ବିରକ୍ତ ହୁଏ । ତା’ ସହିତ ବିହାରୀର ବିବାହ–ପ୍ରସ୍ତାବ ହୋଇଥିଲା ବୋଲି ବିହାରୀ ପ୍ରତି ତା’ର ଗୋଟାଏ ପ୍ରକାରର ବିମୁଖଭାବ ଥିଲା । ସେକଥା ବିହାରୀ ବୁଝିପାରେ ଏବଂ ମହେନ୍ଦ୍ର ସେଥିପାଇଁ ପରିହାସ ବି କରିଥାଏ ।

 

ବିହାରୀ ପାଖରେ ରାଜଲକ୍ଷ୍ମୀ ଦୁଃଖ କରନ୍ତି । ବିହାରୀ କହେ, ‘ମାଆ, ପୋକ ଯେତେବେଳେ ଗୋଟିବାନ୍ଧେ, ସେତେବେଳେ କିଛି ଭୟ ନ ଥାଏ । କିନ୍ତୁ ଯେତେବେଳେ ଗୋଟି ବାନ୍ଧି ସାରି ଉଡ଼ିଯାଏ ସେତେବେଳେ ତାକୁ ଫେରାଇ ଆଣିବା କଠିନ ହୋଇପଡ଼େ । କିଏ କଳ୍ପନା କରିଥିଲା ଯେ, ସେ ତୁମର ବନ୍ଧନକୁ ଏପରି ଭାବରେ କାଟି ଚାଲିଯିବ ।’

 

ମହେନ୍ଦ୍ରର ଫେଲ୍ ହେବା ଖବର ପାଇ ରାଜଲକ୍ଷ୍ମୀ ଗ୍ରୀଷ୍ମକାଳର ଆକସ୍ମିକ ଅଗ୍ନିକାଣ୍ଡ ପରି ଦାଉଦାଉ ହୋଇ ଜଳିଉଠିଲେ । କିନ୍ତୁ ତା’ର ଗର୍ଜନ ବଂ ଦହନଟା ସମ୍ପୂର୍ଣ୍ଣ ଭାବରେ ଭୋଗ କଲେ ଅନ୍ନପୂର୍ଣ୍ଣା । ତାଙ୍କର ଆହାର ନିଦ୍ରା ଦୂର ହୋଇଗଲା ।

 

(୬)

 

ଦିନେ ନବବର୍ଷାର ବର୍ଷମୁଖରିତ ମେଘାଚ୍ଛନ୍ନ ସାୟାହ୍ନକାଳରେ ଦେହରେ ଖଣ୍ଡେ ସୁବାସିତ ସରୁ ଚାଦର ଏବଂ ବେକରେ ଯୁଇଫୁଲର ଗଜରାମାଳ ପକାଇ ମହେନ୍ଦ୍ର ଆନନ୍ଦ ମନରେ ଶୟନ-ଗୃହରେ ପ୍ରବେଶ କଲା । ହଠାତ୍ ଆସି ଆଶାକୁ ବିସ୍ମୟଚକିତ କରିବ ବୋଲି ଜୋତା’ର କୌଣସି ଶବ୍ଦ କଲା ନାହିଁ । ଘରେ ପ୍ରବେଶ କରି ଦେଖିଲା, ପୂର୍ବତଟର ଖୋଲା ଝରକାବାଟେ ପ୍ରବଳ ପବନ ସହିତ ବର୍ଷାର ଛଟା ଘର ଭିତରକୁ ଆସୁଚି, ଆଲୁଅ ନିଭିଯାଇଚି ଏବଂ ଆଶା ବିଛଣାଉପରେ ପଡ଼ି ଅବ୍ୟକ୍ତ ଭାବରେ କାନ୍ଦୁଚି ।

 

ମହେନ୍ଦ୍ର ଦ୍ରୁତପଦରେ ପାଖକୁ ଯାଇ ପଚାରିଲା, ‘କ’ଣ ହୋଇଚି ?’

 

ବାଳିକା ଦ୍ୱିଗୁଣ ଆବେଗରେ କାନ୍ଦି ଉଠିଲା । ଅନେକ ସମୟ ପରେ ମହେନ୍ଦ୍ର କ୍ରମଶଃ ଉତ୍ତର ପାଇଲା ଯେ ମାଉସୀ ଆଉ ସହ୍ୟ କରି ନ ପାରି ତାଙ୍କ ପିଉସୀ ପୁଅ ଭାଇଙ୍କ ବସାକୁ ଚାଲିଯାଇଚନ୍ତି ।

 

ରାଗିଉଠି ମହେନ୍ଦ୍ର ମନେ ମନେ କହିଲା, ‘ଗଲେ ଯଦି, ଆଜିର ଏହି ବର୍ଷଣ ସନ୍ଧ୍ୟାଟା ମାଟି କରି ଦେଇଗଲେ ।’

 

ଶେଷକୁ ସବୁ ରାଗ ଯାଇ ମାଆଙ୍କ ଉପରେ ପଡ଼ିଲା । ସେଇ ହେଉଛନ୍ତି ସବୁ ଅଶାନ୍ତିର ମୂଳ । ମହେନ୍ଦ୍ର କହିଲା, ‘ଖୁଡ଼ୀ ଯେଉଁଠି ଅଛନ୍ତି, ଚାଲ ଆମେ ମଧ୍ୟ ସେଇଠି ରହିବା । ଦେଖିବି, ମାଆ ଆଉ କାହା ସଙ୍ଗରେ କଜିଆ କରିବେ ।’

 

ଏତକ କହି ଅନାବଶ୍ୟକ ପାଟିତୁଣ୍ଡ ନ କରି ଜିନିଷପତ୍ର ବନ୍ଧାବନ୍ଧି ଓ ମୂଲିଆ ଡକାଡକି କରିବା ଆରମ୍ଭ କରିଦେଲା ।

 

ରାଜଲକ୍ଷ୍ମୀ ସବୁକଥା ବୁଝିପାରିଲେ । ଧୀରେ ଧୀରେ ମହେନ୍ଦ୍ର ପାଖକୁ ଆସି ଶାନ୍ତ ଭାବରେ ପଚାରିଲେ, ‘କୁଆଡ଼େ ଯାଉଚୁ ?’

 

ପ୍ରଥମେ ମହେନ୍ଦ୍ର କିଛି ଉତ୍ତର ଦେଲା ନାହିଁ । ଦି’ ତିନି ଥର ପ୍ରଶ୍ନରେ ଉତ୍ତର ଦେଲା, ‘ଖୁଡ଼ୀଙ୍କ ପାଖକୁ ।’

 

ରାଜଲକ୍ଷ୍ମୀ କହିଲେ, ‘ତୋର ଖୁଡ଼ୀ ପାଖକୁ ଯିବା ଦରକାର ନାହିଁ । ମୁଁ ତୋ’ ଖୁଡ଼ୀକୁ ଆଣିବାକୁ ଯାଉଚି ।’ କହି ତତ୍‍କ୍ଷଣାତ୍ ପାଲିଙ୍କିରେ ବସି ସେ ଅନ୍ନପୂର୍ଣ୍ଣାଙ୍କ ବସାକୁ ଗଲେ । ଗଳବସ୍ତ୍ର ହୋଇ ହାତଯୋଡ଼ି କହିଲେ, ‘ଦୟା କର ମଝିଆଁ ସାଆନ୍ତାଣୀ, ମୋତେ କ୍ଷମା କର ।’

 

ବ୍ୟସ୍ତ ହୋଇ ଅନ୍ନପୂର୍ଣ୍ଣା ରାଜଲକ୍ଷ୍ମୀଙ୍କ ପାଦଧୂଳି ଗ୍ରହଣ କରି କାତର ସ୍ୱରରେ କହିଲେ, ‘ଅପା, କାହିଁକି ମୋତେ ଅପରାଧୀ କରୁଚ, ତୁମେ ଯାହା ଆଦେଶ କରିବ ମୁଁ ତାହା ହିଁ କରିବି ।’

 

ରାଜଲକ୍ଷ୍ମୀ କହିଲେ, ‘ତୁ ଚାଲିଆସିଲୁ ବୋଲି ମୋ’ ପୁଅବୋହୂ ଘରୁ ଚାଲି ଯାଉଛନ୍ତି’–କହୁ କହୁ ଅଭିମାନରେ କ୍ରୋଧରେ ଧିକ୍‌କାରରେ ସେ କାନ୍ଦି ପକାଇଲେ ।

 

ଦି’ ଯାଆ ଘରକୁ ଫେରିଲେ । ସେତେବେଳ ଯାଏ ବର୍ଷା ହେଉଥାଏ । ଯେତେବେଳେ ଅନ୍ନପୂର୍ଣ୍ଣା ମହେନ୍ଦ୍ରର ଘରକୁ ଆସିଲେ, ସେତେବେଳେକୁ ଆଶାର ରୋଦନ ଶାନ୍ତ ହୋଇଗଲାଣି ଏବଂ ମହେନ୍ଦ୍ର ନାନା କଥା କହି ତାକୁ ହସାଇବାକୁ ଚେଷ୍ଟା କରୁଚି । ଲକ୍ଷଣ ଦେଖି ମନେହେଉଚି, ବର୍ଷଣ-ସନ୍ଧ୍ୟାଟି ସମ୍ପୂର୍ଣ୍ଣ ବ୍ୟର୍ଥ ହେବ ନାହିଁ ।

 

ଅନ୍ନପୂର୍ଣ୍ଣା କହିଲେ, ‘ଚୁନି, ତୁ ମୋତେ ଘରେ ରଖାଇ ଦେବୁ ନାହିଁ କି ବାହାରେ ମଧ୍ୟ ରଖାଇ ଦେବୁ ନାହିଁ । ମୋର କ’ଣ କୋଉଠି ହେଲେ ଶାନ୍ତି ନାହିଁ ?’

 

ଆଶା ଅକସ୍ମାତ ବିଦ୍ଧ ମୃଗୀ ପରି ଚକିତ ହୋଇଉଠିଲା ।

 

ମହେନ୍ଦ୍ର ଭାରି ବିରକ୍ତ ହୋଇ କହିଲା, ‘କାହିଁକି ଖୁଡ଼ୀ, ଚୁନି ତୁମର କ’ଣ କଲା ?’

 

ଅନ୍ନପୂର୍ଣ୍ଣା କହିଲେ,‘ବୋହୂମାନଙ୍କର ଏ ବେହିଆପଣ ଦେଖିବି ନାହିଁ ବୋଲି ମୁଁ ଚାଲିଯାଇଥିଲି । ପୋଡ଼ାମୁହିଁ, ଶାଶୁକୁ କନ୍ଦାଇ ପୁଣି କାହିଁକି ମୋତେ ଅଣାଇଲା ?’

 

ଜୀବନର କବିତ୍ୱ-ଅଧ୍ୟାୟରେ ମାଆ ଆଉ ଖୁଡ଼ୀ ଯେ ବିଘ୍ନସ୍ୱରୂପ, ସେ କଥା ମହେନ୍ଦ୍ରକୁ ଜଣା ନ ଥିଲା ।

 

ପରଦିନ ରାଜଲକ୍ଷ୍ମୀ ବିହାରୀକୁ ଡକାଇ କହିଲେ, ‘ବାପ ତୁ ଥରେ ମହେନ୍ଦ୍ରକୁ କହ, ଅନେକ ଦିନ ହେଲା ମୁଁ ଗାଁକୁ ଯାଇନାହିଁ, ଟିକିଏ ଗାଁକୁ ଯାଆନ୍ତି ।’

 

ବିହାରୀ କହିଲା, ‘ଅନେକ ଦିନ ହେଲା ତ ଯାଇ ନାହାନ୍ତି । ମୋଟେ ଏବେ ନ ଗଲେ କ’ଣ କ୍ଷତି ହୋଇଯିବ ? ଆଚ୍ଛା, ମୁଁ ମହେନ୍ଦ୍ର ଭାଇକୁ କହିବି । କିନ୍ତୁ ସେ ରାଜି ହେବ ବୋଲି ମୋର ବିଶ୍ୱାସ ହେଉନାହିଁ ।’

 

ମହେନ୍ଦ୍ର କହିଲା, ‘ଜନ୍ମସ୍ଥାନ ଦେଖିବାକୁ ଇଚ୍ଛା ହେବା ସ୍ୱାଭାବିକ । କିନ୍ତୁ ସେଠି ମାଆର ବେଶି ଦିନ ନ ରହିବା ଭଲ । ବର୍ଷାଦିନେ ସେ ଜାଗାଟା ଆଦୌ ଭଲ ନୁହେଁ ।’

 

ମହେନ୍ଦ୍ର ଏତେ ସହଜରେ ସମ୍ମତି ଦେଲା ଦେଖି ବିହାରୀ ଭାରି ବିରକ୍ତ ହେଲା । କହିଲା, ‘ମାଆ ଏକୁଟିଆ ଗଲେ ସେଠି ତାଙ୍କର କିଏ ଦେଖାଶୁଣା କରିବ ? ନୂଆବୋଉଙ୍କୁ ତାଙ୍କ ସହିତ ପଠାଇ ଦିଅ !’ କହି ଟିକିଏ ହସିଲା ।

 

ବିହାରୀର ଗୂଢ଼ ଭର୍ତ୍ସନାରେ ମହେନ୍ଦ୍ର କୁଣ୍ଠିତ ହୋଇ କହିଲା, ‘ହଁ, ମୁଁ କ’ଣ ସେତିକି କରିପାରିବି ନାହିଁ ?’ କିନ୍ତୁ କଥାଟା ଆଉ ଅଗ୍ରସର ହେଲା ନାହିଁ ।

 

ଏହିପରି ଭାବରେ ବିହାରୀ ଆଶାକୁ ବିମୁଖ କରିଦିଏ ଏବଂ ଆଶା ତା’ ଉପରେ ବିମୁଖ ହେଉଚି ଭାବି ସେ ଏକପ୍ରକାର ଶୁଷ୍କ ଆନନ୍ଦ ଅନୁଭବ କରେ ।

 

କହିବା ବାହୁଲ୍ୟ, ରାଜଲକ୍ଷ୍ମୀ ଜନ୍ମସ୍ଥାନ ଦେଖିଯିବା ପାଇଁ ଆଦୌ ଇଚ୍ଛୁକ ନ ଥିଲେ । ଖରାଦିନରେ ଯେତେବେଳେ ନଈରୁ ପାଣି ଶୁଖିଯାଏ, ସେତେବେଳେ ଯେପରି ନାଉରି ପଦେ ପଦେ ବାଉଁଶ ପକାଇ କେଉଁଠି କେତେ ପାଣି ଦେଖିବାକୁ ଯାଏ ରାଜଲକ୍ଷ୍ମୀ ମଧ୍ୟ ସେହିପରି ଭାବାନ୍ତର ସମୟରେ ମାତା-ପୁତ୍ର–ସମ୍ପର୍କ ମଧ୍ୟରେ ନଗୀ ପକାଇ ଦେଖୁଥିଲେ । ତାଙ୍କର ଗାଆଁକୁ ଯିବା ପ୍ରସ୍ତାବ ଯେ ଏତେଶୀଘ୍ର ତଳ ପାଇଯିବ, ତାହା ସେ ଆଦୌ ଆଶା କରି ନ ଥିଲେ । ମନେ ମନେ କହିଲେ, ‘ଅନ୍ନପୂର୍ଣ୍ଣାର ଗୃହତ୍ୟାଗ ଓ ମୋର ଗୃହତ୍ୟାଗ ମଧ୍ୟରେ ତଫାତ୍ ରହିଚି । ସେ ହେଉଚି ମନ୍ତ୍ର ଜାଣିଥିବା ଡାଆଣୀ, ଆଉ ମୁଁ ତ କେବଳ ମାତ୍ର ମାଆ, ମୋର ଯିବା ହିଁ ଭଲ ।’

 

ଅନ୍ନପୂର୍ଣ୍ଣା ଭିତର କଥା ବୁଝିପାରିଲେ । ସେ ମହେନ୍ଦ୍ରଙ୍କୁ କହିଲେ, ‘ଅପା ଗଲେ ମୁଁ ଏଠାରେ ରହିପାରିବି ନାହିଁ ।’

 

ମହେନ୍ଦ୍ର ରାଜଲକ୍ଷ୍ମୀଙ୍କୁ କହିଲା, ‘ଶୁଣୁଚୁ ମାଆ, ତୁ ଗଲେ ଖୁଡ଼ୀ ବି ଯିବେ । ତା’ ହେଲେ ଏଠାରେ ଘର କିପରି ଚଳିବ ?’

 

ରାଜଲକ୍ଷ୍ମୀ ବିଦ୍ୱେଷବିଷର ଜର୍ଜରିତ ହୋଇ କହିଲେ, ‘ତୁ ଯିବୁ ମଝିଆଁ ବୋହୂ? ତା’ କେମିତି ହେବ ? ତୁ ଗଲେ ଚଳିବ କିପରି ? ତୋର ରହିବା ଉଚିତ ।’

 

ରାଜଲକ୍ଷ୍ମୀ ଆଉ ବିଳମ୍ବ ସହିପାରିଲେ ନାହିଁ । ପରଦିନ ମଧ୍ୟାହ୍ନ ସମୟରେ ସେ ଗାଆଁକୁ ଯିବାକୁ ପ୍ରସ୍ତୁତ ହେଲେ । ମହେନ୍ଦ୍ର ଯେ ତାଙ୍କୁ ନେଇ ଗାଆଁରେ ଛାଡ଼ି ଆସିବ, ଏ ବିଷୟରେ ବିହାରୀର ବା ଆଉ କାହାରି ସନ୍ଦେହ ମାତ୍ର ନ ଥିଲା । କିନ୍ତୁ ଯଥା ସମୟରେ ଦେଖାଗଲା ଯେ ମହେନ୍ଦ୍ର ମାଆ ସହିତ ଜଣେ ଗୁମାସ୍ତା ଓ ଜଣେ ଦରୁଆନ୍ ପଠାଇବାର ବ୍ୟବସ୍ଥା କରିଚି ।

 

ବିହାରୀ କହିଲା, ମହେନ୍ଦ୍ର ଭାଇ, ତୁମେ କ’ଣ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହଁ ।

 

ମହେନ୍ଦ୍ର ଲଜ୍ଜିତ ହୋଇ କହିଲା, ‘ମୋର ପୁଣି କଲେଜର–’

 

ବିହାରୀ କହିଲା, ‘ଆଚ୍ଛା, ତୁମେ ଥାଅ । ମାଆଙ୍କୁ ମୁଁ ଛାଡ଼ିଦେଇ ଆସିବି ।’

 

ମହେନ୍ଦ୍ର ମନେ ମନେ ରାଗିଗଲା । ନିର୍ଜନରେ ଆଶାକୁ କହିଲା, ‘ପ୍ରକୃତରେ ଏ ବିହାରୀ ଭାରି ଢଙ୍ଗ ଆରମ୍ଭ କଲାଣି । ସେ ଦେଖାଇବାକୁ ଚାହୁଁଚି ଯେପରି ମୋ ଅପେକ୍ଷା ସେ ମାଆ ବିଷୟରେ ବେଶି ଭାବୁଚି ।’

 

ଅନ୍ନପୂର୍ଣ୍ଣାଙ୍କୁ ରହିବାକୁ ପଡ଼ିଲା । ସେ ଲାଜରେ, ଦୁଃଖରେ ଓ ବିରକ୍ତରେ ସଙ୍କୁଚିତ ହୋଇ ରହିଲେ । ଖୁଡ଼ୀଙ୍କର ଏପରି କଡ଼ଛଡ଼ା ଦେଖି ମହେନ୍ଦ୍ର ରାଗିଗଲା ଓ ଆଶା ମଧ୍ୟ ଅଭିମାନ କରି ରହିଲା ।

 

(୭)

 

ରାଜଲକ୍ଷ୍ମୀ ଜନ୍ମଭୂମିରେ ପହଞ୍ଚିଲେ । ଆଗରୁ କଥା ଥିଲା ଯେ ବିହାରୀ ସେଠାରେ ତାଙ୍କୁ ଛାଡ଼ିଦେଇ ଚାଲି ଆସିବ । କିନ୍ତୁ ସେଠିକାର ଅବସ୍ଥା ଦେଖି ବିହାରୀ ଫେରିପାରିଲା ନାହିଁ ।

 

ରାଜଲକ୍ଷ୍ମୀଙ୍କର ପୈତୃକ ଗୃହରେ କେବଳ ଜଣେ ଦି’ଜଣ ଅତି ବୃଦ୍ଧା ବିଧବା ବଞ୍ଚି ରହିଥିଲେ । ଚାରିଆଡ଼େ ଘନ ଜଙ୍ଗଲ ଓ ବାଉଁଶ ବଣ, ପୋଖରୀର ପାଣି ସବୁଜ ବର୍ଣ୍ଣ, ଦିନ ଦି-ପହରେ ବିଲୁଆଙ୍କ ଡାକରେ ରାଜଲକ୍ଷ୍ମୀଙ୍କର ଚିତ୍ତ ଉଦ୍‍ଭ୍ରାନ୍ତ ହୋଇଉଠିଲା ।

 

ବିହାରୀ କହିଲା, ‘ମାଆ, ଜନ୍ମଭୂମି ସତ, କିନ୍ତୁ, ‘ସ୍ୱର୍ଗାଦପି ଗରୀୟସି’ ବୋଲି ମୁଁ ଆଦୌ କହିପାରିବି ନାହିଁ । କଲିକତା ଚାଲ । ଏଠାରେ ତୁମକୁ ଏକା ଛାଡ଼ିଗଲେ ମୋର ଅଧର୍ମ ହେବ ।’

 

ରାଜଲକ୍ଷ୍ମୀ ମଧ୍ୟ କ୍ରମେ ଅସ୍ଥିର ହୋଇ ଉଠୁଥିଲେ । ଏହି ଅବସରରେ ବିନୋଦିନୀ ଆସି ତାଙ୍କୁ ଆଶ୍ରୟ ଦେଲା ଓ ଆଶ୍ରୟ କଲା ।

 

ବିନୋଦିନୀର ପରିଚୟ ପୂର୍ବରୁ ଦିଆଯାଇଚି । ଏକଦା ମହେନ୍ଦ୍ର ଓ ତଦ୍‍ଭାବେ ବିହାରୀ ସହିତ ତା’ର ବିବାହ ପ୍ରସ୍ତାବ ହୋଇଥିଲା । ବିଧିନିର୍ବନ୍ଧରେ ଯାହା ସହିତ ତା’ର ଶୁଭ ବିବାହ ହୋଇଥିଲା, ସେ ଲୋକଟିର ସକଳ ଅନ୍ତରିନ୍ଦ୍ରିୟ ମଧ୍ୟରେ ପ୍ଲୀହା ସର୍ବାପେକ୍ଷ ପ୍ରବଳ ଥିଲା । ପ୍ଲୀହାର ଅତିଭାରରେ ସେ ଦୀର୍ଘଦିନ ଜୀବନଧାରଣ କରିପାରିଲା ନାହିଁ ।

 

ତା’ର ମୃତ୍ୟୁପରଠାରୁ ବିନୋଦିନୀ ଅରଣ୍ୟ ଭିତରେ ଏକମାତ୍ର ଉଦ୍ୟାନଲତା ପରି ନିଭାନନ୍ଦ ପଲ୍ଲୀ ମଧ୍ୟରେ ମୁହ୍ୟମାନ ଭାବରେ ଜୀବନଯାପନ କରୁଥିଲା । ଆଜି ସେଇ ଅନ୍ୟଥା ଆସି ତା’ର ପିଉସୀଶାଶୁ ରାଜଲକ୍ଷ୍ମୀଙ୍କୁ ଭକ୍ତିଚିତ୍ତରେ ପ୍ରଣାମ କଲା ଓ ତାଙ୍କର ସେବାରେ ଆତ୍ମସମର୍ପଣ କଲା ।

 

ଏହାକୁ ହିଁ ସେବା କୁହାଯାଏ । ମୁହୂର୍ତ୍ତକ ପାଇଁ ଆଳସ୍ୟ ନାହିଁ । କି ପରିପାଟୀ କାମ, କି ସୁନ୍ଦର ରନ୍ଧାବଢ଼ା, କି ସୁମିଷ୍ଟ କଥାବାର୍ତ୍ତା ।

 

ରାଜଲକ୍ଷ୍ମୀ କହନ୍ତି, ‘ବେଳ ବହୁତ ହେଲାଣି ମାଆ, ଯାଅ ତୁମେ ଦି’ଟା ଖାଇବ ।’

 

ସେ କାହିଁକି ଶୁଣିବ । ପଙ୍ଖା ଧରି ପିଉସୀଙ୍କୁ ନ ଶୁଆଇବା ପର୍ଯ୍ୟନ୍ତ ସେ ଉଠେ ନାହିଁ ।

 

ରାଜଲକ୍ଷ୍ମୀ କହନ୍ତି, ‘ଏପରି କଲେ ଯେ ତୁମର ଦେହ ଖରାପ ହେବ ମାଆ ।’

 

ବିନୋଦିନୀ ନିଜ ପ୍ରତି ନିରତିଶୟ ତାଚ୍ଛଲ୍ୟ ପ୍ରକାଶ କରି କହେ, ‘ମୋ ପରି ଦୁଃଖୀଙ୍କର ଦେହ କେବେ ଖରାପ ହୁଏ ନାହିଁ ପିଉସୀ । ଆହା, କେତେ ଦିନପରେ ତୁମେ ଜନ୍ମଭୂମିକୁ ଆସିଚ, ଏଠି କ’ଣ ଅଛି ଯେ ମୁଁ କେଉଁଥିରେ ସମ୍ମାନ କରିପାରିବି ।’

 

ଦି’ ଦିନ ଭିତରେ ବିହାରୀ ସାହିରେ ଜଣେ ମୁରବୀ ହୋଇପଡ଼ିଲା । କିଏ ତା’ ପାଖକୁ ଔଷଧ, କିଏ ବା ମକଦ୍ଦମାର ପରାମର୍ଶ ନେବାକୁ ଆସନ୍ତି, କିଏ ନିଜର ପୁଅକୁ ବଡ଼ ଅଫିସରେ କାମଟିଏ ଜୁଟାଇ ଦେବା ପାଇଁ ଆସି କହେ, କିଏ ତା’ ପାଖରେ ଦରଖାସ୍ତ ଲେଖାଇ ନିଏ । ବୃଦ୍ଧମାନଙ୍କର ତାସ-ପଶା ବୈଠକଠାରୁ ଆରମ୍ଭ କରି ବାଉରୀ ସାହୀର ତାଡ଼ିପିଆ ସଭାପର୍ଯ୍ୟନ୍ତ ସେ ସର୍ବତ୍ର ତାହାର କୌତୁହଳ ଏବଂ ସ୍ୱାଭାବିକ ସହୃଦୟତା ସହିତ ଯାତାୟତ କରେ, –କେହି ତାକୁ ପର ବୋଲି ଭାବନ୍ତି ନାହିଁ, ଅଥଚ ସମସ୍ତେ ତାକୁ ସମ୍ମାନ କରନ୍ତି ।

 

ବିନୋଦିନୀ ମଧ୍ୟ ଏହି ଅସ୍ଥାନରେ ପତିତ କଲକତିଆ ପିଲାଟିର ନିର୍ବାସନଦଣ୍ଡକୁ ଯଥାସମ୍ଭବ ଲଘୁ କରିବାକୁ ଅନ୍ତଃପୁରର ଅନ୍ତରାଳରୁ ସର୍ବଦା ଚେଷ୍ଟା କରୁଥାଏ । ବିହାରୀ ପ୍ରତ୍ୟେକ ଥର ସାହୀ ପର୍ଯ୍ୟଟନ କରି ଆସି ଦେଖେ, କିଏ ତା’ ଘରକୁ ପ୍ରତ୍ୟେକ ଥର ପରିପାଟୀ ପରିଚ୍ଛନ୍ନ କରି ରଖିଚି, ଗୋଟିଏ କାଚଗ୍ଲାସରେ ଦି’ ଚାରିଟା ଫୁଲ ଏବଂ ପତରରେ ତୋଡ଼ା ସଜାଇ ଦେଇଚି ଏବଂ ତା’ ବିଛଣାର ଗୋଟିଏ କଡ଼ରେ ଦି’ଖଣ୍ଡ ଗ୍ରନ୍ଥାବଳୀ ସଜାଡ଼ି ରଖିଚି । ଗ୍ରନ୍ଥର ଭିତର ପାଖ ମଲାଟରେ ନାରୀସୁଲଭ ଅଥଚ ପାକଳ ହାତର ଅନ୍ଧାରରେ ବିନୋଦିନୀର ନାଆଁ ଲେଖାହୋଇଚି ।

 

ପଲ୍ଲୀଗ୍ରାମର ପ୍ରଚଳିତ ଆତିଥ୍ୟ ସହିତ ଏହାର ପ୍ରଭେଦ ଅଛି । ବିହାରୀ ସେଇ କଥାର ଉଲ୍ଲେଖ କରି ପ୍ରଶଂସା କଲେ ରାଜଲକ୍ଷ୍ମୀ କହନ୍ତି, ‘ଏହି ଝିଅକୁ ପୁଣି ତୁମେମାନେ ଦିନେ ଅଗ୍ରାହ୍ୟ କରିଦେଇଥିଲ ।’

 

ହସି ହସି ବିହାରୀ କହେ, ‘ଭଲ କରିଚୁ ମା, ଠକିଚୁ । କିନ୍ତୁ ବିବାହ ନ କରି ଠକିବା ଭଲ, ବିବାହ କରି ଠକିଲେ ସାଂଘାତିକ ।’

 

ରାଜଲକ୍ଷ୍ମୀ କେବଳ ମନେ ମନେ କହନ୍ତି, ‘ଆହା, ଏଇ ଝିଅଟି ତ ମୋର ବୋହୂ ହୋଇପାରିଥାନ୍ତା ! କାହିଁକି ନ ହେଲା ।’

 

ରାଜଲକ୍ଷ୍ମୀ କଲିକତା ଫେରିବାର ପ୍ରସଙ୍ଗ ଉତ୍‍ଥାପନ କଲେ ବିନୋଦିନୀର ଆଖି ଛଳଛଳ ହୋଇଆସେ । ସେ କହେ, ‘ପିଉସୀ, ତୁମେ କେବଳ ଦୁଇଟା ଦିନ ପାଇଁ କାହିଁକି ଆସିଲ-? ଯେତେବେଳେ ତୁମକୁ ଚିହ୍ନି ନ ଥିଲି, ସେତେବେଳେ ଯାହିତାହି ହୋଇ ମୋର ଦିନ କଟିଯାଇଥିଲା । କିନ୍ତୁ ବର୍ତ୍ତମାନ ତୁମକୁ ଛାଡ଼ି ମୁଁ କିପରି ରହିବି ?’

 

ମନର ଆବେଗରେ ରାଜଲକ୍ଷ୍ମୀ କହିପକାନ୍ତି, ‘ମାଆ, କାହିଁକି ତୁ ମୋ’ ଘରେ ବୋହୂ ନ ହେଲୁ, ତା’ହେଲେ ତ ତୋତେ ମୁଁ କୋଳରେ ଧରି ରଖିଥାନ୍ତି !’

 

ଶୁଣି ବିନୋଦିନୀ ଲାଜରେ କାମର ଛଳ କରି ସେଠାରୁ ଚାଲିଯାଏ ।

 

ରାଜଲକ୍ଷ୍ମୀ କଲିକତାରୁ ଖଣ୍ଡେ କାତର ଅନୁନୟ ପତ୍ରର ଅପେକ୍ଷା କରୁଥିଲେ । ତାଙ୍କର ମହେନ୍ଦ୍ର ଜନ୍ମାବଧି କେବେ ଏତେଦିନ ମାଆକୁ ଛାଡ଼ି ରହିନାହିଁ । ମାଆର ବିଚ୍ଛେଦ ନିଶ୍ଚୟ ତାକୁ ଅଧୀର କରିଦେବଣି । ରାଜଲକ୍ଷ୍ମୀ ପୁଅର ଅଭିମାନଭରା ଚିଠି ଖଣ୍ଡିକ ପାଇଁ ତୃଷ୍ଣିତ ରହିଥିଲେ ।

 

ବିହାରୀ ମହେନ୍ଦ୍ରର ଚିଠି ପାଇଲା । ମହେନ୍ଦ୍ର ଲେଖିଚି, ‘ମାଆ ଅନେକ ଦିନରେ ଜନ୍ମଭୂମିକୁ ଯାଇ ବୋଧହୁଏ ବେଶ୍ ଆନନ୍ଦରେ ଥିବେ ।’

 

ରାଜଲକ୍ଷ୍ମୀ କହିଲେ, ‘ଆହା, ମହେନ୍ଦ୍ର ଅଭିମାନ କରି ଲେଖିଚି । ଆନନ୍ଦରେ ଥିବେ ! ହତଭାଗିନୀ ମାଆ ମହେନ୍ଦ୍ରକୁ ଛାଡ଼ି କୁଆଡ଼େ ଆନନ୍ଦରେ ରହିବ !’

 

‘ଆରେ ବିହାରୀ, ତା’ପରେ ମହେନ୍ଦ୍ର କ’ଣ ସବୁ ଲେଖିଚି, ପଢ଼ି ଶୁଣା ବାପ !’

 

ବିହାରୀ କହିଲା, ‘ତା’ ପରେ ଆଉ କିଛି ଲେଖି ନାହିଁ,–କହି ଚିଠିଖଣ୍ଡିକ ହାତମୁଠାରେ ଦଳିଦେଇ ଖଣ୍ଡେ ବହି ଭିତରେ ପୁରାଇ ଗୋଟାଏ କରକୁ ଫୋପାଡ଼ି ଦେଲା ।

 

ରାଜଲକ୍ଷ୍ମୀ କି ଆଉ ସ୍ଥିର ରହିପାରନ୍ତି ? ମହେନ୍ଦ୍ର ନିଶ୍ଚୟ ମାଆ ଉପରେ ଏତେ ରାଗ କରି ଲେଖିଚି ଯେ ବିହାରୀ ତାକୁ ପଢ଼ି ଶୁଣାଇଲା ନାହିଁ ।

 

ବାଛୁରୀ ଯେପରି ଗାଈର ସ୍ତନରେ ଆଘାତ କରି ଦୁଗ୍‍ଧ ଏବଂ ବାତ୍ସଲ୍ୟର ସଞ୍ଚାର କରେ, ମହେନ୍ଦ୍ରର ରାଗ ସେହିପରି ରାଜଲକ୍ଷ୍ମୀଙ୍କୁ ଆଘାତ କରି ତାଙ୍କର ଅବରୁଦ୍ଧ ବାତ୍ସଲ୍ୟକୁ ଉତ୍‍ସାରିତ କରିଦେଲା । ସେ ମହେନ୍ଦ୍ରକୁ ମନେ ମନେ କ୍ଷମା କଲେ । ଭାବିଲେ, ‘ଆହା, ବୋହୂକୁ ନେଇ ମହେନ୍ଦ୍ର ଭଲରେ ଅଛି, ଥାଉ । ଯେମିତି ହେଉ ସେ ସୁଖରେ ରହୁ । ବୋହୂ ବିଷୟରେ ମୁଁ ତାକୁ କେବେ ଦୁଃଖ ଦେବି ନାହିଁ । ଆହା, ତାକୁ ଛାଡ଼ି ଯେଉଁ ମାଆ ଦଣ୍ଡେ ସୁଦ୍ଧା ରହିପାରେ ନାହିଁ, ସେହି ମାଆ ଚାଲିଆସିଲା ବୋଲି ମହେନ୍ଦ୍ର ତା’ଉପରେ ରାଗ କରିଚି ।’ ତାଙ୍କ ଆଖିରୁ ବାରବାର ଲୁହ ଝରିପଡ଼ିବାକୁ ଲାଗିଲା ।

 

ସେଦିନ ରାଜଲକ୍ଷ୍ମୀ ବାରବାର ଆସି ବିହାରୀକୁ କହୁଥାନ୍ତି, ‘ଯା’ ବାପ, ତୁ ଗାଧୋଇ ଯାଆ, ଏଠାରେ ତୋ’ର ଭାରି ଅନିୟମ ହେଉଚି ।’

 

ବିହାରୀର ମଧ୍ୟ ସେଦିନ ସ୍ନାନାହାରରେ ପ୍ରବୃତ୍ତ ଥିଲା ପରି ମନେ ହେଉ ନ ଥିଲା । ସେ କହିଲା, ‘ମାଆ, ମୋ’ ପରି ଲକ୍ଷ୍ମୀଛଡ଼ାମାନେ ଅନିୟମରେ ହିଁ ଭଲ ରହନ୍ତି ।’

 

ରାଜଲକ୍ଷ୍ମୀ ତରତର ହୋଇ ବହି ଭିତରୁ କୁଞ୍ଚିତକଳିକ ଚିଠି ଖଣ୍ଡିକ କାଢ଼ିନେଲେ ।

 

ବିନୋଦିନୀକୁ ଚିଠିଟି ଦେଇ କହିଲେ, ‘ପଢ଼ିଲୁ ମାଆ, ବିହାରୀ ପାଖକୁ ମହେନ୍ଦ୍ର କ’ଣସବୁ ଲେଖିଚି ।’

 

ବିନୋଦିନୀ ପଢ଼ି ଶୁଣାଇବାକୁ ଲାଗିଲା । ମହେନ୍ଦ୍ର ପ୍ରଥମେ ମାଆ କଥା ଲେଖିଚି । କିନ୍ତୁ ତାହା ଅତି ଅଳ୍ପ-ବିହାରୀ ଯେତିକି ଶୁଣାଇଥିଲା, ତା’ଠାରୁ ବେଶି ନୁହେଁ ।

 

ତା’ପରେ ଆରମ୍ଭ ହୋଇଚି ଆଶା-କଥା । ମହେନ୍ଦ୍ର ଯେପରି ରଙ୍ଗରେ, ରହସ୍ୟରେ, ଆନନ୍ଦରେ ମାତାଲ ହୋଇ ଲେଖିଚି ।

 

ବିନୋଦିନୀ ଅଳ୍ପ ପଢ଼ି ଲଜ୍ଜିତ ଭାବରେ ପଢ଼ା ବନ୍ଦ କରି କହିଲା, ‘ୟାକୁ ଆଉ କ’ଣ ଶୁଣିବ ପିଉସୀ ?’

 

ରାଜଲକ୍ଷ୍ମୀଙ୍କର ସ୍ନେହବ୍ୟଗ୍ର ମୁଖଭାବ ମୁହୂର୍ତ୍ତକ ମଧ୍ୟରେ ପାଷାଣପରି କଠିନ ହୋଇଉଠିଲା । ରାଜଲକ୍ଷ୍ମୀ ମୁହୂର୍ତ୍ତେ ଚୁପ୍ ହୋଇ ରହିଲେ, ତା’ପରେ କହିଲେ, ‘ଆଉ’ –କହି ଚିଠିଟି ଫେରାଇ ନ ନେଇ ଉଠି ଚାଲିଗଲେ ।

 

ବିନୋଦିନୀ ସେଇ ଚିଠିଖଣ୍ଡିକ ନେଇ ଘରେ ପଶିଲା, ଭିତରୁ କବାଟ ବନ୍ଦ କରି ବିଛଣା ଉପରେ ବସି ପଢ଼ିବାକୁ ଲାଗିଲା ।

 

ଚିଠିରୁ ଯେ ବିନୋଦିନୀ କି ରସ ପାଇଲା, ସେକଥା ସେହି ଜାଣିଥିବ । କିନ୍ତୁ ତାହା କୌତୁକରସ ନୁହେଁ । ବାରମ୍ବାର ପଢ଼ୁପଢ଼ୁ ତା’ର ଆଖିଦିଓଟି ମଧ୍ୟାହ୍ନ ବାଲୁକା ପରି ଚକ୍‌ଚକ କରିବାକୁ ଲାଗିଲା । ତା’ର ନିଶ୍ୱାସ ମରୁଭୂମିର ପବନପରି ଉତ୍ତପ୍ତ ହୋଇଉଠିଲା ।

 

ମହେନ୍ଦ୍ର କିପରି, ଆଶା କିପରି, ମହେନ୍ଦ୍ର-ଆଶାଙ୍କର ପ୍ରଣୟ କିପରି-କେବଳ ସେହି କଥା ତା’ର ମନ ଭିତରୁ ଘୂରିବାକୁ ଲାଗିଲା । ଚିଠିଖଣ୍ଡିକୁ କୋଳରେ ଚାପି ଧରି ଗୋଡ଼ ଲମ୍ବାଇ କାନ୍ଥକୁ ଆଉଜି ଅନେକ ସମୟ ପର୍ଯ୍ୟନ୍ତ ସେ ସମ୍ମୁଖ ଆଡ଼କୁ ଅନାଇ ବସିରହିଲା ।

 

ମହେନ୍ଦ୍ରର ସେଇ ଚିଠି ବିହାରୀ ଆଉ ଖୋଜି ପାଇଲା ନାହିଁ ।

 

ସେହିଦିନ ମଧ୍ୟାହ୍ନବେଳକୁ ହଠାତ ଅନ୍ନପୂର୍ଣ୍ଣା ଆସି ଉପସ୍ଥିତ ହେଲେ । ବହୁ ଦୁଃସମ୍ବାଦ ଆଶଙ୍କାରେ ରାଜଲକ୍ଷ୍ମୀଙ୍କ ଛାତି ଥରିଉଠିଲା । କୌଣସି ପ୍ରଶ୍ନ କରିବାକୁ ସେ ସାହାସ କଲେ ନାହିଁ । କେବଳ ଅନ୍ନପୂର୍ଣ୍ଣାଙ୍କ ଆଡ଼କୁ ବିବର୍ଣ୍ଣ ମୁଖରେ ଚାହିଁ ରହିଲେ ।

 

ଅନ୍ନପୂର୍ଣ୍ଣା କହିଲେ, ‘ଅପା, କଲିକତା ଖବର ସବୁ ଭଲ ।’

 

ରାଜଲକ୍ଷ୍ମୀ ପଚାରିଲେ, ‘ତେବେ ତୁ ଏପରି ହଠାତ୍ ଆସିଲୁ ଯେ– ।’

 

ଅନ୍ନପୂର୍ଣ୍ଣା କହିଲେ, ‘ଅପା, ତୁମ ଘରକରଣାର ଭାର ତୁମେ ଯାଇ ନିଅ । ମୋର ଆଉ ସଂସାରରେ ମନ ନାହିଁ । ମୁଁ କାଶୀ ଯିବାକୁ ସ୍ଥିର କରି ବାହାରିଚି । ତେଣୁ ତୁମକୁ ପ୍ରମାଣ କରିଯିବାକୁ ଆସିଚି । ଜଣା-ଅଜଣାରେ ଅନେକ ଅପରାଧ କରିଚି, କ୍ଷମା କରିବ । ଆଉ ତୁମ ବୋହୂ–’ କହୁ କହୁ ତାଙ୍କ ଆଖିରୁ ଲୁହ ଗଳିପଡ଼ିଲା–’ ସେ ପିଲାଲୋକ, ତା’ର ଆପଣାର ମାଆ ନାହିଁ, ସେ ଦୋଷୀ ହେଉ, ନିର୍ଦ୍ଦୋଷ ହେଉ, ସେ ତୁମର ।’ ଆଉ କହିପାରିଲେ ନାହିଁ ।

 

ରାଜଲକ୍ଷ୍ମୀ ବ୍ୟସ୍ତ ହୋଇ ତାଙ୍କ ସ୍ନାନାହାରର ବ୍ୟବସ୍ଥା କରିବାକୁ ଗଲେ । ଖବର ପାଇ ବିହାରୀ ଗଦେଇ ଘୋଷଙ୍କ ମଣ୍ଡପରୁ ଦୌଡ଼ିଆସିଲା । ଅନ୍ନପୂର୍ଣ୍ଣାଙ୍କୁ ପ୍ରଣାମ କରି କହିଲା, ‘ଖୁଡ଼ୀ, ସେକଥା ହେବ ନାହିଁ, ନିଷ୍ଠୁରଙ୍କ ପରି ଆମକୁ ଛାଡ଼ି ତୁମେ ଚାଲିଯିବ ?’

 

ଅନ୍ନପୂର୍ଣ୍ଣା ଅଶ୍ରୁ ଦମନ କରି କହିଲେ, ‘ଆଉ ମୋତେ ଫେରାଇବାକୁ ଚେଷ୍ଟା କରନା ବିହାରୀ । ତୁମେମାନେ ସୁଖରେ ରୁହ, ମୋ’ ଲାଗି କିଛି ଅଟକି ଯିବ ନାହିଁ ।’

 

ବିହାରୀ କିଛି ସମୟ ଚୁପ୍ ହୋଇ ବସି ରହିଲା । ତା’ ପରେ କହିଲା, ‘ମହେନ୍ଦ୍ର ଭାଇର ଭାଗ୍ୟ ମନ୍ଦ, ସେ ତୁମକୁ ବିଦାୟ କରିଦେଲା ।’

 

ଅନ୍ନପୂର୍ଣ୍ଣା ଚକିତ ହୋଇ କହିଲେ, ‘ଏପରି କଥା କହନା । ମୁଁ ମହେନ୍ଦ୍ର ଉପରେ ଆଦୌ ରାଗି ନାହିଁ । ମୁଁ ନ ଗଲେ ସଂସାରର ମଙ୍ଗଳ ହେବ ନାହିଁ ।’

 

ବିହାରୀ ସମ୍ମୁଖକୁ ଚାହିଁ ନୀରବରେ ବସିରହିଲା । ଅନ୍ନପୂର୍ଣ୍ଣା କାନି ଭିତରୁ ହଳେ ସୁନାବାଲା ବାହାର କରି କହିଲେ, ‘ବାପ ଏଇ ବାଲାହଳକ ତୁ ରଖ,–ବୋହୂ ଆସିଲେ ମୋ’ ଆଶୀର୍ବାଦ ଦେଇ ତାକୁ ପିନ୍ଧାଇଦେବୁ ।’

 

ବାଲା ଯୋଡ଼ାକ ମୁଣ୍ଡରେ ଛୁଆଁଇ ବିହାରୀ ଅଶ୍ରୁ ସମ୍ବରଣ କରିବା ଲାଗି ପାଖ ଘରକୁ ଚାଲିଗଲା ।

 

ବିଦାୟ ସମୟରେ ଅନ୍ନପୂର୍ଣ୍ଣା କହିଲେ, ‘ବିହାରୀ, ମୋ’ ମହେନ୍ଦ୍ର ଆଉ ମୋ’ ଆଶାଙ୍କୁ ଦେଖୁଥିବ ।’ ରାଜଲକ୍ଷ୍ମୀଙ୍କ ହାତରେ ଖଣ୍ଡେ କାଗଜ ଦେଇ କହିଲେ, ‘ଶ୍ୱଶୁରଙ୍କ ସମ୍ପତ୍ତିରେ ମୋର ଯେଉଁ ଅଂଶ ଅଛି, ତାହାକୁ ଏହି ଦାନପତ୍ରରେ ମୁଁ ମହେନ୍ଦ୍ରକୁ ଲେଖିଦେଇଚି । ମୋ’ ପାଖକୁ ମାସକୁ ମାସ କେବଳ ପନ୍ଦରଟି ଟଙ୍କା ପଠାଉଥିବ ।’

 

କହି ଦଣ୍ଡବତ ହୋଇ ରାଜଲକ୍ଷ୍ମୀଙ୍କ ପାଦଧୂଳି ମୁଣ୍ଡରେ ଘେନିଲେ ଏବଂ ବିଦାୟ ହୋଇ ତୀର୍ଥ ଉଦ୍ଦେଶ୍ୟରେ ଯାତ୍ରା କଲେ ।

 

(୮)

 

ଆଶା ମନେ ମନେ ବଡ଼ ଭୀତ ହୋଇପଡ଼ିଲା । ଏ କ’ଣ ହେଲା, ମାଆ ଚାଲିଗଲେ, ମାଉସୀ ଚାଲିଗଲେ । ସେମାନଙ୍କର ସୁଖ ଯେପରି ଘରୁ ସମସ୍ତଙ୍କୁ ତଡ଼ି ଦେଉଚି । ବୋଧହୁଏ ଏଥର ତା’ର ନିଜର ପାଳି ପଡ଼ିବ । ପରିତ୍ୟକ୍ତ ଶୂନ୍ୟ ଗୃହସ୍ଥଳୀ ମଧ୍ୟରେ ଦାମ୍ପତ୍ୟର ନୂତନ ପ୍ରେମଲୀଳା ତା’ ପାଖରେ ବଡ଼ ଅସଙ୍ଗତ ବୋଧ ହେବାକୁ ଲାଗିଲା ।

 

ସଂସାରର କଠିନ କର୍ତ୍ତବ୍ୟ ମଧ୍ୟରୁ ପ୍ରେମକୁ ଫୁଲ ପରି ଛିଣ୍ଡାଇ ସ୍ୱତନ୍ତ୍ର କରିନେଇ ତାହା କେବଳ ଆପଣା ରସରେ ଆପଣାକୁ ସଜୀବ ରଖିପାରେ ନାହିଁ । ତାହା କ୍ରମଶଃ ବିରସ ଓ ବିକୃତ ହୋଇଯାଏ । ଆଶା ମଧ୍ୟ ମନେ ମନେ ବୁଝିପାରିଲା ଯେ ସେମାନଙ୍କର ଅବିଶ୍ରାମ ମିଳନ ଭିତରେ ଶ୍ରାନ୍ତ ଓ ଦୁର୍ବଳତା ଆସିଲାଣି । ଯେପରି ସେହି ମିଳନ ବାରମ୍ବାର ଅବସନ୍ନ ହୋଇପଡ଼ୁଚି । ସଂସାରର ଦୃଢ଼ ଓ ପ୍ରଶସ୍ତ ଆଶ୍ରୟର ଅଭାବରେ ଯେପରି ତାହାକୁ ଟାଣି ସିଧା କରି ରଖିବା ବଡ଼ କଠିନ । କର୍ମ ମଧ୍ୟରେ ପ୍ରେମର ମୂଳ ନ ରହିଲେ ଭୋଗର ବିକାଶ ପରିପୂର୍ଣ୍ଣ ଓ ସ୍ଥାୟୀ ହୋଇପାରେ ନାହିଁ ।

 

ମହେନ୍ଦ୍ର ମଧ୍ୟ ଆପଣାର ବିମୁଖ ସଂସାର ବିରୁଦ୍ଧରେ ବିଦ୍ରୋହ କରି ଆପଣା ପ୍ରେମୋତ୍ସବର ସବୁ ବତୀଯାକ ଏକାଠି ଜଳାଇ ଖୁବ୍ ସମାରୋହ ସହିତ ଶୂନ୍ୟ ଗୃହର ଅକଲ୍ୟାଣ ମଧ୍ୟରେ ମିଳନର ଆନନ୍ଦ ଆସ୍ୱାଦନ କରିବାକୁ ଚେଷ୍ଟା କଲା । ଆଶାକୁ ଟିକିଏ ଆଘାତ କରି କହିଲା, ‘ଚୁନି, ତୁମର କ’ଣ ହେଲା କହିଲ ! ମାଉସୀ ଗଲେ ବୋଲି ତୁମେ ଏତେ ମନ ଖରାପ କରୁଚ କାହିଁକି ? ଆମ ଦୁହିଁଙ୍କ ପ୍ରେମ କ’ଣ ସମସ୍ତଙ୍କର ଅଭାବ ପୂରଣ କରିପାରିବ ନାହିଁ ।

 

ଆଶା ଦୁଃଖିତ ହୋଇ ଭାବେ, ‘ତା’ହେଲେ ମୋର ପ୍ରେମରେ ନିଶ୍ଚୟ କିଛି ଅସମ୍ପୂର୍ଣ୍ଣତା ରହିଚି । ମୁଁ ତ ମାଉସୀଙ୍କ କଥା ପ୍ରାୟ ସବୁବେଳେ ଭାବୁଚି, ଶାଶୁ ତ ଚାଲିଯାଇଚନ୍ତି ବୋଲି ମଧ୍ୟ ମୋର ଭୟ ହେଉଚି ।’ ପ୍ରାଣପଣେ ସେ ଏହିସବୁ ପ୍ରେମ ଅପରାଧ କ୍ଷାଳନ କରିବାକୁ ଚେଷ୍ଟା କଲା-

 

ଆଜିକାଲି ଘରର କାମସବୁ ଠିକ୍ ଭାବରେ ହୁଏ ନାହିଁ । ଚାକରବାକର ଫାଙ୍କି ଦିଅନ୍ତି । ଦେହ ଖରାପ ହୋଇଚି ବୋଲି କହି ଦିନେ ଚାକରାଣୀ ଆସିଲା ନାହିଁ । ପୂଝାରୀ ମଦ ଖାଇ ନିରୁଦ୍ଦିଷ୍ଟ । ମହେନ୍ଦ୍ର ଆଶାକୁ କହିଲା, ‘ବେଶ ମଜା ହେବ, ଆଜି ଆମେ ରୋଷେଇ କରିବା ।’

 

ବଜାର କରିବାକୁ ମହେନ୍ଦ୍ର ଗାଡ଼ି କରି ନିଉ ମାର୍କେଟ ଗଲା । କେଉଁ ଜିନିଷ କେତେ ପରିମାଣରେ ଦରକାର, ସେକଥା ତାକୁ ଆଦୌ ଜଣା ନ ଥିଲା । କେତେଗୁଡ଼ିଏ ବୋଝ ନେଇ ସେ ଖୁସି ମନରେ ଘରକୁ ଫେରିଲା । ସେହିସବୁକୁ ନେଇ କିପରି ଭାବରେ କ’ଣ ରାନ୍ଧିବାକୁ ହେବ, ସେକଥା ମଧ୍ୟ ଆଶାକୁ ଠିକ୍ ଭାବରେ ଜଣା ନ ଥିଲା । ସେହିକଥା ପରୀକ୍ଷା କରୁ କରୁ ଦିନ ଦୁଇଟା ବାଜିଗଲା ଏବଂ ନାନାବିଧ ଅଦ୍ଭୁତପୂର୍ବ ଅଖାଦ୍ୟ ଉଦ୍‍ଭାବନ କରି ମହେନ୍ଦ୍ର ଭାରି କୌତୁକ ବୋଧ କଲା । କିନ୍ତୁ ଆଶା ମହେନ୍ଦ୍ରର କୌତୁକରେ ଯୋଗ ଦେଇପାରିଲା ନାହିଁ । ନିଜର ଅଜ୍ଞତା ଓ ଅନ୍ଧମତାରେ ମନେ ମନେ ଭାରି ଲଜ୍ଜିତ ଓ ଦୁଃଖିତ ହେଲା ।

 

ପ୍ରତିଘରେ ଜିନିଷପତ୍ର ଏପରି ବିଶୃଙ୍ଖଳଭାବେ ପଡ଼ିରହିଲା ଯେ ଆବଶ୍ୟକ ସମୟରେ କୌଣସି ଜିନିଷ ଖୋଜି ପାଇବା କଠିନ ହୋଇପଡ଼ିଲା । ଦିନେ ମହେନ୍ଦ୍ରର ଡାକ୍ତରୀ ଅସ୍ତ୍ର ପରିବା କାଟିବା କାର୍ଯ୍ୟରେ ନିଯୁକ୍ତ ହୋଇ ଅଳିଆଗଦାରେ ଅଜ୍ଞାତବାସ ଗ୍ରହଣ କଲା । ତା’ର ନୋଟ୍ ଖାତା ହାତପଙ୍ଖାର ଅଭାବ ପୂରଣ କରି ରନ୍ଧନଗୃହର ଭସ୍ମଶଯ୍ୟାରେ ବିଶ୍ରାମ ଗ୍ରହଣ କରିବାକୁ ଲାଗିଲା ।

 

ଏହି ଅଭାବନୀୟ ବ୍ୟବସ୍ଥା ବିପର୍ଯ୍ୟୟରେ ମହେନ୍ଦ୍ର କୌତୁକର ସୀମା ରହିଲା ନାହିଁ । କିନ୍ତୁ ଆଶା ବ୍ୟଥିତ ହୋଇପଡ଼ିଲା । ଉଚ୍ଛୃଙ୍ଖଳ ଯଥେଚ୍ଛାଚାରର ସ୍ରୋତରେ ଘରକରଣାକୁ ଭସାଇ ଦେଇ ସହାସ୍ୟମୁଖରେ ଭାସିବା ତା’ପକ୍ଷରେ ବିଭୀଷିକାମୟ ବୋଲି ବୋଧ ହେବାକୁ ଲାଗିଲା ।

 

ଦିନେ ସନ୍ଧ୍ୟାବେଳେ ଦି’ ଜଣଯାକ ବାରଣ୍ଡାରେ ବିଛଣା କରି ବସିଚନ୍ତି, ସମ୍ମୁଖରେ ଖୋଲା ଛାତ, ବର୍ଷା ପରେ କଲିକତା’ର ଦିଗନ୍ତବ୍ୟାପୀ ସୌଧଶିଖରଶ୍ରେଣୀ ଜ୍ୟୋତ୍ସ୍ନାଧାରାରେ ପ୍ଳାବିତ । ବଗିଚାରୁ ରାଶି ରାଶି ଝରାବଉଳ ସଂଗ୍ରହ କରି ଆଶା ନତ ଶିରରେ ମାଳା କରୁଥିଲା ।

 

ମହେନ୍ଦ୍ର ତାକୁ ଟଣାଟଣି କରି, ବାଧା ଦେଇ, ପ୍ରତିକୂଳ ସମାଲୋଚନା କରି, ଅନର୍ଥକ କଳହ ସୃଷ୍ଟି କରିବାର ଉଦଯୋଗ କରୁଥିଲା । ଆଶା ଏହିସବୁ ଅକାରଣ ଉତ୍ପୀଡ଼ନ ପାଇଁ ତାକୁ ଭର୍ତ୍ସନା କରିବାକୁ ଉପକ୍ରମ କରିବା ମାତ୍ରକେ ମହେନ୍ଦ୍ର ଗୋଟିଏ କୃତ୍ରିମ ଉପାୟରେ ତା’ର ମୁହଁ ବନ୍ଦ କରି ଶାସନବାକ୍ୟକୁ ଅଙ୍କୁରରୁ ବିନାଶ କରିଦେଉଥିଲା ।

 

ଏହି ସମୟରେ ପଡ଼ୋଶୀ ଘରର ପିଞ୍ଜରାରୁ ପୋଷା କୋଇଲି କୁହୁ କୁହୁ କରି ଡାକିଉଠିଲା । ସଙ୍ଗେ ସଙ୍ଗେ ମହେନ୍ଦ୍ର ଓ ଆଶା ସେମାନଙ୍କର ମୁଣ୍ଡ ଉପରେ ଝୁଲୁଥିବା ପିଞ୍ଜରା ଆଡ଼କୁ ଦୃଷ୍ଟିପାତ କଲେ । ତାଙ୍କ ଘରର କୋଇଲି କେବେ ହେଲେ ପ୍ରତିବେଶୀ ଘର କୋଇଲିର ଡାକକୁ ନୀରବରେ ସହ୍ୟ କରିପାରେ ନାହିଁ । କିନ୍ତୁ ସେ ଆଜି କୌଣସି ଜବାବ ଦେଲା ନାହିଁ କାହିଁକି-?

 

ଆଶା ଉତ୍‍କଣ୍ଠିତ ହୋଇ କହିଲା, ‘ଆଜି କୋଇଲିର କ’ଣ ହୋଇଚି ?’

 

ମହେନ୍ଦ୍ର କହିଲା, ’ତୁମର କଣ୍ଠ ଶୁଣି ସେ ଲଜ୍ଜାବୋଧ କରୁଚି ।’

 

ଆଶା ସାନୁନୟ ସ୍ୱରରେ କହିଲା, ‘ତାମସା ପଛେ ହେବ, ଟିକିଏ ଦେଖ କ’ଣ ହୋଇଚି-?’

 

ମହେନ୍ଦ୍ର ଯାଇ ପିଞ୍ଜରାକୁ ତଳକୁ କାଢ଼ିଆଣିଲା । ଆବରଣ ଖୋଲି ଦେଖିଲା, ପକ୍ଷୀଟି ମରିଯାଇଚି । ଅନ୍ନପୂର୍ଣ୍ଣାଙ୍କ ଯିବା ପରେ ବେହେରା ମଧ୍ୟ ଛୁଟିରେ ଯାଇଚି, ସେଦିନଠାରୁ ଆଉ କେହି ପକ୍ଷୀଟିର ଦେଖାଶୁଣା କରି ନାହାନ୍ତି ।

 

ଧୀରେ ଧୀରେ ଆଶାର ମୁହଁ ମ୍ଲାନ ହୋଇଆସିଲା । ତା’ର ହାତ ଆଉ ଚଳିଲା ନାହିଁ । ଫୁଲ ସେମିତି ପଡ଼ିରହିଲା ।

 

ମହେନ୍ଦ୍ର ମନରେ ଆଘାତ ଲାଗିଥିଲେ ମଧ୍ୟ ଅକାଳରେ ରସଭଙ୍ଗ ହେବାର ଆଶଙ୍କାରେ ସେ ଘଟଣାଟିକୁ ହସି ଉଡ଼ାଇ ଦେବାକୁ ଚେଷ୍ଟା କଲା । କହିଲା, ‘ଭଲ ହୋଇଚି, ନ ହେଲେ ମୁଁ ଡାକ୍ତରୀ ପଢ଼ିବାକୁ ଗଲାବେଳେ ଏଇଟା କୁହୁ କୁହୁ କରି ତୁମକୁ ଜଳାଇ ମାରିଥାନ୍ତା ।’ ଏହା କହି ମହେନ୍ଦ୍ର ଆଶାକୁ ବାହୁ ପାଶରେ ବେଷ୍ଟନ କରି ପାଖକୁ ଟାଣିନେବାର ଚେଷ୍ଟା କଲା ।

 

ଆଶା ଧୀରେ ଧୀରେ ଆପଣାକୁ ମୁକ୍ତ କରିନେଇ ଅଞ୍ଚଳ ଶୂନ୍ୟ କରି ଫୁଲଗୁଡ଼ିକ ବିଞ୍ଚି ଦେଲା, କହିଲା, ‘ଛି, ପୁଣି ସେଇ କଥା,–ତୁମେ ଶୀଘ୍ର ଯାଇ ମାଆଙ୍କୁ ଫେରାଇ ଆଣ ।’

 

(୯)

 

ଏତିକିବେଳେ ତଳୁ ଦୋତାଲାରୁ ‘ମହେନ୍ଦ୍ରଭାଇ ମହେନ୍ଦ୍ରଭାଇ’ ଡାକ ଶୁଣାଗଲା । ‘ଆରେ ଏଇ କିଏ, ଆ ଆ,’–କହି ମହେନ୍ଦ୍ର ଜବାବ ଦେଲେ । ବିହାରୀର ଡାକ ଶୁଣି ମହେନ୍ଦ୍ରର ଚିତ୍ତ ଉତ୍‍ଫୁଲ ହୋଇ ଉଠିଲା । ବିବାହ ପରେ ବିହାରୀ ମଝିରେ ମଝିରେ ସେମାନଙ୍କର ସୁଖର ବାଧା-ସ୍ୱରୂପ ହୋଇଆସିଚି,–ଆଜି ସେହି ବାଧା ସୁଖପକ୍ଷରେ ଏକାନ୍ତ ପ୍ରୟୋଜନୀୟ ବୋଲି ମନେହେଲା-

 

ବିହାରୀର ଆଗମନରେ ଆଶା ମଧ୍ୟ ଆରାମ ବୋଧ କଲା । ମୁଣ୍ଡ ଉପରକୁ ଓଢ଼ଣା ଟାଣି ସେ ତରତର ହୋଇ ଉଠିଯାଉଥିବାବେଳେ ମହେନ୍ଦ୍ର କହିଲା, ‘ଯାଉଚ କାହିଁକି, ଆଉ କେହି ତ ନୁହେଁ, ବିହାରୀ ଆସୁଚି ।’

 

ଆଶା କହିଲେ, ‘ମୁଁ ଯାଉଚି ତାଙ୍କ ପାଇଁ ଜଳଖିଆର ବ୍ୟବସ୍ଥା କରିବି ।’

 

ଗୋଟାଏ କିଛି କାମ କରିବାର ଉପଲକ୍ଷ୍ୟ ଆସି ଉପସ୍ଥିତ ହେବାରୁ ଆଶାର ଅବସାଦ ଅନେକ ପରିମାଣରେ ଲଘୁ ହୋଇଗଲା ।

 

ଶାଶୁଙ୍କ ସମ୍ବାଦ ଜାଣିବା ପାଇଁ ଆଶା ଓଢ଼ଣା ଟାଣି ଠିଆ ହୋଇ ରହିଲା । ବିହାରୀ ସହିତ ସେ ଆଜିଯାଏ କେବେ କଥା କହେ ନାହିଁ ।

 

ବିହାରୀ ପ୍ରବେଶ କରି କହିଲା, ‘କି ସର୍ବନାଶ ! କେତେ କବିତ୍ୱପୂର୍ଣ୍ଣ ପରିବେଶ ମଝିରେ ଆସି ମୁଁ ଅପପ୍ରବେଶ କଲି ! ଭୟ ନାହିଁ, ନୂଆବୋଉ, ତୁମେ ବସ, ମୁଁ ପଳାଉଚି ।’

 

ଆଶା ମହେନ୍ଦ୍ରର ମୁହଁକୁ ଅନାଇଲା, ମହେନ୍ଦ୍ର ପଚାରିଲା, ‘ବିହାରୀ ମାଆଙ୍କର ଖବର କ’ଣ ?’

 

ବିହାରୀ କହିଲା, ‘ମାଆ–ଖୁଡ଼ୀଙ୍କ କଥା ଆଜି ଥାଉ ଭାଇ । ସେଥିପାଇଁ ଢେର ସମୟ ଅଛି । Such a night was not made for sleep, nor for mothers and aunts !’

 

ବିହାରୀ ଫେରିବାକୁ ଉଦ୍ୟତ ହେଲା । ମହେନ୍ଦ୍ର ତାକୁ ଜୋର କରି ଟାଣି ଆଣି ବସାଇଲା । ବିହାରୀ କହିଲା, ‘ନୂଆବୋଉ, ଦେଖ ମୋର କିଛି ଅପରାଧ ନାହିଁ, –ମୋତେ ଜୋର କରି ଆଣିଲା–ତେଣୁ ପାପ କଲା ମହେନ୍ଦ୍ର ଭାଇ– । ସେହି ଅଭିଶାପଟା ଯେପରି ମୋ’ ଉପରେ ନ ପଡ଼େ !’

 

କିଛି ଜବାବ ଦେଇପାରେ ନାହିଁ ବୋଲି ଏହିସବୁ କଥାରେ ଆଶା ଭାରି ବିରକ୍ତ ହୁଏ । ବିହାରୀ ତାକୁ ଇଚ୍ଛା କରି ଚିଡ଼ାଏ ।

 

ବିହାରୀ କହିଲା, ‘ଘରର ଶ୍ରୀ ତ ଦେଖୁଚ–ମାଆଙ୍କୁ ଅଣାଇବାର ସମୟ କ’ଣ ଏପର୍ଯ୍ୟନ୍ତ ହୋଇ ନାହିଁ-?’

 

ମହେନ୍ଦ୍ର କହିଲା,‘ଆମେ ତାଙ୍କ ପାଇଁ ଅପେକ୍ଷା କରି ବସିଚୁ ।’

 

ବିହାରୀ କହିଲା, ‘ସେଇ କଥାଟା ତାଙ୍କୁ ଜଣାଇ ଚିଠିଖଣ୍ଡେ ଲେଖିବାକୁ ତୁମକୁ ଖୁବ୍ ଅଳ୍ପ ସମୟ ଲାଗିବ,–କିନ୍ତୁ ତାଙ୍କର ସୁଖର ସୀମା ରହିବ ନାହିଁ । ନୂଆବୋଉ, ମହେନ୍ଦ୍ର ଭାଇଙ୍କୁ ସେଥିପାଇଁ ଦୁଇ ମିନିଟ ଛୁଟି ଦେବାକୁ ପଡ଼ିବ, ତୁମ ପାଖରେ ଆବେଦନ ଜଣାଉଚି ।’

 

ଆଶା ରାଗିଯାଇ ଚାଲିଗଲା, –ତା’ର ଆଖିରୁ ଲୁହ ବହିବାକୁ ଲାଗିଲା ।

 

ମହେନ୍ଦ୍ର କହିଲା, ‘କି ଶୁଭଲକ୍ଷଣରେ ଯେ ତୁମ ଦୁହିଁଙ୍କର ଦେଖା ହୋଇଥିଲା । ଦିନେ ସୁଦ୍ଧା ବାଦ୍ ପଡ଼ିଲା ନାହିଁ,–କେବଳ ଟଣାଓଟରା ଲାଗିରହିଲା ।’

 

ବିହାରୀ କହିଲା, ‘ତୁମ ମାଆ ତ ତୁମକୁ ନଷ୍ଟ କରିଚନ୍ତି,–ପୁଣି ସ୍ତ୍ରୀ ମଧ୍ୟ ଏବେ ନଷ୍ଟ କରିବାକୁ ବସିଚନ୍ତି । ସେଇ କଥାଟା ଦେହ ସହୁ ନାହିଁ ବୋଲି ସୁଯୋଗ ମିଳିଲେ ପଦେ ଅଧେ କହିପକାଏ ।’

 

ମହେନ୍ଦ୍ର–‘ସେଥିରେ ଫଳ କ’ଣ ହୁଏ ଶୁଣେ !’

 

ବିହାରୀ–‘ଫଳ ତୁମ ସମ୍ବନ୍ଧରେ ବିଶେଷ କିଛି ହୁଏ ନାହିଁ । କିନ୍ତୁ ମୋ’ ସମ୍ବନ୍ଧରେ କିଞ୍ଚିତ ହୁଏ ।’

 

(୧୦)

 

ବିହାରୀ ନିଜେ ବସି ରହି ମହେନ୍ଦ୍ର ହାତରେ ଚିଠି ଲେଖାଇନେଲା ଏବଂ ସେହି ଚିଠି ଧରି ପରଦିନ ରାଜଲକ୍ଷ୍ମୀଙ୍କୁ ଆଣିବାକୁ ଗଲା । ରାଜଲକ୍ଷ୍ମୀ ବୁଝିପାରିଲେ ଯେ ସେଇ ଚିଠି ବିହାରୀ ଲେଖାଇ ଆଣିଚି,–କିନ୍ତୁ ତଥାପି ଆଉ ରହିପାରିଲା ନାହିଁ । ସଙ୍ଗରେ ବିନୋଦିନୀ ମଧ୍ୟ ଆସିଲା ।

 

ଗୃହିଣୀ ଆସି ଗୃହର ଯେଉଁ ଦୂରବସ୍ଥା ଦେଖିଲେ,–ସବୁ ଅମାର୍ଜିତ, ମଳିନ ଓ ବିପର୍ଯ୍ୟସ୍ତ, ସେଥିରେ ବଧୂପ୍ରତି ତାଙ୍କର ମନ ଆହୁରି ବିମୁଖ ହୋଇଗଲା ।

 

କିନ୍ତୁ ବଧୂର ଏ କି ପରିବର୍ତ୍ତନ ! ସେ ଛାୟା ପରି ତାଙ୍କର ଅନୁସରଣ କରେ । ଆଦେଶ ନ ପାଇ ମଧ୍ୟ ତାଙ୍କ କାମରେ ସହାୟତା କରିବାକୁ ଅଗ୍ରସର ହୁଏ । ବଡ଼ ବ୍ୟସ୍ତ ହୋଇ ସେ କହିଉଠନ୍ତି, ‘ଥାଉ, ଥାଉ, ତାକୁ ତୁ ନଷ୍ଟ କରିପକାଇବୁ । ଯେଉଁ କାମ ଜାଣିନୁ, ସେଥିରେ କାହିଁକି ହାତ ଦେଉଚୁ ?’

 

ରାଜଲକ୍ଷ୍ମୀ ଭାବିଲେ ଅନ୍ନପୂର୍ଣ୍ଣା ଚାଲିଯିବାରୁ ବୋହୂର ଏତେ ଉନ୍ନତି ହୋଇଚି, କିନ୍ତୁ ପୁଣି ଭାବିଲେ, ‘ମହେନ୍ଦ୍ର ମନେକରିବ, ଖୁଡ଼ୀ ଯେତେବେଳେ ଥିଲେ, ସେତେବେଳେ ବୋହୂ ସହିତ ମୁଁ ନିଷ୍କଣ୍ଟକ ସୁଖରେ ରହିଥିଲି,–ଆଉ ମାଆ ଆସିବାରୁ ମୋର ବିରହ-ଦୁଃଖ ଆରମ୍ଭ ହେଲା । ଏଥିରୁ ଅନ୍ନପୂର୍ଣ୍ଣା ଯେ ତା’ର ହିତୈଷୀ ଏବଂ ମାଆ ଯେ ତା’ର ସୁଖରେ ଅନ୍ତରାୟ, ଏହି କଥା ପ୍ରମାଣିତ ହେବ । ଦରକାର କ’ଣ ?’

 

ଆଜିକାଲି ଦିନବେଳେ ମହେନ୍ଦ୍ର ଡକାଇ ପଠାଇଲେ, ବଧୂ ଯିବାକୁ ଇତସ୍ତତଃ ବୋଧ କରେ । କିନ୍ତୁ ରାଜଲକ୍ଷ୍ମୀ ଭର୍ତ୍ସନା କରି କହନ୍ତି, ‘ମହେନ୍ଦ୍ର ଡାକୁଚି, ସେ କଥା କ’ଣ ଖାତିର ପଡ଼ୁନାହିଁ-। ବେଶୀ ଆଦର ପାଇଲେ ଏଇମିତି ହୁଏ । ଯାଆ, ତୋ’ର ଆଉ ତରକାରୀରେ ହାତ ନଡ଼ବଡ଼ କରିବା ଦରକାର ନାହିଁ । ’

 

ପୁଣି ସେଇ ଚାରୁପାଠ ଓ ସ୍ଲେଟ ପେନସିଲ ଧରି ଅଭିନୟ । ପ୍ରେମର ଅମୂଳକ ଅଭିଯୋଗ କରି ପରସ୍ପରକୁ ଅପରାଧୀ କରିବା, ଉଭୟଙ୍କ ମଧ୍ୟରୁ କାହା ପ୍ରେମର ଓଜନ ବେଶୀ, ସେ କଥା ନେଇ ବିନା ଯୁକ୍ତିରେ ତୁମୁଳ ତର୍କବିତର୍କ ବର୍ଷା ବରଷୁଥିବାବେଳେ ଦିନକୁ ରାତି କରିବା ଏବଂ ଜ୍ୟୋତ୍ସ୍ନା ରାତିକୁ ଦିନ କରିବା,–ଶାନ୍ତି ଏବଂ ଅବସାଦକୁ ଜୋର କରି ଅସ୍ୱୀକାର କରିବା । ପରସ୍ପରକୁ ଏପରି ଭାବରେ ଅଭ୍ୟାସରେ ପକାଇ ଦେବା, ଯେପରି ସଙ୍ଗସୁଖରୁ ଯେତେବଳେ ଆଉ ଆନନ୍ଦ ମିଳୁନାହିଁ, ସେତେବେଳେ ମଧ୍ୟ ମୁହୂର୍ତ୍ତକ ପାଇଁ ମିଳନପାଶରୁ ମୁକ୍ତି ପାଇବା ଭୟାବହ ମନେହେବ । ସମ୍ଭୋଗସୁଖ ଭସ୍ମାଚ୍ଛନ୍ନ, ଅଥଚ କର୍ମାନ୍ତରକୁ ଯିବା ଲାଗି ପାଦ ଉଠେ ନାହିଁ, ଭୋଗ ସୁଖର ଭୟଙ୍କର ଅଭିଶାପ ହେଇଚି,–ସୁଖ ଅଧିକ ଦିନ ରହେ ନାହିଁ, କିନ୍ତୁ ବନ୍ଧନ ଦୁଶ୍‍ଚ୍ଛେଦ୍ୟ ହୋଇଉଠେ ।

 

ଏହି ସମୟରେ ଦିନେ ବିନୋଦିନୀ ଆସି ଆଶାର ଗଳଦେଶ ବେଷ୍ଟନ କରି କହିଲା, ‘ତୁମର ସୌଭାଗ୍ୟ ଚିରକାଳ ଅକ୍ଷୟ ରହିଥାଉ, କିନ୍ତୁ ମୁଁ ଦୁଃଖିନୀ ବୋଲି ମୋ’ଆଡ଼କୁ କ’ଣ ଚାହିଁବାକୁ ବି ମନା ?’

 

ବାଲ୍ୟକାଳରୁ ଆତ୍ମୀୟ ଗୃହରେ ପରପରି ଲାଳିତ ହୋଇଥିବାରୁ ଯେକୌଣସି ଲୋକପ୍ରତି ଆଶାର ଗୋଟାଏ ପ୍ରକାର କୁଣ୍ଠିତଭାବ ଥିଲା । ଭୟ ଥିଲା, କାଳେ କିଏ ପ୍ରତ୍ୟାଖ୍ୟାନ କରିବ । ସ୍ଥୂଳଭୁରୁ, ତୀକ୍ଷ୍‍ଣଦୃଷ୍ଟି,ଅନିନ୍ଦିତ ମୁଖ, ପରିପୂର୍ଣ୍ଣ ଯୌବନା ବିନୋଦିନୀ ଯେତେବେଳେ ଆସି ଉପସ୍ଥିତ ହେଲା, ସେତେବେଳେ ଆଶା ଅଗ୍ରସର ହୋଇ ତା’ର ପରିଚୟ ନେବାକୁ ସାହସ କରି ନ ଥିଲା ।

 

ଆଶା ଦେଖିଲା, ଶାଶୁ ରାଜଲକ୍ଷ୍ମୀଙ୍କ ନିକଟରେ ବିନୋଦିନୀର କୌଣସି ପ୍ରକାର ସଙ୍କୋଚ ନାହିଁ, ରାଜଲକ୍ଷ୍ମୀ ମଧ୍ୟ ବିଶେଷ ଭାବରେ ଆଶାକୁ ଦେଖାଇ–ଦେଖାଇ ବିନୋଦିନୀକୁ ବହୁତ ମାନ ଦିଅନ୍ତି । ସମୟ ଅସମୟରେ ବିଶେଷ ଭାବରେ ଆଶାକୁ ଶୁଣାଇ ଶୁଣାଇ ବିନୋଦିନୀର ପ୍ରଶଂସା ବାକ୍ୟରେ ଉଚ୍ଛ୍ୱସିତ ହୋଇ ଉଠନ୍ତି । ଆଶା ଦେଖିଲା, ବିନୋଦିନୀ ସବୁ ପ୍ରକାରର ଗୃହକର୍ମରେ ନିପୁଣ, ପ୍ରଭୁତ୍ୱ ଯେପରି ତା’ ପକ୍ଷରେ ନିତାନ୍ତ ସହଜ ଓ ସ୍ୱଭାବସିଦ୍ଧ । ଦାସଦାସୀମାନଙ୍କୁ କର୍ମରେ ନିଯୋଗ କରିବାକୁ, ଭର୍ତ୍ସନା କରିବାକୁ, ଆଦେଶ କରିବାକୁ ସେ ଲେଶମାତ୍ର କୁଣ୍ଠିତ ନୁହେଁ । ଏହିସବୁ ଦେଖି ଆଶା ନିଜକୁ ବିନୋଦିନୀ ତୁଳନାରେ ଅତ୍ୟନ୍ତ କ୍ଷୁଦ୍ର ମନେକଲା । ସେହି ସର୍ବଗୁଣଶାଳିନୀ ବିନୋଦିନୀ ଯେତେବେଳେ ଅଗ୍ରସର ହୋଇ ଆଶାର ପ୍ରଣୟ ପ୍ରାର୍ଥନା କଲା, ସେତେବେଳେ ସଙ୍କୁଚିତା ବାଳିକାର ଆନନ୍ଦ ଚତୁର୍ଗୁଣ ହୋଇ ଉଚ୍ଛୁଳି ପଡ଼ିଲା । ଯାଦୁକରର ମାୟାତରୁପରି ସେମାନଙ୍କର ପ୍ରଣୟବୀଜ ଦିନକ ମଧ୍ୟରେ ଅଙ୍କୁରିତ, ପଲ୍ଲବିତ ଓ ପୁଷ୍ପିତ ହୋଇ ଉଠିଲା ।

 

ଆଶା କହିଲା, ‘ଆସ, ତୁମ ସହିତ ମୋତେ ଗୋଟାଏ କିଛି ବସିବାକୁ ହେବ ।’

 

ବିନୋଦିନୀ କହିଲା, ‘କ’ଣ ବସିବ ?’

 

ଆଶା ଗଙ୍ଗାଜଳ, ବଉଳଫୁଲ ପ୍ରଭୃତି କେତେଗୁଡ଼ିଏ ଭଲ ଭଲ ନାଆଁ କହିଲା । ବିନୋଦିନୀ କହିଲା, ‘ସେଗୁଡ଼ାକ ପୁରୁଣା ହୋଇଗଲାଣି । ଆଦରର ନାଆଁ ତ ଆଉ ଆଦର ନାହିଁ ।’

 

ଆଶା କହିଲା, ‘ତୁମର କେଉଁ ନାଆଁକୁ ପସନ୍ଦ ?’

 

ହସି ହସି ବିନୋଦିନୀ ଉତ୍ତର ଦେଲା, ‘ଅସହୀ ।’

 

ଆଶା ଚାହୁଁଥିଲା, ନାଆଁଟି ବେଶ୍ ଶ୍ରୁତି ମଧୁର ହୋଇଥିବା ଦରକାର । କିନ୍ତୁ ବିନୋଦିନୀର ପରାମର୍ଶରେ ଏହି ଆଦରର ଗାଳିଟିକୁ ହିଁ ସେ ଗ୍ରହଣ କଲା । ବିନୋଦିନୀର ବେକରେ ବାହୁ ଲମ୍ବାଇ ଦେଇ ସେ କହିଲା, ‘ଅସହୀ’ । ଆଶା ହସି ହସି ଗଡ଼ିଗଲା ।

 

(୧୧)

 

ଆଶାର ଜଣେ ସଙ୍ଗିନୀର ଭାରି ଦରକାର ଥିଲା । ପ୍ରେମର ଉତ୍ସବ ମଧ୍ୟ କେବଳ ଦୁଇ ଜଣଙ୍କଦ୍ୱାରା ସମ୍ପନ୍ନ ହୁଏ ନାହିଁ । ସୁଖାଳାପର ମିଷ୍ଟାନ୍ନ ବିତରଣ କରିବା ପାଇଁ ବାଜେ ଲୋକର ଦରକାର ହୁଏ । କ୍ଷୁଧିତ ହୃଦୟା ବିନୋଦିନୀ ମଧ୍ୟ ନବବଧୂର ନବପ୍ରେମର ଇତିହାସକୁ ମାତାଲମାନେ ମଦ ପିଇବା ପରି କାନଡ଼େରି ପାନ କରିବାକୁ ଲାଗିଲା । ତାହାର ମସ୍ତିଷ୍କ ମାତି ଉଠି ଶରୀରର ରକ୍ତ ଉତ୍ତପ୍ତ ହୋଇ ଉଠିବାକୁ ଲାଗିଲା ।

 

ନିସ୍ତବ୍‍ଧ ମଧ୍ୟାହ୍ନ ସମୟରେ ଯେତେବେଳେ ମାଆ ବିଶ୍ରାମ କରନ୍ତି, ଦାସଦାସୀମାନେ ତଳମହଲାର ବିଶ୍ରାମଶାଳାରେ ଅଦୃଶ୍ୟ ହୋଇଯାନ୍ତି, ମହେନ୍ଦ୍ର ବିହାରୀର ତାଡ଼ନାରେ କିଛି ସମୟ ପାଇଁ କଲେଜକୁ ଯାଇଥାଏ ଏବଂ ରୌଦ୍ରତପ୍ତ ନୀଳିମାର ଶେଷପ୍ରାନ୍ତରୁ ଚିଲର ତୀବ୍ର କଣ୍ଠ ଅତି କ୍ଷୀଣଭାବରେ କଦାଚିତ ଶୁଣାଯାଇଥାଏ, ସେତେବେଳେ ନିର୍ଜନ ଶୟନଗୃହର ବିଛଣାରେ ତକିଆ ଦେଇ ଛାତିମାଡ଼ି ଶୋଇ ଗୁଣୁ ଗୁଣୁ ଗୁଞ୍ଜରିତ କାହାଣୀ ମଧ୍ୟରେ ଆବିଷ୍ଟ ହୋଇ ରହେ । ତା’ର କର୍ଣ୍ଣମୂଳ ଆରକ୍ତ ହୋଇଉଠେ, ନିଶ୍ୱାସ ଦ୍ରୁତ ପ୍ରବାହିତ ହୁଏ ।

 

ବିନୋଦିନୀ ପ୍ରଶ୍ନ କରି କରି ତୁଚ୍ଛତମ କଥାଟି ପର୍ଯ୍ୟନ୍ତ ବାହାର କରେ । ଏକ କଥାକୁ ବାରମ୍ବାର ଶୁଣେ, ଘଟଣା ନିଃଶେଷିତ ହୋଇଗଲେ କଳ୍ପନାର ଅବତା’ରଣା କରେ,–‘ଆଚ୍ଛା, ଯଦି ଏପରି ନ ହୋଇ ସେପରି ହୋଇଥାନ୍ତା, ତେବେ କ’ଣ କରିଥାନ୍ତ,’–ସେହି ଅସମ୍ଭାବିତ କଳ୍ପନା ପଥରେ ସୁଖାଲୋଚନାକୁ ସୁଦୀର୍ଘ କରି ଟାଣିନେଇଯିବାକୁ ଆଶାକୁ ମଧ୍ୟ ଭାରି ଭଲ ଲାଗେ ।

 

ବିନୋଦିନୀ କହେ, ‘ଆଚ୍ଛା, ତୋ ସଙ୍ଗରେ ଯଦି ବିହାରୀ ବାବୁଙ୍କର ବିବାହ ହୋଇଥାନ୍ତା-।’

 

ଆଶା–‘ଛି, ଛି, ସେକଥା ତୁମେ କହନା । ମୋତେ ଭାରି ଲାଜ ମାଡ଼ୁଚି । କିନ୍ତୁ ତୁମ ସଙ୍ଗରେ ହୋଇଥିଲେ ବେଶ୍ ହୋଇଥାନ୍ତା । ତୁମ ସହିତ ତ ସମ୍ବନ୍ଧ ପଡ଼ିଥିଲା ।’

 

ବିନୋଦିନୀ–‘ମୋ’ ସହିତ ବହୁତ ଲୋକଙ୍କର ସମ୍ବନ୍ଧ ପଡ଼ିଥିଲା । ନ ହୋଇଚି ଭଲ ହୋଇଚି । ମୁଁ ଯେମିତି ଅଛି, ତାହା ବେଶ୍ ଭଲ ।’

 

ଆଶା ସେ କଥାର ପ୍ରତିବାଦ କରେ । ବିନୋଦିନୀର ଅବସ୍ଥା ଯେ ତା’ ନିଜ ଅବସ୍ଥା ଅପେକ୍ଷା ଭଲ, ସେ ଏକଥା କିପରି ସ୍ୱୀକାର କରିବ ? ‘ଥରେ ଭାବି ଦେଖ ଦେଖି, ଯଦି ମୋ’ ସ୍ୱାମୀଙ୍କ ସହିତ ତୁମର ବିବାହ ହୋଇଥାନ୍ତା । ହେବାର ମଧ୍ୟ ସମ୍ଭାବନା ବି ତ ଥିଲା ?’

 

ସମ୍ଭାବନା ତ ଥିଲା । କିନ୍ତୁ ନ ହେଲା କାହିଁକି ? ଆଶାର ଏଇ ବିଛଣା, ଏଇ ଖଟ ତ ଦିନେ ତା’ ପାଇଁ ପ୍ରତୀକ୍ଷା କରୁଥିଲା । ବିନୋଦିନୀ ଏହି ସୁସଜ୍ଜିତ ଶୟନ ଗୃହକୁ ଦେଖି ସେ କଥା ଆଦୌ ଭୁଲିପାରେ ନାହିଁ । ଏ ଘରେ ଆଜି ସିଏ ଅତିଥି ମାତ୍ର,–ଆଜି ସ୍ଥାନ ପାଇଚି, କାଲି ପୁଣି ଚାଲିଯିବାକୁ ହେବ ।

 

ଅପରାହ୍ଣରେ ବିନୋଦିନୀ ନିଜେ ଉଦ୍‍ଯୋଗୀ ହୋଇ ଅପରୂପ ନୈପୁଣ୍ୟ ସହିତ ଆଶାର କେଶ ରଚନା କରି ତାକୁ ସଜ କରି ସ୍ୱାମୀ-ସମ୍ମିଳନ ପାଇଁ ପଠାଇଦିଏ । ତା’ର କଳ୍ପନା ସତେ ଅବା ଅବଗୁଣ୍ଠିତା ହୋଇ ଏହି ସଜ୍ଜିତା ବଧୂର ପଛେ ପଛେ ମୁଗ୍‍ଧ ଯୁବକର ଅଭିସାରରେ ଜନହୀନ କକ୍ଷକୁ ଗମନ କରେ । ପୁଣି ଦିନେ ଦିନେ ସେ ଆଶାକୁ ମୋଟେ ଛାଡ଼ି ଦିଏ ନାହିଁ । କହେ, ‘ଆଉ ଟିକିଏ ବସ ମ । ତୋର ସ୍ୱାମୀ ତ କୁଆଡ଼େ ପଳାଇ ଯିବେ ନାହିଁ ! ସିଏ ତ ବନର ମାୟା ମୃଗ ନୁହନ୍ତି, ସିଏ ହେଉଚନ୍ତି କାନିର ପୋଷା ହରିଣ ।’ ଏହିପରି କହି ନାନା ଛଳରେ ଆଶାକୁ ଅଟକାଇ ରଖି ଡେରି କରିବାର ଚେଷ୍ଟା କରେ ।

 

ମହେନ୍ଦ୍ର ରାଗିଯାଇ କହେ, ‘ତୁମ ସଙ୍ଗାତ ତ କ’ଣ ଯିବାର ନାଆଁ ଧରୁନାହାନ୍ତି, ସେ ଘରକୁ ଯିବେ କେବେ ?’

 

ଆଶା ବ୍ୟଗ୍ର ହୋଇ କହେ, ‘ମୋ’ ସଙ୍ଗାତ ଉପରେ ତୁମେ ରାଗ ନାହିଁ । ତୁମେ ଜାଣିନା, ତୁମ କଥା ଶୁଣିବାକୁ ସେ କେତେ ଭଲ ପାଏ । କେତେ ଯତ୍ନରେ ମୋତେ ସଜ କରି ତୁମ ପାଖକୁ ପଠାଇ ଦିଏ ।’

 

ରାଜଲକ୍ଷ୍ମୀ ଆଶାକୁ କାମ କରିବାକୁ ଦିଅନ୍ତି ନାହିଁ । ବିନୋଦିନୀ ବଧୂର ପକ୍ଷ ଗ୍ରହଣ କରି ତାକୁ କାର୍ଯ୍ୟରେ ପ୍ରବୃତ୍ତ କରାଇଲା । ଦିନସାରା ପରିଶ୍ରମ କରିବାକୁ ବିନୋଦିନୀ କୁଣ୍ଠିତ ନୁହେଁ, ସଙ୍ଗେ ସଙ୍ଗେ ଆଶାକୁ ମଧ୍ୟ ସେ ଆଉ ଛୁଟି ଦେବାକୁ ଚାହେଁ ନାହିଁ । ଏପରି ଭାବରେ ସେ ଗୋଟିକ ପରେ ଗୋଟିଏ କାମର ଶୃଙ୍ଖଳା ରଚନା କରୁଥିଲା ଯେ, ତା’ ମଧ୍ୟରୁ ଫାଙ୍କ ପାଇବା ଆଶା ପକ୍ଷରେ ବଡ଼ କଠିନ ହୋଇ ଉଠୁଥିଲା । ଆଶାର ସ୍ୱାମୀ ତେଣେ ଛାତଉପରେ ଶୂନ୍ୟ ଘରେ ଛଟପଟ ହେଉଥିବ । ଏକଥା କଳ୍ପନା କରି ବିନୋଦିନୀ ମନେ ମନେ ତୀବ୍ର କଠିନ ହସ ହସୁଥାଏ । ଆଶା ଉଦବିଗ୍ନ ହୋଇ କହେ, ‘ଏଥର ଯାଉଚି, ନ ହେଲେ ସେ ରାଗିଯିବେ ।’

 

ବିନୋଦିନୀ ତର ତର ହୋଇ କହେ, ‘ବସ୍‍ ବସ୍‍, ଏଇ ଟିକକ ଶେଷ କରିଦେଇ ଯାଅ । ଆଉ ବେଶୀ ସମୟ ଲାଗିବ ନାହିଁ ।’

 

କିଛି ସମୟ ପରେ ଆଶା ପୁଣି ଛଟପଟ ହୋଇ କହେ, ‘ନାଇଁ,–ଏଥର ସେ ପ୍ରକୃତରେ ଭାରି ରାଗିଯିବେ,–ମୋତେ ଛାଡ଼ିଦିଅ, ମୁଁ ଯାଏ ।’

 

ବିନୋଦିନୀ କହେ, ‘ ଆହା, ଟିକିଏ ରାଗନ୍ତୁ ଏବେ । ସୁଆଗ ସାଙ୍ଗରେ ରାଗ ନ ମିଶିଲେ ପ୍ରେମରେ ସ୍ୱାଦ ରହେନାହିଁ,–ତରକାରୀରେ ଠିକ୍ ଲଙ୍କା ମରିଚ ପରି ।’

 

କିନ୍ତୁ ଲଙ୍କାମରିଚ ସୁଆଦଟା କେବଳ ବିନୋଦିନୀ ହିଁ ପାଉଥିଲା,–ମାତ୍ର ସଙ୍ଗକୁ ତା’ ସହିତ ତରକାରୀ ନ ଥିଲା । ତା’ର ଶିରାପ୍ରଶିରାରେ ଯେପରି ନିଆଁ ଲାଗିଯାଏ । ସେ ଯେଉଁଆଡ଼କୁ ଅନାଏ, ତା’ର ଆଖିରୁ ଯେପରି ସ୍ଫୁଲିଙ୍ଗ ବର୍ଷଣ ହୁଏ । ‘ଏପରି ସୁଖ ଘରକରଣା, ଏପରି ପ୍ରେମଶୀଳ ସ୍ୱାମୀ,–ଏ ଘରକୁ ତ ମୁଁ ରାଜାର ରାଜତ୍ୱ, ଏ ସ୍ୱାମୀକୁ ତ ମୁଁ ପଦାନତ ଦାସ କରି ରଖିପାରିଥାନ୍ତି, ସେତେବେଳେ କ’ଣ ଏ ଘରର ଏଇ ଦଶା, ଏ ମଣିଷର ଏଇ ଶ୍ରୀ ଥା’ନ୍ତା ? କିନ୍ତୁ ମୋ’ ସ୍ଥାନରେ ଏଇ ବକଟେ ପିଲା, ଠିକ୍ ଖେଳନା କୁଣ୍ଢେଇ ! (ଆଶାର ଗ୍ରୀବାବେଷ୍ଟନ କରି) ଆଚ୍ଛା ଅସହୀ, ତୁମ ଦି’ଜଣଙ୍କ ଭିତରେ କ’ଣ ସବୁ କଥାବାର୍ତ୍ତା ହେଲା କହ । ମୁଁ ଯାହାସବୁ ଶିଖାଇଥିଲି, କହିଥିଲୁ ଟି ? ତୁମ ଦି’ଜଣଙ୍କ କଥା ଶୁଣୁ ଶୁଣୁ ମୁଁ ଭୋକଶୋଷ ଭୁଲିଯାଏ ।’

 

(୧୨)

 

ଦିନେ ମହେନ୍ଦ୍ର ବିରକ୍ତ ହୋଇ ରାଜଲକ୍ଷ୍ମୀଙ୍କୁ ଡାକି କହିଲା, ‘ଏ କ’ଣ ଭଲ ହେଉଚି ? ପରଘରର ଯୁବତୀ ବିଧବାକୁ ଆଣି ତା’ର ଦାୟିତ୍ୱ ମୁଣ୍ଡାଇବା ଦରକାର କ’ଣ ? ମୋର ଏଥିରେ ଆଦୌ ମତ ନାହିଁ । କେତେବେଳେ ଯେ କେଉଁ ସଙ୍କଟ ଘଟିପାରେ, ସେକଥା କିଏ କହିପାରିବ ?’

 

ରାଜଲକ୍ଷ୍ମୀ କହିଲେ, ‘ସେ ହେଉଚି ଆମ ବିପିନର ସ୍ତ୍ରୀ, ମୁଁ କିପରି ତାକୁ ପର ବୋଲି ମନେକରିବି ?’

 

ମହେନ୍ଦ୍ର କହିଲା, ‘ନାଇଁ ମାଆ । ଏ କିଛି ଭଲ କଥା ନୁହେଁ । ମୋ’ ମତରେ ତାକୁ ଏଠାରେ ରଖିବା ଉଚିତ ନୁହେଁ ।’

 

ରାଜଲକ୍ଷ୍ମୀ ଭଲ ଭାବରେ ଜାଣିଥିଲେ ଯେ ମହେନ୍ଦ୍ରର ମତ ଅଗ୍ରାହ୍ୟ କରିବା ଆଦୌ ସହଜ ନୁହେଁ । ବିହାରୀକୁ ଡକାଇ ସେ କହିଲେ, ‘ଆରେ ବିହାରୀ, ତୁ ଥରେ ମହେନ୍ଦ୍ରକୁ ବୁଝାଇ କହ । ବିପିନର ସ୍ତ୍ରୀ ଅଛି ବୋଲି ଏହି ବୃଦ୍ଧ ବୟସରେ ମୁଁ ଟିକିଏ ବିଶ୍ରାମ ପାଉଚି । ପର ହେଉ କି ଯାହା ହେଉ, ନିଜ ଲୋକଙ୍କ ପାଖରୁ ତ ଏପରି ସେବା ମୁଁ କେବେ ପାଇନାହିଁ ।’

 

ବିହାରୀ ରାଜଲକ୍ଷ୍ମୀଙ୍କୁ କୌଣସି ଉତ୍ତର ନ ଦେଇ ମହେନ୍ଦ୍ର ପାଖକୁ ଗଲା । କହିଲା, ‘ମହେନ୍ଦ୍ର ଭାଇ, ବିନୋଦିନୀ ବିଷୟରେ ତୁମେ କିଛି ଭାବୁଚ କି ?’

 

ହସି ହସି ମହେନ୍ଦ୍ର ଉତ୍ତର ଦେଲା, ‘ଭାବି ଭାବି ରାତିରେ ନିଦ ମଧ୍ୟ ହେଉ ନାହିଁ । ତୋ’ର ନୂଆବୋଉକୁ ପଚାରି ବୁଝ, ଆଜିକାଲି ବିନୋଦିନୀର ଧ୍ୟାନରେ ମୋର ଅନ୍ୟ ସମସ୍ତ ଧ୍ୟାନ ଭଗ୍ନ ହୋଇସାରିଲାଣି ।’

 

ଓଢ଼ଣା ଭିତରୁ ଆଶା ନୀରବରେ ମହେନ୍ଦ୍ରକୁ ଗର୍ଜନ କଲା ।

 

ବିହାରୀ କହିଲା, ‘କ’ଣ କହୁଚ । ଦ୍ୱିତୀୟ ବିଷବୃକ୍ଷ !’

 

ମହେନ୍ଦ୍ର କହିଲା, ‘ଠିକ୍ ସେଇଆ । ବର୍ତ୍ତମାନ ତାକୁ ବିଦା କରିବା ପାଇଁ ଚୁନି ଓଢ଼ଣା ଭିତରୁ ଆଶାର ଚକ୍ଷୁ ପୁଣି ଭର୍ତ୍ସନା ବର୍ଷଣ କଲା ।

 

ବିହାରୀ କହିଲା, ‘ବିଦା କଲେ ଲାଭ କ’ଣ? ପୁଣି ଫେରିଆସିବାକୁ କେତେ ସମୟ ଲାଗିବ ? ବରଂ ବିଧବାର ବିବାହ ଦେଇଦିଅ,–ଏକାଥରେ ବିଷଦାନ୍ତ ଭାଙ୍ଗିଯିବ ।’

 

ମହହେନ୍ଦ୍ର କହିଲା, ‘କୁନ୍ଦର ତ ପୁଣି ବିବାହ ଦିଆହୋଇଥିଲା ?’

 

ବିହାରୀ କହିଲା, ‘ଥାଉ, ସେ ଉପମାଟା ବର୍ତ୍ତମାନ ରଖିଦିଅ । ବିନୋଦିନୀର କଥା ମୁଁ ବେଳେବେଳେ ଭାବେ । ତୁମର ଏଠି ତ ସେ ଚିରଦିନ ରହିପାରିବେ ନାହିଁ । ତା’ ପରେ ଯେଉଁ ଜଙ୍ଗଲ ଦେଖିଆସିଚି, ସେଠାକୁ ତାଙ୍କ ଯାବଜ୍ଜୀବନ ବନବାସରେ ପଠାଇବା, ତାହା ମଧ୍ୟ ବଡ଼ କଠିନ ଦଣ୍ଡ ହେବ ।’

 

ବିନୋଦିନୀ ଏପର୍ଯ୍ୟନ୍ତ ମହେନ୍ଦ୍ରର ଆଗକୁ ବାହାରି ନାହିଁ, କିନ୍ତୁ ବିହାରୀ ତାକୁ ଦେଖିଚି । ବିହାରୀ ଏତିକି ବୁଝିଚି ଯେ ଏପରି ନାରୀକୁ ଜଙ୍ଗଲରେ ପକାଇ ରଖିବା କଥା ନୁହେଁ । କିନ୍ତୁ ଶିଖା ଘର ଭିତରେ ପ୍ରଦୀପ ହୋଇ ଜଳେ, ପୁଣି ସେଇ ଘରର ନିଆଁ ମଧ୍ୟ ଲଗାଇଦିଏ,–ଏହି ଆଶଙ୍କା ମଧ୍ୟ ବିହାରୀ ମନରେ ରହିଥିଲା ।

 

ସେହିକଥା ନେଇ ମହେନ୍ଦ୍ର ବିହାରୀକୁ ଅନେକ ପରିହାସ କଲା । ବିହାରୀ ମଧ୍ୟ ତା’ର ଜବାବ ଦେଲା । କିନ୍ତୁ ତା’ର ମନ ବେଶ୍ ବୁଝିପାରୁଥିଲା ଯେ ଏହି ନାରୀକୁ ନେଇ ଖେଳ ଖେଳିବା ସମ୍ଭବ ନୁହେଁ, ଏହାକୁ ଉପେକ୍ଷା କରିବା ମଧ୍ୟ ଅସମ୍ଭବ । ରାଜଲକ୍ଷ୍ମୀ ବିନୋଦିନୀକୁ ସାବଧାନ କରିଦେଲେ । କହିଲେ,‘ଦେଖ ମାଆ, ବୋହୂ ସାଙ୍ଗରେ ତୁ ବେଶୀ ମିଶାମିଶି କରନା । ତୁ ମଫସଲର ଗୃହସ୍ଥ ଘରେ ଥିଲୁ,-ଆଜିକାଲିର ଚାଲିଚଳନ ଜାଣିନୁ । ତୁ ବୁଦ୍ଧିମତୀ, ଭଲ କରି ବୁଝିସୁଝି ଚଳିବୁ ।’

 

ଏହାପରେ ବିନୋଦିନୀ ଅତ୍ୟନ୍ତ ଆଡ଼ମ୍ବରପୂର୍ବକ ଆଶା ପାଖରୁ ଦୂରେଇ ରହିଲା । କହିଲା, ‘ମୁଁ ଭଉଣୀ କୋଉ ମଣିଷରେ ଗଣା ? ମୋ’ ପରି ଅବସ୍ଥାରେ ଲୋକ ନିଜ ମାନ ଜଗି ଚଳି ନ ଜାଣିଲେ, କୋଉଦିନ ଯେ କ’ଣ ଘଟିବ, କିଏ କହିପାରିବ ?’

 

ଆଶା ଅନେକ ଖୋସାମତ ଓ କନ୍ଦାବୋବା କଲା । କିନ୍ତୁ ବିନୋଦିନୀ ଦୃଢ଼ପ୍ରତିଜ୍ଞ । ମନ ଭିତରେ କଥାରେ ଆଶାର ଆକଣ୍ଠ ପରିପୂର୍ଣ୍ଣ ହୋଇଉଠିଲା, କିନ୍ତୁ ବିନୋଦିନୀ ଆଡ଼େଇ ହୋଇଗଲା ।

 

ଏଣେ ମହେନ୍ଦ୍ରର ବାହୁପାଶ ଶିଥିଳ ଏବଂ ତା’ର ମୁଗ୍‍ଧ ଦୃଷ୍ଟି ଯେପରି କ୍ଲାନ୍ତିରେ ଆବୃତ ହୋଇ ଆସୁଚି । ପୂର୍ବେ ଯେଉଁସବୁ ଅନିୟମ ଓ ଉଚ୍ଛୃଙ୍ଖଳା ତାକୁ କୌତୁକଜନକ ବୋଧ ହେଉଥିଲା, ବର୍ତ୍ତମାନ ସେସବୁ ତାକୁ କିୟତ୍ ପରିମାଣରେ ପୀଡ଼ନ କରିବାକୁ ଆରମ୍ଭ କଲାଣି । ଆଶାର ସାଂସାରିକ ଅପଟୁତାରେ ସେ ପ୍ରତି ମୁହୂର୍ତ୍ତରେ ବିରକ୍ତ ହୁଏ, କିନ୍ତୁ ପ୍ରକାଶ କରି କିଛି କହେ ନାହିଁ । ପ୍ରକାଶ ନ କଲେ ମଧ୍ୟ ଆଶା ମନେ ମନେ ଅନୁଭବ କରେ ଯେ ନିରବଚ୍ଛିନ୍ନ ମିଳନରେ ପ୍ରେମର ମର୍ଯ୍ୟାଦା କ୍ରମେ ମ୍ଲାନ ହୋଇଯାଉଚି । ମହେନ୍ଦ୍ରର ଆଦରରେ ଖଟକା ଲାଗୁଚି,–ଯେପରି ସେଥିରେ କେତେକ ପରିମାଣରେ ଆତ୍ମପ୍ରତା’ରଣା ଭରି ରହିଚି ।

 

ଏ ପରିସ୍ଥିତିରେ ପଳାୟନ ବ୍ୟତୀତ ପରିତ୍ରାଣ ନାହିଁ, ବିଚ୍ଛେଦ ବ୍ୟତୀତ ଅନ୍ୟ ଔଷଧ ନାହିଁ । ନାରୀର ସ୍ୱଭାବସିଦ୍ଧ ସଂସ୍କାର-ପ୍ରଭାବରୁ ଆଶା ଆଜିକାଲି ମହେନ୍ଦ୍ର ପାଖରୁ ଦୂରରେ ରହିବାକୁ ଚେଷ୍ଟା କରେ । କିନ୍ତୁ ବିନୋଦିନୀ ଛଡ଼ା ତା’ର ଅନ୍ୟ କେଉଁଠିକୁ ଯିବାର ଜାଗା ହିଁ ନାହିଁ ।

 

ମହେନ୍ଦ୍ର ପ୍ରଣୟର ଉତ୍ତପ୍ତ ବାସରଶଯ୍ୟା ମଧ୍ୟରୁ ଚକ୍ଷୁ ଉନ୍ମୀଳନ କରି ଧୀରେ ଧୀରେ ସଂସାରର କାର୍ଯ୍ୟକ୍ରମ ଓ ପଢ଼ାପଢ଼ି ପ୍ରତି ଟିକିଏ ସଜାଗ ହୋଇ କଡ଼ ଲେଉଟାଇଲା । ନାନା ଅସମ୍ଭବ ସ୍ଥାନରୁ ଡାକ୍ତରୀ ବହିଗୁଡ଼ିକୁ ଉଦ୍ଧାର କରି ଧୂଳି ଝାଡ଼ିବାକୁ ଲାଗିଲା ଏବଂ ପୋଷାକପତ୍ରଗୁଡ଼ିକ ଖରାରେ ଦେବାରେ ଉପକ୍ରମ କଲା ।

 

(୧୩)

 

ବିନୋଦିନୀ ଯହୁଁ ଆଦୌ ଧରାଦେଲା ନାହିଁ, ସେତେବେଳେ ଆଶାର ମୁଣ୍ଡକୁ ଗୋଟାଏ ବୁଦ୍ଧି ଆସିଲା । ସେ ବିନୋଦିନୀକୁ କହିଲା, ‘ଆଚ୍ଛା ଭଉଣୀ, ତୁ ମୋ’ ସ୍ୱାମୀଙ୍କ ପାଖକୁ ଯାଉ ନାହୁଁ କାହିଁକି ? ତାଙ୍କୁ ତୁ ଏତେ ଆଡ଼ ହେଉ କାହିଁକି ?’

 

ବିନୋଦିନୀ ଅତି ସଂକ୍ଷେପରେ ଏବଂ ସତେଜ ଭାବରେ ଉତ୍ତର ଦେଲା, ‘ଛି, ଛି !’

 

ଆଶା କହିଲା, ‘କାହିଁକି ? ମାଆଙ୍କଠାରୁ ଶୁଣିଚି, ତୁ ତ ଆମର ପର ନୋହୁଁ ।’

 

ବିନୋଦିନୀ ଗମ୍ଭୀର ଭାବରେ କହିଲା, ‘ସଂସାରରେ ଆପଣା-ପର କେହି ନାହିଁ । ଯିଏ ଆପଣାର ବୋଲି ମନେକରେ, ସିଏ ଆପଣାର । ଆଉ ଯିଏ ପର ବୋଲି ମନେକରେ, ସିଏ ଯେତେ ଆପଣାର ହେଲେ ମଧ୍ୟ ପର ।’

 

ଆଶା ମନେ ମନେ ଭାବିଲା, ‘ଏ କଥାର ଉତ୍ତର ଆଉ କ’ଣ ଅଛି ? ପ୍ରକୃତରେ ତା’ର ସ୍ୱାମୀ ବିନୋଦିନୀ ପ୍ରତି ଅନ୍ୟାୟ କରନ୍ତି, ପ୍ରକୃତରେ ତାକୁ ପର ବୋଲି ଭାବନ୍ତି ଏବଂ ଅକାରଣରେ ତା’ ଉପରେ ବିରକ୍ତ ହୁଅନ୍ତି ।’

 

ସେଦିନ ସଞ୍ଜବେଳେ ଆଶା ମହେନ୍ଦ୍ର ପାଖରେ ଭାରି ଜିଦ୍ କରି କହିଲା, ‘ମୋର ‘ଅସହୀ’ ସହିତ ତୁମକୁ କଥାବାର୍ତ୍ତା କରିବାକୁ ହିଁ ହେବ ।’

 

ମହେନ୍ଦ୍ର ହସି କରି କହିଲା, ‘ତୁମର ସାହସ ତ କିଛି କମ୍ ନୁହେଁ ।’

 

ଆଶା ପଚାରିଲା, ‘କାହିଁକି ? ଭୟ କେଉଁଥିପାଇଁ ?’

 

ମହେନ୍ଦ୍ର–ତୁମେ ତୁମ ସଖୀର ଯେପରି ରୂପ ବର୍ଣ୍ଣନା କର, ସେଥିରୁ ସିଏ ଖୁବ୍ ବେଶୀ ନିରାପଦ ସ୍ଥାନ ହୋଇଥିବେ ବୋଲି ତ ମୁଁ ମନେକରିପାରେ ନାହିଁ ।

 

ଆଶା କହିଲା,‘ଆଚ୍ଛା, ମୁଁ ତାହା ସମ୍ଭାଳି ନେଇପାରିବି ।’

 

ବିନୋଦିନୀକୁ ଦେଖିବା ପାଇଁ ଯେ ମହେନ୍ଦ୍ର କୌଣସି କୌତୁହଳ ନ ଥିଲା ତାହା ନୁହେଁ, ବରଂ ତାକୁ ଦେଖିବ ବୋଲି ଆଜିକାଲି ବେଳେ ବେଳେ ତା’ର ଭାରି ଆଗ୍ରହ ହୁଏ । ସେହି ଅନାବଶ୍ୟକ ଆଗ୍ରହଟା ତା’ର ନିଜ ପାଖରେ ମଧ୍ୟ ଉଚିତ ବୋଲି ମନେହୁଏ ନାହିଁ ।

 

ହୃଦୟର ସମ୍ପର୍କ ସମ୍ବନ୍ଧରେ ମହେନ୍ଦ୍ର ଉଚିତ-ଅନୁଚିତର ଆଦର୍ଶ ସାଧାରଣଙ୍କ ଅପେକ୍ଷା ଟିକିଏ ଅଧିକ କଡ଼ା । କାଳେ ମାଆର ଅଧିକାର ତିଳେ ମଧ୍ୟ କ୍ଷୁର୍ଣ୍ଣ ହୋଇଯିବ, ସେଥିଲାଗି ଇତିପୂର୍ବେ ସେ ବିବାହ-ପ୍ରସଙ୍ଗରେ କାନ ଦେଉ ନ ଥିଲା । ଆଜିକାଲି ଆଶା ସହିତ ତା’ର ସମ୍ବନ୍ଧକୁ ସେ ଏପରି ଭାବରେ ରକ୍ଷା କରିବାକୁ ଚାହେଁ ଯେ, ଅନ୍ୟ ନାରୀ ପ୍ରତି ସାମାନ୍ୟ କୌତୁହଳକୁ ମଧ୍ୟ ସେ ମନ ଭିତରେ ସ୍ଥାନ ଦେବାକୁ ଚାହେଁ ନାହିଁ । ସେ ମନେକରେ, ପ୍ରେମ ସମ୍ବନ୍ଧରେ ସେ ଭାରି ସାବଧାନ ଏବଂ ଅତ୍ୟନ୍ତ ଖାଣ୍ଟି, ଏଥିଲାଗି ତା’ର ମନରେ ଭାରି ଗର୍ବ ଥିଲା । ଏପରିକି ବିହାରୀକୁ ବନ୍ଧୁ ବୋଲି ମନେକରୁଥିବାରୁ ସେ ଅନ୍ୟ କାହାରିକୁ ବନ୍ଧୁ ଭାବରେ ସ୍ୱୀକାର କରୁ ନ ଥଲା । ଯଦି ଅନ୍ୟ କେହି ଆକୃଷ୍ଟ ହୋଇ ତା’ପାଖକୁ ଆସନ୍ତି, ତେବେ ମହେନ୍ଦ୍ର ଆଗତୁରା ସେମାନଙ୍କୁ ଉପେକ୍ଷା କରେ ଏବଂ ବିହାରୀ ପାଖରେ ସେହି ହତଭାଗ୍ୟ ସମ୍ବନ୍ଧରେ ଉପହାସ ଓ ତୀବ୍ର ଅବଜ୍ଞା ପ୍ରକାଶ କରି ଇତର ସାଧାରଣଙ୍କ ପ୍ରତି ନିଜର ଏକାନ୍ତ ଉଦାସୀନତା ଘୋଷଣା କରେ । ବିହାରୀ ଏଥିରେ ଆପତ୍ତି କଲେ ମହେନ୍ଦ୍ର କହେ, ‘ତୁ ସେ କଥା କରିପାରୁ ବିହାରୀ ! ତୁ ଯୁଆଡ଼େ ଯାଉ, ତୋ’ର ବନ୍ଧୁର ଅଭାବ ହୁଏ ନାହିଁ, କିନ୍ତୁ ମୁଁ ଯାହାକୁ ତାହାକୁ ମୋର ବନ୍ଧୁ ବୋଲି ସ୍ୱୀକାର କରିପାରେନାହିଁ-।’

 

ସେହି ମହେନ୍ଦ୍ରର ମନ ଯେତେବେଳେ ଆଜିକାଲି ବେଳେ ବେଳେ ଅନିବାର୍ଯ୍ୟ ବ୍ୟଗ୍ରତା ଓ କୌତୁହଳ ସହିତ ଏହି ଅପରିଚିତା ପ୍ରତି ଧାବିତ ହୁଏ, ସେତେବେଳେ ନିଜର ଆଦର୍ଶ ପାଖରେ ଯେପରି ସେ ଭାରି ଛୋଟ ହୋଇଯାଏ । ଅବଶେଷରେ ବିରକ୍ତ ହୋଇ ବିନୋଦିନୀକୁ ଘରୁ ବିଦାକରିଦେବାକୁ ସେ ରାଜଲକ୍ଷ୍ମୀକୁ ବାରବାର କହିବାକୁ ଲାଗିଲା ।

 

ମହେନ୍ଦ୍ର କହିଲା, ‘ଥାଉ ଚୁନି, ତୁମ ସଖୀ ସହିତ ଆଳାପ କରିବାକୁ ମୋର ବେଳ ନାହିଁ-? ପଢ଼ିବାବେଳେ ଡାକ୍ତରୀ ବହି ପଢ଼ିବି, ଅବକାଶ ସମୟରେ ତୁମେ ରହିଚ,–ୟା ଭିତରେ ତୁମ ସଖୀଙ୍କ ଲାଗି ସମୟ ଦେବାକୁ ଫୁରସତ କାହିଁ ?’

 

ଆଶା କହିଲା, ‘ଆଚ୍ଛା, ତୁମ ଡାକ୍ତରୀରେ ମୁଁ ଭାଗ ବସାଇବି ନାହିଁ । ମୋ’ ଅଂଶରୁ ମୁଁ ମୋ’ ସଖୀକୁ ଦେବି ।’

 

ମହେନ୍ଦ୍ର କହିଲା, ‘ତୁମେ ସିନା ଦେବ, କିନ୍ତୁ ମୁଁ ଦେବାକୁ ଦେବି କାହିଁକି ?’

 

ଆଶା ବିନୋଦିନୀକୁ ଭଲ ପାଏ ବୋଲି ମହେନ୍ଦ୍ର କହେ । ଏଥିରୁ ତା’ର ସ୍ୱାମୀ ପ୍ରତି ଥିବା ପ୍ରେମର ଖର୍ବତା ପ୍ରତିପନ୍ନ ହୋଇଯାଏ । ମହେନ୍ଦ୍ର ଅହଙ୍କାର କରି କହେ, ‘ମୋ’ ପରି ତୁମ ପ୍ରେମ ଅନନ୍ୟନିଷ୍ଠ ନୁହେଁ ।’ ଆଶା ତାହା ଆଦୌ ସ୍ୱୀକାର କରେ ନାହିଁ,–ସେଥିଲାଗି କଜିଆ କରେ, କାନ୍ଦେ, କିନ୍ତୁ ତର୍କରେ ଜିତିପାରେ ନାହିଁ ।

ମହେନ୍ଦ୍ର ତାଙ୍କ ଦୁଇଜଣଙ୍କ ମଝିରେ ବିନୋଦିନୀକୁ ସୂଚ୍ୟଗ୍ର ସ୍ଥାନ ସୁଦ୍ଧା ଛାଡ଼ିଦେବାକୁ ରାଜି ନୁହେଁ,–ଏହି କଥାଟି ତା’ ପକ୍ଷରେ କ୍ରମେ ଏକ ଗର୍ବର ବିଷୟ ହୋଇଉଠିଲା । ମହେନ୍ଦ୍ରର ଏହି ଗର୍ବକୁ ଆଶା ସହିପାରେ ନାହିଁ, କିନ୍ତୁ ଆଜି ସେ ପରାଭବ ସ୍ୱୀକାର କରି କହିଲା, ‘ଆଚ୍ଛା ବେଶ୍, ମୋ’ ଖାତିରରେ ତୁମେ ମୋ’ ସଖୀଙ୍କ ସହିତ କଥାବାର୍ତ୍ତା କର ।’

ଆଶା ନିକଟରେ ମହେନ୍ଦ୍ର ନିଜ ପ୍ରେମର ଦୃଢ଼ତା ଓ ଶ୍ରେଷ୍ଠତ୍ୱ ପ୍ରମାଣ କରି ଅବଶେଷରେ ବିନୋଦିନୀ ସହିତ ଆଳାପ କରିବା ପାଇଁ ଅନୁଗ୍ରହପୂର୍ବକ ରାଜି ହେଲା । କହି ରଖିଲା, ‘କିନ୍ତୁ ତା’ ବୋଲି ଯେତେବେଳେ ସେତେବେଳେ ଉତ୍ପାତ କଲେ ଚଳିବ ନାହିଁ ।

ପରଦିନ ସକାଳୁ ଆଶା ବିନୋଦିନୀ ବିଛଣାରୁ ଉଠିବା ପୂର୍ବରୁ ଯାଇ ତାକୁ କୁଣ୍ଢାଇ ଧରିଲା । ବିନୋଦିନୀ କହିଲା, ‘ଭାରି ଆଶ୍ଚର୍ଯ୍ୟ କଥା ତ ! ଚକୋରୀ କଣ ଆଜି ଚନ୍ଦ୍ରମାକୁ ଛାଡ଼ି, ଆସି ମେଘ ଦରବାରରେ ହାଜର !’

ଆଶା କହିଲା, ‘ମୋତେ ତୁମମାନଙ୍କ ପରି କବିତାରେ କଥା କହି ଆସେ ନାହିଁ । ମିଛରେ କାହିଁକି ମୁରୁଖ ସାହିରେ ମାଣିକ ବିଞ୍ଚୁଚ ? ଯିଏ ତୁମ କଥାର ଜବାବ ଦେଇପାରିବ, ଥରେ ଯାଇ ତା’ ଆଗରେ ସିନା କଥା ଶୁଣାଇ ଆସିଲେ ହୁଅନ୍ତା !’

ବିନୋଦିନୀ କହିଲା, ‘ସେହି ରସିକ ଲୋକଟି କିଏ ଶୁଣେ ?’

ଆଶା କହିଲା, ‘ତୁମ ଦିଅର, ମୋର ସ୍ୱାମୀ । ନା ଭଉଣୀ, ମୁଁ ରହସ୍ୟ କରୁନାହିଁ । ତୁମ ସହିତ କଥାବାର୍ତ୍ତା କରିବାକୁ ସେ ଭାରି ଆଗ୍ରହ ପ୍ରକାଶ କରିଚନ୍ତି ।’

ମନେ ମନେ ବିନୋଦିନୀ କହିଲା, ‘ସ୍ତ୍ରୀର ହୁକୁମରେ ମୋତେ ଡାକରା ହେଉଚି । ସତେ ଯେମିତି ମୁଁ ସାଙ୍ଗେ ସାଙ୍ଗେ ଦଉଡ଼ି ଯିବି । ମୋତେ ସେଇମିତି ମନେକରିଚ, ନା ?’

ବିନୋଦିନୀ କୌଣସି ପ୍ରକାରେ ରାଜି ହେଲା ନାହିଁ । ଆଶାକୁ ସ୍ୱାମୀ ପାଖରେ ଭାରି ଅପ୍ରତିଭ ହେବାକୁ ପଡ଼ିଲା ।

ମହେନ୍ଦ୍ର ମନ ଭିତରେ ଭାରି ରାଗିଗଲା । ତା’ ଆଗକୁ ବାହାରିବାକୁ ପୁଣି ଆପତ୍ତି । ତାକୁ ଅନ୍ୟ ସାଧାରଣ ପୁରୁଷଙ୍କ ପରି ମନେକରିବାର ଚେଷ୍ଟା ? ଅନ୍ୟ କେହି ହୋଇଥିଲେ ତ, ଏତେଦିନକେ ନିଜେ ଅଗ୍ରସର ହୋଇ ନାନା କୌଶଳରେ ବିନୋଦିନୀ ସହିତ ଦେଖାସାକ୍ଷାତ୍‍ ଓ ଆଳାପ ପରିଚୟ କରିସାରନ୍ତାଣି । ମହେନ୍ଦ୍ର ଯେ ତାହାର କୌଣସି ଚେଷ୍ଟା ମାତ୍ର କରିନାହିଁ, ଏଥିରୁ କ’ଣ ବିନୋଦିନୀ ତା’ର ପରିଚୟ ପାଇନାହିଁ ? ‘ବିନୋଦିନୀ ଯଦି ମୋତେ ଭଲ ଭାବରେ ଚିହ୍ନିପାରିଚି, ତେବେ ଅନ୍ୟ ପୁରୁଷ ଓ ମୋ’ ଭିତରେ ପ୍ରଭେଦଟା ବୁଝିପାରିବ ।’

ବିନୋଦିନୀ ମଧ୍ୟ ଦି’ଦିନ ପୂର୍ବ ଆକ୍ରୋଶର ସହିତ ମନେ ମନେ ଭାବୁଥିଲା, ‘ଏତେଦିନ ହେଲା ମୁଁ ଏଠାକୁ ଆସିଲିଣି, ମହେନ୍ଦ୍ର ତ କ’ଣ ଥରେ ମୋତେ ଦେଖିବାକୁ ଚେଷ୍ଟା କରୁନାହିଁ । ଯେତେବେଳେ ଅପାଙ୍କ ଘରେ ଥାଏ ସେତେବେଳେ କୌଣସି ଛଳ କରି ସୁଦ୍ଧା ସେ ସେଇ ଘରକୁ ଆସେ ନାହିଁ । ଏତେ ଔଦାସୀନ୍ୟ କାହିଁକି ? ମୁଁ କ’ଣ ଜଡ଼ପଦାର୍ଥ ହୋଇଚି, ମୁଁ କ’ଣ ମଣିଷ ନୁହେଁ, ମୁଁ କ’ଣ ସ୍ତ୍ରୀଲୋକ ନୁହେଁ ? ଥରେ ଯଦି ସେ ମୋର ପରିଚୟ ପାଆନ୍ତା, ତେବେ ତା’ ଆଦରର ଚୁନି ସହିତ ବିନୋଦିନୀର ପ୍ରଭେଦ ବୁଝିପାରନ୍ତା ।’

ଆଶା ସ୍ୱାମୀ ପାଖରେ ପ୍ରସ୍ତାବ କଲା, ‘ତୁମେ କଲେଜକୁ ଯାଇଚ ବୋଲି କହି ତାକୁ ମୁଁ ଆମ ଘରକୁ ନେଇ ଆସିବ । ତା’ପରେ ତୁମେ ହଠାତ୍ ଘର ଭିତରକୁ ପଶିଆସିବ,–ତା’ ହେଲେ ସେ ଥଣ୍ଡା ହୋଇଯିବ ।’

ମହେନ୍ଦ୍ର କହିଲା, ‘କିନ୍ତୁ କେଉଁ ଅପରାଧ ପାଇଁ ତାକୁ ଏପରି ଶାସ୍ତି ଦେବାର ଆୟୋଜନ-?’

ଆଶା କହିଲା, ‘ନାଇଁ–ସତରେ ତା’ ଉପରେ ମୋର ଭାରି ରାଗ ହେଉଚି । ତୁମ ସହିତ ସାମାନ୍ୟ ଦେଖା କରିବାକୁ ବି ତା’ର ଏତେ ଆପତ୍ତି ? ତା’ର ପ୍ରତିଜ୍ଞା ଭାଙ୍ଗିବି, ତେବେ ଯାଇ ଛାଡ଼ିବି !’

ମହେନ୍ଦ୍ର କହିଲା, ‘ତୁମ ପ୍ରିୟ ସଖୀଙ୍କ ଦର୍ଶନ ଭାବରେ ମୁଁ କିଛି ମରିଯାଇନାହିଁ, ଏପରି ଚୋରି କରି ମୁଁ ଦେଖିବାକୁ ଚାହେଁ ନାହିଁ ।’

ଆଶା ଅନୁନୟ କରି ମହେନ୍ଦ୍ରର ହାତ ଧରି କହିଲା, ‘ମୋର ମୁଣ୍ଡ ଖାଅ, ଏ କଥା ତୁମକୁ କରିବାକୁ ହେବ । ଥରେ ମାତ୍ର, ଯେକୌଣସି ପ୍ରକାର ହେଉ, ମୁଁ ତା’ର ଗର୍ବ ଭାଙ୍ଗିବାକୁ ଚାହୁଁଚି, ତା’ପରେ ତୁମର ଯାହା ଇଚ୍ଛା ତାହା କର ।’

ମହେନ୍ଦ୍ର ନିରୁତ୍ତର ରହିଲା । ଆଶା କହିଲା, ‘ମୋ’ ରାଣଟି, ମୋର କଥା ରଖ ।’

ମହେନ୍ଦ୍ରର ଆଗ୍ରହ ପ୍ରବଳ ହୋଇଉଠୁଥିଲା । ସେଥିପାଇଁ ଅତିରିକ୍ତ ମାତ୍ରାରେ ଔଦାସୀନ୍ୟ ପ୍ରକାଶ କରି ସେ ସମ୍ମତି ଦେଲା ।

ଶରତକାଳର ସ୍ୱଚ୍ଛ ନିସ୍ତବ୍‍ଧ ମଧ୍ୟାହ୍ନରେ ବିନୋଦିନୀ ମହେନ୍ଦ୍ରର ନିର୍ଜନ ଶୟନ ଗୃହରେ ବସି ଆଶାକୁ କାର୍ପେଟର ଜୋତା ବୁଣିବା ଶିଖାଇ ଦେଉଥିଲା, ଆଶା ଅନ୍ୟମନସ୍କ ହୋଇ ବାରବାର କବାଟ ଆଡ଼କୁ ଚାହିଁ ଗଣିବାରେ ଭୁଲ କରି ବିନୋଦିନୀ ନିକଟରେ ନିଜର ଅସାଧ୍ୟ, ଅପଟୁତ୍ୱ ପ୍ରକାଶ କରୁଥିଲା ।

ଅବଶେଷରେ ବିନୋଦିନୀ ବିରକ୍ତ ହୋଇ ତା’ ହାତରୁ କାର୍ପେଟ ଟାଣି ଆଣି ଫୋପାଡ଼ି ଦେଇ କହିଲା, ‘ତୁମଦ୍ୱାରା ଏ କାମ ହେବ ନାହିଁ । ମୋର ତେଣେ କାମ ଅଛି, ମୁଁ ଯାଉଚି ।’

ଇତିମଧ୍ୟରେ ନିଃଶବ୍ଦ ପଦରେ ମହେନ୍ଦ୍ର ଆସି ବିନୋଦିନୀର ପଛଆଡ଼େ କବାଟ ନିକଟରେ ଠିଆହେଲା । ଆଶା ସିଲାଇ ଉପରୁ ଦୃଷ୍ଟି ନ ଫେରାଇ ଧୀରେ ଧୀରେ ହସିବାକୁ ଲାଗିଲା ।

ବିନୋଦିନୀ କହିଲା, ‘ହଠାତ୍ ତୁମର କି ହସକଥା ମନେପଡ଼ିଗଲା ?’

ଆଶା ଆଉ ସମ୍ଭାଳି ପାରିଲା ନାହିଁ, ଉଚ୍ଚକଣ୍ଠରେ ହସି ଉଠି ବିନୋଦିନୀ ଉପରକୁ କାର୍ପେଟ ଫୋପାଡ଼ି ଦେଇ କହିଲା, ‘ନାଇଁ ଭଉଣୀ, ଠିକ୍ କହିଚ । ଏ କାମ ମୋ’ ଦେଇ ହେବ ନାହିଁ-।’-–କହି ବିନୋଦିନୀକୁ କୁଣ୍ଢାଇ ଧରି ଦ୍ୱିଗୁଣ ଜୋରରେ ହସିବାକୁ ଲାଗିଲା ।

ବିନୋଦିନୀ ପ୍ରଥମରୁ ସବୁ ବୁଝିପାରିଥିଲା । ଆଶାର ଚାଞ୍ଚଲ୍ୟ ଏବଂ ଭାବଭଙ୍ଗୀରୁ ତା’ ନିକଟରେ କିଛି ଗୋପନ ରହି ନ ଥିଲା । କେତେବେଳେ ମହେନ୍ଦ୍ର ପଛରେ ଆସି ଠିଆ ହେଲା, ତାହା ମଧ୍ୟ ସେ ବେଶ୍ ଜାଣିପାରିଥିଲା । ନିତାନ୍ତ ସରଳ ନିରୀହଙ୍କ ପରି ସେ ଆଶାର ଏହି ଅତି କ୍ଷୀଣ ପାଶ ଭିତରେ ଧରାଦେଲା ।

ମହେନ୍ଦ୍ର ଘର ଭିତରକୁ ଆସି କହିଲା, ‘ମୁଁ ହତଭାଗ୍ୟ କାହିଁକି ଏହି ହସଖୁସିରୁ ବଞ୍ଚିତ ହେବି ?’

ବିନୋଦିନୀ ଚମକି ପଡ଼ି ଓଢ଼ଣା ଟାଣି ଉଠିବାର ଉପକ୍ରମ କଲା । ଆଶା ତା’ର ହାତ ଚାପି ଧରିଲା ।

ମହେନ୍ଦ୍ର ହସି କରି କହିଲା, ‘ଆପଣ ବସନ୍ତୁ, ମୁଁ ଯାଉଚି କିମ୍ବା ଆପଣ ବସନ୍ତୁ, ମୁଁ ମଧ୍ୟ ବସୁଚି ।

ବିନୋଦିନୀ ସାଧାରଣ ନାରୀମାନଙ୍କ ପରି ଆଶା ସହିତ ହାତ ଟଣାଓଟରା କରି ମହାକୋଳାହଳରେ ଲଜ୍ଜାର ଅଭିନୟ କଲା ନାହିଁ । ସହଜ ଭାବରେ କହିଲା, ‘କେବଳ ଆପଣଙ୍କ ଅନୁରୋଧରେ ବସିଲି, କିନ୍ତୁ ମନେ ମନେ ଅଭିଶାପ ଦେବେ ନାହିଁ ।’

ମହେନ୍ଦ୍ର କହିଲା, ‘ଏଇ ଅଭିଶାପ ଦେବି ଯେ ଆପଣଙ୍କର ଚଳନଶକ୍ତି ଯେପରି ଅନେକ ସମୟ ପାଇଁ ଲୋପ ହୋଇଯାଉ ।’

ବିନୋଦିନୀ କହିଲା, ‘ସେଇ ଅଭିଶାପକୁ ମୋର ଭୟ ନାହିଁ । କାରଣ ଆପଣଙ୍କର ଅନେକ ସମୟ, ମୋର ବେଶୀ ସମୟ ନୁହେଁ–ବୋଧହୁଏ ସମୟ ଉତ୍ତୀର୍ଣ୍ଣ ହୋଇଆସିଲା ।’

କହି ପୁଣି ଉଠିବାକୁ ଚେଷ୍ଟା କଲା । ଆଶା ତା’ର ହାତ ଧରି କହିଲା, ‘ତୁମକୁ ମୋ’ରାଣ, ଆଉ ଟିକିଏ ବସ ।’

 

(୧୪)

 

ଆଶା ପଚାରିଲା, ‘ଆଚ୍ଛା ସତକରି କହିଲ, ମୋର ‘ଅସହୀ’ ତୁମକୁ କିପରି ଲାଗିଲା ?’

 

ମହେନ୍ଦ୍ର କହିଲା, ‘ମନ୍ଦ ନୁହେଁ ।’

 

ଆଶା କ୍ଷୁଣ୍ଣ ଭାବରେ କହିଲା, ‘ତୁମ ପସନ୍ଦକୁ କେହି ପାରିବେ ନାହିଁ ।’

 

ମହେନ୍ଦ୍ର–‘କେବଳ ଗୋଟିଏ ଲୋକକୁ ଛାଡ଼ିଦେଲେ ।’

 

ଆଶା କହିଲା, ‘ଆଚ୍ଛା, ତା’ ସହିତ ଆଉ ଟିକିଏ ଭଲ ଭାବରେ ପରିଚୟ ହୋଇଯାଉ, ତା’ପରେ ଦେଖିବି, ପସନ୍ଦ ହେବ କି ନାହିଁ ।’

 

ମହେନ୍ଦ୍ର କହିଲା, ‘ଆହୁରି ପରିଚୟ ? ଏଥର କ’ଣ ବରାବର ଏମିତି ଚାଲିବ ?’

 

ଆଶା କହିଲା, ‘ଭଦ୍ରତା ଖାତିରିରେ ତ ପୁଣି ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି । ଦିନେ କଥାବାର୍ତ୍ତା ହୋଇ ଯଦି ତା’ପରେ ଆଉ ମୋଟେ କଥାବାର୍ତ୍ତା ନ ହେବ, ତେବେ ସେ କ’ଣ ମନେକରିବ କହିଲ ? ଦେଖୁଚି, ତୁମର ସବୁକଥା ବଡ଼ ଅଦ୍‍ଭୁତ । ଆଉ କେହି ହୋଇଥିଲେ ଏପରି ଝିଅ ସହିତ କଥାବାର୍ତ୍ତା କରିବାକୁ ସୁବିଧା ଖୋଜିବୁଲୁଥାନ୍ତା, ଆଉ ତୁମ ଉପରେ ଯେପରି ବିପଦ ଆସି ପଡ଼ିଲା ବୋଲି ତୁମେ ଛାନିଆ ହେଉଚ !’

 

ଅନ୍ୟ ଲୋକମାନଙ୍କ ସହିତ ତା’ର ଏଇ ପ୍ରଭେଦ କଥା ଶୁଣି ମହେନ୍ଦ୍ର ଭାରି ଖୁସି ହେଲା-। କହିଲା, ‘ହଉ ଦେଖିବା । ବ୍ୟସ୍ତ ହେବା ଦରକାର କ’ଣ ? ମୁଁ ତ ଆଉ କୁଆଡ଼େ ପଳାଇ ଯାଉନାହିଁ, ତୁମ ସଖୀଙ୍କର ମଧ୍ୟ ଏଠାରୁ ଯିବାର କୌଣସି ଲକ୍ଷଣ ଦେଖୁନାହିଁ–ସୁତରାଂ ମଝିରେ ମଝିରେ ନିଶ୍ଚୟ ଦେଖାହେବ । ଦେଖା ହେଲେ ଭଦ୍ରତା ରକ୍ଷା କରିବା ଭଳି ଶିକ୍ଷା ତୁମ ସ୍ୱାମୀର ନିଶ୍ଚୟ ଅଛି ।’

 

ମହେନ୍ଦ୍ର ମନେ ମନେ ଭାବିଥିଲା, ଏଥର ବିନୋଦିନୀ ନାନା ଛଳରେ ତା’ଆଗକୁ ଆସିବାକୁ ଚେଷ୍ଟା କରିବ, କିନ୍ତୁ ସେ ଭୁଲ ବୁଝିଥିଲା । ବିନୋଦିନୀ ତା’ର ପାଖ ଦେଇ ସୁଦ୍ଧା କେବେ ଯାଏ ନାହିଁ । ଦୈବାତ୍ ଯିବା ଆସିବା ବାଟରେ ମଧ୍ୟ କେବେହେଲେ ଦେଖାହୁଏ ନାହିଁ ।

 

କାଳେ ବ୍ୟଗ୍ରତା ପ୍ରକାଶ ପାଇବ, ସେଥିପାଇଁ ମହେନ୍ଦ୍ର ସ୍ତ୍ରୀ ପାଖରେ ବିନୋଦିନୀର ପ୍ରସଙ୍ଗ ଉତ୍ଥାପନ କରିପାରେନାହିଁ । ବେଳେ ବେଳେ ବିନୋଦିନୀର ସଙ୍ଗ ଲାଭ ପାଇଁ ସ୍ୱାଭାବିକ ସାମାନ୍ୟ ଇଚ୍ଛାକୁ ମଧ୍ୟ ଗୋପନ ଓ ଦମନ କରିବାକୁ ମହେନ୍ଦ୍ର ବ୍ୟଗ୍ରତା ଯେପରି ଆହୁରି ଅଧିକ ହୋଇଉଠେ–ବିନୋଦିନୀର ଉଦାସୀନତା ତାକୁ ଆହୁରି ଉତ୍ତେଜିତ କରିପକାଏ ।

 

ବିନୋଦିନୀ ସହିତ ଦେଖାହେବାର ପରଦିନ ମହେନ୍ଦ୍ର ଯେପରି ନିତାନ୍ତ କଥାପ୍ରସଙ୍ଗରେ ଆଶାକୁ ପଚାରିଲା, ‘ଆଚ୍ଛା, ତୁମର ଅଯୋଗ୍ୟ ସ୍ୱାମୀଟି ବିଷୟରେ ତୁମ ‘ଅସହୀ’ଙ୍କର କିପରି ଧାରଣା ହେଲା କହିଲ ?’

 

ମହେନ୍ଦ୍ରର ଦୃଢ଼ ପ୍ରତ୍ୟାଶା ଥିଲା ଯେ ପ୍ରଶ୍ନ କରିବା ପୂର୍ବରୁ ସେ ଆଶା ପାଖରୁ ଏ ସମ୍ବନ୍ଧରେ ଉଚ୍ଛ୍ୱାସପୂର୍ଣ୍ଣ ବିସ୍ତାରିତ ରିପୋର୍ଟ ପାଇବ । କିନ୍ତୁ ସେଥିପାଇଁ ଅପେକ୍ଷା କରି କରି ଯେତେବେଳେ ଫଳ ନ ପାଇଲା, ସେତେବେଳେ ବାଧ୍ୟ ହୋଇ ସେ କଥା ପ୍ରସଙ୍ଗରେ ପ୍ରଶ୍ନଟିର ଉତ୍ଥାପନ କଲା ।

 

ଆଶା ଭାରି ଅସୁବିଧାରେ ପଡ଼ିଲା । ‘ଅସହୀ’ ଏ ବିଷୟରେ ତାକୁ କିଛି କହି ନାହିଁ, ଏଥିଲାଗି ସେ ବିନୋଦିନୀ ଉପରେ ଭାରି ଅସନ୍ତୁଷ୍ଟ ହୋଇଥିଲା ।

 

ସ୍ୱାମୀଙ୍କୁ କହିଲା, ‘ରୁହ, ଆଗ ଦି’ଚାରିଦିନ ମିଳାମିଶା କରୁ । ତା’ପରେ ସିନା କହିବ ! କାଲି କେତେ ସମୟ ବା ଦେଖାହେଲା, କ’ଣ ବା କଥାବାର୍ତ୍ତା ହେଲା ।’

 

ଏଥିରେ ମହେନ୍ଦ୍ର ଟିକିଏ ନିରାଶ ହେଲା ଏବଂ ବିନୋଦିନୀ ସମ୍ବନ୍ଧରେ ନିଶ୍ଚେଷ୍ଟତା ଦେଖାଇବା ତା’ପକ୍ଷରେ ଆହୁରି ଦୁରୂହ ହୋଇଉଠିଲା ।

 

ଏହି ଆଲୋଚନା ମଧ୍ୟରେ ବିହାରୀ ଆସି ପହଞ୍ଚିଗଲା । ପଚାରିଲା, ‘ମହେନ୍ଦ୍ର ଭାଇ, ଆଜି କେଉଁ ବିଷୟରେ ତୁମମାନଙ୍କର ତର୍କ ଚାଲିଚି ?’

 

ମହେନ୍ଦ୍ର କହିଲା, ‘ଦେଖିଲୁ ଭାଇ, କୁମୁଦିନୀ ଓ ପ୍ରମୋଦିନୀ କି ଆଉ କାହା ସଙ୍ଗରେ ତୋର ନୂଆବୋଉ ମୁଣ୍ଡକଣ୍ଟା କି ମାଛକଣ୍ଟା କ’ଣ ଗୋଟାଏ ବସିଚନ୍ତି । ପୁଣି ମୋତେ କୁଆଡ଼େ ସେଥିପାଇଁ ତାଙ୍କ ସଙ୍ଗରେ ଚୁରୁଟରେ ପାଉଁଶ କିମ୍ବା ଦିଆସିଲକାଠି ଘସିବାକୁ ପଡ଼ିବ । ଏମିତି ହେଲେ ତ ବଞ୍ଚିବା ଅସମ୍ଭବ ହୋଇପଡ଼ିବ ।

 

ଆଶାର ଓଢ଼ଣା ଭିତରୁ ତୁମୂଳ କଳହର ସୂଚନା ମିଳିଲା । ବିହାରୀ କିଛି ସମୟ ନିରୁତ୍ତର ରହି ମହେନ୍ଦ୍ରର ମୁହଁକୁ ଚାହିଁ ହସିଲା । କହିଲା, ‘ନୂଆବୋଉ, ଲକ୍ଷଣ କିଛି ଭଲ ଜଣାଯାଉ ନାହିଁ । ଏସବୁ ଖାଲି ମନ ଭୁଲାଇବା କଥା । ତୁମର ‘ଅସହୀ’ଙ୍କୁ ମୁଁ ଦେଖିଚି । ବାରମ୍ବାର ତାଙ୍କର ଦର୍ଶନ ପାଇଲେ ମଧ୍ୟ ମୁଁ ତାଙ୍କୁ କୌଣସି ଦୁର୍ଘଟଣା ବୋଲି ମନେକରିବି ନାହିଁ । ମୁଁ ଏକଥା ନିୟମ କରି କହିପାରେ, କିନ୍ତୁ ମହେନ୍ଦ୍ର ଭାଇ ଯେପରି ଭାବରେ ଅସ୍ୱୀକାର କରିଚନ୍ତି, ତାହା ଭାରି ସନ୍ଦେହର କଥା ।’

 

ମହେନ୍ଦ୍ର ସହିତ ବିହାରୀର ଯେ ଅନେକ ପ୍ରଭେଦ, ଆଶା ତାହାର ଆଉ ଗୋଟିଏ ପ୍ରମାଣ ପାଇଲା ।

 

ହଠାତ୍ ମହେନ୍ଦ୍ରର ଫଟୋଗ୍ରାଫି ଅଭ୍ୟାସ କରିବାର ସଉକ ହେଲା । ପୂର୍ବେ ସେ ଥରେ ଫଟୋଗ୍ରାଫି ଶିଖିବାକୁ ଆରମ୍ଭ କରି ତା’ପରେ ଛାଡ଼ିଦେଇଥିଲା । ବର୍ତ୍ତମାନ ପୁଣି କ୍ୟାମେରା ମରାମତି କରି ଏସିଡ଼୍ କିଣି ଫଟୋ ଉଠାଇବାକୁ ଆରମ୍ଭ କଲା । ଘରର ଚାକରବାକରମାନଙ୍କର ମଧ୍ୟ ଫଟୋ ନିଆହେଲା ।

 

ଆଶା ଜିଦ୍‍କରି କହିଲା, ‘ମୋ ‘ଅସହୀ’ର ମଧ୍ୟ ଗୋଟିଏ ଫଟୋ ନେବାକୁ ହେବ ।’

 

ଅତି ସଂକ୍ଷେପରେ ମହେନ୍ଦ୍ର ଉତ୍ତର ଦେଲା, ‘ଆଚ୍ଛା ।’

 

ବିନୋଦିନୀ ଆହୁରି ସଂକ୍ଷେପରେ କହିଲା, ‘ନା’ ।

 

ଆଶାକୁ ପୁଣି ଆଉ ଗୋଟିଏ ଫିକର କରିବାକୁ ପଡ଼ିଲା ଏବଂ ସେହି ଫିକର ବିନୋଦିନୀର ଅଗୋଚର ରହିଲା ନାହିଁ । ସ୍ଥିର ହେଲା ଯେ ମଧ୍ୟାହ୍ନ ସମୟରେ ଆଶା ବିନୋଦିନୀକୁ ନିଜର ଶୋଇବା ଘରକୁ ଆଣି କୌଣସି ଉପାୟରେ ଶୁଆଇ ପକାଇବ ଏବଂ ମହେନ୍ଦ୍ର ସେହି ଅବସ୍ଥାରେ ଫଟୋ ଉଠାଇ ଅବାଧ୍ୟ ସଖୀକୁ ଉଚିତ ଶିକ୍ଷା ଦେବ ।

 

ସେହି ଆଶ୍ଚର୍ଯ୍ୟ କଥା ହିଁ ଘଟିଲା । ବିନୋଦିନୀ ଦିନବେଳେ କେବେ ଶୁଏ ନାହିଁ, କିନ୍ତୁ ଆଶାର ଘରକୁ ଆସି ସେ ସେଦିନ ନିଦରେ ଶୋଇପଡ଼ିଲା । ଖଣ୍ଡେ ନାଲିରଙ୍ଗର ସାଲ୍ ଘୋଡ଼ାଇ ହୋଇ ଖୋଲା ଝରକା ଆଡ଼କୁ ମୁହଁ କରି ହାତ ଉପରେ ମୁଣ୍ଡ ରଖି ଏପରି ସୁନ୍ଦର ଭଙ୍ଗୀରେ ଶୋଇପଡ଼ିଲା ଯେ ମହେନ୍ଦ୍ର କହିଲା, ‘ମନେ ହେଉଚି ଯେପରି ଫଟୋ ଉଠାଇବା ପାଇଁ ପ୍ରସ୍ତୁତ ହୋଇ ଶୋଇଚି ।’ ମହେନ୍ଦ୍ର ଟିପ ଉପରେ ଥିରି ଥିରି ଯାଇ କ୍ୟାମେରା ଆଣିଲା । କେଉଁ ପାଖରୁ ଛବି ନେଲେ ଭଲ ହେବ, ତାହା ସ୍ଥିର କରିବା ପାଇଁ ବିନୋଦିନୀକୁ ଅନେକ ସମୟ ଧରି ଚାରିପାଖରୁ ବେଶ୍ ଭଲ ଭାବରେ ଦେଖିଲା । ଏପରି କି ଆର୍ଟ ଦୃଷ୍ଟିରୁ ଅତି ସନ୍ତର୍ପଣରେ ମୁଣ୍ଡ ପାଖରୁ ତା’ର ଅଲରା ହୋଇ ପଡ଼ିଥିବା ବାଳକୁ ଟିକିଏ ଆଡ଼େଇ ଦେବାକୁ ପଡ଼ିଲା । ପସନ୍ଦ ନ ହେବାରୁ ପୁଣି ତାକୁ ସଂଶୋଧନ କରିଦେବାକୁ ହେଲା । ଆଶାକୁ ଡାକି ମହେନ୍ଦ୍ର ଫୁସ୍‍ଫୁସ୍‍ କରି କହିଲା, ‘ଗୋଡ଼ପଟ ସାଲଟାକୁ ଟିକିଏ ବାଆଁଆଡ଼କୁ ଆଡ଼େଇ ଦିଅ ।’

 

ଅପଟୁ ଆଶା ତା’ର କାନପାଖରେ ଉତ୍ତର ଦେଲା, ‘ମୁଁ କରିପାରିବି ନାହିଁ । ତା’ର ନିଦ ଭଙ୍ଗାଇ ଦେବି । ତୁମେ ଯାଇ ଆଡ଼େଇ ଦିଅ ।’

 

ମହେନ୍ଦ୍ର ଆଡ଼େଇ ଦେଲା ।

 

ଅବଶେଷର ଫଟୋ ନେବା ପାଇଁ କ୍ୟାମେରାରେ କାଚ ପୁରେଇବା ମାତ୍ରକେ ଯେପରି କୌଣସି ଶବ୍ଦରେ ବିନୋଦିନୀର ନିଦ ଭାଙ୍ଗିଗଲା । ଦୀର୍ଘନିଶ୍ୱାସ ପକାଇ ସେ ଧଡ଼ପଡ଼ ହୋଇ ଉଠିବସିଲା । ଆଶା ଉଚ୍ଚସ୍ୱରରେ ହସିଉଠିଲା । ଏଥିରେ ବିନୋଦିନୀ ଭାରି ରାଗିଗଲା । ତା’ର ଜ୍ୟୋତିର୍ମୟ ଚକ୍ଷୁ ଦୁଇଟିରୁ ମହେନ୍ଦ୍ର ପ୍ରତି ଅଗ୍ନିବାଣ ବର୍ଷଣ କରି କହିଲା, ‘ଏସବୁ କିନ୍ତୁ ଭାରି ଅନ୍ୟାୟ !’

 

ମହେନ୍ଦ୍ର କହିଲା, ‘ସେଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଚୋରି କଲି, ଅଥଚ ଚୋରିଜିନିଷ ଘରକୁ ଆସିଲା ନାହିଁ, ଏଥିରେ ଯେ ମୋର କୋଉ କୁଳ ବି ରହିଲା ନାହିଁ । ଅନ୍ୟାୟଟାକୁ ଆଗ ଶେଷ କରିବାକୁ ଦେଇ ତା’ପରେ ପଛେ ଦଣ୍ଡବିଧାନ କରିବା ହେବେ ।

 

ଆଶା ମଧ୍ୟ ବିନୋଦିନୀ ସହିତ ଭାରି ଲଗାଇଲା । ଛବି ନିଆ ହେଲା । କିନ୍ତୁ ପ୍ରଥମ ଛବିଟା ଖରାପ ହୋଇଗଲା । ସୁତରାଂ ତହିଁ ଆରଦିନ ଆଉ ଗୋଟିଏ ଛବି ନ ନେଇ ଚିତ୍ରକର ଛାଡ଼ିଲା ନାହିଁ । ତା’ପରେ ପୁଣି ଦୁଇ ସଖୀଙ୍କୁ ,ଏକତ୍ର କରି ବନ୍ଧୁତା’ର ଚିରନିଦର୍ଶନସ୍ୱରୂପ ଆଉ ଗୋଟିଏ ଫଟୋ ଦେବାର ପ୍ରସ୍ତାବରେ ବିନୋଦିନୀ ଅମଙ୍ଗ ହୋଇପାରିଲା ନାହିଁ । କହିଲା, ‘ଏଇଥରକ ଶେଷ, ଆଉ ହୋଇପାରିବ ନାହିଁ । ଶୁଣି ମହେନ୍ଦ୍ର ସେହି ଫଟୋଟିକୁ ନଷ୍ଟ କରିଦେଲା । ଏହିପରି ଭାବରେ ଫଟୋ ନେଉ ନେଉ ଆଳାପ ପରିଚୟ ବେଶ୍ ବହୁଦୂର ଅଗ୍ରସର ହୋଇଗଲା ।

 

(୧୫)

 

ପବନରେ ଉପରର ପାଉଁଶ ଉଡ଼ିଗଲେ ପାଉଁଶ ତଳେ ଥିବା ନିଆଁ ପୁଣି ଜଳିଉଠେ । ନବଦମ୍ପତିଙ୍କର ପ୍ରେମୋତ୍ସାହ ଯାହା ଟିକିଏ ମ୍ଳାନ ହୋଇ ଆସୁଥିଲା, ତୃତୀୟ ପକ୍ଷର ଆଘାତରେ ତାହା ପୁଣି ହୁତୁ ହୁତୁ ହୋଇ ଜଳିଲା ।

 

ଆଶାର ହାସ୍ୟାଳାପ କରିବାର ଶକ୍ତି ନ ଥିଲା, କିନ୍ତୁ ଅଜସ୍ର ପରିମାଣରେ ସେହି ଶକ୍ତିକୁ ଯୋଗାଇ ଦେବା ଲାଗି ବିନୋଦିନୀର ସାମର୍ଥ ଥିଲା । ଏଇଥିପାଇଁ ବିନୋଦିନୀର ଅନ୍ତରାଳରେ ଆଶା ବେଶ୍ ଆଶ୍ରୟ ପାଇଲା । ସବୁବେଳେ ମହେନ୍ଦ୍ରକୁ ଆମୋଦର ଉତ୍ତେଜନାରେ ରଖିବାକୁ ତାକୁ ଆଉ ଅସାଧ୍ୟ ସାଧନ କରିବାକୁ ପଡ଼ିଲା ନାହିଁ ।

 

ବିବାହର ଅଳ୍ପକାଳ ମଧ୍ୟରେ ମହେନ୍ଦ୍ର ଏବଂ ଆଶା ପରସ୍ପର ପାଖରେ ନିଜକୁ ନିଃଶେଷ କରିଦେବାର ଉପକ୍ରମ କରିଥିଲେ । ପ୍ରେମସଙ୍ଗୀତ ଏକାବେଳେକେ ପରସ୍ପରର ନିଖାଦରୁ ଆରମ୍ଭ ହୋଇଥିଲା । ସୁଧକୁ ନ ଖାଇ ସେମାନେ ମୂଳଧନ ଖାଇବାର ଚେଷ୍ଟାରେ ଥିଲେ । ଏହି ଉଚ୍ଛୁଳା ବନ୍ୟାକୁ ସେମାନେ ପ୍ରାତ୍ୟହିକ ସଂସାରର ସହଜ ସ୍ରୋତରେ କିପରି ପରିଣତ କରିପାରିବେ ? ନିଶା ଖାଇ ସାରିବା ପରେ ଯେଉଁ ଅବସାଦ ଆସେ ଏବଂ ସେହି ଅବସାଦକୁ ଦୂର କରିବା ପାଇଁ ମଣିଷ ପୁଣି ଯେଉଁ ନିଶା ଦରକାର କରେ, ସେହି ନିଶାକୁ ଆଶା କେଉଁଠୁ ଆଣି ଯୋଗାଇ ଦେଇପାରିବ ? ଏହି ସମୟରେ ବିନୋଦିନୀ ନବୀନ ରଙ୍ଗିନ୍ ପାତ୍ର ଭରି ଆଶା ହାତରେ ଆଣି ବଢ଼ାଇ ଦେଲା । ଆଶା ସ୍ୱାମୀଙ୍କୁ ପ୍ରଫୁଲ ଦେଖି ନିଶ୍ଚିନ୍ତ ହେଲା ।

 

ବର୍ତ୍ତମାନ ତାକୁ ଆଉ ଚେଷ୍ଟା କରିବାକୁ ହୁଏ ନାହିଁ । ମହେନ୍ଦ୍ର ବିନୋଦିନୀ ଯେତେବେଳେ ଉପହାସ ପରିହାସ କରନ୍ତି, ସେତେବେଳେ ସେ କେବଳ ପ୍ରାଣ ଖୋଲି ଦେଇ ସେହି ହସରେ ଯୋଗ ଦିଏ । ତାସ ଖେଳରେ ଯେତେବେଳେ ମହେନ୍ଦ୍ର ଆଶାକୁ ଅନ୍ୟାୟରେ ଫାଙ୍କିଦିଏ ସେତେବେଳେ ସେ ବିନୋଦିନୀକୁ ବିଚାରକ ମାନି ସକରୁଣ ଅଭିଯୋଗର ଅବତା’ରଣା କରେ । ମହେନ୍ଦ୍ର ତାକୁ ଥଟ୍ଟା କଲେ ବା କୌଣସି ଅସଙ୍ଗତ କଥା କହିଲେ ସେ ପ୍ରତ୍ୟାଶା କରେ ଯେ ବିନୋଦିନୀ ତା’ର ଉପଯୁକ୍ତ ଉତ୍ତର ଦେଇ ଦେବ । ଏହିପରି ଭାବରେ ତିନିଜଣଙ୍କର ସଭା ସରଗରମ ହୋଇ ଉଠେ ।

 

କିନ୍ତୁ ସେହି କାରଣରୁ ବିନୋଦିନୀର କାମରେ କେବେ କୌଣସି ଶୈଥିଲ୍ୟ ପ୍ରକାଶ ପାଏ ନାହିଁ । ରନ୍ଧାବଢ଼ା ଓ ଘରକରଣା ତୁଲାଇବା, ରାଜଲକ୍ଷ୍ମୀଙ୍କର ସେବା କରିବା, ସବୁ ସେ ନିଃଶେଷଭାବରେ ସମ୍ପନ୍ନ କରିବା ପରେ ଆସି ଆମୋଦରେ ଯୋଗ ଦିଏ । ମହେନ୍ଦ୍ର ଅସ୍ଥିର ହୋଇ କହେ, ଚାକରବାକରଗୁଡ଼ାଙ୍କୁ କାମ କରିବାକୁ ନ ଦେଇ ତୁମେ ମାଟି କରିଦେବ । ବିନୋଦିନୀ କହେ, ‘ନିଜେ କାମ ନ କରି ମାଟି ହେବା ତାହା ଅପେକ୍ଷା ଯଥେଷ୍ଟ ଭଲ । ଯାଅ, ତୁମେ କଲେଜ ଯାଅ ।’

 

ମହେନ୍ଦ୍ର–‘ଆଜି ବର୍ଷା ପାଗଟା–’

 

ବିନୋଦିନୀ–‘ନା, ସେକଥା ହୋଇପାରିବ ନାହିଁ । ତୁମର ଗାଡ଼ି ପ୍ରସ୍ତୁତ ହୋଇ ରହିଚି, କଲେଜ ଯିବାକୁ ହେବ ।’

 

ମହେନ୍ଦ୍ର–‘ମୁଁ ତ ଗାଡ଼ି ପାଇଁ ମନା କରି ଦେଇଥିଲି ।’

 

ବିନୋଦିନୀ–‘ମୁଁ ପୁଣି କହି ଦେଇଥିଲି’–କହି ମହେନ୍ଦ୍ରର କଲେଜ ପୋଷାକ ଆଣି ସମ୍ମୁଖରେ ଉପସ୍ଥାପିତ କଲା ।

 

ମହେନ୍ଦ୍ର–‘ତୁମର ରାଜପୁତ ହୋଇ ଜନ୍ମିବା ଉଚିତ ଥିଲା, ତେବେ ଯୁଦ୍ଧଯାତ୍ରା ସମୟରେ ଆତ୍ମୀୟସ୍ୱଜନଙ୍କୁ ବର୍ମ ପିନ୍ଧାଇ ଦେଉଥାନ୍ତ ।’

 

ଆମୋଦର ପ୍ରଲୋଭନରେ ଛୁଟି ନେବା, ପଢ଼ାରେ ଫାଙ୍କିଦେବା, ଏଇସବୁ କଥାକୁ ବିନୋଦିନୀ ଆଦୌ ପ୍ରଶ୍ରୟ ଦିଏ ନାହିଁ । ତା’ର କଠିନ ଶାସନରେ ଅସମୟରେ ଅନିୟତ ଆମୋଦପ୍ରମୋଦ ଏକାବେଳକେ ବନ୍ଦ ହୋଇଗଲା ଏବଂ ତା’ ପରିବର୍ତ୍ତରେ ସାୟାହ୍ନର ଅବକାଶ ମହେନ୍ଦ୍ର ପକ୍ଷରେ ଅତୀବ ରମଣୀୟ ଓ ଲୋଭନୀୟ ହୋଇ ଉଠିଲା । କେବଳ ଅବସାନ ହେବା ପାଇଁ ଯେପରି ତା’ର ଦିନଟା ସବୁବେଳେ ପ୍ରତୀକ୍ଷା କରି ରହିଥାଏ ।

 

ପୂର୍ବେ ଦିନେ ଦିନେ ସମୟ ଅନୁସାରେ ଆହାର ପ୍ରସ୍ତୁତ ହୋଇପାରୁ ନ ଥିଲା ଏବଂ ସେହି ଆଳ ଧରି ମହେନ୍ଦ୍ର ଆନନ୍ଦରେ କଲେଜ ଯିବା ବନ୍ଦ କରିଦେଇଥିଲା । ଆଜିକାଲି ବିନୋଦିନୀ ସ୍ୱୟଂ ବନ୍ଦୋବସ୍ତ କରି ମହେନ୍ଦ୍ରର କଲେଜ ଭାତ ସକାଳୁ ପ୍ରସ୍ତୁତ କରି ରଖେ ଏବଂ ଖାଇ ସାରିବା ପରେ ମହେନ୍ଦ୍ର ଖବର ପାଏ, ଗାଡ଼ି ପ୍ରସ୍ତୁତ । ପୂର୍ବେ ପୋଷାକପତ୍ର ଏପରି ପରିପାଟୀ ଅବସ୍ଥାରେ ମିଳିବା ଦୂରେଥାଉ, ଧୋବାଘରକୁ ଯାଇଚି କି ଆଲମାରିର କେଉଁ ଅନିର୍ଦ୍ଦେଶ ସ୍ଥାନରେ ଅଖାତରରେ ପଡ଼ିରହିଚି, ସେକଥା ଦୀର୍ଘକାଳ ସନ୍ଧାନ ନ କଲେ ଜଣାପଡ଼ିବା ପ୍ରକୃତରେ ବଡ଼ ଦୁଷ୍କର ଥିଲା ।

 

ପ୍ରଥମେ ପ୍ରଥମେ ବିନୋଦିନୀ ଏହିସବୁ ବିଶୃଙ୍ଖଳା ସକାଶେ ମହେନ୍ଦ୍ର ଆଗରେ ଆଶାକୁ ସହାସ୍ୟ ଭର୍ତ୍ସନା କରୁଥିଲା । ମହେନ୍ଦ୍ର ମଧ୍ୟ ଆଶାର ନିରୂପାୟ ନୈପୁଣ୍ୟହୀନତାରେ ସସ୍ନେହ ହସ ହସୁଥିଲା । ଅବଶେଷରେ ସଖୀବାତ୍ସଲ୍ୟବଶତଃ ବିନୋଦିନୀ ଆଶା ହାତରୁ ତା’ର କର୍ତ୍ତବ୍ୟତ୍ତାର ନିଜ ହାତକୁ ନେଲା । ଘରର ଶ୍ରୀ ବଦଳି ଗଲା ।

 

ଚପକନର ବୋତାମ ଛିଣ୍ଡାଯାଇଚି, ଆଶା ତାହାର କୌଣସି ଆଶୁ ଉପାୟ କରିପାରୁ ନାହିଁ–ବିନୋଦିନୀ ଦ୍ରୁତ ଆସି ହତବୁଦ୍ଧି ଆଶା ହାତରୁ ଚପକନ ଟାଣିନେଇ ଚଟକରି ସିଲାଇ କରିଦିଏ । ଦିନେ ମହେନ୍ଦ୍ର ଲାଗି ପ୍ରସ୍ତୁତ ହୋଇଥିବା ଅନ୍ନରେ ବିଲେଇ ମୁହଁ ମାରିଦେଲା । ଆଶା ନିରୁପାୟ । ବିନୋଦିନୀ ସଙ୍ଗେ ସଙ୍ଗେ ରୋଷେଇ ଘରକୁ ଯାଇ କେଉଁଠୁ କ’ଣ ସଂଗ୍ରହ କରି କାମ ଚଳାଇଦେଲା । ଆଶା ଆଶ୍ଚର୍ଯ୍ୟ ହୋଇଗଲା ।

 

ମହେନ୍ଦ୍ର ଏହିପରି ଆହାର ଓ ଆଚ୍ଛାଦନରେ, କର୍ମ ଓ ବିଶ୍ରାମରେ, ସର୍ବତ୍ର ନାନାବିଧ ଆକାରରେ ବିନୋଦିନୀର ସେବାହସ୍ତ ଅନୁଭବ କରିବାକୁ ଲାଗିଲା । ତା’ର ଗୋଡ଼ରେ ବିନୋଦିନୀ ରଚିତ ପଶମର ଜୋତା ଏବଂ ବିନୋଦିନୀର ହାତବୁଣା କମ୍ପଟ୍ ତା’ର କଣ୍ଠଦେଶରେ ଯେପରି ଏକ କୋମଳ ମାନସିକ ସଂସ୍ପର୍ଶ ପରିବେଷ୍ଟନ କରି ରହିଲା । ଆଜିକାଲି ଆଶା ସଖୀହସ୍ତର ପ୍ରସାଧନରେ ପରିପାଟୀ ପରିଚ୍ଛନ୍ନ ହୋଇ ସୁନ୍ଦର ବେଶରେ ସୁଗନ୍ଧ ଢାଳି ମହେନ୍ଦ୍ର ପାଖରେ ଉପସ୍ଥିତ ହୁଏ–ଯେପରି ସେଥିରୁ କିଛି ଅଂଶ ଆଶାର ନିଜର, ଆଉ କିଛି ଅଂଶ ଆଉ ଜଣକର । ତା’ର ସାଜସଜ୍ଜା, ସୌନ୍ଦର୍ଯ୍ୟ ଆନନ୍ଦରେ ଯେପରି ସେ ଗଙ୍ଗା-ଯମୁନା କରି ତା’ର ସଖୀ ସହିତ ମିଶିଯାଇଚି ।

 

ଆଜିକାଲି ବିହାରୀର ପୂର୍ବ ପରି ଆଦର ନାହିଁ । ମହେନ୍ଦ୍ର ତାକୁ ଆଉ ଡାକି ପଠାଏ ନାହିଁ-। ବିହାରୀ ମହେନ୍ଦ୍ର ପାଖକୁ ଲେଖି ପଠାଇଥିଲା, କାଲି ରବିବାର ଅଛି, ବାରଟାବେଳେ ଆସି ସେ ରାଜଲକ୍ଷ୍ମୀଙ୍କର ହାତରନ୍ଧା ଖାଇବ । ମହେନ୍ଦ୍ର ଦେଖିଲା, ରବିବାରଟା କେବଳ ବ୍ୟର୍ଥ ହୋଇଯିବ, ତେଣୁ ସେ ଶୀଘ୍ର ଲେଖି ପଠାଇଲା କାଲି ସେ ଏକ ବିଶେଷ କାମରେ ବାହାରକୁ ଯିବ-। ତଥାପି ବିହାରୀ ଆହାରାନ୍ତେ ମହେନ୍ଦ୍ର ଘରକୁ ଖବର ନେବାକୁ ଆସିଲା । ବେହେରାଠାରୁ ଶୁଣିଲା ମହେନ୍ଦ୍ର ବାହାରକୁ ଯାଇନାହିଁ । ସିଡ଼ି ପାଖରୁ ‘ମହେନ୍ଦ୍ର ଭାଇ’ ବୋଲି ଡାକି ବିହାରୀ ଘର ଭିତରକୁ ପଶିଗଲା । ମହେନ୍ଦ୍ର ଅପ୍ରସ୍ତୁତ ହୋଇ କହିଲା, ‘ଭାରି ମୁଣ୍ଡ ବିନ୍ଧୁଚି !’ କହି ତକିଆ ଉପରକୁ ଆଉଜି ପଡ଼ିଲା । ଆଶା ସେକଥା ଶୁଣି ଏବଂ ମହେନ୍ଦ୍ରର ମୁହଁର ଅବସ୍ଥା ଦେଖି ବ୍ୟସ୍ତ ହୋଇ ଉଠିଲା । କର୍ତ୍ତବ୍ୟ ସ୍ଥିର କରିବା ପାଇଁ ବିନୋଦିନୀ ଆଡ଼କୁ ଚାହିଁଲା । ବିନୋଦିନୀ ବେଶ୍ ବୁଝିପାରିଥିଲା ଯେ ଅବସ୍ଥାଟା ଆଦୌ ବିଶେଷ ଗୁରୁତର ନୁହେଁ–ତଥାପି ଅତ୍ୟନ୍ତ ଉଦ୍‍ବିଗ୍ନ ଭାବରେ କହିଲା, ‘ଅନେକବେଳୁ ବସିରହିଛ, ଟିକିଏ ଶୋଇପଡ଼ । ମୁଁ ଅଡ଼ିକଲନ ଆଣୁଚି ।’

 

ମହେନ୍ଦ୍ର କହିଲା, ‘ଥାଉ, ଦରକାର ନାହିଁ ।

 

ବିନୋଦିନୀ ନ ଶୁଣି ଦ୍ରୁତପଦରେ ବରଫପାଣିରେ ଅଡିକଲନ୍ ମିଶାଇ ନେଇ ଆସିଲା । ଆଶା ହାତରେ ଓଦା ରୁମାଲ ଦେଇ କହିଲା, ‘ମହେନ୍ଦ୍ର ବାବୁଙ୍କ ମୁଣ୍ଡରେ ବାନ୍ଧି ଦେ ।’

 

ମହେନ୍ଦ୍ର ବାରମ୍ବାର କହିବାକୁ ଲାଗିଲା, ‘ଥାଉ, ଦରକାର ନାହିଁ ।’ ବିହାରୀ ଅବରୁଦ୍ଧ ହାସ୍ୟରେ ଚୁପ୍ ହୋଇ ଅଭିନୟ ଦେଖିବାକୁ ଲାଗିଲା । ସଗର୍ବେ ମହେନ୍ଦ୍ର କହିଲା, ‘ବିହାରୀଟା ଦେଖୁ, ମୋର କେଡ଼େ ଆଦର ।’

 

ଆଶା ବିହାରୀ ସମ୍ମୁଖରେ ଲଜ୍ଜାକମ୍ପିତ ହସ୍ତରେ ଠିକ୍ ଭାବରେ ରୁମାଲ ବାନ୍ଧି ପାରିଲା ନାହିଁ । ଟୋପାଏ ଅଡ଼ିକଲନ୍ ଗଡ଼ିଆସି ମହେନ୍ଦ୍ର ଆଖିରେ ପଡ଼ିଗଲା । ବିନୋଦିନୀ ଆଶା ହାତରୁ ରୁମାଲ ନେଇ ସୁନିପୁଣ ହାତରେ ବାନ୍ଧି ଦେଲା ଏବଂ ଆଉ ଖଣ୍ଡେ କନାକୁ ଅଡ଼ିକଲନରେ ବୁଡ଼ାଇ ଅଳ୍ପ ଅଳ୍ପ କରି ଚିପୁଡ଼ିଦେଲା । ମୁଣ୍ଡ ଉପରକୁ ଓଢ଼ଣା ଟାଣି ଆଶା ପଙ୍ଖା କରିବାକୁ ଲାଗିଲା ।

 

ବିନୋଦିନୀ ସ୍ନିଗ୍‍ଧ ସ୍ୱରରେ ପଚାରିଲା, ‘ମହେନ୍ଦ୍ର ବାବୁ, ଟିକଏ ଭଲ ଲାଗୁଚି ?’ ଏହିପରି କଣ୍ଠସ୍ୱରରେ ମଧୁ ଜାଳିଦେଇ ବିନୋଦିନୀ ଦ୍ରୁତ କଟାକ୍ଷରେ ଥରେ ବିହାରୀ ଆଡ଼କୁ ଚାହିଁଦେଲା । ଦେଖିଲା, ବିହାରୀର ଆଖି କୌତୁକରେ ହସୁଚି । ଘଟଣାଟି ତା’ ପାଖରେ ପ୍ରହସନ ମାତ୍ର । ବିନୋଦିନୀ ବୁଝିନେଲା, ଏହି ଲୋକଟିକୁ ଭୁଲାଇବା ଆଦୌ ସହଜ କଥା ନୁହେଁ । କୌଣସି କଥା ତା’ର ନଜରକୁ ଏଡ଼ି ଯାଇପାରେ ନାହିଁ ।

 

ବିହାରୀ ହସି କହିଲା, ‘ବିନୋଦ ନୂଆବୋଉ ଏପରି ଶୁଶ୍ରୁଷା ପାଇଲେ ରୋଗ ଭଲ ହୁଏ ନାହିଁ, ବରଂ ବଢ଼ିଯାଏ ।’

 

ବିନୋଦିନୀ–‘ମୁଁ ତାହା କିପରି ଜାଣିବି? ମୁର୍ଖ ମାଇପିଲୋକ ମୁଁ, ଆପଣଙ୍କର ଡାକ୍ତରୀ ଶାସ୍ତ୍ରରେ କ’ଣ ଏଇ କଥା ଲେଖାଅଛି ?’

 

ବିହାରୀ–‘ହଁ ଅଛି ଏପରି ସେବା ଦେଖି ତ ମୋର ମୁଣ୍ଡ ମଧ୍ୟ ବିନ୍ଧିବାକୁ ଆରମ୍ଭ କଲାଣି-। କିନ୍ତୁ ପୋଡ଼ା କପାଳକୁ ବିନା ଚିକିତ୍ସାରେ ଚଟ୍‌ପଟ୍ ଭଲ ହୋଇଯିବାକୁ ପଡ଼େ । ମହେନ୍ଦ୍ର ଭାଇର କପାଳ ଭାରି ତେଜ ।’

 

ଓଦାକନା ଖଣ୍ଡ ରଖି ଦେଇ ବିନୋଦିନୀ କହିଲା, ‘ଦରକାର ନାହିଁ ବନ୍ଧୁଙ୍କର ଚିକିତ୍ସା । ବନ୍ଧୁ ଆସି କରନ୍ତୁ ।’

 

ବିହାରୀ ଏସବୁ ଘଟଣା ଦେଖି ଭିତରେ ଭିତରେ ବିରକ୍ତ ହୋଇ ଉଠୁଥିଲା । ଗତ କେତେଦିନ ସେ ଅଧ୍ୟୟନରେ ବ୍ୟସ୍ତ ଥିଲା । ଇତିମଧ୍ୟରେ ମହେନ୍ଦ୍ର, ବିନୋଦିନୀ ଓ ଆଶା ମିଶି ଯେ, ଏତେଦୂର ଅଗ୍ରସର ହୋଇଗଲେଣି, ସେକଥା ସେ ଜାଣି ନ ଥିଲା । ଆଜି ବିନୋଦିନୀକୁ ସେ ବିଶେଷ ଭାବରେ ଦେଖିଲା । ବିନୋଦିନୀ ମଧ୍ୟ ତାକୁ ଦେଖିନେଲା ।

 

ବିହାରୀ ଟିକିଏ ତୀକ୍ଷ୍ଣ ସ୍ୱରରେ କହିଲା, ‘ଠିକ୍ କଥା । ବନ୍ଧୁର ଚିକିତ୍ସା ବନ୍ଧୁ ହିଁ କରିବ । ମୁଁ ମୁଣ୍ଡବିନ୍ଧା ଆଣିଥିଲି । ମୁଇଁ ତାକୁ ସାଙ୍ଗରେ ନେଇଯାଉଚି । ଆଉ ବୃଥା ଅଡ଼ିକଲନ୍ ଖର୍ଚ୍ଚ କରନ୍ତୁ ନାହିଁ । ଆଶା ଆଡ଼କୁ ଚାହିଁ କହିଲା, ‘ନୂଆବୋଉ, ଚିକିତ୍ସା କରି ରୋଗ ଭଲ କରିବା ଅପେକ୍ଷା ରୋଗକୁ ଆଦୌ ହେବାକୁ ନ ଦେବା ସବୁବେଳେ ଭଲ ।’

 

(୧୬)

 

ବିହାରୀ ଭାବିଲା ‘ଆଉ ଦୂରେଇ ହୋଇ ରହିଲେ ଚଳିବ ନାହିଁ । ଯେ କୌଣସି ଉପାୟରେ ହେଉ, ଏମାନଙ୍କ ଭିତରେ ମୋତେ ସ୍ଥାନ କରିନେବାକୁ ହେବ । ଏମାନଙ୍କ ମଧ୍ୟରୁ ମୋତେ କେହି ଚାହିଁବେ ନାହିଁ, ତଥାପି ମୋତେ ରହିବାକୁ ପଡ଼ିବ ।’

 

ବିହାରୀ ଆହ୍ୱାନ-ଅଭ୍ୟର୍ଥନାର ଅପେକ୍ଷା ନ ରଖି ମହେନ୍ଦ୍ରର ବ୍ୟୂହ ମଧ୍ୟରେ ପ୍ରବେଶ କରିବାକୁ ଲାଗିଲା । ବିନୋଦିନୀକୁ କହିଲା, ‘ବିନୋଦ ନୂଆବୋଉ, ଏଇ ପିଲାଟିକୁ ତା’ର ମାଆ ମାଟି କରିଚି, ବନ୍ଧୁ ମାଟି କରିଚି, ସ୍ତ୍ରୀ ମଧ୍ୟ ମାଟି କରିଚି, ତୁମେ ମଧ୍ୟ ସେହି ଦଳରେ ଯୋଗ ନ ଦେଇ କୌଣସି ନୂଆ ପନ୍ଥା ଅବଲମ୍ବନ କର ।’

 

ମହେନ୍ଦ୍ର–ଅର୍ଥାତ୍

 

ବିହାରୀ–ଅର୍ଥାତ୍‍ ମୋ’ ପରି ଲୋକ, ଯାହାକୁ କେହି ପଚାରନ୍ତି ନାହିଁ....

 

ମହେନ୍ଦ୍ର–ତାକୁ ମାଟି କର । ମାଟି ହେବାର ପ୍ରାର୍ଥୀପଣ ମୋଟେ ସହଜ ନୁହେଁ, ବିହାରୀ-! କେବଳ ଦରଖାସ୍ତ ପେଶ୍ କରିଦେଲେ ହେବ ନାହିଁ ।

 

ବିନୋଦିନୀ ହସି କରି କହିଲା, ‘ମାଟି ହେବାର କ୍ଷମତା ଥିବା ଦରକାର, ବିହାରୀ ବାବୁ-!’

 

ବିହାରୀ କହିଲା, ‘ନିଜ ଗୁଣ ନ ଥିଲେ ମଧ୍ୟ ହାତଗୁଣରେ ତ ହୋଇପାରେ ! ଥରେ ପ୍ରଶ୍ରୟ ଦେଇ ଦେଖ ।’

 

ବିନୋଦିନୀ–ଆଗରୁ ପ୍ରସ୍ତୁତ ହୋଇ ଆସିଲେ କିଛି ହୁଏ ନାହିଁ । ଅସାବଧାନ ରହିବାକୁ ହୁଏ । ତୁ’ କ’ଣ କହୁଚୁ, ‘ଅସହୀ’ ? ତୋ’ ଦିଅରର ଭାର ତୁ ନେଲେ କିପରି ହୁଅନ୍ତା ?

 

ଆଶା ତାକୁ ଦି’ ଅଙ୍ଗୁଠିରେ ଠେଲିଦେଲା । ବିହାରୀ ମଧ୍ୟ ଏ ଥଟ୍ଟାରେ ଯୋଗ ଦେଲା ନାହିଁ । ଆଶା ସମ୍ବନ୍ଧରେ ବିହାରୀ କୌଣସି ଥଟ୍ଟା ସହିବ ନାହିଁ, ଏତକ ବିନୋଦିନୀର ନଜର ଆଡ଼େଇ ଯାଇନାହିଁ । ବିହାରୀ ଆଶାକୁ ଶ୍ରଦ୍ଧା କରେ ଏବଂ ବିନୋଦିନୀ କୌଣସି ଗୁରୁତ୍ୱ ଦିଏ ନାହିଁ-। ଏକଥା ବିନୋଦିନୀକୁ ଭାରି ବାଧେ ।

 

ସେ ପୁଣି ଆଶାକୁ କହିଲା, ‘ତୋର ଏଇ ଭିକାରୀ ଦିଅରଟି ମୋତେ ଉପଲକ୍ଷ୍ୟ କରି ତୋ’ ନିକଟରେ ଆଦର ଭିକ୍ଷା କରିବାରୁ ଆସିଚି । କିଛି ଦେ’ ଭଉଣୀ !’

 

ଆଶା ଅତ୍ୟନ୍ତ ବିରକ୍ତ ହେଲା । ମୁହୁର୍ତ୍ତକ ପାଇଁ ବିହାରୀର ମୁହଁ ଲାଲ ହୋଇଗଲା । ପରମୁହୂର୍ତ୍ତରେ ସେ ହସି କରି ହଜିଲା, ‘ମୋ’ରି ବେଳକୁ ପର ଉପରେ ବରାଦ ଚଳାଉଚ, ଆଉ ମହେନ୍ଦ୍ର ଭାଇଙ୍କ ସଙ୍ଗରେ ନଗଦ କାରବାର ?’

 

ବିହାରୀ ସବୁ ମାଟି କରିବାକୁ ଆସିଚି–ଏ କଥା ବୁଝିବାକୁ ବିନୋଦିନୀର ବାକି ରହିଲା ନାହିଁ । ସେ ବୁଝିଲା, ବିହାରୀ ସମ୍ମୁଖରେ ସର୍ବଦା ସଶସ୍ତ୍ର ହୋଇ ରହିବାକୁ ପଡ଼ିବ ।

 

ମହେନ୍ଦ୍ର ମଧ୍ୟ ବିରକ୍ତ ହେଲା । ଖୋଲାଖୋଲି କଥାରେ କବିତ୍ୱର ମାଧୁରୀ ନଷ୍ଟ ହୋଇଯାଏ । ସେ ଇଷତ୍ ତୀବ୍ର ସ୍ୱରରେ କହିଲା, ‘ବିହାରୀ, ତୋର ମହେନ୍ଦ୍ର ଭାଇ କେବେ କୌଣସି କାରବାର କରିବାକୁ ଯାଆନ୍ତି ନାହିଁ । ହାତରେ ଯାହା ଅଛି, ସେ ସେତିକିରେ ସନ୍ତୁଷ୍ଟ ରହନ୍ତି ।’

 

ବିହାରୀ–ସେ ନ ଯାଇ ପାରନ୍ତି, କିନ୍ତୁ ଭାଗ୍ୟରେ ଲେଖାଥିଲେ କାରବାରର ଢେଉ ବାହାରୁ ଆସି ବାଜିବାକୁ କେତେବେଳ ?

 

Unknown

ବିନୋଦିନୀ–ଆପଣଙ୍କ ହାତରେ ବର୍ତ୍ତମାନ କିଛି ନାହିଁ । କିନ୍ତୁ ଆପଣଙ୍କ ଢେଉଟା କେଉଁଆଡ଼ୁ ଆସୁଚି ?–କହି ସେ ସକଟାକ୍ଷ ହାସ୍ୟରେ ଆଶାକୁ ଠେଲିଦେଲା । ଆଶା ବିରକ୍ତ ହୋଇ ଉଠିଗଲା । ବିହାରୀ ପରାଭୂତ ହୋଇ କ୍ରୋଧରେ ନୀରବ ରହିଲା । ଉଠିବାର ଉପକ୍ରମ କରିବାରୁ ବିନୋଦିନୀ କହିଲା, ‘ହତାଶ୍‍ ହୋଇ ଚାଲିଯିବେ ନାହିଁ ବିହାରୀ ବାବୁ । ମୁଁ ‘ଅସହୀ’କୁ ପଠାଇ ଦେଉଚି ।’

 

ବିନୋଦିନୀ ଚାଲିଯିବାରୁ ମହେନ୍ଦ୍ର ମନେ ମନେ ଭାରି ରାଗିଗଲା । ମହେନ୍ଦ୍ରର ଅପ୍ରସନ୍ନ ମୁହଁ ଦେଖି ବିହାରୀର ରୁଦ୍ଧ ଆବେଗ ଉଚ୍ଛ୍ୱସିତ ହୋଇଉଠିଲା । ସେ କହିଲା, ‘ମହେନ୍ଦ୍ର ଭାଇ, ନିଜର ସର୍ବନାଶ କରିବାକୁ ଯାଉଚ, କର । ତୁମର ସେହି ଅଭ୍ୟାସ ବରାବର ରହିଆସିଚି । କିନ୍ତୁ ଯେଉଁ ସରଳହୃଦୟା ସାଧ୍ଵୀ ତୁମକୁ ଏକାନ୍ତ ବିଶ୍ୱାସରେ ଆଶ୍ରୟ କରିଚି ତା’ର ସର୍ବନାଶ କରନା । ପୁଣିଥରେ କହୁଚି, ତା’ର ସର୍ବନାଶ କରନା ।’–କହୁ କହୁ ବିହାରୀର କଣ୍ଠ ରୁଦ୍ଧ ହୋଇଆସିଲା ।

 

ମହେନ୍ଦ୍ର ରୁଦ୍ଧ ରୋଷରେ କହିଲା, ‘ବିହାରୀ, ମୁଁ ତୋ’ କଥା କିଛି ବୁଝିପାରୁନାହିଁ । ତୁ ଯାହା କହୁଚୁ ସ୍ପଷ୍ଟ ଭାବରେ କହ ।’

 

ବିହାରୀ କହିଲା, ‘ହଁ, ସ୍ପଷ୍ଟ ଭାବରେ ହିଁ କହିବି । ବିନୋଦିନୀ ତୁମକୁ ଜାଣିଶୁଣି ଅଧର୍ମ ଆଡ଼କୁ ଟାଣୁଚି ଏବଂ ତୁମେ ନ ଜାଣି ମୂଢ଼ଙ୍କ ପରି ଅବାଟକୁ ଗୋଡ଼ ବଢ଼ାଉଚ ।’

 

ମହେନ୍ଦ୍ର ଗର୍ଜନ କରି କହିଲା, ‘ମିଛ କଥା ! ଭଦ୍ରଘରର ଝିଅକୁ ଯଦି ତୁ ଏପରି ଅନ୍ୟାୟ ସନ୍ଦେହ-ଆଖିରେ ଦେଖିବୁ, ତେବେ ତୋ’ର ଅନ୍ତଃପୁରକୁ ଆସିବା ଉଚିତ ନୁହେଁ ।’

 

ଏହି ସମୟରେ ଗୋଟିଏ ଥାଳୀରେ ମିଷ୍ଟାନ୍ନ ସଜାଡ଼ି ଆଣି ବିନୋଦିନୀ ବିହାରୀର ସମ୍ମୁଖରେ ରଖିଦେଲା ।

 

ବିହାରୀ କହିଲା, ‘ଏ ପୁଣି କ’ଣ ? ମୋତେ ତ ଆଦୌ ଭୋକ କରୁନାହିଁ !’

 

ବିନୋଦିନୀ କହିଲା, ‘ସେକଥା ହୋଇପାରିବ ନାହିଁ । ଆପଣଙ୍କୁ ଟିକିଏ ଜଳଖିଆ ଖାଇବାକୁ ହିଁ ପଡ଼ିବ ।’

 

ହସିକରି ବିହାରୀ କହିଲା, ‘ମୋର ଦରଖାସ୍ତ ମଞ୍ଜୁର ହେଲା ପରା ? ସମାଦର ଆରମ୍ଭ ହେଲା ।’

 

ବିନୋଦିନୀ ଓଠ ଚିପି ହସିଲା । କହିଲା, ‘ଯେତେହେଲେ ଆପଣ ଦିଅର । ସମ୍ପର୍କର ତ ପୁଣି ଜୋର ରହିଚି । ଯେଉଁଠି ଦାବି କରିବା କଥା, ସେଠି ଭିକ୍ଷା କାହିଁକି ? ଆଦର ତ ଆଦାୟ ମଧ୍ୟ କରିପାରନ୍ତି । କ’ଣ କହୁଚନ୍ତି ମହେନ୍ଦ୍ର ବାବୁ ?’

 

ମହେନ୍ଦ୍ର ବାବୁଙ୍କର ସେତେବେଳେ ବାକ୍‌ସ୍ଫୁର୍ତ୍ତି ହେଉ ନ ଥିଲା ।

 

ବିନୋଦିନୀ-ବିହାରୀବାବୁ, ଲାଜରେ ଖାଉ ନାହାନ୍ତି ନା ରାଗରେ ? ଆଉ କାହାକୁ ଡାକିବାକୁ ପଡ଼ିବ ?

 

ବିହାରୀ–କିଛି ଦରକାର ନାହିଁ । ଯେତିକି ପାଇଲି ସେତିକି ପ୍ରଚୁର ।

 

ବିନୋଦିନୀ–ଥଟ୍ଟା ? ଆପଣଙ୍କ ସାଙ୍ଗରେ ଆଉ ପାରିହେବନାହିଁ । ମିଠା ଜିନିଷରେ ବି ମୁହଁ ବନ୍ଦ ହେଉନାହିଁ ।

 

ରାତିରେ ଆଶା ମହେନ୍ଦ୍ର ନିକଟରେ ବିହାରୀ ସମ୍ବନ୍ଧରେ କ୍ରୋଧ ପ୍ରକାଶ କଲା । ଅନ୍ୟ ଦିନପରି ମହେନ୍ଦ୍ର ସେକଥାକୁ ହସରେ ଉଡ଼ାଇ ନ ଦେଇ ସେଥିରେ ସମ୍ପୂର୍ଣ୍ଣ ଯୋଗ ଦେଲା ।

 

ସକାଳୁ ଉଠି ମହେନ୍ଦ୍ର ବିହାରୀ ଘରକୁ ଗଲା । କହିଲା, ‘ବିହାରୀ, ଯେତେହେଲେ ବି ବିନୋଦିନୀ ତ ଆମ ଘର ଝିଅ ନୁହେଁ । ତୁ ଯିବା ଆସିବା କଲେ ସେ ଟିକିଏ ବିରକ୍ତ ହେଉଚି ।’

 

ବିହାରୀ କହିଲା, ‘ସତେ ? ତେବେ ତ ସେପରି କରିବା ଉଚିତ ନୁହେଁ ! ଯେବେ ସେ ଆପତ୍ତି କରୁଚନ୍ତି, ତେବେ ତାଙ୍କ ଆଗକୁ ନ ଗଲେ ହେଲା ।’

 

ମହେନ୍ଦ୍ର ନିଶ୍ଚିନ୍ତ ହେଲା । ଏଡ଼େ ସହଜରେ ଏହି ଅପ୍ରିୟ କାମଟା ଶେଷ ହୋଇଯିବ ବୋଲି ସେ ଭାବି ନ ଥିଲା । ବିହାରୀକୁ ମହେନ୍ଦ୍ର ଡରେ ।

 

ସେଇଦିନ ବିହାରୀ ମହେନ୍ଦ୍ରର ଅନ୍ତଃପୁରକୁ ଯାଇ କହିଲା, ‘ବିନୋଦ ନୂଆବୋଉ, ତୁମେ ମୋତେ କ୍ଷମା କରିବ ।’

 

ବିନୋଦିନୀ–କାହିଁକି ବିହାରୀ ବାବୁ ?

 

ବିହାରୀ–ମହେନ୍ଦ୍ରଠାରୁ ଶୁଣିଲି, ମୁଁ ଘର ଭିତରକୁ ଆସେ ବୋଲି ଆପଣ ବିରକ୍ତ ହୁଅନ୍ତି-। ତେଣୁ କ୍ଷମା ପ୍ରାର୍ଥନା କରି ବିଦା ହେବାକୁ ଆସିଚି ।

 

ବିନୋଦିନୀ–ସେ ପୁଣି କିପରି କଥା ବିହାରୀବାବୁ ? ମୁଁ ଆଜି ଅଛି ତ କାଲି ନାହିଁ । ମୋ’ ପାଇଁ ଆପଣ କାହିଁକି ଯିବା ଆସିବା ବନ୍ଦ କରିଦେବେ ? ଏତେ ଗୋଳମାଳ ହେବ ବୋଲି ଜାଣିଥିଲେ ମୁଁ ଏଠାକୁ ଆସି ନ ଥାନ୍ତି । ଏହା କହି ବିନୋଦିନୀ ମୁଖ ମ୍ଲାନ କରି ସତେ ଅବା ଅଶ୍ରୁସମ୍ବରଣ କରିବା ଲାଗି ଦ୍ରୁତପଦରେ ଚାଲିଗଲା ।

 

ବିହାରୀ ମୁହୂର୍ତ୍ତକ ପାଇଁ ମନେକଲା, ‘ମିଛ ସନ୍ଦେହ କରି ମୁଁ ବିନୋଦିନୀର ମନରେ ଅନ୍ୟାୟ ଭାବରେ ଆଘାତ ଦେଲି ।’

 

ସେଦିନ ସନ୍ଧ୍ୟାବେଳେ ରାଜଲକ୍ଷ୍ମୀ ବିପନ୍ନ ଭାବରେ ଆସି କହିଲେ, ‘ମହେନ୍ଦ୍ର, ବିନୋଦିନୀ ଘରକୁ ଯିବ ବୋଲି ଜିଦ୍ ଧରି ବସିଚି ।’

 

ମହେନ୍ଦ୍ର କହିଲା, ‘କାହିଁକି ମାଆ? ତାଙ୍କର ଏଠାରେ କି ଅସୁବିଧା ହେଉଚି କି ?’

 

ରାଜଲକ୍ଷ୍ମୀ କହିଲେ, ‘ଅସୁବିଧା ନୁହେଁ । ସେ କହୁଚି, ତା ପରି ସମର୍ଥ ବୟସର ବିଧବା ପରଘରେ ବେଶୀ ଦିନ ରହିଲେ ଲୋକେ ନିନ୍ଦା କରିବେ ।’

 

ମହେନ୍ଦ୍ର କ୍ଷୁବ୍‍ଧ ଭାବରେ କହିଲା, ‘ଏଇଟା କ’ଣ ପରଘର ?’

 

ବିହାରୀ ବସିଥିଲା । ମହେନ୍ଦ୍ର ତା’ ପ୍ରତି ଭର୍ତ୍ସନାପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କଲା ।

 

ଅନୁତପ୍ତ ବିହାରୀ ଭାବିଲା, ‘କାଲି ମୋର କଥାବାର୍ତ୍ତାରେ ଟିକିଏ ନିନ୍ଦାର ଆଭାସ ଥିଲା, ବିନୋଦିନୀ ବୋଧହୁଏ ସେଇଥିରେ ଆଘାତ ପାଇଚି ।’

 

ସ୍ୱାମୀ ସ୍ତ୍ରୀ ଉଭୟେ ମିଶି ବିନୋଦିନୀ ଉପରେ ଅଭିମାନ କଲେ ।

 

ଜଣେ କହିଲା, ‘ଆମକୁ ପର ମନେକରୁଚ ?’

 

ଆଉ ଜଣେ କହିଲା, ‘ଏତେ ଦିନପରେ ଆଜି ଆମେ ପର ହୋଇଗଲୁ ?’

 

ବିନୋଦିନୀ କହିଲା, ‘ତୁମେମାନେ କ’ଣ ମୋତେ ଚିରଦିନ ବାନ୍ଧି ରଖିବ?’

 

ମହେନ୍ଦ୍ର କହିଲା, ‘ସେପରି ସ୍ପର୍ଦ୍ଧା ଆମର କାହିଁ ?’

 

ଆଶା କହିଲା, ‘ତେବେ ଏପରି ଭାବରେ କାହିଁକି ଆମର ମନ ଚୋରି କରିବାକୁ ଗଲ-?’

 

ସେଦିନ କିଛି ସ୍ଥିର ହୋଇପାରିଲା ନାହିଁ । ବିନୋଦିନୀ କହିଲା, ‘ନାଇଁ ଭଉଣୀ, ଦି’ଦିନ ପାଇଁ ମାୟା ନ ବଢ଼େଇବା ଭଲ ।’ କହି ବ୍ୟାକୁଳ ଆଖିରେ ଥରେ ମହେନ୍ଦ୍ର ଆଡ଼େ ଚାହିଁଲା ।

 

ପରଦିନ ବିହାରୀ ଆସି କହିଲା, ‘ବିନୋଦ–ନୂଆବୋଉ, ଆପଣ ଯିବେ ବୋଲି କାହିଁକି କହୁଚନ୍ତି ? ମୁଁ କ’ଣ କିଛି ଦୋଷ କରିଚି ? ତା’ର ଶାସ୍ତି–’

 

ବିନୋଦିନୀ ମୁହଁ ବୁଲାଇ କହିଲା, ‘ଆପଣ କାହିଁକି ଦୋଷ କରିବାକୁ ଯିବେ ? ଦୋଷ ହେଉଚି ମୋ’ ଭାଗ୍ୟର ।’

 

ବିହାରୀ–ଆପଣ ଯଦି ଚାଲିଯିବେ, ତେବେ ମୋର କେବଳ ମନେହେବ ଯେ ଆପଣ ମୋ’ ଉପରେ ରାଗି କରି କଲେ ।

 

ବିନୋଦିନୀ କରୁଣ ଚକ୍ଷୁରେ ମିନତି ପ୍ରକାଶ କରି ବିହାରୀ ଆଡ଼କୁ ଚାହିଁଲା–କହିଲା, ‘ମୋର କ’ଣ ଏଠାରେ ରହିବା ଉଚିତ, ଆପଣ ଭାବି କରି କହନ୍ତୁ ।’

 

ବିହାରୀ ଅଡ଼ୁଆରେ ପଡ଼ିଗଲା । ରହିବା ଉଚିତ ବୋଲି ସେ କିପରି କହିବ ? କହିଲା, ‘ଆପଣଙ୍କୁ ତ ଅବଶ୍ୟ ଦିନେ ନା ଦିନେ ଯିବାକୁ ହେବ, ଆଉ ଏବେ ଦି ଚାରିଦିନ ରହିଯାଆନ୍ତ, ସେଥିରେ କ୍ଷତି କ’ଣ ?’

 

ବିନୋଦିନୀ ଆଖି ନତ କରି କହିଲା, ‘ଆପଣମାନେ ସମସ୍ତେ ମୋତେ ରଖିବା ପାଇଁ ଅନୁରୋଧ କରୁଚନ୍ତି । ଆପଣମାନଙ୍କ କଥା ଏଡ଼ି ଦେଇ ଚାଲିଯିବା ମୋ’ ପକ୍ଷରେ ଭାରି କଠିନ, କିନ୍ତୁ ଏପରି କରି ଆପଣମାନେ ଭାରି ଅନ୍ୟାୟ କରୁଚନ୍ତି ।’

 

କହୁ କହୁ ତା’ର ଘନଦୀର୍ଘ ଚକ୍ଷୁପଲ୍ଲବରୁ ଅଶ୍ରୁବିନ୍ଦୁ ଝରିପଡ଼ିବାକୁ ଲାଗିଲା ।

 

ବିହାରୀ ଏହି ନୀରବ ଅଜସ୍ର ଅଶ୍ରୁ ଦେଖି ବ୍ୟାକୁଳ ହୋଇପଡ଼ିଲା–‘ମାତ୍ର କେତେଦିନ ହେଲା ଆସି ଆପଣ ନିଜ ଗୁଣରେ ସଭିଙ୍କୁ ବଶ କରିପକାଇଚନ୍ତି । ସେଥିପାଇଁ କେହି ଆପଣଙ୍କୁ ଛାଡ଼ିବାକୁ ଚାହୁଁ ନାହାନ୍ତି । କିଛି ମନେକରିବେ ନାହିଁ, ବିନୋଦ-ନୂଆବୋଉ । ଏପରି ଲକ୍ଷ୍ମୀଙ୍କୁ ପୁଣି କିଏ ବିଦା କରିଦିଏ ?’

 

ଆଶା ଗୋଟିଏ କ’ଣକୁ ଓଢ଼ଣା ଟାଣି ବସିଥିଲା, ମୁଣ୍ଡ ଉପରକୁ ଲୁଗା ଟାଣି ଆଣି ସେ ଘନ ଘନ ଆଖି ପୋଛିବାକୁ ଲାଗିଲା ।

 

ଏହାପରେ ବିନୋଦିନୀ ଆଉ ଯିବା କଥା ଉଠାଇଲା ନାହିଁ ।

 

(୧୭)

 

ଏଇ ଅପ୍ରିୟ ଗୋଳମାଳଟାକୁ ଭୁଲିଯିବାକୁ ମହେନ୍ଦ୍ର ପ୍ରସ୍ତାବ କଲା, ‘ଆସନ୍ତା ରବିବାର ଦିନ ଦମ୍‌ଦମ୍‌ଠାରେ ବଣଭୋଜି କରିବା ।’

 

ଆଶା ଖୁବ୍ ଉତ୍ସାହିତ ହୋଇଉଠିଲା । ବିନୋଦିନୀ ଯିବାକୁ ଆଦୌ ରାଜି ହେଲା ନାହିଁ । ମହେନ୍ଦ୍ର ଓ ଆଶା ବିନୋଦିନୀର ଆପତ୍ତିରେ ଭାରି ନିରୁତ୍ସାହ ହୋଇପଡ଼ିଲେ । ସେମାନେ ଭାବିଲେ, ଆଜିକାଲି ବିନୋଦିନୀ ଯେପରି ଆପଣାକୁ ଦୂରେଇ ରଖିବାକୁ ଚେଷ୍ଟା କରୁଚି ।

 

ଉପର ଓଳି ବିହାରୀ ଆସିବା ମାତ୍ରେ ବିନୋଦିନୀ କହିଲା, ‘ଦେଖନ୍ତୁ ତ ବିହାରୀ ବାବୁ ! ମହେନ୍ଦ୍ର ବାବୁ ବଣଭୋଜି କରିବାକୁ ଦମ୍‌ଦମ୍‌ ଯିବେ । ମୁଁ ସାଙ୍ଗରେ ଯିବାକୁ ଚାହୁନାହିଁ ବୋଲି ଆଜି ସକାଳୁ ଦୁହେଁ ଯାକ ମୋ’ ଉପରେ ଖପା ହୋଇ ବସିଚନ୍ତି !’

 

ବିହାରୀ କହିଲା, ‘ସେମାନେ କୌଣସି ଅନ୍ୟାୟ କରିନାହାନ୍ତି । ଆପଣ ନ ଗଲେ ଏମାନଙ୍କର ବଣଭୋଜିରେ ଯେଉଁ ବିଭ୍ରାଟ ହେବ, ଅତି ବଡ଼ ଶତ୍ରୁର ମଧ୍ୟ ସେପରି ନ ହେଉ ।’

 

ବିନୋଦିନୀ କହିଲା, ‘ଆପଣ ଚାଲନ୍ତୁ ନା ବିହାରୀବାବୁ ! ଯଦି ଆପଣ ଯିବେ, ତେବେ ମୁଁ ଯିବାକୁ ରାଜି ଅଛି ।’

 

ବିହାରୀ–ଅତି ଉତ୍ତମ କଥା, କିନ୍ତୁ କର୍ତ୍ତାଙ୍କ ଇଚ୍ଛାରେ ସିନା କର୍ମ । କର୍ତ୍ତା କ’ଣ କହୁଚନ୍ତି-?

 

ବିହାର ପ୍ରତି ବିନୋଦିନୀର ଏହି ବିଶେଷ ପକ୍ଷପାତରେ କର୍ତ୍ତା ଓ ଗୃହିଣୀ ଉଭୟେ ମନେ ମନେ ଭାରି କ୍ଷୁଣ୍ଣ ହେଲେ । ବିହାରୀକୁ ସାଙ୍ଗରେ ନେବାର ପ୍ରସ୍ତାବରେ ମହେନ୍ଦ୍ରର ଅଧେ ଉତ୍ସାହ ଉଡ଼ିଗଲା । ବିହାରୀର ଉପସ୍ଥିତି ବିନୋଦିନୀ ପକ୍ଷରେ ଅପ୍ରିୟ, ଏଇ କଥାଟା ବିହାରୀର ମନରେ ମୁଦ୍ରିତ କରିଦେବା ପାଇଁ ମହେନ୍ଦ୍ର ବ୍ୟସ୍ତ, କିନ୍ତୁ ଏହାପରେ ବିହାରୀକୁ ଅଟକାଇ ରହିବା ଆଦୌ ସାଧ୍ୟ ହେବ ନାହିଁ ।

 

ମହେନ୍ଦ୍ର କହିଲା, ‘ସେ ତ ଆହୁରି ଭଲ କଥା ହେବ । କିନ୍ତୁ ବିହାରୀ, ତୁ ଯେଉଁଆଡ଼େ ଯାଉ, କୌଣସି ନା କୌଣସି ଗୋଳମାଳ ନ କରି ଛାଡ଼ୁନାହିଁ । ହୁଏତ ସେଠାରେ ପହଞ୍ଚି ସାହିରୁ ରାଜ୍ୟଯାକର ପିଲାଙ୍କୁ ଡାକି ଆଣିବୁ, ନ ହେଲେ କେଉଁ ସାହେବ ସହିତ ମାଡ଼ ମରାମରି କରିବୁ–ସେ କଥା କେହି କହିପାରିବେ ନାହିଁ ।’

 

ବିହାରୀ ମହେନ୍ଦ୍ରର ଆନ୍ତରିକ ଅନିଚ୍ଛା ବୁଝିପାରି ମନେ ମନେ ହସି କହିଲା,–‘ସେଇ ତ ସଂସାରର ମଜା, କେଉଁଠି କ’ଣ ହେବ, କେଉଁଠି କି ଦୁର୍ଘଟଣା ଘଟିବ, ସେକଥା ପୂର୍ବରୁ କେହି କହିଦେଇ ପାରିବ ନାହିଁ । ବିନୋଦ–ନୂଆବୋଉ, ଏଠାରୁ ବଡ଼ିସକାଳୁ ବାହାରିବାକୁ ହେବ । ମୁଁ ଠିକ୍ ସମୟରେ ଆସି ହାଜର ହେବି ।’

 

ରବିବାର ଦିନ ସକାଳୁ ଜିନିଷ ପତ୍ର ଓ ଚାକରମାନଙ୍କ ପାଇଁ ଖଣ୍ଡେ ତୃତୀୟ ଶ୍ରେଣୀର ଓ ମୁନିବମାନଙ୍କ ପାଇଁ ଖଣ୍ଡେ ଦ୍ୱିତୀୟ ଶ୍ରେଣୀର ଗାଡ଼ି ଭଡ଼ା ହୋଇ ଆସିଛି । ଗୋଟାଏ ମସ୍ତବଡ଼ ପ୍ୟାକ ବାକ୍‌ସ ସାଙ୍ଗରେ ଧରି ବିହାରୀ ଯଥାସମୟରେ ଆସି ଉପସ୍ଥିତ ହେଲା ।

 

ମହେନ୍ଦ୍ର କହିଲା, ‘ସେଇଟା ପୁଣି ସାଙ୍ଗରେ କ’ଣ ? ଚାକରମାନଙ୍କ ଗାଡ଼ିରେ ତ ଆଉ ଜାଗା ନାହିଁ ।’

 

ବିହାରୀ କହିଲା, ‘ତୁମେ ବ୍ୟସ୍ତ ହୁଅନା ଭାଇ । ମୁଁ ସବୁ ଠିକ୍ କରି ଦେଉଚି ।’

 

ବିନୋଦିନୀ ଓ ଆଶା ଯାଇ ଗାଡ଼ି ଭିତରେ ବସିଲେ । ବିହାରୀ କେଉଁଠାରେ ବସିବ ଭାବି ମହେନ୍ଦ୍ର ଟିକିଏ ଇତସ୍ତତଃ ବୋଧ କରିବାକୁ ଲାଗିଲା । ବିହାରୀ ବାକ୍‌ସଟା ଗାଡ଼ି ଉପରକୁ ଉଠାଇ ଦେଇ ଚଟ୍ କରି କୋଚ୍ ବାକ୍‌ସରେ ଯାଇ ବସିଲା ।

 

ମହେନ୍ଦ୍ର ଆଶ୍ୱସ୍ତ ହୋଇ ନିଃଶ୍ୱାସ ପକାଇଲା । ସେ ଭାବୁଥିଲା, ବିହାରୀ ଯାଇ ଭିତରେ ବସିବ କି କ’ଣ କରିବ, କିଛି ଠିକ୍ ନାହିଁ । ବିନୋଦିନୀ ବ୍ୟସ୍ତ ହୋଇ କହିଲା, ‘ବିହାରୀବାବୁ, ସେଠି ବସିଲେ ପଡ଼ିଯିବେ ନାହିଁ ତ ?’

 

ବିହାରୀ ଉତ୍ତର ଦେଲା, ‘କିଛି ଭୟ କରନ୍ତୁ ନାହିଁ । ପତନ ଓ ମୂର୍ଚ୍ଛା ମୋର ପାର୍ଟ ଭିତରେ ନାହିଁ ।’

 

ଗାଡ଼ି ଚାଲିବାକୁ ଆରମ୍ଭ କଲା । ମହେନ୍ଦ୍ର କହିଲା, ‘ନ ହେଲେ ମୁଁ ଯାଉଚି ଉପରେ ବସିବି, ବିହାରୀ ଆସି ଭିତରେ ବସୁ ।’

 

ଆଶା ବ୍ୟସ୍ତ ହୋଇ ତା’ର ଚାଦର ଭିଡ଼ି ଧରି କହିଲା, ‘ନା, ତୁମେ ଯାଇପାରିବ ନାହିଁ ।’

 

ବିନୋଦିନୀ କହିଲା, ‘ଆପଣଙ୍କର ଅଭ୍ୟାସ ନାହିଁ, ଯଦି ପଡ଼ିଯିବେ–’

 

ମହେନ୍ଦ୍ର ଉତ୍ତେଜିତ ହୋଇ କହିଲା, ‘ପଡ଼ିଯିବି ? କେବେ ନୁହେଁ ।’ –କହି ସଙ୍ଗେ ସଙ୍ଗେ ଓହ୍ଲାଇ ଯିବାକୁ ଉଦ୍ୟତ ହେଲା ।

 

ବିନୋଦିନୀ କହିଲା, ‘ଆପଣ ବିହାରୀବାବୁଙ୍କୁ ଦୋଷ ଦିଅନ୍ତି, କିନ୍ତୁ ନିଜେ ତ ଗଣ୍ଡଗୋଳ ଭିଆଇବାରେ ଅଦ୍ୱିତୀୟ ।’

 

ମହେନ୍ଦ୍ର ମୁହଁ ଲଦି କହିଲା, ‘ଆଚ୍ଛା, ମୁଁ ତା’ ହେଲେ ଆଉ ଗୋଟିଏ ଗାଡ଼ି ଭଡ଼ା କରି ଯାଉଚି । ବିହାରୀ ଆସି ଭିତରେ ବସୁ ।’

 

ଆଶା କହିଲା, ‘ତେବେ ମୁଁ ମଧ୍ୟ ତୁମ ଗାଡ଼ିରେ ଯିବି ।’

 

ବିନୋଦିନୀ କହିଲା, ‘ମୁଁ କ’ଣ ତେବେ ଗାଡ଼ିରୁ ଡେଇଁପଡ଼ିବି ?’

 

ଏହିପରି ଗୋଳମାଳ ହୋଇ ଶେଷରେ କଥାଟା ବନ୍ଦ ହୋଇଗଲା ।

 

ମହେନ୍ଦ୍ର ବାଟସାରା ମୁହଁକୁ ଖୁବ୍ ଗମ୍ଭୀର କରି ବସିରହିଲା ।

 

ଗାଡ଼ି ଆସି ଦମ୍‌ଦମ୍‌ରେ ପହଞ୍ଚିଲା । ଚାକରମାନଙ୍କ ଗାଡ଼ି ଆଗରୁ ବାହାରିଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ସେ ଗାଡ଼ି ଆସି ପହଞ୍ଚି ନାହିଁ ।

 

ଶରତକାଳର ପ୍ରଭାବ ଅତି ମଧୁର । ଖରାପଡ଼ି କାକର ଶୁଖିଗଲାଣି, କିନ୍ତୁ ଗଛପତ୍ର ନିର୍ମଳ ଆଲୋକରେ ଝଲମଲ କରୁଚି । ପାଚେରୀକୁ ଲାଗି ଧାଡ଼ିଏ ଗଙ୍ଗଶିଉଳି ଗଛ, ତଳଟା ଯାକ ଫୁଲରେ ଆଚ୍ଛନ୍ନ ଏବଂ ଗନ୍ଧରେ ଆମୋଦିତ ।

 

ଆଶା କଲିକତା’ର ଇଷ୍ଟକ ବନ୍ଧନରୁ ମୁକ୍ତ ପାଇ ବନ୍ୟମୃଗୀ ପରି ଉଲ୍ଲସିତ ହୋଇଉଠିଲା । ସେ ବିନୋଦିନୀ ସହିତ ମିଶି ଗଦାଗଦା ଫୁଲ ଗୋଟାଇଲା । ଗଛରୁ ପାଚିଲା ଆତ ତୋଳି ଆତଗଛ ତଳେ ବସି ଖାଇଲା । ଦୁଇ ସଖୀ ମିଶି ପୋଖରୀକୁ ଗଲେ ଏବଂ ଦୀର୍ଘକାଳ ଧରି ସ୍ନାନ କଲେ । ଦୁଇଟି ନାରୀଙ୍କର ନିରର୍ଥକ ଆନନ୍ଦରେ ଗଛର ଛାୟା ଏବଂ ଶାଖାଚ୍ୟୁତ ଆଲୋକ, ପୁଷ୍କରିଣୀର ଜଳ ଏବଂ ନିକୁଞ୍ଜର ପୁଷ୍ପପଲ୍ଲବ ପୁଲକିତ ଓ ସଚେତନ ହୋଇଉଠିଲେ ।

 

ସ୍ନାନପରେ ଦୁଇ ସଖୀ ଆସି ଦେଖିଲେ, ଚାକମାନଙ୍କର ଗାଡ଼ି ତଥାପି ଆସି ପହଞ୍ଚି ନାହିଁ । ମହେନ୍ଦ୍ର ଘରର ବାରଣ୍ଡାରେ ଚଉକୀ ପକାଇ ବସି ଶୁଖିଲା ମୁହଁରେ ଗୋଟି ବିଲାତୀ ଦୋକାନର ବିଜ୍ଞାପନ ପଢ଼ୁଛି ।

 

ବିନୋଦିନୀ ପଚାରିଲା, ‘ବିହାରୀବାବୁ କାହାନ୍ତି ?’

 

ମହେନ୍ଦ୍ର ସଂକ୍ଷେପରେ ଉତ୍ତର ଦେଲା, ‘କେ ଜାଣେ ?’

 

ବିନୋଦିନୀ–ଚାଲନ୍ତୁ ତାଙ୍କୁ ଖୋଜି ବାହାର କରିବା ।

 

ମହେନ୍ଦ୍ର–ତାକୁ କେହି ଚୋରି କରି ନେଇଯିବ, ଏପରି ଆଶଙ୍କା କରିବାର କୌଣସି କାରଣ ନାହିଁ । ନ ଖୋଜିଲେ ବି ସେ ମିଳିଯିବ ।

 

ବିନୋଦିନୀ–କିନ୍ତୁ ହୁଏତ ସେ ଆପଣଙ୍କ ପାଇଁ ଚିନ୍ତା କରି ମରୁଥିବେ, କାଳେ ଦୁର୍ଲ୍ଲଭ ରତ୍ନ ହଜିଯିବ । ତାଙ୍କୁ ସାନ୍ତ୍ୱନା ଦେଇ ଆସିବା ଉଚିତ ।

 

ଜଳାଶୟକୂଳରେ ଗୋଟିଏ ପ୍ରକାଣ୍ଡ ବରଗଛ, ତଳଟା ସିମେଣ୍ଟ କରାହୋଇଛି । ସେଇଠାରେ ବିହାରୀ ସେଇ ପ୍ୟାକ୍‌ ବାକ୍‌ସ ଖୋଲି ଗୋଟିଏ ଷ୍ଟୋଭ୍ ବାହାର କରି ପାଣି ଗରମ କରୁଚି । ସମସ୍ତେ ପହଞ୍ଚିବା ମାତ୍ରେ ଆତିଥ୍ୟ କରି ସେମାନଙ୍କୁ ପକ୍‌କା ବେଦୀ ଉପରେ ବସାଇ ପ୍ରତ୍ୟେକଙ୍କୁ ସେ କପେ ଚା ଓ ଦୁଇଟି ମିଷ୍ଟାନ ପରଷି ଦେଲା । ବିନୋଦିନୀ ବାରମ୍ବାର କହିବାକୁ ଲାଗିଲା, ‘ଭାଗ୍ୟକୁ ବିହାରୀବାବୁ ସବୁ ଉଦ୍‍ଯୋଗ କରି ଆଣିଥିଲେ ବୋଲି ସିନା, ନ ହେଲେ ଚାହା ନ ପାଇଥିଲେ ମହେନ୍ଦ୍ର ବାବୁଙ୍କର କି ଦଶା ନ ହୋଇଥାନ୍ତା ?’

 

ଚାହା ପାଇ ମହେନ୍ଦ୍ର ପ୍ରାଣ ପାଇଲା, ତଥାପି କହିଲା, ‘ବିହାରୀର ସବୁ ଅତି ବେଶୀ । ଆରେ, ବଣଭୋଜୀ କରିବାକୁ ଆସିଚୁ, –ଏଠାକୁ କି ସବୁ ରୀତିମତ ଆୟୋଜନ କରି ଆଣିବା କି ଦରକାର ? ଏଥିରେ ବଣଭୋଜୀର ମଜା ଆଉ କେଉଁଠି ରହିଲା ?’

 

ବିହାରୀ କହିଲା, ‘ତା’ ହେଲେ ଭାଇ, ତୁମ ଚାହା କପଟା ଫେରାଇ ଦିଅ । ତୁମେ ନ ଖାଇ ମଜା କର,–ମୁଁ ବାଧା ଦେବି ନାହିଁ ।’

 

ବେଳ କ୍ରମେ ଅଧିକ ହେବାକୁ ଲାଗିଲା । ତଥାପି ଚାକରମାନେ ଆସି ପହଞ୍ଚିଲେ ନାହିଁ-। ବିହାରୀର ବାକ୍‌ସରୁ ଆହାରାଦିର ସର୍ବପ୍ରକାର ସାମଗ୍ରୀ ବାହାରିଲା । ଚାଉଳ, ଡାଲି, ପରିବାପତ୍ର ଏବଂ ଛୋଟ ଛୋଟ ବୋତଲରେ ଗୁଣ୍ଡ ହୋଇଥିବା ମସଲା । ବିନୋଦିନୀ ଆଶ୍ଚର୍ଯ୍ୟ ହୋଇ କହିବାକୁ ଲାଗିଲା, ‘ବିହାରୀ ବାବୁ, ଆପଣ ଆମଠାରୁ ବି ବଳିପଡ଼ିଲେ । ଘରେ ତ ଗୃହିଣୀ ନାହାନ୍ତି, ଏସବୁ ଶିଖିଲେ କେଉଁଠୁ ?’

 

ବିହାରୀ କହିଲା, ‘ନିଜ ଗରଜରେ ଶିଖିଚି । ନିଜର ଯତ୍ନ ତ ନିଜକୁ କରିବାକୁ ହୁଏ ।’ ବିହାରୀ ନିତାନ୍ତ ପରିହାସ କରି କହିଲା, କିନ୍ତୁ ବିନୋଦିନୀ ଗମ୍ଭୀର ହୋଇ ବିହାରୀ ପ୍ରତି କରୁଣ ଚକ୍ଷୁରେ କୃପା ବର୍ଷଣ କଲା । ବିହାରୀ ଓ ବିନୋଦିନୀ ମିଶି ରନ୍ଧନାଦିରେ ପ୍ରବୃତ୍ତ ହେଲେ । ଆଶା କ୍ଷୀଣ ସଙ୍କୁଚିତ ଭାବରେ ହସ୍ତକ୍ଷେପ କରିବାକୁ ଆସିଲା, ବିହାରୀ ସେଥିରେ ବାଧା ଦେଲା । ଅପଟୁ ମହେନ୍ଦ୍ର ସାହାଯ୍ୟ କରିବାର କୌଣସି ଚେଷ୍ଟା ସୁଦ୍ଧା କଲା ନାହିଁ । ସେ ଗଛକୁ ଆଉଜି ବସି ଗୋଡ଼ ଉପରେ ଗୋଡ଼ ପକାଇ କମ୍ପିତ ବଟପତ୍ର ଉପରେ ସୂର୍ଯ୍ୟକିରଣର ନୃତ୍ୟ ଅବଲୋକନ କରିବାକୁ ଲାଗିଲା ।

 

ରନ୍ଧନ ପ୍ରାୟ ଶେଷ ହେବାରୁ ବିନୋଦିନୀ କହିଲା, ‘ମହେନ୍ଦ୍ର ବାବୁ, ଆପଣ ଏହି ବଟପତ୍ର ସବୁ ଗଣି ଶେଷ କରିପାରିବେ ନାହିଁ, ଏଥର ଗାଧୋଇ ଯାଆନ୍ତୁ ।’

 

ଏତେବେଳକେ ଭୃତ୍ୟମାନେ ଜିନିଷ ପତ୍ର ନେଇ ଉପସ୍ଥିତ ହେଲେ । ସେମାନଙ୍କର ଗାଡ଼ି ବାଟରେ ଭାଙ୍ଗିଯାଇଥିଲା–ସେତେବେଳକୁ ବେଳ ଦୁଇ ପ୍ରହର ।

 

ଆହାରାନ୍ତେ ସେଇ ବରଗଛ ତଳେ ତାସ ଖେଳିବାର ପ୍ରସ୍ତାବ ହେଲା । ମହେନ୍ଦ୍ର ଖେଳରେ ମୋଟେ ମନ ଦେଲା ନାହିଁ ଏବଂ ଦେଖୁ ଦେଖୁ ଛାଇ ତଳେ ନିଦରେ ଶୋଇପଡ଼ିଲା । ଆଶା ଘରେ ପଶି କବାଟ ବନ୍ଦ କରି ବିଶ୍ରାମର ଉଦ୍‍ଯୋଗ କଲା ।

 

ବିନୋଦିନୀ ମୁଣ୍ଡକୁ ଲୁଗା ଟାଣି ଆଣି କହିଲା, ‘ତେବେ ମୁଁ ବି ଘର ଭିତରକୁ ଯାଉଚି ।’

 

ବିହାରୀ କହିଲା, ‘କୁଆଡ଼େ ଯିବେ ? ବସନ୍ତୁ, ଟିକିଏ ଗପସପ ହେବା । ଆଚ୍ଛା, ଆପଣଙ୍କର ଗାଆଁ କଥା କହନ୍ତୁ ତ ?’

 

ଉଷ୍ଣ ମଧ୍ୟାହ୍ନର ପବନ ତରୁପଲ୍ଲବ ମର୍ମରିତ କରି ବହିଯାଉଛି, ପୋଖରୀ କୂଳ ଜାମୁଗଛର ଘନପତ୍ରଗହଳରୁ କୋଇଲି ଡାକୁଚି,–ବିନୋଦିନୀ ତା’ ପିଲାଦିନର କଥା କହିବାକୁ ଲାଗିଲା । ତା’ର ବାପାମାଆଙ୍କ କଥା, ତା’ର ବାଲ୍ୟ ସାଥୀମାନଙ୍କ କଥା କହୁ କହୁ ତା’ର ମୁଣ୍ଡରୁ ଲୁଗା ଖସିପଡ଼ିଲା, ବିନୋଦିନୀର ମୁହଁ ଉପରେ ଖରଯୌବନର ଯେଉଁ ଦୀପ୍ତିଟି ସର୍ବଦା ବିରାଜ କରିଥାଏ ବାଲ୍ୟସ୍ମୃତିର ଛାୟାପଡ଼ି ତାହା ସ୍ନିଗ୍‍ଧ ହୋଇଆସିଲା । ବିନୋଦିନୀର ଆଖିରେ ଯେଉଁ କୌତୁକ ତୀବ୍ର କଟାକ୍ଷ ଦେଖି ତୀକ୍ଷ୍ଣଦୃଷ୍ଟି ବିହାରୀମନରେ ଏପର୍ଯ୍ୟନ୍ତ ନାନା ପ୍ରକାରର ସଂଶୟ ଉପସ୍ଥିତ ହୋଇଥିଲା, ସେହି ଉଜ୍ଜ୍ୱଳ କୃଷ୍ଣଜ୍ୟୋତି ଯେତେବେଳେ ଶାନ୍ତ-ସକଳ ରେଖାରେ ମ୍ଲାନ ହୋଇ ଆସିଲା, ସେତେବଳେ ବିହାରୀ ଯେପରି ଆଉ ଗୋଟିଏ ଲୋକକୁ ଦେଖିବାକୁ ପାଇଲା । ଏହି ଦୀପ୍ତିମଣ୍ଡଳର କେନ୍ଦ୍ରସ୍ଥଳରେ କୋମଳ ହୃଦୟଟି ଏପର୍ଯ୍ୟନ୍ତ ସୁଧାଧାରାରେ ସରସ ହୋଇ ରହିଚି, ଅପରିତୃପ୍ତ ରଙ୍ଗରସ କୌତୁକବିଳାସର ଦହନଜ୍ୱାଳାରେ ନାରୀ ପ୍ରକୃତି ତଥାପି ଶୁଷ୍କ ହୋଇଯାଇନାହିଁ । ବିନୋଦିନୀ ସଲଜ୍ଜସତୀ ସ୍ତ୍ରୀଭାବରେ ଏକାନ୍ତ ଭକ୍ତିରେ ପତିସେବା କରୁଚି, କଲ୍ୟାଣ ପରିପୂର୍ଣ୍ଣା ଜନନୀ ପରି ସନ୍ତାନକୁ କୋଳରେ ଧରିଚି,–ଏହି ଛବିଟି ଇତିପୂର୍ବେ ମୁହୂର୍ତ୍ତକ ପାଇଁ ମଧ୍ୟ କେବେ ବିହାରୀ ମନରେ ଉଦିତ ହୋଇ ନ ଥିଲା । ଆଜି ଯେପରି ରଙ୍ଗମଞ୍ଚର ପଟ୍ଟଖଣ୍ଡିକ ମୁହୂର୍ତ୍ତକ ପାଇଁ ଉଠିଯାଇ ଘର ଭିତରର ଗୋଟିଏ ମଙ୍ଗଳ ଦୃଶ୍ୟ ଆସି ତା’ ଆଖିରେ ଆସି ପଡ଼ିଲା । ବିହାରୀ ଭାବିଲା, ‘ବିନୋଦିନୀ ବାହାରେ ବିଳାସିନୀ ଯୁବତୀ ସତ, କିନ୍ତୁ ତା’ର ଅନ୍ତର ଭିତରେ ଗୋଟି ପୂଜାରତା ନାରୀ ନିରଶନରେ ବସି ତପସ୍ୟା କରୁଚି ।’ ବିହାରୀ ଦୀର୍ଘ ନିଶ୍ୱାସ ପକାଇ ମନେ ମନେ କହିଲା, ‘ମଣିଷ ପ୍ରକୃତରେ ଆପେ ମଧ୍ୟ ଆପଣାକୁ ଜାଣିପାରେ ନାହିଁ, ତାହା କେବଳ ଅନ୍ତର୍ଯ୍ୟାମୀ ହିଁ ଜାଣନ୍ତି । ଅବସ୍ଥା ବିପାକରେ ଯାହା ବାହାରେ ଗଢ଼ିଉଠେ, ସଂସାର ନିକଟରେ କେବଳ ସେତିକି ହିଁ ସତ୍ୟ ।’ ବିହାରୀ ବିନୋଦିନୀକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି କଥାର ଗତିକୁ ଅବ୍ୟାହତ ରଖିବାକୁ ଚେଷ୍ଟା କଲା । ଆଜିଯାଏ ବିନୋଦିନୀ ଏସବୁ କଥା କାହାରିକୁ ଶୁଣାଇବାର ସୁଯୋଗ ପାଇ ନ ଥିଲା । ବିଶେଷତଃ କୌଣସି ପୁରୁଷ ପାଖରେ ସେ ଏପରି ଆତ୍ମବିସ୍ତୃତ ସ୍ୱାଭାବିକ ଭାବରେ କେବେ ହେଲେ କଥା କହି ନ ଥିଲା,–ଆଜି ଅଜସ୍ର କଳକଣ୍ଠରେ ନିତାନ୍ତ ସହଜ ହୃଦୟରେ କଥା କହି ସେ ନବବାରିଧାରାରେ ସ୍ନାତ, ସ୍ନିଗ୍‍ଧ ଏବଂ ପରିତୃପ୍ତ ହେଲା ପରି ବୋଧ କଲା ।

 

ବଡ଼ି ସକାଳୁ ଉଠିଥିବାର ଉପଦ୍ରବରେ କ୍ଲାନ୍ତ ମହେନ୍ଦ୍ରର ନିଦ ଯାଇ ପାଞ୍ଚଟାବେଳେ ଭାଙ୍ଗିଲା । ସେ ବିରକ୍ତ ହୋଇ କହିଲା, ‘ଏଥର ଫେରିବାର ଉଦ୍‌ଯୋଗ କରାଯାଉ ।’

 

ବିନୋଦିନୀ କହିଲା, ‘ଆଉ ଟିକିଏ ସଞ୍ଜ କରି ଫେରିଲେ କ’ଣ କିଛି କ୍ଷତି ହେବ ?’

 

ମହେନ୍ଦ୍ର କହିଲା, ‘କାଇଁ, –ଶେଷରେ ମାତାଲମାନଙ୍କ ହାବୁଡ଼ରେ ପଡ଼ିବାକୁ ହେବ ?’

 

ଜିନିଷ ପତ୍ର ସଜଡ଼ାସଜଡ଼ି କରୁ କରୁ ସନ୍ଧ୍ୟା ହୋଇଆସିଲା । ଚାକର ଆସି ଖବର ଦେଲା, ‘ଗାଡ଼ି କୁଆଡ଼େ ଯାଇଚି, ଖୋଜି ଖୋଜି ମିଳିଲା ନାହିଁ । ଗାଡ଼ି ବାହାରେ ଅପେକ୍ଷା କରୁଥିଲା, ଦୁଇଜଣ ସାହେବ ଆସି ଗାଡ଼ି ବାଲା ଉପରେ ବଳପ୍ରୟୋଗ କରି ଷ୍ଟେସନକୁ ନେଇ ଯାଇଚନ୍ତି ।’

 

ଆଉ ଖଣ୍ଡେ ଗାଡ଼ି ଭଡ଼ା କରି ଆଣିବାକୁ ଚାକରକୁ ପଠାଗଲା । ବିରକ୍ତ ମହେନ୍ଦ୍ର ମନେ ମନେ କହିବାକୁ ଲାଗିଲା, ଆଜି ଦିନଟା ଯାକ ତୁଚ୍ଛାରେ ମାଟି ହେଲା ।’ ଅଧୈର୍ଯ୍ୟକୁ ଗୋପନ କରି ରଖିବା ତା’ ପକ୍ଷରେ ଅସାଧ୍ୟ ହୋଇଉଠିଲା ।

 

ଶୁକ୍ଲ ପକ୍ଷର ଜହ୍ନ କ୍ରମେ ଶାଖାଜାଲଜଡ଼ିତ ଦିକ୍‍ପ୍ରାନ୍ତରୁ ମୁକ୍ତ ଆକାଶକୁ ଆରୋହଣ କଲା । ନିସ୍ତବ୍‍ଧ ନିଷ୍ପମ୍ପ ଉଦ୍ୟାନଟି ଛାୟାଲୋକରେ ଖଚିତ ହୋଇ ଉଠିଲା । ଏହି ମାୟା ବିମଣ୍ଡିତ ପୃଥିବୀରେ ଆଜି ବିନୋଦିନୀ ଆପଣାକୁ ଅପୂର୍ବ ଭାବରେ ଅନୁଭବ କଲା । ଯେତେବେଳେ ସେ ତରୁବୀଥିକା ମଧ୍ୟରେ ଆଶାକୁ ଆଲିଙ୍ଗନ କଲା, ସେଥିରେ ପ୍ରଣୟର କୃତ୍ରିମତା ଆଦୌ ନ ଥିଲା । ଆଶା ଦେଖିଲା, ବିନୋଦିନୀର ଆଖିରୁ ଲୁହ ବହିଆସୁଚି । ସେ ବ୍ୟଥିତ ହୋଇ ପଚାରିଲା, ‘ତୁମେ କାନ୍ଦୁଚ କାହିଁକି ?’

 

ବିନୋଦିନୀ କହିଲା, ‘ସେ କିଛି ନୁହେ ଭଉଣୀ, ମୁଁ ବେଶ୍ ଖୁସି ଅଛି । ଆଜି ଦିନଟା ମୋତେ ଭାରି ଭଲ ଲାଗିଲା ।

 

ଆଶା ପଚାରିଲା, ‘କ’ଣ ତୁମକୁ ଏତେ ଭଲ ଲାଗିଲା ?’

 

ବିନୋଦିନୀ କହିଲା, ‘ମୋର ମନେହେଉଚି ଯେପରି ମୁଁ ମରିକରି ପରଲୋକକୁ ଆସିଚି-। ଯେପରି ଏଠାରେ ମୋତେ ସବୁ ମିଳିବ–କିଛି ଅପ୍ରାପ୍ୟ ରହିବ ନାହିଁ ।’

 

ବିସ୍ମିତ ଆଶା ଏସବୁ କଥା କିଛି ବୁଝିପାରିଲା ନାହିଁ । ମୃତ୍ୟୁ କଥା ଶୁଣି ସେ ଦୁଃଖିତ ହୋଇ କହିଲା, ‘ଛି ଭଉଣୀ, ଏପରି କଥା ତୁଣ୍ଡରେ ଧରନ୍ତି ନାହିଁ ।’

 

ଗାଡ଼ି ମିଳିଲା । ବିହାରୀ ପୁଣି କୋଚ୍ ବାକ୍‌ସ ଉପରେ ଯାଇ ବସିଲା । ବିନୋଦିନୀ କାହାରି ସହିତ କଥାବାର୍ତ୍ତା ନ କରି ବାହାରକୁ ଚାହିଁରହିଲା । ଜ୍ୟୋତ୍ସ୍ନାଲୋକରେ ସ୍ତମ୍ଭିତ ତରୁଶ୍ରେଣୀ ଧାବମାନ ନିବିଡ଼ ଛାୟାସ୍ରୋତ ପରି ତା’ର ଦୃଷ୍ଟିପଥ ଅତିକ୍ରମ କରି ଚାଲିଯିବାକୁ ଲାଗିଲା । ଆଶା ଗାଡ଼ିର ଗୋଟିଏ କୋଣରେ ଶୋଇପଡ଼ିଲା । ମହେନ୍ଦ୍ର ସୁଦୀର୍ଘ ପଥ ନିତାନ୍ତ ବିଷର୍ଣ୍ଣ ହୋଇ ବସିରହିଲା ।

 

(୧୮)

 

ବଣଭୋଜୀର ଦୁର୍ଦ୍ଦିନ ପରେ ମହେନ୍ଦ୍ର ବିନୋଦିନୀକୁ ପୁନର୍ବାର ଆୟତ୍ତ କରିନେବାକୁ ଉତ୍ସୁକ ଥିଲା, କିନ୍ତୁ ତହିଁଆରଦିନ ରାଜଲକ୍ଷ୍ମୀ ଇନ୍‌ଫ୍ଲୁଏଞ୍ଜା ଜ୍ୱରରେ ପଡ଼ିଲେ । ରୋଗ ଗୁରୁତର ନୁହେଁ, କିନ୍ତୁ ଅସୁସ୍ଥତା ଓ ଦୁର୍ବଳତା ଯଥେଷ୍ଟ । ବିନୋଦିନୀ ଦିନରାତି ତାଙ୍କ ସେବାରେ ଲାଗିରହିଲା-

 

ମହେନ୍ଦ୍ର କହିଲା, ‘ଦିନରାତି ଏପରି ଖଟିଲେ ଶେଷରେ ନିଜେ ରୋଗରେ ପଡ଼ିବେ, ମାଆଙ୍କ ଶୁଶ୍ରୁଷା କରିବା ପାଇଁ ମୁଁ ଅଲଗା ଲୋକ ଠିକ୍ କରି ଦେଇଚି ।’

 

ବିହାରୀ କହିଲା, ‘ମହେନ୍ଦ୍ର ଭାଇ, ତୁମେ ଏତେ ବ୍ୟସ୍ତ ହୁଅନା । ସେ ସେବା କରୁଚନ୍ତି, କରନ୍ତୁ । ଏପରି ସେବା ଆଉ କିଏ କରିପାରିବ ?’

 

ରୋଗୀଘରକୁ ମହେନ୍ଦ୍ର ଘନଘନ ଯାତାୟତ କରିବା ଆରମ୍ଭ କରିଦେଲା । ଗୋଟିଏ ଲୋକ କୌଣସି କାମ କରୁନାହିଁ, ଅଥଚ କାମବେଳେ ପଛେ ପଛେ ଲାଗିରହିଚି–ଏ କଥା କର୍ମିଷ୍ଠା ବିନୋଦିନୀ ପକ୍ଷରେ ଅସହ୍ୟ । ସେ ଦି’ତିନିଥର ବିରକ୍ତ ହୋଇ କହିଲା, ‘ମହେନ୍ଦ୍ରବାବୁ ଆପଣ ଏଠାରେ ବସି ରହି କାହାର କି ସୁବିଧାଟା କରୁଚନ୍ତି କହିଲେ ? ଆପଣ ଯାଆନ୍ତୁ,–ଅନର୍ଥକ କ୍ଲାସ ନଷ୍ଟ କରୁଚନ୍ତି କାହିଁକି ?

 

ମହେନ୍ଦ୍ର ତା’ର ଅନୁସରଣ କରୁଚି ବୋଲି ବିନୋଦିନୀ ମନେ ମନେ ଗର୍ବ ଓ ସୁଖ ଅନୁଭବ କରୁଥିଲା, କିନ୍ତୁ ତା’ ବୋଲି ଏପରି କାଙ୍ଗାଳପଣ । ରୁଗ୍‌ଣ ମା’ ତା’ର ଶଯ୍ୟା ପାଖରେ ମଧ୍ୟ ଲୁବ୍‍ଧ ହୃଦୟରେ ବସିରହିବା,–ଏଥିରେ ତା’ର ଧୈର୍ଯ୍ୟ ରହେନାହିଁ, ଘୃଣା ବୋଧହୁଏ । ଯେତେବେଳେ ବିନୋଦିନୀ ଉପରେ କୌଣସି କାମ ନ୍ୟସ୍ତ ହୋଇ ରହିଥାଏ, ସେତେବେଳେ ସେ ଆଉ କେଉଁଆଡ଼େ ମନ ଦିଏ ନାହିଁ । ଖାଇବା-ପିଇକା, ରୋଗୀସେବା, ଘରକାମର ପ୍ରୟୋଜନ, କୌଣସିଟିରେ ବିନୋଦିନୀକୁ କେହି କେବେ ଅନବଧାନ ଦେଖିନାହାନ୍ତି,–ସେ, ମଧ୍ୟ ପ୍ରୟୋଜନ ସମୟରେ କୌଣସି ପ୍ରକାର ଅପ୍ରୟୋଜନୀୟ କଥା ସହ୍ୟ କରିପାରେନାହିଁ ।

 

ବିହାରୀ ବେଳେବେଳେ ଅଳ୍ପ ସମୟ ପାଇଁ ରାଜଲକ୍ଷ୍ମୀଙ୍କ ଖବର ନେବାକୁ ଆସେ । ଘର ଭିତରେ ପାଦ ଦେବା ସଙ୍ଗେ ସଙ୍ଗେ କ’ଣ ଦରକାର ସେ କଥା ବୁଝିପାରେ । ଯେଉଁ ଜିନିଷର ଅଭାବ ଥାଏ ତାହା ଚଟକରି ତା’ର ଆଖିରେ ପଡ଼ିଯାଏ । ଅଳ୍ପ ସମୟ ଭିତରେ ସବୁ ଠିକ୍ କରିଦେଇ ସେ ବାହାରିଯାଏ । ବିନୋଦିନୀ ବୁଝିପାରେ, ବିହାରୀ ତା’ର ଶୁଶ୍ରୁଷାକୁ ଶ୍ରଦ୍ଧାଚକ୍ଷୁରେ ଦେଖୁଛି । ସେଥିପାଇଁ ବିହାରୀର ଆଗମନରେ ସେ ନିଜକୁ ପୁରସ୍କୃତ ପରି ମନେକରେ ।

 

ମହେନ୍ଦ୍ର ନିତାନ୍ତ ଧିକୃତ ଭାବରେ ଅତ୍ୟନ୍ତ କଡ଼ା ନିୟମରେ କଲେଜ ଯିବାକୁ ଳାଗିଲା । ଏକେତ ତା’ର ମିଜାଜ ସବୁବେଳେ ବଡ଼ ରୁକ୍ଷ ଅବସ୍ଥାରେ ଥିଲା, ତା’ ପରେ ଏ ପୁଣି କି ପରିବର୍ତ୍ତନ-। ରୋଷେଇ ଠିକ୍ ସମୟରେ ହୋଇପାରୁନାହିଁ । ସଇସଟା ନିରୁଦ୍ଦେଶ୍ୟ ହୋଇ କୁଆଡ଼େ ଚାଲିଯାଉଛି, ମୋଜାର ଛିଦ୍ର କ୍ରମେ ବଢ଼ିବାରେ ଲାଗିଚି–ଆଜିକାଲି ଏହିସବୁ ବିଶୃଙ୍ଖଳାରେ ମହେନ୍ଦ୍ର ପୂର୍ବପରି ଆମୋଦ ଅନୁଭବ କରିପାରେନାହିଁ । ଯେତେବେଳେ ଯାହା ଦରକାର, ସେତେବେଳେ ତାହା ହାତ ପାଖରେ ସୁସଜ୍ଜିତ ଭାବରେ ପାଇବାରେ ଯେ କି ଆରାମ ରହିଚି, ସେକଥା ସେ ମାତ୍ର କେତେଦିନ ଭିତରେ ବୁଝିପାରିଚି । ବର୍ତ୍ତମାନ ତାହାରି ଅଭାବରେ, ଆଶାର ଅଶିକ୍ଷିତ ଅପୁଟତାରେ ମହେନ୍ଦ୍ର ଆଉ କୌତୁକ ବୋଧ କରେ ନାହିଁ ।

 

‘ଚୁନି, ତୁମକୁ ମୁଁ କେତେଥର କହିଚି, ଗାଧୋଇବା ପୂର୍ବରୁ ମୋ ଜାମାରେ ବୋତାମ ଲଗାଇ ପ୍ରସ୍ତୁତ କରି ରଖିବ, ଆଉ ମୋର ଚପକନ–ପ୍ୟାଣ୍ଟଲୁନ୍ ଠିକ୍ କରି ରଖିବ । ଦିନେ ସୁଦ୍ଧା ସେ କଥା ହୋଇପାରିଲା ନାହିଁ । ଗାଧୋଇବା ପରେ ବୋତାମ ଲଗାଉ ଲଗାଉ ଆଉ ପୋଷାକ ଖୋଜୁ ଖୋଜୁ ମୋ’ର ପ୍ରତିଦିନ ଦି’ ଘଣ୍ଟା ଚାଲିଯାଉଚି ।’

 

ଅନୁତପ୍ତା ଆଶା ଲଜ୍ଜାରେ ମ୍ଲାନ ହୋଇ କହେ, ‘ମୁଁ ବେହେରାକୁ କହିଥିଲି ।’

 

ବେହେରାକୁ କହିଥିଲି ? ନିଜେ କରି ଦେଇଥିଲେ କ’ଣ ଦୋଷ ହୋଇଯାଇଥାନ୍ତା ? ତୁମଦ୍ୱାରା ଏତିକି ମଧ୍ୟ ହୋଇପାରିବ ନାହିଁ ?’

 

ଆଶା ବଜ୍ରାଘାତ ପରି ଅନୁଭବ କଲା । ଏପରି ଭର୍ତ୍ସନା ସେ କେବେ ଶୁଣି ନାହିଁ । ଏ ଜବାବ ତା’ର ମୁହଁକୁ ବା ମନକୁ ଆସିଲା ନାହିଁ ଯେ, ‘ତୁମେ ହିଁ ତ ମୋର, କର୍ମଶିକ୍ଷାରେ ବ୍ୟାଘାତ କରିଚ ।’ ତା’ର ଏହି ଧାରଣା ମଧ୍ୟ ନ ଥିଲା ଯେ ଗୃହକର୍ମ ଶିକ୍ଷା ନିୟତ ଅଭ୍ୟାସ ଓ ଅଭିଜ୍ଞତାସାପେକ୍ଷ । ସେ ମନେକରୁଥିଲା, ‘ମୋର ସ୍ୱାଭାବିକ ଅକ୍ଷମତା ଓ ନିର୍ବୁଦ୍ଧିତାବଶତଃ କୌଣସି କାମ ମୁଁ ଠିକ୍ ଭାବରେ କରିପାରୁନାହିଁ । ଯେତେବେଳେ ମହେନ୍ଦ୍ର ଆତ୍ମବିସ୍ମୃତ ହୋଇ ବିନୋଦିନୀ ସହିତ ଆଶାର ତୁଳନା କରି ଆଶାକୁ ଧିକ୍‌କାର ଦେଇଚି, ସେତେବେଳେ ସେ ବିନୟର ସହିତ ତାହାକୁ ବିନା ବିଦ୍ୱେଷରେ ଗ୍ରହଣ କରିଚି ।

 

ଆଶା ବେଳେ ବେଳେ ତା’ର ରୁଗ୍‍ଣା ଶାଶୁର ଘର ପାଖରେ ଏପାଖ ସେପାଖ ହୁଏ, ବେଳେ ବେଳେ ଆସି ଲଜ୍ଜିତ ଭାବରେ କବାଟ ପାଖରେ ଠିଆ ହୁଏ । ସେ ନିଜକୁ ସଂସାରର କୌଣସି ଏକ ଆବଶ୍ୟକ କାର୍ଯ୍ୟରେ ନିଯୁକ୍ତ ରହିବାକୁ ଚାହେଁ, କିନ୍ତୁ କେହି ତା’ କାମ ଚାହାନ୍ତି ନାହିଁ-। କିପରି ଭାବରେ କାର୍ଯ୍ୟ ମଧ୍ୟରେ ପ୍ରବେଶ କରିବାକୁ ହୁଏ ଓ କିପରି ଭାବରେ ସଂସାର ମଧ୍ୟରେ ସ୍ଥାନ କରିନେବାକୁ ହୁଏ, ସେ କଥା ସେ ଜାଣେ ନାହିଁ । ସେ ନିଜର କ୍ଷମତା’ର ସଙ୍କୋଚରେ ବାହାରେ ବାହାରେ ରହିଯାଏ । ସତେ ଅବା କୌଣସି ଏକ ମନୋବେଦନା ତା’ ଭିତରେ ଧୀରେ ଧୀରେ ବଢ଼ିବାରେ ଲାଗିଚି, କିନ୍ତୁ ସେହି ଅପରିସ୍ଫୁଟ ବେଦନା, ସେହି ଅବ୍ୟକ୍ତ ଆଶଙ୍କାକୁ ସେ ସ୍ପଷ୍ଟ ଭାବରେ ବୁଝିପାରୁନାହିଁ । ସେ ଅନୁଭବ କରେ, ଯେପରି ତା’ର ନିଜ ଦୋଷରୁ ତା’ର ସବୁ ନଷ୍ଟ ହୋଇଯାଉଚି । କିନ୍ତୁ ସେସବୁ ଯେ କିପରି ଭାବରେ ଗଢ଼ିଉଠୁଥିଲା ଏବଂ କେଉଁ କାରଣରୁ ଯେ ତାହା ନଷ୍ଟ ହୋଇଯାଉଚି, ଓ କ’ଣ କଲେ ଯେ ତା’ର ପ୍ରତିକାର ହୋଇପାରିବ, ତାହା ସେ ଜାଣିପାରେନାହିଁ । ମଝିରେ ମଝିରେ କେବଳ ଚିତ୍କାର କରି କାନ୍ଦି କହିବାକୁ ଇଚ୍ଛା ହୁଏ, ‘ମୁଁ ଅତି ଅଯୋଗ୍ୟ, ଅତି ଅକ୍ଷମ, ମୋର ମୂଢ଼ତା’ର ତୁଳନା ନାହିଁ ।’

 

ପୂର୍ବେ ଆଶା ଓ ମହେନ୍ଦ୍ର ସୁଦୀର୍ଘକାଳ ଧରି ଘରକୋଣରେ ବସି କେତେବେଳେ କଥାବାର୍ତ୍ତା କରି, କେତେବେଳେ କଥାବାର୍ତ୍ତା ନ କରି ପରିପୂର୍ଣ୍ଣ ସୁଖରେ ସମୟ କଟାଇ ଦେଉଥିଲେ-। ଆଜିକାଲି ବିନୋଦିନୀର ଅଭାବରୁ ଆଶା ସହିତ ଏକୁଟିଆ ବସି କଥାବାର୍ତ୍ତା ହେବାକୁ ଯେପରି ମହେନ୍ଦ୍ରର ମୁହଁରେ କୌଣସି କଥା ମଧ୍ୟ ଜୁଟେ ନାହିଁ ଏବଂ କିଛି ନ କହି ନୀରବରେ ରହିବାକୁ ମଧ୍ୟ ତାକୁ ବଡ଼ ଅଡ଼ୁଆ ଲାଗେ ।

 

ମହେନ୍ଦ୍ର ବେହେରାକୁ ପଚାରିଲା, ‘ସେ ଚିଠି କାହାର ?

 

‘ବିହାରୀବାବୁଙ୍କର ।’

 

‘କିଏ ଦେଇଚି ?’

 

‘ବିନୋଦ–ସାଆନ୍ତାଣୀ ।’

 

‘ଦେଖେ–କହି ମହେନ୍ଦ୍ର ଚିଠିଖଣ୍ଡିକ ହାତକୁ ନେଲା । ଚିଠି ପଢ଼ିବାକୁ ଇଚ୍ଛା ହେଲା, କିନ୍ତୁ ଦି’ ଚାରିଥର ଏପାଖ ସେପାଖ କରି ବେହେରାହାତକୁ ପକାଇ ଦେଲା । ଯଦି ଚିଠି ଖୋଲିଥାନ୍ତା, ତେବେ ଦେଖିଥାନ୍ତା ଯେ ସେଥିରେ ଲେଖା ହୋଇଚି, ପିଉସୀ ସାଗୁବାଲି ଖାଇବାକୁ ଆଦୌ ମଙ୍ଗୁନାହାନ୍ତି । ଆଜି ତାଙ୍କୁ ଡାଲିପାଣି ଖାଇବାକୁ ଦିଆଯାଇ ପାରିବ କି ?’ ଔଷଧ –ପଥ୍ୟ ସମ୍ବନ୍ଧରେ ବିନୋଦିନୀ ମହେନ୍ଦ୍ରକୁ କେବେହେଲେ କିଛି ପଚାରେ ନାହିଁ–ସେ ସମ୍ବନ୍ଧରେ ବିହାରୀ ଉପରେ ତା’ର ଅଧିକ ଭରସା ଥାଏ ।

 

ମହେନ୍ଦ୍ର ବାରଣ୍ଡାରେ କିଛି ସମୟ ପଦଚାରଣା କରି ଘର ଭିତରକୁ ଆସି ଦେଖିଲା, କାନ୍ଥ ଟଙ୍ଗା ହୋଇଥିବା ଗୋଟିଏ ଛବିର ଦଉଡ଼ି ଛିଣ୍ଡି ଆସୁଥିବାରୁ ଛବିଟା ବଙ୍କା ଭାବରେ ରହିଚି । ଆଶାକୁ ଖୁବ୍ ଧମକ ଦେଇ କହିଲା, ‘କିଛି ତୁମ ଆଖିକୁ ଦିଶୁ ନାହିଁ ? ଦେଖୁଚି, ଏମିତି ଧୀରେ ଧୀରେ ଘରର ସବୁ ଜିନିଷ ନଷ୍ଟ ହୋଇଯିବ ।’ ଦମ୍‌ଦମ୍‌ରୁ ଯେଉଁ ଫୁଲ ସଂଗ୍ରହ କରି ବିନୋଦିନୀ ପିତଳ ଫୁଲଦାନୀରେ ତୋଡ଼ା ବାନ୍ଧି ସଜାଇ ରଖିଥିଲା, ତାହା ଆଜିଯାଏ ଶୁଷ୍କ ଅବସ୍ଥାରେ ସେଇଥିରେ ହିଁ ରହିଚି । ଅନ୍ୟଦିନ ମହେନ୍ଦ୍ର ଏସବୁ ଲକ୍ଷ୍ୟ କରେ ନାହିଁ, ଆଜି କିନ୍ତୁ ନଜରରେ ପଡ଼ିଗଲା । ସେ କହିଲା, ‘ବିନୋଦିନୀ ନିଜେ ଆସି ନ ଫୋପାଡ଼ିଲେ ଇଏ ଆଉ ଫୋପଡ଼ା ହୋଇପାରିବ ନାହିଁ–ଏହି ଫୁଲ ସହିତ ଫୁଲଦାନୀଟା ବାହାରରୁ ଫୋପାଡ଼ି ଦେଲା । ଠଣ ଠଣ ଶବ୍ଦ କରି ସେଇଟା ସିଡ଼ି ଉପରେ ତଳକୁ ଗଡ଼ିଗଲା ।

 

ଆଶା କାହିଁକି ମୋର ମନୋମତ ହେଉନାହିଁ, କାହିଁକି ସେ ମୋର ପସନ୍ଦ ଅନୁସାରେ କାମ କରୁନାହିଁ, କାହିଁକି ତା’ର ସ୍ୱଭାବଗତ ଶୈଥିଲ୍ୟ ଓ ଦୁର୍ବଳତାରେ ସେ ମୋତେ ଦାମ୍ପତ୍ୟପଥରେ ଦୃଢ଼ଭାବରେ ଟାଣି ରଖିପାରୁନାହିଁ, ସବୁବେଳେ ମୋତେ ବିକ୍ଷିପ୍ତ କରି ପକାଉଚି ? ମନେ ମନେ ଏହିସବୁ ପ୍ରଶ୍ନଦ୍ୱାରା ଆନ୍ଦୋଳନ ହେଉ ହେଉ ମହେନ୍ଦ୍ର ହଠାତ୍ ଦେଖିଲା, ଆଶାର ମୁହଁ ପାଂଶୁବର୍ଣ୍ଣ ହୋଇଯାଇଛି । ସେ ଖଟବାଡ଼ ଧରି ଠିଆ ହୋଇଛି । ତା’ର ଓଠ ଯୋଡ଼ିକ ଥରି ଉଠୁଛି, ଥରି ଥରି ସେ ହଠାତ୍ ପାଖ ଘର ଭିତରକୁ ଚାଲିଗଲା ।

 

ମହେନ୍ଦ୍ର ଧୀରେ ଧୀରେ ଯାଇ ଫୁଲଦାନୀଟା ଗୋଟାଇ ଆଣି ଯଥାସ୍ଥାନରେ ରଖିଦେଲା-। ଘରର ଗୋଟିଏ କୋଣରେ ତା’ର ପଢ଼ା ଟେବୁଲଟା ଥିଲା, ଚଉକୀରେ ବସି ସେହି ଟେବୁଲରେ ହାତ ଉପରେ ମୁଣ୍ଡ ଗୁଞ୍ଜି ଅନେକ ସମୟ ପଡ଼ିରହିଲା ।

 

ସନ୍ଧ୍ୟା ପରେ ଚାକର ଆସି ଘରେ ଆଲୁଅ ଦେଇଗଲା, କିନ୍ତୁ ଆଶା ଆସିଲା ନାହିଁ । ମହେନ୍ଦ୍ର ଛାତ ଉପରେ ଦ୍ରୁତ ପଦଚାରଣା କରିବାକୁ ଲାଗିଲା । ରାତି ନଅଟା ବାଜିଲା, ମହେନ୍ଦ୍ରର ଲୋକବିରଳ ଗୃହ ରାତି ଅଧ ପରି ନିସ୍ତବ୍‍ଧ ହୋଇଗଲା, ତଥାପି ଆଶା ଆସିଲା ନାହିଁ । ମହେନ୍ଦ୍ର ତାକୁ ଡାକି ପଠାଇଲା । ଆଶା ସଙ୍କୁଚିତ ପଦକ୍ଷେପରେ ଆସି ଛାତର ପ୍ରବେଶଦ୍ୱାର ନିକଟରେ ଠିଆ ହୋଇ ରହିଲା । ମହେନ୍ଦ୍ର ପାଖକୁ ଆସି ତାକୁ ଛାତି ଉପରକୁ ଟାଣିନେଲା । ମୁହୂର୍ତ୍ତକ ମଧ୍ୟରେ ସ୍ୱାମୀର ଛାତି ଉପରେ କ୍ରନ୍ଦନରତା ଆଶା ଝାଉଁଳି ପଡ଼ିଲା । ଚେଷ୍ଟାକରି ମଧ୍ୟ ସେ ନିଜକୁ ଆୟତ୍ତ କରିପାରିଲା ନାହିଁ । ଆଖିରୁ ଧାର ଧାର ହୋଇ ଲୁହ ବହିବାକୁ ଲାଗିଲା । କ୍ରନ୍ଦନର ଶବ୍ଦକୁ ଚାପିରଖିବା ଅସମ୍ଭବ ହୋଇପଡ଼ିଲା । ମହେନ୍ଦ୍ର ତାକୁ ବକ୍ଷରେ ଆବଦ୍ଧ କରି କେଶ ଚୁମ୍ବନ କଲା-ନିଃଶବ୍ଦ ଆକାଶରେ ତାରାଗୁଡ଼ିକ ନିସ୍ତବ୍‍ଧ ହୋଇ ଚାହିଁ ରହିଲେ ।

 

ରାତିରେ ବିଛଣାରେ ବସି ମହେନ୍ଦ୍ର କହିଲା, ‘ଆଜିକାଲି କଲେଜରେ ବେଶୀ ନାଇଟ୍ ଡିଉଟି ପଡ଼ୁଛି, ତେଣୁ ବର୍ତ୍ତମାନ କିଛିଦିନ ପାଇଁ ମୋତେ କଲେଜ ପାଖରେ ବସା କରି ରହିବାକୁ ହେବ ।’

 

ଆଶା ଭାବିଲା, ‘ଏ ପର୍ଯ୍ୟନ୍ତ କ’ଣ ରାଗ ଅଛି ? ମୋ’ ଉପରେ ବିରକ୍ତ ହୋଇ ଚାଲିଯାଉଚନ୍ତି ? ନିଜର ନିର୍ଗୁଣତାରୁ ମୁଁ ସ୍ୱାମୀଙ୍କୁ ଘରୁ ତଡ଼ିଲି ? ମୋତେ ମରଣ ହୋଇଯାଆନ୍ତା କି !’

 

କିନ୍ତୁ ମହେନ୍ଦ୍ରର ବ୍ୟବହାରରେ ରାଗର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା । ଅନେକ ସମୟ ପର୍ଯ୍ୟନ୍ତ ସେ କିଛି ନ କହି ଆଶାର ମୁହଁକୁ ଛାତି ଉପରେ ଚାପିରଖିଲା । ଏବଂ ବାରମ୍ବାର ଆଙ୍ଗୁଳିଦ୍ୱାରା ତା’ର ମୁଣ୍ଡର ବାଳ ଖେଳାଇ ଖେଳାଇ ତା’ର ଖୋସାକୁ ଶିଥିଳ କରିଦେଲା-। ପୂର୍ବେ ଆଦର କଲାବେଳେ ମହେନ୍ଦ୍ର ଏହିପରି ଭାବରେ ଆଶାର ଖୋସା ଖୋଲିଦିଏ-। ଆଶା ସେଥିରେ ଆପତ୍ତି କରେ, କିନ୍ତୁ ଆଜି ସେ କୌଣସି ଆପତ୍ତି ନ କରି ପୁଲକରେ ବିହ୍ୱଳ ହୋଇ ନୀରବ ରହିଲା । ହଠାତ୍ ତା’ର ଲଲାଟ ଉପରେ ବିନ୍ଦୁଏ ଲୁହ ଝରିପଡ଼ିଲା ଏବଂ ମହେନ୍ଦ୍ର ତା’ର ମୁହଁକୁ ଟେକି ଧରି ସ୍ନେହ ରୁଦ୍ଧ କଣ୍ଠରେ ଡାକିଲା, ‘ଚୁନି !’ କୌଣସି ଉତ୍ତର ନ ଦେଇ ଆଶା ଦୁଇ କୋମଳ ହସ୍ତରେ ମହେନ୍ଦ୍ରକୁ ଭିଡ଼ି ଧରିଲା । ମହେନ୍ଦ୍ର କହିଲା, ‘ଅପରାଧ କରିଚି, ମୋତେ କ୍ଷମା କର !’

 

ଆଶା ଆପଣାର କୁସୁମ-ସୁକୁମାର କରପଲ୍ଲବକୁ ମହେନ୍ଦ୍ରର ମୁହଁ ଉପରେ ଚାପି ଧରି କହିଲା, ‘ନାଇଁ ନାଇଁ ସେପରି କହ ନାହିଁ । ତୁମେ କୌଣସି ଅପରାଧ କରିନାହଁ । ସବୁ ଦୋଷ ମୋର । ମୋତେ ତୁମର ଦାସୀ ପରି ଶାସନ କର । ମୋତେ ତୁମ ଚରଣାଶ୍ରୟର ଯୋଗ୍ୟ କରିନିଅ ।’

 

ବିଦାୟ ଦିନ ପ୍ରଭାତରେ ଶଯ୍ୟାତ୍ୟାଗ କରିବା ସମୟରେ ମହେନ୍ଦ୍ର କହିଲା, ‘ଚୁନି ! ମୋ’ ରତ୍ନ, ମୋ’ର ହୃଦୟରେ ତୁମର ସ୍ଥାନ ସବୁଠାରୁ ଉଚ୍ଚରେ । ସେଠାରେ ତୁମକୁ କେହି ଅତିକ୍ରମ କରିପାରିବେ ନାହିଁ ।’

 

ଆଶା ଦୃଢ଼ ଚିତ୍ତରେ ସର୍ବପ୍ରକାର ତ୍ୟାଗ ସ୍ୱୀକାର କରିବାକୁ ପ୍ରସ୍ତୁତ ହୋଇ ସ୍ୱାମୀ ନିକଟରେ ଆପଣାର ଗୋଟିଏ ମାତ୍ର କ୍ଷୁଦ୍ର ଦାବୀ ଉପସ୍ଥାପିତ କଲା । କହିଲା, ‘ତୁମେ ମୋ’ ପାଖକୁ ରୋଜ ଚିଠି ଦେବ ।’

 

ମହେନ୍ଦ୍ର କହିଲା, ‘ତୁମେ ମଧ୍ୟ ଦେବ ।’

 

ଆଶା କହିଲା, ‘ମୁଁ କ’ଣ ଲେଖି ଜାଣିଚି ?’

 

ମହେନ୍ଦ୍ର ତା’ର କାନ ପାଖରେ ପଡ଼ିଥିବା ଅଳକଗୁଚ୍ଛକୁ ଟିକିଏ ଟାଣି ଦେଇ କହିଲା, ‘ତୁମେ ଅକ୍ଷୟକୁମାର ଦତ୍ତଙ୍କଠାରୁ ଭଲ ଲେଖିପାରେ–ତାଙ୍କର ଚାରୁପାଠ ବହିଠାରୁ ଭଲ ।’

 

ଆଶା କହିଲା,‘ଥାଉ, ଆଉ ଥଟ୍ଟା କରିବା ଦରକାର ନାହିଁ ।’

 

ଯିବା ପୂର୍ବରୁ ଆଶା ଯଥାସାଧ୍ୟ ନିଜ ହାତରେ ମହେନ୍ଦ୍ରର ଜିନିଷପତ୍ର ସଜାଡ଼ି ବସିଲା । ମହେନ୍ଦ୍ର ମୋଟାମୋଟି ଶୀତ–ପୋଷାକ ଠିକ ଭାବରେ ଭାଙ୍ଗ କରି ରଖିବା ବଡ଼ କଠିନ, ବାକ୍‌ସରେ ସଜାଡ଼ି ରଖିବା ବଡ଼ କଷ୍ଟ । ଉଭୟେ ମିଶି କୌଣସି ମତେ ମାଡ଼ି ମୁଡ଼ି ଯାହା ଗୋଟିଏ ବାକ୍‌ସରେ ରହିବା କଥା, ତାହାକୁ ଦୁଇଟା ବାକ୍‌ସରେ ଭର୍ତ୍ତି କଲେ, ତଥାପି ଯାହା ଭୁଲ କ୍ରମେ ବାକି ରହିଗଲା, ସେଥିରେ କେତେଗୁଡ଼ିଏ ଅଧିକ ପୁଡ଼ିଆ ସୃଷ୍ଟି ହେଲା । ସେଥିପାଇଁ ଆଶା ଭାରି ଲଜ୍ଜାବୋଧ କଲା-। ତଥାପି ସେମାନଙ୍କର ଛଡ଼ାଛଡ଼ି, କୌତୁକ ଓ ପରସ୍ପରପ୍ରତି ସହାସ୍ୟ ଦୋଷାରୋପରେ ପୂର୍ବର ଆନନ୍ଦମୟ ଦିନ ଫେରିଆସିଲା । ଏହା ବିଦାୟର ଆୟୋଜନ ବୋଲି ଆଶା କ୍ଷଣକାଳ ପାଇଁ ଭୁଲିଗଲା । ସଇସ ତେଣେ ଦଶଥର ଗାଡ଼ି ପ୍ରସ୍ତୁତ କରି ମହେନ୍ଦ୍ରକୁ ସ୍ମରଣ କରାଇଦେଲା । ମହେନ୍ଦ୍ର ସେ କଥାରେ କାନ ଦେଲା ନାହିଁ । ଅବଶେଷରେ ବିରକ୍ତ ହୋଇ କହିଲା, ‘ଗାଡ଼ିରୁ ଘୋଡ଼ା ଫିଟାଇ ଦେ’ । କ୍ରମେ ଅପରାହ୍ନ ସାୟାହ୍ନକୁ ଗଡ଼ିଗଲା । ସେତେବେଳେ ସ୍ୱାସ୍ଥ୍ୟ ପାଳନ କରିବାକୁ ପରସ୍ପରକୁ ସତର୍କ କରି ଏବଂ ନିୟମିତ ଚିଠି ଲେଖିବା ସମ୍ବନ୍ଧରେ ବାରମ୍ବାର ପ୍ରତିଶ୍ରୁତି ଆଦାୟ କରି ଭାରାକ୍ରାନ୍ତ ହୃଦୟରେ ପରସ୍ପରର ବିଚ୍ଛେଦ ହେଲା ।

 

ରାଜଲକ୍ଷ୍ମୀ ଦି’ ଦିନ ହେଲା ଭଲ ଅଛନ୍ତି । ସନ୍ଧ୍ୟାବେଳେ ମୋଟା ଚାଦର ଘୋଡ଼ି ହୋଇ ସେ ବିନୋଦିନୀ ସହିତ ତାସ ଖେଳୁଥିଲେ । ଆଜି ତାଙ୍କର ଶରୀରରେ କୌଣସି ଗ୍ଲାନି ନ ଥିଲା । ମହେନ୍ଦ୍ର ଘରେ ପ୍ରବେଶ କରି ବିନୋଦିନୀ ଆଡ଼କୁ ନ ଚାହିଁ ମାଆଙ୍କୁ କହିଲା, ‘ମାଆ, କଲେଜରେ ଆଜିକାଲି ରାତିରେ ଡିଉଟି ପଡ଼ୁଚି । ଏଠି ରହିଲେ ଭାରି ଅସୁବିଧା ହେଉଚି । ସେଥିପାଇଁ କଲେଜ ପାଖରେ ମୁଁ ଗୋଟିଏ ବସାଘର ଠିକ୍ କରିଚି । ଆଜିଠାରୁ ଯାଉଚି ସେଠି ରହିବି ।’

 

ରାଜଲକ୍ଷ୍ମୀ ମନେ ମନେ ଅଭିମାନ କରି କହିଲା, ’ହଉ ଯାଆ, ପଢ଼ାରେ କ୍ଷତି ହେଲେ ଏଠାରେ କିପରି ରହିବୁ ?’

 

ଅବଶ୍ୟ ତାଙ୍କର ରୋଗ ଭଲ ହୋଇଗଲାଣି । ତଥାପି ମହେନ୍ଦ୍ର ଯିବା କଥା ଶୁଣି ସେ ନିଜକୁ ଅତ୍ୟନ୍ତ ରୁଗ୍‌ଣ ଓ ଦୁର୍ବଳ ବୋଲି ମନେକଲେ । ବିନୋଦିନୀକୁ କହିଲେ, ‘ଦେ ମା, ତକିଆଟା ଟିକିଏ ବଢ଼ାଇ ଦେ’ ।’ କହି ତକିଆ ଅବଲମ୍ବନ କରି ଶୋଇଲେ । ବିନୋଦିନୀ ଧୀରେ ଧୀରେ ତାଙ୍କ ଦେହରେ ହାତ ବୁଲାଇବାକୁ ଲାଗିଲା ।

 

ମହେନ୍ଦ୍ର ମାଆଙ୍କର କପାଳରେ ହାତ ଦେଇ ଦେଖିଲା । ନାଡ଼ୀ ପରୀକ୍ଷା କଲା । ରାଜଲକ୍ଷ୍ମୀ ହାତ ଛଡ଼ାଇ ନେଇ କହିଲେ, ‘ନାଡ଼ୀ ଦେଖି ତୁ କ’ଣ ବୁଝିପାରିବୁ ? ତୋ’ର କୌଣସି ଚିନ୍ତା କରିବା ଦରକାର ନାହିଁ । ମୁଁ ବେଶ୍ ଭଲ ଅଛି ।’ କହି ଅତ୍ୟନ୍ତ ଦୁର୍ବଳ ଭାବରେ କଡ଼ ଲେଉଟାଇ ଶୋଇଲେ ।

 

ମହେନ୍ଦ୍ର ବିନୋଦିନୀକୁ କୌଣସି ପ୍ରକାର ବିଦାୟ-ସମ୍ଭାଷଣ ନ କରି ରାଜଲକ୍ଷ୍ମୀଙ୍କୁ ପ୍ରଣାମ କରି ଚାଲିଗଲା ।

 

(୧୯)

 

ବିନୋଦିନୀ ମନେ ମନେ ଭାବିଲା, ‘କଥା କ’ଣ ? ଅଭିମାନ ନା ରାଗ ନା ଭୟ ? ମୋତେ ଦେଖାଇବାକୁ ଚାହାନ୍ତି ଯେ ସେ ମୋତେ କୌଣସି ଖାତିରି କରନ୍ତି ନାହିଁ । ଅନ୍ୟ ବସାରେ ଯାଇ ରହିବେ ? ଦେଖାଯାଉ, କେତେ ଦିନ ରହିପାରିବେ ।’

 

କିନ୍ତୁ ବିନୋଦିନୀର ମନରେ ନାନା ପାଶରେ ଆବଦ୍ଧ ଓ ନାନା ବାଣରେ ବଦ୍ଧ କରୁଥିଲା-। ସେ ଅଭିନୟ ବନ୍ଦ ହୋଇଯିବାରୁ ବିନୋଦିନୀ ଛଟପଟ ହେବାକୁ ଲାଗିଲା । ଏ ଘରେ ତା’ର ଆଉ କୌଣସି ଆକର୍ଷଣ ରହିଲା ନାହିଁ । ମହେନ୍ଦ୍ର ବର୍ଜିତ ଆଶା ତା’ ପାଖରେ ନିତାନ୍ତ ସ୍ୱାଦହୀନ । ଆଶା ପ୍ରତି ମହେନ୍ଦ୍ରର ଆଦର ଯାଇ ବିନୋଦିନୀର ପ୍ରଣୟ ବ୍ୟଥିତ ଚିତ୍ତକୁ ସର୍ବଦା ଆଲୋଡ଼ିତ କରେ,–ତାହା ବିନୋଦିନୀର ବିରହିଣୀ କଳ୍ପନାକୁ ଯେଉଁ ବେଦନାର ଜାଗରୁକ କରେ, ତାହା ମଧ୍ୟରେ ଉଗ୍ର ଉତ୍ତେଜନା ଭରି ରହିଥାଏ । ଯେଉଁ ମହେନ୍ଦ୍ର ତାକୁ ତା’ର ସମସ୍ତ ଜୀବନର ସାର୍ଥକତାରୁ ଭ୍ରଷ୍ଟ କରିଚି, ଯେଉଁ ମହେନ୍ଦ୍ର ତା’ପରି ସ୍ତ୍ରୀରତ୍ନକୁ ଉପେକ୍ଷା କରି ଆଶା ପରି କ୍ଷୀଣବୁଦ୍ଧି ଦୀନପ୍ରକୃତିର ବାଳିକାକୁ ବରଣ କରିଚି ତାକୁ ବିନୋଦିନୀ ଭଲ ପାଏ ନା ଦ୍ୱେଷ କରେ ? ତାକୁ ସେ କଠିନ ଶାସ୍ତି ଦେବ ନା ତା’ ପାଖରେ ନିଜର ହୃଦୟ ସମର୍ପଣ କରିବ ? ସେକଥା ସେ ଠିକ୍ ଭାବରେ ବୁଝିପାରେନାହିଁ । ମହେନ୍ଦ୍ର ତା’ର ଅନ୍ତର ଭିତରେ ନିଆଁ ଜଳାଇଚି । ତାହା ହିଂସାର ନା ପ୍ରେମର, ନା ଉଭୟର ମିଶ୍ରଣ ? ବିନୋଦିନୀ ତାହା ଠିକ୍ କରିପାରେନାହିଁ । ମନ ଭିତରେ ତୀବ୍ର ହସ ହସି କହେ, ‘କେଉଁ ନାରୀର କ’ଣ କେବେ ମୋ’ ପରି ଦଶା ହୋଇଚି ? ମୁଁ ମରିବାକୁ ଚାହେଁ ନା ମାରିବାକୁ ଚାହେଁ, ସେକଥା ନିଜେ ମଧ୍ୟ ବୁଝିପାରୁନାହିଁ ।’ କିନ୍ତୁ ଯେଉଁ କାରଣରୁ ହେଉନା କାହିଁକି, ଦଗ୍‍ଧ ହେବାକୁ ହେଉ ବା ଦଗ୍‍ଧ କରିବାକୁ ହେଉ, ମହେନ୍ଦ୍ରକୁ ତା’ର ଏକାନ୍ତ ପ୍ରୟୋଜନ । ସେ ତା’ର ବିଷଦିଗ୍‍ଧ ଅଗ୍ନିବାଣକୁ ଜଗତରେ କେଉଁଠି ମୋଚନ କରିବ ? ଘନ ନିଶ୍ୱାସ ପକାଇ ବିନୋଦିନୀ କହିଲା, ‘ ସେ ଯିବ କୁଆଡ଼େ ? ତାକୁ ଫେରିଆସିବାକୁ ହିଁ ପଡ଼ିବ । ସେ ମୋର ।’

 

ଅନତିକାଳ ପରେ ମହେନ୍ଦ୍ର ତା’ର ଛାତ୍ରାବାସରେ ଚିହ୍ନା ହାତଅକ୍ଷରରେ ଖଣ୍ଡେ ଚିଠି ପାଇଲା । ଦିନବେଳେ ଗୋଳମାଳ ଭିତରେ ଖୋଲି ପାରିଲା ନାହିଁ, ଛାତି ପକେଟରେ ରଖିଦେଲା-। କଲେଜରେ ଲେକ୍‌ଚର ଶୁଣିଲାବେଳେ, ହାସପାତାଳରେ ବୁଲିବାବେଳେ, ହଠାତ୍ ଥରେ ଥରେ ତା’ର ମନେ ହେବାକୁ ଲାଗିଲା ଯେପରି ଗୋଟିଏ ପ୍ରେମପକ୍ଷୀ ତା’ର ବକ୍ଷନୀଡ଼ରେ ଶୋଇରହିଚି, ତା’ର ନିଦ ଭଙ୍ଗାଇ ଦେଲେ ସତେ ଯେପରି ତା’ର ସୁମିଷ୍ଟ କୋମଳ କୂଜନ ଧ୍ୱନିତ ହୋଇ ଉଠିବ ।

 

ସନ୍ଧ୍ୟାବେଳେ ମହେନ୍ଦ୍ର ନିର୍ଜନ ଘରେ ଚଉକୀରେ ଆଉଜି ବେଶ୍ ଆରାମ କରି ବସିଲା । ପକେଟରୁ ତା’ର ଦେହତାପତପ୍ତ ଚିଠିଖଣ୍ଡ ବାହାର କଲା, ଅନେକ ସମୟ ପର୍ଯ୍ୟନ୍ତ ଚିଠି ନ ଖୋଲି ଲଫାପା ଉପରେ ଲେଖା ହୋଇଥିବା ଶିରୋନାମାକୁ ନିରୀକ୍ଷଣ କରି ଦେଖିଲା । ମହେନ୍ଦ୍ର ଜାଣିଥିଲା, ଚିଠିରେ ବିଶେଷ କିଛି କଥା ନ ଥିବ । ଆଶା ଯେ ଆପଣାର ମନୋଭାବଗୁଡ଼ିକୁ ଠିକ୍ ଭାବରେ ବ୍ୟକ୍ତ କରି ଲେଖିପାରିବ, ଏପରି ସମ୍ଭାବନା ଆଦୌ ନ ଥିଲା । କେବଳ ତା’ର କଞ୍ଚା ଅକ୍ଷରର ବଙ୍କା ଧାଡ଼ିରୁ ତା’ ମନର କୋମଳ କଥାଗୁଡ଼ିକ କଳ୍ପନା କରିନେବାକୁ ହେବ । ଆଶାର ଅପରିଣତ ହାତରେ ବହୁ ଯତ୍ନରେ ଲେଖା ହୋଇଥିବା ନିଜ ନାଆଁଟି ପଢ଼ି ମହେନ୍ଦ୍ର ନିଜ ନାଆଁ ସହିତ ଯେପରି ଗୋଟିଏ ରାଗିଣୀ ଶୁଣିବାକୁ ପାଇଲା,–ତାହା ହେଉଚି ସାଧ୍ୱୀ ନାରୀହୃଦୟର ଅତି ନିଭୃତ ବୈକୁଣ୍ଠ ଲୋକରୁ ଗୋଟିଏ ନିର୍ମଳ ପ୍ରେମ ସଙ୍ଗୀତ ।

 

ଏଇ ଦିନେ ଦି’ଦିନର ବିଚ୍ଛେଦରେ ମହେନ୍ଦ୍ରର ମନରୁ ଦୀର୍ଘ ମିଳନର ସବୁ ଅବସାଦ ଦୂର ହୋଇ ସରଳା ବଧୂର ନବପ୍ରେମରେ ଉଦ୍‍ଭାସିତ ସୁଖସ୍ମୃତି ପୁଣି ଉଜ୍ଜ୍ୱଳ ହୋଇଉଠିଲାଣି ।

 

ଶେଷଆଡ଼କୁ ପ୍ରାତ୍ୟହିକ ଘରକରଣାର ଛୋଟ ଛୋଟ ଅସୁବିଧାମାନ ତାକୁ ଉତ୍ୟକ୍ତ କରିବାକୁ ଆରମ୍ଭ କରିଥିଲା, ବର୍ତ୍ତମାନ ସେସବୁ ଅପସାରିତ ହୋଇ କେବଳ ମାତ୍ର କର୍ମହୀନ କାରଣହୀନ ଗୋଟିଏ ବିଶୁଦ୍ଧ ପ୍ରେମାନନ୍ଦର ଆଲୋକରେ ଆଶାର ମାନସୀମୂର୍ତ୍ତି ତାହାର ମନ ମଧ୍ୟରେ ଜୀବନ ପାଇ ଉଠିଛି । ଅତି ଧୀରେ ଧୀରେ ମହେନ୍ଦ୍ର ଲଫାପା ଛିଣ୍ଡାଇ ଚିଠିଖଣ୍ଡ ବାହାର କରି ନିଜର ଲଲାଟ ଓ କପାଳ ଉପରେ ବୁଲାଇ ଆଣିଲା । ଥରେ ସେ ଆଶାକୁ ଯେଉଁ ଏସେନ୍‌ସ ଉପହାର ଦେଇଥିଲା, ସେହି ଏସେନ୍‌ସ ଗନ୍ଧ ଚିଠି କାଗଜରୁ ଉନ୍ମାଦନମୟ ଦୀର୍ଘନିଶ୍ୱାସ ପରି ମହେନ୍ଦ୍ରର ହୃଦୟରେ ପ୍ରବେଶ କଲା ।

 

କାଗଜର ଭାଙ୍ଗ ଖୋଲି ମହେନ୍ଦ୍ର ଚିଠିପଢ଼ା ଆରମ୍ଭ କଲା । କିନ୍ତୁ ଏ କ’ଣ ? ଯେପରି ବଙ୍କାଟଙ୍କା ଧାଡ଼ି, ଭାଷା ତ ସେପରି ସାଧାସିଧା ବୋଲି ମନେହେଉନାହିଁ ! ଅପରିଣିତ ଅକ୍ଷର, କିନ୍ତୁ କଥାଗୁଡ଼ିକ ତ ତା’ ସହିତ ଆଦୌ ଖାପ ଖାଉନାହିଁ ! ଲେଖା ହୋଇଚି !

 

‘ପ୍ରିୟତମ, ଯାହାକୁ ଭୁଲିବା ପାଇଁ ଦୂରକୁ ଚାଲିଯାଇଚ, ଏ ଲେଖାରେ ମୁଁ ତାକୁ ସ୍ମରଣ କରାଇ ଦେବି କାହିଁକି ? ଯେଉଁ ଲତାକୁ ଛିଣ୍ଡାଇ ମାଟିରେ ଫୋପାଡ଼ି ଦେଇ, ସେ ପୁଣି କେଉଁ ଲଜ୍ଜାରେ ତୁମକୁ ଆଶ୍ରୟ କରି ଉଠିବାକୁ ଚେଷ୍ଟା କରିବ ? କାହିଁକି ସେ ମାଟି ସହିତ ମାଟି ହୋଇ ମିଶି ନ ଗଲା ?’

 

‘କିନ୍ତୁ ଏତିକିରେ ତୁମର କ’ଣ କ୍ଷତି ହେବ ନାଥ ! ମୁହୂର୍ତ୍ତକ ପାଇଁ ଏବେ ମନେ ପଡ଼ୁ । ତଦ୍ଦ୍ୱାରା ମନକୁ କେତେ ଟିକିଏ ବା ବାଧିକ । ଆଉ ତୁମର ଅବହେଳା ଯେ କଣ୍ଟା ପରି ମୋର ପିଞ୍ଜରାଭିତରେ ଭେଦ କରି ରହିଲା, ସାରାଦିନ, ସାରାରାତି, ସବୁ କାମ, ସବୁ ଚିନ୍ତା ମଧ୍ୟରେ ତୁମରି ଚିନ୍ତା ମୋତେ ବିନ୍ଧୁଚି । ତୁମେ ଯେପରି ଭାବରେ ଭୁଲିପାରିଲ, ସେହିପରି ଭାବରେ ଭୁଲିବାର ଉପାୟ ମୋତେ କହିଦିଅ ।

 

‘ନାଥ, ତୁମେ ଯେ ମୋତେ ଭଲ ପାଇଥିଲ, ତାହା କ’ଣ ମୋର ଅପରାଧ ? ମୁଁ କ’ଣ ସ୍ୱପ୍ନରେ କେବେ ଏତେ ସୌଭାଗ୍ୟ ପ୍ରତ୍ୟାଶା କରିଥିଲି ? ମୁଁ କେଉଁଠାରୁ ଆସିଲି, ମୋତେ କିଏ ଜାଣିଥିଲା ? ଯଦି ତୁମେ ମୋ’ ଆଡ଼କୁ ଚାହିଁ ନ ଥାନ୍ତ, ଯଦି ମୋତେ ତୁମେ ଘରେ ବିନା ବେତନରେ ଦାସୀ ହୋଇ ରହିବାକୁ ପଡ଼ିଥାନ୍ତା, ତଥାପି କ’ଣ ମୁଁ ତୁମକୁ କିଛି ହେଲେ ଦୋଷ ଦେଇପାରିଥାନ୍ତି ? ତୁମେ ନିଜେ ମୋର କେଉଁ ଗୁଣରେ ଭୁଲିଲ ପ୍ରିୟତମ, କ’ଣ ଦେଖି ମୋ’ ପ୍ରତି ଆଦର ଏତେ ବଢ଼ାଇଦେଲ ? ଆଉ ଆଜି ବିନା ମେଘରେ ଯଦି ବଜ୍ରପାତ ହେଲା, ତେବେ ସେ ବଜ୍ର କେବଳ ଦଗ୍‍ଧ କରୁଚି କାହିଁକି , ଏକାଥରକେ ଦେହ ଓ ମନକୁ ପାଉଁଶ କରି ଦେଉନାହିଁ କାହିଁକି ?

 

‘ଏଇ ଦି’ଦିନ ମଧ୍ୟରେ ଅନେକ ସହ୍ୟ କଲିଣି, ଅନେକ ଭାବିଲିଣି, କିନ୍ତୁ ତଥାପି ଗୋଟିଏ କଥା ବୁଝିପାରିଲି ନାହିଁ । ଘରେ ରହି ମଧ୍ୟ କ’ଣ ତୁମେ ମୋତେ ଅବହେଳା କରି ପାରି ନ ଥାନ୍ତ ? ମୋ ଲାଗି ଘରୁ ଚାଲିଯିବାର କି ପ୍ରୟୋଜନ ଥିଲା ? ମୁଁ କ’ଣ ତୁମକୁ ସତରେ ଏତେ ଅଧିକାର କରିଚି ? ମୋତେ ତୁମ ଘରକୋଣରେ, ତୁମ ଘର ବାହାରେ ପକାଇ ରଖିଥିଲେ ମୁଁ କ’ଣ ତଥାପି ତୁମ ନଜରରେ ପଡ଼ିଥାନ୍ତି ? ସେ କଥା ହୋଇଥିଲେ, ତୁମେ କାହିଁକି ଗଲ ? ମୋର କ’ଣ ଯିବାର ବାଟ ନ ଥିଲା ? ଭାସି ଆସିଥିଲି, ଭାସି ଚାଲିଯାଇଥାନ୍ତି ।’

 

ଏ କି ଚିଠି, ଏ ଭାଷା କାହାର–ତାହା ବୁଝିବାକୁ ମହେନ୍ଦ୍ରର ବାକି ରହିଲା ନାହିଁ । ଅକସ୍ମାତ୍ ଆହତ ମୂର୍ଚ୍ଛିତ ପରି ମହେନ୍ଦ୍ର ସେଇ ଚିଠିଟି ଧରି ସ୍ତମ୍ଭିତ ହୋଇ ବସିରହିଲା । ଯେଉଁ ଲାଇନ୍ ଉପରେ ତା’ର ମନ ରେଳଗାଡ଼ି ପରି ପୂର୍ଣ୍ଣବେଗରେ ଧାଉଁଥିଲା, ସେଇ ଲାଇନର ବିପରୀତ ଦିଗରୁ ଗୋଟିଏ ଧକ୍କା ଖାଇ ତା’ର ମନଟା ଯେପରି ଲାଇନ ବାହାରକୁ ଗଡ଼ିଯାଇ ସ୍ତୁପାକାର ବିକଳ ହୋଇ ପଡ଼ିରହିଲା ।

 

ଅନେକ ସମୟ ଯାଏ ଚିନ୍ତା କରି ସେ ପୁନରାୟ ଦି’ ତିନିଥର ଚିଠି ଖଣ୍ଡିକ ପଡ଼ିଲା । ଯାହା କିଛିଦିନ ହେଲା କେବଳ ଏକ ସୁଦୂର ଆଭାସ ପରି ରହିଥିଲା, ଆଜି ଯେପରି ତାହା ଅତି ସ୍ପଷ୍ଟ ହୋଇଉଠିଲା । ତା’ର ଜୀବନାକାଶର ଗୋଟିଏ କୋଣରେ ଯେଉଁ ଧୂମକେତୁଟା ଛାୟା ପରି ଦେଖାଯାଉଥିଲା, ଆଜି ତାହାର ଉଦ୍ୟତ ବିଶାଳ ପୁଚ୍ଛ ଅଗ୍ନିରେଖାରେ ଦୀପ୍ୟମାନ ହୋଇ ଦେଖାଦେଲା ।

 

ଏ ଚିଠି ବିନୋଦିନୀର । ସରଳା ଆଶା ନିଜର ମନେକରି ତାହା ଲେଖିଚି । ଯେଉଁକଥା ସେ ପୂର୍ବେ କେବେହେଲେ ଭାବିନାହିଁ, ବିନୋଦିନୀର ରଚନା ଅନୁଯାୟୀ ଚିଠି ଲେଖିବାକୁ ବସି ସେହି କଥାସବୁ ତା’ର ମନରେ ଆସିବାକୁ ଲାଗିଲା । ନକଲ କରିଥିବା କଥା ବାହାରୁ ବଦ୍ଧମୂଳ ହୋଇ କ୍ରମଶଃ ତା’ର ଆନ୍ତରିକ ହୋଇଗଲା, ଫଳରେ ଯେଉଁ ନୂତନ ବେଦନାର ସୃଷ୍ଟି ହେଲା, ଆଶା କଦାପି ଏପରି ସୁନ୍ଦର ଭାବରେ ତାହା ବ୍ୟକ୍ତ କରିପାରି ନ ଥାନ୍ତା । ସେ ଭାବିବାକୁ ଲାଗିଲା, ‘ସଖୀ ମୋର ମନକଥାଗୁଡ଼ାକୁ ଏପରି ଠିକ୍ ଭାବରେ ବୁଝିପାରିଲା କିପରି ? କି ସୁନ୍ଦର ଭାବରେ ପ୍ରକାଶ କରି ଦେଇପାରିଲା !’ ଅନ୍ତରଙ୍ଗ ସଖୀକୁ ଆଶା ଆହୁରି ଆଗ୍ରହର ସହିତ ଆଶ୍ରୟ କଲା । କାରଣ ଯେଉଁ ବେଦନା ତା’ର ମନ ମଧ୍ୟରେ ରହିଚି, ତାହାର ଭାଷା କେବଳ ତା’ ସଖୀ ପାଖରେ ହିଁ ଅଛି । ସତେ ସେ ଏତେ ନିରୂପାୟ !

 

ମହେନ୍ଦ୍ର ଚଉକୀରୁ ଉଠି ଭ୍ରୁକୁଞ୍ଚିତ କରି ବିନୋଦିନୀ ଉପରେ ରାଗିବାକୁ ଅନେକ ଚେଷ୍ଟା କଲା, କିନ୍ତୁ ସବୁ ରାଗତକ ଯାଇ ଆଶା ଉପରେ ପଡ଼ିଲା–‘ଦେଖ ଆଶାର ଇଏ କି ମୂଢ଼ତା ! ସ୍ୱାମୀ ପ୍ରତି ଏ କି ଅତ୍ୟାଚାର !’–କହି ଚଉକୀରେ ବସିପଡ଼ି ପ୍ରମାଣସ୍ୱରୂପ ଚିଠିଟି ପୁଣି ଥରେ ପଢ଼ିଲା । ପଢ଼ୁ ପଢ଼ୁ ତା’ର ମନ ଭିତରେ ହର୍ଷ ସଂଚାର ହେବାକୁ ଲାଗିଲା । ଚିଠିଟିକୁ ସେ ଆଶାର ଚିଠି ବୋଲି ମନେକରି ପଢ଼ିବାକୁ ଅନେକ ଚେଷ୍ଟା କଲା, କିନ୍ତୁ ଏ ଭାଷା କୌଣସି ମତେ ସରଳା ଆଶାକୁ ସ୍ମରଣ କରାଇ ଦେଲା ନାହିଁ । ଦି’ ଚାରି ଧାଡ଼ି ପଢ଼ୁ ପଢ଼ୁ ଗୋଟିଏ ସୁଖୋନ୍ମାଦକର ସନ୍ଦେହ ଫେନିକ ମଦ ପରି ମନ ଭିତରୁ ଉଚ୍ଛୁଳି ପଡ଼ିବାକୁ ଲାଗିଲା । ଏହି ପ୍ରଚ୍ଛନ୍ନ ଅଥଚ ବ୍ୟକ୍ତ, ନିଷିଦ୍ଧ ଅଥଚ ନିକଟାଗତ, ବିଷାକ୍ତ ଅଥଚ ମଧୁର, ଏକାଧାରରେ ଉପହୃତ ଅଥଚ ପ୍ରତ୍ୟାହୃତ ପ୍ରେମର ଆଭାସ ମହେନ୍ଦ୍ରକୁ ମାତାଲ କରିଦେଲା, ତା’ର ଇଚ୍ଛା ହେବାକୁ ଲାଗିଲା, ନିଜର ହାତଗୋଡ଼ ବା ଯେକୌଣସି ଅଙ୍ଗକୁ ଛୁରିରେ କାଟି ପକାଇ ବା ଆଉକିଛି କରି ମନଟାକୁ ଏହି ନିଶାରୁ ଅନ୍ୟଆଡ଼େ ବିକ୍ଷିପ୍ତ କରିଦିଅନ୍ତା । ଟେବୁଲ ଉପରେ ହାତମୁଠାକୁ ବାଡ଼େଇ ସେ ଚଉକୀରୁ ଡେଇଁପଡ଼ି କହିଲା, ‘ଚିଠି ଖଣ୍ଡିକ ପୋଡ଼ି ଦେବାକୁ ହେବ !’ –କହି ଚିଠି ଖଣ୍ଡିକ ନେଇ ବତୀପାଖକୁ ଆସିଲା, ନ ପୋଡ଼ି ଆଉଥରେ ପଢ଼ି ପକାଇଲା । ପରଦିନ–

 

ଭୃତ୍ୟ ଟେବୁଲ ଉପରୁ ଅନେକ ପୋଡ଼ା କାଗଜର ପାଉଁଶ ଝାଡ଼ିଥିଲା, କିନ୍ତୁ ତାହା ଆଶା ଲେଖିଥିବା ଚିଠିର ପାଉଁଶ ନୁହେଁ, ଚିଠିର ଉତ୍ତର ଦେବାକୁ ଯାଇ ଅନେକଗୁଡ଼ିଏ ଅସମ୍ପୂର୍ଣ୍ଣ ଚେଷ୍ଟାକୁ ମହେନ୍ଦ୍ର ପୋଡ଼ି ଦେଇଥିଲା ।

 

(୨୦)

 

ଇତିମଧ୍ୟରେ ଆଉ ଖଣ୍ଡିଏ ଚିଠି ଆସି ଉପସ୍ଥିତ ହେଲା ।

 

‘ତୁମ ମୋ’ ଚିଠିର ଉତ୍ତର ଦେଲ ନାହିଁ । ଭଲ କରିଚ । ସତକଥା ପ୍ରକୃତରେ ଲେଖି ହୁଏ ନାହିଁ । ତୁମର ଜବାବ ମୁଁ ମନେ ମନେ ବୁଝି ନେଇପାରିଚି ।

 

ଯେତେବେଳେ ଭକ୍ତ ଆପଣାର ଦେବତାକୁ ଡାକେ, ସେ କ’ଣ ମୁହଁରେ ତା’ର ଉତ୍ତର ଦିଅନ୍ତି ? ଦୁଃଖିନୀର ବିଲ୍ୱପତ୍ରଟି ସମ୍ଭବତଃ ଚରଣତଳେ ସ୍ଥାନ ପାଇଚି ।

 

‘କିନ୍ତୁ ଭକ୍ତର ପୂଜା ନେବାକୁ ଯାଇ ଯଦି ଶିବଙ୍କର ତପୋଭଙ୍ଗ ହୁଏ, ତେବେ ସେଥିଲାଗି ରୋଷ କରିବ ନାହିଁ । ହୃଦୟଦେବ ! ତୁମେ ବର ଦିଅ ବା ନ ଦିଅ, ଆଖି ମେଲାଇ ଚାହଁ ବା ନ ଚାହଁ, ଜାଣିପାର ବା ନ ପାର–ପୂଜା ନ କରି ଆଉ ଭକ୍ତର ଗତ୍ୟନ୍ତର ନାହିଁ । ତେଣୁ ଆଜି ମଧ୍ୟ ଏଇ ଦି’ଧାଡ଼ି ଚିଠି ଲେଖିଲି ।

 

‘ହେ ମୋର ପାଷାଣ ଦେବତା, ତୁମେ ଅବିଚଳିତ ହୋଇ ରହିଥାଅ ।’

 

ପୁଣିଥରେ ମହେନ୍ଦ୍ର ଚିଠିର ଉତ୍ତର ଲେଖିବାକୁ ପ୍ରବୃତ୍ତ ହେଲା । କିନ୍ତୁ ଆଶା ପାଖକୁ ଲେଖିବାକୁ ବସି କଳଲମମୁନରୁ ବିନୋଦିନୀ ପାଖକୁ ଉତ୍ତର ଆପଣା ଛାଏଁ ଆସିଯାଉଚି–ଆବରଣ ଦେଇ, କୌଶଳ କରି ଲେଖି ଆସୁନାହିଁ । ଅନେକ କାଗଜ ଚିରି ଅନେକ ସମୟ ନଷ୍ଟ କରି ଅବଶ୍ୟ ସେ ଖଣ୍ଡେ ଚିଠି ଲେଖିଲି, କିନ୍ତୁ ତାକୁ ଲଫାପାରେ ପୂରାଇ ଉପରେ ଆଶାର ନାଆଁ ଲେଖିଲାବେଳକୁ ହଠାତ୍ ଯେପରି ପିଠିରେ କାହାର ଚାବୁକ ଆସି ବାଜିବାକୁ ଲାଗିଲା । କିଏ ଯେପରି କହିଲା, ‘ପାଷାଣ୍ଡ, ବିଶ୍ୱସ୍ତ ବାଳିକା ପ୍ରତି ଏପରି ପ୍ରତା’ରଣା କରିବାକୁ ଯାଉଚୁ ?’ ମହେନ୍ଦ୍ର ଚିଠିଟିକୁ ଶତଚ୍ଛିନ୍ନ କରି ଫୋପାଡ଼ି ଦେଲା ଏବଂ ରାତିଟା ଯାକ ଟେବୁଲ ଉପରେ ଦୁଇହାତ ଭିତରେ ମୁହଁ ଗୁଞ୍ଜି ନିଜକୁ ଯେପରି ନିଜର ଦୃଷ୍ଟିରୁ ଲୁଚାଇ ରଖିବାକୁ ଚେଷ୍ଟା କଲା ।

 

ତୃତୀୟ ପତ୍ର :

 

‘ଯିଏ ଅଭିମାନ କରି ଜାଣିନାହିଁ, ସିଏ କ’ଣ ଭଲ ପାଏ ? ଯଦି ମୁଁ ନିଜର ପ୍ରେମକୁ ଅପାମନ ଓ ଅନାଦରରୁ ରକ୍ଷା କରି ନ ପାରିବି, ତେବେ ସେ ପ୍ରେମ ତୁମକୁ ଦେବି କିପରି ?

 

‘ହୁଏତ ମୁଁ ତୁମର ମନକୁ ଠିକ୍ ଭାବରେ ବୁଝିପାରିନାହିଁ, ତେଣୁ ଏତେଦୂର ସାହସ କରିଚି । ସେଥିଲାଗି ଯେତେବେଳେ ତୁମେ ମୋତେ ତ୍ୟାଗ କରି ଚାଲିଗଲ, ସେତେବେଳେ ମଧ୍ୟ ମୁଁ ନିଜେ ଅଗ୍ରସର ହୋଇ ଚିଠି ଲେଖିଲି । ଯେତେବେଳେ ତୁମ ନୀରବ ରହିଲ, ସେତେବେଳେ ମଧ୍ୟ ମନକଥା କହିଚି, କିନ୍ତୁ ଯଦି ମୁଁ ତୁମକୁ ଭୁଲ ବୁଝିଥାଏ ତେବେ ସେ କ’ଣ ମୋର ଦୋଷ ହେବ-? ଥରେ ମୂଳରୁ ଶେଷଯାଏ ସବୁକଥା ମନେପକାଇ ଦେଖ–ଯାହା ମୁଁ ବୁଝିଲି, ତାହା କ’ଣ ତୁମେ ବୁଝାଇନାହଁ ?

 

‘ସେ ଯାହାହେଉ, ଭୁଲ ହେଉ କି ଠିକ୍ ହେଉ, ଯାହା ମୁଁ ଲେଖିଚି, ତାହା ଆଉ ଲିଭିବ ନାହିଁ । ଯାହା ମୁଁ ଦେଇଚି, ତାକୁ ଆଉ ଫେରାଇ ନେଇପାରିବି ନାହିଁ । ଏତିକି ଆକ୍ଷେପ । ଛି, ଛି, ନାରୀଭାଗ୍ୟରେ ପୁଣି ଏତିକି ଲଜ୍ଜା ଥାଏ । କିନ୍ତୁ ତା’ ବୋଲି ତୁମେ ମନେକରନା ଯେ–ଯିଏ ଭଲପାଏ, ସିଏ ନିଜର ପ୍ରେମକୁ ବାରମ୍ବାର ଅପଦସ୍ତ କରିବାକୁ ଯିବ । ମୋ’ ଚିଠିକୁ ଯଦି ତୁମେ ଘେନା ନ କରୁଚ, ତେବେ ଥାଉ । ଯଦି ଉତ୍ତର, ତେବେ ଏତିକି !’’

 

ଏହାପରେ ଆଉ ମହେନ୍ଦ୍ର ଥୟ ହୋଇ ରହିପାରିଲା ନାହିଁ । ମନେକଲା, ଯେପରି ସେ ଖୁବ୍ ରାଗିକରି ଘରକୁ ଫେରିଯାଉଚି । ବିନୋଦିନୀ ମନେକରିଚି, ତାକୁ ଭୁଲିଯିବା ପାଇଁ ସେ ଘରୁ ଅନ୍ୟତ୍ର ଚାଲିଆସିଚି । ବିନୋଦିନୀର ସେହି ସ୍ପର୍ଦ୍ଧାକୁ ମୁହେଁ ମୁହେଁ ଅପ୍ରମାଣ କରିବା ପାଇଁ ମହେନ୍ଦ୍ର ସଙ୍ଗେ ସଙ୍ଗେ ଘରକୁ ଫେରିବାର ସଂକଳ୍ପ କଲା ।

 

ଏହି ସମୟରେ ବିହାରୀ ଘରେ ପ୍ରବେଶ କଲା । ବିହାରୀକୁ ଦେଖିବା କ୍ଷଣି ମହେନ୍ଦ୍ରର ଭିତରର ପୁଲକ ଯେପରି ଦୁଇଗୁଣ ବଢ଼ିଗଲା । ଇତିପୂର୍ବେ ନାନା ସନ୍ଦେହରେ ପଡ଼ି ଭିତରେ ଭିତରେ ବିହାରୀ ପ୍ରତି ତା’ର ଈର୍ଷା ହେଉଥିଲା । ତଦ୍ଦ୍ୱାରା ଉଭୟଙ୍କର ବନ୍ଧୁତା କ୍ରମେ କ୍ଲିଷ୍ଟ ହୋଇଯାଉଥିଳା । ପତ୍ର ପାଠ ପରେ ଆଜି ସମସ୍ତ ଈର୍ଷା ଭାବ ବିସର୍ଜନ କରି ବିହାରୀକୁ ସେ ଅତିରିକ୍ତ ଆବେଗର ସହିତ ଆହ୍ୱାନ କରିନେଲା । ଚଉକୀରୁ ଉଠି ଆସି ବିହାରୀ ପିଠିରେ ହାତ ଥାପୁଡ଼ାଇ ତା’ର ହାତ ଧରି ତାକୁ ଟାଣି ଆଣି ଗୋଟିଏ ଆରାମ ଚଉକୀ ଉପରେ ବସାଇ ଦେଲା ।

 

କିନ୍ତୁ ବିହାରୀର ମୁହଁ ଆଜି ବଡ଼ ବିମର୍ଷ । ମହେନ୍ଦ୍ର ଭାବିଲା, ନିଶ୍ଚୟ ବିହାରୀ ଇତିମଧ୍ୟରେ ବିନୋଦିନୀ ସହିତ ସାକ୍ଷାତ୍‍ କରିଚି ଏବଂ ସେଠାରୁ ଆଘାତ ପାଇ ଏଠାକୁ ଆସିଛି ।’ ମହେନ୍ଦ୍ର ପଚାରିଲା, ‘ବିହାରୀ,ଆମ ଘର ଆଡ଼େ ଯାଇଥିଲୁ ?’

 

ବିହାରୀ ଗମ୍ଭୀର ଭାବରେ କହିଲା, ‘ବର୍ତ୍ତମାନ ସେହିଠାରୁ ହିଁ ଆସୁଚି ।’

 

ମହେନ୍ଦ୍ର ବିହାରୀର ମନୋବେଦନା କଳ୍ପନା କରି ମନେ ମନେ କୌତୁକ ବୋଧକଲା । ମନେ ମନେ କହିଲା, ‘ହତଭାଗ୍ୟ ବିହାରୀ ବିଚାରୀ ନାରୀ ପ୍ରେମରୁ ଏକାବେଳକେ ବିରତ’–କହି ନିଜ ଛାତି ପକେଟରେ ହାତ ମାରି ଦେଖିଲା, ପକେଟ ଭିତରୁ ଚିଠି ତିନିଖଣ୍ଡ ଖଡ଼ ଖଡ଼ ଶବ୍ଦ କରି ଉଠିଲା ।

 

ମହେନ୍ଦ୍ର ପଚାରିଲା, ‘ସମସ୍ତେ କିପରି ଅଛନ୍ତି ?’

 

ବିହାରୀ ପ୍ରଶ୍ନର ଉତ୍ତର ନ ଦେଇ ପଚାରିଲା, ‘ଘର ଛାଡ଼ି ତୁମେ ଏଠାରେ କାହିଁକି ରହିଚ, କହିଲ ?’

 

ମହେନ୍ଦ୍ର କହିଲା, ‘ଆଜିକାଲି ପ୍ରାୟ ସବୁଦିନେ ରାତି ଡିଉଟି ପଡ଼ୁଚି । ଘରେ ଅସୁବିଧା ହେଲା ।’

 

ବିହାରୀ କହିଲା, ‘ଆଗେ ବି ରାତି ଡିଉଟି ପଡ଼ୁଥିଲା, କିନ୍ତୁ ତୁମକୁ ତ କେବେ ଘର ଛାଡ଼ିବାର ଦେଖିନାହିଁ ।’

 

ମହେନ୍ଦ୍ର ହସି କରି କହିଲ, ‘ମନରେ କୌଣସି ସନ୍ଦେହ ହେଉଚି ନା କ’ଣ ?’

 

ବିହାରୀ କହିଲା, ‘ରହସ୍ୟ ଥାଉ, ବର୍ତ୍ତମାନ ଘରକୁ ଚାଲ ।’

 

ମହେନ୍ଦ୍ର ଘରକୁ ଫେରିବ ବୋଲି ଉଦ୍ୟତ ହୋଇ ରହିଥିଲା । ବିହାରୀର ଅନୁରୋଧ ଶୁଣି ସେ ହଠାତ୍ ନିଜକୁ ଭୁଲାଇବାକୁ ଲାଗିଲା, ସତେ ଯେପରି ଘରକୁ ଯିବା ଲାଗି ତା’ର ଆଦୌ ଆଗ୍ରହ ନାହିଁ ! କହିଲା,‘ତାହା କିପରି ହୋଇପାରିବ କହିଲୁ ବିହରୀ । ତା’ ହେଲେ ଏ ବର୍ଷଟା ମଧ୍ୟ ମୋର ନଷ୍ଟ ହୋଇଯିବ ।’

 

ବିହାରୀ କହିଲା, ‘ଦେଖ, ମହେନ୍ଦ୍ର ଭାଇ ! ମୁଁ ତୁମକୁ ପିଲାଦିନୁ ଦେଖିଆସୁଚି । ତୁମେ ମୋତେ ଆଉ ଭୁଲାଇବାକୁ ଚେଷ୍ଟା କରନା । ତୁମେ ଅନ୍ୟାୟ କରୁଚ ।’

 

ମହେନ୍ଦ୍ର–କାହାର ଉପରେ ଅନ୍ୟାୟ କରୁଚି, ଜଜ୍ ସାହେବ ?

 

ବିହାରୀ ରାଗି ଉଠି କହିଲା, ‘ଚିରକାଳ ତୁମେ ଯେଉଁ ହୃଦୟର ବଢ଼ାଇ କରି ଆସିଚ, ତୁମର ସେ ହୃଦୟ ଆଜି କୁଆଡ଼େ ଗଲା ମହେନ୍ଦ୍ର ଭାଇ ?’

 

ମହେନ୍ଦ୍ର–ସମ୍ପ୍ରତି ମେଡ଼ିକାଲ କଲେଜର ହାସ୍‍ପାତାଳରେ ।

 

ବିହାରୀ–ଚୁପ୍‍କର ମହେନ୍ଦ୍ର ଭାଇ ! ଏଠାରେ ତୁମେ ମୋ’ ସହିତ ହସି ଥଟ୍ଟା କରି କଥାବାର୍ତ୍ତା କରୁଚ, ଆଉ ତେଣେ ଆଶା କାନ୍ଦି କାନ୍ଦି ଏ ଘର ସେ ଘର ହେଉଚି ।

 

ଆଶାର କାନ୍ଦିବା କଥା ଶୁଣି ମହେନ୍ଦ୍ର ହଠାତ୍ ଆପଣାର ମନ ଭିତରେ ଗୋଟାଏ ପ୍ରତିଘାତ ପାଇଲା । ଦୁନିଆରେ ଯେ ଆଉ କାହାର ସୁଖଦୁଃଖ ଅଛି, ସେ କଥା ତାହାର ନୂଆ ନିଶା ପାଖରେ ସ୍ଥାନ ପାଉନାହିଁ । ଚକିତ ହୋଇ ସେ ପଚାରିଲା, ‘ଆଶା କାନ୍ଦୁଚି ? କାହିଁକି ?’

 

ବିହାରୀ ବିରକ୍ତ ହୋଇ କହିଲା, ‘ସେ କଥା ତୁମେ ଜାଣିନା, ମୁଁ ଜାଣିଚି–ନାଇଁ ?’

 

‘ତୋର ମହେନ୍ଦ୍ର ଭାଇ ସର୍ବଜ୍ଞ ନୁହେଁ ବୋଲି ଯଦି ଭାବିବା କଥା, ତା’ ହେଲେ ବରଂ ମହେନ୍ଦ୍ର ଭାଇର ସୃଷ୍ଟିକର୍ତ୍ତା ଉପରେ ରାଗିବା ଉଚିତ ।’

 

ବିହାରୀର ଏହି ପ୍ରବଳ ଆବେଗ ଦେଖି ମହେନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲା । ମହେନ୍ଦ୍ର ଜାଣିଥିଲା ଯେ ବିହାରୀର ହୃଦୟ ବୋଲି କିଛି ନାହିଁ । ତେଣୁ ହଠାତ୍ ଏପରି ଏକ ଉପସର୍ଗ କେବେଠାରୁ ବାହାରିଲା ? ଯେଉଁଦିନ ସେ କୁମାରୀ ଆଶାକୁ ଦେଖିବାକୁ ଯାଇଥିଲା, ସେଇଦିନ ନା କ’ଣ ? ବିଚାରା ବିହାରୀ । ମହେନ୍ଦ୍ର ମନେ ମନେ ତାକୁ ବିଚାରା ବୋଲି କହିଲା ସତ, କିନ୍ତୁ ଦୁଃଖବୋଧ ନ କରି ବରଂ ଟିକିଏ ଆମୋଦବୋଧ କଲା । ଆଶାର ମନ ଯେ ଏକାନ୍ତ ଭାବରେ କେଉଁଆଡ଼େ, ମହେନ୍ଦ୍ର ତାହା ନିଶ୍ଚିତ ଭାବରେ ଜାଣିଥିଲା । ‘ଅନ୍ୟ ଲୋକ ପାଖରେ ଯେଉଁମାନେ ବାଞ୍ଛିତ ଧନ, କିନ୍ତୁ ଆୟତ୍ତର ଅତୀତ, ମୋ’ ପାଖରେ ନିଜେ ନିଜେ ଆସି ସେମାନେ ଚିରକାଳ ପାଇଁ ଧରା ଦେଇଛନ୍ତି !’ ଏଥିପାଇଁ ମହେନ୍ଦ୍ର ବକ୍ଷ ଗର୍ବରେ ସ୍ଫୀତ ହୋଇଉଠିଲା ।

 

ମହେନ୍ଦ୍ର ବିହାରୀକୁ କହିଲା, ‘ଆଚ୍ଛା ହେଉ, ଯିବା । ତେବେ ଗୋଟାଏ ଗାଡ଼ି ଡାକ ।’

 

(୨୧)

 

ମହେନ୍ଦ୍ର ଘରେ ପହଞ୍ଚିବା ମାତ୍ରକେ ତା’ର ମୁହଁ ଦେଖି ଆଶା ମନରୁ ମୁହୂର୍ତ୍ତକ ମଧ୍ୟରେ ଅସ୍ଥାୟୀ କୁହେଳିକା ପରି ସବୁ ସଂଶୟ ଅପସରିଗଲା । ନିଜର ଚିଠି କଥା ସ୍ମରଣ କରି ମହେନ୍ଦ୍ର ଆଗରେ ସେ ମୁହଁ ଟେକିପାରିଲା ନାହିଁ । ମହେନ୍ଦ୍ର ତାକୁ ଭର୍ତ୍ସନା କରି କହିଲା, ‘ଏପରି ଅପବାଦ ଦେଇ ଚିଠିଗୁଡ଼ାକୁ କିପରି ଲେଖିଥିଲ, କହିଲ !’

 

କହି ବହୁବାର ପଠିତ ଚିଠି ତିନିଖଣ୍ଡ ପକେଟ ଭିତରୁ ବାହାର କଲା । ଆଶା ବ୍ୟାକୁଳଭାବରେ କହିଲା, ‘ତୁମର ଗୋଡ଼ତଳେ ପଡ଼ୁଚି, ତୁମେ ମୋ ଚିଠିଗୁଡ଼ାକ ଚିରି ପକାଅ ।’ କହି ମହେନ୍ଦ୍ର ହାତରୁ ଚିଠିତକ ଛଡ଼ାଇ ନେବାକୁ ବ୍ୟସ୍ତ ହୋଇପଡ଼ିଲା । ମହେନ୍ଦ୍ର ତାକୁ ନିରସ୍ତ କରି ସେଗୁଡ଼ିକୁ ପୁଣି ପକେଟରେ ରଖିଦେଲା ଏବଂ କହିଲା, ‘ମୁଁ କର୍ତ୍ତବ୍ୟର ଅନୁରୋଧରେ ଏଠାରୁ ଗଲି ଆଉ ମୋର ଅଭିପ୍ରାୟକୁ ତୁମେ ଭୁଲ ବୁଝିଲ,–ମୋତେ ସନ୍ଦେହ କଲ !’

 

ଛଳ ଛଳ ଆଖିରେ ଆଶା କହିଲା, ‘ଏଇ ଥରକ ମୋତେ କ୍ଷମା କର । ଆଉ କେବେ ଏପରି ହେବ ନାହିଁ ।’

 

ମହେନ୍ଦ୍ର କହିଲା, ‘କେବେ ହେବ ନାହିଁ ?’

 

ଆଶା କହିଲା, ‘କେବେ ନୁହେଁ ।’

 

ମହେନ୍ଦ୍ର ତାକୁ ପାଖକୁ ଟାଣିନେଇ ଚୁମ୍ବନ ଦେଲା । ଆଶା କହିଲା, ‘ତେବେ ଚିଠିତକ ଦିଅ, ମୁଁ ଚିରି ଦିଏ ।’

 

ମହେନ୍ଦ୍ର କହିଲା, ‘ନାହିଁ, ସେଗୁଡ଼ାକ ସେମିତି ଥାଉ ।’

 

ସବିନୟଭାବରେ ଆଶା ମନେକଲା, ‘ମୋର ଶାସ୍ତିସ୍ୱରୂପ ସେ ଚିଠିଗୁଡ଼ାକ ରଖିଲେ ।’

 

ଏହି ଚିଠି ନେଇ ବିନୋଦିନୀ ଉପରେ ଆଶାର ମନଟା ଟିକିଏ ବିଗିଡ଼ିଗଲା । ସ୍ୱାମୀର ଆଗମନବାର୍ତ୍ତା ନେଇ ସେ ସଖୀ ପାଖରେ ଆନନ୍ଦ କରିବାକୁ ଗଲାନାହିଁ–ବରଂ ବିନୋଦିନୀଠାରୁ ଟିକିଏ ଆଡ଼େଇ ହୋଇ ରହିଲା । ବିନୋଦିନୀ ତାହା ଲକ୍ଷ୍ୟ କଲା ଏବଂ କାମର ଛଳନା କରି ଦୂରେଇ ରହିଲା ।

 

ମହେନ୍ଦ୍ର ଭାବିଲା, ‘ବଡ଼ ଅଦ୍‍ଭୁତ କଥା ତ ! ମୁଁ ଭାବିଥିଲି ଏଥର ବିନୋଦିନୀକୁ ବିଶେଷ ଭାବରେ ପାଖେ ପାଖେ ପାଇବି, କିନ୍ତୁ ଓଲଟା ହେଲା । ତେବେ ସେହି ଚିଠିଗୁଡ଼ାକର ଅର୍ଥ କ’ଣ ?’

 

ନାରୀ ହୃଦୟର ରହସ୍ୟ ବୁଝିବାକୁ କୌଣସି ଚେଷ୍ଟା କରିବନାହିଁ ବୋଲି ମହେନ୍ଦ୍ର ମନକୁ ଦୃଢ଼ କରିଥିଲା । ଭାବିଥିଲା, ‘ଯଦି ବିନୋଦିନୀ ପାଖକୁ ଆସିବାର ଚେଷ୍ଟା କରିବ, ମୁଁ ତଥାପି ଦୂରେଇ ରହିବି ।’ ଆଜି ସେ ମନେ ମନେ କହିଲା, ‘ନା–ଏସବୁ ତ କିଛି ଠିକ୍ କଥା ନୁହେଁ । ମନେହେଉଚି, ଯେପରି ଆମ ଭିତରେ ପ୍ରକୃତରେ ଗୋଟାଏ ବିକାର ସୃଷ୍ଟି ହୋଇଚି । ବିନୋଦିନୀ ସହିତ ସହଜ ସ୍ୱାଭାବିକ ଭାବରେ କଥାବାର୍ତ୍ତା ଓ ଆମୋଦପ୍ରମୋଦ କରି ଏହି ସଂଶୟାଚ୍ଛନ୍ନ ଅଶାନ୍ତ ଭାବଟା ଦୂର କରିଦେବା ଉଚିତ ।’

 

ସେ ଆଶାକୁ କହିଲା, ‘ଦେଖୁଚି, ଏଣିକି ମୁହିଁ ବୋଧହୁଏ ତୁମ ସଖୀଙ୍କର ‘ଅସହୀ’ ହେଲିଣି । ଆଜିକାଲି ତ ତାଙ୍କର ଦେଖା ମଧ୍ୟ ମିଳୁନାହିଁ ।’

 

ଉଦାସୀନ ଭାବରେ ଆଶା କହିଲା, ‘ତା’ର କ’ଣ ହୋଇଚି କେଜାଣି ?’

 

ଏଣେ ରାଜଲକ୍ଷ୍ମୀ ଆସି କାନ୍ଦ କାନ୍ଦ ହୋଇ କହିଲେ, ‘ବିପିନର ସ୍ତ୍ରୀକୁ ତ ଆଉ ରଖିହେବ ନାହିଁ ।’

 

ମହେନ୍ଦ୍ର ଆପଣାର ଚକିତ ଭାବକୁ ସମ୍ଭାଳି ନେଇ କହିଲା, ‘କାହିଁକି ମାଆ ?’

 

ରାଜଲକ୍ଷ୍ମୀ କହିଲେ, ‘କେଜାଣି, ଏଥର ତ ସେ ଘରକୁ ଯିବାକୁ ଭାରି ଜିଦ୍ ଧରିଚି । ତୁ ତ ଆଜିଯାଏ କାହାକୁ କିପରି ଖାତିରି କରିବାକୁ ହୁଏ, ଶିଖିଲୁ ନାହିଁ । ଭଦ୍ରଘର ଝିଅ,–ପରଘରେ ଅଛି, ଆପଣାର କରି ତାକୁ ଆଦର ଯତ୍ନ ନ କଲେ ସେ ରହିବ କିପରି ?’

 

ନିଜର ଶୋଇବା ଘରେ ବସି ବିନୋଦିନୀ ବିଛଣା ଚାଦର ସିଲାଇ କରୁଥିଲା । ମହେନ୍ଦ୍ର ପ୍ରବେଶ କରି ତାକୁ ଡାକିଲା ।

 

ବିନୋଦିନୀ ସଂଯତ ହୋଇ ବସିଲା । କହିଲା, ‘କ’ଣ ମହେନ୍ଦ୍ର ବାବୁ ?’

 

ମହେନ୍ଦ୍ର କହିଲା, ‘ସର୍ବାନଶ, ମହେନ୍ଦ୍ର ପୁଣି ବାବୁ ହେଲେ କୋଉ ଦିନଠାରୁ ?’

 

ବିନୋଦିନୀ ସିଲାଇ ଉପରେ ପୁଣି ନତଚକ୍ଷୁ ନିବଦ୍ଧ କରି କହିଲା, ‘ତେବେ କ’ଣ ବୋଲି ଡାକିବି ?’

 

‘ତୁମେ ସଖୀକୁ ଯାହା ଡାକ–‘ଅସହୀ’ !’ ମହେନ୍ଦ୍ର ଉତ୍ତର ଦେଲା ।

 

ଅନ୍ୟଦିଗରେ ବିନୋଦିନୀ ଥଟ୍ଟା କରି କୌଣସି ଉତ୍ତର ନ ଦେଇ ସିଲାଇରେ ମନଦେଲା ।

 

ମହେନ୍ଦ୍ର କହିଲା, ‘ଏଣିକି ବୋଧହୁଏ ସେଇଟା ହିଁ ସତ୍ୟ ସମ୍ପର୍କ ହେଲାଣି । ତେଣୁ ଆଉ ବସିବା ଦରକାର ହେଉନାହିଁ ।’

 

ଟିକେ ନୀରବ ରହି ବିନୋଦିନୀ ସିଲାଇର ପ୍ରାନ୍ତରୁ ଟିକିଏ ବଳକା ସୂତା ଛିଣ୍ଡାଇ ନେଇ କହିଲା,‘କେଜାଣି, ଆପଣ ଜାଣିଥିବେ ।’

 

ମହେନ୍ଦ୍ର ଉତ୍ତର ଦେବାର ସୁଯୋଗ ନ ଦେଇ ଗମ୍ଭୀର ଭାବରେ ପୁଣି ବିନୋଦିନୀ କହିଲା, ‘କଲେଜରୁ ଫେରିବାର ହଠାତ୍ କି ଦରକାର ପଡ଼ିଲା ?’

 

ମହେନ୍ଦ୍ର–କେବଳ ମଲା ମଣିଷ କାଟି ଆଉ କେତେଦିନ ଚଳିହେବ ?

 

ବିନୋଦିନୀ ପୁଣି ଦାନ୍ତଦ୍ୱାରା ସୂତ୍ର ଛେଦନ କଲା ଏବଂ ମୁହଁ ନ ଟେକି କହିଲା, ‘ତେବେ କ’ଣ ବର୍ତ୍ତମାନ ଜିଅନ୍ତା ମଣିଷ ଦରକାର ହେଲା ?’

 

ମହେନ୍ଦ୍ର ସ୍ଥିର କରିଥିଲା, ବିନୋଦିନୀ ସହିତ ଆଜି ଅତି ସହଜ ଓ ସ୍ୱାଭାବିକ ଭାବରେ ହାସ-ପରିହାସ ଓ ଉତ୍ତର-ପ୍ରତ୍ୟୁତ୍ତର କରି ଆଖଡ଼ା ଜମାଇବ, କିନ୍ତୁ ଗୋଟାଏ ପ୍ରକାର ଗାମ୍ଭୀର୍ଯ୍ୟ ଆସି ତାକୁ ଏପରି ଭାବରେ ଚାପି ଧରିଲା ଯେ ପ୍ରାଣପଣେ ଚେଷ୍ଟା କରି ମଧ୍ୟ ତା’ ମୁହଁକୁ ଲଘୁ ଜବାବ୍ ଆସିଲା ନାହିଁ । ବିନୋଦିନୀ ଆଜି ଏକ ପ୍ରକାର କଠିନ ଦୂରତ୍ୱ ରକ୍ଷା କରୁଥିବା ଦେଖି ମହେନ୍ଦ୍ର ମନଟା ତା’ ଆଡ଼କୁ ସବେଗ ଅଗ୍ରସର ହେବାକୁ ଲାଗିଲା । ଏହି ବ୍ୟବଧାନଟାକୁ ଧକ୍‌କା ଦେଇ ଭୂମିସାତ କରିଦେବାକୁ ତା’ର ଇଚ୍ଛା ହେଲା । ବିନୋଦିନୀର ଶେଷ ବାକ୍ୟାଘାତର ପ୍ରତିଘାତ ନ ଦେଇ ତା’ ପାଖରେ ବସିପଡ଼ି ମହେନ୍ଦ୍ର କହିଲା, ‘ତୁମେ ଆମ ପାଖରୁ ଚାଲିଯାଉଚ କାହିଁକି ? ମୁଁ କ’ଣ କୌଣସି ଅପରାଧ କରିଚି ?’

 

ବିନୋଦିନୀ ଟିକିଏ ଘୁଞ୍ଚି ବସି ସିଲାଇରୁ ମୁହଁ ଟେକି ଦୁଇଟି ବିଶାଳ ଉଜ୍ଜ୍ୱଳ ଚକ୍ଷୁକୁ ମହେନ୍ଦ୍ର ଉପରେ ସ୍ଥିର ନିବଦ୍ଧ କରି କହିଲା, ‘କର୍ତ୍ତବ୍ୟ-କର୍ମ ତ ପୁଣି ସମସ୍ତଙ୍କର ଅଛି । ଆପଣ ଯେତେବେଳେ ସବୁଛାଡ଼ି କଲେଜ ପାଖ ବସାକୁ ଯାଆନ୍ତି, ତାହା କ’ଣ କାହାର ଅପରାଧ ଯୋଗୁଁ ? ମୋତେ ଯିବାକୁ ହେବ ନାହିଁ ? ମୋର କ’ଣ କର୍ତ୍ତବ୍ୟ ନାହିଁ ?’

 

ମହେନ୍ଦ୍ର ଅନେକ ଚିନ୍ତା କରି ମଧ୍ୟ ଏହି କଥାର ଭଲ ଉତ୍ତରଟିଏ ଖୋଜି ପାଇଲା ନାହିଁ । କିଛି ସମୟ ନୀରବ ରହି ପଚାରିଲା, ‘ତୁମର କ’ଣ ଏପରି କର୍ତ୍ତବ୍ୟ ରହିଚି ଯେ, ନ ଗଲେ ଚଳୁନାହିଁ-।’

 

ବିନୋଦିନୀ ଅତି ସାବଧାନ ଭାବରେ ଛୁଞ୍ଚିରେ ସୂତା ପୂରାଉ ପୂରାଉ କହିଲା, ‘କର୍ତ୍ତବ୍ୟ ଅଛି କି ନାହିଁ ସେ କଥା ମୋର ମନ ଜାଣେ । ଆପଣଙ୍କ ପାଖରେ ତାହାର କି ତାଲିକା ଦେବି ?’

 

ଗମ୍ଭୀର ଓ ଚିନ୍ତିତ ଭାବରେ ମହେନ୍ଦ୍ର ଝରକା ବାହାରେ ଗୋଟିଏ ଦୂରସ୍ଥିତ ନଡ଼ିଆଗଛକୁ ଚାହିଁ ଅନେକ ସମୟ ଯାଏ ନୀରବରେ ବସିରହିଲା । ବିନୋଦିନୀ ନିଃଶବ୍ଦରେ ସିଲାଇ କରିବାକୁ ଲାଗିଲା । ଛୁଞ୍ଚି ପଡ଼ିଲେ ସତେ ଅବା ଶବ୍ଦ ଶୁଣାଯିବ, ଘର ଭିତରେ ଏହିପରି ନୀରବତା ବିରାଜମାନ କରିବାକୁ ଲାଗିଲା । ଅନେକ ସମୟ ପରେ ମହେନ୍ଦ୍ର ହଠାତ୍ କଥା ଆରମ୍ଭ କଲା । ଅକସ୍ମାତ୍ ନୀରବତା ଭଙ୍ଗରେ ବିନୋଦିନୀ ଚମକି ପଡ଼ିଲା । ତା’ର ହାତରେ ଛୁଞ୍ଚି ଫୋଡ଼ି ହୋଇଗଲା ।

 

ମହେନ୍ଦ୍ର କହିଲା, ‘କୌଣସି ଅନୁନୟ ବିନୟରେ ତୁମକୁ ଅଟକାଇ ହେବ ନାହିଁ ?

 

ବିନୋଦିନୀ ତା’ର ଆହତ ଆଙ୍ଗୁଳିରୁ ରକ୍ତବିନ୍ଦୁ ଶୋଷି ନେଇ କହିଲା, ‘କିନ୍ତୁ ଏତେ ଅନୁନୟ-ବିନୟ କ’ଣ ପାଇଁ ? ମୁଁ ରହିଲେ କେତେ, ନ ରହିଲେ କେତେ ? ଆପଣଙ୍କର ସେଥିରେ ଯାଏ ଆସେ କ’ଣ ?’

 

କହୁ କହୁ ତା’ର କଣ୍ଠ ଭାରି ହୋଇ ଆସିଲା । ବିନୋଦିନୀ ଅତ୍ୟନ୍ତ ମୁଣ୍ଡ ନୁଆଇଁ ଏକାନ୍ତ ଭାବରେ ସିଲାଇରେ ମନୋନିବେଶ କଲା । ମନେହେଲା, ତା’ର ନତନେତ୍ରର ପଲ୍ଳବପ୍ରାନ୍ତରେ ଅଶ୍ରୁରେଖା ଦେଖାଦେଇଛି । ମାଘ ମାସର ଅପରାହ୍ନ ସେତେବେଳକୁ ସନ୍ଧ୍ୟାର ଅନ୍ଧକାରରେ ମିଶିଯିବାର ଉପକ୍ରମ କରୁଥିଲା । ମୁହୁର୍ତ୍ତକ ମଧ୍ୟରେ ମହେନ୍ଦ୍ର ବିନୋଦିନୀର ହାତ ଚାପିଧରି ରୁଦ୍ଧ ସଜଳ ସ୍ୱରରେ କହିଲା, ‘ଯଦି ମୋର କିଛି ଯାଏ-ଆସେ, ତେବେ ତୁମେ ରହିବ ?’

 

ବିନୋଦିନୀ ଦ୍ରୁତ ହାତ ଟାଣିନେଇ ଘୁରି ବସିଲା । ମହେନ୍ଦ୍ରର ମୋହ ଭାଙ୍ଗିଗଲା । ନିଜର ଶେଷ କଥାଗୁଡ଼ିକ ଭୀଷଣ ବ୍ୟଙ୍ଗ ପରି ତା’ର ନିଜ କାନରେ ବାରମ୍ବାର ପ୍ରତିଧ୍ୱନିତ ହେବାକୁ ଲାଗିଲା । ଅପରାଧୀ ଜିହ୍ୱାକୁ ମହେନ୍ଦ୍ର ଦନ୍ତଦ୍ୱାରା ଦଂଶନ କଲା । ତା’ ପରଠାରୁ ତା’ର ରସନା ନିର୍ବାକ୍‍ ହୋଇ ରହିଲା ।

 

ଏହି ସମୟରେ ଏହି ନୈଃଶବ୍ଦ୍ୟ ପରିପୂର୍ଣ୍ଣ ଘର ମଧ୍ୟରେ ଆଶା ପ୍ରବେଶ କଲା । ବିନୋଦିନୀ ତତ୍‌କ୍ଷଣାତ୍ ଯେପରି ପୂର୍ବ କଥୋପକଥନର ଅନୁବୃତ୍ତସ୍ୱରୂପ ମହେନ୍ଦ୍ରକୁ କହିଲା, ‘ଯେତେବେଳେ ତୁମ୍ଭେମାନେ ମୋର ମୂଲ୍ୟକୁ ଏତେ ବଢ଼ାଇ ସାରିଲଣି, ସେତେବେଳେ ତୁମ୍ଭମାନଙ୍କର ରକ୍ଷା କରିବା ମୋର କର୍ତ୍ତବ୍ୟ । ତେଣୁ ଯେତେ ଦିନ ଯାଏ ବିଦା ନ କରିବ, ସେତେ ଦିନ ଯାଏଁ ରହିଲି ।’

 

ଆଶା ସ୍ୱାମୀର କୃତକାର୍ଯ୍ୟତାରେ ଉତ୍‍ଫୁଲ ହୋଇ ସଖୀକୁ ଆଲିଙ୍ଗନ କଲା । କହିଲା, ‘ତା’ ହେଲେ ଏଇ କଥା ରହିଲା । ଏଥର ତ୍ରିବାର ସତ୍ୟ କରି କହ ଯେ ଯେତେଦିନ ଯାଏ ଆମେ ବିଦା ନ କରିବୁ, ତୁମେ ସେତେଦିନ ଯାଏ ରହିଥିବ ।’

 

ବିନୋଦିନୀ ତ୍ରିବାର ସତ୍ୟ କରି କହିଲା । ଆଶା କହିଲା, ‘ଭଉଣୀ, ଯଦି ରହିଲ, ତେବେ ଏତେ ନାକ ଧରାଇଲ କାହିଁକି ? ଶେଷରେ ମୋର ସ୍ୱାମୀଙ୍କ ପାଖରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା ନା ନାହିଁ ?’

 

ବିନୋଦିନୀ ହସି କରି କହିଲା, ‘ମହେନ୍ଦ୍ର ବାବୁ, ମୁଁ ହାରିଲି ନା ତୁମେ ହାରିଲ ?’

 

ଏପର୍ଯ୍ୟନ୍ତ ମହେନ୍ଦ୍ର ସ୍ତମ୍ଭିତ ହୋଇ ରହିଥିଲା । ତା’ର ମନେ ହେଉଥିଲା, ଯେପରି ତାହାରି ଅପରାଧରେ ଘରଟାଯାକ ପୂର୍ଣ୍ଣ ହୋଇ ରହିଚି ଯେପରି କେଉଁ ଲାଞ୍ଛନା ତା’ର ସର୍ବାଙ୍ଗ ଆବୃତ କରି ରହିଚି । ଆଶା ସହିତ ପ୍ରସନ୍ନ ମୁଖରେ ସ୍ୱାଭାବିକ ଭାବରେ ସେ କିପରି କଥା କହିବ । ମୁହୂର୍ତ୍ତକ ମଧ୍ୟରେ କିପରି ସେ ଆପଣାର ଅସଂଯମକୁ ସହାସ୍ୟ ଚଟୁଳତାରେ ପରିଣତ କରିବ ? ଏହି ପୈଶାଚିକ ଇନ୍ଦ୍ରଜାଲ ତା’ର ସାମର୍ଥ୍ୟ ବହିର୍ଭୁତ । ସେ ଗମ୍ଭୀର ଭାବରେ କହିଲା, ‘ମୁଁ ହିଁ ହାରିଲି–କହି ଘରୁ ବାହାରି ଚାଲିଗଲା ।

 

ଅନତିକାଳ ପରେ ପୁଣି ଘରେ ପ୍ରବେଶ କରି ମହେନ୍ଦ୍ର ବିନୋଦିନୀକୁ କହିଲା, ‘ମୋତେ କ୍ଷମା କର ।’

 

ବିନୋଦିନୀ କହିଲା, ‘କାହିଁକି, ତୁମେ କି ଅପରାଧ କରିଚ ?’

 

ମହେନ୍ଦ୍ର କହିଲା, ‘ତୁମକୁ ଜୋର କରି ଏଠି ରଖିବାର ଅଧିକାର ଆମର ନାହିଁ ।’

 

ବିନୋଦିନୀ ହସି କରି କହିଲା, ‘ତୁମେ ପୁଣି ଜୋର କେତେବେଳେ କଲ ? ଭଲ ପାଇ ତ ଭଲ ମୁହଁରେ ରହିବାକୁ କହିଲ । ତାକୁ କ’ଣ ଜୋର କହନ୍ତି ? କହିଲୁ ଭଉଣୀ, ଦେହର ଜୋର ଆଉ ସ୍ନେହର ଜୋର କ’ଣ ଏକା କଥା ?’

 

ଆଶା ସମ୍ପୂର୍ଣ୍ଣ ଏକମତ ହୋଇ କହିଲା, ‘କଦାପି ନୁହେଁ ।’

 

ବିନୋଦିନୀ କହିଲା, ‘ମହେନ୍ଦ୍ର ବାବୁ, ତୁମର ଇଚ୍ଛା ଯେ ମୁଁ ଏଠାରେ ରହେ । ମୁଁ ଚାଲିଗଲେ ତୁମକୁ ବାଧିବ । ତାହା ତ ମୋର ସୌଭାଗ୍ୟର କଥା । ନା କ’ଣ କହୁଚୁ ଭଉଣୀ ? ସଂସାରରେ ଏପରି ସହୃଦ୍‍ କେତେ ଜଣ ମିଳିବେ ? ଦୁଃଖରେ ଦୁଃଖୀ, ସୁଖରେ ସୁଖୀ–ଯଦି ମୋର ଭାଗ୍ୟବଳରୁ ମୋତେ ଏପରି ଜଣେ ଲୋକ ମିଳିଲା, ତେବେ ତାକୁ ଛାଡ଼ିଯିବାକୁ ମୁଁ ବ୍ୟସ୍ତ ହେବି କାହିଁକି ?’

 

ଆଶା ସ୍ୱାମୀକୁ ଅପଦସ୍ତଭାବରେ ନିରୁତ୍ତର ରହିବାର ଦେଖି ଈଷତ୍ ଦୁଃଖିତ ଭାବରେ କହିଲା, ‘ତୁମ ସହିତ କଥାରେ କିଏ ପାରିବ ? ମୋର ସ୍ୱାମୀତ ହାରିଚନ୍ତି ବର୍ତ୍ତମାନ ଚୁପ୍ ହୁଅ ।’

 

ମହେନ୍ଦ୍ର ଦ୍ରୁତପଦରେ ଘରୁ ବାହାରିଗଲା । ସେତେବେଳକୁ ବିହାରୀ ରାଜଲକ୍ଷ୍ମୀଙ୍କ ସହିତ କଥାବାର୍ତ୍ତା କରି ସାରି ମହେନ୍ଦ୍ର ପାଖକୁ ଆସୁଥିଲା । ତାକୁ ଦୁଆର ମୁହଁରେ ଦେଖି ମହେନ୍ଦ୍ର କହିଉଠିଲା, ‘ଭାଇ ବିହାରୀ, ମୋ’ ପରି ପାଷଣ୍ଡ ଆଉ ଜଗତରେ ନାହାନ୍ତି ।’ ଏତେ ଜୋରରେ କହିଲା ଯେ ସେ କଥା ଘର ଭିତରକୁ ଶୁଣାଗଲା ।

 

ଘର ଭିତରୁ ତତ୍‌କ୍ଷଣାତ୍ ଆହ୍ୱାନ ଆସିଲା, ‘ବିହାରୀବାବୁ !’

 

ବିହାରୀ କହିଲା, ‘ଟିକିଏ ଛାଡ଼ି ଆସୁଚି ବିନୋଦ–ନୂଆବୋଉ ।’

 

Unknown

ବିନୋଦିନୀ କହିଲା, ‘ଟିକିଏ ଶୁଣିଯାଅ ।’

 

ଘରେ ପ୍ରବେଶ କରି ବିହାରୀ ମୁହୂର୍ତ୍ତକ ମଧ୍ୟରେ ଥରେ ଆଶା ଆଡ଼କୁ ଚାହିଁଲା । ଓଢ଼ଣା ଭିତରୁ ଆଶା ମୁହଁର ଯେଉଁ ଅଂଶଟି ସେ ଦେଖିପାରିଲା, ସେଥିରେ ବିଷାଦ ବା ବେଦନାର କୌଣସି ଚିହ୍ନ ନ ଥିଲା । ଆଶା ଉଠିଯିବାକୁ ଚେଷ୍ଟା କଲା । ବିନୋଦିନୀ ଜୋର କରି ତାକୁ ଧରି ରଖିଲା । କହିଲା, ‘ଆଚ୍ଛା କହିଲ ବିହାରୀବାବୁ ! ମୋ’ ‘ଅସହୀ’ ସହିତ କ’ଣ ତୁମର ସପତ୍ନୀ-ସମ୍ପର୍କ ରହିଚି ? ତୁମକୁ ଦେଖିଲେ ସେ ପଳାଏ କାହିଁକି ?’

 

ଆଶା ଅତ୍ୟନ୍ତ ଲଜ୍ଜିତ ହୋଇ ବିନୋଦିନୀକୁ ତାଡ଼ନା କଲା ।

 

ବିହାରୀ ହସି କରି ଉତ୍ତର ଦେଲା, ‘ମୋତେ ବିଧାତା ବିଶେଷ ସୁଦୃଶ୍ୟ କରି ଗଢ଼ିନାହାନ୍ତି ବୋଲି ।’

 

ବିନୋଦିନୀ–ଦେଖିଲୁ ଭଉଣୀ, ବିହାରୀବାବୁ କିପରି ଜଗିରଖି କଥା କହି ଜାଣନ୍ତି ତୋ’ ରୁଚିକୁ ଦୋଷ ନ ଦେଇ ବିଧାତାକୁ ଦୋଷ ଦେଲେ । ଲକ୍ଷ୍ମଣ ପରି ସୁଲକ୍ଷଣ ଦିଅରଟିଏ ପାଇ ମଧ୍ୟ ତୁ ତାକୁ ଆଦର କରି ଶିଖିଲୁ ନାହିଁ । ତୋ’ର ଭାଗ୍ୟ ଖରାପ ।

 

ବିହାରୀ–ସେଥିପାଇଁ ଯଦି ତୁମର ଦୟା ହେବ ବିନୋଦ–ନୂଆବୋଉ, ତେବେ ସେଥିରେ ମୁଁ ଆଉ ଆକ୍ଷେପ କରିବି କାହିଁକି ?

 

ବିନୋଦିନୀ–ସମୁଦ୍ର ତ ପଡ଼ିରହିଚି, ତଥାପି ମେଘ ନ ହେଲେ ଚାତକର ତୃଷ୍ଣା ମେଣ୍ଟୁନାହିଁ କାହିଁକି ?

 

ଆଶାକୁ ଆଉ ରଖି ହେଲା ନାହିଁ । ସେ ଜୋର କରି ବିନୋଦିନୀର ହାତ ଛଡ଼ାଇ ବାହାରି ଚାଲିଗଲା । ବିହାରୀ ମଧ୍ୟ ଯିବା ଉପକ୍ରମ କରୁଥିଲା । ବିନୋଦିନୀ କହିଲା, ‘ବିହାରୀବାବୁ, ମହେନ୍ଦ୍ରବାବୁଙ୍କର କ’ଣ ହୋଇଚି ଜାଣିଚ ?’

 

ପୁଣି ବିହାରୀ ଫେରିଆସିଲା । କହିଲା, ‘ନାଇଁ ତ ! କ’ଣ ହୋଇଚି ?’

 

ବିନୋଦିନୀ–କେଜାଣି, କିନ୍ତୁ ମୋର କାହିଁକି କେମିତି କେମିତି ମନେ ହେଉଚି ।

 

ବିହାରୀ ଉଦବିଗ୍ନ ଭାବରେ ଚଉକୀ ଉପରେ ବସିପଡ଼ିଲା । କଥାଟା ପରିଷ୍କାର ଭାବରେ ଶୁଣିବା ଉଦ୍ଦେଶ୍ୟରେ ବିନୋଦିନୀର ମୁହଁକୁ ବ୍ୟଗ୍ର ଭାବରେ ଅନାଇ ରହି ଅପେକ୍ଷା କରିବାକୁ ଲାଗିଲା । ବିନୋଦିନୀ କିଛି ନ କହି ମନୋଯୋଗ ସହିତ ଚାଦର ସିଲାଇ କରିବାକୁ ଲାଗିଲା ।

 

କିଛି ସମୟ ପରେ ବିହାରୀ କହିଲା, ‘ମହେନ୍ଦ୍ର ଭାଇଙ୍କ ସମ୍ବନ୍ଧରେ ତୁମେ କ’ଣ ବିଶେଷ କିଛି ଲକ୍ଷ୍ୟ କରିଚ ?’

 

ବିନୋଦିନୀ ଅତି ସହଜ ଭାବରେ କହିଲା, ‘କେଜାଣି, ମୋତେ କାହିଁକି କିଛି ଭଲ ଜଣାଯାଉନାହିଁ । ମୋର ‘ଅସହୀ’ ପାଇଁ କେବଳ ମୁଁ ଭାବୁଚି । କହି ଦୀର୍ଘନିଶ୍ୱାସ ପକାଇ ସିଲାଇ ରଖିଦେଇ ଯିବାକୁ ଉଦ୍ୟତ ହେଲା ।

 

ବିହାରୀ ବ୍ୟସ୍ତ ହୋଇ କହିଲା, ‘ନୂଆବୋଉ, ଟିକିଏ ବସ ।’

 

ବିନୋଦିନୀ ଘରର କବାଟ–ଝରକା ସମ୍ପୂର୍ଣ୍ଣ ଖୋଲି ଦେଇ କିରାସିନୀ ବତୀ ତେଜି ଦେଇ ପୁଣି ସିଲାଇ ଧରି ଯାଇ ବିଛଣା ଉପରେ ବସିଲା । କହିଲା, ‘ବିହାରୀବାବୁ, ମୁଁ ତ ଚିରଦିନ ଏଠାରେ ରହିବି ନାହିଁ, କିନ୍ତୁ ମୁଁ ଚାଲିଗଲା ପରେ ମୋ’ ‘ଅସହୀ’ ଉପରେ ଟିକିଏ ଦୃଷ୍ଟି ରଖିଥିବ–ଯେପରି ସେ କୌଣସି ଦୁଃଖ ନ ପାଏ ।’ କହି ସତେ ଅବା ହୃଦୟୋଚ୍ଛ୍ୱାସ ସମ୍ବରଣ କରିବା ପାଇଁ ବିନୋଦିନୀ ଅନ୍ୟ ଆଡ଼କୁ ମୁହଁ ବୁଲାଇ ନେଲା ।

 

ବିହାରୀ କହିଲା,‘ ନୂଆବୋଉ, ତୁମକୁ ରହିବାକୁ ହିଁ ହେବ । ତୁମର ନିଜର ବୋଲି କେହି ନାହାନ୍ତି–ଏହି ସରଳା ଝିଅଟିକୁ ସୁଖଦୁଃଖରୁ ରକ୍ଷା କରିବାର ଭାର ତୁମେ ନିଅ । ତୁମେ ତାକୁ ଛାଡ଼ିଗଲେ ମୁଁ ନିଜେ କିଛି ଉପାୟ କରିପାରିବି ନାହିଁ ।’

 

ବିନୋଦିନୀ–ବିହାରୀବାବୁ, ତୁମେ ତ ସଂସାରର ଢଙ୍ଗ ଜାଣିଚ । ଏଠି ମୁଁ ସବୁଦିନ ପାଇଁ ରହିପାରିବି କିପରି ? ଲୋକେ କ’ଣ କହିବେ ?

 

ବିହାରୀ–ଲୋକେ ଯାହା କହିବାର କହନ୍ତୁ ପଛକେ, ତୁମେ ସେଥିକୁ କାନ ଦିଅନା । ତୁମେ ଦେବୀ, ଅସହାୟ ବାଳିକାକୁ ସଂସାରର ନିଷ୍ଠୁର ଆଘାତରୁ ରକ୍ଷା କରିବା କେବଳ ତୁମରିଦ୍ୱାରା ସମ୍ଭବ ହୋଇପାରିବ । ନୂଆବୋଉ, ତୁମକୁ ମୁଁ ପ୍ରଥମେ ଚିହ୍ନିପାରି ନ ଥିଲି, ସେଥିପାଇଁ ମୋତେ କ୍ଷମା କର । ମୁଁ ମଧ୍ୟ ସଂକୀର୍ଣ୍ଣ ହୃଦୟ ସାଧାରଣ ଇତର ଲୋକଙ୍କ ପରି ମନେ ମନେ ତୁମ ବିଷୟରେ ଅନ୍ୟାୟ ଧାରଣା ପୋଷଣ କରିଥିଲି । ଥରେ ଏପରି ମଧ୍ୟ ଭାବିଥିଲି ଯେ ଯେପରି ତୁମେ ଆଶାର ସୁଖକୁ ଇର୍ଷା କରୁଚ, କିନ୍ତୁ ସେସବୁ କଥା ମୁହଁରେ ଉଚ୍ଚାରଣ କଲେ ମଧ୍ୟ ପାପ ହେବ । ପରେ ମୁଁ ତୁମର ଦେବୀହୃଦୟର ପରିଚୟ ପାଇଚି,–ତୁମ ଉପରେ ମୋର ଗଭୀର ଭକ୍ତି ଜନ୍ମିଚି ବୋଲି ଆଜି ମୁଁ ତୁମ ପାଖରେ ମୋର ସମସ୍ତ ଅପରାଧ ସ୍ୱୀକାର ନ କରି ରହିପାରିଲି ନାହିଁ-

 

ବିନୋଦିନୀର ସର୍ବଶରୀର ପୁଲକିତ ହୋଇ ଉଠିଲା । ପ୍ରକୃତରେ ସେ ଛଳନା କରୁଥିଲେ ହେଁ ବିହାରୀର ଏହି ଭକ୍ତ–ଉପହାରକୁ ସେ ମନ ଭିତରେ ମଧ୍ୟ ମିଥ୍ୟା ବୋଲି ପ୍ରତ୍ୟାଖ୍ୟାନ କରିପାରିଲା ନାହିଁ । ଆଗରୁ ସେ ଏପରି ଜିନିଷ କେବେ କାହାରିଠାରୁ ପାଇ ନ ଥିଲା-। କ୍ଷଣକ ପାଇଁ ତା’ର ମନେହେଲା ସେ ଯେପରି ଯଥାର୍ଥରେ ପବିତ୍ର ଓ ଉନ୍ନତ,–ଆଶା ପ୍ରତି ଗୋଟିଏ ଅନିର୍ଦ୍ଦେଶ୍ୟ ଦୟାରେ ତା’ର ଆଖିରୁ ଲୁହ ବହିବାକୁ ଲାଗିଲା । ଏହି ଅଶ୍ରୁପାତକୁ ସେ ବିହାରୀ ପାଖରୁ ଗୋପନ କରି ରଖିଲା ନାହିଁ ଏବଂ ସେହି ଅଶ୍ରୁଧାରା ବିନୋଦିନୀର ନିଜ ପାଖରେ ନିଜକୁ ପୂଜନୀୟା ବୋଲି ମୋହ ଉତ୍ପାଦନ କଲା ।

 

ବିନୋଦିନୀକୁ ଅଶ୍ରୁପାତ କରୁଥିବାର ଦେଖି ବିହାରୀ ଆପଣାର ଅଶ୍ରୁବେଗ ସମ୍ବରଣ କରି ଉଠି ମହେନ୍ଦ୍ରର ଘରକୁ ଗଲା । ମହେନ୍ଦ୍ର ଯେ ହଠାତ୍ କାହିଁକି ନିଜକୁ ପାଷଣ୍ଡ ବୋଲି ଘୋଷଣା କଲା, ବିହାରୀ ତା’ର କୌଣସି ତାତ୍ପର୍ଯ୍ୟ ଖୋଜି ପାଇଲା ନାହିଁ । ଘରେ ପ୍ରବେଶ କରି ଦେଖିଲା, ମହେନ୍ଦ୍ର ଘରେ ନାହିଁ । ଖବର ପାଇଲା ଯେ ସେ ବୁଲିବାକୁ ଯାଉଚି । ପୂର୍ବେ ମହେନ୍ଦ୍ର କେବେ ହେଲେ ଅକାରଣରେ ଘରଛାଡ଼ି ବାହାରକୁ ଯାଉ ନ ଥିଲା । ସୁପରିଚିତ ଲୋକ ଓ ସୁପରିଚିତ ଘରର ବାହାରେ ମହେନ୍ଦ୍ର ଅତ୍ୟନ୍ତ କ୍ଲାନ୍ତି ଓ ପୀଡ଼ା ବୋଧ କରୁଥିଲା । ଏହିସବୁ ଭାବି ଭାବି ବିହାରୀ ନିଜ ଘରକୁ ଫେରିଗଲା ।

 

ବିନୋଦିନୀ ଆଶାକୁ ନିଜର ଶୟନଗୃହକୁ ଡାକିଆଣି ତାକୁ ଛାତି ଉପରକୁ ଟାଣିନେଇ ସଜଳ ଚକ୍ଷୁରେ କହିଲା, ‘ଭଉଣୀ, ମୁଁ ବଡ଼ ହତଭାଗିନୀ, ବଡ଼ ଅଲକ୍ଷଣୀ ।’

 

ଆଶା ବ୍ୟଥିତ ହୋଇ ତାକୁ ବାହୁପାଶରେ ବେଷ୍ଟନ କରି ସ୍ନେହାର୍ଦ୍ର କଣ୍ଠରେ କହିଲା, ‘ଏପରି କାହିଁକି କହୁଚ ଭଉଣୀ !’

 

ବିନୋଦିନୀ ରୋଦନୋଚ୍ଛ୍ୱସିତ ଶିଶୁ ପରି ଆଶାର ଛାତିରେ ମୁହଁ ରଖି କହିଲା, ‘ମୁଁ ଯେଉଁଠି ରହିବି, ସେଠି କେବଳ ମନ୍ଦ ହେବ । ଦେ’ ଭଉଣୀ ମତେ ଛାଡ଼ିଦେ, ମୁଁ ମୋର ଜଙ୍ଗଲକୁ ଚାଲିଯାଏ !’

 

ଆଶା ଚିବୁକ ଧରି ବିନୋଦିନୀର ମୁହଁ ଟେକି କହିଲା, ‘ଛି ଭଉଣୀ, ସେପରି କଥା କାହିଁକି କହୁଚ? ତୁମକୁ ଛାଡ଼ି ମୁଁ ରହିପାରିବି ନାହିଁ । ଏପରି କଥାମାନ ଆଜି କାହିଁକି ମନକୁ ଆଣୁଚ କହିଲ !’

 

ମହେନ୍ଦ୍ରର ଦେଖା ନ ପାଇଁ ବିହାରୀ କୌଣସି ଏକ ଛଳନା କରି ମହେନ୍ଦ୍ର ଓ ଆଶାଙ୍କର ମଧ୍ୟବର୍ତ୍ତୀ ଆଶଙ୍କାରେ କଥାଟା ଆଉ ଟିକିଏ ସ୍ପଷ୍ଟ କରି ଶୁଣିବା ପାଇଁ ବିନୋଦିନୀ ପାଖରେ ଉପସ୍ଥିତ ହେଲା ।

 

ମହେନ୍ଦ୍ର ତା’ ପରଦିନ ସକାଳେ ତା’ଘରେ ଖାଇବାକୁ ଯିବାକୁ କହିବା ପାଇଁ ବିନୋଦିନୀକୁ ଅନୁରୋଧ କରିବା ଉପଲକ୍ଷ୍ୟରେ ସେ ଉପସ୍ଥିତ ହେଲା । ‘ବିନୋଦ-ନୂଆବୋଉ’ ବୋଲି ଡାକି ହଠାତ୍ କିରାସିନୀ ଆଲୁଅର ଉଜ୍ଜ୍ୱଳ ଆଲୋକରେ ବାହାରୁ ଆଲିଙ୍ଗନବଦ୍ଧ ସାଶ୍ରୁନେତ୍ର ଦୁଇ ସଖୀଙ୍କୁ ଦେଖି ସେ ଠିଆ ହୋଇଗଲା । ଆଶାର ମନେହେଲା, ବିହାରୀ ନିଶ୍ଚୟ ବିନୋଦିନୀକୁ ଅନ୍ୟାୟ ନିନ୍ଦା କରି କିଛି କହିଚି, ସେଥିପାଇଁ ସେ ଆଜି ଚାଲିଯିବାକୁ ବାହାରିଚି । ଏପରି କହିବା ତାଙ୍କର ଭାରି ଅନ୍ୟାୟ, ତାଙ୍କର ମନ ଭିତରଟା ଆଦୌ ଭଲ ନୁହେଁ । ବିରକ୍ତ ହୋଇ ଆଶା ବାହାରକୁ ଚାଲିଗଲା । ବିହାରୀ ମଧ୍ୟ ବିନୋଦିନୀ ପ୍ରତି ଭକ୍ତିର ମାତ୍ରା ବଢ଼ାଇ ବିଚଳିତ ହୃଦୟରେ ଦ୍ରୁତ ପ୍ରସ୍ଥାନ କଲା ।

 

ସେଦିନ ରାତିରେ ମହେନ୍ଦ୍ର ଆଶାକୁ କହିଲା, ‘ମୁଁ କାଲି ସକାଳେ ପାସେଞ୍ଜରରେ କାଶୀ ଯାଉଚି ।’

 

ଆଶାର ବକ୍ଷସ୍ଥଳ ଧଡ଼୍ କରି ହୋଇଉଠିଲା, କହିଲା–‘କାହିଁକି ?’

 

ମହେନ୍ଦ୍ର କହିଲା, ‘ଅନେକ ଦିନ ହେଲା ଖୁଡ଼ୀଙ୍କୁ ଦେଖିନାହିଁ ।’

 

ଆଶା ଭାରି ଲଜ୍ଜାବୋଧ କଲା । ଏହି କଥା ତା’ର ମନରେ ପ୍ରଥମେ ଉଦୟ ହେବା ଉଚିତ ଥିଲା । ନିଜ ସୁଖଦୁଃଖର ଆକର୍ଷଣରେ ସ୍ନେହମୟୀ ମାଉସୀଙ୍କୁ ସେ ଭୁଲିଯାଇଥିଲା, ଅଥଚ ମହେନ୍ଦ୍ର ସେଇ ପ୍ରବାସିନୀ ତପସ୍ୱିନୀଙ୍କୁ ମନେରଖିଚି, ଏଥିଲାଗି ଆପଣାକୁ କଠିନ ହୃଦୟା ବୋଲି ତା’ର ଧିକ୍‌କାର ଜନ୍ମିଲା ।

 

ମହେନ୍ଦ୍ର କହିଲା, ‘ମୋ’ ହାତରେ ସେ ସଂସାରରେ ତାଙ୍କର ଏକମାତ୍ର ସ୍ନେହର ଧନକୁ ସମର୍ପଣ କରିଯାଇଚନ୍ତି । ତାଙ୍କୁ ଥରେ ଦେଖି ନ ଆସିଲେ ମୁଁ ସ୍ଥିର ହୋଇ ରହିପାରୁ ନାହିଁ ।’

 

କହୁ କହୁ ମହେନ୍ଦ୍ର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସିଲା । ସ୍ନେହପୂର୍ଣ୍ଣ ନୀରବ ଆଶୀର୍ବାଦ ଓ ଅବ୍ୟକ୍ତ ମଙ୍ଗଳକାମନାର ସହିତ ସେ ବାରମ୍ବାର ଆଶାର ଲଲାଟ ଏବଂ ମସ୍ତକରେ ଦକ୍ଷିଣକରତଳ ଚାଳନା କରିବାକୁ ଳାଗିଲା । ଆଶା ଏହି ଅକସ୍ମାତ୍ ସ୍ନେହାବେଗର ସମ୍ପୂର୍ଣ୍ଣ ମର୍ମ ବୁଝିପାରିଲା ନାହିଁ । କେବଳ ତା’ର ହୃଦୟ ବିଗଳିତ ହୋଇ ଅଶ୍ରୁ ଝରିବାକୁ ଲାଗିଲା । ଆଜି ସନ୍ଧ୍ୟାବେଳେ ବିନୋଦିନୀ ତାକୁ ଅକାରଣ ସ୍ନେହାତିଶଯ୍ୟରେ ଯେଉଁସବୁ କଥା କହିଥିଲା, ସେସବୁ ମନେପଡ଼ିଗଲା । ଉଭୟ ଘଟଣା ମଧ୍ୟରେ କେଉଁଠି କିଛି ଯୋଗ ଅଛି କି ନାହିଁ, ସେ ତାହା ବୁଝିପାରିଲା ନାହିଁ । କିନ୍ତୁ ମନେହେଲା, ଯେପରି ଏହା ତାହାର ଜୀବନରେ ଗୋଟାଏ କିଛିର ସୂଚନା–ଭଲ କି ମନ୍ଦ ସେକଥା କିଏ ଜାଣିଚି ?

 

ଭୟାକୁଳ ଚିତ୍ତରେ ମହେନ୍ଦ୍ରକୁ ସେ ବାହୁପାଶରେ ଆବଦ୍ଧ କଲା । ମହେନ୍ଦ୍ର ତା’ର ସେହି ଅକାରଣ ଆଶଙ୍କାର ଆବେଗ ଅନୁଭବ କରିପାରିଲା । କହିଲା, ‘ଚୁନି, ତୁମ ଉପରେ ତୁମ ପୁଣ୍ୟବତୀ ମାଉସୀଙ୍କର ଆଶୀର୍ବାଦ ରହିଚି । ତୁମର କିଛି ଭୟ ନାହିଁ । ସେ ତୁମରି ମଙ୍ଗଳ ପାଇଁ ତାଙ୍କର ସବୁ ତ୍ୟାଗ କରିଯାଇଚନ୍ତି, ତୁମର କଦାପି କୌଣସି ଅକଲ୍ୟାଣ ହେବ ନାହିଁ ।’

 

ଆଶା ଦୃଢ଼ ଚିତ୍ତରେ ସମସ୍ତ ଭୟ ଦୂର କଲା । ସ୍ୱାମୀର ଏହି ଆଶୀର୍ବାଦକୁ ସେ ଅକ୍ଷୟକବଚ ପରି ଗ୍ରହଣ କଲା । ମନେ ମନେ ସେ ବାରମ୍ବାର ତା’ର ମାଉସୀଙ୍କର ପଦଧୂଳି ମସ୍ତକରେ ନେଇ ମାରିବାକୁ ଲାଗିଲା ଏବଂ ଏକାଗ୍ର ମନରେ କହିଲା, ‘ମା’ ତୁମର ଆଶୀର୍ବାଦ ମୋର ସ୍ୱାମୀଙ୍କୁ ସର୍ବଦା ରକ୍ଷା କରୁଥାଉ ।’

 

ପରଦିନ ମହେନ୍ଦ୍ର ଚାଲିଗଲା, ବିନୋଦିନୀକୁ କିଛି ମାତ୍ର କହିଲା ନାହିଁ । ବିନୋଦିନୀ ମନେ ମନେ କହିଲା, ‘ନିଜେ ଅନ୍ୟାୟ କରି ପୁଣି ମୋ’ ଉପରେ ରାଗ ? ଏପରି ସାଧୁ ଲୋକ ତ ମୁଁ କେଉଁଠି ଦେଖିନାହିଁ, କିନ୍ତୁ ଏପରି ସାଧୁତ୍ୱ ବେଶୀ ଦିନ ରହିପାରେ ନାହିଁ ।

 

(୨୨)

 

ସଂସାର ତ୍ୟାଗିନୀ ଅନ୍ନପୂର୍ଣ୍ଣା–ବହୁଦିନପରେ ହଠାତ୍ ମହେନ୍ଦ୍ରକୁ ଆସିବାକୁ ଦେଖି ସ୍ନେହରେ ଓ ଆନନ୍ଦରେ ଆପ୍ଲୁତ ହୋଇଗଲେ । ସଙ୍ଗେ ସଙ୍ଗେ ତାଙ୍କର ହଠାତ୍ ଭୟ ମଧ୍ୟ ରହିଲା ଯେ ହୁଏତ ଆଶା ସକାଶେ ମାଆ ସହିତ ମହେନ୍ଦ୍ରର କିଛି ବିରୋଧ ଘଟିଚି ଏବଂ ମହେନ୍ଦ୍ର ତାଙ୍କ ପାଖରେ ନାଲିସ ଜଣାଇ ସାନ୍ତ୍ୱନା ଲାଭ କରିବାକୁ ଆସିଚି । ଶିଶୁକାଳରୁ ମହେନ୍ଦ୍ର ସବୁ ପ୍ରକାର ସଙ୍କଟ ଓ ସନ୍ତାପ ସମୟରେ ତା’ର ଖୁଡ଼ୀପାଖକୁ ଦଉଡ଼ି ଆସେ । କାହା ଉପରେ ତା’ର ରାଗ ସହଜ ହୋଇ ସହ୍ୟ କରିବାକୁ ଉପଦେଶ ଦିଅନ୍ତି, କିନ୍ତୁ ବିବାହର ପରଠାରୁ ମହେନ୍ଦ୍ରର ଜୀବନରେ ସର୍ବାପେକ୍ଷା ଯେଉଁ ସଙ୍କଟର କାରଣ ଘଟିଛି, ତା’ର ପ୍ରତିକାର–ଚେଷ୍ଟା ଦୂରେଥାଉ, କୌଣସି ପ୍ରକାରର ସାନ୍ତ୍ୱନା ମଧ୍ୟ ସେ ଦେବାକୁ ସମର୍ଥ ନୁହନ୍ତି । ସେହି ସମ୍ବନ୍ଧରେ ସେ ଯେପରି ଭାବରେ ହସ୍ତକ୍ଷେପ କରନ୍ତୁ ନା କାହିଁକି, ସେଥିରେ ମହେନ୍ଦ୍ରର ସାଂଘାତିକ ବିପ୍ଳବ ଯେ ଓଲଟି ଦୁଇଗୁଣ ବଢ଼ି ଉଠିବ, ଏହିକଥା ନିଶ୍ଚିତ ବୋଲି ବୁଝିପାରିବା ସଙ୍ଗେ ସଙ୍ଗେ ସେ ସଂସାର ତ୍ୟାଗ କଲେ । ରୁଗ୍‌ଣ ଶିଶୁ ଯେତେବେଳେ ପାଣି ମାଗି କାନ୍ଦିବାକୁ ଲାଗେ, କିନ୍ତୁ ତାକୁ ପାଣି ଦେବାକୁ ଯେତେବେଳେ କବିରାଜଙ୍କ ନିତାନ୍ତ ନିଷେଧ ଥାଏ ସେତେବେଳେ ମାଆ ଯେପରି ପୀଡ଼ିତ ଚିତ୍ତରେ ଅନ୍ୟ ଘରକୁ ଚାଲିଯାଆନ୍ତି, ସେହିପରି ଅନ୍ନପୂର୍ଣ୍ଣା ନିଜକୁ ପ୍ରବାସକୁ ନେଇ ଆସିଚନ୍ତି । ଦୂର ତୀର୍ଥବାସରେ ରହି ଧର୍ମକର୍ମର ନିୟମିତ ଅନୁଷ୍ଠାନରେ ସେ କେତେଦିନ ହେଲା ବେଶ୍ ଅନେକ ପରିମାଣରେ ସଂସାରକୁ ଭୁଲି ଆସୁଥିଲେ । ମହେନ୍ଦ୍ର କ’ଣ ସେହି ସବୁ ବିରୋଧ–କଥା ପକାଇ ତାଙ୍କର କ୍ଷତରେ ଆଘାତ କରିବାକୁ ଆସିଚି ? କିନ୍ତୁ ମହେନ୍ଦ୍ର ଆଶା ସକାଶେ ତା’ର ମାଆଙ୍କ ସମ୍ବନ୍ଧରେ କୌଣସି ନାଲିସ କଲା ନାହିଁ । ଏହା ଦେଖି ଅନ୍ନପୂର୍ଣ୍ଣାଙ୍କ ଆଶଙ୍କା ଅନ୍ୟପଥ ଧରିବାକୁ ଲାଗିଲା । ଯେଉଁ ମହେନ୍ଦ୍ର ଆଶାକୁ ଛାଡ଼ି କଲେଜକୁ ମଧ୍ୟ ଯିବାକୁ ଇଚ୍ଛା କରୁ ନ ଥିଲା, ସେ ଆଜି ଖୁଡ଼ୀର ଖବର ନେବାକୁ କାଶୀ ଆସିଲା କାହିଁକି ? ତା’ ହେଲେ ଆଶା ପ୍ରତି ମହେନ୍ଦ୍ରର ଆକର୍ଷଣ କ’ଣ କ୍ରମେ ଶିଥିଳ ହୋଇଆସୁଚି ? କିଞ୍ଚିତ୍ ଆଶଙ୍କାର ସହିତ ସେ ମହେନ୍ଦ୍ରକୁ ପଚାରିଲେ, ‘ମହେନ୍ଦ୍ର, ମୋ’ରାଣ ପକାଇ ତୁ ଠିକ୍ କରି କହିଲୁ, ଚୁନି କିପରି ଅଛି ?’

ମହେନ୍ଦ୍ର କହିଲା, ‘ବେଶ୍ ଭଲ ଅଛି ।’

‘ଆଜିକାଲି ସେ କ’ଣ କରେ ? ତୁମେ ଦୁହେଁ ଆଜିଯାଏ ବି ସେହିପରି ପିଲା ହୋଇ ରହିଚ ନା କାମଧନ୍ଦା ଆଉ ଘରକରଣାରେ ମନ ଦେଲଣି ?

ମହେନ୍ଦ୍ର କହିଲା, ‘ପିଲାଳିଆ ଚଗଲାମି ଏକାବେଳକେ ବନ୍ଦ । ସବୁ ଅଡ଼ୁଆର ମୂଳ ସେହି ଚାରୁପାଠ ଖଣ୍ଡକ ଯେ କୁଆଡ଼େ ଅଦୃଶ୍ୟ ହେଲାଣି, ଆଉ ତା’ର ସନ୍ଧାନ ମଧ୍ୟ ମିଳୁନାହିଁ । ତୁମେ ଥିଲେ ଦେଖିକରି ଖୁସି ହୋଇଥାନ୍ତ ଯେ ଲେଖାପଢ଼ା ଶିଖିବାରେ ଅବହେଳା କରିବା ସ୍ତ୍ରୀ ଲୋକମାନଙ୍କ ପକ୍ଷରେ ଯେତେଦୂର କର୍ତ୍ତବ୍ୟ, ତାହା ଚୁନି ଏକାନ୍ତମନରେ ପାଳନ କରୁଚି ।’

‘ମହେନ୍ଦ୍ର, ବିହାରୀ କ’ଣ କରୁଚି ?’

ମହେନ୍ଦ୍ର କହିଲା, ‘ନିଜ କାମ ଛଡ଼ା ଆଉ ସବୁ କରୁଚି । ନାଏବ ଗୁମାସ୍ତାମାନେ ତା’ର ବିଷୟ-ସମ୍ପତ୍ତି ଦେଖନ୍ତି, କି ଆଖିରେ ଯେ ଦେଖନ୍ତି ମୁଁ ଠିକ୍ କରି କହିପାରିବି ନାହିଁ । ବିହାରୀର ଚିରକାଳ ସେଇ ଦଶା । ତା’ର ନିଜ କାମ ଅନ୍ୟମାନେ ଦେଖନ୍ତି, ସେ ଅନ୍ୟମାନଙ୍କର କାମ ଦେଖେ-।’

ଅନ୍ନପୂର୍ଣ୍ଣା କହିଲେ, ‘ସେ କ’ଣ ବିବାହ କରିବ ନାହିଁ ?’

ମହେନ୍ଦ୍ର ଇଷତ୍ ହସି କହିଲା, ‘କାହିଁ ସେସବୁର ତ କୌଣସି ଉଦ୍‍ଯୋଗ ଦେଖୁନାହିଁ ।’

ଅନ୍ନପୂର୍ଣ୍ଣା ହୃଦୟର ଗୋପନ ସ୍ଥାନରେ ପୁଣି ଗୋଟିଏ ଆଘାତ ପାଇଲେ । ସେ ସ୍ପଷ୍ଟ କରି ବୁଝିପାରିଥିଲେ ଯେ ତାଙ୍କ ଝିଆରୀକୁ ଦେଖି ଥରେ ବିହାରୀ ଆଗ୍ରହର ସହିତ ବିବାହ କରିବାକୁ ଉଦ୍ୟତ ହୋଇଥିଲା । ତା’ର ସେହି ଉନ୍ମୁଖ ଆଗ୍ରହ ଅନ୍ୟାୟ ଭାବରେ ଅକସ୍ମାତ ଦଳିତ ହୋଇଚି । ବିହାରୀ କହିଥିଲା, ‘ଖୁଡ଼ୀ ମୋତେ ଆଉ କେବେ ବିବାହ କରିବାକୁ ଅନୁରୋଧ କରିବ ନାହିଁ ।’ ସେହି ଅତି ଅଭିମାନିଆ କେତେପଦ କଥା ଅନ୍ନପୂର୍ଣ୍ଣାଙ୍କ କାନରେ ଆସି ବାଜୁଥିଲା । ତାଙ୍କର ଏକାନ୍ତ ଅନୁଗତ ସ୍ନେହର ବିହାରୀକୁ ସେ ସେହି ଅବସ୍ଥାରେ ଛାଡ଼ି ଆସିଥିଲେ, ତାକୁ ସେ କୌଣସି ସାନ୍ତ୍ୱନା ଦେଇ ପାରି ନ ଥିଲେ । ଅନ୍ନପୂର୍ଣ୍ଣା ଅତ୍ୟନ୍ତ ବିମର୍ଷ ଓ ଭୀତ ହୋଇ ଭାବିଲେ, ‘ଆଜିଯାଏ କ’ଣ ଆଶା ପ୍ରତି ବିହାରୀର ଆକର୍ଷଣ ରହିଚି ?’

ମହେନ୍ଦ୍ର କେତେବେଳେ ଥଟ୍ଟାରେ, କେତେବେଳେ ଗମ୍ଭୀର ଭାବରେ ସେମାନଙ୍କ ଘରକରଣାର ଅତି ଆଧୁନିକ ଖବରମାନ ଜଣାଇବାକୁ ଲାଗିଲା, ମାତ୍ର ବିନୋଦିନୀର ଉଲ୍ଲେଖ ମାତ୍ର କଲା ନାହିଁ ।

ବର୍ତ୍ତମାନ କଲେଜ ଖୋଲା, ମହେନ୍ଦ୍ରର କାଶୀରେ ବେଶୀଦିନ ରହିବାର କଥା ନୁହେଁ । କିନ୍ତୁ କଠିନ ରୋଗ ପରେ ସ୍ୱାସ୍ଥ୍ୟକର ଆବହାଉଆ ମଧ୍ୟରେ ଆରୋଗ୍ୟ ଲାଭର ଯେଉଁ ସୁଖ, ମହେନ୍ଦ୍ର କାଶୀରେ ଅନ୍ନପୂର୍ଣ୍ଣାଙ୍କ ନିକଟରେ ରହି ପ୍ରତିଦିନ ସେହି ସୁଖ ଅନୁଭବ କରୁଥିଲା । ତେଣୁ ଦିନ ପରେ ଦିନ କଟିଯିବାକୁ ଲାଗିଲା । ତା’ର ନିଜ ଭିତରେ ଯେଉଁ ବିରୋଧ ଉପୁଜିବାର ଉପକ୍ରମ କରୁଥିଲା, ତାହା ଦେଖୁଁ ଦେଖୁଁ ଦୂର ହୋଇଗଲା । କେତୋଟି ଦିନ ପାଇଁ ସବୁବେଳେ ଧର୍ମପରାୟଣା ଅନ୍ନପୂର୍ଣ୍ଣାଙ୍କର ସ୍ନେହମୁଖଚ୍ଛବିର ସମ୍ମୁଖରେ ରହି ସଂସାରର କର୍ତ୍ତବ୍ୟ ପାଳନକୁ ତା’ର ଏପରି ସହଜ ଓ ସୁଖକର ମନେହେଲା ଯେ, ତା’ ଭିତରେ ଥିବା ପୂର୍ବର ଆତଙ୍କ ବର୍ତ୍ତମାନ ହାସ୍ୟକର ବୋଧ ହେଲା । ମନେହେଲା, ଏଥର ବିନୋଦିନୀ କିଛି କରିପାରିବ ନାହିଁ । ଅବଶେଷରେ ଅତି ଦୃଢ଼ତା’ର ସହିତ ସେ ମନେ ମନେ କହିଲା, ‘ଆଶାକୁ ମୋ ହୃଦୟରୁ ଠେଲି ଦେଇ ନିଜେ ଜବରଦସ୍ତି ସେଠାରେ ଆସି ବସିଯିବ ସଂସାରରେ ଏପରି ଶକ୍ତି କାହାରି ନାହିଁ ।’

ମହେନ୍ଦ୍ର ଅନ୍ନପୂର୍ଣ୍ଣାଙ୍କୁ କହିଲା, ‘ଖୁଡ଼ୀ, ମୋର ପଢ଼ାରେ କ୍ଷତି ହେଉଚି, ଏଥର ମୁଁ ଯାଉଚି-। ସଂସାରର ମାୟା ଛିଣ୍ଡାଇ ତୁମେ ଏଠାରେ ଏକାନ୍ତରେ ରହିଥିଲେ ହେଁ ତଥାପି ମୋତେ ଅନୁମତି ଦିଅ, ମଝିରେ ମଝିରେ ଆସି ମୁଁ ତୁମର ପାଦଧୂଳି ନେଇ ଯାଉଥିବି ।’

ଘରକୁ ଫେରି ଯେତେବେଳେ ମହେନ୍ଦ୍ର ଆଶାକୁ ତା’ ମାଉସୀର ସ୍ନେହୋପହାର ସିନ୍ଦୁରଫରୁଆ ଓ ଧଳା ପଥରରେ ତିଆରି ଗୋଟିଏ ଗଡ଼ୁ ଆଣିଦେଲା, ସେତେବେଳେ ଆଶାର ଆଖିରୁ ଝର-ଝର ଲୁହ ବହିବାକୁ ଲାଗିଲା । ମାଉସୀର ସେହି ପରମ ସ୍ନେହମୟ ଧୈର୍ଯ୍ୟ ଓ ମାଉସୀ ପ୍ରତି ତା’ର ଓ ଶାଶୁଙ୍କର ନାନା ଉପଦ୍ରବ ସ୍ମରଣ କରି ତା’ର ହୃଦୟ ବ୍ୟାକୁଳ ହୋଇଉଠିଲା-। ସେ ଆସି ସ୍ୱାମୀପାଖରେ ଜଣାଇଲା, ‘ମୋର ଭାରି ଇଚ୍ଛା ହେଉଚି ଯେ ମୁଁ ଥରେ ମାଉସୀଙ୍କ ପାଖକୁ ଯାଇ ତାଙ୍କର କ୍ଷମା ଓ ପାଦଧୂଳି ନେଇ ଆସିବି । ତାହା କ’ଣ ହୋଇପାରିବ ନାହିଁ ?’

ମହେନ୍ଦ୍ର ଆଶାର ଦୁଃଖ ବୁଝିପାରିଲା ଏବଂ ସେ କିଛିଦିନ ପାଇଁ ତା’ର ମାଉସୀ ପାଖରେ ଯାଇ ରହୁ, ଏଥିରେ ତା’ର ସମ୍ମତି ମଧ୍ୟ ଥିଲା । କିନ୍ତୁ ପୁଣି ପଢ଼ା ନଷ୍ଟ କରି ଆଶାକୁ କାଶୀ ନେଇଯିବାକୁ ସେ ଦ୍ୱିଧାବୋଧ କରିବାକୁ ଲାଗିଲା । ଆଶା କହିଲା, ‘ବଡ଼ ମା’ ତ ଅଳ୍ପଦିନ ଭିତରେ କାଶୀ ଯିବେ, ତାଙ୍କ ସହିତ ଗଲେ କ’ଣ କ୍ଷତି ହେବ ?’

ମହେନ୍ଦ୍ର ଯାଇ ରାଜଲକ୍ଷ୍ମୀଙ୍କୁ କହିଲା, ‘ମାଆ, ଖୁଡ଼ୀଙ୍କୁ ଦେଖିବା ପାଇଁ ଆଶା କାଶୀ ଯିବାକୁ ଇଚ୍ଛା କରୁଚି ।’

ରାଜଲକ୍ଷ୍ମୀ ଶ୍ଲେଷ ବାକ୍ୟରେ କହିଲେ, ‘ବୋହୂ ଯିବାକୁ ଚାହୁଚନ୍ତି ତ ନିଶ୍ଚୟ ଯିବେ । ତୁ ଯାଆ ତାଙ୍କୁ ନେଇ ଯା’ ।’

ମହେନ୍ଦ୍ର ଯେ ପୁଣି ଅନ୍ନପୂର୍ଣ୍ଣାଙ୍କ ପାଖକୁ ଯାତାୟାତ ଆରମ୍ଭ କଲା, ଏହା ରାଜଲକ୍ଷ୍ମୀଙ୍କୁ ଭଲ ଲାଗିଲା ନାହିଁ । ବୋହୂର ଯିବା ପ୍ରସ୍ତାବରେ ମନେ ମନେ ଯେ ଆହୁରି ବିରକ୍ତ ହେଲେ ।

ମହେନ୍ଦ୍ର କହିଲା, ‘ନାଇଁ ମୋର କଲେଜ ଅଛି । ମୁଁ ନେଇ ଯାଇପାରିବି ନାହିଁ । ସେ ତା’ର ବଡ଼ବାପାଙ୍କ ସହିତ ଯିବ ।’

ରାଜଲକ୍ଷ୍ମୀ କହିଲେ, ‘ସିଏତ ଆହୁରି ଭଲ କଥା । ତା’ର ବଡ଼ବାପା ବଡ଼ ଲୋକ, ଆମପରି ଗରିବଙ୍କର ଛାଇ କେବେ ମାଡ଼ନ୍ତି ନାହିଁ । ତାଙ୍କ ସହିତ ଯାଇପାରିଲେ ତ କେଡ଼େ ଗୌରବର କଥା ହେବ ।’

ମାଆଙ୍କର ଉତ୍ତରୋତ୍ତର ଶ୍ଲେଷ ବାକ୍ୟରେ ମହେନ୍ଦ୍ରର ମନ କଠିନ ହୋଇଉଠିଲା । ସେ କୌଣସି ଉତ୍ତର ନ ଦେଇ ଆଶାକୁ କାଶୀ ପଠାଇବ ବୋଲି ଦୃଢ଼ ପ୍ରତିଜ୍ଞା ହୋଇ ଚାଲିଗଲା ।

ଯେତେବେଳେ ବିହାରୀ ରାଜଲକ୍ଷ୍ମୀଙ୍କ ସହିତ ଦେଖାକରିବାକୁ ଆସିଲା, ରାଜଲକ୍ଷ୍ମୀ ତାକୁ କହିଲେ, ‘ଆରେ ବିହାରୀ ! ଶୁଣିଲୁଣି, ଆମ ବୋହୂ କାଶୀ ଯିବାକୁ ବାହାରିଚନ୍ତି ।’

ବିହାରୀ କହିଲା, ‘ସତେ, ତେବେ ମହେନ୍ଦ୍ର ଭାଇ ପୁଣି କଲେଜ ନଷ୍ଟ କରି କାଶୀ ଯିବେ-?’

ରାଜଲକ୍ଷ୍ମୀ କହିଲେ, ‘ନାଇଁ, ନାଇଁ, ମହେନ୍ଦ୍ର କାହିଁକି ଯିବ ? ତା’ହେଲେ ପୁଣି ମେମ୍‌ଗିରିଟା ପ୍ରମାଣିତ ହେବ କିପରି ? ମହେନ୍ଦ୍ର ଏଠି ରହିବ, ବୋହୂ ତାଙ୍କ ବଡ଼ବାପାଙ୍କ ସହିତ କାଶୀ ଯିବେ । ଏଣିକି ବାପ, ସମସ୍ତେ ସାହେବ-ମେମ୍ ହୋଇଯାଇଛନ୍ତି ।’

ବିହାରୀ ମନେ ମନେ ଉଦ୍‍ବିଗ୍ନ ହେଲା, କିନ୍ତୁ ବର୍ତ୍ତମାନ କାଳରେ ସାହେବଗିରି ସ୍ମରଣ କରି ନୁହେଁ । ବିହାରୀ ଭାବିଲା, ‘କଥା କ’ଣ? ମହେନ୍ଦ୍ର କାଶୀ ଗଲାବେଳେ ଏଠି ଆଶା ରହିଲା, ଆଉ ମହେନ୍ଦ୍ର ଫେରିବାରୁ ଆଶା କାଶୀ ଯିବାକୁ ଇଚ୍ଛା କରୁଛି । ଦୁଇଜଣଙ୍କ ଭିତରେ ନିଶ୍ଚୟ କିଛି ଗୋଟାଏ ଗୁରୁତର ବ୍ୟାଘାତ ଘଟିଛି ! ଏପରି ଭାବରେ କେତେଦିନ ଚଳିବ ? ବନ୍ଧୁ ହୋଇ ମଧ୍ୟ ଆମେ ଏହାର କିଛି ପ୍ରତିକାର କରିପାରିବୁ ନାହିଁ, ଦୂରେଇ ରହିଥିବୁ ?’

ମାଆଙ୍କର ବ୍ୟବହାରରେ ଅତ୍ୟନ୍ତ କ୍ଷୁବ୍‍ଧ ହୋଇ ମହେନ୍ଦ୍ର ଆସି ଆପଣାର ଶୟନଘରେ ବସିଥିଲା । ବିନୋଦିନୀ ଇତିମଧ୍ୟରେ ମହେନ୍ଦ୍ର ସହିତ ସାକ୍ଷାତ୍ କରିନାହିଁ,–ତେଣୁ, ଆଶା ତାକୁ ପାଖଘରେ ମହେନ୍ଦ୍ର ପାଖକୁ ଯିବାକୁ ଅନୁରୋଧ କରୁଥିଲା ।

ଏହି ସମୟରେ ବିହାରୀ ଆସି ମହେନ୍ଦ୍ରକୁ ପଚାରିଲା, ‘ଆଶା-ନୂଆବୋଉଙ୍କର କାଶୀ ଯିବା ସ୍ଥିର ହୋଇଗଲା ?’

ମହେନ୍ଦ୍ର କହିଲା, ‘ନ ହେବ କାହିଁକି, ସେଥିରେ କ’ଣ କିଛି ବାଧା ଅଛି ?’

ବିହାରୀ କହିଲା, ’ବାଧା କଥା କିଏ କହୁଚି ? କିନ୍ତୁ ହଠାତ୍ ଏପରି ଏକ ଖିଆଲ କାହିଁକି ତୁମ ମୁଣ୍ଡକୁ ଆସିଲା ?’

ମହେନ୍ଦ୍ର କହିଲା, ‘ମାଉସୀଙ୍କୁ ଦେଖିବାର ଇଚ୍ଛା,–ପ୍ରବାସୀ ଆତ୍ମୀୟପାଇଁ ବ୍ୟାକୁଳତା । ମାନବ ଚରିତ୍ରରେ ବେଳେ ବେଳେ ଏପରି ଘଟିଥାଏ ।’

ବିହାରୀ ପଚାରିଲା, ’ତୁମେ ନେଇକରି ଯାଉଚ ?’

ପ୍ରଶ୍ନ ଶୁଣି ମହେନ୍ଦ୍ର ଭାବିଲା–ବଡ଼ବାପାଙ୍କ ସହିତ ଆଶାକୁ ପଠାଇବା ସଙ୍ଗତ ନୁହେଁ, ଏହି ବିଷୟରେ ଆଲୋଚନା କରିବାଲାଗି ବିହାରୀ ଆସିଚି । ଅଧିକ କଥା କହିଲେ କାଳେ କ୍ରୋଧ ଉଚ୍ଛ୍ୱସିତ ହୋଇଉଠିବ, ତେଣୁ ସଂକ୍ଷେପରେ କହିଲା ‘ନାଇଁ ।’

ବିହାରୀ ମହେନ୍ଦ୍ରକୁ ଭଲକରି ଚିହ୍ନିଚି । ସେ ଯେ ରାଗିଚି, ବିହାରୀକୁ ସେ କଥା ଅଗୋଚର ନ ଥିଲା । ସେ ଥରେ ଜିଦ୍ ଧରିବସିଲେ ତାକୁ ଆଉ ଚଳାଇବା ସମ୍ଭବ ନୁହେଁ, ଏକଥା ମଧ୍ୟ ସେ ଜାଣିଥିଲା । ତେଣୁ ସେ ଆଉ ମହେନ୍ଦ୍ରର ଯିବାକଥା ଉଠାଇଲା ନାହିଁ ।

ମନେ ମନେ ଭାବିଲା, ‘ବିହାରୀ ଆଶା ଯଦି ମନଭିତରେ କୌଣସି ବେଦନା ବହନ କରି ଚାଲିଯାଉଥାଏ, ତେବେ ସାଙ୍ଗରେ ବିନୋଦିନୀ ଗଲେ ସେ ସାନ୍ୱନା ପାଇବ । ତେଣୁ ଧୀରେ ଧୀରେ କହିଲା, ‘ତାଙ୍କ ସଙ୍ଗରେ ବିନୋଦ–ନୂଆବୋଉ ଗଲେ ହୁଅନ୍ତା ନାହିଁ ?’

ମହେନ୍ଦ୍ର ଗର୍ଜନ କରି ଉଠିଲା, ‘ତୋର ମନଭିତରେ ଯେଉଁ କଥାଟା ଅଛି, ତାହା ତୁ ସ୍ପଷ୍ଟ କରି କହ । ମୋ’ ସହିତ କୁଟିଳତା କରିବାର କିଛି ଦରକାର ନାହିଁ । ମୁଁ ଜାଣେ ଯେ ମୁଁ ବିନୋଦିନୀକୁ ଭଲ ପାଏ ବୋଲି ତୁ ମନେ ମନେ ସନ୍ଦେହ କରୁଚୁ, କିନ୍ତୁ ତାହା ମିଛ କଥା । ମୁଁ ତାକୁ ଭଲ ପାଏ ନାହିଁ । ମୋତେ ରକ୍ଷା କରିବାପାଇଁ ତୋର ପହରା ଦେବା ଦରକାର ନାହିଁ, ତୁ ବରଂ ନିଜକୁ ରକ୍ଷା କର । ଯଦି ତୋର ମନରେ ସରଳ ବନ୍ଧୁଭାବ ଥାଆନ୍ତା, ତେବେ ବହୁଦିନପୂର୍ବରୁ ତୁ ମୋତେ ତୋ’ର ମନକଥା କହିଥାନ୍ତୁ ଏବଂ ନିଜକୁ ବନ୍ଧୁର ଅନ୍ତଃପୁରରୁ ଦୂରରେ ରଖିଥାଆନ୍ତୁ । ତୋ’ର ମୁହଁଉପରେ ମୁଁ ସ୍ପଷ୍ଟ ଭାବରେ କହୁଚି ଯେ ତୁ ଆଶାକୁ ଭଲ ପାଉ ।’

 

ଅତ୍ୟନ୍ତ ବେଦନା ଯୁକ୍ତ ଥାନକୁ ଦୁଇ ଗୋଡ଼ରେ ମାଡ଼ି ପକାଇଲେ ଆହତ ବ୍ୟକ୍ତି ମୂହୂର୍ତ୍ତମାତ୍ର ବିଚାର ନ କରି ଯେପରି ଆଘାତକାରୀକୁ ସବଳେ ଧକ୍କା ଦେଇ ଠେଲିଦେବାକୁ ଚେଷ୍ଟା କରେ, ରୁଦ୍ଧକଣ୍ଠ ବିହାରୀ ସେହିପରି ପାଂଶୁ ମୁଖରେ ତା’ର ଚଉକୀରୁ ଉଠି ମହେନ୍ଦ୍ର ଆଡ଼କୁ ଧାବିତ ହେଲା । ହଠାତ୍ ଅଟକିଯାଇ ବହୁ କଷ୍ଟରେ ସ୍ୱର ବାହାର କରି କହିଲା, ‘ଈଶ୍ୱର ତୁମକୁ କ୍ଷମା କରନ୍ତୁ-। ମୁଁ ବିଦାୟ ହୋଇଯାଏ ।’ –କହି ଟଳି ଟଳି ଘରୁ ବାହାରିଗଲା ।

 

ପାଖଘରୁ ବିନୋଦିନୀ ଦଉଡ଼ି ଆସି ଡାକିଲା, ‘ବିହାରୀ ବାବୁ !’

 

କାନ୍ଥରେ ଭରାଦେଇ ଟିକିଏ ହସିବାକୁ ଚେଷ୍ଟା କରି ବିହାରୀ କହିଲା, ‘କ’ଣ ନୂଆବୋଉ-!’

 

ବିନୋଦିନୀ କହିଲା, ‘ଅସହୀ’ ସହିତ ମୁଁ ମଧ୍ୟ କାଶୀ ଯିବି ।’

 

ବିହାରୀ କହିଲା, ‘ନା-ନା ନୂଆବୋଉ ! ସେକଥା ହେବ ନାହିଁ–ସେକଥା ଆଦୌ ହୋଇପାରିବ ନାହିଁ । ତୁମକୁ ମୁଁ ପ୍ରାର୍ଥନା କରି କହୁଚି । ମୋ’ କଥାରେ ପଡ଼ି ତୁମେ କିଛି କରନା । ମୁଁ ଏ ଘରେ କେହି ନୁହେଁ । ଏ ଘରର କୌଣସିଥିରେ ମୁଁ ହସ୍ତକ୍ଷେପ କରିବାକୁ ଚାହୁଁନାହିଁ । ତଦ୍ଦ୍ୱରା ଅମଙ୍ଗଳ ହେବ । ତୁମେ ଦେବୀ , ତୁମେ ଯାହା ଭଲ ବୋଲି ବିଚାରିବ, ତାହାହିଁ, କରିବ । ମୁଁ ଯାଉଚି ।’

 

ବିହାରୀ ବିନୋଦିନୀକୁ ବିନମ୍ର ନମସ୍କାର କରି ଚାଲିଗଲା । ବିନୋଦିନୀ କହିଲା, ମୁଁ ଦେବୀ ନୁହେଁ ବିହାରୀବାବୁ ! ଶୁଣିଯାଅ । ତୁମେ ଚାଲିଗଲେ କାହାରି ମଙ୍ଗଳ ହେବ ନାହିଁ । ଏହାପରେ ମୋତେ ଆଉ କଦାପି ଦୋଷ ଦେବ ନାହିଁ ।’

 

ବିହାରୀ ଚାଲିଗଲା । ମହେନ୍ଦ୍ର ସ୍ତମ୍ଭିତ ହୋଇ ବସିଥିଲା । ବିନୋଦିନୀ ତା’ ପ୍ରତି ଜ୍ୱଳନ୍ତ ବଜ୍ରପରି ଗୋଟିଏ କଠୋର କଟାକ୍ଷ ନିକ୍ଷେପ କରି ପାଖଘରକୁ ଚାଲିଗଲା ।

 

ସେ ଘରେ ଆଶା ଲାଜରେ ସଂକୋଚରେ ମରିଯାଉଥିଲା । ବିହାରୀ ତାକୁ ଭଲ ପାଏ–ଏକଥା ମହେନ୍ଦ୍ର ମୁହଁରୁ ଶୁଣି ଲାଜରେ ମୁହଁ ଟେକିପାରୁ ନ ଥିଲା । କିନ୍ତୁ ତା ଉପରେ ବିନୋଦିନୀର କୌଣସି ଦୟା ହେଲା ନାହିଁ । ଯଦି ସେତେବେଳେ ଆଶା ଆଖି ଟେକି ଚାହିଁ ନ ଥାନ୍ତା, ତା’ ହେଲେ ସେ ଭୟ ପାଇଥାନ୍ତା–ଯେପରି ବିନୋଦିନୀ ସମସ୍ତ ଜଗତ ଉପରେ ଖଡ଼୍‍ଗହସ୍ତ ହୋଇ ଉଠିଚି । ମିଛ କଥା, ନା–ବିନୋଦିନୀକୁ କେହି ଭଲ ପାଆନ୍ତି ନାହିଁ । ସମସ୍ତେ ଭଲ ପାଆନ୍ତି ଏହି ଲଜ୍ଜାବତୀ ଲବଣୀ-ପିତୁଳାଟିକୁ ।

 

ଯେଉଁଦିନ ମହେନ୍ଦ୍ର ବିହାରୀବାବୁ ଆବେଗର ସହିତ ‘ମୁଁ ପାଷାଣ୍ଡ’ ବୋଲି କହିଥିଲା, ସେହିଦିନଠାରୁ ସେହି ହଠାତ୍ ଆତ୍ମପ୍ରକାଶବଶତଃ ସେ ବିହାରୀ ପାଖରେ କୁଣ୍ଠିତ ହୋଇ ରହିଥିଲା-। ସେ ମନେକରୁଥିଲା, ତା’ର ସବୁକଥା ଯେପରି ବ୍ୟକ୍ତ ହୋଇଯାଉଚି । ବିନୋଦିନୀକୁ ସେ ଭଲ ପାଏନାହିଁ, ଅଥଚ ବିହାରୀ ଜାଣେ ଯେ ସେ ତାକୁ ଭଲପାଏ । ଏଥିପାଇଁ ବିହାରୀ ଉପରେ ତା’ର ଭାରି ବିରକ୍ତି ଆସୁଥିଲା । ବିଶେଷତଃ ସେହିଦିନଠାରୁ ବିହାରୀ ଯେତେଥର ତା’ ଆଗକୁ ଆସୁଥିଲା, ତା’ର ମନେହେଉଥିଲା ଯେପରି ବିହାରୀ କୌତୁହଳ ସହିତ ତା’ର ଭିତରର କଥାଟା ଜାଣିବାକୁ ଚେଷ୍ଟା କରୁଚି । ସେହିସବୁ ବିରକ୍ତ ଉତ୍ତରୋତ୍ତର ଜମା ହେବାକୁ ଲାଗିଥିଲା । ଆଜି ଟିକିଏ ଆଘାତ ପାଇ ବାହାରି ଆସିଲା ।

 

କିନ୍ତୁ ବିନୋଦିନୀ ପାଖଘରୁ ଯେପରି ବ୍ୟାକୁଳଭାବରେ ଦଉଡ଼ି ଆସିଲା, ଯେପରି ଆର୍ତ୍ତ କଣ୍ଠରେ ସେ ବିହାରୀକୁ ଅଟକାଇବାକୁ ଚେଷ୍ଟା କଲା ଏବଂ ବିହାରୀର ଆଦେଶ ପାଳନସ୍ୱରୂପ ଆଶା ସହିତ କାଶୀ ଯିବାକୁ ପ୍ରସ୍ତୁତ ହେଲା, ତାହା ମହେନ୍ଦ୍ର ପକ୍ଷରେ ଅଭୂତପୂର୍ବ ମନେହେଲା । ଏହି ଦୃଶ୍ୟଟି ମହେନ୍ଦ୍ରକୁ ପ୍ରବଳ ଆଘାତରେ ଅଭିଭୂତ କରିଦେଲା । ବିନୋଦିନୀକୁ ଭଲ ପାଏନାହିଁ ବୋଲି ସେ କହିଥିଲା । କିନ୍ତୁ ଯାହା ଶୁଣିଲା, ଯାହା ଦେଖିଲା, ତାହା ତାକୁ ଆଦୌ ସୁନ୍ଦର ହେବାକୁ ଦେଲାନାହିଁ । ଚାରିଆଡ଼ୁ ବିଚିତ୍ର ଆକାରରେ ତାକୁ ପୀଡ଼ନ କରିବାକୁ ଲାଗିଲା । ନିଷ୍ଫଳ ପରିତାପର ସହିତ ତା’ର କେବଳ ମନେହେବାକୁ ଲାଗିଲା, ’ବିନୋଦିନୀ ଶୁଣିଚି– ମୁଁ ତାକୁ ଭଲ ପାଏନାହିଁ ।

 

ମହେନ୍ଦ୍ର ଚିନ୍ତା କରିବାକୁ ଲାଗିଲା, ମୁଁ ମିଛକଥା କହିଚି । ବିନୋଦିନୀକୁ ଭଲ ପାଏନାହିଁ ବୋଲି ମୁଁ ଅତି କଠିନ ଭାବରେ କହିଚି । ମୁଁ ତାକୁ ଭଲପାଏ, ହୁଏତ ଏକଥା ସତ ହୋଇ ନ ପାରେ । କିନ୍ତୁ ଭଲ ପାଏନାହିଁ ବୋଲି କହିବା ପ୍ରକୃତରେ ବଡ଼ କଠୋର । ଏ କଥାରେ ଯେକୌଣସି ସ୍ତ୍ରୀଲୋକ ନିଶ୍ଚୟ ଆଘାତ ପାଇବ । ଏଇ କଥାର ପ୍ରତିବାଦ କରିବାର ଅବସର ମୁଁ କିପରି ପାଇବି ? ଭଲ ପାଏ ବୋଲି ସ୍ପଷ୍ଟଭାବରେ କହିବା ଉଚିତ ନୁହେଁ, କିନ୍ତୁ ଭଲ ପାଏନାହିଁ, ଏଇ କଥାଟାକୁ ଟିକିଏ ନରମଭାବରେ ଜଣାଇବା ଉଚିତ ଥିଲା । ବିନୋଦିନୀର ମନରେ ଏପରି ଗୋଟାଏ ଭୁଲ ସଂସ୍କାର ରହିବାକୁ ଦେବା ବଡ଼ ଅନ୍ୟାୟ ହେବ ।’

 

ଏହି କଥା ଚିନ୍ତା କରୁକରୁ ମହେନ୍ଦ୍ର ତା’ର ବାକ୍ସରୁ ଚିଠି ତିନିଖଣ୍ଡି କାଢ଼ି ଆଉଥରେ ପଢ଼ିଲା, ମନେ ମନେ କହିଲା, ‘ବିନୋଦିନୀ ଯେ ମୋତେ ଭଲପାଏ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ କାଲି ସେ ବିହାରୀ ପାଖକୁ ଏପରି ଭାବରେ ଦଉଡ଼ି ଆସିଲା କାହିଁକି? ହୁଏତ କେବଳ ମୋତେ ଦେଖାଇବାକୁ ସେ ଏପରି କଲା । ଯେତେବେଳେ ତାକୁ ଭଲ ପାଏନାହିଁ ବୋଲି ସ୍ପଷ୍ଟଭାବରେ କହିଲି, ସେତେବେଳେ ସେ କୌଣସି ସୁଯୋଗରେ ମୋ’ ପାଖରେ ତା’ର ପ୍ରେମକୁ ପ୍ରତ୍ୟାଖ୍ୟାନ ନ କରି ଆଉ କ’ଣ କରିଥାନ୍ତା? ମୋ’ଦ୍ୱାରା ଏପରି ଅପମାନିତ ହୋଇ ହୁଏତ ସେ ବିହାରୀକୁ ଭଲ ପାଇବ ।’

 

ମହେନ୍ଦ୍ରର କ୍ଷୋଭ ଏତେଦୂର ଅଧିକ ହୋଇଉଠିଲା ଯେ ନିଜର ଚାଞ୍ଚଲ୍ୟରେ ସେ ନିଜେ ଆଶ୍ଚର୍ଯ୍ୟ ଓ ଭୀତ ହୋଇପଡ଼ିଲା । ମହେନ୍ଦ୍ର ତାକୁ ଭଲ ପାଏନାହିଁ ବୋଲି ଏବେ ବିନୋଦିନୀ ଶୁଣିବାକୁ ପାଇଲା । ସେଥିରେ ଦୋଷ କ’ଣ? ଅଭିମାନିନୀ ବିନୋଦିନୀ ହୁଏତ ଏହାପରେ ତା’ଉପରୁ ମନ ଆଡ଼େଇ ନେବାକୁ ଚେଷ୍ଟା କରିବ । କିନ୍ତୁ ସେଥିରେ କି କ୍ଷତି ହୋଇଯିବ? ଝଡ଼ବେଳେ ଯେପରି ଡଙ୍ଗାର ଦଉଡ଼ି ଲଙ୍ଗରକୁ ଟାଣିଧରେ, ମହେନ୍ଦ୍ର ସେହିପରି ବ୍ୟାକୁଳଭାବରେ ଅତିରିକ୍ତ ଦୃଢ଼ତା’ର ସହିତ ଆଶାକୁ ଆଶ୍ରୟ କଲା ।

 

ରାତିରେ ଆଶାର ମୁହଁକୁ ଛାତିପାଖରେ ଧରି ମହେନ୍ଦ୍ର ପଚାରିଲା, ‘ଚୁନି, ମୋତେ ତୁମେ ପ୍ରକୃତରେ କେତେ ଭଲପାଅ, ଠିକ୍ କରି କୁହ ।’

 

ଆଶା ଭାବିଲା, ‘ଏ ପୁଣି କି ପ୍ରଶ୍ନ? ବିହାରୀକୁ ନେଇ ଯେଉଁ ଅତି ଲଜ୍ଜାଜନକ କଥାଟା ଉଠିଚି, ସେଇଥିପାଇଁ କ’ଣ ଆଉ ତା’ଉପରେ ସଂଶୟର ଛାୟା ପଡ଼ିଚି କି?’ ଲଜ୍ଜାରେ ସଢ଼ିଯାଇ ସେ କହିଲା, ଛି, ଛି ତୁମେ ଆଜି ଏପରି ପ୍ରଶ୍ନ କାହିଁକି କରୁଚ? ତୁମ ଗୋଡ଼ ଧରୁଚି, ମୋତେ ଖାଲି ଖୋଲିକରି କହ, ମୋର ଭଲ ପାଇବାରେ ତୁମେ କେବେ କୌଣସି ଅଭାବ ଦେଖିଚ କି ?’

 

ମହେନ୍ଦ୍ର ଆଶାକୁ ପୀଡ଼ନ କରି ତା’ର ମାଧୁର୍ଯ୍ୟ ଉପଭୋଗ କରିବାପାଇଁ କହିଲା, ‘ତେବେ ତୁମେ କାଶୀ ଯିବାକୁ କାହିଁକି ବାହାରିଚ ?’

 

ଆଶା କହିଲା, ‘ମୁଁ କାଶୀ ଯିବାକୁ କହୁନାହିଁ । ମୁଁ କୁଆଡ଼େ ଯିବିନାହିଁ ।’

 

ମହେନ୍ଦ୍ର–ସେତେବେଳେ ତ କହୁଥିଲ ।

 

ଆଶା–ଅତ୍ୟନ୍ତ ପୀଡ଼ିତ ହୋଇ କହିଲା, ‘ତୁମେ ତ ଜାଣ କାହିଁକି ଯିବାକୁ କହୁଥିଲି ।’

 

ମହେନ୍ଦ୍ର–ମୋତେ ଛାଡ଼ି ବୋଧହୁଏ ମାଉସୀଙ୍କ ପାଖରେ ବେଶ୍ ସୁଖରେ ରହିଥାନ୍ତ ।

 

ଆଶା କହିଲା, ‘କେବେ ନୁହେଁ ! ମୁଁ ସୁଖପାଇଁ ଯିବାକୁ ଚାହୁଁ ନ ଥିଲି ।’

 

ମହେନ୍ଦ୍ର କହିଲା, ‘ମୁଁ ସତ କହୁଚି ଚୁନି, ଆଉ କାହାକୁ ବିବାହ କରିଥିଲେ ତୁମେ ଢେର ଅଧିକ ସୁଖୀ ହୋଇପାରିଥାନ୍ତ ।’

 

ଏକଥା ଶୁଣି ଆଶା ମୁହୂର୍ତ୍ତକ ମଧ୍ୟରେ ମହେନ୍ଦ୍ରର ବକ୍ଷଉପରୁ ଆପଣାକୁ ଅପସରାଇ ନେଇ ତକିଆରେ ମୁଁହଗୁଞ୍ଜି କାଠପରି ନିର୍ଜୀବ ହୋଇ ପଡ଼ିରହିଲା–ମୁହୂର୍ତ୍ତକପରେ ତା’ର କ୍ରନ୍ଦନ ଅଛପା ରହିଲା ନାହିଁ । ମହେନ୍ଦ୍ର ସାନ୍ତ୍ୱନା ଦେବା ପାଇଁ ତାକୁ ଛାତିଉପରକୁ ଉଠାଇ ନେବାକୁ ଚେଷ୍ଟା କଲା, କିନ୍ତୁ ଆଶା ତକିଆକୁ ଛାଡ଼ିଲା ନାହିଁ । ପତିବ୍ରତା’ର ଏହି ଅଭିମାନରେ ମହେନ୍ଦ୍ର ସୁଖରେ, ଗର୍ବରେ ଓ ଧିକ୍କାରରେ କ୍ଷୁବ୍‍ଧ ହେବାକୁ ଲାଗିଲା ।

 

ଯେଉଁସବୁ କଥା ଭିତରେ ଭିତରେ ଆଭାସରେ ରହିଥିଲା, ସେହିସବୁ ସ୍ପଷ୍ଟ କଥାରେ ପରିସ୍ପୁଟ ହୋଇ ସମସ୍ତଙ୍କ ମନରେ ଗୋଳମାଳ ସୃଷ୍ଟି କରିଦେଲା । ବିନୋଦିନୀ ମନେ ମନେ ଭାବିବାକୁ ଲାଗିଲା, ଏପରି ସ୍ପଷ୍ଟ ଅଭିଯୋଗ ବିରୁଦ୍ଧରେ ବିହାରୀ କାହିଁକି କୌଣସି ପ୍ରତିବାଦ କଲା ନାହିଁ? ସେ ଯଦି ମିଛରେ ମଧ୍ୟ ପ୍ରତିବାଦ କରିଥାନ୍ତା, ତା ହେଲେ ମଧ୍ୟ ବିନୋଦିନୀ ଖୁସି ହୋଇଥାନ୍ତା । ବେଶ୍ ହୋଇଚି, ବିହାରୀକୁ ମହେନ୍ଦ୍ର ଯେଉଁ ଆଘାତ କରିଚି, ତାହା ତାହାର ପ୍ରାପ୍ୟ । ବିହାରୀପରି ମହତ୍ ଲୋକ କାହିଁକି ଆଶାକୁ ଭଲ ପାଇବାକୁ ଯିବ ? ଏହି ଆଘାତ ବିହାରୀକୁ ଆଶାଠାରୁ ଦୂରେଇ ରଖିବ । ସେ ବେଶ୍ ହେବ–ବିନୋଦିନୀ ଯେପରି ନିଶ୍ଚିତ ହେଲା ।

 

କିନ୍ତୁ ବିହାରୀର ସେହି ମୃତ୍ୟୁବାତ୍ୟାହତ ରକ୍ତହୀନ ପାଂଶୁମୁଖ ବିନୋଦିନୀକୁ ଯାବତୀୟ କର୍ମମଧ୍ୟରେ ଅନୁସରଣ କରିବାକୁ ଲାଗିଲା । ବିନୋଦିନୀର ଅନ୍ତର ଭିତରେ ଯେଉଁ ସେବାପରାୟଣା ନାରୀପ୍ରକୃତି ଥିଲା, ସେ ସେହି ଆର୍ତ୍ତମୁଖଟି ଦେଖି କାନ୍ଦିବାକୁ ଲାଗିଲା । ଯେପରି ମାତା ରୁଗ୍‍ଣ ଶିଶୁକୁ ବକ୍ଷପାଖରେ ଝୁଲାଇ ସାନ୍ତ୍ୱନା ଦିଅନ୍ତି, ସେହିପରି ବିନୋଦିନୀ ସେହି ଆତୁର ମୂର୍ତ୍ତିକୁ ଆପଣାର ହୃଦୟମଧ୍ୟରେ ରଖି ଝୁଲାଇବାକୁ ଲାଗିଲା । ତାହାକୁ ସୁସ୍ଥ କରି ପୁଣି ସେହି ମୁହଁରେ ରକ୍ତର ରେଖା, ପ୍ରାଣର ପ୍ରବାହ ଓ ହାସ୍ୟର ବିକାଶ ଦେଖିବା ପାଇଁ ବିନୋଦିନୀର ଏକ ଅଧୀର ଉତ୍ସୁକତା ଜନ୍ମିଲା ।

 

ଦୁଇ ତିନିଦିନ ସବୁ କାମରେ ଏହିପରି ଉନ୍ମନା ହୋଇ ବିନୋଦିନୀ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ବିହାରୀ ପାଖକୁ ସେ ଖଣ୍ଡେ ସାନ୍ୱନା ପତ୍ର ଲେଖିଲା :

 

ବିହାରୀବାବୁ, ସେଦିନ ମୁଁ ତୁମର ସେହି ଶୁଖିଲାମୁହଁ ଦେଖି ସବୁବେଳେ ମନପ୍ରାଣ ଦେଇ କାମନା କରୁଚି, ତୁମେ ସୁସ୍ଥ ହୁଅ ! ତୁମେ ଯେପରି ଥିଲ, ସେହିପରି ହୁଅ । ପୁଣି ସେଇ ସହଜ ହସ ମୁଁ କେବେ ଦେଖିବି ? ସେହି ଉଦାର କଥା ପୁଣି କେବେ ଶୁଣିବି ? ତୁମେ କିପରି ଅଛ, ମାତ୍ର ଗୋଟିଏ ଧାଡ଼ି ଲେଖି ମୋତେ ଜଣାଅ । ଇତି ।

 

ତୁମର ବିନୋଦ–ନୂଆବୋଉ ।’

 

ବିହାରୀ ଠିକଣା ଲେଖି ବିନୋଦିନୀ ଦରୁଆନ ହାତରେ ଚିଠିଟି ପଠାଇଦେଲା ।

 

ଆଶାକୁ ବିହାରୀ ଭଲ ପାଏ, ଏହି କଥାକୁ ଏପରି ରୂଢ଼ଭାବରେ, ଏପରି ଗର୍ହିତ ଭାବରେ ମହେନ୍ଦ୍ର ଉଚ୍ଚାରଣ କରିପାରିବ ବୋଲି ବିହାରୀ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରି ନ ଥିଲା-। କାରଣ ସେ ନିଜେ ମଧ୍ୟ ଏପରି କଥାକୁ କେବେ ସ୍ପଷ୍ଟକରି ମନରେ ସ୍ଥାନ ଦେଇ ନ ଥିଲା । ସେ ପ୍ରଥମେ ବଜ୍ରାହତପରି ହୋଇ ରହିଲା–ତା’ପରେ କ୍ରୋଧରେ ଘୃଣାରେ ଛଟପଟ ହୋଇ କହିବାକୁ ଲାଗିଲା, ‘ଅନ୍ୟାୟ , ଅସଙ୍ଗତ, ଅମୂଳକ ?’

 

କିନ୍ତୁ ଯେତେବେଳେ କଥାଟା ଥରେ ଉଚ୍ଚାରିତ ହୋଇସାରିଛି, ସେତେବେଳେ ତାକୁ ଆଉ ସମ୍ପୂର୍ଣ୍ଣଭାବରେ ଚାପାଦେଇ ରଖିହେବ ନାହିଁ । ତା’ଭିତରେ ଯେଉଁଟିକକ ସତ୍ୟର ବୀଜ ଥିଲା, ଦେଖୁ ଦେଖୁ ତାହା ଅଙ୍କୁରିତ ହୋଇଉଠିଲା । ଯେଉଁଦିନ ସୂର୍ଯ୍ୟାସ୍ତ ସମୟରେ କନ୍ୟା ଦେଖିବା ଉପଲକ୍ଷରେ ଉଦ୍ୟାନର ପୁଷ୍ପସୌରଭ ପ୍ରବାହମଧ୍ୟରେ ଲଜ୍ଜିତା ବାଳିକାର ମୁହଁଟିକୁ ସେ ନିତାନ୍ତ ଆପଣାର ମନେକରି ବିଗଳିତ ଅନୁରାଗରେ ଅନାଇ ଦେଖିଥିଲା, ସେହିଦିନର କଥା ତା’ର ବାରମ୍ୱାର ମନେପଡ଼ିବାକୁ ଲାଗିଲା । ଆପଣାର ଛାତିପାଖରେ ଯେପରି ସେ କ’ଣ ଗୋଟାଇ ଚାପିଧରିବାକୁ ଲାଗିଲା ଏବଂ ଏକ ପ୍ରକାରର ଅତି କଠିନ ବେଦନା ତା’ର କଣ୍ଠପର୍ଯ୍ୟନ୍ତ ଆଲୋଡ଼ିତ ହେବାକୁ ଲାଗିଲା । ଦୀର୍ଘ ରାତି ଛାତିଉପରେ ଶୋଇ ଶୋଇ ବା ଘରଆଗରେ ଥିବା ରାସ୍ତା ଉପରେ ପଦଚାରଣା କରୁ କରୁ ଆଜିଯାଏ ଯାହା ଅବ୍ୟକ୍ତ ଥିଲା, ତାହା ବିହାରୀର ମନରେ ବ୍ୟକ୍ତ ହୋଇଉଠିଲା । ଯାହା ସଂଯତ ହୋଇ ରହିଥିଲା, ତାହା ଉଦାମ ହୋଇଉଠିଲା । ନିଜ ପାଖରେ ମଧ୍ୟ ଯାହାର କୌଣସି ପ୍ରମାଣ ନ ଥିଲା, ମହେନ୍ଦ୍ରର ବାକ୍ୟରେ ତାହା ବିରାଟ ପ୍ରାଣ ପାଇ ବିହାରୀର ଅନ୍ତର ଓ ବାହାରକୁ ବ୍ୟାପ୍ତ କରିଦେଲା ।

 

ସେତେବେଳେ ବିହାରୀ ନିଜକୁ ଅପରାଧୀ ବୋଲି ହୃଦୟଙ୍ଗମ କରିପାରିଲା । ସେ ମନେ ମନେ କହିଲା, ‘ମୋ’ ପକ୍ଷରେ ଆଉ ରାଗିବା ସୁନ୍ଦର ହେବ ନାହିଁ । ମହେନ୍ଦ୍ର ପାଖରେ କ୍ଷମା ପ୍ରାର୍ଥନା କରି ବାଦାୟ ନେବାକୁ ପଡ଼ିବ । ସେଦିନ ଏପରି ଭାବରେ ଚାଲିଆସିଲି, ଯେପରି ମହେନ୍ଦ୍ର ଦୋଷୀ ଆଉ ମୁଁ ବିଚାରକ । ସେହି ଅନ୍ୟାୟକୁ ମୁଁ ସ୍ୱୀକାର କରି ଆସିବି ।’

 

ବିହାରୀ ଜାଣିଥିଲା ଯେ ଆଶା କାଶୀ ଯାଉଚି । ଦିନେ ସନ୍ଧ୍ୟାବେଳେ ସେ ଧୀରେ ଧୀରେ ମହେନ୍ଦ୍ରର ଗୃହ ସମ୍ମୁଖରେ ଆସି ଉପସ୍ଥିତ ହେଲା । ରାଜଲକ୍ଷ୍ମୀଙ୍କର ଦୂରସମ୍ପର୍କୀୟ ମାମୁଁ ସାଧୁଚରଣଙ୍କୁ ଦେଖି ବିହାରୀ ପଚାରିଲା, ’କେତେଦିନ ହେଲା ଆସି ପାରି ନ ଥିଲି । ଏଠିକାର ଖବର ସବୁ ଭଲ ତ ?’ ସାଧୁଚରଣ ସମସ୍ତଙ୍କର କୁଶଳ ଜଣାଇଲେ । ବିହାରୀ ପଚାରିଲା, ’ନୂଆବୋଉ କେବେ କାଶୀ ଗଲେ ?’ ସାଧୁଚରଣ କହିଲେ, ‘ସେ ଯାଇ ନାହାନ୍ତି । ତାଙ୍କର କାଶୀ ଯିବା ବନ୍ଦ ହେଲା । ଏକଥା ଶୁଣି କିଛି ନ ମାନି ଅନ୍ତଃପୁରକୁ ଯିବାପାଇଁ ବିହାରୀର ମନ ଉନ୍ମୁଖ ହୋଇ ଉଠିଲା । ପୂର୍ବେ ଯେପରି ସହଜରେ, ଯେପରି ଆନନ୍ଦରେ ଆତ୍ମୀୟପରି ସେ ପରିଚିତ ସିଡ଼ି ଦଇ ଭିତରକୁ ଯାଉଥିଲା, ସମସ୍ତଙ୍କ ସହିତ ସ୍ନିଗ୍‍ଧ କୌତୁକରେ ହାସ୍ୟାଳାପ କରୁଥିଲା, ଆଜି ତାହା ଅବିହିତ ଓ ଦୁର୍ଲଭ ଜାଣି ତା’ର ଚିତ୍ତ ଉନ୍ମତ୍ତ ହୋଇଉଠିଲା । ଆଉଥରେ, କେବଳ ଶେଷଥର ପାଇଁ ପୂର୍ବପରି ଭିତରକୁ ଯାଇ ଘରପୁଅପରି ରାଜଲକ୍ଷ୍ମୀଙ୍କ ସହିତ କଥାବାର୍ତ୍ତା ସାରି ଥରେ ଅବଗୁଣ୍ଠିତା ଆଶାକୁ ନୂଆବୋଉ ବୋଲି ଡାକି ଦି’ପଦ ତୁଚ୍ଛା କହିବା ତା’ ପକ୍ଷରେ ପରମ ଆକାଂକ୍ଷାର ବିଷୟ ହୋଇଉଠିଲା । ସାଧୁଚରଣ କହିଲେ, ‘ଅନ୍ଧାରରେ ଠିଆହୋଇ ରହିଲ କାହିଁକି, ଭିତରକୁ ଚାଲ ।’

 

ବିହାରୀ ଭିତର ଆଡ଼କୁ ଦ୍ରୁତବେଗରେ କେଇପାଦ ଅଗ୍ରସର ହୋଇ ପୁଣି ଫେରିଆସି ସାଧୁଚରଣଙ୍କୁ କହିଲା, ‘ନାଇଁ, ମୁଁ ଯାଉଚି । ମୋର ଗୋଟାଏ ଜରୁରୀ କାମ ଅଛି’ । କହି ଦ୍ରୁତ ପ୍ରସ୍ଥାନ କଲା । ସେଇଦିନ ରାତିରେ ବିହାରୀ ପଶ୍ଚିମଆଡ଼େ ଚାଲିଗଲା ।

 

ଦରୁଆନ ବିନୋଦିନୀର ଚିଠି ନେଇ ଯାଇ ବିହାରୀକୁ ନ ପାଇ ଚିଠି ଫେରାଇ ଆଣିଲା-। ସେତେବେଳେ ମହେନ୍ଦ୍ର ଘର ଆଗରେ ଥିବା ବଗିଚାରେ ବୁଲୁଥିଲା । ପଚାରିଲା, ‘ଏ ଚିଠି କାହାର ?’ ଦରୁଆନ ସବୁକଥା କହିଲା । ମହେନ୍ଦ୍ର ତା’ଠାରୁ ଚିଠିଟି ନେଲା ।

 

ସେ ଭାବିଲା, ଚିଠିଟି ନେଇ ବିନୋଦିନୀକୁ ଦେବ । ଅପରାଧିନୀ ବିନୋଦିନୀର ଲଜ୍ଜିତ ମୁହଁ କେବଳ ଦେଖି ଚାଲିଆସିବ–କୌଣସି କଥା କହିବ ନାହିଁ । ଏହି ଚିଠିରେ ଯେ ବିନୋଦିନୀର ଲଜ୍ଜିତ ହେବାର ଯଥେଷ୍ଟ କାରଣ ରହିଚି, ସେ ବିଷୟରେ ମହେନ୍ଦ୍ର ମନରେ କୈଣସି ସନ୍ଦେହ ନ ଥିଲା । ତା ମନେପଡ଼ିଲା, ପୂର୍ବେ ମଧ୍ୟ ଆଉ ଦିନେ ଏହିପରି ବିହାରୀପାଖକୁ ଖଣ୍ଡେ ଚିଠି ଯାଇଥିଲା-। ଚିଠିରେ କ’ଣ ଲେଖାଅଛି, ନ ଜାଣିବାଯାଏ ମହେନ୍ଦ୍ର ସ୍ଥିର କରିପାରିଲା ନାହିଁ । ସେ ନିଜର ମନକୁ ବୁଝାଇବାକୁ ଲାଗିଲା, ବିନୋଦିନୀର ଭଲମନ୍ଦ ପାଇଁ ସେ ଅବଶ୍ୟ ଦାୟୀ । ଅତଏବ ଏପରି ସନ୍ଦେହଜନକ ପତ୍ରକୁ ଖୋଲି ଦେଖିବା ତା’ର ଏକାନ୍ତ କର୍ତ୍ତବ୍ୟ । ବିନୋଦିନୀକୁ ବିପଥରେ ଯିବାକୁ ଦେବା ଆଦୌ ଉଚିତ ହେବ ନାହିଁ ।

 

ମହେନ୍ଦ୍ର ଚିଠିଖଣ୍ଡ ଖୋଲି ପଢ଼ିଲା । ଯାହା ସରଳ ଭାଷାରେ ଲେଖା । ସେଇଥିପାଇଁ ସେଥିରୁ ଅତି ପରିଷ୍କାର ଭାବରେ ଏକ ଅକୃତ୍ରିମ ଉଦ୍‍ବେଗ ପ୍ରକାଶ ପାଉଚି । ଚିଠିଖଣ୍ଡ ପୁନଃପୁନଃ ପାଠ କରି ଏବଂ ଅନେକ ଚିନ୍ତା କରି ତଥାପି ବିନୋଦିନୀର ମନର ଗତି ଯେ କେଉଁଆଡ଼େ, ସେ କଥା ମହେନ୍ଦ୍ର ଠିକ୍ କରିପାରିଲାନାହିଁ । ସେ କେବଳ ଆଶଙ୍କା କରିବାକୁ ଲାଗିଲା, ‘ମୁଁ ତାକୁ ଭଲ ପାଏ ନାହିଁ ବୋଲି କହି ତା’ର ଅପମାନ କରିଚି । ସେହି ଅଭିମାନରେ ବିନୋଦିନୀ ଅନ୍ୟଆଡ଼େ ମନ ଦେବାକୁ ଚେଷ୍ଟା କରୁଚି । ମୋ’ ଉପରେ ରାଗିଯାଇ ସେ ମୋ’ ବିଷୟରେ ନିରାଶ ହୋଇଯାଇଚି ।’

 

ଏତିକି ଭାବି ଧୈର୍ଯ୍ୟ ରକ୍ଷା କରିବା ମହେନ୍ଦ୍ର ପକ୍ଷରେ ଅସମ୍ଭବ ହୋଇପଡ଼ିଲା । ଯେଉଁ ବିନୋଦିନୀ ଦିନେ ତା’ ପାଖକୁ ଆତ୍ମସମର୍ପଣ କରିବାରୁ ଆସିଥିଲା, ମୁହୂର୍ତ୍ତକରେ ମୁଢ଼ତା ହେତୁ ସେ ତାହାର ସମ୍ପୂର୍ଣ୍ଣ ଅଧିକାରଚ୍ୟୁତ ହୋଇଯିବ, ଏହି ସମ୍ଭାବନାଟି ମହେନ୍ଦ୍ରକୁ ବଡ଼ ଅସ୍ଥିର କରିପକାଇଲା । ମହେନ୍ଦ୍ର ଭାବିଲା, ‘ଯଦି ବିନୋଦିନୀ ମୋତେ ମନେ ମନେ ଭଲ ପାଉଥାଏ, ତେବେ ତାହା ତା’ପକ୍ଷରେ ମଙ୍ଗଳକର ହେବ,–ତା’ ହେଲେ ସେ ଗୋଟିଏ ଜାଗାରେ ବଦ୍ଧ ହୋଇ ରହିପାରିବ । ଆପଣାର ମନକୁ ମୁଁ ଭଲ କରି ଜାଣେ । ମୁଁ ବିନୋଦିନୀ ପ୍ରତି କୌଣସି ଅନ୍ୟାୟ ବ୍ୟବହାର କରିପାରିବିନାହିଁ । କିନ୍ତୁ ଯଦି ସେ ଅନ୍ୟ କୌଣସିଆଡ଼େ ମନ ଦେବ, ତେବେ ତା’ର ଯେ କି ସର୍ବନାଶ ହେବ, ସେ କଥା କିଏ ଜାଣିଚି ?’ ମହେନ୍ଦ୍ର ସ୍ଥିରକଲା ଯେ ନିଜେ ଧରା ନ ଦେଇ କୌଣସି ଅବକାଶରେ ବିନୋଦିନୀର ମନକୁ ପୁନର୍ବାର ନିଜ ଆୟତ୍ତକୁ ଆଣିବାକୁ ହେବ । ଅନ୍ତଃପୁରରେ ପ୍ରବେଶ କରି ମହେନ୍ଦ୍ର ଦେଖିଲା, ଯେପରି ବିନୋଦିନୀ ଉତ୍କଣ୍ଠିତ ହୋଇ କାହାର ପ୍ରତୀକ୍ଷା କରି ବସିଚି । ମହେନ୍ଦ୍ରର ମନ ପଲକ ମଧ୍ୟରେ ବିଦ୍ୱେଷରେ ଜଳିଉଠିଲା । କହିଲା, ‘ଆଗୋ, ମିଛରେ କାହିଁକି ଠିଆ ହୋଇଚ ? ଦେଖାମିଳିବ ନାହିଁ ଏଇ ନିଅ, ତୁମର ଚିଠି ଫେରିଆସିଛି ।’ କହି ଚିଠିଟି ତା’ ଆଡ଼କୁ ଫୋପାଡ଼ି ଦେଲା । ବିନୋଦିନୀ କହିଲା, ’ଖୋଲା ଯେ !’

 

ମହେନ୍ଦ୍ର କୌଣସି ଉତ୍ତର ନ ଦେଇ ଚାଲିଗଲା । ବିହାରୀ ଚିଠି ଖୋଲି ପଢ଼ି ଉତ୍ତର ନ ଦେଇ ଚିଠି ଫେରାଇ ଦେଇଚି ମନେକରି ବିନୋଦିନୀର ସର୍ବାଙ୍ଗର ସବୁ ଶିରା କପ୍ କପ୍ କରିବାକୁ ଲାଗିଲା । ଯେଉଁ ଦରୁଆନ ଜଣକ ଚିଠି ନେଇ ଯାଇଥିଲା, ତାକୁ ଡକାଇ ପଠାଇଲା । ସେ କାର୍ଯ୍ୟାନ୍ତରରେ ଅନ୍ୟତ୍ର ଯାଇଥିଲା, ତାହାର ସନ୍ଧାନ ମିଳିଲା ନାହିଁ ।

 

ଯେପରି ପ୍ରଦୀପମୁଖରୁ ଜ୍ୱଳନ୍ତ ତୈଳବିନ୍ଦୁ କ୍ଷରିତ ହୁଏ, ରୁଦ୍ଧ ଶୟନକକ୍ଷ ମଧ୍ୟରେ ବିନୋଦିନୀର ଦୀପ୍ତ ନେତ୍ରରୁ ସେହିପରି ହୃଦୟର ଜ୍ୱଳା ଅଶ୍ରୁଜଳ ହୋଇ ଝରିପଡ଼ିବାକୁ ଲାଗିଲା । ନିଜର ଚିଠିଟିକୁ ଟିକିଟିକି କରି ଛିଣ୍ଡାଇ ସୁଦ୍ଧା ସେ ସାନ୍ୱନା ପାଇଲା ନାହିଁ । ଦୁଇଚାରି ଧାଡ଼ିର କାଳିଦାଗକୁ ଅତୀତରୁ ବର୍ତ୍ତମାନଯାଏ ସମ୍ପୂର୍ଣ୍ଣରୂପେ ପୋଛିଦେବାଲାଗି, ସମ୍ପୂର୍ଣ୍ଣ ଅସ୍ୱୀକାର କରିବାଲାଗି କ’ଣ କୌଣସି ଉପାୟ ନାହିଁ ? କ୍ରୁଦ୍ଧା ମଧୁକରୀ ଯାହାକୁ ସମ୍ମୁଖରେ ପାଏ, ତାକୁ ଦଂଶନ କରେ । କ୍ଷୁବ୍ଧା ବିନୋଦିନୀ ସେହିପରି ତା’ ଚାରିଆଡ଼ର ସଂସାରକୁ ବଦଳାଇବାକୁ ପ୍ରସ୍ତୁତ ହେଲା । ତା’ର ଇଚ୍ଛାରେ ବାଧା ? ସେ କ’ଣ କୌଣସିଥିରେ କୃତକାର୍ଯ୍ୟ ହୋଇପାରିବ ନାହିଁ । ଯଦି ସୁଖ ନ ପାଇଲା, ତେବେ ଯେଉଁମାନେ ତା’ର ସୁଖରେ ଅନ୍ତରାୟ ହୋଇ ଠିଆ ହୋଇଛନ୍ତି, ଯେଉଁମାନେ ତାକୁ ସମସ୍ତ କୃତାର୍ଥତା ଓ ସମ୍ଭବପର ସମ୍ପଦରୁ ବଞ୍ଚିତ କରିଚନ୍ତି, ସେମାନଙ୍କୁ ପରାସ୍ତ ଓ ଧୂଳିଲୁଣ୍ଠିତ କରିପାରିଲେ ଯାଇ ତା’ର ବ୍ୟର୍ଥ-ଜୀବନର କର୍ମ ସମାହିତ ହେବ ।

 

(୨୩)

 

ସେଦିନ ପହିଲି ଫଗୁଣରେ ଦକ୍ଷିଣା-ପବନ ବହିବାରୁ ଆଶା ଅନେକ ଦିନପରେ ସନ୍ଧ୍ୟାପୂର୍ବରୁ ଛାତ ଉପରେ ସପ ପାରି ବସିଚି । ଖଣ୍ଡେ ମାସିକ ପତ୍ରିକା ନେଇ ଖଣ୍ଡଶଃ ପ୍ରକାଶିତ ଗୋଟିଏ ଗଳ୍ପକୁ ମନୋଯୋଗ ଦେଇ ସେହି ଅଳ୍ପ ଆଲୋକରେ ବସି ପଢ଼ୁଛି । ଯେତେବେଳେ ଗଳ୍ପର ନାୟକ ବର୍ଷକ ପରେ ପୂଜାଛୁଟୀରେ ଘରକୁ ଆସିବାବାଟରେ ଡକାଇ ତାଙ୍କର ହାବୁଡ଼ରେ ପଡ଼ିଚି, ସେତେବେଳେ ଆଶାର ହୃଦୟ ତାହାକୁ ପଢ଼ି ଉଦ୍‍ବେଗରେ କମ୍ପିଉଠୁଥିଲା । ସେହି ସମୟରେ ବିପଦର ସ୍ୱପ୍ନ ଦେଖି ହତଭାଗିନୀ ନାୟିକାର ନିଦ ଭାଙ୍ଗିଯାଇଚି । ଆଶା ଆଉ ସମ୍ଭାଳି ପାରିଲା ନାହିଁ । ଆଶା କାଙ୍ଗାଳ ଗଳ୍ପର ଜଣେ ଉଦାର ସମାଲୋଚକ ଥିଲା । ସେ ଯାହା ପଢ଼େ, ତାହା ଅତି ଚତ୍ମକାର ବୋଲି ମନେହୁଏ । ବିନୋଦିନୀକୁ ଡାକିକରି କହେ, ’ଭଉଣୀ, ‘ମୋ’ ମୁଣ୍ଡ ଖାଅ, ଏହି ଗପଟା ପଢ଼ି ଦେଖ, କେତେ ସୁନ୍ଦର ହୋଇଚି । ପଢ଼ୁ ପଢ଼ୁ ମୁଁ ଯେ କେତେ କାନ୍ଦିଚି, ତୁମକୁ କ’ଣ କହିବି ।’ ବିନୋଦିନୀ ଭଲମନ୍ଦ ବିଚାରି କରି ଆଶାର ଉଚ୍ଛ୍ୱସିତ ଉତ୍ସାହକୁ ଭାରି ଆଘାତ କରେ ।

 

ଆଜିର ଏହି ଗଳ୍ପଟିକୁ ଆଶା ମହେନ୍ଦ୍ରକୁ ପଢ଼ାଇବ ବୋଲି ସ୍ଥିର କରି ଯେତେବେଳେ ସଜଳ ଚକ୍ଷୁରେ ବହିଟି ବନ୍ଦ କଲା, ଠିକ୍ ସେହି ସମୟରେ ଆସି ମହେନ୍ଦ୍ର ଉପସ୍ଥିତ ହେଲା । ତା’ର ମୁହଁ ଦେଖି ଆଶା ଉତ୍‍କଣ୍ଠିତ ହୋଇଉଠିଲା । ମହେନ୍ଦ୍ର ଜୋର କରି ପ୍ରଫୁଲ୍ଲ ହେବାକୁ ଚେଷ୍ଟା କରି କହିଲା, ‘ଏକା ଛାତଉପରେ ବସି କେଉଁ ଭାଗ୍ୟବାନର ଚିନ୍ତା କରୁଚ ?’ ନାୟକ–ନାୟିକାଙ୍କର କଥା ଏକାବେଳକେ ଭୁଲିଯାଇ ଆଶା କହିଲା, ‘ଆଜି କ’ଣ ତୁମର ଦେହ ଭଲ ନାହିଁ କି ?’

 

ମହେନ୍ଦ୍ର–‘ବେଶ୍ ଅଛି’ ।

 

ଆଶା–‘ତେବେ ତୁମେ ମନେ ମନେ କ’ଣ ଗୋଟାଏ ଚିନ୍ତା କରୁଚ, ମୋତେ କହିବାକୁ ହେବ ।’

 

ଆଶାର ପାନଡିବାରୁ ଖଣ୍ଡେ ପାନ ଉଠାଇନେଇ ମହେନ୍ଦ୍ର କହଲା, ‘ମୁଁ ଭାବୁଥିଲି, ତୁମ ମାଉସୀ କେତେଦିନ ହେଲା ତୁମକୁ ଦେଖିନାହାନ୍ତି, ହଠାତ୍ ଯଦି ତୁମେ ସେଠାରେ ଯାଇ ପହଞ୍ଚିଯାଆନ୍ତ ତେବେ କେଡ଼େ ଖୁସୀ ହୁଅନ୍ତେ !’

 

କୌଣସି ଉତ୍ତର ନ ଦେଇ ଆଶା ମହେନ୍ଦ୍ର ମୁହଁକୁ ଚାହିଁ ରହିଲା । ହଠାତ୍ ପୁଣି ନୂଆ କରି ଏ କଥା ମହେନ୍ଦ୍ର ମନରେ କାହିଁକି ଉଦୟ ହେଲା, ସେକଥା ସେ ବୁଝିପାରିଲାନାହିଁ ।

 

ଆଶାକୁ ଚୁପ୍‍କରି ରହିବାର ଦେଖି ମହେନ୍ଦ୍ର କହିଲା, ‘ଯିବାଲାଗି ତୁମର ମନ ହୁଏନାହିଁ-?’

 

ଏକଥାରେ ଉତ୍ତର ଦେବା ବଡ଼ କଠିନ । ମାଉସୀଙ୍କୁ ଦେଖିବା ପାଇଁ ଇଚ୍ଛା ହୁଏ, ପୁଣି ମହେନ୍ଦ୍ରକୁ ଛାଡ଼ି ଯିବାକୁ ଇଚ୍ଛା ହୁଏନାହିଁ । ଆଶା କହିଲା, ‘କଲେଜ ଛୁଟୀହେଲେ ତୁମେ ଯେତେବେଳେ ଯିବ, ତୁମ ସାଙ୍ଗରେ ମୁଁ ମଧ୍ୟ ଯିବି ।’

 

ମହେନ୍ଦ୍ର–ଛୁଟୀ ହେଲେ ମଧ୍ୟ ଯିବାର ଉପାୟ ନାହିଁ । ପରୀକ୍ଷା ପରା ମୁଣ୍ଡ ଉପରେ !

 

ଆଶା–ତେବେ ଥାଉ, ମୁଁ ବି ଯିବି ନାହିଁ ।

 

ମହେନ୍ଦ୍ର-ଥିବ କାହିଁକି ଯିବାକୁ ତ କହୁଥିଲ, ଯାଅ ।

 

ଆଶା–ନାଇଁ, ମୋର ଯିବାକୁ ଇଚ୍ଛାନାହିଁ ।

 

ମହେନ୍ଦ୍ର–ସେଦିନ ଇଚ୍ଛାଥିଲା, ହଠାତ୍ ସେଇ ଇଚ୍ଛା କୁଆଡ଼େ ଗଲା ?

 

ଏହି କଥାରେ ଆଖି ତଳକୁ କରି ମଉନ ହୋଇ ବସିରହିଲା । ବିନୋଦିନୀ ସହିତ ସନ୍ଧି କରିବାକୁ ଅପରାଧ ଅବସର ପାଇବାଲାଗି ମହେନ୍ଦ୍ର ମନ ଭିତରେ ଅତି ଅଧୀର ହୋଇ ଉଠିଥିଲା । ଆଶାକୁ ଚୁପ୍‍ହୋଇ ରହିବାର ଦେଖି ତା’ମନରେ ଅକାରଣ ରାଗର ସଞ୍ଚାର ହେଲା । କହିଲା, ‘ମୋ’ ଉପରେ ତୁମର ମନେ ମନେ କୌଣସି ସନ୍ଦେହ ହେଲାଣି ନା କ’ଣ ସେଥିପାଇଁ ପହରା ଭିତରେ ରଖିବାକୁ ଚାହୁଁଚ ?’

 

ଆଶାର ସ୍ୱାଭାବିକ ମୃଦୁତା , ନମ୍ରତା ଓ ଧୈର୍ଯ୍ୟ ମହେନ୍ଦ୍ର ପାଖରେ ହଠାତ୍ ଅତ୍ୟନ୍ତ ଅସହ୍ୟ ହୋଇଉଠିଲା । ସେ ମନେ ମନେ କହିଲା, ‘ମାଉସୀ ପାଖକୁ ଯିବାକୁ ତ ଇଚ୍ଛା ଅଛି–ମୁଁ ନିଶ୍ଚୟ ଯିବି, ମୋତେ ଯେପରି ହେଉ ପଠାଇ ଦିଅ–ଏପରି ସିନା କହନ୍ତି, ତାହା ନୁହେଁ, କେତେବେଳେ ହଁ, କେତେବେଳେ ନାହିଁ, ପୁଣି କେତେବେଳେ ଚୁପ୍‍ଚାପ-ଇଏ କିଭଳି କଥା ?’

 

ହଠାତ୍ ମହେନ୍ଦ୍ରର ଏହି ଉଗ୍ରତା ଦେଖି ଆଶା ବିସ୍ମିତ ଓ ଭୀତ ହୋଇପଡ଼ିଲା ଅନେକ ଚେଷ୍ଟାକରି ମଧ୍ୟ ସେ କୌଣସି ଉତ୍ତର ପାଇଲା ନାହିଁ । କାହିଁକି ଯେ ମହେନ୍ଦ୍ର ବେଳେବେଳେ ହଠାତ୍ ଏତେ ଆଦର କରେ, ପୁଣି କାହିଁକି ଯେ ବେଳେ ବେଳେ ହଠାତ୍ ନିଷ୍ଠୁର ହୋଇପଡ଼େ, ସେକଥା ସେ ଆଦୌ ବୁଝିପାରେନାହିଁ । ଏହିପରି ଭାବରେ ତା’ ପାଖରେ ମହେନ୍ଦ୍ର ଯେତେ ଦୁର୍ବୋଧ୍ୟ ହୋଇଉଠୁଚି, ଆଶାର କମ୍ପାନ୍ୱିତ ଚିତ୍ତ ଭୟରେ ଓ ପ୍ରେମରେ ତାହାକୁ ସେତେ ଅଧିକ ବେଷ୍ଟନ କରି ଧରୁଚି । ଆଶା ମହେନ୍ଦ୍ରକୁ ସନ୍ଦେହ କରି ନଜରବନ୍ଦୀ କରି ରଖିବାକୁ ଚାହେଁ । ଏହା କଠିନ ଉପହାସ ନା ନିର୍ଦ୍ଦୟ ସନ୍ଦେହ ? ଶପଥ କରି ଏହାର ପ୍ରତିବାଦ ଆବଶ୍ୟକ, ନା ପରିହାସ କରି ଏହାକୁ ଉଡ଼ାଇ ଦେବା କଥା ?

 

ହତବୁଦ୍ଧି ଆଶାକୁ ତଥାପି ନୀରବ ରହିବାର ଦେଖି ଅଧୀର ମହେନ୍ଦ୍ର ଦ୍ରୁତବେଗରେ ସେଠାରୁ ଉଠି ଚାଲିଗଲା । କେଉଁଠି ରହିଲା ମାସିକ ପତ୍ରିକାର ସେହି ଗଳ୍ପର ନାୟକ, କେଉଁଠି ରହିଲା ଗଳ୍ପର ନାୟିକା । ସୂର୍ଯ୍ୟାସ୍ତର ଆଭା ଅନ୍ଧାକାରରେ ମିଶିଗଲା । ସନ୍ଧ୍ୟାରମ୍ଭର ଦକ୍ଷିଣାପବନ ବଦଳରେ ଉତ୍ତରାପବନ ବହିବାକୁ ଲାଗିଲା । ଆଶା ସେହି ସପ ଉପରେ ଲୁଣ୍ଠିତ ହୋଇ ପଡ଼ିରହିଲା ।

 

ଅନେକ ରାତିରେ ଆଶା ଶୟନଘରେ ଯାଇ ଦେଖିଲା, ମହେନ୍ଦ୍ର ତାକୁ ନ ଡାକି ଶୋଇପଡ଼ିଛି ।

 

ସେତେବେଳେ ଆଶାର ମନେହେଲା, ସ୍ନେହମୟୀ ମାଉସୀ ପ୍ରତି ତା’ର ଉଦାସୀନତା କଳ୍ପନା କରି ମହେନ୍ଦ୍ର ତାକୁ ମନେ ମନେ ଘୃଣା କରୁଚି । ବିଛଣା ଉପରକୁ ଯାଇ ସେ ମହେନ୍ଦ୍ରର ଦୁଇଗୋଡ଼ ଉପରେ ମୁହଁ ଗୁଞ୍ଜି ପଡ଼ିରହିଲା । କରୁଣାରେ ବିରାଜିତ ହୋଇ ମହେନ୍ଦ୍ର ତାକୁ ଟାଣିନେବାକୁ ଚେଷ୍ଟା କଲା । ଆଶା ସେହିପରି ଭାବରେ ପଡ଼ିରହି କହିଲା, ଯଦି ମୁଁ କିଛି ଦୋଷ କରିଥାଏ, ତେବେ ମୋତେ ତୁମେ କ୍ଷମା କର ।’

 

ମହେନ୍ଦ୍ର ଆଦ୍ରଚିତ୍ତରେ କହିଲା, ତୁମର କିଛି ଦୋଷ ନାହିଁ ଚୁନି ! ମୁଁ ନିତାନ୍ତ ପାଷାଣ୍ଡ, ତୁମକୁ ଅକାରଣରେ ଆଘାତ ଦେଇଚି ।’

 

ମହେନ୍ଦ୍ରର ଦୁଇପଦ ଅଭିଷିକ୍ତ କରି ଆଶାର ଅଶ୍ରୁ ଝରିବାକୁ ଲାଗିଲା । ମହେନ୍ଦ୍ର ଉଠିବସି ତାକୁ ଦୁଇବାହୁଦ୍ୱାରା ଉଠାଇ ନେଇ ନିଜ ପାଖରେ ଶୁଆଇଲା । ଆଶାର ରୋଦନବେଗ କମି ଆସିବାପରେ ସେ କହିଲା, ‘ମାଉସୀଙ୍କୁ ଦେଖିବାଲାଗି ମୋର କ’ଣ ଇଚ୍ଛା ହେଉ ନାହିଁ ? କିନ୍ତୁ ତୁମକୁ ଛାଡ଼ି ଯିବାକୁ ମନ ହେଉ ନାହିଁ । ସେଇଥିପାଇଁ ମୁଁ ଯିବାକୁ ନାହିଁ କରୁଚି । ତୁମେ ରାଗ କରନା ।’

 

ଧୀରେ ଧୀରେ ମହେନ୍ଦ୍ର ଆଶାର ଆର୍ଦ୍ର କପୋଳ ପୋଛି ଦେଉ ଦେଉ କହିଲା, ଏଥିରେ କ’ଣ ରାଗିବା କଥା ଚୁନି ? ମୋତେ ଛାଡ଼ି ଯାଇପାରୁନା, ସେଇଥିଲାଗି ମୁଁ ରାଗିବି ? ତୁମକୁ କୁଆଡ଼େ ଯିବାକୁ ପଡ଼ିବ ନାହିଁ ।’

 

ଆଶା କହିଲା, ନାଇଁ, ମୁଁ କାଶୀ ଯିବି ।’

 

ମହେନ୍ଦ୍ର–କାହିଁକି ?

 

ଆଶା-ତୁମକୁ ମନେ ମନେ ସନ୍ଦେହ କରି ଯାଉନାହିଁ–ଏକଥା ଯେତେବେଳେ ତୁମର ମୁହଁରୁ ବାହାରିଚି ସେତେବେଳେ ମୋତେ ଅନ୍ତତଃ କିଛିଦିନ ପାଇଁ ଯିବାକୁ ହେବ ।

 

ମହେନ୍ଦ୍ର–ପାପ କଲି ମୁଁ, ଅଥଚ ପ୍ରାୟଶ୍ଚିତ ତୁମେ କରିବ ?

 

ଆଶା–ସେକଥା ମୁଁ ଜାଣେନାହିଁ, କିନ୍ତୁ ମୁଁ ନିଶ୍ଚେ କିଛି ପାପ କରିଚି । ନ ହେଲେ ଏପରି ଅସମ୍ଭବ କଥାସବୁ ଉଠନ୍ତା କାହିଁକି ? ସ୍ୱପ୍ନରେ ସୁଦ୍ଧା ମୁଁ ଯେଉଁପରି କଥା ଭାବି ପାରୁ ନ ଥିଲି, ସେସବୁ ମୋତେ କାହିଁକି ଶୁଣିବାକୁ ହେଉଚି ?

 

ମହେନ୍ଦ୍ର–ତା’ର କାରଣ, ମୁଁ ଯେ କେଡ଼େ ମନ୍ଦ ଲୋକ, ତାହା ତୁମ ସ୍ୱପ୍ନର ଅଗୋଚର ।

 

ଆଶା ବ୍ୟସ୍ତ ହୋଇ କହିଲା, ପୁଣି ସେ କଥା କହ ନାହିଁ, କିନ୍ତୁ ଏଥର ମୁଁ ନିଶ୍ଚୟ କାଶୀ ଯିବି ।’

 

ହସିକରି ମହେନ୍ଦ୍ର କହିଲା, ‘ଆଚ୍ଛା ଯାଅ, କିତୁ ତୁମେ ଦୂରକୁ ଗଲେ ଯଦି ମୁଁ ନଷ୍ଟ ହୋଇଯାଏ, ତେବେ କ’ଣ ହେବ କହିଲ ?’

 

ଆଶା କହିଲା, ତୁମକୁ ଆଉ ଭୟ ଦେଖାଇବାକୁ ପଡ଼ିବ ନାହିଁ । ମୁଁ ଯେପରି ଖାଲି ସେହିକଥା ଭାବି ଅସ୍ଥିର ହୋଇଯାଉଚି !’

 

ମହେନ୍ଦ୍ର–କିନ୍ତୁ ଭାବିବାକୁ ହେବ । ତୁମର ଏପରି ସ୍ୱାମୀଟିକୁ ଯଦି ଅସାବଧାନ ହୋଇ ବିଗିଡ଼ି ଯିବାକୁ ଦେବ, ତେବେ ପଛରେ ଆଉ ଦୋଷ ଦେବ କାହାକୁ ?

 

ଆଶା–ତୁମକୁ ଦୋଷ ଦେବି ନାହିଁ, ତୁମେ ସେ କଥା ଭାବନା ।

 

ମହେନ୍ଦ୍ର–ସେତେବେଳେ ନିଜର ଦୋଷ ସ୍ୱୀକାର କରିବ ତ ?

 

ଆଶା–ଶହେଥର ସ୍ୱୀକାର କରିବି ।

 

ମହେନ୍ଦ୍ର–ଆଚ୍ଛା, ତା’ହେଲେ କାଲି ତୁମ ବଡ଼ବାପାଙ୍କ ସହିତ କଥାବାର୍ତ୍ତା କରି ଆସିବି ।

 

ଏତିକି କହି ମହେନ୍ଦ୍ର କଡ଼ ଲେଉଟାଇ ଶୋଇଲା ।

 

କିଛି ସମୟପରେ ହଠାତ୍ ପୁଣି ଏ ପଟକୁ ବୁଲିପଡ଼ି କହିଲା ‘ଚୁନି, ଥାଉ ତୁମେ ଯାଅନା-।’

 

କାତର ହୋଇ ଆଶା କହିଲା, ‘ପୁଣି କାହିଁକି ମନା କରୁଚ କହିଲ ? ଥରେ ନ ଗଲେ ତୁମର ସେହି ଭର୍ତ୍ସନାଟା ମୋର ଦେହରେ ଲାଗିରହିଥିବ । ମୋତେ ଦି ଚାରି ଦିନପାଇଁ ପଠାଇ ଦିଅ ।’

 

ମହେନ୍ଦ୍ର କହିଲା,‘ଆଚ୍ଛା’ ! ପୁଣି କଡ଼ ଲେଉଟାଇ ଶୋଇପଡ଼ିଲା ।

 

କାଶୀ ଯିବାର ପୂର୍ବଦିନ ଆଶା ବିନୋଦିନୀର ଗ୍ରୀବା ବେଷ୍ଟନ କରି କହିଲା, ‘ଭଉଣୀ, ମୋର ଦେହଛୁଇଁ ମୋତେ ଗୋଟିଏ କଥା କହ ।’

 

ବିନୋଦିନୀ ଆଶାର ଗାଲ ଚାପିଦେଇ କହିଲା, ‘କି କଥା ଭଉଣୀ , ତୋ’ର ଅନୁରୋଧ କ’ଣ ମୁଁ କେବେ ନ ରଖିଚି ?’

 

ଆଶା–କେଜାଣି ? ଆଜିକାଲି ତୁମେ କିପରି ଅନ୍ୟପ୍ରକାର ହୋଇଗଲଣି । ମୋର ସ୍ୱାମୀଙ୍କ ପାଖକୁ ମୋଟେ ବାହାରୁ ନାହଁ ।

 

ବିନୋଦିନୀ–କାହିଁକି ବାହାରେ ନାହିଁ, ତୁ କ’ଣ ସେକଥା ଜାଣୁନା ଭଉଣୀ । ବିହାରୀବାବୁଙ୍କୁ ସେଦିନ ମହେନ୍ଦ୍ର ବାବୁ ଯେଉଁ କଥା କହିଲେ, ତା’ କ’ଣ ତୁ ନିଜ କାନରେ ଶୁଣିନୁ ? ଯଦି ଏସବୁ କଥା ଉଠିଲାଣି, ତା’ ହେଲେ କ’ଣ ମୋର ତଥାପି ଆଗକୁ ବାହାରିବା ଉଚିତ, ତୁ କହିଲୁ ?

 

ଉଚିତ ଯେ ନୁହେଁ, ସେ କଥା ଆଶା ବୁଝିଚି । ଏସବୁ କଥାର ଲଜ୍ଜାକରତା ଯେ କେତେଦୂର, ସମ୍ପ୍ରତି ସେକଥା ମଧ୍ୟ ସେ ନିଜ ମନରୁ ବୁଝିଚି । ତଥାପି କହିଲା, ‘ଅନେକ ସମୟରେ ଛୋଟକଥା ବଢ଼ି ବଢ଼ି ବଡ଼ ହୋଇଯାଏ । ଯଦି ଏସବୁ ସହି ନ ପାରିବ, ତେବେ ଆଉ ଭଲ ପାଇବାର କି ଅର୍ଥ ରହିଲା ? ସେସବୁ ପାଶୋରି ପକାଇବାକୁ ହେବ ।’

 

ବିନୋଦିନୀ–ଆଚ୍ଛା, ଭଉଣୀ ! ପାଶୋରି ଦେବି ।

 

ଆଶା–ଭଉଣୀ, ମୁଁ ତ କାଲି କାଶୀ ଯାଉଚି । ଯେପରି ତାଙ୍କର କୌଣସି ଅସୁବିଧା ନ ହେବ, ସେ ଜିମା ତୋ ଉପରେ ବିଶେଷ କରି ରହିଲା । ବର୍ତ୍ତମାନ ପରି ଆଡ଼େଇ ହୋଇ ରହିଲେ ଚଳିବ ନାହିଁ ।

 

ବିନୋଦିନୀ ଚୁପ୍ ହୋଇ ରହିଲା । ଆଶା ତା’ର ହାତକୁ ଚାପିଧରି କହିଲା, ‘ମୋ ରାଣଟି, ମୋର ଏଇ କଥାଟାକୁ ନିଶ୍ଚୟ ରଖିବୁ ।’

 

ବିନୋଦିନୀ କହିଲା, ‘ଆଚ୍ଛା’ !

 

(୨୪)

 

ଗୋଟିଏ ଦିଗରେ ଚନ୍ଦ୍ର ଅସ୍ତ ହୋଇଯାଏ, ଆଉ ଗୋଟିଏ ଦିଗରେ ସୂର୍ଯ୍ୟ ଉଠେ । ଆଶା ଚାଲିଗଲା, କିନ୍ତୁ ମହେନ୍ଦ୍ରର ଭାଗ୍ୟରେ ଏପର୍ଯ୍ୟନ୍ତ ବିନୋଦିନୀର ଦେଖାନାହିଁ । ମହେନ୍ଦ୍ର କେତେ ଏପାଖ ସେପାଖ ହୁଏ । ବେଳେବେଳେ ଛଳକରି ସମୟ ଅସମୟରେ ମାଆଙ୍କ ପାଖରେ ଯାଇ ଉପସ୍ଥିତ ହୁଏ । ବିନୋଦିନୀ କେବଳ ଫାଙ୍କିଦେଇ ପଳାଏ, ଧରା ଦିଏନାହିଁ ।

 

ରାଜଲକ୍ଷ୍ମୀ ମହେନ୍ଦ୍ରର ଏହି ଶୂନ୍ୟଭାବ ଦେଖି ଭାବିଲେ, ‘ବୋହୂ ଯିବାପରେ ମହେନ୍ଦ୍ରକୁ ଏଠି ଆଉ କିଛି ଭଲ ଲାଗୁନାହିଁ । ଆଜିକାଲି ମହେନ୍ଦ୍ରର ସୁଖଦୁଃଖ ପକ୍ଷରେ ମାଆ ଯେ ବୋହୂଙ୍କ ତୁଳନାରେ ଏକାନ୍ତ ଅନାବଶ୍ୟକ, ତାହା ମନେକରି ଭାରୀ ବାଧିଲା । ତଥାପି ମହେନ୍ଦ୍ରର ଏହି ଲକ୍ଷ୍ମୀଛଡ଼ା ବିମର୍ଷ ଭାବ ଦେଖି ସେ ମନେ ମନେ ବଡ଼ କଷ୍ଟ ପାଇଲେ । ବିନୋଦିନୀକୁ ଡାକି କହିଲେ, ‘ସେହି ଇନ୍‍ଫ୍ଲୁଏଞ୍ଜା ହେବା ପରଠାରୁ ମୋତେ କାହିଁକି ଶ୍ୱାସ ଧରିବାପରି ମନେ ହେଉଚି-। ମୁଁ ଆଉ ଆଜିକାଲି ସିଡ଼ି ଚଢ଼ି ଉପରକୁ ଉଠିପାରୁନାହିଁ । ତୁ ମା’ ମହେନ୍ଦ୍ରର ଖାଇବାବେଳେ ନିଜେ ଠିଆହୋଇ ସବୁ ଦେଖୁଥିବୁ । ସବୁଦିନର ଅଭ୍ୟାସପରି ଜଣେ କେହି ଯତ୍ନ ନ କଲେ ମହେନ୍ଦ୍ର ଚଳିପାରେ ନାହିଁ । ଦେଖୁନୁ, ବୋହୂ ଯିବାପରେ ସେ କିପରି ହୋଇଗଲାଣି ! ବୋହୂକୁ କି ଧନ୍ୟ କହିବ ! କାହିଁକି ଯେ ସିଏ କାଶୀ ଗଲା ।

 

ବିନୋଦିନୀ ମୁହଁଟା ଟିକିଏ ବଙ୍କା କରିଦେଇ ବିଛଣାଚଦର ଖୁଣ୍ଟିବାରେ ଲାଗିଲା ।

 

ରାଜଲକ୍ଷ୍ମୀ କହିଲେ, ‘କ’ଣ ଭାବୁଚୁ ମାଆ ? ଏଥିରେ ଭାବିବାର କଥା କିଛି ନାହିଁ ।

 

ଯିଏ ଯାହା କହିବାର କହନ୍ତୁ, ତୁ’ ତ ଆମର ପର ନୋହୁ ।’

 

ବିନୋଦିନୀ କହିଲା, ‘ଥାଉ ମା !’

 

ରାଜଲକ୍ଷ୍ମୀ କହିଲେ, ‘ଆଚ୍ଛା , ତେବେ ଥାଉ, ମୁଁ ଯେତିକି ପାରିବି କରିବି ।’ ସେ ସଙ୍ଗେ ସଙ୍ଗେ ମହେନ୍ଦ୍ରର ଘର ସଜାଡ଼ିବା ପାଇଁ ଯିବାକୁ ଉଦ୍ୟତ ହେଲେ ।

 

ବିନୋଦିନୀ ବ୍ୟସ୍ତ ହୋଇ କହିଲା, ‘ତୁମର ଅସୁସ୍ଥ ଦେହ, ତୁମେ ଯାଅନାହିଁ । ମୁଁ ଯାଉଛି ମୋତେ କ୍ଷମା କରିବ ପିଉସୀ ! ତୁମେ ମୋତେ ଯାହା ଆଦେଶ କରିବ, ମୁଁ ତାହାହିଁ କରିବି ।’

 

ରାଜଲକ୍ଷ୍ମୀ ଲୋକଙ୍କ କଥାକୁ ସବୁଦିନେ ତୁଚ୍ଛ ମନେକରନ୍ତି । ସ୍ୱାମୀଙ୍କର ମୃତ୍ୟୁର ପରଠାରୁ ସଂସାରରେ ଏବଂ ସମାଜରେ ସେ ମହେନ୍ଦ୍ର ଛଡ଼ା ଆଉ କିଛି ଜାଣନ୍ତି ନାହିଁ । ମହେନ୍ଦ୍ର ସମ୍ୱନ୍ଧରେ ବିନୋଦିନୀ ସମାଜ ନିନ୍ଦାର ଆଭାସ ଦେବାରୁ ସେ ବିରକ୍ତ ହେଲେ । ସେ ମହେନ୍ଦ୍ରକୁ ଆଜନ୍ମ ଦେଖି ଆସୁଚନ୍ତି । ତାଙ୍କ ମତରେ ଏପରି ଭଲପିଲା ଆଉ କେଉଁଠି ନାହାନ୍ତି । ସେହି ମହେନ୍ଦ୍ର ସମ୍ୱନ୍ଧରେ ବି ନିନ୍ଦା ! ଯଦି କିଏ ନିନ୍ଦା କରିବ, ତେବେ ତାହାର ଜିଭ ଛିଣ୍ଡିପଡ଼ୁ । ତାଙ୍କର ନିଜକୁ ଯାହା ଭଲଲାଗେ ଓ ଭଲ ବୋଲି ମନେହୁଏ, ସେହି ସମ୍ୱନ୍ଧରେ ଦୁନିଆସାରା ଲୋକଙ୍କୁ ଉପେକ୍ଷା ରାଜଲକ୍ଷ୍ମୀଙ୍କର ଏକ ସ୍ୱାଭାବିକ ଜିଦ୍ ଥିଲା । ଆଜି ମହେନ୍ଦ୍ର କଲେଜରୁ ଫେରିଆସି ନିଜର ଶୋଇବାଘର ଦେଖି ଆଶ୍ଚର୍ଯ୍ୟ ହୋଇଗଲା, କବାଟ ଖୋଲି ଦେଖିଲା, ଚନ୍ଦନଗୁଣ୍ଡ ଓ ଝୁଣାଗନ୍ଧରେ ଘର ଆମୋଦିତ । ମଶାରିରେ ଗୋଲାପୀ ରେଶମର ଝାଲର ଲାଗିଚି । ତଳ ବିଛଣାରେ ଶୁଭ୍ର ସତରଂଜି ଜକଜକ କରୁଚି ଏବଂ ତା’ପରେ ପୂର୍ବରୁ ପୁରାତନ ତକିଆ ପରିବର୍ତ୍ତରେ ରେଶମ ଓ ପଶମର ଫୁଲପକା ଚାରିକଣିଆ ବିଲାତି ତକିଆ ସୁସଜ୍ଜିତ ରହିଚି । ସେଗୁଡ଼ିକର କାରୁକାର୍ଯ୍ୟ ବିନୋଦିନୀର ବହୁଦିନର ପରିଶ୍ରମର ଫଳ । ଆଶା ତାକୁ ପଚାରେ, ‘ଏସବୁ ତୁ କାହାପାଇଁ ତିଆରି କରୁଚୁ ଭଉଣୀ ?’ ବିନୋଦିନୀ ହସିଦେଇ କହେ, ‘ମୋର ଚିତାଶଯ୍ୟା ପାଇଁ । ମରଣ ଛଡ଼ା ମୋର ଅଧିକ ପ୍ରିୟ ଆଉ କିଏ ଅଛି ?’

 

କାନ୍ଥରେ ମହେନ୍ଦ୍ରର ଯେଉଁ ଫ୍ରେମବନ୍ଧା ଫଟୋଗ୍ରାଫଟି ଥିଲା, ତାହାର ଚାରିକ’ଣରେ ରଙ୍ଗିନ ଫିତାଦ୍ୱାରା ସୁନିପୁଣ ଭାବରେ ଚାରୋଟି ଗ୍ରନ୍ଥି ବନ୍ଧାହୋଇଚି ଓ ସେହି ଛବିତଳେ ଭିତ୍ତିଗାତ୍ରରେ ଗୋଟିଏ ତିପାଇର ଦି’କଡ଼େ ଦୁଇଟି ଫୁଲଦାନୀରେ ଫୁଲତୋଡ଼ା ସଜାହୋଇ ରହିଚି, ଯେପରି ମହେନ୍ଦ୍ରର ପ୍ରତିମୂର୍ତ୍ତି କେଉଁ ଅଜ୍ଞାତ ଭକ୍ତର ପୂଜାପ୍ରାପ୍ତ ହୋଇଚି ! ସବୁ ମିଶାଇ ଘରର ଚେହେରା ଅନ୍ୟରକମର ହୋଇ ଯାଇଚି । ଖଟ ଯେଉଁଟି ଥିଲା, ସେଠାରୁ ଆଉ ଟିକିଏ ଘୁଞ୍ଚାଇ ଦିଆହୋଇଚି । ଘରଟିକୁ ଦୁଇଭାଗ କରାହୋଇଛି । ଖଟ ସମ୍ମୁଖରେ ଦୁଇଟି ବଡ଼ ଆଲାଣାରେ ଲୁଗା ଝୁଲାଇ ଆଢ଼ୁଆଳ କରି ପ୍ରସ୍ତୁତ କରାହୋଇଥିବାରୁ ତଳେ ବସିବା ବିଛଣା ଓ ରାତିରେ ଶୋଇବା ଖଟ ସ୍ୱତନ୍ତ୍ର ହୋଇଯାଇଚି । ଯେଉଁ ଆଲମାରିରେ ଆଶାର ସୌଖୀନ ଜିନିଷ ଓ ଚୀନାମାଟିର ଖେଳନା ପ୍ରଭୃତି ସଜାହୋଇ ରହିଥିଲା, ସେହି ଆଲମାରିର କାଚ କବାଟର ଭିତର ପାଖରେ ଲାଲା ସାଟିନ୍ କୁଞ୍ଚିତ କରି ମାରି ଦିଆହୋଇଚି । ଆଲମାରି ଭିତରର କୌଣସି ଜିନିଷ ଆଉ ବାହାରକୁ ଦେଖାଯାଉ ନାହିଁ । ଘର ଭିତରେ ତାହାର ପୂର୍ବ ଇତିହାସର ଯେଉଁ ଚିହ୍ନସବୁ ରହିଥିଲା, ତାହା ନୂତନ ହସ୍ତର ନବସଜ୍ଜାରେ ସମ୍ପର୍ଣ୍ଣ ଆଚ୍ଛନ୍ନ ହୋଇଯାଇଛି ।

 

ପରିଶ୍ରାନ୍ତ ମହେନ୍ଦ୍ର ତଳେ ପରା ହୋଇଥିବା ଶୁଭ୍ର ବିଛଣା ଉପରେ ଶୋଇ ନୂଆ ତକିଆ ଉପରେ ମୁଣ୍ଡ ରଖିବାକ୍ଷଣି ମୃଦୁ ସୁଗନ୍ଧ ଅନୁଭବ କଲା । ତକିଆରେ ଥିବା ତୁଳାରେ ପ୍ରଚୁର ପରିମାଣରେ ନାଗେଶ୍ୱର ଫୁଲର ରେଣୁ ଓ ଅତର ମିଶା ହୋଇଥିଲା ।

 

ମହେନ୍ଦ୍ରର ଆଖି ବନ୍ଦ ହୋଇ ଆସିଲା । ତା’ର ମନେହେଲା, ଏହି ତକିଆ ଉପରେ ଯାହାର ସୁନିପୁଣ ହସ୍ତର ଶିଳ୍ପ ଅଙ୍କାହୋଇଛି, ଏହି ଗନ୍ଧ ଯେପରି ତାହାର କୋମଳ ଚମ୍ପକଅଙ୍ଗୁଳିର-

 

ଏହି ସମୟରେ ଦାସୀ ରୂପା ଥାଳିଆରେ ଫଳ ଓ ମିଷ୍ଟାନ୍ନ ଏବଂ କାଚ ଗିଲାସରେ ବରଫଦିଆ ସପୁରିସର୍ବତ ଆଣିଦେଲା । ଏସବୁ ପୂର୍ବ ପ୍ରଥାରୁ ଟିକିଏ ବିଭିନ୍ନ ଏବଂ ବହୁ ଯତ୍ନ ଓ ପରିପାଟୀର ସହିତ ରଚିତ । ସ୍ୱାଦ, ଗନ୍ଧ ଓ ଦୃଶ୍ୟର ନୂତନତ୍ୱ ମହେନ୍ଦ୍ରର ଇନ୍ଦ୍ରିୟସମୂହକୁ ଆବିଷ୍ଟ କରିଦେଲା ।

 

ତୃପ୍ତିପୂର୍ବକ ଭୋଜନ ସମାପ୍ତ ହେବାପରେ ରୂପା ଡିବାରେ ପାନ ଓ ମସଲା ନେଇ ବିନୋଦିନୀ ଧୀରେ ଧୀରେ ପ୍ରବେଶ କଲା । ହସିହିସି କହିଲା, ‘କେତେଦିନ ହେଲା ଖାଇବାବେଳେ ତୁମ ପାଖରେ ରହିପାରେନାହିଁ, ମୋତେ କ୍ଷମା କରିବ ମହେନ୍ଦ୍ର ! ଆଉ ଯାହା କର ପଛକେ, ମୋର ରାଣ ରହିଲା, ତୁମର ଅଯତ୍ନ ହେଉଚି, ଏଇ ଖବରଟା ମୋର ‘ଅସହୀ’କୁ ଦେବନାହିଁ । ମୋର ଯଥାସାଧ୍ୟ ମୁଁ କରୁଚି, କିନ୍ତୁ କ’ଣ କରିବି, ଘରର ସବୁକାମ ମୋ ହାତରେ ।’

 

ଏତିକି କହି ବିନୋଦିନୀ ମହେନ୍ଦ୍ର ଆଡ଼କୁ ପାନଡ଼ିବାଟି ବଡ଼ାଇଦେଲା । ଆଜିକାର ପାନରେ ମଧ୍ୟ କିଆଖଇରର ନୂଆ ଗନ୍ଧ ମିଳିଲା ।

 

ମହେନ୍ଦ୍ର କହିଲା, ‘ଯତ୍ନରେ ବେଳେବେଳେ ଗୋଟାଏ-ଅଧେ ତ୍ରୁଟି ରହିବା ଭଲ ।’

 

ବିନୋଦିନୀ କହିଲା, ‘ଭଲ କିପରି ଶୁଣେ ?’

 

ମହେନ୍ଦ୍ର ଉତ୍ତର ଦେଲା, ‘ତା’ ହେଲେ ପରେ ଖୁଣ୍ଟା ଦେଇ ସୁଧ ସହିତ ଆଦାୟ କରିହେବ ।’

 

‘ମହାଜନ ମହାଶୟ, ସୁଧ କେତେ ଜମିଲାଣି ?’

 

ମହେନ୍ଦ୍ର କହିଲା, ‘ଖାଇବାବେଳେ ଉପସ୍ଥିତ ନ ଥିଲ, ବର୍ତ୍ତମାନ ଖାଇବାଘରେ ହାଜିରା ପକାଇ ମଧ୍ୟ ଆହୁରି ପାଉଣା ବାକି ରହିବ ।’

 

ବିନୋଦିନୀ ହସି କହିଲା, ‘ତୁମ ହିସାବ ଯେପରି କଡ଼ା, ତୁମ ହାତରେ ଥରେ ପଡ଼ିଲେ ଆଉ ଉଦ୍ଧାର ମିଳିବ ନାହିଁ ।’

 

ମହେନ୍ଦ୍ର କହିଲା, ‘ମୋର ହିସାବ ପଛେ କଡ଼ା ହେଉ, କିନ୍ତୁ ଆଦାୟ କେତେ କରିପାରିଲି ?’

 

ବିନୋଦିନୀ କହିଲା, ‘ଆଦାୟ କରିବାପରି କଅଣ ବା ଅଛି, ତଥାପି ତ ବନ୍ଦୀ କରି ରଖିଚ’ –ଥଟ୍ଟାକୁ ହଠାତ୍ ଗାମ୍ଭୀର୍ଯ୍ୟରେ ପରିଣତ କରି ଈଷତ୍ ଦୀର୍ଘନିଃଶ୍ୱାସ ପକାଇଲା ବିନୋଦିନୀ-

 

ମହେନ୍ଦ୍ର ମଧ୍ୟ ଟିକିଏ ଗମ୍ଭୀର ହୋଇ କହିଲା, ‘ଏଇଟା କ’ଣ ତେବେ ଜେଲଖାନା ?’

 

ଏହି ସମୟରେ ବେହେରା ସବୁଦିନପରି ତିପାଇ ଉପରେ ବତୀ ରଖି ଦେଇଗଲା । ହଠାତ୍ ଆଖିରେ ଆଲୁଅ ପଡ଼ିବାରୁ ମୁହଁଉପରେ ହାତ ଘୋଡ଼ାଇ ନତନେତ୍ରରେ ବିନୋଦିନୀ କହିଲା, ‘କେଜାଣି, ତୁମ ସହିତ କିଏ କଥାରେ ପାରିବ ? ବର୍ତ୍ତମାନ ଯାଉଚି, କାମ ଅଛି ।’

 

ହଠାତ୍ ମହେନ୍ଦ୍ର ତା’ର ହାତ ଚାପିଧରି କହିଲା, ‘ଯେତେବେଳେ ବନ୍ଧନ ସ୍ୱୀକାର କରିଚ, ସେତେବେଳେ ଯିବ କୁଆଡ଼େ ?’

 

ବିନୋଦିନୀ କହିଲା, ‘ଛି, ଛି ଯାହାର ଯିବାର ବାଟ ନାହିଁ ତାକୁ ପୁଣି ବାନ୍ଧିରଖିବାର ଚେଷ୍ଟା କାହିଁକି ?’ ବିନୋଦିନୀ ଜୋରକରି ହାତ ଛଡ଼ାଇ ପ୍ରସ୍ଥାନ କଲା ।

 

ମହେନ୍ଦ୍ର ସେହି ବିଛଣା ଉପରେ ସୁଗନ୍ଧ ତକିଆରେ ମୁଣ୍ଡଦେଇ ପଡ଼ିରହିଲା । ତା’ର ଛାତିଭିତରର ରକ୍ତ ଚଞ୍ଚଳ ହୋଇଉଠିଲା । ନିସ୍ତବ୍‍ଧ ସନ୍ଧ୍ୟା, ନିର୍ଜନ ଘର, ନବବସନ୍ତର ଦକ୍ଷିଣା-ସମୀର ବହିଯାଉଛି, ବିନୋଦିନୀର ମନ ଧରାଦେବା ଉପରେ, ଉନ୍ମୁକ୍ତ ମହେନ୍ଦ୍ର ନିଜକୁ ଆଉ ସମ୍ଭାଳି ପାରିବ ନାହିଁ ବୋଲି ମନେହେଲା । ତରତର ହୋଇ ଆଲୁଅ ନିଭାଇ ଘରର ପ୍ରବେଶଦ୍ୱାର ବନ୍ଦ କଲା ଏବଂ ସମୟ ହେବା ପୂର୍ବରୁ ଯାଇ ବିଛଣାରେ ଶୋଇପଡ଼ିଲା ।

 

ଇଏ ମଧ୍ୟ ସେହି ପୁରୁଣା ବିଛଣା ନୁହେଁ–ଚାରିପାଞ୍ଚଟା ଶେଯ ବିଛାହୋଇ ଶଯ୍ୟାତଳେ ପୂର୍ବ ଅପେକ୍ଷା ଅଧିକ ନରମ । ପୁଣି ଗୋଟିଏ ଗନ୍ଧ,–ତାହା ଅଗୁରୁର କି ଖସ୍ ଖସ୍‍ର, କି ଆଉ କାହାର, ଠିକ୍ କରି ବୁଝି ହେଲାନାହିଁ । ମହେନ୍ଦ୍ର ଅନେକ ଥର ଏପାଖସେପାଖ ହୋଇ କଡ଼ ଲେଉଟାଇଲା । କେଉଁଠୁ ଟିକିଏ ପୁରାତନର ନିଦର୍ଶନ ମିଳିଗଲେ ତାକୁ ଅବଲମ୍ୱନ କରିବାକୁ ଚେଷ୍ଟା କଲା, କିନ୍ତୁ କିଛି ମିଳିଲା ନାହିଁ ।

 

ରାତି ନଅଟାବେଳେ ରୁଦ୍ଧଦ୍ୱାର ଉପରେ ଆଘାତ ଶୁଭିଲା । ବିନୋଦିନୀ ବାହାରୁ କହିଲା, ‘ତୁମପାଇଁ ଖାଇବାକୁ ଆଣିଛି, କବାଟ ଖୋଲ’ ।

 

କବାଟ ଖୋଲିବା ପାଇଁ ମହେନ୍ଦ୍ର ଧଡ଼ପଡ଼ ହୋଇ ଉଠି ଅର୍ଗଳରେ ହାତ ଦେଲା କିନ୍ତୁ ନ ଖୋଲି ତଳେ ଲୋଟିପଡ଼ି କହିଲା, ‘ଭୋକ କରୁନାହିଁ, ମୁଁ ଖାଇବି ନାହିଁ ।’

 

ବାହାରୁ ଉଦ୍‍ବିଗ୍ନ କଣ୍ଠରେ ପ୍ରଶ୍ନ ଶୁଣାଗଲା, ‘ଦେହ କିଛି ଖରାପ ଲାଗୁ ନାହିଁତ ? ପାଣି ଆଣି ଦେବି ? ଆଉ କିଛି ଦରକାର କି ?’

 

ମହେନ୍ଦ୍ର କହିଲା ମୋର କିଛି ପ୍ରୟୋଜନ ନାହିଁ ।’

 

ବିନୋଦିନୀ କିଲା, ‘ତୁମକୁ ମୋ’ ରାଣ । ମୋତେ ଭଣ୍ଡାଅ ନାହିଁ । ଆଚ୍ଛା, ଦେହ କିଛି ଖରାପ ହୋଇନାହିଁତ ? ଥରେ କବାଟ ଖୋଲ ।’

 

ମହେନ୍ଦ୍ର ସବେଗରେ କହିଲା, ‘ନାଇଁ, କବାଟ ଖୋଲିବି ନାହିଁ, ତୁମେ ଯାଅ ।’ କହି ମହେନ୍ଦ୍ର ତରତର ହୋଇ ଉଠି ପୁଣି ବିଛଣାରେ ଯାଇ ଶୋଇପଡ଼ିଲା ଏବଂ ଅନ୍ତର୍ହିତା ଆଶାର ସ୍ମୃତିକୁ ଶୂନ୍ୟ ଶଯ୍ୟାଉପରେ ଓ ଚଞ୍ଚଳ ହୃଦୟ ମଧ୍ୟରେ ଖୋଜିବାକୁ ଲାଗିଲା ।

 

କିନ୍ତୁ କୌଣସି ପ୍ରକାରେ ନିଦ ନ ଆସିବାରୁ ମହେନ୍ଦ୍ର ଉଠି ବତୀ ଜଳାଇ ଦୁଆତକଲମ ନେଇ ଆଶା ପାଖକୁ ଚିଠି ଲେଖିବସିଲା-ଲେଖିଲା: ‘ଆଶା ! ଆଉ ଅଧିକ ଦିନ ମୋତେ ଏକା ପକାଇ ରଖନାହିଁ । ମୋ’ ଜୀବନର ଲକ୍ଷ୍ମୀ ତୁମେ,–ତୁମେ ପାଖରେ ନ ରହିଲେ ମୋର ସବୁ ପ୍ରବୃତ୍ତି ଶୃଙ୍ଖଳ ଛିଣ୍ଡାଇ ମୋତେ ଯେ କେଉଁଆଡ଼କୁ ଟାଣିନେବ, ମୁଁ ବୁଝିପାରୁନାହିଁ । ବାଟ ଦେଖି ଚାଲିବି, ସେଥିଲାଗି ଆଲୁଅ କାହିଁ ? ସେହି ଆଲୋକ ହେଉଚି ତୁମର ବିଶ୍ୱାସପୂର୍ଣ୍ଣ ଦୁଇ ଚକ୍ଷୁର ପ୍ରେମସ୍ନିଗ୍‍ଧ ଦୃଷ୍ଟିପାତ । ତୁମେ ଶୀଘ୍ର ଆସ, ମୋର ଶୁଭ, ମୋର ଧ୍ରୁବ, ମୋର ଏକ । ମୋତେ ସୁସ୍ଥିର କର, ରକ୍ଷାକର, ମୋର ହୃଦୟ ପରିପୂର୍ଣ୍ଣ କର, ତୁମ ପ୍ରତି ଲେଶମାତ୍ର ଅନ୍ୟାୟର ମହାପାପରୁ ତୁମକୁ ମୂହୂର୍ତ୍ତକାଳ ବିସ୍ମରଣର ବିଭୀଷିକାରୁ ମୋତେ ଉଦ୍ଧାର କର ।’

 

ଏହିପରି ଭାବରେ ମହେନ୍ଦ୍ର ଆପଣାକୁ ଆଶା ଅଭିମୁଖରେ ସବେଗ ତାଡ଼ନା କରିବା ପାଇଁ ଅନେକ ରାତିଯାଏ ବସି ଅନେକ କଥା ଲେଖିଲା । ଦୂର, ସୁଦୂରର ଅନେକଗୁଡ଼ିଏ ଗୀର୍ଜାରେ ଢଙ୍ଗ୍ ଢଙ୍ଗ୍ କରି ତିନିଟା ବାଜିଲା । କଲିକତା’ର ରାସ୍ତାରେ ଗାଡ଼ିର ଶବ୍ଦ ବନ୍ଦ ହୋଇଗଲାଣି, ପଡ଼ାର ଅପରପ୍ରାନ୍ତରେ କେଉଁ ଦୋତାଲା ଘରେ ନଟୀକଣ୍ଠରୁ ବେହାଗରାଗିଣୀର କେଉଁ ଗୀତ ଶୁଣାଯାଉଥିଲା, ତାହା ମଧ୍ୟ ବିଶ୍ୱବ୍ୟାପୀନୀ ଶାନ୍ତି ଓ ନିଦ୍ରାଭିତରେ ବୁଡ଼ିଗଲାଣି । ମହେନ୍ଦ୍ର ଏକାନ୍ତ ଆଶାକୁ ସ୍ମରଣ କରି ଏବଂ ମନର ଉଦ୍‍ବେଗକୁ ଦୀର୍ଘପତ୍ରରେ ନାନାଭାବରେ ବ୍ୟକ୍ତ କରି ଅନେକ ସାନ୍ୱନା ପାଇଲା ଏବଂ ବିଛଣାରେ ଶୋଇବା ସଂଗେ ସଂଗେ ନିଦ ହେବାକୁ ବିଳମ୍ୱ ହେଲା ନାହିଁ ।

 

ସକାଳେ ଯେତେବେଳେ ମହେନ୍ଦ୍ରର ନିଦ ଭାଙ୍ଗିଲା, ସେତେବେଳକୁ ବେଳ ଅନେକ ହୋଇଗଲାଣି, ଘରଭିତରେ ଖରା ଚଢ଼ିଲାଣି । ମହେନ୍ଦ୍ର ତରତର ହୋଇ ଉଠିବସିଲା, ନିଦପରେ ଗତରାତ୍ରିର ସମସ୍ତ ବିଷୟ ମନଭିତରେ ହାଲୁକା ହୋଇ ଯାଇଥାଏ । ବିଛଣାରୁ ଉଠିଆସି ମହେନ୍ଦ୍ର ଦେଖିଲା, ଗତ ରାତିରେ ସେ ଆଶା ପାଖକୁ ଯେଉଁ ଚିଠି ଲେଖିଥିଲା, ତାହା ତିପାଇଉପରେ ଦୁଆତତଳେ ଥୁଆ ହୋଇଚି । ଚିଠିଖଣ୍ଡିକ ପୁଣି ଥରେ ପଢ଼ି ମହେନ୍ଦ୍ର ଭାବିଲା, ‘ମୁଁ କ’ଣଗୁଡ଼ାଏ ଲେଖି: ଇଏ ତ ପୂରାପୂରି ନଭେଲି ଷ୍ଟାଇଲ୍ । ଭାଗ୍ୟକୁ ପଠାଇ ନାହିଁ । ଆଶା ପଢ଼ିଥିଲେ କ’ଣ ମନେକରିଥାନ୍ତା । ସେ ତ ଅଧେ କଥା ମଧ୍ୟ ବୁଝିପାରି ନ ଥାନ୍ତା ।’ ରାତିରେ ସାମାନ୍ୟ କାରଣବଶତଃ ଅତି ଅସଙ୍ଗତ ଭାବରେ ହୃଦୟାବେଗ ବଢ଼ିଯାଇଥିବାରୁ ମହେନ୍ଦ୍ର ଲଜ୍ଜିତ ହେଲା । ଚଠିଖଣ୍ଡି ଟିକିଟିକି ଚିରିପକାଇଲା, ସହଜ ଭାଷାରେ ଆଶା ପାଖକୁ ଖଣ୍ଡିଏ ସଂକ୍ଷିପ୍ତ ଚିଠି ଲେଖିଲା, ‘ତୁମେ ଆଉ କେତେଦିନ ଡେରି କରିବ ? ଯଦି ତୁମ ବଡ଼ବାପାଙ୍କର ଶୀଘ୍ର ଫେରିବାର ନ ଥାଏ, ତେବେ ମୋ’ ପାଖକୁ ଲେଖିଲେ ମୁଁ ଯାଇ ନେଇ ଆସିବି । ଏଠାରେ ମୋତେ ଏକୁଟିଆ ଭଲ ଲାଗୁନାହିଁ ।’

 

(୨୫)

 

ମହେନ୍ଦ୍ର ଯିବାର କିଛିଦିନପରେ ଯେତେବେଳେ ଆଶା କାଶୀ ଆସିଲା, ସେତେବେଳେ ଅନ୍ନପୂର୍ଣ୍ଣା ମନରେ ନାନାପ୍ରକାର ଆଶଙ୍କା କଲେ ।

 

ସେ ଆଶାକୁ ନାନାଭାବରେ ନାନ ପ୍ରଶ୍ନ କରିବାକୁ ଲାଗିଲେ । ‘‘ହଇଲୋ ଚୁନି, ତା’ର ଯେଉଁ ‘ଅସହୀ’ କଥା ତୁ କହୁଥିଲୁ ? ତା’ ମତରେ କ’ଣ ତୋ’ ପରି ଗୁଣବତୀ ଆଉ ଦୁନିଆରେ କେହି ନାହାନ୍ତି ?’

 

‘‘ସତରେ ମାଉସୀ ମୁଁ ବଢ଼ାଇ କରି ମୋଟେ କହୁନାହିଁ । ତା’ର ଯେପରି ବୁଦ୍ଧି, ସେହିପରି ରୂପ, କାମଦାମରେ ମଧ୍ୟ ସେହିପରି ସଗୁଣା ଆଉ ଚଞ୍ଚଳ ।’

 

‘‘ତୋର ସଖୀ, ତାକୁ ତ ତୁ ଅବଶ୍ୟ ସର୍ବ ଗୁଣବତୀ ବୋଲି କହିବୁ, କିନ୍ତୁ ଘରେ ଆଉ ସମସ୍ତେ କ’ଣ କହନ୍ତି ?’

 

‘‘ମାଆ ତ ତା’ର ପ୍ରଶଂସାରେ ପଞ୍ଚମୁଖ । ସେ ଗାଆଁକୁ ଯିବା କଥା କହିଲେ ମାଆ ଅସ୍ଥିର ହୋଇଉଠନ୍ତି । ତା’ପରି କେହି ସେବା କରି ଜାଣିନାହାନ୍ତି । ଘରର ଚାକରବାକରଙ୍କର ଦେହ ଖରାପ ହେଲେ ମଧ୍ୟ ସେ ଭଉଣୀପରି ମାଆପରି ଯତ୍ନ କରେ ।’

 

‘‘ମହେନ୍ଦ୍ରର ମତ କ’ଣ ?’

 

‘‘ତାଙ୍କ କଥା ତ ଜାଣ ମାଉସୀ । ନିତାନ୍ତ ଘରଲୋକ ଛଡ଼ା ଆଉ କାହାକୁ ତାଙ୍କର ପସନ୍ଦ ହୁଏ ନାହିଁ । ମୋ’ ସଖୀକୁ ସମସ୍ତେ ଭଲ ପାଆନ୍ତି, କିନ୍ତୁ ତାଙ୍କର ଆଜିଯାଏ ତା’ ସହିତ ଭଲ ପଡ଼ିଲା ନାହିଁ ।’

 

‘‘କେମିତି ?’

 

‘‘ଯଦିବା ମୁଁ ଅନେକ କଷ୍ଟ କରି ଦେଖାସାକ୍ଷାତ୍‍ କରାଇଦେଲି, ତେବେ ବି ତାଙ୍କର ତା’ସହିତ ପ୍ରାୟ କଥାବାର୍ତ୍ତା ନ ଥାଏ । ତୁମେ ତ ଜାଣିଛ, ସେ ଅଳସୁଆ ପ୍ରକୃତିର ମଣିଷ । ଲୋକେ ଭାବନ୍ତି, ସେ ଅହଂକାରୀ, କିନ୍ତୁ ତା’ ନୁହେଁ ମାଉସୀ, ଦି’ଜଣଙ୍କୁ ଛାଡ଼ିଦେଲେ ସେ ଆଉ କାହାକୁ ସହ୍ୟ କରିପାରନ୍ତି ନାହିଁ ।’

 

ଶେଷ କଥାଟା କହିସାରି ହଠାତ୍ ଆଶା ଲଜ୍ଜାବୋଧ କଲା । ଗାଲ ଦୁଇଟା ଲାଲ ହୋଇଉଠିଲା । ଅନ୍ନପୂର୍ଣ୍ଣା ଖୁସି ମନେ ମନେ ହସିଲେ–କହିଲେ, ‘‘ସତକଥା, ଯେତେବେଳେ ମହେନ୍ଦ୍ର ଏଠାକୁ ଆସିଥିଲା, ତୋର ସଖୀକଥା ଥରେ ସୁଦ୍ଧା ମୁହଁରେ ଧରିନାହିଁ ।

 

ଆଶା ଦୁଃଖିତ ହୋଇ କହିଲା–

 

‘‘ଇଏ ହେଉଚି ତାଙ୍କର ଦୋଷ । ଯାହାକୁ ଭଲ ନ ପାଆନ୍ତି, ଯେପରି ସେ ଏ ଦୁନିଆରେ ନାହିଁ । ତାକୁ ଯେପରି କେବେ ଦେଖି ନାହାନ୍ତି, ଜାଣି ନାହାନ୍ତି, ଏମିତି ତାଙ୍କ ଢଙ୍ଗ ।

 

ଶାନ୍ତ ସ୍ନିଗ୍‍ଧ ହାସ୍ୟରେ ଅନ୍ନପୂର୍ଣ୍ଣା କହିଲେ, ‘‘ପୁଣି ଯାହାକୁ ଭଲପାଏ, ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ସେ କେବେଳ ତାହାକୁ ଦେଖେ ଏବଂ ଜାଣେ । ଏ ଢଙ୍ଗ ବି ତା’ର ରହିଚି, ନା କ’ଣ ଚୁନି-?’

 

କୌଣସି ଉତ୍ତର ନ ଦେଇ ଆଶା ତଳକୁ ଆଖିକରି ରହିଲା । ଅନ୍ନପୂର୍ଣ୍ଣା ପଚାରିଲେ, ‘‘ଚୁନି, ବିହାରୀର ଖବର କଅଣ କହିଲୁ । ସେ କ’ଣ ବିବାହ କରିବ ନାହିଁ ?’

 

ମୁହୂର୍ତ୍ତକ ମଧ୍ୟରେ ଆଶା ମୁହଁ ଗମ୍ଭୀର ହୋଇଗଲା । କ’ଣ ଉତ୍ତର ଦେବ, ସେ ଭାବିପାରିଲା ନାହିଁ ।

 

ଆଶାକୁ ନିରୂତ୍ତର ଦେଖି ଅତ୍ୟନ୍ତ ଭୀତଭାବରେ ଅନ୍ନପୂର୍ଣ୍ଣା କହିଲେ, ‘‘ସତ କହ ଚୁନି, ବିହାରୀ ଭଲ ଅଛି ତ ?’

 

ବିହାରୀ ଏହି ଚିରପୁତ୍ରହୀନା ରମଣୀର ସ୍ନେହ–ସିଂହାସନରେ ପୁତ୍ରର ମାନସ ଆଦର୍ଶରୂପେ ବିରାଜମାନ କରୁଥିଲା । ବିହାରୀକୁ ସେ ସଂସାରରେ ପ୍ରତିଷ୍ଠିତ ଦେଖି ଆସିପାରି ନାହାନ୍ତି, ପ୍ରବାସରେ ମଧ୍ୟ ଏହି ଦୁଃଖ ତାଙ୍କର ମନକୁ ଅଧିକାର କରି ରହିଥିଲା । ତାଙ୍କର କ୍ଷୁଦ୍ର ସଂସାରର ସବୁକଥା ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଚି, କେବଳ ବିହାରୀ ସେହି ଗୃହହୀନ ଅବସ୍ଥା ସ୍ମରଣ କରି ତାଙ୍କର ପରିପୂର୍ଣ୍ଣ ବୈରାଗ୍ୟଚର୍ଚ୍ଚାରେ ବ୍ୟାଘାତ ଘଟେ ।

 

ଆଶା କହିଲା, ‘‘ମାଉସୀ, ବିହାରୀବାବୁଙ୍କର କଥା ମୋତେ ପଚାରିବ ନାହିଁ ।’

 

ଅନ୍ନପୂର୍ଣ୍ଣା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘କାହିଁକି କହିଲୁ ?’

 

‘‘ମୁଁ ସେ କଥା କହିପାରିବି ନାହିଁ । କହି ଆଶା ସେ ଘରୁ ଉଠି ଚାଲିଗଲା ।

 

ଅନ୍ନପୂର୍ଣ୍ଣା ଚୁପ୍ ହୋଇ ବସି ଭାବିବାକୁ ଲାଗିଲେ–‘‘କି ସୁନ୍ଦର ପିଲା ବିହାରୀ, ୟା’ ଭିତରେ କ’ଣ ସେ ଏତେ ବଦଳି ଗଲାଣି ଯେ ଆଜି ଚୁନି ତା’ର ନାଆଁ ଶୁଣି ଉଠି ଚାଲିଗଲା ଅଦୃଷ୍ଟର ଖେଳ । କାହିଁକି ତା’ ସହିତ ଚୁନିର ବିବାହକଥା ପଡ଼ିଥିଲା, କାହିଁକି ବା ମହେନ୍ଦ୍ର ତା’ ହାତରୁ ଚୁନିକୁ ଛଡ଼ାଇନେଲା ?’

 

ଅନେକ ଦିନପରେ ପୁଣି ଆଜି ଅନ୍ନପୂର୍ଣ୍ଣାଙ୍କ ଆଖିରୁ ଲୁହ ବହିବାକୁ ଲାଗିଲା । ସେ ମନେ ମନେ କହିଲେ, ‘‘ଆହା, ମୋର ବିହାରୀ ଯଦି ଆପଣାର ଅଯୋଗ୍ୟ ଏପରି କିଛି କରିଥାଏ, ତେବେ ନିଶ୍ଚୟ ଅନେକ ଦୁଃଖ ପାଇ ସେ ତାହା କରିଚି, ସହଜରେ କରିବ ନାହିଁ ।’ ବିହାରୀର ସେହି ଦୁଃଖର ପରିଣାମ କଳ୍ପନା କରି ଅନ୍ନପୂର୍ଣ୍ଣାଙ୍କ ବକ୍ଷ ବ୍ୟଥିତ ହେବାକୁ ଲାଗିଲା ।

 

ସନ୍ଧ୍ୟାବେଳେ ଅନ୍ନପୂର୍ଣ୍ଣା ପୂଜା କରୁଥିବା ସମୟରେ ଗୋଟିଏ ଗାଡ଼ି ଆସି ଦାଣ୍ଡରେ ଠିଆହେଲା ଏବଂ ସହିସ କବାଟରେ ଆଘାତ କରିବାକୁ ଲାଗିଲା । ଅନ୍ନପୂର୍ଣ୍ଣା ପୂଜାଗୃହରୁ କହିଲେ, ‘‘ଆରେ, ମୁଁ ତ ଏକଦମ ଭୁଲିଯାଇଥିଲି, ଆଜି କୁଞ୍ଜର ଶାଶୁ ଓ ତା’ର ଦି’ ଝିଆରୀଙ୍କର ଏହ୍ଲାବାଦରୁ ଆସିବା କଥା ଥିଲା । ବୋଧହୁଏ ସେଇମାନେ ଆସିଲେ । ଚୁନି, ତୁ ଆଲୁଅଟା ନେଇ ଯାଆ, କବାଟଟା ଖୋଲିଦେବୁ ।’

 

ଆଶା ହାତରେ ଲଣ୍ଠନ ନେଇ କବାଟ ଖୋଲି ଦେଖିଲା, ବିହାରୀ ଠିଆ ହୋଇଚି । ବିହାରୀ କହିଉଠିଲା ‘‘ଆରେ ନୂଆବୋଉ ଯେ ! ମୁଁ କ’ଣ ଶୁଣିଲି ତୁମେ କାଶୀ ଆସିବ ନାହିଁ ।’

 

ଆଶା ହାତରୁ ଲଣ୍ଠନ ତଳେ ପଡ଼ିଗଲା । ସେ ସତେ ଯେପରି ପ୍ରତିମୂର୍ତ୍ତି ଦେଖି ଏକା ନିଃଶ୍ୱାସରେ ଦୋତାଲାକୁ ଦଉଡ଼ି ଯାଇ ଆର୍ତ୍ତସ୍ୱରରେ କହିଲା, ‘‘ମାଉସୀ ତୁମ ଗୋଡ଼ତଳେ ପଡ଼ୁଚି, ତାଙ୍କୁ ସଂଗେ ସଂଗେ ଚାଲିଯିବାକୁ କହ ।’

 

ପୂଜାଆସନରୁ ଚମକିପଡ଼ି ଅନ୍ନପୂର୍ଣ୍ଣା କହିଲେ,‘‘କାହାକୁ ଚୁନି, କାହାକୁ ?’

 

ଆଶା କହିଲା, ‘‘ବିହାରୀବାବୁ ବି ଏଠାକୁ ଆସିଚନ୍ତି’ କହି ସେପାଖ ଘରେ ପଶି କବାଟ ବନ୍ଦ କଲା ।

 

ବିହାରୀବାବୁ ସବୁକଥା ଶୁଣିପାରିଲା, ସେ ସଂଗେ ସଂଗେ ଦଉଡ଼ି ପଳାଇବାକୁ ଉଦ୍ୟତ ହେଲା । କିନ୍ତୁ ଅନ୍ନପୂର୍ଣ୍ଣା ପୂଜା ଛାଡ଼ି ତଳକୁ ଆସି ଦେଖିଲେ, ବିହାରୀ କବାଟପାଖରେ ମାଟିରେ ବସିପଡ଼ିଛି, ଯେପରି ତା’ର ଦେହରୁ ସବୁ ଶକ୍ତି କୁଆଡ଼େ ଚାଲିଯାଇଚି ।

 

ଅନ୍ନପୂର୍ଣ୍ଣା ସାଙ୍ଗରେ ଆଲୁଅ ଆଣି ନ ଥିଲେ । ଅନ୍ଧାରରେ ସେ ବିହାରୀର ମୁହଁ ଦେଖିପାରିଲେ ନାହିଁ, ବିହାରୀ ମଧ୍ୟ ତାଙ୍କୁ ଦେଖି ପାରିଲା ନାହିଁ ।

 

ଅନ୍ନପୂର୍ଣ୍ଣା ଡାକିଲେ,‘‘ବିହାରୀ !’

 

ହାୟ, ଚିରଦିନର ସେହି ସ୍ନେହସୁଧାସିକ୍ତ କଣ୍ଠସ୍ୱର କାହିଁ ? ଏହି ସ୍ୱର ମଧ୍ୟରେ ଯେ କଠିନ ବିଚାରର ବଜ୍ରଧ୍ୱନି ପ୍ରଚ୍ଛନ୍ନ ହୋଇରହିଛି । ଜନନୀ ଅନ୍ନପୂର୍ଣ୍ଣା ଏହି ସଂହାର ଖଡ୍ଗକୁ ଆଜି ତୁମେ କାହା ଉପରକୁ ଉଠାଇଲ ? ଭାଗ୍ୟହୀନ ବିହାରୀ ଯେ ଆଜି ତୁମର ମଙ୍ଗଳଚରଣାଶ୍ରୟରେ ମୁଣ୍ଡ ଗୁଞ୍ଜିବାକୁ ଆସିଥିଲା ।

 

ବିହାରୀର ଅବଶ ଶରୀର ଆପାଦମସ୍ତକ ବିଦ୍ୟୁତ୍‍ ଆଘାତରେ ଚକିତ ହୋଇଉଠିଲା । ସେ କହିଲା,‘‘ଖୁଡ଼ୀ, ଆଉ କିଛି ନୁହେଁ, ଗୋଟିଏ ସୁଦ୍ଧା କଥା କହନା, ମୁଁ ଚାଲିଯାଉଚି ।’ କହି ବିହାରୀ ମାଟିରେ ମୁଣ୍ଡ ଲଗାଇ ପ୍ରଣାମ କଲା, ଅନ୍ନପୂର୍ଣ୍ଣାଙ୍କର ପାଦ ସ୍ପର୍ଶ କଲା ନାହିଁ । ଜନନୀ ଯେପରି ଗଙ୍ଗାସାଗରରେ ସନ୍ତାନ ବିସର୍ଜନ କରି ଆସେ, ସେହିପରି ଅନ୍ନପୂର୍ଣ୍ଣା ବିହାରୀକୁ ସେହି ରାତିର ଅନ୍ଧାରଭିତରେ ନୀରବରେ ବିସର୍ଜନ କଲେ, ଆଉ ପଛରୁ ଡାକିଲେ ନାହିଁ । ଦେଖୁ ଦେଖୁ ବିହାରୀକୁ ନେଇ ଗାଡ଼ି ଅଦୃଶ୍ୟ ହୋଇଗଲା ।

 

ସେହିଦିନ ରାତିରେ ଆଶା ମହେନ୍ଦ୍ର ପାଖକୁ ଚିଠି ଲେଖିଲା, ‘‘ଆଜି ସନ୍ଧ୍ୟାବେଳେ ହଠାତ୍ ବିହାରୀବାବୁ ଏଠାକୁ ଆସିଥିଲେ । ବଡ଼ବାପା କେବେ କଲିକତା ଫେରିବେ, ଠିକ୍ ନାହିଁ । ତୁମେ ଶୀଘ୍ର ଆସି ମୋତେ ଏଠାରୁ ନେଇଯାଅ ।’

 

(୨୬)

 

ସେ ଦିନର ରାତ୍ରି ଜାଗରଣ ଓ ପ୍ରବଳ ଆବେଗପରେ ସକାଳେ ମହେନ୍ଦ୍ରର ଦେହମନ ଅବସାଦରେ ଭାଙ୍ଗିପଡ଼ୁଥିଲା । ସେତେବେଳେ ଫାଲ୍‍ଗୁନର ଅଧାଅଧି, ଗରମ ପଡ଼ିବା ଆରମ୍ଭ ହୋଇଛି । ଅନ୍ୟଦିନ ସକାଳେ ମହେନ୍ଦ୍ର ତା’ ଶୟନଗୃହର କୋଣରେ ଥିବା ଟେବୁଲରେ ବହି ନେଇ ବସେ, ଆଜି ତଳବିଛଣାରେ ତକିଆ ଉପରକୁ ଆଉଜି ବସି ପଡ଼ିଲା । ବେଳ ଗଡ଼ିଗଲା, ସେ ଗାଧୋଇବାକୁ ଗଲା ନାହିଁ । ରାସ୍ତାରେ ଫେରିବାଲା ଡାକି ଡାକି ଯାଉଚି । ଗାଡ଼ି ଶବ୍ଦର ବିରାମ ନାହିଁ । ପ୍ରତିବେଶୀର ନୂଆ ଘର ତିଆରି ହେଉଚି । ମିସ୍ତ୍ରୀକନ୍ୟାମାନେ ଛାତ ବାଡ଼େଇବା ସହିତ ତାଳ ରଖି ସମସ୍ୱରରେ ଗୀତ ବୋଲୁଛନ୍ତି । ଈଷତ୍ ତପ୍ତ ଦକ୍ଷିଣାପବନରେ ମହେନ୍ଦ୍ରର ପୀଡ଼ିତ ସ୍ନାୟୁଜାଲ ଶିଥିଳ ହୋଇଆସୁଚି । ଆଜିର ଏହି ଅଳସ ବସନ୍ତ ଦିନରେ କୌଣସି କଠିନପଣ ଦୁରୂହ ଚେଷ୍ଟା ବା ମାନସ ସଂଗ୍ରାମ ଆଦୌ ଉପଯୁକ୍ତ ନୁହେଁ ।

 

‘ମହେନ୍ଦ୍ର, ତୁମର ଆଜି ହେଲା କ’ଣ ? ଗାଧୋଇବ ନାହିଁ ? ତେଣେ ରନ୍ଧାବଢ଼ା ସରିଲାଣି ଯେ ! ଇଏ କ’ଣ, ଶୋଇରହିଚ ଯେ ! ଦେହ ଖରାପ ଲାଗୁଚି ? ମୁଣ୍ଡ ବିନ୍ଧୁଚି ?

 

କହି ବିନୋଦିନୀ ପାଖକୁ ଆସି ମହେନ୍ଦ୍ରର କପାଳରେ ହାତ ଦେଲା ।

 

ଦରବୁଜା ଆଖିରେ ମହେନ୍ଦ୍ର ଜଡ଼ିତ କଣ୍ଠରେ ଉତ୍ତର ଦେଲା, ‘ଆଜି ଦେହଟା ବିଶେଷ ଭଲ ଲାଗୁନାହିଁ । ଆଜି ମୁଁ ଗାଧୋଇବି ନାହିଁ ।’

 

ବିନୋଦିନୀ କହିଲା, ‘ନ ଗାଧୋଇବା ତ ଦୁଇଟା ଖାଇଦିଅ ।’ –ବହୁତ ଖୋସାମତ କରି ସେ ମହେନ୍ଦ୍ରକୁ ଭୋଜନ ସ୍ଥାନକୁ ନେଇଗଲା ଏବଂ ଉତ୍କଣ୍ଠିତ ଯତ୍ନସହିତ ଅନୁରୋଧ କରି ଆହାର କରାଗଲା । ଆହାର ପରେ ମହେନ୍ଦ୍ର ପୁଣି ତଳ ବିଛଣାରେ ଆସି ଶୋଇବାରୁ ବିନୋଦିନୀ ତା’ର ମୁଣ୍ଡ ଉପରେ ବସି ଧୀରେ ଧୀରେ ମୁଣ୍ଡ ଚିପି ଦେବାକୁ ଲାଗିଲା । ମହେନ୍ଦ୍ର ନିମୀଳିତ ଚକ୍ଷୁରେ କହିଲା, ‘ଏପର୍ଯ୍ୟନ୍ତ ତୁମେ ଖାଇନା, ଖାଇବାକୁ ଯାଅ ।’

 

ବିନୋଦିନୀ ଆଦୌ ଗଲା ନାହିଁ । ଅଳସ-ମଧ୍ୟାହ୍ନର ଉତ୍ତପ୍ତ ପବନରେ ଘରର ପର୍ଦ୍ଦା ଉଡ଼ିବାକୁ ଲାଗିଲା ଏବଂ ପାଚେରୀ ପାଖରେ ଥିବ କମ୍ପମାନ ନଡ଼ିଆ ଗଛର ଅର୍ଥହୀନ ମର୍ମର ଶବ୍ଦ ଘରମଧ୍ୟରେ ପ୍ରବେଶ କରୁଥିଲା । ମହେନ୍ଦ୍ରର ହୃତପିଣ୍ଡ କ୍ରମଶଃ ଦ୍ରୁତତର ତାଳରେ ନାଚିବାକୁ ଲାଗିଲା ଏବଂ ବିନୋଦିନୀର ଘନନିଃଶ୍ୱାସ ସେଇ ତାଳରେ ମହେନ୍ଦ୍ରର କପାଳର ବାଳଗୁଡ଼ିକୁ ନଚାଇବାକୁ ଲାଗିଲା । କାହାରି କଣ୍ଠରୁ ପଦେହେଲେ କଥା ବାହାରିଲା ନାହିଁ । ମହେନ୍ଦ୍ର ମନେ ମନେ ଭାବିଲା, ‘ଅସୀମ ବିଶ୍ୱ ସଂସାରର ଅନନ୍ତ ପ୍ରବାହରେ ଯିଏ ଭାସିଭାସି ଯାଉଛି, ତା’ ର ତରଣୀ କ୍ଷଣକାଳ ପାଇଁ କେତେବେଳେ କେଉଁଠି ଅଟକିଯାଏ, ସେଥିରେ କାହାର କ’ଣ ଯାଏ ଆସେ ଏବଂ କେତେଦିନ ପାଇଁ ବା ଯାଏ ଆସେ ?’

 

ମୁଣ୍ଡପାଖରେ ବସି କପାଳରେ ହାତ ବୁଲାଉ ବୁଲାଉ ବିହ୍ୱଳ ଯୌବନରେ ଗୁରୁଭାବରେ ବିନୋଦିନୀର ମୁଣ୍ଡ ଧୀରେ ଧୀରେ ନଇଁ ଆସୁଥିଲା, ଅବଶେଷରେ ତା’ର କେଶାଗ୍ରଭାବ ମହେନ୍ଦ୍ର କପାଳ ସ୍ପର୍ଶ କଲା । ପବନରେ ଆନ୍ଦେଳିତ ସେହି କେଶଗୁଚ୍ଛର କମ୍ପିତ ମୃଦୁ ସ୍ପର୍ଶରେ ତା’ର ଦେହସାରା ବାରମ୍ୱାର କମ୍ପିଉଠିଲା । ହଠାତ୍ ଯେପରି ଛାତି ଭିତରେ ନିଃଶ୍ୱାସ ଅବରୁଦ୍ଧ ହୋଇ ବାହାରିବାର ବାଟ ପାଇଲା ନାହିଁ । ଧଡ଼ଧଡ଼ ହୋଇ ଉଠିବସି ମହେନ୍ଦ୍ର କହିଲା,‘ନା–ମୋର କଲେଜ ଅଛି , ମୁଁ ଯାଏ ।’ –କହି ବିନୋଦିନୀ ଆଡ଼କୁ ନ ଚାହିଁ ଉଠିଗଲା ।

 

ବିନୋଦିନୀ କହିଲା, ‘ବ୍ୟସ୍ତ ହୁଅନା, ମୁଁ ତୁମର ଲୁଗା ଆଣି ଦେଇଛି ।’-କହି ମହେନ୍ଦ୍ରର କଲେଜ ପୋଷାକ ବାହାର କରି ଆଣିଲା ।

 

ତରତର ହୋଇ ମହେନ୍ଦ୍ର କଲେଜକୁ ଚାଲିଗଲା, କିନ୍ତୁ ସେଠାରେ ମଧ୍ୟ ସ୍ଥିର ହୋଇପାରିଲା ନାହିଁ । ପଢ଼ାରେ ମନଦେବାକୁ ଅନେକ ସମୟ ବୃଥା ଚେଷ୍ଟା କରି ଶୀଘ୍ର ଶୀଘ୍ର ଘରକୁ ଫେରିଲା ।

 

ଘରେ ପ୍ରବେଶ କରି ଦେଖିଲା ବିନୋଦିନୀ ଛାତିତଳେ ତକିଆ ଦେଇ ତଳ ବିଛଣାରେ ଶୋଇ କ’ଣ ଗୋଟାଏ ବହି ପଡ଼ୁଚି–ରାଶି ରାଶି କଳାକେଶ ପିଠି ଉପରେ ଖେଳାଇ ହୋଇ ପଡ଼ିଚି-। ବୋଧହୁଏ ସେ ମହେନ୍ଦ୍ରର ଜୋତାଶବ୍ଦ ଶୁଣି ପାରିନାହିଁ । ମହେନ୍ଦ୍ର ଆସ୍ତେ ଆସ୍ତେ ପାଦ ଚିପି ଚିପି ପାଖରେ ଠିଆହେଲା । ଶୁଣିପାରିଲା–ପଢ଼ୁ ପଢ଼ୁ ବିନୋଦିନୀ ଗୋଟିଏ ଗଭୀର ଦୀର୍ଘନିଃଶ୍ୱାସ ପକାଇଲା ।

 

ମହେନ୍ଦ୍ର କହିଲା, ‘‘ଆଗୋ କରୁଣାମୟୀ, କାଳ୍ପନିକ ଲୋକ ପାଇଁ ହୃଦୟର ବାଜେ ଖର୍ଚ୍ଚ କର ନାହିଁ । କ’ଣ ପଢ଼ାହେଉଚି ଦେଖେଁ !’

 

ବିନୋଦିନୀ ତ୍ରସ୍ତ ହୋଇ ଉଠିବସି ବହିଟିକୁ ଶୀଘ୍ର ଲୁଗାଭିତରେ ଲୁଚାଇ ଦେଲା । ମହେନ୍ଦ୍ର ଛଡ଼ାଇ ନେବାକୁ ଚେଷ୍ଟା କଲା । ଅନେକ ସମୟ ଛଡ଼ାଛଡ଼ି ପରେ ପରାଭୂତ ବିନୋଦିନୀର ଅଞ୍ଚଳରୁ ମହେନ୍ଦ୍ର ବହିଟି ନେଇ ଦେଖିଲା–‘ବିଷବୃକ୍ଷ’ । ବିନୋଦିନୀ ଘନଘନ ନିଃଶ୍ୱାସ ପକାଇ ରାଗରେ ମୁହଁ ବୁଲାଇ ଚୁପ୍‍ହୋଇ ବସିରହିଲା ।

 

ମହେନ୍ଦ୍ର ବକ୍ଷସ୍ଥଳ ଆନ୍ଦୋଳିତ ହେଉଥିଲା । ଅନେକ ଚେଷ୍ଟାକରି ସେ ହସି କହିଲା, ‘ଛି, ଛି, ଭାରୀ ଫାଙ୍କିଦେଲ । ମୁଁ ଭାବିଥିଲି ଖୁବ୍ ଗୋପନୀୟ କିଛି ହୋଇଥିବ । ଏତେ ଛଡ଼ାଛଡ଼ି କରି ଶେଷରେ ବାହାରିଲା ‘ବିଷବୃକ୍ଷ’ ।

 

ବିନୋଦିନୀ କହିଲା, ‘ମୋର ପୁଣି ଗୋପନୀୟ ଥାଇପାରେ, ଶୁଣେ ।’

 

ମହେନ୍ଦ୍ର ମୁହଁରୁ ବାହାରିଗଲା, ‘ମନେକର, ଯଦି ବିହାରୀ ପାଖରୁ କୌଣସି ଚିଠି ଆସିଥାନ୍ତା ।’

 

ନିମେଷକ ମଧ୍ୟରେ ବିନୋଦିନୀର ଆଖିରୁ ବିଦ୍ୟୁତ୍ ସ୍ଫୁରିତ ହେଲା । ଘରକୋଣରେ ଏପର୍ଯ୍ୟନ୍ତ ଫୁଲଶର ପ୍ରତୀକ୍ଷା କରୁଥିଲା, ଯେପରି ତାହା ଦ୍ୱିତୀୟ ଥରପାଇଁ ଭସ୍ମସାତ୍ ହୋଇଗଲା । ମୁହୂର୍ତ୍ତକ ମଧ୍ୟରେ ପ୍ରଜ୍ଜ୍ୱଳିତ ଅଗ୍ନିଶିଖାପରି ବିନୋଦିନୀ ଉଠି ଠିଆହେଲା । ମହେନ୍ଦ୍ର ତାହାର ହାତ ଧରି କହିଲା, ‘କ୍ଷମା କରିବ’ ।

 

ବିନୋଦିନୀ ସବେଗରେ ହାତ ଛଡ଼ାଇ କହିଲା, ‘ପରିହାସ କରୁଚ କାହାକୁ ? ଯଦି ତାଙ୍କ ସହିତ ବନ୍ଧୁତା କରିବାର ଉପଯୁକ୍ତ ହୋଇଥାନ୍ତି, ତେବେ ତାଙ୍କୁ ପରିହାସ କଲେ ସହ୍ୟ କରିଥାନ୍ତି । ତୁମର ମନ ଅତି ଛୋଟ ,ବନ୍ଧୁତା କରିବାର ଶକ୍ତି ନାହିଁ, ଅଥଚ ଥଟ୍ଟା କରିବା ବେଶ୍ ଜାଣିଚ ।

 

ବିନୋଦିନୀ ଯିବାକୁ ଉଦ୍ୟତ ହେବାରୁ ମହେନ୍ଦ୍ର ତା’ର ପାଦକୁ ଦୁଇ ହାତରେ ବେଷ୍ଟନ କରି ବାଧା ଦେଲା ।

 

ଏହି ସମୟରେ ସମ୍ମୁଖରେ କାହାର ଛାୟା ପଡ଼ିଲା । ବିନୋଦିନୀର ପାଗ ଛାଡ଼ିଦେଇ ମହେନ୍ଦ୍ର ଚମକି ଅନାଇ ଦେଖିଲା, ବିହାରୀ । ବିହାରୀ ସ୍ଥିରଦୃଷ୍ଟିପାତରେ ଉଭୟଙ୍କୁ ଦଗ୍‍ଧ କରି ଶାନ୍ତ ଓ ଧୀର ସ୍ୱରରେ କହିଲା, ‘ଅତି ଅସମୟରେ ଆସି ଉପସ୍ଥିତ ହୋଇଗଲି, କିନ୍ତୁ ବେଶୀ ସମୟ ରହିବି ନାହିଁ । କେବଳ ଗୋଟାଏ କଥା କହିବାକୁ ଆସିଥିଲି । ମୁଁ କାଶୀ ଯାଇଥିଲି, ଜାଣି ନ ଥିଲି ଯେ ନୂଆବୋଉ ସେଠାରେ ଅଛନ୍ତି । ନ ଜାଣି ତାଙ୍କ ପାଖରେ ଅପରାଧୀ ହୋଇଚି । ତାଙ୍କଠାରୁ କ୍ଷମା ମାଗିନେବାକୁ ଅବସର ନାହିଁ, ତେଣୁ ତୁଣ ପାଖରେ କ୍ଷମା ମାଗିବାକୁ ଆସିଚି । ମୋର ମନରେ, ଜ୍ଞାନରେ ବା ଅଜ୍ଞାନରେ ଯଦି କେତେବେଳେ କୌଣସି ପାପ ସ୍ପର୍ଶ କରିଥାଏ, ସେଥିପାଇଁ ଯେପରି ତାଙ୍କୁ କେବେ କୌଣସି ଦୁଃଖ ସହ୍ୟ କରିବାକୁ ନ ପଡ଼ୁ, ତୁମ ପାଖରେ ଏତିକି ପ୍ରାର୍ଥନା ।’

 

ବିହାରୀ ପାଖରେ ହଠାତ୍ ଦୁର୍ବଳତା ପ୍ରକାଶିତ ହୋଇପଡ଼ିଥିବାରୁ ମହେନ୍ଦ୍ର ମନ ରାଗରେ ଜଳିଉଠିଲା । ବର୍ତ୍ତମାନ ତା’ର ଔଦାର୍ଯ୍ୟର ସମୟ ନୁହେଁ । ସେ ଟିକିଏ ହସି କହିଲା, ‘ଠାକୁରଘରେ କଦଳୀ ଖାଇବାର ଯେଉଁ ଗଳ୍ପ ଅଛି, ତୋ’ କଥାଟି ଠିକ୍ ସେହିପରି । ତୋତେ କେହି ଦୋଷ ସ୍ୱୀକାର କରିବାକୁ କହିନାହିଁ କି ଅସ୍ୱୀକାର କରିବାକୁ ମଧ୍ୟ କହିନାହିଁ । ତେବେ କ୍ଷମା ମାଗି ସାଧୁ ହେବାକୁ କାହିଁକି ଆସିଚୁ ?’

 

ବିହାରୀ କାଠପିତୁଳା ପରି କିଛି ସମୟ ସ୍ଥିରଭାବରେ ଠିଆହୋଇ ରହିଲା-ତା’ପରେ କଥା କରିବାର ପ୍ରବଳ ଚେଷ୍ଟାରେ ଯେତେବେଳେ ତା’ର ଓଠ ଥରିବାକୁ ଲାଗିଲା, ସେତେବେଳେ ବିନୋଦିନୀ କହିଉଠିଲା, ‘ବିହାରୀ ବାବୁ, ତୁମେ କୌଣସି ଉତ୍ତର ଦିଅନା କିଛି କହନା । ଏହି ଲୋକଟା ଯାହା ବର୍ତ୍ତମାନ କହିଲା, ସେହି କଥାରେ କଳଙ୍କ ତାହାରି ମୁହଁରେ ହିଁ ଲାଗିରହିବ । ତାହା ତୁମକୁ ଆଦୌ ସ୍ପର୍ଶ କରିବ ନାହିଁ ।’

 

ବିନୋଦିନୀର କଥା ବିହାରୀର କାନରେ ପ୍ରବେଶ କଲା କି ନାହିଁ, ସନ୍ଦେହ–ସେ ସ୍ୱପ୍ନଚାଳିତପରି ମହେନ୍ଦ୍ର ଘର ଦୁଆରମୁହଁରୁ ବୁଲିପଡ଼ି ସିଡ଼ିରେ ଓହ୍ଲାଇ ଯିବାକୁ ଲାଗିଲା ।

 

ବିନୋଦିନୀ ତା’ର ପଛେ ପଛେ ଯାଇ କହିଲା ‘ବିହାରୀ ବାବୁ ! ମୋତେ କ’ଣ ତୁମର କହିବାକୁ କିଛି ନାହିଁ ? ଯଦି ତିରସ୍କାର କରିବାର କିଛି ଥାଏ, ତେବେ ତିରସ୍କାର କରିଯାଅ ।’

 

ବିହାରୀ କୌଣସି ଉତ୍ତର ନ ଦେଇ ଓହ୍ଲାଇଯିବାରୁ ବିନୋଦିନୀ ତା’ର ସମ୍ମୁଖରେ ଆସି ଦୁଇହାତରେ ତା’ର ଡାହାଣ ହାତକୁ ଚାପିଧରିଲା । ବିହାରୀ ଅପରିସୀମ ଘୃଣାରେ ତାକୁ ଠେଲି ଦେଇ ଚାଲିଗଲା । ସେଇ ଆଘାତରେ ଯେ ବିନୋଦିନୀ ତଳେ ପଡ଼ିଗଲା, ସେକଥା ସେ ଜାଣି ମଧ୍ୟ ପାରିଲା ନାହିଁ ।

 

ପତନଶବ୍ଦ ଶୁଣି ମହେନ୍ଦ୍ର ଦଉଡ଼ି ଆସିଲା । ଦେଖିଲା, ବିନୋଦିନୀର ବାଆଁ ହାତର କହୁଣୀ ପାଖରୁ କଟିଯାଇ ରକ୍ତ ବୋହୁଚି । ମହେନ୍ଦ୍ର କହିଲା, ‘ଏତେଗୁଡ଼ାଏ କଟିଗଲା ?’ ତତ୍‍କ୍ଷଣାତ୍ ସେ ନିଜ ପତଳା ଜାମାରୁ ଖଣ୍ଡେ କନା ଚିରିନେଇ କ୍ଷତସ୍ଥାନରେ ବ୍ୟାଣ୍ଡେଜ୍ ବାନ୍ଧିବାକୁ ପ୍ରସ୍ତୁତ ହେଲା ।

 

ବିନୋଦିନୀ ହାତ ଘୁଞ୍ଚାଇ ନେଇ କହିଲା, ‘ନାଇଁ ଥାଉ, କିଛି କରିବା ଦରକାର ନାହିଁ, ରକ୍ତ ବୋହୁ ।

 

Unknown

ମହେନ୍ଦ୍ର କହିଲା, ‘ବାନ୍ଧି କରି ଗୋଟାଏ ଔଷଧ ଦେଉଚି, ତା’ ହେଲେ ଦରଜ ହେବ ନାହିଁ, ଅତିଶୀଘ୍ର ଭଲ ହୋଇଯିବ ।

 

ବିନୋଦିନୀ କହିଲା, ‘ମୋର ଦରଜ ଭଲ ହେବା ଦରକାର ନାହିଁ । ମୋର ଏ କ୍ଷତ ଥାଉ ।’

 

ମହେନ୍ଦ୍ର କହିଲା, ‘ଆଜି ଅଧୀର ହୋଇ ମୁଁ ତୁମକୁ ଅନ୍ୟଲୋକ ପାଖରେ ଅପଦସ୍ତ କରିଚି । ମୋତେ କ୍ଷମା କରିପାରିବକି ?’

 

ବିନୋଦିନୀ କହିଲା, ‘କ’ଣ ପାଇଁ କ୍ଷମା ? ବେଶ୍ କରିଚ । ମୁଁ କ’ଣ ଲୋକଙ୍କୁ ଡରିଚି ? ମୁଁ କାହାକୁ ଖାତିର କରେ ନାହିଁ । ଯିଏ ଆଘାତ କରି ଫୋପାଡ଼ି ଦେଇଯାଏ, ସେଇ କ’ଣ ମୋର ସବୁ ? ଆଉ ଯିଏ ମୋର ଗୋଡ଼ ଧରି ବାନ୍ଧି ରଖିବାକୁ ଚାହେଁ , ସିଏ କ’ଣ ମୋର କେହି ନୁହେଁ ?’

 

ଉନ୍ମତ୍ତ ହୋଇ ମହେନ୍ଦ୍ର ଗଦ୍‍ଗଦ୍ କଣ୍ଠରେ କହିଲା, ‘ବିନୋଦିନୀ, ମୋର ପ୍ରେମକୁ ତୁମେ କେବେ ଗୋଡ଼ରେ ଠେଲି ଦେବନାହିଁ ?’

 

ବିନୋଦିନୀ କହିଲା, ‘ମୁଣ୍ଡାଇ କରି ରଖିବି । ମୁଁ ଜନ୍ମାବଧି ଏତେ ବେଶୀ ସ୍ନେହ ପାଇନାହିଁ ଯେ ଦରକାର ନାହିଁ ବୋଲି କହି ଫେରାଇ ଦେବି ।’

 

ଦୁଇ ହାତରେ ମହେନ୍ଦ୍ର ବିନୋଦିନୀର ଦୁଇ ହାତକୁ ଧରି କହିଲା, ‘ତେବେ ଘରଭିତରକୁ ଆସ, ତୁମକୁ ମୁଁ ଆଜି ଦୁଃଖ ଦେଇଚି, ତୁମେ ମଧ୍ୟ ମୋତେ ଦୁଃଖ ଦେଇଚ । ତାହା ଯେପର୍ଯ୍ୟନ୍ତ ପୋଛି ହୋଇ ନ ଯିବ, ସେ ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ ।’

 

ବିନୋଦିନୀ କହିଲା, ‘ଆଜି ନୁହେଁ, ଆଜି ମୋତେ ଛାଡ଼ିଦିଅ । ଯଦି ତୁମକୁ ଦୁଃଖ ଦେଇଥାଏ, ତେବେ କ୍ଷମା କରିବ ।’

 

ମହେନ୍ଦ୍ର କହିଲା, ‘ତୁମେ ମଧ୍ୟ ମୋତେ କ୍ଷମା କର । ନ ହେଲେ ରାତିରେ ଶୋଇପାରିବି ନାହିଁ ।

 

ବିନୋଦିନୀ କହିଲା, ‘କ୍ଷମା କଲି ।’

 

ତତ୍‍କ୍ଷଣାତ୍ ମହେନ୍ଦ୍ର ଅଧୀର ହୋଇପଡ଼ି ବିନୋଦିନୀ ପାଖରୁ ହାତେ ହାତେ କ୍ଷମା ଓ ପ୍ରେମର ଗୋଟିଏ ନିଦର୍ଶନ ପାଇବାକୁ ବ୍ୟଗ୍ର ହୋଇ ଉଠିଲା, କିନ୍ତୁ ବିନୋଦିନୀ ମୁହଁକୁ ଚାହିଁ ଆପଣାକୁ ସଂଯତ କରିନେଲା । ସିଡ଼ିରେ ଓହ୍ଲାଇ ବିନୋଦିନୀ ତଳକୁ ଚାଲିଗଲା । ମହେନ୍ଦ୍ର ମଧ୍ୟ ଧୀରେ ଧୀରେ ସିଡ଼ିରେ ଉପରକୁ ଉଠି ଛାତ ଉପରେ ଯାଇ ବୁଲିବାକୁ ଲାଗିଲା । ମହେନ୍ଦ୍ର ଆଜି ବିହାରୀପାଖରେ ହଠାତ୍ ଧରାପଡ଼ିଯିବାରୁ ତା’ର ମନରେ ଗୋଟାଏ ମୁକ୍ତିର ଆନନ୍ଦ ଉପସ୍ଥିତ ହେଲା । ଲୁଚାଚୋରା ଭିତରେ ଯେଉଁ ଦୃଶ୍ୟତା ରହିଥାଏ, ଜଣକ ଆଗରେ ପ୍ରକାଶିତ ହୋଇପଡ଼ିଲେ ଯେପରି ତାହା ଅନେକ ପରିମାଣରେ କମ୍ ହୋଇଯାଏ । ମନେ ମନେ ମହେନ୍ଦ୍ର କହିଲା, ‘ନିଜକୁ ମୁଁ ଭଲ ବୋଲି ଆଉ ମିଛରେ ଦେଖାଇ ହେବାକୁ ଚାହେଁନା, କିନ୍ତୁ ମୁଁ ଭଲପାଏ, ସେ କଥା ଆଦୌ ମିଛ ନୁହେଁ ।’ ନିଜ ପ୍ରେମର ଗୌରବରେ ତା’ର ସ୍ପର୍ଦ୍ଧା ଏତେଦୂର ବଢ଼ିଉଠିଲା ଯେ ସେ ଅତି ଉଦ୍ଧତ ଭାବରେ ଆପଣାକୁ ମନ୍ଦ ବୋଲି ଅନୁଭବ କରିବାକୁ ଲାଗିଲା । ନିସ୍ତବଧ ସନ୍ଧ୍ୟାରେ ନୀରବ ଜ୍ୟୋତିଷମଣ୍ଡଳୀ–ଅଧିରାଜିତ ଅନନ୍ତ ଜଗତପ୍ରତି ଅବଜ୍ଞା ନିକ୍ଷେପ କରି ସେ ମନେ ମନେ କହିଲା, ‘ମୋତେ ଯିଏ ଯେତେ ମନ୍ଦ ବୋଲି କହନ୍ତୁ ପଛକେ, ମୁଁ କିନ୍ତୁ ତଥାପି ବଳ ପାଏ ।’ ମହେନ୍ଦ୍ର ବିନୋଦିନୀର ମାନସୀମୂର୍ତ୍ତିଦ୍ୱାରା ସାରାଆକାଶ ସାରାସଂସାର ଓ ସବୁ କର୍ତ୍ତବ୍ୟକୁ ଆଚ୍ଛନ୍ନ କରି ପକାଇଲା । ହଠାତ୍ ଆସି ବିହାରୀ ଆଜି ଯେପରି ମହେନ୍ଦ୍ର–ଜୀବନର ଠିପିଦିଆ ମସୀପାତଟିକୁ ଲେଉଟାଇ ଭାଙ୍ଗିପକାଇଲା,–ବିନୋଦିନୀର କଳା ଆଖି ଆଉ କଳା କେଶଗୁଚ୍ଛର କାଳିମା ନିମେଷ ମଧ୍ୟରେ ବିସ୍ତୃତ ହୋଇ ପୂର୍ବର ସବୁ ଶୁଭ୍ରତା ଏବଂ ଲେଖାକୁ ଏକାକାର କରିଦେଲା ।

 

(୨୭)

 

ପରଦିନ ନିଦଭାଙ୍ଗି ବିଛଣାରୁ ଉଠିବାମାତ୍ରେ ଏକ ମଧୁର ଆବେଗରେ ମହେନ୍ଦ୍ରର ହୃଦୟ ପୂର୍ଣ୍ଣ ହୋଇଗଲା । ପ୍ରଭାତର ସୂର୍ଯ୍ୟାଲୋକ ଯେପରି ତା’ର ସବୁ ଭାବନା ଓ ସବୁ ବାସନାରେ ସୁନା ବୋଳିଦେଇଗଲା । କି ସୁନ୍ଦର ପୃଥିବୀ, କି ସୁନ୍ଦର ମଧୁମୟ ଆକାଶ, ପବନ ସତେ ଅବା ପୁଷ୍ପରେଣୁପରି ମନକୁ ଉଡ଼ାଇ ନେଇଯାଉଚି ।

 

ସକାଳେ ବୈଷ୍ଣବ–ଭିକ୍ଷୁଟିଏ ଖୋଳକରତାଳ ବଜାଇ ଗୀତ ଆରମ୍ଭ କରି ଦେଇଥିଲା । ଦରୁଆନ ତାକୁ ତଡ଼ିଦେବାକୁ ଉଦ୍ୟତ ହେବାରୁ ମହେନ୍ଦ୍ର ଦରୁଆନକୁ ଭର୍ତ୍ସନା କରି ସଂଗେ ସଂଗେ ଭିକ୍ଷୁକକୁ ଗୋଟିଏ ଟଙ୍କା ଦେଇଦେଲା । ବେହେରା କିରୋସିନୀର ଲାମ୍ପ୍ ଦେବାସମୟରେ ଅସାବଧାନତାରେ ହାତରୁ ପଡ଼ି ଭାଙ୍ଗିଗଲା,–ମହେନ୍ଦ୍ରର ମୁହଁକୁ ଚାହିଁ ଭୟରେ ତା’ର ହାଲୁକା ଶୁଖିଗଲା । ତିରସ୍କାର ନ କରି ମହେନ୍ଦ୍ର ପ୍ରସନ୍ନବଦନରେ କହିଲା ‘କାଚଗୁଡ଼ାକ ଭଲକରି ସଫା କରି ନେ ନ ହେଲେ କାହା ଗୋଡ଼ରେ ପଶିବ ।’

 

ଆଜି କୌଣସି କ୍ଷତି ତାହାକୁ କ୍ଷତ ବୋଲି ବୋଧ ହେଲା ନାହିଁ ।

 

ଏତେଦିନ ଯାଏ ପ୍ରେମ ନେପଥ୍ୟରେ ଲୁଚି ବସିଥିଲା, ଆଜି ସମ୍ମୁଖକୁ ଆସି ପର୍ଦ୍ଦା ଉଠାଇଦେଲା । ଜଗତସଂସାର ଉପରୁ ଆବରଣ ଖସିପଡ଼ିଲା । ନିତିଦିନିଆ ପୃଥିବୀର ସବୁ ତୁଚ୍ଛତା ଆଜି ଅନ୍ତର୍ହିତ ହୋଇଛି । ଗଛଲତା, ପଶୁପକ୍ଷୀ, ପଥର, ପଥିକସମୂହ, ନଗରର କୋଳାହଳ ଆଜି ସବୁ ଅପରୂପ ମନେହେଉଚି । ଏହି ବିଶ୍ୱବ୍ୟାପୀ ନୂତନତା ଆଜିଯାଏ କେଉଁଠି ଲୁଚି ରହିଥିଲା ?

 

ମହେନ୍ଦ୍ର ଭାବିଲା, ଯେପରି ଆଜି ବିନୋଦିନୀ ସହିତ ଅନ୍ୟଦିନପରି ସାମାନ୍ୟଭାବରେ ମିଳନ ହେବ ନାହିଁ । ଆଜି ହୁଏତ କବିତାରେ କଥା କହିଲେ ଏବଂ ସଂଗୀତରେ ଭାବପ୍ରକାଶ କଲେ ଠିକ୍ ଉପଯୁକ୍ତ ହୁଅନ୍ତା । ଆଜିର ଦିନଟିକୁ ଐଶ୍ୱର୍ଯ୍ୟରେ ଓ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ କରି ମହେନ୍ଦ୍ର ଦୁନିଆଛଡ଼ା, ସମାଜଛଡ଼ା ଗୋଟିଏ ଆରବ୍ୟ ଉପନ୍ୟାସ ଅଦ୍ଭୁତ ଦିନପରି ରୂପାୟିତ କରିନେବାକୁ ଚାହେଁ । ତାହା ସତ୍ୟ ହୋଇଥିବ, ଅଥଚ ସ୍ୱପ୍ନବତ୍ ହୋଇଥିବ । ସେଥିରେ ସଂସାରର କୌଣସି ବିଧିବିଧାନ, କୌଣସି ଦାୟିତ୍ୱ ବା କୌଣସି ବାସ୍ତବିକତା ନ ଥିବ ।

 

ଆଜି ସକାଳୁ ମହେନ୍ଦ୍ର ଚଞ୍ଚଳଭାବରେ ସମୟ କଟାଇବାକୁ ଲାଗିଲା, କଲେଜକୁ ଯାଇପାରିଲା ନାହିଁ । କାରଣ ମିଳନର ଲଗ୍ନଟି ଯେ କେତେବେଳେ ଆସି ଅକସ୍ମାତ୍ ଆସି ଆବିର୍ଭୁତ ହୋଇଯିବ, ତାହା ତ କୌଣସି ପଞ୍ଜିକାରେ ରହି ନାହିଁ ।

 

ବେଳେବେଳେ ଗୃହକାର୍ଯ୍ୟରେ ବିନୋଦିନୀର କଣ୍ଠସ୍ୱର ଭଣ୍ଡାରଘରୁ, ରୋଷେଇଘରୁ ଆସି ମହେନ୍ଦ୍ର କାନରେ ବାଜିଲା । ଆଜି ତାହା ମହେନ୍ଦ୍ରକୁ ଭଲ ଲାଗିଲା ନାହିଁ । ସେ ଆଜି ମନେ ମନେ ସଂସାରର ବହୁଦୂରରେ ବିନୋଦିନୀକୁ ସ୍ଥାପନ କରି ରଖିଚି ।

 

ଆଉ ସମୟ କଟିବାକୁ ଚାହୁଁନାହିଁ । ମହେନ୍ଦ୍ରର ସ୍ନାନହାର ସମାପ୍ତ ହେଲା, ସକଳ ଗୃହ-କର୍ମର ବିରାମରେ ମଧ୍ୟାହ୍ନ ନିସ୍ତେଜ ହୋଇଆସିଲା, ତଥାପି ବିନୋଦିନୀର ଦେଖା ନାହିଁ । ଦୁଃଖରେ ଏବଂ ସୁଖରେ, ଅଧୈର୍ଯ୍ୟରେ ଏବଂ ଆଶାରେ ମହେନ୍ଦ୍ରର ମନୋଯନ୍ତ୍ରର ସବୁ ତା’ରଗୁଡ଼ିକ ଝଙ୍କୃତ ହେବାକୁ ଲାଗିଲା ।

 

କାଲି ଛଡ଼ାଛଡ଼ି ହୋଇଥିବା ସେହି ‘ବିଷ-ବୃକ୍ଷ’ ବହିଟି ତଳ ବିଛଣାରେ ପଡ଼ିଚି । ଦେଖିବାମାତ୍ରେ ସେହି ଛଡ଼ାଛଡ଼ିର ସ୍ମୃତିରେ ମହେନ୍ଦ୍ରର ମନରେ ପୁଲକାବେଶ ଜାଗ୍ରତ ହେଲା । ବିନୋଦିନୀ ଯେଉଁ ତକିଆ ମାଡ଼ି ଶୋଇଥିଲା, ସେଇ ତକିଆଟା ଟାଣିନେଇ ମହେନ୍ଦ୍ର ସେଥିରେ ମୁଣ୍ଡ ଦେଲା, ଏବଂ ବହିଟିକୁ ଉଠାଇ ନେଇ ପତ୍ର ଲେଉଟାଇବାକୁ ଲାଗିଲା । କ୍ରମେ କେତେବେଳେ ଯେ ପଢ଼ାରେ ମନ ଲାଗିଗଲା କେତେବେଳେ ଯେ ପାଞ୍ଚଟା ବାଜିଗଲା, ଆଉ ତା’ର ଖିଆଲ ରହିଲା ନାହିଁ ।

 

ଏହି ସମୟରେ ଗୋଟିଏ ମୋରାଦାବାଦୀ ଟ୍ରେ ଉପରେ ଥାଳୀରେ ଫଳ ଓ ସନ୍ଦେଶ ଏବଂ ରେକାବିରେ ବରଫ ଓ ଚିନିସଂଯୁକ୍ତ ସୁଗନ୍ଧ ତରଭୁଜପଣା ନେଇ ବିନୋଦିନୀ ଗୃହଭିତରେ ପ୍ରବେଶ କଲା ଏବଂ ମହେନ୍ଦ୍ରର ସମ୍ମୁଖରେ ରଖି କହିଲା, ‘କ’ଣ କରୁଚ ମହେନ୍ଦ୍ର ? ତୁମର ପୁଣି କ’ଣ ହେଲା ? ଆସି ପାଞ୍ଚଟା ବାଜିଲାଣି, ଏପର୍ଯ୍ୟନ୍ତ ହାତମୁହଁ ଧୋଇବା, ଲୁଗା ବଦଳିବା, କିଛି ହୋଇନାହିଁ ?’

 

ମହେନ୍ଦ୍ର ମନରେ ଧକ୍କା ଲାଗିଲା । ତା’ର କ’ଣ ହୋଇଛି, ତାହା କ’ଣ ପଚାରିବା କଥା-? ସେ କଥା କ’ଣ ବିନୋଦିନୀର ଅଗୋଚର ରହିବା ଉଚିତ ? ଆଜି ଦିନଟି କ’ଣ ଅନ୍ୟ ଯେ କୌଣସି ଦିନପରି ? କାଳେ ହଠାତ୍ ତା’ର ଆଶାତୀତ ଘଟିଯିବ, ଏହି ଭୟରେ ମହେନ୍ଦ୍ର ଗତକାଲିର କଥା ସ୍ମରଣ କରାଇ କୌଣସି ଦାବୀ ଉତ୍ଥାନ କରି ପରିଲା ନାହିଁ ।

 

ମହେନ୍ଦ୍ର ଖାଇବସିଲା । ବିନୋଦିନୀ ଛାତରେ ଦିଆଯାଇଥିବା ମହେନ୍ଦ୍ରର ପୋଷାକଗୁଡ଼ିକ ଆଣି ନିପୁଣ ହସ୍ତରେ ଭାଙ୍ଗି ଆଲମାରିରେ ରଖିବାକୁ ଲାଗିଲା ।

 

ମହେନ୍ଦ୍ର କହିଲା, ‘ଟିକିଏ ରୁହ, ମୁଁ ଖାଇସାରି ତୁମକୁ ସାହାଯ୍ୟ କରିବି ।’

 

ବିନୋଦିନୀ ହାତଯୋଡ଼ି କହିଲା, ‘ରକ୍ଷା କର, ଆଉ ଯାହା କରିବ କର ପଛକେ, କିନ୍ତୁ ସାହାଯ୍ୟ କରିବାକୁ ମନ ବଳାଅ ନାହିଁ ।’

 

ମହେନ୍ଦ୍ର ଖାଇସାରି କହିଲା, ‘କ’ଣ ମତେ ଅକର୍ମଣ୍ୟ ମନେକରୁଚ ? ଆଚ୍ଛା, ତେବେ ଆଜି ତାହାର ପରୀକ୍ଷା ହେଉ ।’ –କହି ଲୁଗା ଭାଙ୍ଗିବାପାଇଁ ବୃଥା ଚେଷ୍ଟା କରିବାକୁ ଲାଗିଲା ।

 

ମହେନ୍ଦ୍ର ହାତରୁ ଲୁଗା ଛଡ଼ାଇନେଇ ବିନୋଦିନୀ କହିଲା, ‘ଥାଉ ମହାଶୟ, ତୁମେ ରଖିଦିଅ । ମୋର କାମକୁ ଆଉ ବଢ଼ାଇବାକୁ ଚେଷ୍ଟା କରନା ।’

 

ମହେନ୍ଦ୍ର କହିଲା, ‘ତେବେ ତୁମେ କାମ କରିଯାଅ, ମୁଁ ଦେଖି ଦେଖି ଶିଖିବି’ । କହି ଆଲମାରି ସମ୍ମୁଖରେ ବିନୋଦିନୀର ପାଖକୁଲାଗି ତଳେ ବସିପଡ଼ିଲା । ବିନୋଦିନୀ ଲୁଗା ଝାଡ଼ିବା ବାହାନାରେ ଥରେ ଥରେ ମହେନ୍ଦ୍ରର ପିଠିଉପରେ ଲୁଗା ବାଡ଼େଇଦେଇ ପରିପାଟୀ ସହିତ ଭାଙ୍ଗି ଆଲମାରିରେ ରଖିଲା ।

 

ଆଜିର ମିଳନ ଏହିପରି ଭାବରେ ଆରମ୍ଭ ହେଲା । ମହେନ୍ଦ୍ର ପ୍ରତ୍ୟୁଷରୁ ଯେପରି ଭାବରେ କଳ୍ପନା କରୁଥିଲା, ସେହି ଅପୂର୍ବତା’ର କୌଣସି ଲକ୍ଷଣ ମିଳିଲା ନାହିଁ । ଏପରି ଭାବରେ ମିଳନ କାବ୍ୟ ଲେଖିବାର, ସଂଗୀତ ଗାଇବାର ଉପନ୍ୟାସ ରଚନା କରିବାର ଆଦୌ ଯୋଗ୍ୟ ନୁହେଁ । କିନ୍ତୁ ତଥାପି ମହେନ୍ଦ୍ର ଦୁଃଖିତ ହେଲା ନାହିଁ, ବରଂ ଆରାମ ପାଇଲା । ତାହାର କାଳ୍ପନିକ ଆଦର୍ଶକୁ ଯେ କିପରି ଭାବରେ ରୂପ ଦେଇଥାନ୍ତା, କିପରି ତା’ର ଆୟୋଜନ କରିଥାନ୍ତା, କି କଥା କହିଥାନ୍ତା, କି ଭାବ ପ୍ରକାଶ କରିଥାନ୍ତା, ସବୁପ୍ରକାର ସାମାନ୍ୟତାକୁ କି ଲୁଗା ଉପାୟରେ ଦୂରରେ ରଖିଥାନ୍ତା, ସେକଥା ମହେନ୍ଦ୍ର ଆଦୌ ଠଉରାଇ ପାରୁ ନ ଥିଲା । ଏହି ଲୁଗା ଝାଡ଼ିବା ଓ ଭାଙ୍ଗିରଖିବା ମଧ୍ୟରେ ହସତାମ୍‍ସା କରି ଯେପରି ସେ ସ୍ୱରଚିତ ଗୋଟିଏ ଅସମ୍ଭବ ଦୁରୂହ ଆର୍ଶର କବଳରୁ ନିଷ୍କୃତ ପାଇ ବଞ୍ଚିଗଲା ।

 

ରାଜଲକ୍ଷ୍ମୀ ଏହି ସମୟରେ ଘରେ ପ୍ରବେଶ କଲେ । ମହେନ୍ଦ୍ରକୁ କହିଲା, ‘ମହେନ୍ଦ୍ର, ବୋହୂ ଲୁଗା ରଖୁଚି, ତୁ ବସି ସେଠି କ’ଣ କରୁଚୁ ?’

 

ବିନୋଦିନୀ କହିଲା, ‘କେବଳ ମିଛଟାରେ ମୋର କାମରେ ଡେରି କରାଉଛନ୍ତି ।’

 

ମହେନ୍ଦ୍ର କହିଲା, ‘ସେ ମୋର ଭାଗ୍ୟ । ତୁ ପୁଣି ସାହାଯ୍ୟ କରିବୁ । ଜାଣିଲୁ ବୋହୂ, ସେ ସବୁଦିନେ ଏହି ଧରଣର । ଚିରଦିନ ମାଆଖୁଡ଼ୀଙ୍କର ଆଦର ପାଇ ପାଇ ହାତରେ କିଛି କରିପାରିବାକୁ ସେ ଏକାବେଳକେ ଅକ୍ଷମ ହୋଇଯାଇଚି ।’

 

ଏତିକି କହି ମାଆ ପରମୁହୂର୍ତ୍ତରେ କରମରେ ଅପଟୁ ପୁତ୍ରପ୍ରତି ନେତ୍ରପାତ କଲେ । କିପରି ଭାବରେ ସେ ଏଇ ଅକର୍ମଣ୍ୟ ଏକାନ୍ତ ମାତୃସ୍ନେହାପେକ୍ଷା ବୟସ୍କ ସନ୍ତାନଟିକୁ ସର୍ବପ୍ରକାର ଆରାମରେ ରଖିପାରିବେ, ବିନୋଦିନୀ ସହିତ ରାଜଲକ୍ଷ୍ମୀଙ୍କର ସେହି ଏକମାତ୍ର ପରାମର୍ଶ । ପୁତ୍ରସେବା ବିଷୟରେ ବିନୋଦିନୀ ଉପରେ ନିର୍ଭର କରି ସେ ନିତାନ୍ତ ନିଶ୍ଚିନ୍ତ, ପରମସୁଖୀ । ସମ୍ପ୍ରତି ଯେ ବିନୋଦିନୀର ମର୍ଯ୍ୟାଦା ମହେନ୍ଦ୍ର ବୁଝିଲାଣି ଏବଂ ବିନୋଦିନୀକୁ ରଖିବା ପାଇଁ ତା’ର ଆଉ ଆପତ୍ତି ନାହିଁ ଏଥିରେ ମଧ୍ୟ ରାଜଲକ୍ଷ୍ମୀ ବଡ଼ ଆନନ୍ଦିତ । ମହେନ୍ଦ୍ରକୁ ଶୁଣାଇ ଶୁଣାଇ ସେ କହିଲେ, ‘ଆଜି ତୁ ମହେନ୍ଦ୍ରର ଗରମ ଲୁଗାପଟା ଖରାରେ ଦେଇ ରଖିଲୁ, କାଲି ମହେନ୍ଦ୍ରର ନୂଆ ରୁମାଲ ତଳରେ ତା’ ନାଆଁର ଅକ୍ଷର ସିଲାଇ କରିଦେବାକୁ ପଡ଼ିବ । ତୋତେ ଏଠାକୁ ଆଣିବାଦିନୁ ମୁଁ କେବେ କୌଣସି ଯତ୍ନଆଦର କରିପାରିଲି ନାହିଁ, ଖାଲି ତୋତେ ଖଟାଇ ଖଟାଇ ମାରିଲି ।’

 

ବିନୋଦିନୀ କହିଲା, ‘ପିଉସୀ, ସେମିତି କହିଲେ ବୁଝିବି ଯେ ତୁମେ ମୋତେ ପର ଭାବୁଚ ।’

 

ରାଜଲକ୍ଷ୍ମୀ ଆଦର କରି କହିଲେ, ‘ଆହା ମା’, ତୋ’ ପରି ଜଣେ ଆପଣାର ମୁଁ ପାଇବି କେଉଁଠୁ କହିଲୁ ।’

 

ବିନୋଦିନୀର ଲୁଗା ରଖିବା ଶେଷ ହେବାପରେ ରାଜଲକ୍ଷ୍ମୀ କହିଲେ, ବର୍ତ୍ତମାନ ମୁଁ ତେବେ ଚିନିଶିରାଟା ବସାଇ ଦେବି ନା ତୋର ଆଉ କିଛି କାମ ଅଛି ?’

 

ବିନୋଦିନୀ କହିଲା, ‘ନାଇଁ ପିଉସୀ, ଆଉ କିଛି କାମ ନାହିଁ । ଖାଲି ମିଠାଇଟା ତିଆରି କରି ଦେଇଆସେ ।’

 

ମହେନ୍ଦ୍ର କହିଲା, ‘ମାଆ, ତୁ ଏହିକ୍ଷଣି ଅନୁତାପ କରୁଥିଲୁ ଯେ ତାଙ୍କୁ ଖଟାଇ ଖଟାଇ ମାରୁଚୁ । ପୁଣି ସାଂଗେ ସାଂଗେ କାମ କରିବାକୁ ଟାଣି ନେଇଯାଉଚୁ ।’

 

ବିନୋଦିନୀର ଚିବୁକ ସ୍ପର୍ଶ କରି ରାଜଲକ୍ଷ୍ମୀ କହିଲେ, ‘ଆମ ସୁନାଝିଅଟି ଯେ କାମ କରିବାକୁ ସବୁବେଳେ ଭଲ ପାଏ ।’

 

ମହେନ୍ଦ୍ର କହିଲା, ‘ଆଜି ସନ୍ଧ୍ୟାବେଳେ ମୋର ଅନ୍ୟ କୌଣସି କାମ ନାହିଁ । ତେଣୁ ଭାବିଥିଲି ଯେ ‘ଅସହୀ’ଙ୍କୁ ନେଇ ଏକାଠି ଗୋଟାଏ ବହି ପଢ଼ିବି ।’

 

ବିନୋଦିନୀ କହିଲା, ‘ଅପା, ବେଶ୍ ଭଲ କଥା, ଆଜି ସନ୍ଧ୍ୟାବେଳେ ଆମେ ଦୁହେଁଯାକ ବହିପଢ଼ା ଶୁଣିବାକୁ ଆସିବା ।’

 

ରାଜଲକ୍ଷ୍ମୀ ଭାବିଲେ, ‘ମହେନ୍ଦ୍ର ମୋର ଭାରୀ ଏକୁଟିଆ ବୋଧ କରୁଚି, ବର୍ତ୍ତମାନ ସମସ୍ତେ ମିଶି ତା’ର ମନକୁ ଭୁଲାଇ ରଖିବା ଉଚିତ ।’ କହିଲେ, ‘ମହେନ୍ଦ୍ର ପାଇଁ ଖାଇବା ପ୍ରସ୍ତୁତ ହୋଇସାରିଲେ ଆମେ ଆଜି ବହିପଢ଼ା ଶୁଣିବାକୁ ଆସିବା । ନା କ’ଣ କହୁଚୁ ?’

 

ବିନୋଦିନୀ ମହେନ୍ଦ୍ର ମୁହଁକୁ ଥରେ କଟାକ୍ଷପାତ କରି ଦେଖିନେଲା । ମହେନ୍ଦ୍ର କହିଲା, ‘ଆଚ୍ଛା’, କିନ୍ତୁ ଆଉ ତା’ର ଉତ୍ସାହ ରହିଲା ନାହିଁ । ବିନୋଦିନୀ ରାଜଲକ୍ଷ୍ମୀଙ୍କ ପଛେପଛେ ବାହାରିଗଲା ।

 

ରାଗିଯାଇ ମହେନ୍ଦ୍ର କହିଲା, ‘ଆଜି ମୁଁ ଯାଉଚି କୁଆଡ଼େ ଚାଲିଯିବି । ଡେରି କରି ଫେରିବି ।’ କହି ସଂଗେ ସଂଗେ ବାହାରକୁ ଯିବାପାଇଁ ଲୁଗା ପନ୍ଧିଲା । କିନ୍ତୁ ତା’ର ସଂକଳ୍ପ କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ । ଅନେକ ସମୟଯାଏ ସେ ଛାତଉପରେ ବୁଲିଲା, ଅନେକ ଥର ସିଡ଼ିଆଡ଼କୁ ଚାହିଁଲା, ଶେଷରେ ଯାଇ ଘରଭିତରେ ବସିଲା । ବିରକ୍ତ ହୋଇ ମନେ ମନେ କହିଲା, ‘ଆଜି ମୁଁ ମୋଟେ ମିଠାଇ ସ୍ପର୍ଶ କରିବି ନାହିଁ । ମାଆଙ୍କୁ ଜଣାଇଦେବି ଯେ ଏତେ ସମୟପର୍ଯ୍ୟନ୍ତ ଚିନି ଶିରା ଫୁଟିଲେ ସେଥିରେ ଆଉ କୌଣସି ମିଷ୍ଚତା ରହେନାହିଁ ।’

 

ଆହାର ସମୟରେ ଆଜି ବିନୋଦିନୀ ରାଜଲକ୍ଷ୍ମୀଙ୍କୁ ସଙ୍ଗରେ ଆଣିଲା । ରାଜଲକ୍ଷ୍ମୀ ଆପଣାର ଶ୍ୱାସ ଡରରେ ପ୍ରାୟ ଉପରକୁ ଉଠିବାକୁ ଚାହାନ୍ତି ନାହିଁ, ବିନୋଦିନୀ ଅନୁରୋଧ କରି ଆଜି ତାକୁ ସାଙ୍ଗରେ ଆଣିଚି । ଅତି ଗମ୍ଭୀରଭାବରେ ମହେନ୍ଦ୍ର ଖାଇବସିଲା ।

ବିନୋଦିନୀ କହିଲା, ଏ କ’ଣ ମହେନ୍ଦ୍ର, ଆଜି ତୁମେ କିଛି ଖାଉନା କାହିଁକି ?

ବ୍ୟସ୍ତ ହୋଇ ରାଜଲକ୍ଷ୍ମୀ ପଚାରିଲେ, ‘ଦେହପା କିଛି ଖରାପ ଲାଗୁନାହିଁତ ?’

ବିନୋଦିନୀ କହିଲା, ‘ଏତେ କଷ୍ଟ କରି ମିଠାଇ ତିଆରି କଲି, ଟିକିଏ ଖାଅ । କ’ଣ ଭଲ ହୋଇନାହିଁକି ? ତା’ ହେଲେ ଥାଉ । ଅନୁରେୋଧରେ ପଡ଼ି ବାଧ୍ୟ ହୋଇ ଖାଇବା ଭଲ ନାହିଁ ।

ମହେନ୍ଦ୍ର କହିଲା, ‘ଆଚ୍ଛା ଅଡ଼ୁଆରେ ମୋତେ ପକାଇଲ । ମିଠାଇଟା ଖାଇବାକୁ ବେଶୀ ଇଚ୍ଛା, ଭଲ ବି ଲାଗୁଚି, ତୁମେ ବାଧା ଦେଲେ ଶୁଣିବି କାହିଁକି ?’

ମହେନ୍ଦ୍ର ବିଶେଷ କରି ଦୁଇଟି ମିଠାଇ ଖାଇଲା । ତାହାର ଗୋଟିଏ ଦାନା କି ଟିକିଏ ଖଣ୍ଡ ପର୍ଯ୍ୟନ୍ତ ଛାଡ଼ିଲା ନାହିଁ । ଆହାରନ୍ତେ ତିନିଜଣଯାକ ଆସି ମହେନ୍ଦ୍ରର ଶୋଇବାଘରେ ବସିଲେ-। ମହେନ୍ଦ୍ର ଆଉ ପଢ଼ିବାର ପ୍ରସ୍ତାବଟା ଉଠାଇଲା ନାହିଁ । ରାଜଲକ୍ଷ୍ମୀ କହିଲେ, ‘ତୁ ପରା କ’ଣ ବହି ପଢ଼ିବୁ ବୋଲି କହୁଥିଲୁ, ତେବେ ଆରମ୍ଭ କରୁନୁ କାହିଁକି ?’

ମହେନ୍ଦ୍ର କହିଲା, ‘ସେଥିରେ କିନ୍ତୁ ଦିଅଁଦେବତାଙ୍କ କଥା କିଛି ନାହିଁ । ଶୁଣିବାକୁ ତୋତେ ଭଲ ଲାଗିବ ନାହିଁ ।’

ଭଲ ଲାଗିବନାହିଁ । ଯେପରି ହେଉ ଭଲ ଲାଗିବ ବୋଲି ରାଜଲକ୍ଷ୍ମୀ କୃତସଂକଳ୍ପ । ଯଦି ମହେନ୍ଦ୍ର ତୁର୍କୀଭାଷା ବି ପଢ଼ିବ, ତେବେ ମଧ୍ୟ ତାଙ୍କୁ ଭଲ ଲାଗୁଚି ବୋଲି କହିବାକୁ ହେବ । ଆହା ବିଚାର ମହେନ୍ଦ୍ର । ବୋହୂ କାଶୀ ଯାଇଚି ବୋଲି ଏକୁଟିଆ ହୋଇପଡ଼ିଚି–ତାକୁ ଯାହା ଭଲ ଲାଗିବ, ମାଆକୁ ତାହା ଭଲ ନ ଲାଗିଲେ ଚଳିବ କିପରି ?

ବିନୋଦିନୀ କହିଲା, ‘ମହେନ୍ଦ୍ର, ତୁମେ ଗୋଟାଏ କାମ କର । ପିଉସୀଙ୍କ ଘରେ ଶାନ୍ତିଶତକ ଅଛି । ଅନ୍ୟ ବହି ଛାଡ଼ି ଆଜି ସେଇଟିକୁ ପଢ଼ି ଶୁଣାଅ । ଅପାଙ୍କୁ ଭଲ ଲାଗିବ, ସନ୍ଧ୍ୟାବେଳଟା ବି ଭାରୀ ଭଲରେ କଟିଟିବ ।’

ନିତାନ୍ତ କରୁଣଭାବରେ ମହେନ୍ଦ୍ର ଥରେ ବିନୋଦିନୀର ମୁହଁକୁ ଚାହିଁଲା । ଏହି ସମୟରେ ଚାକରାଣୀ ଆସି ଖବର ଦେଲା, ‘ଆମ ଘର ସାଆନ୍ତାଣୀ ଆସି ତୁମ ଘରେ ବସିଚନ୍ତି ମା-।’

ପଡ଼ିଶାଘରର ସାଆନ୍ତାଣୀ ରାଜଲକ୍ଷ୍ମୀଙ୍କର ଅନ୍ତରଙ୍ଗ ବନ୍ଧୁ । ସନ୍ଧ୍ୟାବେଳେ ତାଙ୍କ ସହିତ ଗଳ୍ପ କରିବାର ପ୍ରଲୋଭନ ସମ୍ୱରଣ କରିବା ରାଜଲକ୍ଷ୍ମୀଙ୍କ ପକ୍ଷରେ ଅତ୍ୟନ୍ତ ଦୁଃସାଧ୍ୟ । ତଥାପି ଚାକରାଣୀଙ୍କୁ କହିଲେ, ‘ତାଙ୍କୁ କହିବେ, ଆଜି ମହେନ୍ଦ୍ର ପାଖରେ ମୋର ଟିକିଏ କାମ ଅଛି, କାଲି ସେ ଯେପରି ଅବଶ୍ୟ ଆସିବେ ।’’

ତରତର ହୋଇ ମହେନ୍ଦ୍ର କହିଲା, ‘ନାଇଁ ମା’, ତୁ ଯାଅ ତାଙ୍କ ସହିତ ଦେଖାକରି ଆସିବୁ-।’

ବିନୋଦିନୀ କହିଲା, ‘ଅପା ତୁମେ ଏଠି ବସ, ବରଂ ମୁଁ ଯାଉଚି ତାଙ୍କ ସହିତ କଥାବାର୍ତ୍ତା କରିବି ।’

ପ୍ରଲୋଭନ ସମ୍ୱରଣ କରି ନ ପାରି ରାଜଲକ୍ଷ୍ମୀ କହିଲେ, ‘ବୋହୂ, ତୁ ଏଠି ବସିଥା, ମୁଁ ତାଙ୍କୁ ବିଦାୟ କରିଦେଇଆସେ । ତୁମେମାନେ ପଢ଼ା ଆରମ୍ଭ କରିଦିଅ, ମୋ’ ଲାଗି ଅପେକ୍ଷା କରନା ।’

 

ରାଜଲକ୍ଷ୍ମୀ ଘରୁ ବାହାରିଯିବାମାତ୍ରେ ମହେନ୍ଦ୍ର ଆଉ ଥୟ ଧରି ରହିପାରିଲା ନାହିଁ କହିପକାଇଲା, ତୁମେ ମୋତେ ଏପରି ପୀଡ଼ନ କରି ମାରିବାକୁ କାହିଁକି ଭଲପାଅ ?’

 

ଅତି ଆଶ୍ଚର୍ଯ୍ୟ ହୋଇଗଲାପରି ବିନୋଦିନୀ ଜବାବ ଦେଲା, ‘ଇଏ ପୁଣି କ’ଣ, ମୁଁ ତୁମକୁ ପୁଣି ପୀଡ଼ନ କଲି କ’ଣ ? ତେବେ କ’ଣ ତୁମ ଘରକୁ ଆସିବା ମୋର ଦୋଷ ହେଲା ?

 

ଆଚ୍ଛା, ମୁଁ ତେବେ ଯାଉଚି’–କହି ବିମର୍ଷଭାବରେ ଉଠିବାକୁ ଉପକ୍ରମ ହେଲା ।

 

ମହେନ୍ଦ୍ର ତା’ର ହାତ ଧରିପକାଇ କହିଲା, ‘ଏହିପରି ଭାବରେ ତ ତୁମେ ମୋତେ ଦଗ୍‍ଧ କରୁଚ ।’

 

ବିନୋଦିନୀ କହିଲା, ‘ସତେ ? ମୋ’ ଠାରେ ଯେ ଏତେ ତେଜ ଅଛି, ତାହା ତ ମୁଁ ଜାଣି ନ ଥିଲି । ତୁମେ ମଧ୍ୟ କିଛି କମ୍ କଠିନ ନୁହଁ । ଅନେକ ସହ୍ୟ କରିପାରୁଚ । ଏତେ ଜଳିପୋଡ଼ି ଗଲଣି ବୋଲି ଚେହେରା ଦେଖି ବୁଝିବାର ଉପାୟ ନାହିଁ ।’

 

ମହେନ୍ଦ୍ର କହିଲା, ‘ଚେହେରାରୁ ବୁଝିବ କ’ଣ ? –କହି ବଳପୂର୍ବକ ବିନୋଦିନୀର ହାତକୁ ଟାଣିନେଇ ନିଜର ଛାତିଉପରେ ଚାପିଧରିଲା । ବିନୋଦିନୀ ‘ଉଃ’ ବୋଲି ଚିତ୍କାର କରି ଉଠିବାରୁ ମହେନ୍ଦ୍ର ହାତ ଛାଡ଼ିଦେଇ କହିଲା, ‘କ’ଣ କାଟିଲା କି ?’

 

ଦେଖିଲା, ବିନୋଦିନୀର ହାତ କାଲି ଯେଉଁଠୁ କଟିଯାଇଥିଲା, ସେଠୁ ପୁଣି ରକ୍ତ ବାହାରୁଚି । ମହେନ୍ଦ୍ର ବଡ଼ ଅନୁତପ୍ତ ହୋଇ କହିଲା, ‘ମୁଁ ଭୁଲିଯାଇଥିଲି–ଭାରୀ ଅନ୍ୟାୟ କରିପକାଇଲି । କିନ୍ତୁ ଆଜି ନିଶ୍ଚୟ ତୁମ ହାତରେ ଔଷଧ ଲଗାଇ ପଟି ବାନ୍ଧିଦେବି । କିଛି ଶୁଣିବି ନାହିଁ ।’

 

ବିନୋଦିନୀ କହିଲା, ନାଇଁ, ଔଷଧ ଆଦୌ ଦରକାର ନାହିଁ ।’

 

ମହେନ୍ଦ୍ର କହିଲା, ‘କାହିଁକି ?’

 

ବିନୋଦିନୀ କହିଲା, କାହିଁକି ପୁଣି କ’ଣ ? ତୁମକୁ ଆଉ ଡାକ୍ତରୀ କରିବାକୁ ପଡ଼ିବ ନାହିଁ, ସେ ସେହିପରି ରହିଥାଉ ।’

 

ମୁହୂର୍ତ୍ତକ ମଧ୍ୟରେ ମହେନ୍ଦ୍ର ଗମ୍ଭୀର ହୋଇଗଲା । ମନେ ମନେ କହିଲା, କିଛି ବୁଝିବାର ଉପାୟ ନାହିଁ–ସ୍ତ୍ରୀଲୋକର ମନ !’

 

ବିନୋଦିନୀ ଉଠିଲା । ବାଧା ନ ଦେଇ ମହେନ୍ଦ୍ର କହିଲା, ‘କୁଆଡ଼େ ଯାଉଚ ?’

 

ବିନୋଦିନୀ କହିଲା, ‘କାମ ଅଛି,’–କହି ଧୀର ପାଦରେ ଚାଲିଗଲା ।

 

କ୍ଷଣେ ଚୁପ୍ ହୋଇ ବସି ମହେନ୍ଦ୍ର ବିନୋଦିନୀକୁ ଫେରାଇ ଆଣିବ ବୋଲି ଧାଇଁଗଲା । ସିଡ଼ି ପର୍ଯ୍ୟନ୍ତ ଯାଇ ପୁଣି ଫେରିଆସି ଛାତ ଉପରେ ବୁଲିବାକୁ ଲଗିଲା ।

 

ବିନୋଦିନୀ ଅହରହ ଆକର୍ଷଣ କରୁଚି; ଅଥଚ ମୁହୂର୍ତ୍ତକଲାଗି ମଧ୍ୟ ପାଖକୁ ଯିବାକୁ ଦେଉ ନାହିଁ । ଅନ୍ୟକେହି ତାକୁ ଜୟ କରିପାରନ୍ତି ନାହିଁ ବୋଲି ମହେନ୍ଦ୍ରର ଯେଉଁ ଗର୍ବ ରହିଥିଲା, ସମ୍ପ୍ରତି ତାହାକୁ ବିସର୍ଜନ ଦେବାକୁ ହେଲା । କିନ୍ତୁ ଚେଷ୍ଟାକଲେ ଯେ ସେ ଅନ୍ୟକୁ ଜୟ କରିପାରେ, ଏହି ଗର୍ବ ଟିକକ କ’ଣ ସେ ରଖିପାରିନାହିଁ ? ସେ ଆଜି ପରାଜୟ ସ୍ୱୀକାର କଲା, ଅଥଚ ପରାଜିତ କରିପାରିଲା ନାହିଁ । ହୃଦୟକ୍ଷେତ୍ରରେ ମହେନ୍ଦ୍ର ଆପଣାର ସ୍ଥାନକୁ ବଡ଼ ଉଚ୍ଚ କରି ରଖିଥିଲା, –ଅନ୍ୟ କାହାକୁ ସେ ଆପଣାର ସମକକ୍ଷ ବୋଲି ସ୍ୱୀକାର କରୁ ନ ଥିଲା, ଆଜି ସେହି କ୍ଷେତ୍ରରେ ତାକୁ ଧୂଳିରେ ମସ୍ତକ ଲୋଟାଇବାକୁ ପଡ଼ିଲା । ଯେଉଁ ଶ୍ରେଷ୍ଠତାକୁ ସେ ହରାଇ ବସିଲା, ତା’ ବଦଳରେ କିଛି ପାଇଲା ନାହିଁ । ଭିକ୍ଷୁକପରି ରୁଦ୍ଧଦ୍ୱାର ସମ୍ମୁଖରେ ରିକ୍ତହସ୍ତରେ ଠିଆହୋଇ ରହିବାକୁ ପଡ଼ିଲା-

 

ଫଗୁଣ-ଚୈତ୍ର ମାସରେ ବିହାରୀ ଜମିଦାରୀରୁ ସୋରିଷଫୁଲର ମହୁ ଆସେ । ପ୍ରତିବର୍ଷ ସେ ତାହା ରାଜଲକ୍ଷ୍ମୀଙ୍କ ପାଖକୁ ପଠାଇଦିଏ;-ଏଥର ମଧ୍ୟ ପଠାଇ ଦେଇଚି ।

 

ମଧୁଭାଣ୍ଡ ନେଇ ବିନୋଦିନୀ ରାଜଲକ୍ଷ୍ମୀଙ୍କ ପାଖକୁ ଯାଇ କହିଲା, ‘ପିଉସୀ, ବିହାରୀବାବୁ ମହୁ ପଠାଇଚନ୍ତି ।’

 

ରାଜଲକ୍ଷ୍ମୀ ତାକୁ ଭଣ୍ଡାରରେ ରଖିଦେବାକୁ କହିଲେ । ମହୁ ରଖିଦେଇ ଆସି ବିନୋଦିନୀ ରାଜଲକ୍ଷ୍ମୀଙ୍କ ପାଖରେ ବସିଲା । କହିଲା, ‘ବିହାରୀବାବୁ ଆମର ତତ୍ତ୍ୱ ନେବାକୁ କେବେହେଲେ ଭୁଲନ୍ତି ନାହିଁ । ତାଙ୍କର ନିଜର ମାଆ ନାହିଁ; ତେଣୁ ତୁମକୁ ସେ ମାଆପରି ଦେଖନ୍ତି-।’

 

ରାଜଲକ୍ଷ୍ମୀ ବିହାରୀକୁ ମହେନ୍ଦ୍ରର ଛାଇପରି ମନେ କରୁଥିଲେ । ତେଣୁ ତା’କଥା ସେ ବିଶେଷଭାବରେ ଭାବୁ ନ ଥିଲେ । ବିହାରୀ ସେମାନଙ୍କର ବିନା ମୂଲ୍ୟର, ବିନା ଯତ୍ନର ଓ ବିନା ଚିନ୍ତାର ଅନୁଗତ ଥିଲା । ଯେତେବେଳେ ବିନୋଦିନୀ ରାଜଲକ୍ଷ୍ମୀଙ୍କୁ ମାତୃହୀନ ବିହାରୀର ମାତୃସ୍ଥାନୀୟ ବୋଲି ଉଲ୍ଲେଖ କଲା, ସେତେବେଳେ ତାହା ଅକସ୍ମାତ ରାଜଲକ୍ଷ୍ମୀଙ୍କର ମାତୃହୃଦୟ ସ୍ପର୍ଶ କଲା । ହଠାତ୍ ମନେହେଲା, ‘ସତ କଥା, ବିହାରୀର ମାଆ ନାହିଁ ବୋଲି ମୋତେ ସେ ମାଆପରି ଦେଖେ ।’ ମନେପଡ଼ିଲା, ରୋଗ-ତାପ–ସଂକଟରେ ବିହାରୀ ବରାବର ବିନା ଆହ୍ୱାନରେ ବିନା ଆଡ଼ମ୍ୱରରେ ନିଃଶବ୍ଦ ନିଷ୍ଠାର ସହିତ ତାଙ୍କର ସେବା କରିଚି; ରାଜଲକ୍ଷ୍ମୀ ନିଃଶ୍ୱାସ-ପ୍ରଶ୍ୱାସ ପରି ତାହା ଗ୍ରହଣ କରିଚନ୍ତି ଏବଂ ସେଥିଲାଗି ଯେ ତାଙ୍କର କାହା ପାଖରେ କୃତଜ୍ଞ ରହିବା କଥା, ତାହା ତାଙ୍କ ମନରେ କେବେହେଲେ ଉଦୟ ହୋଇନାହିଁ । କିନ୍ତୁ ବିହାରୀର ଖବର ଏଠି କିଏ ରଖିଚି ? ଯେତେବେଳଏ ଅନ୍ନପୂର୍ଣ୍ଣା ଥିଲେ, ରଖୁଥିଲେ । ରାଜଲକ୍ଷ୍ମୀ ଭାବନ୍ତି, ‘ବିହାରୀକୁ ବଶକରି ରଖିବାପାଇଁ ଅନ୍ନପୂର୍ଣ୍ଣା ସ୍ନେହର ଆଡ଼ମ୍ୱର କରୁଚନ୍ତି ।’

 

ଆଜି ରାଜଲକ୍ଷ୍ମୀ ନିଃଶ୍ୱାସ ପକାଇ କହିଲେ, ‘ବିହାରୀ ମୋର ଆପଣାର ପୁଅ ସମାନ ।’

 

ସେ ଭାବିବାକୁ ଲାଗିଲେ ଯେ ବିହାରୀ ତାଙ୍କ ନିଜର ପୁଅ ଅପେକ୍ଷା ତାଙ୍କର ଅଧିକ ଯତ୍ନ ନିଏ ଏବଂ କେବେହେଲେ ବିଶେଷ କିଛି ପ୍ରତିଦାନ ନ ପାଇଥିଲେ ମଧ୍ୟ ତାଙ୍କପ୍ରତି ତାହାର ଭକ୍ତି ତଥାପି ରହିଚି । ଏହିକଥା ଭାବି ତାଙ୍କ ଅନ୍ତରରୁ ଦୀର୍ଘନିଃଶ୍ୱାସ ବହିବାକୁ ଲାଗିଲା ।

 

ବିନୋଦିନୀ କହିଲା, ‘ବିହାରୀବାବୁ ତୁମ ହାତର ରନ୍ଧା ଖାଇବାକୁ ଭାରୀ ଭଲ ପାଆନ୍ତି-।’

 

ସସ୍ନେହ ଗର୍ବରେ ରାଜଲକ୍ଷ୍ମୀ କହିଲେ, ଆଉ କାହାରୀ ରନ୍ଧା ମାଛଝୋଳ ତାକୁ ରୁଚେନାହିଁ ।

 

କହୁ କହୁ ତାଙ୍କର ମନେପଡ଼ିଲା, ବିହାରୀ ଅନେକ ଦିନ ହେଲା ଆସିନାହିଁ । ସେ କହିଲା, ‘ଆଚ୍ଛା ବୋହୂ, ଆଜିକାଲି ତ କାହିଁକି ବିହାରୀର ଦେଖାନାହିଁ ?’

 

‘ମୁଁ ବି ସେଇ କଥା ଭାବୁଥିଲି ପିଉସୀ ? ବିବାହପରେ ତୁମ ପୁଅଟି ଆପଣାର ସ୍ତ୍ରୀକୁ ନେଇ ମତ୍ତ ହୋଇ ରହିଚି,–ବନ୍ଧୁବାନ୍ଧବ କାହିଁକି ଏଠାକୁ ଆସିବେ ?’

 

ଏହିକଥାଟା ରାଜଲକ୍ଷ୍ମୀଙ୍କୁ ଅତ୍ୟନ୍ତ ସଙ୍ଗତ ବୋଧ ହେଲା । ସ୍ତ୍ରୀକୁ ନେଇ ମହେନ୍ଦ୍ର ତା’ର ସବୁ ହିତୈଷୀଙ୍କଠାରୁ ଦୂରରେ ରହିଚି । ହୁଏତ ବିହାରୀ ଅଭିମାନ କରିପାରିଥାଏ । ବିହାରୀକୁ ନିଜଆଡ଼େ ପାଇ ତା’ପ୍ରତି ରାଜଲକ୍ଷ୍ମୀଙ୍କର ସମବେଦନା ବଢ଼ିଗଲା । ପିଲାଦିନୁ ଏକାନ୍ତ ନିଃସ୍ୱାର୍ଥଭାବରେ ସେ ମହେନ୍ଦ୍ରର କେତେ ଉପକାର କରିଚି; ତା’ ପାଇଁ କେତେଥର କେତେ କଷ୍ଟ ସହ୍ୟ କରିଚି, ସେ ସମସ୍ତ କଥା ସେ ବିନୋଦିନୀ ଆଗରେ ବଖାଣିବାକୁ ଲାଗିଲେ । ପୁଅନାଁରେ ତାଙ୍କର ଯେତେ ଯାହା ନାଲିଶ୍ କରିବାର ଥିଲା, ତାହାକୁ ବିହାରୀର ବିବରଣଦ୍ୱାରା ସମର୍ଥନ କଲେ-। ଦୁଇଦିନ ହେଲା ସ୍ତ୍ରୀପାଇଁ ଯଦି ମହେନ୍ଦ୍ର ତା’ର ଚିରଦିନର ବନ୍ଧୁକୁ ଏପରି ଅନାଦର କରିବ, ତା’ ହେଲେ ସଂସାରରେ ଆଉ ନ୍ୟାୟଧର୍ମ ରହିଲା କେଉଁଠି ?

 

ବିନୋଦିନୀ କହଲା, ‘କାଲି ରବିବାର ଅଛି, ବିହାରୀବାବୁଙ୍କୁ ତୁମେ ନିମନ୍ତ୍ରଣ କରି ଖୁଆଅ, ସେ ଭାରୀ ଖୁସୀ ହେବେ ।’

 

ରାଜଲକ୍ଷ୍ମୀ କହିଲେ, ‘ତୁ ଠିକ୍ କହିଚୁ ବୋହୂ । ତା’ ହେଲେ ମୁଁ ମହେନ୍ଦ୍ରକୁ ଡାକେ –ସେ ବିହାରୀକୁ ନିମନ୍ତ୍ରଣ ପଠାଇବ ।’

 

ବିନୋଦିନୀ କହିଲା, ‘ନାଇଁ ପିଉସୀ, ତୁମେ ନିଜେ ନିମନ୍ତ୍ରଣ କର ।’

 

ରାଜଲକ୍ଷ୍ମୀ–ମୁଁ କ’ଣ ତମମାନଙ୍କପରି ଲେଖିପଢ଼ି ଜାଣିଚି ?

 

ବିନୋଦିନୀ–ନ ଜାଣ ଏବେ । ତୁମର ହୋଇ ମୁଁ ଲେଖିଦେଉଚି ।

 

ରାଜଲକ୍ଷ୍ମୀ ନାଆଁରେ ବିନୋଦିନୀ ଚିଠି ଲେଖି ପଠାଇଲା ।

 

ରବିବାର ଦିନଟି ମହେନ୍ଦ୍ର ପକ୍ଷରେ ଅତି ଆଗ୍ରହର ଦିନ । ପୂର୍ବରାତ୍ରିରୁ ତା’ର କଳ୍ପନା ଉଦ୍ଦାମ ହୋଇଉଠିଛି । ଅବଶ୍ୟ ଏପର୍ଯ୍ୟନ୍ତ ତା’ର କଳ୍ପନାର ଅନୁରୂପ କୌଣସି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇନାହିଁ, ତଥାପି ରବିବାରର ସକାଳ ଆଲୁଅ ତା’ର ଆଖିରେ ମଧୁବର୍ଷଣ କରିବାକୁ ଲାଗିଲା । ଜାଗ୍ରତ ନଗରୀର ସମସ୍ତ କୋଳାହଳ ତା’ର କାନଭିତରେ ଅପରୂପ ସଙ୍ଗୀତପରି ପ୍ରବେଶ କଲା ।

 

କିନ୍ତୁ ଘଟଣା କ’ଣ ? ବୋଉର ଆଜି ବ୍ରତ ନା କ’ଣ ? ଅନ୍ୟଦିନପରି ଆଜି ବିନୋଦିନୀ ଉପରେ ଗୃହକର୍ମର ଭାର ଦେଇ ତ ସେ କାହିଁକି ବିଶ୍ରାମ କରୁନାହାନ୍ତି ! ଆଜି ସେ ନିଜେ ବ୍ୟସ୍ତ ହୋଇ ଏପାଖସେପାଖ ହେଉଚନ୍ତି !

 

ଏହିସବୁ ଗୋଳମାଳରେ ଦଶଟା ବାଜିଗଲା–ଇତିମଧ୍ୟରେ ମହେନ୍ଦ୍ର କୌଣସି ଛଳରେ ମଧ୍ୟ ବିନୋଦିନୀ ସହିତ ମୁହୂର୍ତ୍ତକ ପାଇଁ ନିରୋଳାରେ ଦେଖାକରି ପାରିଲାନାହିଁ । ବହି ପଢ଼ିବାକୁ ଚେଷ୍ଟାକଲା, ପଢ଼ାରେ ମୋଟେ ମନ ଲାଗିଲା ନାହିଁ । ଖବରକାଗଜର ଏକ ଅନାବଶ୍ୟକ ବିଜ୍ଞାପନ ଉପରେ ପ୍ରାୟ ପନ୍ଦର ମିନିଟ ଦୃଷ୍ଟି ଆବଦ୍ଧ କରି ରହିଲା । ତା’ପରେ ଅସ୍ଥିରଭାବରେ ତଳକୁ ଯାଇ ଦେଖିଲା, ବୋଉ ତାଙ୍କ ଘରପାଖ ବାରଣ୍ଡାରେ ଉଠାଚୁଲିରେ ରାନ୍ଧୁଚନ୍ତି, କଟିଦେଶରେ ଦୃଢ଼ଭାବରେ କାନି ଭିଡ଼ି ବିନୋଦିନୀ ଏଇଟା–ସେଇଟା ଯୋଗାଇଦେବାକୁ ବ୍ୟସ୍ତ ଅଛି ।

 

ମହେନ୍ଦ୍ର ପଚାରିଲା, ‘ଆଜି ଏତେ ଧୂମଧାମର କାରଣ କ’ଣ ?’

 

ରାଜଲକ୍ଷ୍ମୀ କହିଲେ, ‘ବୋହୂ କ’ଣ ତୋତେ କହିନାହିଁ ? ମୁଁ ଆଜି ବିହାରୀକୁ ଖାଇବାଲାଗି ଡାକିଚି ।’

 

ବିହାରୀକୁ ଡକା ହୋଇଚି ? ମହେନ୍ଦ୍ରର ସର୍ବଶରୀର ଜଳିଉଠିଲା । ସେ ତତ୍‍କ୍ଷଣାତ୍ କହିଲା, ‘କିନ୍ତୁ ବୋଉ, ମୁଁ ତ ରହିପାରିବିନାହିଁ ।’

 

ରାଜଲକ୍ଷ୍ମୀ–କାହିଁକି ?

 

ମହେନ୍ଦ୍ର–ମୋର ଗୋଟାଏ ଜାଗାକୁ ଯିବାର ଅଛି ।

 

ରାଜଲକ୍ଷ୍ମୀ–ଖିଆପିଆ କରିସାରି ଯିବୁ । ମୋର ବେଶୀ ଡେରି ହେବ ନାହିଁ ।

 

ମହେନ୍ଦ୍ର–ମୋତେ ତେଣେ ଆଉ ଗୋଟିଏ ଜାଗାରେ ଖାଇବାକୁ ଡାକିଚନ୍ତି ।

 

ବିନୋଦିନୀ ମହେନ୍ଦ୍ର ଆଡ଼କୁ କଟାକ୍ଷପାତ କରି କହିଲା, ‘ତାଙ୍କୁ ଯଦି କିଏ ଖାଇବାକୁ ଡାକିଚନ୍ତି, ତେବେ ସେ ଯାଆନ୍ତୁ ପିଉସୀ, ଆଜି ଏବେ ବିହାରୀବାବୁ ଏକା ଖାଇବେ ।’

 

କିନ୍ତୁ ଆପଣା ହାତରେ ଏତେ ଯତ୍ନରେ ରନ୍ଧା ମହେନ୍ଦ୍ର ଖାଇପାରିବେ ନାହିଁ, ରାଜଲକ୍ଷ୍ମୀଙ୍କର ଦେହ ଏଥିରେ ସହିବ କିପରି ? ସେ ଯେତେ ଜିଦ୍ କଲେ ସୁଦ୍ଧା ମହେନ୍ଦ୍ର ରାଜି ହେଲା ନାହି;, କହିଲା ‘ଭାରୀ ଜରୁରୀ କାମ, ନ ଗଲେ ଖରାପ ହେବ । ବିହାରୀକୁ ଡାକିବା ଆଗରୁ ମୋ’ ସହିତ ତ ଥରେ ପରାମର୍ଶ କରିବା ଉଚିତ ଥିଲା !’ ଇତ୍ୟାଦି ।

 

ରାଗିଯାଇ ମହେନ୍ଦ୍ର ବୋଉକୁ ଏହିପରି ଶାସ୍ତି ଦେବାର ବିଚାର କଲା । ରାଜଲକ୍ଷ୍ମୀଙ୍କର ସବୁ ଉତ୍ସାହ କୁଆଡ଼େ ଚାଲିଗଲା, ରନ୍ଧାବଢ଼ା ଛାଡ଼ି ଉଠିଯିବାକୁ ଇଚ୍ଛା ହେଲା । ବିନୋଦିନୀ କହିଲା, ‘ପିଉସୀ ! ତୁମେ ବ୍ୟସ୍ତ ହୁଅନା । ଖାଲି ମୁହଁରେ ସିନା ମହେନ୍ଦ୍ର ସେପରି ଆସ୍ଫାଳନ କରୁଛନ୍ତି; କିନ୍ତୁ ସେ ଆଜି କେବେହେଲେ ବାହାରକୁ ଖାଇବାଲାଗି ଯିବେ ନାହିଁ ।’

 

ରାଜଲକ୍ଷ୍ମୀ ମୁଣ୍ଡ ହଲାଇ କହିଲେ, ‘ନାଇଁ ମା, ତୁ ମହେନ୍ଦ୍ରକୁ ଜାଣିନୁ । ସେ ଥରେ ଯାହା ଜିଦ୍ ଧରିବ, ତାହା ନ କରି ଛାଡ଼ିବ ନାହିଁ ।’

 

କିନ୍ତୁ ରାଜଲକ୍ଷ୍ମୀଙ୍କଠାରୁ ଯେ ବିନୋଦିନୀ ମହେନ୍ଦ୍ରକୁ କମ୍ ଜାଣିନାହିଁ, ତାହାହିଁ ପ୍ରମାଣିତ ହେଲା । ମହେନ୍ଦ୍ର ବେଶ୍ ବୁଝିପାରିଥିଲା ଯେ ବିନୋଦିନୀ ହିଁ ବିହାରୀକୁ ନିମନ୍ତ୍ରଣ କରାଇଚି । ଏଥିରେ ତାହା ହୃଦୟ ଈର୍ଷାରେ ଯେତେ ପୀଡ଼ିତ ହେବାକୁ ଲାଗିଲା, ତାହା ପକ୍ଷରେ ବାହାରକୁ ଯିବା ସେତେ କଠିନ ହୋଇଉଠିଲା । ବିନୋଦିନୀ କ’ଣ କରିବ, ବିହାରୀ କ’ଣ କରିବ, ତା’ ନ ଦେଖି ସେ ଥୟ ଧରି ରହିବ କିପରି ? ଦେଖିଲେ ହିଂସାରେ ଜଳିବାକୁ ହେବ, ତଥାପି ଦେଖିବାକୁ ପଡ଼ିବ ।

 

ଅନେକ ଦିନପରେ ଆଜି ନିମନ୍ତ୍ରଣ ଆତ୍ମୀୟଭାବରେ ବିହାରୀ ମହେନ୍ଦ୍ରର ଅନ୍ତଃପୁରରେ ପ୍ରବେଶ କଲା । ଯେଉଁଘର ସହିତ ସେ ବାଲ୍ୟକାଳରୁ ଅତି ପରିଚିତ ଏବଂ ଯେଉଁଠି ଘରପୁଅପରି ସେ ଅବାରିତ ଭାବରେ ପ୍ରବେଶ କରି ଦୌରାତ୍ମ୍ୟ କରି ଆସିଚି, ସେହି ଘରର ଦୁଆରମୁହଁକୁ ଆସି ମୁହୂର୍ତ୍ତକ ପାଇଁ ତା’ର ପାଦ ଅଟକିଗଲା । ପଲକମଧ୍ୟରେ ଉଚ୍ଛ୍ୱସିତ ହୋଇଉଠିବା ପାଇଁ ତା’ର ବକ୍ଷକବାଟରେ ଅଶ୍ରୁତରଙ୍ଗ ଆଘାତ କରିବାକୁ ଲାଗିଲା । ସେହି ଆଘାତ ସମ୍ୱରଣ କରି ସେ ସ୍ମିତହାସ୍ୟରେ ଗୃହଭିତରେ ପ୍ରବେଶ କଲା ଏବଂ ସଦ୍ୟସ୍ନାତା ରାଜଲକ୍ଷ୍ମୀଙ୍କୁ ପ୍ରଣାମ କରି ତାଙ୍କର ପଦଧୂଳି ଗ୍ରହଣ କଲା । ଯେତେବେଳେ ସେ ସବୁଦିନ ଯିବାଆସିବା କରୁଥିଲା, ସେତେବେଳେ ତାଙ୍କମଧ୍ୟରେ ଏହି ଅଭିବାଦନ –ପ୍ରଥା ନ ଥିଲା । ଆଜି ଯେପରି ବହୁଦୂର ପ୍ରବାସରୁ ସେ ଘରକୁ ଫେରିଆସିଲା । ପ୍ରଣାମ କରି ଉଠିଗଲାବେଳେ ରାଜଲକ୍ଷ୍ମୀ ସ୍ନେହରେ ବିହାରୀର ମସ୍ତକରେ ହସ୍ତ ସ୍ପର୍ଶ କଲେ । ଆଜି ନିଗୂଢ଼ ସହାନୁଭୂତି ବଶତଃ ରାଜଲକ୍ଷ୍ମୀ ବିହାରୀପ୍ରତି ପୂର୍ବଅପେକ୍ଷା ଅନେକ ବେଶୀ ସ୍ନେହ ଓ ଆଦର ପ୍ରକାଶ କରିବାକୁ ଲାଗିଲେ । କହିଲେ, ‘ହଇରେ ବିହାରୀ , ତୁ ଆଜିଯାଏ କାହିଁକି ଆସୁ ନ ଥିଲୁ କହିଲୁ । ରୋଜ ମୁଁ ଭାବେ, ଆଜି ନିଶ୍ଚୟ ବିହାରୀ ଆସିବ; କିନ୍ତୁ କୋଉ ଦିନହେଲେ ତୋର ଦେଖା ମିଳେ ନାହିଁ ।’

 

ହସି ହସି ବିହାରୀ କହିଲା, ‘ରୋଜ ଆସୁଥିଲେ ତ ତୁମେ ଆଉ ବିହାରୀକୁ ରୋଜ ମନେପକାଇ ନ ଥାନ୍ତ ମାଆ ! ମହେନ୍ଦ୍ର ଭାଇ କାହିଁ ?’

 

ରାଜଲକ୍ଷ୍ମୀ ବିମର୍ଷ ହୋଇ କହିଲେ, ‘ମହେନ୍ଦ୍ର ଆଜି ବାହାରେ କେଉଁଠି ନିମନ୍ତ୍ରଣ ଅଛି ବୋଲି ଯାଉଚି ।’

 

ଶୁଣିବାମାତ୍ରକେ ବିହାରୀର ମନ ବିକଳ ହୋଇଉଠିଲା ଆଶୈଶବ ସ୍ନେହର ଶେଷ ପରିଣାମ କ’ଣ ଏଇଆ ? ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ କିଛି ସମୟ ପାଇଁ ମନରୁ ସମସ୍ତ ବିଷାଦବାଷ୍ପ ଦୂର କରିଦେବାର ଚେଷ୍ଟା କରି ବିହାରୀ ପଚାରିଲା, ‘ଆଜି କି ତରକାରି ହୋଇଚି ?’-କହି ତା’ର ପ୍ରିୟ ବ୍ୟଞ୍ଜନଗୁଡ଼ିକ ବିଷୟରେ ଅନୁସନ୍ଧାନ କରିବାକୁ ଲାଗିଲା । ରାଜଲକ୍ଷ୍ମୀଙ୍କର ରାନ୍ଧଣା ଖାଇଲାଦିନ ବିହାରୀ ଅତିରିକ୍ତ ଆଡ଼ମ୍ୱର ସହକାରେ ନିଜକୁ ଲୁବ୍‍ଧ ବୋଲି ପରିଚୟ ଦେଇଥାଏ, ଆହାରଲୋଲୁପତା ଦେଖାଇ ସେ ମାତୃହୃଦୟଶାଳିନୀ ରାଜଲକ୍ଷ୍ମୀଙ୍କର ସେହ୍ନ ଆକର୍ଷଣ କରେ । ଆଜି ମଧ୍ୟ ତାଙ୍କର ପକ୍ୱ-ବ୍ୟଞ୍ଜନ ସମ୍ୱନ୍ଧରେ ବିହାରୀର ଅତିମାତ୍ରାରେ କୌତୁହଳ ଦେଖି ରାଜଲକ୍ଷ୍ମୀ ହସିହସି ତାଙ୍କର ଲୋଭାତୁର ଅତିଥିକୁ ଆଶ୍ୱାସ ଦେଲେ ।

 

ଏଥିମଧ୍ୟରେ ମହେନ୍ଦ୍ର ଆସି ଶୁଷ୍କସ୍ୱରରେ ବିହାରୀକୁ ପଚାରିଲା, ‘କି ରେ ବିହାରୀ, କିପରି ଅଛୁ ?

ରାଜଲକ୍ଷ୍ମୀ କହିଲେ, ‘ତୋର ପରା କୁଆଡ଼େ ଯିବାର ଥିଲା, ଗଲୁ ନାହିଁ କି ?’

ଲାଜ ଲୁଚାଇବାକୁ ଚେଷ୍ଟା କରି ମହେନ୍ଦ୍ର କହିଲା, ‘ନାଇଁ, ଗଲିନାହିଁ ।’

ବିନୋଦିନୀ ଯେତେବେଳେ ଗାଧୋଇସାରି ଆସିଲା, ପ୍ରଥମେ ବିହାରୀ ତାକୁ କିଛି କହିପାରିଲା ନାହିଁ । ବିନୋଦିନୀ ଓ ମହେନ୍ଦ୍ରର ଯେଉଁ ଦୃଶ୍ୟ ସେ ଦେଖିଥିଲା, ତା’ ମନରେ ତାହା ମୁଦ୍ରିତ ହୋଇ ରହିଥିଲା ।

ବିହାରୀର ଅନତିଦୂରକୁ ଆସି ବିନୋଦିନୀ ମୃଦୁସ୍ଵରରେ ପଚାରିଲା, ‘ମୋତେ କ’ଣ ତୁମେ ଚିହ୍ନିପାରୁନାହଁକି ?’

ବିହାରୀ କହିଲା, ‘ସମସ୍ତଙ୍କୁ କ’ଣ ଚିହ୍ନି ହୁଏ ?’

ବିନୋଦିନୀ କହିଲା, ‘ଟିକିଏ ବିବେଚନା କରିପାରିଲେ ହୁଏ ।’ କହି ଖବର ଦେଲା, ‘ଅପା, ରୋଷେଇ ସରିଲାଣି ।’

ମହେନ୍ଦ୍ର ଆଉ ବିହାରୀ ଖାଇବସିଲେ । ଅଦୂରରେ ବସି ରାଜଲକ୍ଷ୍ମୀ ଦେଖୁଥାନ୍ତି ଏବଂ ବିନୋଦିନୀ ପରିବେଷଣ କରୁଥାଏ ।

ମହେନ୍ଦ୍ରର ଖାଇବାପ୍ରତି ମନୋଯୋଗ ନ ଥିଲା । ସେ କେବଳ ପରିବେଷଣର ପକ୍ଷପାତ ଲକ୍ଷ୍ୟ କରିବାକୁ ଲାଗିଲା । ମହେନ୍ଦ୍ରର ମନେହେଲା, ବିହାରୀକୁ ପରିବେଷଣ କରି ଯେପରି ବିନୋଦିନୀ ଅଧିକ ସୁଖ ପାଉଚି । ବିହାରୀ ଥାଳୀରେ ଯେ ବିଶେଷ କରି ମାଛର ମୁଣ୍ଡ ଓ ଦହିସର ପଡ଼ିଲା । ତାହାର ଏକ ଉତ୍ତମ କୈଫିୟତ୍ ମଧ୍ୟ ରହିଥିଲା–ମହେନ୍ଦ୍ର ଘରର ପୁଅ, ବିହାରୀ ନିମନ୍ତ୍ରିତ । କିନ୍ତୁ ମୁହଁଫିଟାର ନାଲିଶ୍‍ କରିବାର ଉପଯୁକ୍ତ କାରଣ ନ ଥିବାରୁ ମହେନ୍ଦ୍ର ମନେମନେ ଅଧିକ ଜଳିବାକୁ ଲାଗିଲା । ଅଦିନରେ ବିଶେଷ ସନ୍ଧାନ କରି ଭଲ ଜାତିଆ ମାଛ ଅଣାଯାଇଥିଲା; ତା’ଭିତରେ ମଞ୍ଜିଥିବା ମାଛଟିଏ ମଧ୍ୟ ଥିଲା । ସେଇ ମାଛଟି ବିନୋଦିନୀ ବିହାରୀକୁ ଦେଲାବେଳେ ସେ କହିଲା, ‘ନାଇଁ, ସେଇଟା ମହେନ୍ଦ୍ର ଭାଇଙ୍କୁ ଦିଅ, ସେ ତାକୁ ଖାଇବାକୁ ଭଲପାଆନ୍ତି ।’ ତୀବ୍ର ଅଭିମାନରେ ମହେନ୍ଦ୍ର କହିଉଠିଲା, ନାଇଁ–ନାଇଁ, ମୋର ଲୋଡ଼ା ନାହିଁ ।’ ବିନୋଦିନୀ ଦ୍ୱିତୀୟବାର ଅନୁରୋଧ ନ କରି ମାଛଟା ବିହାରୀ ଥାଳିରେ ପରଷି ଦେଇଗଲା ।

ଆହାରାନ୍ତେ ଦୁହେଁ ଉଠି ବାହାରକୁ ଯିବାପରେ ବିନୋଦିନୀ ଆସି କହିଲା, ‘ବିହାରୀବାବୁ, ସଂଗେ ସଂଗେ ଚାଲିଯାଅ ନା । ଚାଲ, ଉପରଘରେ ଟିକିଏ ବସିବ ।’

ବିହାରୀ କହିଲା, ‘ତୁମେ ଖାଇବାକୁ ଯିବ ନାହିଁ ?’

ବିନୋଦିନୀ କହିଲା, ‘ନାଇଁ, ମୋର ଆଜି ଏକାଦଶୀ ।’

ନିଷ୍ଠୁର ବିଦ୍ରୁପର ସ୍ପଷ୍ଟ ହାସ୍ୟରେଖା ବିହାରୀର ଏକପ୍ରାନ୍ତରେ ଦେଖାଦେଲା । ତା’ର ଅର୍ଥ, ଏକାଦଶୀ କରିବା ବି ଅଛି, ଅନୁଷ୍ଠାନର ତ୍ରୁଟି ନାହିଁ ।

ସେହି ହାସ୍ୟର ଆଭାସ ବିନୋଦିନୀର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ତଥାପି ସେ ଯେପରି ତା’ ହାତ କଟାଘାଆକୁ ସହ୍ୟ କରିଥିଲା, ସେହିପରି ଏହାକୁ ମଧ୍ୟ ସହ୍ୟ କଲା । ଅତି ମିନତିପୂର୍ଣ୍ଣ କଣ୍ଠରେ କହିଲା, ‘ତୁମକୁ ମୋ’ ରାଣ, ଟିକିଏ ବସିବ ଚାଲ ।’

ହଠାତ୍ ଅସଙ୍ଗତ ଭାବରେ ଉତ୍ତେଜିତ ହୋଇ ମହେନ୍ଦ୍ର କହିଲା, ‘ତୁମମାନଙ୍କର ଟିକିଏହେଲେ ବିବେଚନା ନାହିଁ । କାମ ଥାଉ, ଧନ୍ଦାଥାଉ, ଇଚ୍ଛାଥାଉ, ବା ନ ଥାଉ, ତଥାପି ବସିବାକୁ ହେବ । ଏତେ ଆଦରରେ ମୁଁ କୌଣସି ଅର୍ଥ ବୁଝିପାରେ ନାହିଁ ।

 

ବିନୋଦିନୀ ଉଚ୍ଚହାସ୍ୟ କରିଉଠିଲା; କହିଲା, ‘ବିହାରୀବାବୁ ! ଶୁଣ, ତୁମ ମହେନ୍ଦ୍ରଭାଇଙ୍କ କଥା ଶୁଣ । ଆଦରର ଅର୍ଥ ହିଁ ଆଦର, ଅଭିଧାନରେ ତା’ର କୌଣସି ଦ୍ୱିତୀୟ ଅର୍ଥ ଲେଖା ନାହିଁ । (ମହେନ୍ଦ୍ରପ୍ରତି) ଯାହା କହ ପଛକେ, ଅଧିକ ଆଦରର ଅର୍ଥ ଶିଶୁକାଳରୁ ତୁମେ ଯେତେ ପରିଷ୍କାର ଭାବରେ ବୁଝିଚ, ସେପରି ଆଉ କେହି ବୁଝି ନ ଥିବେ ।’

 

ବିହାରୀ କହିଲା, ‘ମହେନ୍ଦ୍ର ଭାଇ, ଗୋଟିଏ କଥା ଅଛି ।’ –କହି ବିନୋଦିନୀକୁ କୌଣସି ବିଦାୟ ସମ୍ଭାଷଣ ନ କରି ମହେନ୍ଦ୍ରକୁ ନେଇ ସେ ବାହାରକୁ ଚାଲିଗଲା । ବାରଣ୍ଡାରେ ରେଲିଂ ଧରି ବିନୋଦିନୀ ଚୁପ୍ କରି ଠିଆହୋଇ ଶୂନ୍ୟ ଅଙ୍ଗନରେ ଶୂନ୍ୟତା ଆଡ଼କୁ ଚାହିଁରହିଲା ।

 

ବିହାରୀ ବାହାରକୁ ଆସି କହିଲା ‘ମହେନ୍ଦ୍ର ଭାଇ, ମୁଁ ଜାଣିବାକୁ ଚାହେଁ ଆମର ବନ୍ଧୁତା କ’ଣ ଏଇଠି ଶେଷ ହେଲା ?’

 

ସେତେବେଳେ ମହେନ୍ଦ୍ରର ଛାତିଭିତରଟା ଜଳୁଥିଲା । ବିନୋଦିନୀର ହାସ୍ୟ ପରିହାସ ବିଦ୍ୟୁତ୍‍ ଶିଖାପରି ତା’ର ମସ୍ତିଷ୍କର ଏକପ୍ରାନ୍ତରୁ ଅପରପ୍ରାନ୍ତଯାଏ ବାରମ୍ଭାର ବୁଲିବୁଲି ତାକୁ ଦଂଶନ କରୁଥିଲା । ସେ କହିଲା, ‘ମିଳାମିଶା ହୋଇଗଲେ ତୋ’ର ସେଥିରେ ବିଶେଷ ସୁବିଧା ହୋଇପାରେ; କିନ୍ତୁ ମୋ’ ପକ୍ଷରେ ତାହା ପ୍ରାର୍ଥନୀୟ ବୋଲି ବୋଧ ହେଉନାହିଁ । ମୋର ଅନ୍ତଃପୁରକୁ ମୁଁ ଘରଭିତରେ ମୁଁ ବାହାର ଲୋକଙ୍କୁ ଆଣି ପୂରାଇବାକୁ ଚାହୁଁନାହିଁ । ମୋର ଅନ୍ତଃପୁରକୁ ମୁଁ ଅନ୍ତଃପୁର କରି ରଖିବାକୁ ଇଚ୍ଛା କରେ ।’

 

କିଛି ନ କହି ବିହାରୀ ବିଦାୟ ନେଲା ।

 

ଈର୍ଷାଜର୍ଜ୍ଜର ମହେନ୍ଦ୍ର ପ୍ରତିଜ୍ଞା କଲା ଯେ ବିନୋଦିନୀ ସହିତ ସେ ଆଉ କଦାପି ଦେଖା କରିବ ନାହିଁ । ତା’ ପରେ ବିନୋଦିନୀ ସହିତ ସାକ୍ଷାତ୍‍ର ପ୍ରତ୍ୟାଶାରେ ଘରବାହାର ଓ ତଳଉପର ହୋଇ ଛଟପଟ ହେବାକୁ ଲାଗିଲା ।

 

(୨୮)

 

ଦିନେ ଆଶା ଅନ୍ନପୂର୍ଣ୍ଣାଙ୍କୁ ପଚାରିଲା, ‘ଆଚ୍ଛା ମାଉସୀ, ମଉସାଙ୍କର କଥା ତୁମର କେବେ ମନେପଡ଼େ ?

 

ଅନ୍ନପୂର୍ଣ୍ଣା କହିଲେ, ‘ଏଗାର ବରଷରେ ମୁଁ ବିଧବା ହୋଇଥିଲି । ସ୍ୱାମୀଙ୍କର ମୂର୍ତ୍ତି ଠିକ୍ ଛାୟାପରି ମନେପଡ଼େ ।’

 

ଆଶା ପଚାରିଲା, ‘ମାଉସୀ, ତେବେ ତୁମେ କାହାକଥା ଭାବ ?’

 

ଈଷତ୍ ହସି ଅନ୍ନପୂର୍ଣ୍ଣା କହିଲେ, ‘ମୋର ସ୍ୱାମୀ ବର୍ତ୍ତମାନ ଯାହାଙ୍କ ମଧ୍ୟରେ ଅଛନ୍ତି, ସେହି ଭଗବାନଙ୍କର କଥା ଭାବେ ।’

 

‘ସେଥିରେ ତୁମେ ସୁଖ ପାଅ ?’

 

ଅନ୍ନପୂର୍ଣ୍ଣା ଆଶାର ମୁଣ୍ଡଉପରେ ସସ୍ନେହ ହାତ ବୁଲାଇ କହିଲେ, ‘ମୋର ସେ ମନକଥା ତୁ କ’ଣ ବୁଝିବୁ ମାଆ ? ସେ କଥା ମୋର ମନ ଜାଣେ, ଆଉ ଯାହାଙ୍କ କଥା ଭାବେ ସେ ଜାଣନ୍ତି-।’

 

ଆଶା ମନେ ମନେ ଭାବିଲା, ‘ଯାହା କଥା ମୁଁ ଦିନରାତି ଭାବେ, ସେ କ’ଣ ମୋ’ ମନକଥା ଜାଣନ୍ତି ନାହିଁ ? ମୁଁ ଭଲ କରି ଚିଠି ଲେଖିପାରେ ନାହିଁ ବୋଲି ସେ କାହିଁକି ମୋ’ ପାଖକୁ ଚିଠି ଲେଖିବା ଛାଡ଼ିଦେଇଛନ୍ତି ?’ ଗତ କେତେଦିନ ହେଲା ଆଶା ମହେନ୍ଦ୍ରର ଚିଠି ପାଇନାହିଁ । ନିଶ୍ୱାସପକାଇ ସେ ମନେ ମନେ ଭାବିଲା, ‘ଯଦି ‘ଅସହୀ’ ମୋ ’ ପାଖରେ ଥାନ୍ତା, ତେବେ ସେ ମୋର ମନକଥାକୁ ଠିକ୍ ଭାବରେ ଲେଖିଦେଇ ପାରୁଥାନ୍ତା ।’

 

କୁ-ଲିଖିତ ତୁଚ୍ଛ ପତ୍ର ସ୍ୱାମୀଙ୍କ ପାଖରେ ଆଦର ପାଇବ ନାହିଁ ମନେକରି ଚିଠି ଲେଖିବାକୁ ଆଶାର ହାତ ଯାଏ ନାହିଁ । ଯେତେ ଯତ୍ନକରି ଲେଖିବାକୁ ଚେଷ୍ଟାକରେ ତା’ର ଅକ୍ଷର ସେତେ ଖରାପ୍ ହୋଇଯାଏ | ମନକଥାକୁ ଯେତେ ସଜାଡ଼ି ଲେଖିବାକୁ ଚେଷ୍ଟାକଲେ ମଧ୍ୟ ପଦଗୁଡ଼ାକ ଆଦୌ ସମ୍ପୂର୍ଣ୍ଣ ହୋଇପାରେନାହିଁ । ଯଦି କେବଳ ‘ଶ୍ରୀଚରଣେଷୁ’ ଲେଖି ନାଆଁ ଦସ୍ତଖତ କରିଦେଲେ ମହେନ୍ଦ୍ର ଅନ୍ତର୍ଯ୍ୟାମୀ ଦେବତାପରି ସବୁକଥା ବୁଝିପାରୁଥାନ୍ତା, ତା’ ହେଲେ ଆଶା ଚିଠିଗୁଡ଼ିକ ଅବଶ୍ୟ ସାର୍ଥକ ହେଉଥାନ୍ତା । ବିଧାତା ଏତେ ପ୍ରେମ ଦେଇଛନ୍ତି, ଟିକିଏ ଭାଷା ଦେଇନାହାନ୍ତି କାହିଁକି ? ମନ୍ଦିରର ସନ୍ଧ୍ୟାଆରତିପରେ ଆଶା ଘରକୁ ଫେରି ଅନ୍ନପୂର୍ଣ୍ଣାଙ୍କ ଗୋଡ଼ପାଖରେ ବସି ଆସ୍ତେ ଆସ୍ତେ ତାଙ୍କୁ ଘଷିବାକୁ ଲାଗିଲା । ଅନେକ ସମୟ ନିଃଶବ୍ଦ ରହିବାପରେ କହିଲା, ‘ମାଉସୀ, ସ୍ୱାମୀକୁ ଦେବତା ମନେକରି ତାଙ୍କର ସେବା କରିବା ସ୍ତ୍ରୀର ଧର୍ମ ବୋଲି ତୁମେ କହ–କିନ୍ତୁ ଯେଉଁ ସ୍ତ୍ରୀ ମୂର୍ଖ, ଯାହାର ବୁଦ୍ଧି ନାହିଁ, କିପରି ସ୍ୱାମୀସେବା କରିବାକୁ ହୁଏ ଯିଏ ଜାଣେ ନାହିଁ, ସେ କ’ଣ କରିବ ?’

 

ଅନ୍ନପୂର୍ଣ୍ଣା କିଛିସମୟ ଆଶାର ମୁହଁକୁ ଚାହିଁରହିଲେ, ଗୋଟିଏ ଅସ୍ପଷ୍ଟ ଦୀର୍ଘନିଃଶ୍ୱାସ ପକାଇ କହିଲେ, ‘ମାଆ, ମୁଁ ବି ତ ମୂର୍ଖ, ତଥାପି ତ ଭଗବାନଙ୍କର ସେବା କରୁଚି ।’

 

ଆଶା କହିଲା, ‘ସେ ତୁମ ମନକଥା ଜାଣନ୍ତି । ତେଣୁ ଖୁସି ହୁଅନ୍ତି । କିନ୍ତୁ ମନେକର, ଯଦି ସ୍ୱାମୀ ମୂର୍ଖ ସ୍ତ୍ରୀର ସେବାରେ ଖୁସି ନ ହୁଅନ୍ତି ।’

 

ଅନ୍ନପୂର୍ଣ୍ଣା କହିଲେ, ‘ସମସ୍ତଙ୍କୁ ଖୁସି କରିବାର ଶକ୍ତି ସମସ୍ତଙ୍କର ନ ଥାଏ ମା’ । ସ୍ତ୍ରୀ ଯଦି ଆନ୍ତରିକ ଶ୍ରଦ୍ଧାଭକ୍ତିଯତ୍ନରେ ସ୍ୱାମୀର ସେବା ଓ ସଂସାରର କାର୍ଯ୍ୟ କରେ, ତେବେ ସ୍ୱାମୀ ତାକୁ ତୁଚ୍ଛ କଲେ ମଧ୍ୟ ସ୍ୱୟଂ ଜଗଦୀଶ୍ୱର ତାକୁ ଗ୍ରହଣ କରନ୍ତି ।’

 

ଆଶା ନିରୁତ୍ତର ରହିଲା । ମାଉସୀଙ୍କର ଏହି କଥାରୁ ସାନ୍ତ୍ୱନା ପାଇବାକୁ ସେ ବହୁତ ଚେଷ୍ଟା କଲା । କିନ୍ତୁ ଯାହାକୁ ସ୍ୱାମୀ ତୁଚ୍ଛ କରନ୍ତି, ତାକୁ ସେ ଜଗଦୀଶ୍ୱର ସାର୍ଥକତା ଦେଇପାରନ୍ତି, ଏକଥା ସେ ଆଦୌ ସ୍ୱୀକାର କରିପାରିଲା ନାହିଁ । ନତମୁଖ ହୋଇ ବସି ସେ ତା’ର ମାଉସୀ ଗୋଡ଼ରେ ହାତ ବୁଲାଇବାକୁ ଲାଗିଲା ।

 

ଅନ୍ନପୂର୍ଣ୍ଣା ଆଶାର ହାତଧରି ତାକୁ ପାଖକୁ ଟାଣିନେଲେ । ତା’ର ମସ୍ତକ ଚୁମ୍ୱନ କଲେ, ଦୃଢ଼ଚେଷ୍ଟାରେ ରୁଦ୍ଧକଣ୍ଠକୁ ବାଧାମୁକ୍ତ କରି କହିଲେ, ‘ଚୁନି, ଦୁଃଖକଷ୍ଟରୁ ଯେଉଁ ଶିକ୍ଷାଲାଭ ହୁଏ, କେବଳ କାନରେ ଶୁଣି ତୁ ତାହା ପାଇପାରିବୁ ନାହିଁ । ତୋ’ର ଏଇ ମାଉସୀ ମଧ୍ୟ ତୋହରି ବୟସରେ ତୋ’ରିପରି ସଂସାର ସହିତ ଦେଖାପାଉଣାର ସମ୍ପର୍କ ରଖିଥିଲା । ସେତେବେଳେ ମୁଁ ମଧ୍ୟ ତୋ’ରିପରି ମନେକରୁଥିଲି–ଯାହାର ସେବା କରିବି, ତାହାଠାରୁ ମୁଁ ସନ୍ତୋଷ ନ ପାଇବି କାହିଁକି ? ଯାହାର ପୂଜା କରିବି, ତା’ର ପ୍ରସାଦ ନ ପାଇବି କାହିଁକି ? ଯାହାର ଭଲପାଇଁ ଚେଷ୍ଟା କରିବି, ସିଏ ମୋର ଚେଷ୍ଟାକୁ ଭଲ ବୋଲି ନ ବୁଝିବ କାହିଁକି ? ପଦେ ପଦେ ଅଙ୍ଗେ ଲିଭାଇ ଦେଖିଲି ଯେ ପ୍ରକୃତ ସଂସାରରେ ସେପରି ହୁଏ ନାହିଁ । ଅବଶେଷରେ ଦିନେ ଅସହ୍ୟ ହୋଇ ମନେହେଲା ଯେ ପୃଥିବୀରେ ମୋର ସବୁ ବ୍ୟର୍ଥ ହୋଇଯାଇଛି–ସେଇଦିନ ସଂସାର ତ୍ୟାଗକରି ଆସିଲି । ଆଜି ଦେଖୁଚି, ମୋର କିଛି ନିଷ୍ଫଳ ହୋଇନାହିଁ । ଆଲୋ ମାଆ, ଯାହାଙ୍କ ସହିତ ଅସଲ ଦେଣା ଆଉ ପାଉଣାର ସମ୍ପର୍କ, ଯିଏ ଏଇ ସଂସାର-ହାଟର ମୂଳ ମହାଜନ, ସିଏ ମୋର ସବୁ ଗ୍ରହଣ କରୁଥିଲେ, ଆଜି ହୃଦୟ ଭିତରେ ରହି ତାଙ୍କର କର୍ମ ବୋଲି ଭାବି ସଂସାର-କର୍ମ କରିଥାନ୍ତି, ତାଙ୍କୁ ଦେଲି ବୋଲି ଭାବି ସଂସାରକୁ ହୃଦୟ ଦେଇଥାନ୍ତି, ତା’ ହେଲେ କିଏ ମୋତେ କି ଦୁଃଖ ଦେଇପାରିଥାନ୍ତା ?’

 

ବିଛଣାରେ ଶୋଇ ଶୋଇ ଆଶା ଅନେକ ରାତିପର୍ଯ୍ୟନ୍ତ ଅନେକ କଥା ଭାବିଲା, ତଥାପି ଭଲଭାବରେ କିଛି ବୁଝିପାରିଲା ନାହିଁ । କିନ୍ତୁ ପୁଣ୍ୟବତୀ ମାଉସୀପ୍ରତି ତା’ର ଅସୀମ ଭକ୍ତି ଥିଲା । ସେହି ମାଉସୀଙ୍କର କଥା ସମ୍ପୂର୍ଣ୍ଣ ନ ବୁଝିଲେ ମଧ୍ୟ ତାହାକୁ ହିଁ ସେ ଶିରୋଧାର୍ଯ୍ୟ କରିନେଲା । ସଂସାରରେ ସମସ୍ତଙ୍କ ଉପରେ ମାଉସୀ ଯାହାକୁ ହୃଦୟରେ ସ୍ଥାନ ଦେଇଛନ୍ତି, ଅନ୍ଧାରରେ ବିଛଣାରୁ ଉଠି ସେ ମୁଣ୍ଡ ନୁଆଇଁ ତାଙ୍କର ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲା । କହିଲା, ‘ମୁଁ ସାମାନ୍ୟ ବାଳିକା, ତୁମକୁ ଜାଣିନାହିଁ, ମୁଁ କେବଳ ମୋର ସ୍ୱାମୀଙ୍କୁ ଜାଣିଚି । ସେଇଥିପାଇଁ ମୋର ଅପରାଧ ଧରିବ ନାହିଁ । ହେ ଭଗବାନ ମୋର ସ୍ୱାମୀଙ୍କୁ ମୁଁ ଯେଉଁ ପୂଜା ଦିଏ, ତୁମେ ତାଙ୍କୁ ତାହା ଗ୍ରହଣ କରିବାକୁ କହ । ଯଦି ସେ ତାକୁ ଗୋଡ଼ରେ ଠେଲିଦେବେ, ତେବେ ମୁଁ ଆଉ ବଞ୍ଚିବି ନାହିଁ । ମୁଁ ମୋ ମାଉସୀଙ୍କରପରି ପୁଣ୍ୟବତୀ ନୁହେଁ, ତୁମକୁ ଆଶ୍ରୟ କରି ମୁଁ ରକ୍ଷା ପାଇପାରିବି ନାହିଁ ।’ ଏହା କହି ଆଶା ବିଛାଣାଉପରେ ବାରମ୍ୱାର ପ୍ରଣାମ କଲା ।

 

ଆଶାର ବଡ଼ବାପାଙ୍କର ଫେରିବା ସମୟ ହେଲା । ବିଦାୟର ପୂର୍ବସନ୍ଧ୍ୟାରେ ଅନ୍ନପୂର୍ଣ୍ଣା ଆଶାକୁ ଆପଣା କୋଳରେ ବସାଇ କହିଲେ, ‘ଚୁନି, ମାଆ ମୋର, ସଂସାର ସୁଖଦୁଃଖ ଅମଙ୍ଗଳରୁ ତୋତେ ସବୁବେଳେ ରକ୍ଷା କରିପାରିବାର ଶକ୍ତି ମୋ’ପାଖରେ ନାହିଁ । ମୁଁ କେବଳ ଏତିକି ଉପଦେଶ ଦେବି ଯେ ଯେଉଁଠାରେ ଯେତେ କଷ୍ଟ ପାଆ ପଛକେ, ତୋ’ର ବିଶ୍ୱାସ ଓ ତୋ’ର ଭକ୍ତିକୁ ସବୁବେଳେ ନିଶ୍ଚୟ ସ୍ଥିର ରଖିଥିବୁ । ତୋ’ର ଧର୍ମ ଯେପରି ଅଟଳ ରହିଥିବ ।’

 

ଆଶା ତାଙ୍କ ପାଦଧୂଳି ନେଇ କହିଲା, ‘ଆଶୀର୍ବାଦ ଦିଅ ମାଉସୀ ! ତାହାହିଁ ହେଉ ।’

 

(୨୯)

 

ଆଶା ଫେରିଆସିଲା । ବିନୋଦିନୀ ତା’ଉପରେ ଭାରୀ ଅଭିମାନ କଲା । ଏତେଦିନ ସିଆଡ଼େ ଯାଇ ରହିଲୁ, ଖଣ୍ଡେ ଚିଠି ଦେବାକୁ ବି ତୋର ମନେ ହେଲା ନାହିଁ ?’

 

ଆଶା କହିଲା, ‘ତୁ ବା କୋଉ ଚିଠି ଦେଉଥିଲୁ ?’

 

ବିନୋଦିନୀ କହିଲା, ‘ମୁଁ କାହିଁକି ପ୍ରଥମେ ଦେଇଥାନ୍ତି ? ତୋ’ର ତ ଆଗେ ଦେବାର କଥା ।’ ବିନୋଦିନୀକୁ ବାହୁଦ୍ୱାରା ବେଷ୍ଟନ କରି ଆଶା ନିଜର ଅପରାଧ ସ୍ୱୀକାର କଲା । କହିଲା, ତୁ’ତ ଜାଣିଚୁ ଭଉଣୀ, ମୁଁ ଭଲ ଲେଖିପାରେ ନାହିଁ । ବିଶେଷତଃ ତୋ’ପରି ପଣ୍ଡିତ ପାଖକୁ କିଛି ଲେଖିବାକୁ ମୋତେ ଆହୁରି ଲାଜ ମାଡ଼େ ।’

 

ଦେଖୁ ଦେଖୁ ଦୁହିଁଙ୍କର ବିବାଦ ମେଣ୍ଟିଯାଇ ପ୍ରଣୟ ଉଦ୍‍ବେଳିତ ହେବାକୁ ଲାଗିଲା ।

 

ବିନୋଦିନୀ କହିଲା, ‘ଦିନରାତି ସଙ୍ଗଦେଇ ତୋ’ ସ୍ୱାମୀଟିର ଅଭ୍ୟାସକୁ ତୁ ଏକଦମ୍ ଖରାପ କରିଦେଇଚୁ । ଜଣେ କେହି ପାଖରେ ନ ରହିଲେ ରହିପାରନ୍ତି ନାହିଁ ।’

 

ଆଶା–ସେଇଥିପାଇଁ ତ ମୁଁ ତୋ’ଉପରେ ଭାର ଦେଇଯାଇଥିଲି । କିପରି ଭାବରେ ସଂଗ ଦେବାକୁ ହୁଏ, ମୋ’ ଅପେକ୍ଷା ତୁ ଅଧିକ ଭଲକରି ଜାଣୁ ।

 

 

ବିନୋଦିନୀ–ଦିନବେଳେ ତ କଲେଜକୁ ପଠାଇ ନିଶ୍ଚିନ୍ତ ହେଉଥିଲି; କିନ୍ତୁ ସଞ୍ଜବେଳେ କୌଣସି ପ୍ରକାର ଛୁଟି ନାହିଁ; ଗପକରିବାକୁ ହେବ, ବହି ପଢ଼ି ଶୁଣାଇବାକୁ ହେବ, ଗେହ୍ଲା ହେବାରେ ଅନ୍ତ ନାହିଁ ।

 

ଆଶା–ବେଶ୍ ହୋଇଚି । ଲୋକଙ୍କର ମନ ଯଦି ତୁ ଭୁଲାଇପାରିଲୁ, ତେବେ ଲୋକେ ତୋତେ ସହଜରେ ଛାଡ଼ିଦେବେ କାହିଁକି ?

 

ବିନୋଦିନୀ–ସାବଧାନ ହୋଇ ରହିବୁ ଭଉଣୀ । ମହେନ୍ଦ୍ରଙ୍କ ଢଙ୍ଗ ଦେଖି ବେଳେବେଳେ ସନ୍ଦେହ ହେଉଚି । ମୋତେ କ’ଣ ବଶ କରିବା ବିଦ୍ୟା ଜଣାଅଛିକି ?

 

ଆଶା ହସି ହସି କହିଲା, ‘ତୋତେ ଜଣାନାହିଁ ତ ଆଉ କାହାକୁ ଜଣାଅଛି ? ତୋ’ ବିଦ୍ୟାରୁ ଟିକିଏ ପାଇଥିଲେ ମୁଁ ବି ତରିଯାଇଥାନ୍ତି ।’

 

ବିନୋଦିନୀ–କାହିଁକି, କାହାର ସର୍ବନାଶ କରିବାକୁ ମନ ବଳିଲାଣି କି ? ଘରେ ଯେଉଁଟି ଅଛି, ଆଗେ ତାକୁ ରକ୍ଷାକର, ପରକୁ ଭୁଲାଇବାକୁ ଚେଷ୍ଟା କରନା । ସିଏ ଭାରି ଅଡ଼ୁଆ କଥା ।

 

ହସ୍ତଦ୍ୱାରା ତର୍ଜନ କରି ଆଶା ବିନୋଦିନୀକୁ କହିଲା, ‘ଆଃ, କ’ଣଗୁଡ଼ାଏ ଯେ କହୁଚ, ତାହାର କିଛି ଠିକଣା ନାହିଁ ।’

 

ଆଶା କାଶୀରୁ ଫେରିବାପରେ ପ୍ରଥମ ସାକ୍ଷାତ୍‍ରେ ତାକୁ ମହେନ୍ଦ୍ର କହିଲା, ‘ତୁମର ଦେହ ତ ସେଠାରେ ବେଶ୍ ଭଲଥିଲା ବୋଲି ମନେହେଉଛି । ବେଶ୍ ମୋଟା ହୋଇଯାଇଚ ।’

 

ଆଶା ଅତ୍ୟନ୍ତ ଲଜ୍ଜାବୋଧ କଲା । ତା’ର ଦେହ ଭଲ ରହିବା ଆଦୌ ଉଚିତ ନ ଥିଲା, କିନ୍ତୁ ମୂଢ଼ ଆଶାର କିଛି ଠିକ୍‍ଭାବରେ ହୁଏ ନାହିଁ, ତା’ର ମନ ଏତେଦୂର ଖରାପ ଥିଲାବେଳେ ବି ପୋଡ଼ା ଦେହଟା ତଥାପି ମୋଟା ହୋଇଗଲା । ଏକେତ ମନର ଭାବ ବ୍ୟକ୍ତ କରିବାକୁ କଥା କହିଆସେ ନାହିଁ, ତା’ ଉପରେ ପୁଣି ଦେହଟା ବି ଓଲଟା କରେ ।

 

ମୃଦୁସ୍ୱରରେ ସେ ପଚାରିଲା, ‘ତୁମେ କିପରି ଥିଲ ?’

 

ଆଗେ ହୋଇଥିଲେ କିଛି ରହସ୍ୟ ଓ କିଛି ସତ୍ୟ ମିଶାଇ ମହେନ୍ଦ୍ର ଏହି ପ୍ରଶ୍ନର ଉତ୍ତର ଦେଇଥାନ୍ତା–‘ମରିକରି ଥିଲି ।’ ବର୍ତ୍ତମାନ ସେ ଆଉ ରହସ୍ୟ କରିପାରିଲାନାହିଁ । କଣ୍ଠପାଖରେ ତାହା ଅଟକିଗଲା । କହିଲା, ‘ବେଶ୍ ଥିଲି, କିଛି ମନ୍ଦ ନୁହେଁ ।’

 

ଆଶା ଲକ୍ଷ୍ୟକରି ଦେଖିଲା, ମହେନ୍ଦ୍ର ପୂର୍ବଅପେକ୍ଷା ଟିକିଏ ଦୁର୍ବଳ ଦେଖାଯାଉଚି । ତାହାର ମୁହଁ ପାଣ୍ଡୁବର୍ଣ୍ଣ, ଆଖିରେ ଏକପ୍ରକାରର ତୀବ୍ର ଦୀପ୍ତି । ଯେପରି ଗୋଟିଏ ଆଭ୍ୟନ୍ତରିକ କ୍ଷୁଧା ତାକୁ ଅଗ୍ନିଜିହ୍ୱା ବିସ୍ତାର କରି ଲେହନ କରି ଖାଇଯାଉଚି । ମନେ ମନେ ବଡ଼ ବ୍ୟଥିତ ହୋଇ ଆଶା ଭାବିଲା, ‘ଆହା, ମୋର ସ୍ୱାମୀ ଏଠି ହଇରାଣ ହେଉଥିଲେ, ଆଉ ତାଙ୍କୁ ଛାଡ଼ି ମୁଁ କାଶୀ ଚାଲିଗଲି ।’ ସ୍ୱାମୀ ଦୁର୍ବଳ ହୋଇଗଲେ, ଅଥଚ ସେ ନିଜେ ମୋଟା ହୋଇଗଲା, ଏଥିଲାଗି ଆପଣାର ସ୍ୱାସ୍ଥ୍ୟ ଉପରେ ତା’ର ଅଧିକ ଧିକ୍କାର ଜନ୍ମିଲା ।

 

ମହେନ୍ଦ୍ର ଆଉ କ’ଣ କହିବ, ଭାବୁ ଭାବୁ କିଛି ସମୟ ପରେ ପଚାରିଲା, ଖୁଡ଼ୀ ଭଲ ଅଛନ୍ତି ?’

 

ଖୁଡ଼ୀଙ୍କର କୁଶଳସମ୍ୱାଦ ପାଇବାପରେ ତା’ପକ୍ଷରେ ଅଧିକ କିଛି ପଚାରିବା ଦୁଃସାଧ୍ୟ ହୋଇପଡ଼ିଲା । ପାଖରେ ଗୋଟାଏ ଛିଣ୍ଡା ପୁରୁଣା ଖବରକାଗଜ ଥିଲା, ସେଇଟାକୁ ଟାଣିନେଇ ମହେନ୍ଦ୍ର ଅନ୍ୟମନସ୍କଭାବରେ ପଢ଼ିବାକୁ ଲାଗିଲା । ତଳକୁ ମୁହଁ କରି ଆଶା ଭାବିବାକୁ ଲାଗିଲା, ‘ଏତେଦିନପରେ ଦେଖାଦେଲା । କିନ୍ତୁ ମୋ’ ସହିତ ସେ ଭଲଭାବରେ କାହିଁକି ପଦେହେଲେ କଥା କହିଲେ ନାହିଁ, ଏପରି କି ମୋ ମୁହଁକୁ ବି ଭଲଭାବରେ ଅନାଇଲେ ନାହିଁ । ମୁଁ ତିନିଚାରି ଦିନ ହେଲା ଚିଠି ଲେଖି ନ ଥିଲି ବୋଲି କ’ଣ ରାଗିଛନ୍ତି କି ? ମାଉସୀଙ୍କର ଅନୁରୋଧ ନ ଭାଙ୍ଗି ମୁଁ ବେଶୀଦିନ କାଶୀରେ ରହିଗଲି ବୋଲି କ’ଣ ବିରକ୍ତ ହୋଇଛନ୍ତି କି ? କେଉଁ ଛିଦ୍ର ଦେଇ ଯେ ଅପରାଧ ପ୍ରବେଶ କରିଚି, ନିତାନ୍ତ କ୍ଲିଷ୍ଟ ହୃଦୟରେ ସେ ତାହାର ସନ୍ଧାନ କରିବାକୁ ଲାଗିଲା ।

 

ମହେନ୍ଦ୍ର କଲେଜରୁ ଫେରିଆସିଲା । ଅପରାହ୍ନରେ ଜଳଖିଆ ଖାଇବା ସମୟରେ ରାଜଲକ୍ଷ୍ମୀ ପାଖରେ ଥିଲେ । ଆଶା ମଧ୍ୟ ମୁଣ୍ଡରେ ଓଢ଼ଣା ଦେଇ ଅଦୂରରେ କବାଟ ଧରି ଠିଆହୋଇଥିଲା । ଆଉ କେହି ନ ଥିଲେ । ରାଜଲକ୍ଷ୍ମୀ ଉଦ୍‍ବିଗ୍ନ ହୋଇ ପଚାରିଲେ, ‘ଆଜି କ’ଣ ତୋର ଦେହ ଖରାପ ଲାଗୁଚି କି ମହେନ୍ଦ୍ର ?’

 

ବିରକ୍ତଭାବରେ ମହେନ୍ଦ୍ର କହିଲା, ‘ନାଇଁ ବୋଉ, ଦେହ କାହିଁକି ଖରାପ ହେବ ?’

 

ରାଜଲକ୍ଷ୍ମୀ–ତେବେ ତୁ କିଛି ଖାଉନୁ କାହିଁକି ?

 

ପୁନର୍ବାର ଉତ୍ତ୍ୟକ୍ତ ସ୍ୱରରେ ମହେନ୍ଦ୍ର କହିଲା, ‘ଖାଉ ନାହିଁ ଆଉ କ’ଣ କରୁଚି ?’

 

ଗ୍ରୀଷ୍ମ ସନ୍ଧ୍ୟାରେ ଦେହରେ ଖଣ୍ଡେ ଚାଦର ପକାଇ ମହେନ୍ଦ୍ର ଛାତ ଉପରେ ବୁଲିବାକୁ ଲାଗିଲା । ମନେ ମନେ ଭାରୀ ଆଶା କରିଥିଲା ଯେ ସେମାନଙ୍କର ନିୟମିତ ବହିପଢ଼ାଟା ଆଜି ବନ୍ଦ ରହିବ ନାହିଁ । ‘ଆନନ୍ଦମଠ’ ପ୍ରାୟ ଶେଷ ହେବା ଉପରେ । ଆଉ କେବଳ ଦୁଇତିନି ଅଧ୍ୟାୟ ବାକି ଅଛି । ବିନୋଦିନୀ ଯେତେ ନିଷ୍ଠୁର ହେଉ ପଛକେ, ସେହି ଅଧ୍ୟାୟ କେତେଟା ତାକୁ ଆଜି ନିଶ୍ଚେ ଶୁଣାଇଯିବ । କିନ୍ତୁ ସନ୍ଧ୍ୟା ଅତୀତ ହେଲା, ସମୟ ଉତ୍ତୀର୍ଣ୍ଣ ହୋଇଗଲା । ଗୁରୁଭାର ନୈରାଶ୍ୟ ବହନ କରି ମହେନ୍ଦ୍ର ଶୋଇବାକୁ ଗଲା । ସଜିତ ଲଜ୍ଜାନ୍ୱିତ ଆଶା ଧୀରେ ଧୀରେ ଶୟନକକ୍ଷରେ ପ୍ରବେଶ କଲା । ଦେଖିଲା, ମହେନ୍ଦ୍ର ବିଛଣାରେ ଶୋଇଛି । କିପରି ଭାବରେ ସେ ଅଗ୍ରସର ହେବ, ଭାବିପାରିଲା ନାହିଁ । ବିଚ୍ଛେଦ ପରେ ପୁଣି ନୂଆକରି ଲଜ୍ଜା ହୁଏ । ମିଳନ ପର୍ବରୁ ପରସ୍ପର ପରସ୍ପରଙ୍କ ନିକଟରୁ ନୂତନ ସମ୍ଭାଷଣର ପ୍ରତ୍ୟାଶା କରନ୍ତି । ଆଶା ତା’ର ସେହି ଚିରପରିଚିତ ଆନନ୍ଦ ଶଯ୍ୟାଟିରେ ଆଜି ଅନାହୂତ ଭାବରେ କିପରି ପ୍ରବେଶ କରିବ ? ଦୁଆରମୁହଁ ପାଖରେ ସେ ଅନେକ ସମୟ ଠିଆ ହୋଇ ରହିଲା,–କିନ୍ତୁ ମହେନ୍ଦ୍ରଠାରୁ କୌଣସି ଆହ୍ୱାନ ଆସିଲା ନାହିଁ । ଅତି ଧୀରେ ଧୀରେ ପାଦେ ପାଦେ ଅଗ୍ରସର ହେଲା ଅସତର୍କରେ ହଠାତ୍ ଦେହର ଗହଣା କୋଉଠି ବାଜିଉଠିଲେ ଲାଜରେ ମରିଯିବାକୁ ଇଚ୍ଛା ହେଉଥାଏ । ଆଶା କମ୍ପିତ ହୃଦୟରେ ମଶାରୀ ପାଖକୁ ଆସି ଅନୁଭବ କଲା, ମହେନ୍ଦ୍ରକୁ ନିଦ ହୋଇଯାଇଚି । ସେତେବେଳେ ତା’ର ଆପଣାର ସାଜସଜ୍ଜା ସର୍ବାଙ୍ଗ ବେଷ୍ଟନ କରି ତାକୁ ପରିହାସ କରିବାକୁ ଲାଗିଲା । ଇଚ୍ଛା ହେଲା, ବିଦ୍ୟୁତ୍‍ବେଗରେ ଏଠାରୁ ପଳାଇଯାଇ ଅନ୍ୟ କେଉଁଠି ଶୋଇପଡ଼ନ୍ତା । ଆଶା ଯଥାସାଧ୍ୟ ନିଃଶବ୍ଦରେ ସଙ୍କୁଚିତ ହୋଇ ଖଟ ଉପରକୁ ଉଠିଲା । ତଥାପି ସେତିକିରେ ଯେତିକି ଶବ୍ଦ ହେଲା, ମହେନ୍ଦ୍ରକୁ ଯଦି ପ୍ରକୃତରେ ନିଦ ହୋଇଥାନ୍ତା, ତେବେ ତାହାର ନିଦ ନିଶ୍ଚୟ ଭାଙ୍ଗିଯାଇଥାନ୍ତା । କିନ୍ତୁ ଆଜି ତା’ର ନିଦ ଭାଭ୍ଗିଲା ନାହିଁ, କାରଣ ତାକୁ ନିଦ ହୋଇ ନ ଥିଲା । ମହେନ୍ଦ୍ର ଖଟର ଗୋଟାଏ କଡ଼କୁ ମୁହଁ କରି ଶାଇଥିଲା, ସୁତରାଂ ଆଶା ପଛଆଡ଼େ ଶୋଇ ରହିଲା । ଆଶା ଯେ ନିଃଶବ୍ଦରେ ଅଶ୍ରୁପାତ କରୁଚି, ତାକୁ ପଛ କରି ଶୋଇଥିଲେ ମଧ୍ୟ ମହେନ୍ଦ୍ର ତାହା ସ୍ପଷ୍ଟଭାବରେ ବୁଝିପାରୁଥିଲା । ନିଜର ନିଷ୍ଠାରତା’ର ବଶବର୍ତ୍ତୀ ହୋଇ ହୃତ୍‍ପିଣ୍ଡ–ଯନ୍ତାରେ ପେଷିହେଲାପରି ଦାରୁଣ ଯନ୍ତ୍ରଣା ଅନୁଭବ କରୁଥିଲା । କିନ୍ତୁ କି କଥା କହିବ, କିପରିଭାବରେ ଆଦର କରିବ ମହେନ୍ଦ୍ର କୌଣସି ପ୍ରକାରେ ତାହା ଭାବିପାରିଲା ନାହିଁ । ମନେ ମନେ ନିଜକୁ ସୁତୀବ୍ର କଷାଘାତ କରିବାକୁ ଲାଗିଲା । ସେଥିରେ ଆଘାତ ପାଇଲା; କିନ୍ତୁ ଉପାୟ ପାଇଲା ନାହିଁ । ଭାବିଲା, ‘ସକାଳେ ତ ଆଉ ନିଜର ଛଳକରି ହେବ ନାହିଁ, ସେତେବେଳେ ପୁଣି କ’ଣ କରିବ ?’

 

ନିଜେ ଆଶା ମହେନ୍ଦ୍ରର ସେହି ସଙ୍କଟକୁ ଦୂର କରିଦେଲା । ଅତି ପ୍ରତ୍ୟୁଷରୁ ଅପମାନିତ ସାଜସଜ୍ଜା ନେଇ ସେ ବିଛଣାରୁ ଉଠି ଚାଲିଗଲା, ମହେନ୍ଦ୍ରକୁ ମୁହଁ ଦେଖାଇପାରିଲା ନାହିଁ ।

 

(୩୦)

 

ଆଶା ଭାବିବାକୁ ଲାଗିଲା, ‘କାହିଁକି ଏପରି ଘଟିଲା, ମୁଁ ପୁଣି କି ଅପରାଧ କରି ମଲି ?’ କିନ୍ତୁ ଯଥାର୍ଥ ବିପଦ ଉପରେ ତଥାପି ତା’ର ଦୃଷ୍ଟି ପଡ଼ିଲା ନାହିଁ । ବିନୋଦିନୀକୁ ଯେ ମହେନ୍ଦ୍ର ଭଲ ପାଇପାରେ, ଏହି ସମ୍ଭାବନା ମଧ୍ୟ ତା’ର ମନରେ ଉଦୟ ହୋଇ ନ ଥିଲା । ସଂସାର ବିଷୟରେ ତା’ର ଆଦୌ ଅଭିଜ୍ଞତା ନ ଥିଲା, ତାହାଛଡ଼ା ବିବାହର ଅନତିକାଳପରଠାରୁ ସେ ମହେନ୍ଦ୍ରକୁ ନିଶ୍ଚୟ ଯାହା ବୋଲି ଜାଣିଥିଲା, ମହେନ୍ଦ୍ର ଯେ ତଦ୍‍ବ୍ୟତୀତ ଆଉ କିଛି ହୋଇପାରେ, ସେ ତାହା କଳ୍ପନା ହିଁ କରିପାରୁ ନ ଥିଲା ।

 

ଆଜି ମହେନ୍ଦ୍ର ଶୀଘ୍ର ଶୀଘ୍ର କଲେଜକୁ ବାହାରିଗଲା । କଲେଜକୁ ଯିବା ସମୟରେ ଆଶା ସବୁଦିନ ଝରକା ପାଖକୁ ଆସି ଠିଆହୁଏ ଏବଂ ମହେନ୍ଦ୍ର ଗାଡ଼ି ଭିତରୁ ମୁହଁ ବାହାର କରି ଚାହେଁ, ଏହା ସେମାନଙ୍କର ନିତ୍ୟନୈମିତ୍ତିକ ପ୍ରଥା ଥିଲା । ସେହି ଅଭ୍ୟାସ ଅନୁସାରେ ଗାଡ଼ିର ଶବ୍ଦ ଶୁଣିବା ମାତ୍ରକେ ଆଶା ଯନ୍ତ୍ରଚାଳିତ ପରି ଝରକା ପାଖରେ ଆସି ଉପସ୍ଥିତ ହେଲା । ମହେନ୍ଦ୍ର ମଧ୍ୟ ଅଭ୍ୟାସର ବଶବର୍ତ୍ତୀ ହୋଇ ଥରେ ଚକିତଭାବରେ ଉପରକୁ ଆଖି ଟେକିଲା, ଦେଖିଲା, ଆଶା ମଧ୍ୟ ଠିଆ ହୋଇଚି–ସେପର୍ଯ୍ୟନ୍ତ ତା’ର ସ୍ନାନ ହୋଇ ନାହିଁ । ମଳିନ ବସ୍ତ୍ର , ଅସଂଯତ କେଶ, ଶୁଷ୍କ ମୁଖ–ଦେଖି ନିମେଷ ମଧ୍ୟରେ ମହେନ୍ଦ୍ର ମୁହଁ ତଳକୁ କରି କୋଳ ଉପରେ ଥିବା ବହି ଆଡ଼କୁ ଅନାଇଲା । ଆଖିରେ ସେହି ନୀରବ ସମ୍ଭାଷଣ, ସେହି ଭାଷାପୂର୍ଣ୍ଣ ହସ ଆଜି କୁଆଡ଼େ ଗଲା ? ଗାଡ଼ି ଅଦୃଶ୍ୟ ହୋଇଗଲା, ଆଶା ସେଇଠାରେ ଚଟାଣ ଉପରେ ବସିପଡ଼ିଲା । ପୃଥିବୀ ସଂସାର ସବୁ ବିସ୍ୱାଦ ହୋଇଗଲା । କଲିକତା’ର କର୍ମପ୍ରବାହରେ ସେତେବେଳେ ଜୁଆର ସମୟ । ସାଢ଼େ ଦଶଟା ବାଜିଚି, ଅଫିସର ଗାଡ଼ି ବିରାମ ନାହିଁ, ଟ୍ରାମ ପଛରେ ଟ୍ରାମ ଦଉଡ଼ିଚି,-ସେହି ବ୍ୟସ୍ତତାବେଗବାନ୍ କର୍ମକଲ୍ଲୋଳର ଅଦୂରରେ ଏହି ବେଦନାସ୍ତମ୍ଭିତ ମୁହ୍ୟମାନ ହୃଦୟଟି ଅତି ବିଷଦୃଶଭାବେ ପଡ଼ିରହିଲା ।

 

ହଠାତ୍ ସେ ଭାବିବାକୁ ଆରମ୍ଭ କଲା, ‘ଏବେ ବୁଝିଲି । ବିହାରୀବାବୁ କାଶୀ ଯାଇଥିଲେ, ସେହିପାଇଁ ସେ ରାଗିଛନ୍ତି । ତାହା ବ୍ୟତୀତ ଇତିମଧ୍ୟରେ ଆଉ କୌଣସି ଅପ୍ରୀତିକର ଘଟଣା ତ ଘଟିନାହିଁ, କିନ୍ତୁ ସେଥିରେ ମଧ୍ୟ ମୁଁ କିପରି ଦୋଷୀ ହେବି ?’

 

ଭାବୁ ଭାବୁ ଅକସ୍ମାତ୍ ମୂହୂର୍ତ୍ତକ ପାଇଁ ଯେପରି ଆଶାର ହୃଦସ୍ପନ୍ଦନ ବନ୍ଦ ହୋଇଗଲା । ହଠାତ୍ ତା’ର ଆଶଙ୍କା ହେଲା, ମହେନ୍ଦ୍ର କ’ଣ ସନ୍ଦେହ କରିଚି ଯେ ବିହାରୀ କାଶୀ ଯିବା ସହିତ ଆଶାର କୌଣସି ଯୋଗ ଅଛି ? ଦୁଇଜଣ ପରାମର୍ଶ କରି ହୁଏତ ଏହା କରିଚନ୍ତି । ଛି-ଛି ! ଏପରି ସନ୍ଦେହ ! କି ଲାଜ କଥା, ଏକେତ ବିହାରୀ ସହିତ ତା’ର ନାମ ଜଡ଼ିତ ହୋଇ ଧିକ୍କାରର କାରଣ ହୋଇଚି, ତା’ ଉପରେ ପୁଣି ଯଦି ମହେନ୍ଦ୍ର ଏପରି ସନ୍ଦେହ କରେ ! ତେବେ ଆଉ ପ୍ରାଣ ରଖିବା ଉଚିତ ନୁହେଁ, କିନ୍ତୁ ଯଦି ସନ୍ଦେହରେ କୌଣସି କାରଣ ଥାଏ, ଯଦି ପ୍ରକୃତରେ କୌଣସି ଅପରାଧ ହୋଇଥାଏ–ତେବେ ମହେନ୍ଦ୍ର କାହିଁକି ସ୍ପଷ୍ଟକରି ସେ କଥା କହୁନାହିଁ, –ବିଚାର କରି କାହିଁକି ତା’ର ଉପଯୁକ୍ତ ଦଣ୍ଡ ଦେଉନାହିଁ ? ଖୋଲାଖୋଲି କୌଣସି କଥା ନ କହି ମହେନ୍ଦ୍ର ଆଶାଠାରୁ କେବଳ ଦୂରେଇ ରହିବାକୁ ଚେଷ୍ଟା କରୁଚି । ହୁଏତ ତା’ର ମନ ଭିତରେ ଏପରି କୌଣସି ଅନ୍ୟାୟ ସନ୍ଦେହ ଆସିଚି, ଯାହାକୁ କି ସେ ନିଜେ ମଧ୍ୟ ଅନ୍ୟାୟ ବୋଲି ଜାଣେ, ଯାହାକୁ ଆଶା ପାଖରେ ସ୍ପଷ୍ଟ କରି ସ୍ୱୀକାର କରିବାକୁ ସେ ଲଜ୍ଜାବୋଧ କରୁଚି, ନ ହେଲେ ଏପରି ଅପରାଧୀ ପରି ତା’ର ଚେହେରା ଦେଖାଯାଉଚି କାହିଁକି ? କ୍ରୁଦ୍ଧ ବିଚାରକର ତ ଏପରି କୁଣ୍ଠିତ ହେବା ଉଚିତ ନୁହେଁ ! ଗାଡ଼ିଭିତରୁ ମହେନ୍ଦ୍ରକୁ ଆଶାର ଯେଉଁ ମ୍ଳାନ କରୁଣ ମୁହଁଟି ଦେଖାଯାଉଥିଲା, ସମସ୍ତ ଦିନ ସେ ତାହାକୁ ମନରୁ ପୋଛିଦେଇ ପାରିଲା ନାହିଁ । କଲେଜରେ ଲେକଚର ଶୁଣୁଶୁଣୁ,–ଛାତ୍ରମଣ୍ଡଳୀ ମଧ୍ୟରେ – ସେହି ବାତାୟନ, ଆଶାର ସେହି ରୂକ୍ଷ ବେଶ, ସେହି ମଳିନ ବସ୍ତ୍ର, ସେହି ବ୍ୟଥିତ ବ୍ୟାକୁଳ ଦୃଷ୍ଟିପାତ ସୁସ୍ପଷ୍ଟ ରେଖାରେ ବାରମ୍ୱାର ଅଙ୍କିତ ହୋଇଉଠିଲା ।

 

କଲେଜରେ କାମସାରି ସେ ଗୋଲଦିଘିକୁ ଗଲା । ସେଠାରେ ବୁଲୁବୁଲୁ ସନ୍ଧ୍ୟା ହୋଇଆସିଲା । ଆଶା ସହିତ କିପରି ବ୍ୟବାହାର କର୍ତ୍ତବ୍ୟ, ତାହା ସେ ଭାବିଭାବି ଠିକ୍ କରିପାରିଲା ନାହିଁ । ସଦୟ ଛଳନା ନା ଅକପଟ ନିଷ୍ଠୁରତା–କେଉଁଟା କର୍ତ୍ତବ୍ୟ ? ବିନୋଦିନୀକୁ ସେ ପରିତ୍ୟାଗ କରିବ କି ନାହିଁ, ସେହି ତର୍କ ଆଉ ମନରେ ଉଦୟ ହେଉ ନାହିଁ । ଦୟା ଏବଂ ପ୍ରେମ, ଉଭୟଙ୍କର ଦାବୀ ମହେନ୍ଦ୍ର କିପରି ପୂରଣ କରିବ ?

 

ସେତେବେଳେ ମହେନ୍ଦ୍ର ଗୋଟିଏ କଥା କହି ଆପଣାକୁ ବୁଝାଇବାକୁ ଲାଗିଲା । ଏପର୍ଯ୍ୟନ୍ତ ଆଶା ପ୍ରତି ତା’ର ଯେତିକି ସ୍ନେହ ରହିଚି, ତାହା ସ୍ତ୍ରୀର ଭାଗ୍ୟରେ କ୍ୱଚିତ୍ ମିଳିଥାଏ । ସେତିକି ସ୍ନେହପ୍ରେମ ପାଇ ଆଶା କାହିଁକି ସନ୍ତୁଷ୍ଟ ନ ରହିବ ? ବିନୋଦିନୀ ଏବଂ ଆଶା ଉଭୟଙ୍କୁ ସ୍ଥାନ ଦେବାଭଳି ପ୍ରଶସ୍ତ ହୃଦୟ ମହେନ୍ଦ୍ରର ଅବଶ୍ୟ ଅଛି । ବିନୋଦିନୀ ସହିତ ମହେନ୍ଦ୍ରର ଯେଉଁ ପବିତ୍ର ପ୍ରେମର ସମ୍ୱନ୍ଧ, ତଦ୍ଦ୍ୱାରା ଦାମ୍ପତ୍ୟ ନୀତିରେ କୌଣସି ବ୍ୟାଘାତ ହେବ ନାହିଁ ।

 

ଏହିପରି ଆପଣାକୁ ବୁଝାଇ ମହେନ୍ଦ୍ର ମନର ବୋଝ ହାଲୁକା କରିଦେଲା ବିନୋଦିନୀ ଏବଂ ଆଶାଙ୍କ ମଧ୍ୟରୁ କାହାରିକୁ ତ୍ୟାଗ ନ କରି ଦୁଇ ଚନ୍ଦ୍ରସେବିତ ଗ୍ରହପରି ସେ ଚିରକାଳ କଟାଇଦେଇପାରିବ । ଏହି କଥା ମନେକରି ତାହାର ମନ ପ୍ରଫୁଲ ହୋଇଉଠିଲା । ଆଜି ରାତିରେ ସେ ଖୁବ୍‍ଶୀଘ୍ର ବିଛଣାରେ ପ୍ରବେଶ କରି ଆଦରରେ ଯତ୍ନରେ ଓ ସ୍ନିଗ୍‍ଧ ଆଳାପରେ ଆଶାର ମନରୁ ସକଳବେଦନା ଦୂର କରିଦେବ । ଏହା ସ୍ଥିରକରି ସେ ଦ୍ରୁତପଦରେ ଘରକୁ ଫେରିଆସିଲା ।

 

ଆହାର–ସମୟରେ ଆଶା ଉପସ୍ଥିତ ନ ଥିଲା । କିନ୍ତୁ ଶୋଇବାକୁ ତ ଅବଶ୍ୟ ଆସିବ ? ଏହି କଥା ମନେକରି ମହେନ୍ଦ୍ର ବିଛଣାଉପରକୁ ଗଲା । କିନ୍ତୁ ନିସ୍ତବ୍‍ଧ ଘରେ ସେହି ଶୂନ୍ୟଶଯ୍ୟାରେ କେଉଁ ସ୍ମୃତି ମହେନ୍ଦ୍ରକୁ ଆବିଷ୍ଟ କରିପକାଇଲା । ଆଶା ସହିତ ନବପରିଣୟର ନିତ୍ୟ ନୂତନ ଲୀଳା-? ନା–ଯେପରି ସୂର୍ଯ୍ୟାଲୋକ ପାଖରେ ଜ୍ୟୋସ୍ନା ନିଷ୍ପ୍ରଭ ହୋଇଯାଏ, ସେହିସବୁ ସ୍ମୃତି ସେହିପରି କ୍ଷୀଣ ହୋଇଆସିଲାଣି । ଗୋଟିଏ ତ୍ରୀବ ଉଜ୍ଜ୍ୱଳ ତରଣୀ ମୂର୍ତ୍ତି ସରଳା ବାଳିକାର ସଲଜ୍ଜ ସ୍ନିଗ୍‍ଧ ଛବିକୁ ଆବୃତ ଆଚ୍ଛନ୍ନ କରି ଦୀପ୍ୟମାନ ହୋଇଉଠିଚି । ବିନୋଦିନୀ ସହିତ ‘ବିଷବୃକ୍ଷ’ ନେଇ ସେ ଦିନର ଛଡ଼ାଛଡ଼ି କରିବା କଥା ମନେପଡ଼ିଗଲା । ସନ୍ଧ୍ୟାବେଳେ ବିନୋଦିନୀକୁ ‘କପାଳ କୁଣ୍ଡଳୀ’ ପଢ଼ାଇ ଶୁଣାଇ ଶୁଣାଇ କ୍ରମେ ବେଶୀ ରାତି ହୋଇଯାଏ । ଘରେ ସମସ୍ତେ ଶୋଇପଡ଼ନ୍ତି-। ନିଭୃତ କକ୍ଷର ସ୍ତବ୍‍ଧ ନିର୍ଜନତାରେ ବିନୋଦିନୀର କଣ୍ଠସ୍ୱର ଆବେଶରେ ମୃଦୁତର ଓ ରୁଦ୍ଧପ୍ରାୟ ହୋଇଆସେ । ସେ ହଠାତ୍ ଆତ୍ମସମ୍ୱରଣ କରି ବହି ରଖି ଉଠିଯାଏ । ମହେନ୍ଦ୍ର କହେ, ‘ତୁମକୁ ସିଡ଼ିଯାଏ ଛାଡ଼ିଦେଇ ଆସିବି ଚାଲ ।’ ସେହିସବୁ କଥା ବାରମ୍ୱାର ମନେପଡ଼ି ତା’ର ସର୍ବାଙ୍ଗରେ ପୁଲକ ସଞ୍ଚାର ହେବାକୁ ଲାଗିଲା । ରାତି ବେଶୀ ହେବାରେ ଲାଗିଚି,–ମହେନ୍ଦ୍ରର ମନରେ ଈଷତ୍ ଆଶଙ୍କା ଜାତ ହେଲା । ହୁଏତ ବର୍ତ୍ତମାନ ଆଶା ଆସି ପହଞ୍ଚିଯିବ । କିନ୍ତୁ ଆଶା ଆଉ ଆସିଲା ନାହିଁ-। ମହେନ୍ଦ୍ର ଭାବିଲା, ‘ମୁଁ ମୋର କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ ଥିଲି, କିନ୍ତୁ ଆଶା ଅନ୍ୟାୟ ରାଗ କରି ନ ଆସିଲେ ମୁଁ ଆଉ କ’ଣ କରିବି ?’ ଏହା ଭାବି ବିନୋଦିନୀର ଧ୍ୟାନକୁ ପୁଣି ଘନୀଭୂତ କରିବାକୁ ଲାଗିଲା ।

 

ଯେତେବେଳେ ଘଡ଼ିରେ ଆସି ଗୋଟାଏ ବାଜିଲା, ସେତେବେଳେ ମହେନ୍ଦ୍ର ଆଉ ରହିପାରିଲା ନାହିଁ । ମଶାରି ଟେକି ବାହାରକୁ ବାହାରି ଆସିଲା, ଛାତ ଉପରକୁ ଯାଇ ଦେଖିଲା, ଜୋତ୍ସ୍ନାରାତି ଭାରି ରମଣୀୟ ହୋଇଚି । କଲିକତା’ର ପ୍ରକାଣ୍ଡ ନିଃଶବ୍ଦତା ଏବଂ ସୁପ୍ତି ଯେପରି ସ୍ତବ୍‍ଧ ସମୁଦ୍ରର ଜଳରାଶି ପରି ସ୍ପର୍ଶଗମ୍ୟ ବୋଲି ବୋଧ ହେଉଚି । ଅସଂଖ୍ୟ ହର୍ମ୍ୟଶ୍ରେଣୀ ଉପର ଦେଇ ମହାନଗରୀର ନିଦ୍ରାକୁ ନିବିଡ଼ତର କରି ପବନ ମୃଦୁଗମନରେ ପଦାଚାରଣା କରି ଆସୁଚି ।

 

ମହେନ୍ଦ୍ରର ବହୁଦିନର ରୁଦ୍ଧ ଆକାଂକ୍ଷା ଆପଣାକୁ ଆଉ ଧରି ରଖିପାରିଲା ନାହିଁ । ଆଶା କାଶୀରୁ ଫେରିବାପରେ ବିନୋଦିନୀ ତାକୁ ଆଉ ଦେଖା ଦେଇନାହିଁ । ଜ୍ୟୋତ୍ସ୍ନାମଦବିହ୍ୱଳ ନିର୍ଜନ ରାତି ମହେନ୍ଦ୍ରକୁ ମୋହବିଷ୍ଟ କରି ବିନୋଦିନୀ ଆଡ଼କୁ ଠେଲି ନେଇଯିବାକୁ ଲାଗିଲା । ମହେନ୍ଦ୍ର ସିଡ଼ି ଦେଇ ଓହ୍ଲାଇଗଲା । ବିନୋଦିନୀର ଘର ସମ୍ମୁଖରେ ବାରଣ୍ଡାକୁ ଆସି ଦେଖିଲା, କବାଟ ଖୋଲା ରହିଚି । ଘରେ ପ୍ରବେଶ କରି ଦେଖିଲା, ବିଛଣା ପରାହୋଇଚି । କେହି ଶୋଇ ନାହାନ୍ତି । ଘରଭିତରେ ପାଦଶବ୍ଦ ଶୁଣି ଘରର ଦକ୍ଷିଣ ତରଫ ବାରଣ୍ଡାରୁ ବିନୋଦିନୀ ପଚାରିଲା, ‘କିଏ ସେ ?’

 

ଅଭିଭୂତ ଆର୍ଦ୍ରକଣ୍ଠରେ ମହେନ୍ଦ୍ର ଉତ୍ତର ଦେଲା, ‘ବିନୋଦ, ମୁଁ ।’

 

କହି ବାରଣ୍ଡାରେ ଆସି ଉପସ୍ଥିତ ହେଲା । ଗ୍ରୀଷ୍ମ ରାତିରେ ବାରଣ୍ଡାରେ ସପ ପାରି ବିନୋଦିନୀ ସହିତ ରାଜଲକ୍ଷ୍ମୀ ଶୋଇଥିଲେ । ସେ କହିଲେ, ‘ମହେନ୍ଦ୍ର, ତୁ ଏଠି ଏତେ ରାତିରେ ?’

 

ବିନୋଦିନୀ ଆପଣାର ଘନକୃଷ୍ଣ ଭ୍ରୂଯୁଗତଳୁ ମହେନ୍ଦ୍ର ଉଦ୍ଦେଶ୍ୟରେ ବଜ୍ରାଗ୍ନି ନିକ୍ଷେପ କଲା । କୌଣସି ଉତ୍ତର ନ ଦେଇ ମହେନ୍ଦ୍ର ସେଠାରୁ ଦ୍ରୁତପଦରେ ପ୍ରସ୍ଥାନ କଲା ।

 

(୩୧)

 

ପରଦିନ ପ୍ରତ୍ୟୁଷରୁ ମେଘୁଆ କରିଥାଏ । କିଛି ଦିନର ଅସହ୍ୟ ଉତ୍ତାପପରେ ସ୍ନିଗ୍‍ଧ ଶ୍ୟାମଳ ମେଘରେ ଆକାଶ ଶୀତଳ ହୋଇଯାଇଥାଏ । ଆଜି ସମୟ ହେବା ପୂର୍ବରୁ ମହେନ୍ଦ୍ର କଲେଜକୁ ଯାଇଚି । ତା’ର ପାଲଟା ଲୁଗାପଟା ତଳେ ପଡ଼ିଚି । ଆଶା ମହେନ୍ଦ୍ରର ମଇଳା ଲୁଗାଗୁଡ଼ିକ ଗଣି ତା’ର ହିସାବ ଲେଖି ଧୋବାକୁ ବୁଝାଇ ଦେଉଚି । ସ୍ୱଭାବତଃ ମହେନ୍ଦ୍ର ଭୁଲାମନ ଓ ଅସାବଧାନ ଲୋକ । ସେଇଥିପାଇଁ ସେ ଆଶାକୁ ଅନୁରୋଧ କରି ରଖିଥିଲା ଯେ ଧୋବାକୁ ଦେବାପୂର୍ବରୁ ଯେପରି ସେ ତାହାର କମିଜ୍ ପକେଟଗୁଡ଼ିକ ଭଲ କରି ଦେଖିକରି ଦିଏ । ମହେନ୍ଦ୍ରର ଗୋଟିଏ କମିଜ୍ ପକେଟରେ ହାତ ପୂରାଇ ଆଶା ଖଣ୍ଡେ ଚିଠି ପାଇଲା । ସେହି ଚିଠିଖଣ୍ଡିକ ଯଦି ବିଷଧର ସର୍ପର ମୂର୍ତ୍ତି ଧରି ଆଶାର ଆଙ୍ଗୁଳିକୁ ଦଂଶନ କରିଥାନ୍ତା, ତେବେ ହୁଏତ ଭଲ ହୋଇଥାନ୍ତା-। କାରଣ ଉଗ୍ର ବିଷ ଶରୀର ଭିତରେ ପ୍ରବେଶ କଲେ ଚରମ ଫଳ ଫଳିବାକୁ ମୋଟେ ପାଞ୍ଚ ମିନିଟ ସମୟ ଲାଗେ । କିନ୍ତୁ ମନ ଭିତରେ ବିଷ ପ୍ରବେଶ କଲେ ମୃତ୍ୟୁ-ଯନ୍ତ୍ରଣା ଦିଏ, ମୃତ୍ୟୁ ଦିଏ ନାହିଁ । ଖୋଲାଚିଠିଟି ବାହାର କରି ଆଶା ଦେଖିଲା, ବିନୋଦିନୀର ହସ୍ତାକ୍ଷର । ନିମେଷକ ମଧ୍ୟରେ ତା’ର ମୁହଁ ପାଂଶୁବର୍ଣ୍ଣ ହୋଇଗଲା । ଚିଠିଟି ନେଇ ପାଖ ଘରକୁ ଯାଇ ସେ ପଢ଼ିବାକୁ ଲାଗିଲା–

 

‘କାଲି ରାତିରେ ତୁମେ ଯେଉଁ କାଣ୍ଡଟି କରି ବସିଲ, ସେଥିରେ କ’ଣ ତୁମର ତୃପ୍ତି ହେଲା ନାହିଁ ଯେ ଆଜି ପୁଣି କ୍ଷେମି ହାତରେ ମୋ’ ପାଖକୁ ଗୋପନ ଚିଠି ଲେଖି ପଠାଇଲ ? ଛି, ଛି, ସେ କ’ଣ ଭାବିଥିବ କହିଲ ! ମୋତେ କ’ଣ ତୁମେ ଜଗତରେ ସବୁଠାରେ ଲୋକହସା କରିବାକୁ ବସିଚ-?’

 

‘ତୁମେ ମୋ’ ପାଖରୁ କ’ଣ ଚାହୁଁଚ ? ପ୍ରେମ ? କିନ୍ତୁ ତୁମର ଏହି ଭିକ୍ଷାବୃତ୍ତି କେଉଁଥିପାଇଁ ? ଜନ୍ମ ଅବଧି ତୁମେ କେବଳ ସ୍ନେହ ପାଇଆସୁଚ । ତଥାପି ତୁମ ଲୋଭର ଅନ୍ତ ନାହିଁ ? ଜଗତରେ କାହାଠାରୁ ପ୍ରେମ ପାଇବାର ବା କାହାକୁ ପ୍ରେମ ଦେବାର ଉପାୟ ମୋତେ ଜଣାନାହିଁ । ତେଣୁ ମୁଁ ଖେଳ ଖେଳି ଭଲ ପାଇବାର ଖେଦ ମେଣ୍ଟାଉଥାଏ । ତୁମର ଅବସର ଥିଲାବେଳେ ତୁମେ ମଧ୍ୟ ସେହି ଖେଳରେ ଯୋଗ ଦେଇଥିଲ । କିନ୍ତୁ ଏହି ଖେଳଛୁଟି କ’ଣ ଶେଷ ହେବ ନାହିଁ ? ତେଣୁ ଘର ଭିତରୁ ଡକରା ଆସିଲାଣି । ତେବେ ତୁମେ କାହିଁକି ଖେଳଘରେ ତଥାପି ରହିବାକୁ ମନ କରୁଥିବ ? ବର୍ତ୍ତମାନ ଦେହରୁ ଧୂଳି ଝାଡ଼ି ଘରକୁ ଯାଅ । ମୋର ତ ଘର ନାହିଁ । ମୁଁ ଏକା ଏକା ବସି ଖେଳିବି । ତୁମକୁ ଡାକିବି ନାହିଁ ।’

 

ମୋତେ ଭଲ ପାଅ ବୋଲି ତୁମେ ଲେଖିଚ । ଖେଳରେ ମୁଁ ସେକଥା ସ୍ୱୀକାର କରିପାରେ । କିନ୍ତୁ ପ୍ରକୃତ ଜୀବନରେ ମୁଁ ସେକଥା ବିଶ୍ୱାସ କରେ ନାହିଁ । ତୁମେ ଏକଦା ମନେକରୁଥିଲ ଯେ ତୁମେ ଆଶାକୁ ଭଲ ପାଅ । ସେ କଥା ମିଛ । ବର୍ତ୍ତମାନ ମନେକରୁଚ ଯେ ମୋତେ ଭଲ ପାଅ । ତାହା ମଧ୍ୟ ମିଛ । ତୁମେ କେବଳ ନିଜକୁ ଭଲ ପାଅ ।’

 

‘ଭଲ ପାଇବାର ତୃଷ୍ଣାରେ ମୋର ହୃଦୟରୁ ବକ୍ଷପର୍ଯ୍ୟନ୍ତ ସବୁ ଶୁଖିଗଲାଣି । ସେହି ତୃଷ୍ଣା ନିବାରଣ କରିବାର ସମ୍ୱଳ ତୁମ ପାଖରେ ନାହିଁ । ତାହା ମୁଁ ଭଲ କରି ଜାଣିଚି । ତେଣୁ ତୁମକୁ ବାରମ୍ୱାର କହୁଚି ଯେ ତୁମେ ମୋତେ ତ୍ୟାଗ କର । ମୋର ଅନୁସରଣ କର ନାହିଁ । ଆପେ ନିର୍ଲଜ୍ଜ ହୋଇ ଆଉ ମୋତେ ଲଜ୍ଜା ଦିଅନା । ମୋର ମଧ୍ୟ ଆଉ ଖେଳିବାପାଇଁ କୌଣସି ସୌକ୍ ନାହିଁ । ବର୍ତ୍ତମାନ ମୋତେ ଡାକିଲେ ମୋ’ଠାରୁ ଆଉ ଜବାବ ପାଇବ ନାହିଁ । ଚିଠିର ତୁମେ ମୋତେ ନିଷ୍ଠୁର ବୋଲି କହିଚ । ତାହା ହୁଏତ ସତ ହୋଇପାରେ । କିନ୍ତୁ ତଥାପି ମୋ’ ଭିତରେ କିଞ୍ଚିତ୍ ଦୟା ମଧ୍ୟ ରହିଚି । ତେଣୁ ଆଜି ମୁଁ ତୁମକୁ ଦୟା କରି ତ୍ୟାଗ କରୁଚି । ଯଦି ଏହି ଚିଠିର ଉତ୍ତର ଦିଅ ତେବେ ବୁଝିବି ଯେ ଏଠାରୁ ଚାଲି ନ ଯିବା ପର୍ଯ୍ୟନ୍ତ ତୁମ ହାତରୁ ମୁଁ ନିଷ୍କୃତ ପାଇପାରିବି ନାହିଁ ।’

 

ଚିଠିଟି ପଢ଼ିସାରିବାମାତ୍ରେ ମୁହୂର୍ତ୍ତକ ମଧ୍ୟରେ ଯେପରି ଆଶାର ସମସ୍ତ ଅବଲମ୍ୱନ ଖସିପଡ଼ିଲା । ଶରୀରର ସବୁ ମାଂସପେଶୀ ଶିଥିଳ ହୋଇଗଲା । ନିଃଶ୍ୱାସ ନେବାପାଇଁ ମଧ୍ୟ ସେ ଟିକିଏହେଲେ ପବନ ଖୋଜି ପାଇଲା ନାହିଁ । ସତେ ଯେପରି ତା’ର ଆଖି ଆଗରୁ ସୂର୍ଯ୍ୟ ସମସ୍ତ ଆଲୁଅ ଅପସରାଇ ନେଇଗଲେ । ଆଶା ପ୍ରଥମେ ବାକ୍ସ, ତା’ପରେ ଆଲମାରି, ତା’ପରେ ଚଉକୀ ଧରିବାକୁ ଚେଷ୍ଟା କରି ତଳେ ପଡ଼ିଗଲା । କିଛି ସମୟ ପରେ ସଚେତନ ହୋଇ ଚିଠିଟିକୁ ଆଉଥରେ ପଢ଼ିବାକୁ ଚେଷ୍ଟା କଲା | କିନ୍ତୁ ଉଦ୍ଭ୍ରାନ୍ତ ଚିତ୍ତ ତାହାର କୌଣସି ଅର୍ଥ ଗ୍ରହଣ କରିପାରିଲା ନାହିଁ । କଳା କଳା ଅକ୍ଷରଗୁଡ଼ିକ ତାହାର ଆଖି ଆଗରେ ନୃତ୍ୟ କରିବାକୁ ଲାଗିଲା । ଏ କ’ଣ ? ଏ କ’ଣ ହେଲା ? ଏହା କିପରି ହେଲା ? କ’ଣ ସତରେ ସବୁ ସତ୍ୟାନାଶ ହୋଇଗଲା ? କ’ଣ ସେ କରିବ ? କାହାକୁ ବା ଡାକିବ ? କୁଆଡ଼େ ଯିବ ?–କିଛି ଭାବି ପାରିଲା ନାହିଁ । ଶୁଖିଲା ମାଟି ଉପରେ ପଡ଼ି ମାଛ ଛଟପଟ ହେଲାପରି ତା’ର ଛାତିଭିତରଟା ଖାଲି ଛଟପଟ ହେବାକୁ ଲାଗିଲା । ମଜ୍ଜମାନ ବ୍ୟକ୍ତି କୌଣସି ଆଶ୍ରା ପାଇବା ପାଇଁ ପାଣି ଉପରେ ହସ୍ତ ପ୍ରସାରିତ କରି ଖୋଜିଲାପରି ମନଭିତରେ ଗୋଟାଏ କିଛି ଉର୍ଦ୍ଧ୍ୱଶ୍ୱାସରେ କହିଉଠିଲା, ‘ମାଉସୀ’ ! ଏହି ସ୍ନେହ–ସମ୍ଭାଷଣଟି ଉଚ୍ଛ୍ୱସିତ ହେବାମାତ୍ରକେ ତା’ ଆଖିରୁ ଝରଝର ହୋଇ ଲୁହ ବୋହିଯିବାକୁ ଲାଗିଲା । ମାଟିରେ ବସି କାନ୍ଦି କାନ୍ଦି କୋହ କମିଯିବାପରେ ସେ ଭାବିଲା, ‘ଏହି ଚିଠିଟି ନେଇ ମୁଁ କ’ଣ କରିବି ? ’ ଯଦି ସ୍ୱାମୀ ଜାଣିପାରନ୍ତି ଯେ ଏହି ଚିଠି ଆଶା ହାତରେ ପଡ଼ିଚି, ତେବେ ତଜ୍ଜନିତ ତାଙ୍କ ମନରେ ଯେଉଁ ନିଦାରୁଣ ଲଜ୍ଜା ଉତ୍ପନ୍ନ ହେବ, ତାହା ସ୍ମରଣ କରି ଆଶା କୁଣ୍ଠିତ ହୋଇପଡ଼ିଲା । ସେ ସ୍ଥିର କଲା ଯେ ଚିଠିଟିକୁ ପୁନରାୟ ସେହି ପାଲଟା ଜାମା ପକେଟରେ ରଖି ଆଲଣାରେ ଟଙ୍ଗାଇଦେବ । ଧୋବାଘରକୁ ଦେବ ନାହିଁ ।

 

ଏତିକି ଭାବି ଚିଠି ହାତରେ ସେ ଶୟନ ଗୃହକୁ ଆସିଲା । ଇତିମଧ୍ୟରେ ଧୋବା ଲୁଗା ଗଣ୍ଠିଲିଉପରେ ଆଉଜି କରି ଶୋଇପଡ଼ିଚି । ମହେନ୍ଦ୍ରର ପାଲଟା ଜାମାଟା ଉଠାଇନେଇ ଆଶା ଚିଠିଟିକୁ ପକେଟ ଭିତରେ ପୂରାଇବାକୁ ଯାଉଚି, ଏହି ସମୟରେ ଡାକ ଶୁଭିଲା, ‘ଅସହୀ’ !

 

ତରତର ହୋଇ ଚିଠି ଓ ଜାମାକୁ ଖଟଉପରେ ରଖିଦେଇ ସେ ତା’ ଉପରେ ବସିପଡ଼ିଲା । ବିନୋଦିନୀ ଗୃହ ଭିତରେ ପ୍ରବେଶ କରି କହିଲା, ‘ଧୋବାଟା ଭାରି ଲୁଗାପଟା ବଦଳ କରିଦେଉଚି । ଯେଉଁ ଲୁଗାଗୁଡ଼ିକରେ ଚିହ୍ନ ଦିଆହୋଇନାହିଁ , ମୁଁ ସେଗୁଡ଼ିକୁ ନେଇଯାଉଚି ।’ ଆଶା ବିନୋଦିନୀର ମୁହଁକୁ ଅନାଇପାରିଲା ନାହିଁ । କାଳେ ମୁହଁର ଭାବରୁ ମନର କଥା ପ୍ରକାଶିତ ହୋଇଯିବ, ସେଥିପାଇଁ ଝରକା ଆଡ଼କୁ ମୁହଁ ବୁଲାଇ ସେ ଚାହିଁରହିଲା । ଓଠରେ ଓଠ ଚାପି ରହିଲା, କାଳେ ଆଖିରୁ ଲୁହ ଝରିପଡ଼ିବ ।

 

ବିନୋଦିନୀ ଠିଆହୋଇ ରହି ଆଶାକୁ ନିରୀକ୍ଷଣ କରୁଥିଲା । ମନେ ମନେ କହୁଥିଲା, ‘ଏଥର ଜାଣିଲି, ତୁମେ ତେବେ କାଲି ରାତିର ବିବରଣ ଜାଣିବାକୁ ପାଇଚ ! କିନ୍ତୁ ମୋ’ ଉପରେ ଏତେ ରାଗ କାହିଁକି ? ମୁଁ ଯେପରି ସବୁଯାକ ଅପରାଧ କରଚି !’

 

ଆଶା ସହିତ କଥାବାର୍ତ୍ତା କରିବାକୁ ବିନୋଦିନୀ ଚେଷ୍ଟା କଲା ନାହିଁ । କେତେଖଣ୍ଡି ଲୁଗା ବାଛିନେଇ ଦ୍ରୁତପଦରେ ଘରୁ ବାହାରିଗଲା ।

 

ଏତେଦିନ ଧରି ଆଶା ଯେ ବିନୋଦିନୀ ସହିତ ବନ୍ଧୁତା ରଖିଆସିଚି, ତଜ୍ଜନିତ ଲଜ୍ଜା ନିଦାରୁଣ ଦୁଃଖ ଭିତରେ ମଧ୍ୟ ତାହା ହୃଦୟରେ ପୁଞ୍ଜୀକୃତ ହୋଇଉଠିଲା । ମନ ଭିତରେ ବିନୋଦିନୀକୁ ନେଇ ସେ ଯେଉଁ ଆଦର୍ଶ ପ୍ରତିମା ଗଢ଼ିଥିଲା, ସେହି ଆଦର୍ଶ ନିଷ୍ଠାର ଚିଠିଖଣ୍ଡିକୁ ଆଉଥରେ ମିଳାଇ ଦେଖିବାକୁ ଇଚ୍ଛା ହେଲା ।

 

ଚିଠିଖଣ୍ଡିକ ଖୋଲି ଦେଖୁଚି, ଏହି ସମୟରେ ମହେନ୍ଦ୍ର ଦ୍ରୁତପଦରେ ଘରେ ପ୍ରବେଶ କଲା । ହଠାତ୍ କ’ଣ ମନେପଡ଼ିଯିବାରୁ କଲେଜର ଗୋଟିଏ ଲେକ୍ଚର ଅଧାରୁ ଛାଡ଼ି ସେ ଘରକୁ ଦଉଡ଼ି ଆସିଚି ।

 

ଚିଠିଟିକୁ ଆଶା ଲୁଗାତଳେ ଲୁଚାଇ ପକାଇଲା । ଆଶାକୁ ଦେଖି ମହେନ୍ଦ୍ର ମଧ୍ୟ ଟିକିଏ ଅଟକିଗଲା । ତା’ପରେ ବ୍ୟଗ୍ର ଦୃଷ୍ଟିରେ ଘରର ଚାରିଆଡ଼କୁ ଚାହିଁବାକୁ ଲାଗିଲା । ମହେନ୍ଦ୍ର କ’ଣ ଯେ ଖୋଜୁଚି, ସେକଥା ଆଶା ବେଶ୍ ବୁଝିପାରିଥିଲା । କିନ୍ତୁ କିପରି ଭାବରେ ହାତରେ ଥିବା ଚିଠିଟିକୁ ଯଥାସ୍ଥାନରେ ରଖିଦେଇ ସେ ପଳାଇବ, ତାହା ସେ ଭାବିପାରିଲା ନାହିଁ ।

 

ମହେନ୍ଦ୍ର ଗୋଟିଗୋଟି କରି ମଇଳା ଲୁଗାଗୁଡ଼ାକୁ ଉଠାଇ ଦେଖିବାକୁ ଲାଗିଲା ।

 

ମହେନ୍ଦ୍ରର ଏହି ନିଷ୍ଫଳ ପ୍ରୟାସ ଦେଖି ଆଶା ଆଉ ରହିପାରିଲା ନାହିଁ । ଚିଠିଟା ଓ ଜାମାଟା ତଳେ ପକାଇଦେଇ ଡାହାଣ ହାତରେ ଖଟବାଡ଼ା ଧରି ତାହାରି ଭିତରେ ମୁହଁ ଗୁଞ୍ଜି ଠିଆହେଲା । ମହେନ୍ଦ୍ର ବିଦ୍ୟୁତ୍‍ବେଗରେ ଚିଠିଟି ଉଠାଇନେଲା । ସ୍ତବ୍‍ଧ ହୋଇ ମୁହୂର୍ତ୍ତକ ପାଇଁ ଆଶା ଆଡ଼କୁ ଚାହିଁ ରହିଲା । ତା’ପରେ ଆଶା ସିଡ଼ି ଉପରୁ ମହେନ୍ଦ୍ରର ଦ୍ରୁତଧାବନର ଶବ୍ଦ ଶୁଣିପାରିଲା । ସେତେବେଳକୁ ଧୋବା ଡାକୁଚି, ‘ମାଆ ସାଆନ୍ତାଣୀ, ଲୁଗା ଦେବାକୁ ଆଉ କେତେ ଡେରି କରିବ ? ଆସି ଏତେବେଳ ହେଲାଣି । ମତେ ଦୂରବାଟ ଯିବାକୁ ହେବ ପରା !’

 

(୩୨)

 

ଆଜି ସକାଳୁ ରାଜଲକ୍ଷ୍ମୀ ବିନୋଦିନୀକୁ ଡାକି ନାହାନ୍ତି । ବିନୋଦିନୀ ନିୟମ ଅନୁସାରେ ଭଣ୍ଡାର ଘରକୁ ଗଲା । ଦେଖିଲା, ରାଜଲକ୍ଷ୍ମୀ ମୁହଁଟେକି ତାକୁ ଚାହିଁଲେ ନାହିଁ ।

 

ଏକଥା ଲକ୍ଷ୍ୟକରି ମଧ୍ୟ ସେ ପଚାରିଲା, ‘ପିଉସୀ, ଆଜି ଦେହ ଭଲ ଲାଗୁ ନାହିଁ କି ? ହଁ, ନ ଲାଗିବା କଥା । କାଲି ରାତିରେ ମହେନ୍ଦ୍ର ଯେଉଁ କୀର୍ତ୍ତି କଲେ, ବିଲକୁଲ ପାଗଳଙ୍କ ପରି ଆସି ପହଞ୍ଚି ଗଲେ । ମୋର ତ ଆଉ ତା’ପରେ ନିଦ ହେଲାନାହିଁ ।’

 

ମୁହଁ ଗମ୍ଭୀର କରି ରାଜଲକ୍ଷ୍ମୀ ବସି ରହିଲେ । ହଁ–ନାଇଁ କିଛି ଉତ୍ତର ଦେଲେ ନାହିଁ ।

 

ବିନୋଦିନୀ କହିଲା, ‘ହୁଏତ ଅସହୀ ସହିତ ସାମାନ୍ୟ କ’ଣ ଟିକିଏ ଲାଗିଥିବ, ଆଉ କିଏ ସମ୍ଭାଳିବ ? ସଂଗେ ସଂଗେ ନାଲିଶ୍‍ କିମ୍ୱା ନିଷ୍ପତ୍ତି ପାଇଁ ମୋତେ ଧରିନେଇ ଯିବା ଦରକାର, ରାତି ପାହିବାଯାଏ ତର ସହିବ ନାହିଁ । ଯାହା କୁହ ପଛକେ ପିଉସୀ, ତୁମେ ରାଗନା । ତୁମ ପୁଅର ସହସ୍ର ଗୁଣ ଥାଇପାରେ, କିନ୍ତୁ ଧୈର୍ଯ୍ୟ ଆଦୌ ନାହିଁ । ଏଇଥିପାଇଁ ମୋ ସହିତ କେବଳ କଜିଆ ହୁଏ ।’

 

ରାଜଲକ୍ଷ୍ମୀ କହିଲେ, ‘ବୋହୂ, ତୁ ମିଛରେ ବକୁଚୁ । ଆଜି ମୋତେ କିଛି କଥା ଭଲ ଲାଗୁ ନାହିଁ ।’

 

ବିନୋଦିନୀ କହିଲା, ‘ମୋତେ ବି କିଛି ଭଲ ଲାଗୁ ନାହିଁ ପିଉସୀ ! କାଳେ ତୁମ ମନରେ ଆଘାତ ଲାଗିବ, ସେହି ଭୟରେ ମିଛ କଥା କହି ତୁମ ପୁଅର ଦୋଷ ଘୋଡ଼ାଇବାକୁ ଚେଷ୍ଟା କରୁଥିଲି । କିନ୍ତୁ ଏପରି ହେଲାଣି ଯେ ଆଉ ଘୋଡ଼ାଇ ହେବ ନାହିଁ ।’

 

ରାଜଲକ୍ଷ୍ମୀ–ମୋ ପୁଅର ଦୋଷଗୁଣ ମୁଁ ଜାଣେ । କିନ୍ତୁ ତୁ ଯେ ଏପରି ମାୟାବିନୀ, ସେ କଥା ଜାଣି ନ ଥିଲି ।

 

ବିନୋଦିନୀ କ’ଣ ଗୋଟିଏ କହିବାକୁ ଉଦ୍ୟତ ହୋଇ ନିଜକୁ ସମ୍ୱରଣ କଲା । କହିଲା, ସେ କଥା ଠିକ ପିଉସୀ ! କେହି କାହାରିକୁ ଜାଣିନାହାନ୍ତି । ନିଜର ମନକୁ ବି କ’ଣ ସମସ୍ତେ ଜାଣନ୍ତି-? ତୁମେ କ’ଣ କେବେ ତୁମ ବୋହୂ ଉପରେ ଦ୍ୱେଷ କରି ଏହି ମାୟାବିନୀଦ୍ୱାରା ତୁମ ପୁଅର ମନ ଭୁଲାଇବାକୁ ଚେଷ୍ଟା କରିନାହଁ ? ଥରେ ଭାବିଦେଖ ।’

 

ରାଜଲକ୍ଷ୍ମୀ ଅଗ୍ନିପରି ଉଦ୍ଦୀପ୍ତ ହୋଇଉଠିଲେ । କହିଲେ, ‘ହତଭାଗିନୀ, ପୁଅ ସମ୍ୱନ୍ଧରେ ମାଆ ନାଆରେ ତୁ ଏପରି ଅପବାଦ ଦେଇପାରୁ ? ତୋର ଜିଭ ଛିଣ୍ଡିପଡ଼ିବ ନାହିଁ ?’

 

ଅବିଚଳିତ ଭାବରେ ବିନୋଦିନୀ କହିଲା, ‘ପିଉସୀ, ଆମେ ହେଲୁ ମାୟାବିନୀ ଜାତି । ମୋ ଭିତରେ କି ମାୟା ଥିଲା, ତାହା ମୁଁ ଠିକ୍ ଜାଣିନାହିଁ । ତୁମେ ଜାଣିଚ । ତୁମ ଭିତରେ କି ମାୟାଥିଲା, ତାହା ତୁମେ ଠିକ ଜାଣିନାହଁ; ମୁଁ ଜାଣିଚି, କିନ୍ତୁ ମାୟା ନିଶ୍ଚୟ ଥିଲା । ନ ହେଲେ ଏପରି ଘଟଣା ଘଟି ନ ଥାନ୍ତା । କିଛି ସଜ୍ଞାନରେ ଏବଂ କିଛି ଅଜ୍ଞାନରେ ମୁଁ ମାୟା ବିସ୍ତାର କରିଥିଲି-। ତୁମେ ମଧ୍ୟ ତାହା ହିଁ କରିଥିଲ । ଆମ ଜାତିର ଧର୍ମ ଏହିପରି । ଆମେ ମାୟାବିନୀ ।’

 

ରୋଷରେ ରାଜଲକ୍ଷ୍ମୀଙ୍କର କଣ୍ଠ ରୁଦ୍ଧ ହେଲା । ସେ ଦ୍ରୁତପଦରେ ଘରୁ ବାହାରିଗଲେ ।

 

ବିନୋଦିନୀ ଏକୁଟିଆ କିଛି ସମୟ ଘର ଭିତରେ ସ୍ଥିର ହୋଇ ଠିଆହୋଇ ରହିଲା । ତାହାର ଆଖି ନିଆଁପରି ଜଳିବାକୁ ଲାଗିଲା । ସକାଳର ଗୃହକାର୍ଯ୍ୟ ଶେଷ ହେବାପରେ ରାଜଲକ୍ଷ୍ମୀ ମହେନ୍ଦ୍ରକୁ ଡାକି ପଠାଇଲେ । ମହେନ୍ଦ୍ର ବୁଝିଲା, କାଲି ରାତିର ଘଟଣା ନେଇ ଆଲୋଚନା ହେବ । ସେତେବେଳେ ବିନୋଦିନୀ ପାଖରୁ ପତ୍ରୋତ୍ତର ପାଇ ତାହାର ମନ ବିକଳ ହୋଇଯାଇଥିଲା । ସେହି ଆଘାତର ପ୍ରତିଘାତସ୍ୱରୂପ ତାହାର ତରଙ୍ଗିତ ହୃଦୟ ବିନୋଦିନୀ ଆଡ଼କୁ ସବେଗ ଧାବମାନ ହେଉଥିଲା । ସେହି ବିଷୟରେ ପୁଣି ମାଆ ସହିତ ଉତ୍ତର–ପ୍ରତ୍ୟୁତ୍ତର କରିବା ତା’ ପକ୍ଷରେ ଅସାଧ୍ୟ-। ମହେନ୍ଦ୍ର, ଜାଣିଥିଲା ଯେ ମାଆ ତାକୁ କଲେ ବିନୋଦିନୀ ସମ୍ୱନ୍ଧରେ ଭର୍ତ୍ସନା କଲେ ବିଦ୍ରୋହୀଭାବରେ ସେ ତା’ର ଯଥାର୍ଥ ମନକଥା କହି ପକାଇବ ଏବଂ ତା’ପରେ ନିଦାରୁଣ ଗୃହଯୁଦ୍ଧ ଆରମ୍ଭ ହୋଇଯିବ । ଅତଏବ ଏହି ସମୟରେ ଘରୁ ବାହାରିଯାଇ ସବୁ କଥାକୁ ପରିଷ୍କାର ଭାବରେ ଭାବି ଦେଖିବା ଦରକାର । ମହେନ୍ଦ୍ର ଚାକରକୁ କହିଲା, ‘ମାଆକୁ କହିଦେବୁ, ମୋର ଆଜି କଲେଜରେ ବିଶେଷ କାମ ଅଛି । ବର୍ତ୍ତମାନ ଯିବାକୁ ପଡ଼ିବ, ଫେରିଆସି ଦେଖାକରିବି ।’ କହି ପଳାତକ ବାଳକପରି ସଂଗେ ସଂଗେ ଲୁଗା ବଦଳାଇ ନ ଖାଇ ବହାରିଗଲା । ବିନୋଦିନୀର ଯେଉଁ ଦାରୁଣ ଚିଠିଟି ଆଜି ସକାଳେ ସେ ବାରମ୍ୱାର ପଢ଼ିଥିଲା ଏବଂ ପକେଟରେ ରଖିଥିଲା, ନିତାନ୍ତ ତରତରରେ ସେହି ଚିଠିଥିବା ଜାମାଟି ବଦଳ କରି ରଖି ସେ ଚାଲିଗଲା ।

 

ଅସରାଏ ଘନ ବର୍ଷାପରେ ପାଗଟା ମେଘୁଆ ହୋଇ ରହିଲା । ବିନୋଦିନୀର ମନ ଆଜି ଅତି ବିରକ୍ତ ହୋଇରହିଚି । ମନ ଖରାପ ହେଲେ ବିନୋଦିନୀ କାମର ମାତ୍ରା ବଢ଼ାଇଦିଏ । ତେଣୁ ଆଜି ସେ ରାଜ୍ୟଯାକର ସବୁ ଲୁଗାପଟା ଏକାଠି କରି ଚିହ୍ନ ଦେବାକୁ ଆରମ୍ଭ କରିଚି । ଆଶା ନିକଟରୁ ଲୁଗା ଆଣିବାକୁ ଯାଇ ଆଶାର ମୁଖଭାବ ଦେଖି ତାହାର ମନ ଆହୁରି ବିଗିଡ଼ି ଯାଇଚି । ସଂସାରରେ ଯଦି ଅପରାଧୀ ବୋଲି ପରିଚିତ ହେବାକୁ ପଡ଼େ, ତେବେ କେବଳ ଅପରାଧର ଲାଞ୍ଛନା କାହିଁକି ଭୋଗ କରିବ, ଅପରାଧରୁ ଯେଉଁ ସୁଖ ମିଳେ କାହିଁକି ସେ ସେଥିରୁ ବଞ୍ଚିତ ହେବ-?

 

ଟପଟପ ବର୍ଷା ପଡ଼ିଲା । ବିନୋଦିନୀ ଆପଣା ଘରେ ତଳେ ବସିଚି । ସମ୍ମୁଖରେ ସ୍ତୁପାକାର ଲୁଗା । କ୍ଷେମି ଦାସୀ ଖଣ୍ଡ ଖଣ୍ଡ କରି ଲୁଗା ଅଗ୍ରସର କରି ଦେଇଚି ଓ ବିନୋଦିନୀ ଚିହ୍ନ ଦେବାର କାଳିଦ୍ୱାରା ସେଥିରେ ଅକ୍ଷର ମୁଦ୍ରିତ କରିଦେଉଚି ।

 

ମହେନ୍ଦ୍ର କବାଟ ଠେଲି ଘର ଭିତରେ ପ୍ରବେଶ କଲା । କ୍ଷେମି ଦାସୀ କାମ ଛାଡ଼ି ମୁଣ୍ଡ ଉପରକୁ ଲୁଗା ଟାଣି ବାହାରକୁ ଚାଲିଗଲା ।

 

ବିନୋଦିନୀ ହାତରେ ଥିବା ଲୁଗାଖଣ୍ଡିକ ଫୋପାଡ଼ି ଦେଇ ବିଦ୍ୟୁତ୍ ବେଗରେ ଉଠି ଠିଆହେଲା । କହିଲା, ‘ଚାଲିଯାଅ, ଏ ଘରୁ ଚାଲିଯାଅ ।’

 

ମହେନ୍ଦ୍ର କହିଲା, ‘କାହିଁକି, ମୁଁ କଅଣ କରିଚି ?’

 

ବିନୋଦିନୀ–କ’ଣ କରିଚ ? ଭୀରୁ ପୁରୁଷ ! କ’ଣ କରିବାର କ୍ଷମତା ଅଛି ତୁମର ? ଭଲ ପାଇ ଜାଣି ନାହଁ କି କର୍ତ୍ତବ୍ୟ କରି ଜାଣି ନାହଁ, ମଝିରେ ମୋତେ କାହିଁକି ଲୋକଙ୍କ ପାଖରେ ନଷ୍ଟ କରୁଚ ?’

 

ମହେନ୍ଦ୍ର–ମୁଁ ତୁମକୁ ଭଲ ପାଏ ନାହିଁ, ତୁମେ ଏ କଥା କହିଲ’

 

ବିନୋଦିନୀ–ହଁ, ମୁଁ ସେଇ କଥା କହୁଚି । ଲୁଚାଚୋରା, ଥରେ ଏପାଖ, ଥରେ ସେପାଖ, ଚୋରଙ୍କ ପରି ତୁମର ଏହି ପ୍ରବୃତ୍ତି ଦେଖି ମୋର ଘୃଣା ଆସିଗଲାଣି, ଆଉ ଭଲ ଲାଗୁ ନାହିଁ । ତୁମେ ଯାଅ ।

 

ମହେନ୍ଦ୍ର ମୁହ୍ୟମାନ ହୋଇ କହିଲା, ‘ତୁମେ ମୋତେ ଘୃଣା କର ବିନୋଦ ?’

ବିନୋଦିନୀ–ହଁ, ଘୃଣା କରେ ।

 

ମହେନ୍ଦ୍ର–ଏପର୍ଯ୍ୟନ୍ତ ମଧ୍ୟ ପ୍ରାୟଶ୍ଚିତ କରିବାର ସମୟ ଅଛି ବିନୋଦ । ମୁଁ ଯଦି ଆଉ ଦ୍ୱିଧା ନ କରି ସବୁ ପରିତ୍ୟାଗ କରିଯିବି, ତୁମେ ମୋ ସହିତ ଯିବାକୁ ପ୍ରସ୍ତୁତ ଅଛ ? କହି ମହେନ୍ଦ୍ର ବିନୋଦିନୀର ଦୁଇ ହାତକୁ ବଳପୂର୍ବକ ଧରି ତାକୁ ପାଖକୁ ଟାଣିନେଲା ।

 

ବିନୋଦିନୀ କହିଲା, ‘ଛାଡ଼, ମୋତେ କାଟୁଚି ।’

 

ମହେନ୍ଦ୍ର–କାଟୁ, କୁହ ତୁମେ ମୋ ସହିତ ଯିବ ?

 

ବିନୋଦିନୀ–ନାଁ ଯିବି ନାହିଁ । କୌଣସିମତେ ନୁହେଁ ।

 

ମହେନ୍ଦ୍ର–କାହିଁକି ଯିବ ନାହିଁ ? ତୁମେ ତ ମୋତେ ସର୍ବନାଶ ମୁହଁକୁ ଟାଣିଆଣିଚ । ଆଜି ତୁମେ ମୋତେ କଦାପି ପରିତ୍ୟାଗ କରିପାରିବ ନାହିଁ, ତୁମକୁ ଯିବାକୁ ହେବ ।

 

–କହି ମହେନ୍ଦ୍ର ଦୃଢ଼ ଭାବରେ ବିନୋଦିନୀକୁ ଛାତି ଉପରକୁ ଟାଣିନେଲା । ଜୋର କରି ତାକୁ ଧରି ରଖି କହିଲା, ‘ତୁମର ଘୃଣା ମଧ୍ୟ ମୋତେ ଫେରାଇପାରିବ ନାହିଁ, ତୁମକୁ ମୋ ସହିତ ଯିବାକୁ ହିଁ ପଡ଼ିବ ଏବଂ ଯେପରି ଭାବରେ ହେଉ ତୁମକୁ ମୋତେ ଭଲ ପାଇବାକୁ ପଡ଼ିବ ।’

 

ବିନୋଦିନୀ ବଳପୂର୍ବକ ନିଜକୁ ବିଚ୍ଛିନ୍ନ କରିନେଲା ।

 

ମହେନ୍ଦ୍ର କହିଲା, ‘ଚାରିଆଡ଼େ ନିଆଁ ଜଳାଇଦେଇଚ, ବର୍ତ୍ତମାନ ଆଉ ଲିଭାଇପାରିବ ନାହିଁ କି ପଳାଇ ପାରିବ ନାହିଁ ।’ –କହୁ କହୁ ମହେନ୍ଦ୍ରର ସ୍ୱର ତୀବ୍ର ହୋଇଉଠିଲା । ସେ ଉଚ୍ଚସ୍ୱରରେ କହିଲା, ‘ଏପରି ଖେଳ କାହିଁକି ଖେଳିଲ ବିନୋଦ ! ବର୍ତ୍ତମାନ ଆଉ ଏହାକୁ ଖେଳ ବୋଲି କହିଲେ ମୁକ୍ତି ପାଇବ ନାହିଁ । ବର୍ତ୍ତମାନ ତୁମର ମୋର ଏକା ମୃତ୍ୟୁ ।’

 

ରାଜଲକ୍ଷ୍ମୀ ଘରେ ପ୍ରବେଶ କରି କହିଲେ, ମହେନ୍ଦ୍ର କ’ଣ କରୁଚୁ ?’

 

ମହେନ୍ଦ୍ରର ଉନ୍ନତ ଦୃଷ୍ଟି ମୁହୂର୍ତ୍ତକପାଇଁ ମାଆଙ୍କ ମୁହଁଉପରେ ବୁଲିଗଲା । ତା’ପରେ ପୁନରାୟ ବିନୋଦିନୀ ଆଡ଼କୁ ଚାହିଁ ମହେନ୍ଦ୍ର କହିଲା ‘ମୁଁ ତ ସବୁ ଛାଡ଼ି ଚାଲିଯିବି । କୁହ ତୁମେ ମୋ ସହିତ ଯିବ ?’

 

ବିନୋଦିନୀ କ୍ରୁଦ୍ଧ ରାଜଲକ୍ଷ୍ମୀଙ୍କ ମୁହଁକୁ ଥରେ ଚାହିଁଲା । ତା’ପରେ ଅଗ୍ରସର ହୋଇ ଅବିଚଳିତ ଭାବରେ ମହେନ୍ଦ୍ରର ହାତ ଧରି କହିଲା, ‘ଯିବି’ ।’

 

ମହେନ୍ଦ୍ର କହିଲା, ‘ତେବେ ଆଜି ଦିନକ ଅପେକ୍ଷା କର । ମୁଁ ଯାଉଚି । କାଲିଠାରୁ ତୁମ ଛଡ଼ା ମୋର ଆଉ କେହି ରହିବେ ନାହିଁ |’ –କହି ମହେନ୍ଦ୍ର ଚାଲିଗଲା ।

 

ଏହି ସମୟରେ ଧୋବା ଆସି ବିନୋଦିନୀକୁ କହିଲା, ‘ବୋହୂ ସାଆନ୍ତାଣୀ, ଆଉ ବସିପାରିବି ନାହିଁ । ଯଦି ଆଜି ତୁମର ଫୁରସତ୍ ନ ଥାଏ, ତେବେ ମୁଁ କାଲି ଆସି ଲୁଗା ନେଇଯିବି-।’

 

କ୍ଷେମି ଆସି କହିଲା, ‘ବୋହୂ ସାଆନ୍ତାଣୀ, ସହିସ କହୁଚି ଦାନା ସରିଗଲାଣି ।

 

ବିନୋଦିନୀ ସାତଦିନର ଦାନା ଓଜନ କରି ଘୋଡ଼ାଶାଳକୁ ପଠାଇଦିଏ ଏବଂ ନିଜେ ଝରକା ପାଖରେ ଠିଆହୋଇ ଘୋଡ଼ାର ଖାଇବା ଦେଖେ ।

 

ଗୋପାଳ ଚାକର ଆସି କହିଲା, ‘ବୋହୂ ସାଆନ୍ତାଣୀ, ଝଡ଼ୁ ବେହେରା ଆଜି ଅଜା (ସାଧୁଚରଣ)ଙ୍କ ସହିତ କଜିଆ କରିଚି । ସେ କହୁଚି ତା’ଠାରୁ କିରୋସିନି ହିସାବ ବୁଝିନେଲେ ସେ ଗୁମାସ୍ତାବାବୁଙ୍କଠାରୁ ଦରମା ନେଇ କାମଛାଡ଼ି ଚାଲିଯିବେ । ସଂସାରର ସବୁ କାର୍ଯ୍ୟ ପୂର୍ବବତ୍ ଚାଲିଚି ।

 

(୩୩)

 

ବିହାରୀ ଆଜିଯାଏ ମେଡ଼ିକାଲ କଲେଜରେ ପଢ଼ୁଥିଲା । ଠିକ୍ ପରୀକ୍ଷା ପୂର୍ବରୁ ପଢ଼ା ଛାଡ଼ିଦେଲା । ସେଇଥିପାଇଁ କେହି ବିସ୍ମୟ ପ୍ରକାଶ କଲେ ସେ କହେ, ‘ଅପରର ସ୍ୱାସ୍ଥ୍ୟ ପରେ ଦେଖିବି, ମୁଁ ଆଗେ ନିଜର ସ୍ୱାସ୍ଥ୍ୟ ରକ୍ଷା କରିସାରେ ।’

 

ପ୍ରକୃତ କଥା ହେଉଚି, ବିହାରୀର ଉଦ୍ୟମ ଅଶେଷ । ଗୋଟାଏ କିଛି ନ କରି ସେ ରହିପାରେ ନାହିଁ, ଅଥଚ ଯଶର ତୃଷ୍ଣା, ଟଙ୍କାର ଲୋଭ ଏବଂ ଜୀବିକାପାଇଁ ଉପାର୍ଜନର ପ୍ରୟୋଜନ ତା’ର ଆଦୌ ନ ଥିଲା । କଲେଜରୁ ଡିଗ୍ରୀ ନେଇ ପ୍ରଥମେ ସେ ଶିବପୁର କଲେଜରେ ଇଂଜିନିୟରିଂ ପଢ଼ିବାକୁ ଯାଇଥିଲା । ଯେତିକି ଶିଖିବାପାଇଁ ତା’ର କୌତୁହଳ ଥିଲା ଏବଂ ହାତକାମରେ ସେ ଯେତିକି ଦକ୍ଷତା ଲାଭ କରିବା ଆବଶ୍ୟକ ମନେକରୁଥିଲା, ସେତକ ଶିଖିସାରିବାପରେ ସେ ମେଡ଼ିକାଲ କଲେଜରେ ପ୍ରବେଶ କଲା । ମହେନ୍ଦ୍ର ତା’ର ବର୍ଷକପୂର୍ବରୁ ମେଡ଼ିକାଲ କଲେଜରେ ଭର୍ତ୍ତି ହୋଇଥିଲା । କଲେଜର ବଙ୍ଗାଳୀ ଛାତ୍ରମାନଙ୍କ ନିକଟରେ ତାଙ୍କ ଦୁହିଁଙ୍କର ବନ୍ଧୁତା ବିଖ୍ୟାତ ଥିଲା । ସେମାନେ ଥଟ୍ଟା କରି ଏହି ଦୁଇ ଜଣକୁ ଶ୍ୟାମଦେଶୀୟ ଯୋଡ଼ାଯମଜ ବୋଲି ଡାକୁଥିଲେ । ଗତବର୍ଷ ମହେନ୍ଦ୍ର ପରୀକ୍ଷାରେ ଫେଲ ହୋଇଯିବାରୁ ଦୁଇ ବନ୍ଧୁ ଆସି ଗୋଟିଏ ଶ୍ରେଣୀରେ ରହିଲେ-। ଏହି ସମୟରେ କାହିଁକି ଯେ ହଠାତ୍ ଯୋଡ଼ି ଭାଙ୍ଗିଗଲା, ଛାତ୍ରମାନେ ତାହା ବୁଝିପାରିଲେ ନାହିଁ । ପ୍ରତିଦିନ ଅବଶ୍ୟ ମହେନ୍ଦ୍ର ସହିତ ଦେଖାହେବ, ଅଥଚ ପୂର୍ବପରି ମିଶି ହେବ ନାହିଁ । ସେଥିପାଇଁ ବିହାରୀ କଲେଜ ଛାଡ଼ିଦେଲା । ସମସ୍ତେ ଜାଣିଥିଲେ, ବିହାରୀ ଖୁବ୍ ଭଲଭାବରେ ପାଶ୍ କରି ନିଶ୍ଚୟ ସମ୍ମାନ ଓ ପୁରସ୍କାର ପାଇବ, କିନ୍ତୁ ସେ ଆଉ ପରୀକ୍ଷା ଦେଲା ନାହିଁ ।

 

ତା’ର ଘର ପାଖରେ ଗୋଟିଏ ଚାଳଘରେ ରାଜେନ୍ଦ୍ର ଚକ୍ରବର୍ତ୍ତୀ ବୋଲି ଜଣେ ଗରିବ ବ୍ରାହ୍ମଣ ରହୁଥିଲେ । ଛାପାଖାନାରେ ମାସିକ ବାର ଟଙ୍କା ବେତନରେ କମ୍ପୋଜିଟର କାମ କରି ସେ ସଂସାର ଚଳାଉଥିଲେ । ବିହାରୀ ତାଙ୍କୁ କହିଲା, ‘ତୁମର ପୁଅକୁ ମୋ’ ପାଖରେ ରହିବାକୁ ଦିଅ । ମୁଁ ନିଜେ ତାକୁ ଲେଖାପଢ଼ା ଶିଖାଇଦେବି ।’ ବିଚାରା ବ୍ରାହ୍ଣଣ ରକ୍ଷା ପାଇଗଲା । ଖୁସି ହୋଇ ତା’ର ଆଠ ବର୍ଷର ପୁଅ ବସନ୍ତକୁ ବିହାରୀ ହାତରେ ସମର୍ପଣ କଲା ।

 

ବିହାରୀ ତାକୁ ନିଜସ୍ୱ ପ୍ରଣାଳୀରେ ଶିକ୍ଷା ଦେବାକୁ ଲାଗିଲା । କହିଲା, ‘ଦଶ ବର୍ଷ ହେବା ପୂର୍ବରୁ ମୁଁ ତାକୁ ବହି ପଢ଼ାଇବି ନାହିଁ, ସବୁ ମୁହଁରେ ଶିଖାଇବି । ତା’ ସହିତ ଖେଳି ତାକୁ ନେଇ ମିଉଜିଅମରେ, ଆଲିପୁର ପଶୁଶାଳାରେ ଓ ଶିବପୁରର ବଗିଚାରେ ବୁଲି ବିହାରୀ ଦିନ କଟାଇବାକୁ ଲାଗିଲା । ତାକୁ ମୁହେଁ ମୁହେଁ ଇଂରାଜୀ ଶିଖାଇବା, ଇତିହାସରୁ ଗଳ୍ପ ଶୁଣାଇବା, ନାନା ପ୍ରକାରେ ବାଳକର ଚିତ୍ତବୃତ୍ତି ପରୀକ୍ଷା ଓ ତା’ର ପରିଣତି ସାଧନା ବିହାରୀର ସାରାଦିନର କାମ ଥିଲା । ସେ ନିଜକୁ ମୁହୂର୍ତ୍ତେ ସୁଦ୍ଧା ଅବସର ଦିଏ ନାହିଁ ।

 

ସେଦିନ ସନ୍ଧ୍ୟାବେଳେ ବାହାରକୁ ବୁଲିଯିବାର ଉପାୟ ନ ଥିଲା । ଖରାବେଳେ ବର୍ଷା ବନ୍ଦ ହୋଇଯାଇଥିଲା । ପୁଣି ସନ୍ଧ୍ୟା ପୂର୍ବରୁ ବର୍ଷା ଆରମ୍ଭ ହୋଇଚି । ବିହାରୀ ତା’ର ଉପର ମହଲାର ବଡ଼ ଘରେ ଆଲୁଅ ଜଳାଇ ବସି ବସନ୍ତକୁ ନେଇ ଆପଣାର ନୂଆ ପ୍ରଣାଳୀରେ ଖେଳୁଥିଲା ।

 

‘ବସନ୍ତ, ଏ ଘରେ କେଇଟା କଡ଼ି ଅଛି, ଚଟ୍ କରି କହ । ନା–ଗଣିପାରିବୁ ନାହିଁ ।’

 

ବସନ୍ତ, ‘କୋଡ଼ିଏଟା’ ।

 

ବିହାରୀ, ‘ଭୁଲ୍ ହେଲା, ଅଠରଟା ।’

 

ଚଟ୍ କରି ଝରକା କବାଟ ଖୋଲି ସେଇ ପଚାରିଲା, ଏଥିରେ କେଇ ଥାକ କାଠ ଲାଗିଚି-?’ କହି କବାଟକୁ ବନ୍ଦ କରିଦେଲା ।

 

ବସନ୍ତ କହିଲା, ‘ଛଅଟା ।’

 

‘ଠିକ୍ । ଏଇ ବେଞ୍ଚଟା କେତେ ଲମ୍ୱା ହେବ କହିଲୁ ! ଏହି ବହିଟାର ଓଜନ କେତେ ?’ ଏହିପରି ଭାବରେ ବିହାରୀ ବସନ୍ତର ଇଦ୍ରିୟବୋଧର ଉତ୍କର୍ଷସାଧନ କରୁଥିଲା । ଏହି ସମୟରେ ବେହେରା ଆସି କହିଲା, ‘ବାବୁଜୀ ଏକଠୋ ଔରତ୍–’

 

କଥା ଶେଷ ହେବା ପୂର୍ବରୁ ବିନୋଦିନୀ ଘରଭିତରେ ପ୍ରବେଶ କଲା ।

 

ବିହାରୀ ଆଶ୍ଚର୍ଯ୍ୟ ହୋଇ କହିଲା, ‘ଏ କି କାଣ୍ଡ ନୂଆବୋଉ ?’

 

ବିନୋଦିନୀ କହିଲା, ‘ତୁମର ଆତ୍ମୀୟ ସ୍ତ୍ରୀ ଲୋକ ଏଠାରେ କେହି ନାହାନ୍ତି ?’

Unknown

 

ବିହାରୀ, ‘ଆତ୍ମୀୟ ନାହାନ୍ତି କି ଇତର ବି ନାହାନ୍ତି । ପିଉସୀ ଅଛନ୍ତି ଗାଆଁରେ ।’

 

ବିନୋଦିନୀ–ତେବେ ମୋତେ ତୁମର ଗାଆଁକୁ ନେଇଚାଲ ।

 

ବିହାରୀ–କେଉଁ ହିସାବରେ ନେବି ?

 

ବିନୋଦିନୀ–ଦାସୀ ହିସାବରେ । ମୁଁ ସେଠାରେ ଘରର ସବୁ କାମ କରିବି ।

 

ବିହାରୀ–ତା’ ହେଲେ ପିଉସୀ ଆଶ୍ଚର୍ଯ୍ୟ ହୋଇଯିବେ । କେବେହେଲେ ମୋତେ ସେ ଦାସୀର ଅଭାବ ଜଣାଇ ନାହାନ୍ତି । ଆଗେ ଶୁଣେ, ଏପରି ଏକ ସଂକଳ୍ପ ମନରେ କାହିଁକି ଉଦୟ ହେଲା ? ବସନ୍ତ, ଯା’ ତୁ ଶୋଇବୁ ଯା’ ।

 

ବସନ୍ତ ଚାଲିଗଲା, ବିନୋଦିନୀ କହିଲା, ‘ବାହାରର ଘଟଣା ଶୁଣି ତୁମେ ଭିତରର କଥା କିଛି ବୁଝିପାରିବ ନାହିଁ ।’

 

ବିହାରୀ–ନ ବୁଝିଲି ଏବେ । ହୁଏତ ଭୁଲ ବୁଝିବି । କ୍ଷତି କ’ଣ ?

 

ବିନୋଦିନୀ–ଆଚ୍ଛା, ତେବେ ଭୁଲ ବୁଝ । ମହେନ୍ଦ୍ର ମତେ ଭଲପାଏ ।

 

ବିହାରୀ–ସେ ଖବରଟା ତ କିଛି ନୂଆ ନୁହେଁ ଏବଂ ଏପରି ଖବର ମଧ୍ୟ ନୁହେଁ ଯାହା କି ଦ୍ୱିତୀୟବାର ଶୁଣିବାକୁ ଇଚ୍ଛା ହେବ ।

 

ବିନୋଦିନୀ–ବାରବାର ଶୁଣାଇବାର ଇଚ୍ଛା ମୋର ମଧ୍ୟ ନାହିଁ । ସେଥିପାଇଁ ତୁମ ପାଖକୁ ଆସିଚି । ମୋତେ ଆଶ୍ରୟ ଦିଅ ।

 

ବିହାରୀ-ତୁମର ଇଚ୍ଛା ନାହିଁ ? ଏ ବିପତ୍ତି ତେବେ କିଏ ଘଟଇଲା ? ମହେନ୍ଦ୍ର ଯେଉଁ ପଥରେ ଚାଲୁଥିଲା, କିଏ ତାକୁ ସେହି ପଥରୁ ଭ୍ରଷ୍ଟ କରିଚି ?

 

ବିନୋଦିନୀ–ମୁଁ କରିଚି । ତୁମ ପାଖରେ ଲୁଚାଇବି ନାହିଁ । ଏସବୁ ମୁଁ କରିଚି । ମୁଁ ମନ୍ଦ ହୁଏ କି ଯାହା ହୁଏ ଥରେ ମୋ’ ପରି ହୋଇ ମୋର ଅନ୍ତର କଥା ବୁଝିବାକୁ ଚେଷ୍ଟା କର । ମୋ ଛାତିରେ ଯେଉଁ ନିଆଁ ଜଳୁଛି, ସେଥିରେ ମୁଁ ମହେନ୍ଦ୍ରର ଘର ଜଳାଇଚି । ଥରେ ମନେହୋଇଥିଲା ଯେ ମୁଁ ମହେନ୍ଦ୍ରକୁ ଭଲପାଏ । କିନ୍ତୁ ସେକଥା ଭୁଲ ।

 

ବିହାରୀ-ଭଲ ପାଇଲେ କିଏ ଅଗ୍ନିକାଣ୍ଡ ଘଟାଇପାରେ ?

 

ବିନୋଦିନୀ–ଏସବୁ ତୁମ ଶାସ୍ତ୍ରର କଥା । ଏପର୍ଯ୍ୟନ୍ତ ଏସବୁ ଶୁଣିବାପରି ମତି ମୋର ହୋଇ ନାହିଁ । ବିହାରୀ, ତୁମର ପୋଥି ରଖିଦେଇ ଥରେ ଅନ୍ତର୍ଯ୍ୟାମୀଙ୍କ ପରି ମୋର ହୃଦୟଭିତରକୁ ଦୃଷ୍ଟିପାତ କର । ମୋର ଭଲ ମନ୍ଦ ଆଜି ସବୁ ତୁମ ପାଖରେ କହିବାକୁ ଆସିଚି ।

 

ବିହାରୀ–ପୋଥି କ’ଣ ମିଛରେ ଖୋଲି ରଖେ ନୂଆବୋଉ ? ହୃଦୟର ନିୟମରେ ବୁଝିବା ଭାର ଅନ୍ତର୍ଯ୍ୟାମୀଙ୍କ ଉପରେ ଥାଉ । ଆମେ ପୋଥିର ବିଧାନ ମାନି ନ ଚଳିଲେ ଶେଷରେ ନିଜକୁ ସମ୍ଭାଳିବାର ଶକ୍ତି ରହେ ନାହିଁ ।

 

ବିନୋଦିନୀ–ଶୁଣ ବିହାରୀ, ମୁଁ ନିର୍ଲଜ୍ଜଙ୍କ ପରି କହୁଚି, ତୁମେ ମୋତେ ଫେରାଇ ପାରିଥାନ୍ତ । ମହେନ୍ଦ୍ର ଅବଶ୍ୟ ମୋତେ ଭଲପାଏ । କିନ୍ତୁ ସେ ମୁର୍ଖ, ଅନ୍ଧ । ସେ ମୋତେ ଆଦୌ ବୁଝିପାରେନାହିଁ । ଥରେ ମନେ ହୋଇଥିଲା, ଯେପରି ତୁମେ ମୋତେ ବୁଝିପାରିଚ । ଏକ ସମୟରେ ମୋତେ ତୁମେ ଶ୍ରଦ୍ଧା କରୁଥିଲ । ସତ କହ, ଆଜି ସେକଥା ଭୁଲାଇବାକୁ ଚେଷ୍ଟା କରନା-

ବିହାରୀ–ସତ କଥା । ତୁମକୁ ମୁଁ ଶ୍ରଦ୍ଧା କରୁଥିଲି ।

ବିନୋଦିନୀ–ଭୁଲ କରି ନ ଥିଲ ବିହାରୀ ! କିନ୍ତୁ ଯଦି ମୋତେ ବୁଝିପାରିଥିଲ, ଶ୍ରଦ୍ଧା କରୁଥିଲ, ତେବେ ସେହିଠାରେ ଅଟକିଗଲ କାହିଁକି ? ମୋତେ ଭଲ ପାଇବାକୁ ତୁମର କି ବାଧା ଥିଲା ? ମୁଁ ଆଜି ନିର୍ଲଜ୍ଜ ହୋଇ ତୁମ ପାଖକୁ ଆସିଚି ଏବଂ ନିର୍ଲଜ୍ଜଭାବରେ ତୁମକୁ କହୁଚି, ତୁମେ ମଧ୍ୟ ଆଶାକୁ ଭଲପାଇ ବସିଲ । ନା, ତୁମେ ରାଗିପାରିବ ନାହିଁ । ବସ ବିହାରୀ ମୁଁ କୌଣସି କଥା ଲୁଚାଇବି ନାହିଁ । ତୁମେ ଯେ ଆଶାକୁ ଭଲ ପାଅ, ଯେତେବେଳେ ସେକଥା ତୁମେ ନିଜେ ମଧ୍ୟ ଜାଣି ନ ଥିଲ, ସେତେବେଳେ ମଧ୍ୟ ମୁଁ ଜାଣିଥିଲି । କିନ୍ତୁ ଆଶା ଭିତରେ ତୁମେମାନେ କ’ଣ ଦେଖିଚ, ମୁଁ ବୁଝିପାରୁନାହିଁ । ଭଲ କୁହ, ମନ୍ଦ କୁହ, ତା’ର କ’ଣ ଅଛି ? ବିଧାତା କ’ଣ ପୁରୁଷର ଦୃଷ୍ଟିରେ ଅନ୍ତଃଦୃଷ୍ଟି ଦେଇ ନାହାନ୍ତି ? ତୁମେମାନେ କ’ଣ ଦେଖି କେତେ ଟିକିଏ ଦେଖି ଭୁଲିଯାଅ । ନିର୍ବୋଧ, ଅନ୍ଧ,–

ବିହାରୀ ଉଠି ଠିଆହୋଇ କହିଲା, ଆଜି ମୋତେ ତୁମେ ଯାହାସବୁ ଶୁଣାଇବ, ମୁଁ ସବୁ ଶୁଣିବି । କିନ୍ତୁ ଯେଉଁ କଥା କହିବା ଉଚିତ ନୁହେଁ, ସେକଥା କୁହ ନାହିଁ । ତୁମକୁ ମୋର ଏକାନ୍ତ ଅନୁରୋଧ ।’

ବିନୋଦିନୀ–ବିହାରୀ, ତୁମକୁ କେଉଁଠି ବାଧୁଚି, ମୁଁ ତାହା ଜାଣେ । କିନ୍ତୁ ମୁଁ ଯାହାର ଶ୍ରଦ୍ଧା ପାଇଥିଲି ଏବଂ ଯାହାର ପ୍ରେମ ପାଇଥିଲେ ମୋର ଜୀବନ ସାର୍ଥକ ହୋଇଥାନ୍ତା, ତା’ ପାଖକୁ ଏଇ ରାତିରେ ଲଜ୍ଜା ଓ ଭୟ ସକଳ ବିସର୍ଜନ ଦେଇ ଧାଇଁଆସିଚି, ତାହା କେତେ ଦୁଃଖରେ କରିଚି, ସେକଥା ଭାବି ଟିକିଏ ଧୈର୍ଯ୍ୟ ଧର । ମୁଁ ସତକଥା କହୁଚି, ତୁମେ ଯଦି ଆଶାକୁ ଭଲ ପାଇ ନ ଥାନ୍ତ, ତେବେ ମୋ’ଦ୍ୱାରା ଆଶାର ଆଜି ଏପରି ସର୍ବନାଶ ହୋଇ ନ ଥାନ୍ତା ।

ବିହାରୀ ବିବର୍ଣ୍ଣ ହୋଇ କହିଲା, ‘ଆଶାର କ’ଣ ହୋଇଚି ? ତୁମେ ତା’ର କ’ଣ କରିଚ-?’

ବିନୋଦିନୀ–ମହେନ୍ଦ୍ର ତା’ର ସବୁ ପରିତ୍ୟାଗ କରି କାଲି ମୋତେ ନେଇ ଚାଲିଯିବାକୁ ପ୍ରସ୍ତୁତ ହୋଇଚି ।

ବିହାରୀ ହଠାତ୍ ଗର୍ଜ୍ଜନ କରିଉଠିଲା–‘ଏ କଥା ହୋଇପାରିବ ନାହିଁ, କୌଣସିମତେ ହୋଇପାରିବ ନାହିଁ ।’

ବିନୋଦିନୀ–କୌଣସିମତେ ନୁହେଁ ? ଆଜି ମହେନ୍ଦ୍ରକୁ କିଏ ଅଟକାଇବ ?

ବିହାରୀ–ତୁମେ ପାରିବ ।

ବିନୋଦିନୀ କିଛି ସମୟ ଚୁପ ହୋଇ ରହିଲା । ତା’ପରେ ବିହାରୀ ମୁହଁରେ ଦୁଇ ଚକ୍ଷୁ ସ୍ଥିର ରଖି କହିଲା, ‘ଅଟକାଇବି କାହାପାଇଁ ? ତୁମର ଆଶା ପାଇଁ ? ମୋର କ’ଣ ନିଜର ସୁଖ–ଦୁଃଖ କିଛି ନାହିଁ ? ତୁମ ଆଶାର ଭଲ ହେଉ, ତୁମ ମହେନ୍ଦ୍ରର ସଂସାରରେ ଭଲ ହେଉ, ଏଇଥିପାଇଁ ଇହକାଳର ସବୁ ଦାବୀ ମୁଁ ଉଠାଇନେବି ? ମୁଁ ଏତେଦୂର ଭଲ ନୁହେଁ । ମୁଁ ଧର୍ମଶାସ୍ତ୍ରର ପୋଥି ପଢ଼ି ନାହିଁ । ମୁଁ ଯାହା ଛାଡ଼ିବି, ତା’ର ବଦଳରେ ପାଇବି କ’ଣ ?’

ବିହାରୀର ମୁଖଭାବ କ୍ରମଶଃ ଅତି କଠିନ ହୋଇଉଠିଲା । ସେ କହିଲା, ‘ତୁମେ ଅନେକ ସ୍ପଷ୍ଟ କଥା କହିବା ପାଇଁ ଚେଷ୍ଟା କରୁଚ । ଏଥର ମୁଁ ମଧ୍ୟ ଗୋଟିଏ ସ୍ପଷ୍ଟ କଥା କହିବି । ତୁମେ ଆଜି ଯେଉଁଭଳି କାଣ୍ଡ କରିଚ ଏବଂ ଯେଉଁ କଥା କହୁଚ, ତା’ର ଅଧିକାଂଶ ତୁମେ ଯେଉଁ ସାହିତ୍ୟ ପଢ଼ିଚ, ସେଥିରୁ ଚୋରି ହୋଇ ଆସିଚି । ତା’ର ବାରଅଣା ନାଟକ ଆଉ ନଭେଲ୍ ।’

ବିନୋଦିନୀ–ନାଟକ ! ନଭେଲ୍ !

ବିହାରୀ–ହଁ ନାଟକ ଆଉ ନଭେଲ ! ତା’ବି ଖୁବ୍ ଉଚ୍ଚସ୍ତରର ନୁହେଁ । ତୁମେ ମନେକରୁଚ ଏସବୁ ତୁମ ନିଜର । କିନ୍ତୁ ପ୍ରକୃତରେ ତା’ ନୁହେଁ । ଏସବୁ ଛାପାଖାନାର ପ୍ରତିଧ୍ୱନି । ତୁମେ ଯଦି ନିତାନ୍ତ ନିର୍ବୋଧ, ମୁର୍ଖ ଓ ସରଳା ବାଳିକା ହୋଇଥାନ୍ତ, ତା’ହେଲେ ବି ସଂସାରର ସ୍ନେହ–ଶ୍ରଦ୍ଧାରୁ ବଞ୍ଚିତ ହୋଇ ନ ଥାନ୍ତ । କିନ୍ତୁ ନାଟକର ନାୟିକା ଷ୍ଟେଜ ଉପରେ ଶୋଭାପାଏ । ଘରେ ତାକୁ ନେଇ କାମ ଚଳେ ନାହିଁ ।

କେଉଁଆଡ଼େ ଗଲା ବିନୋଦିନୀର ସେଇ ତୀବ୍ର ତେଜ, ଦୁଃସହ ଦର୍ପ ? ମନ୍ତ୍ରାହତ ଫଣିନୀପରି ସେ ସ୍ତବ୍‍ଧ ହୋଇ ନତ ହୋଇ ରହିଲା । ଅନେକ ସମୟପରେ ବିହାରୀ ମୁହଁ ଆଡ଼କୁ ନ ଚାହିଁ ଶାନ୍ତ ଓ ନମ୍ର ସ୍ୱରରେ କହିଲା, ‘ତୁମେ ମୋତେ କ’ଣ କରିବାକୁ କହୁଚ ?’

ବିହାରୀ କହିଲା, ‘କିଛି ଅସାଧାରଣ କଥା କରିବାକୁ କହୁ ନାହିଁ । ସାଧାରଣ ସ୍ତ୍ରୀଲୋକଙ୍କ ଶୁଭବୁଦ୍ଧି ଯାହା କହେ, ତୁମେ ତାହାହିଁ କର । ଗାଁଆକୁ ଚାଲିଯାଅ ।’

ବିନୋଦିନୀ–କିପରି ଯିବି ?

ବିହାରୀ–ଜନାନା ଡବାରେ ବସାଇଦେଇ ମୁଁ ତୁମକୁ ଷ୍ଟେସନପର୍ଯ୍ୟନ୍ତ ପହଞ୍ଚାଇ ଦେଇଆସିବି ।

ବିନୋଦିନୀ–ତେବେ ମୁଁ ଆଜି ରାତିରେ ଏଇଠି ରହିବି ।

ବିହାରୀ–ନା, ମୋର ନିଜ ଉପରେ ଏତେ ବିଶ୍ୱାସ ନାହିଁ ।

ଶୁଣି ତତ୍‍କ୍ଷଣାତ୍ ବିନୋଦିନୀ ଚଉକୀରୁ ଉଠି ଭୂମିରେ ଲୋଟି ବିହାରୀର ଦୁଇ ପାଦ ପ୍ରାଣପଣ ବଳରେ ବକ୍ଷରେ ଚାପିଧରି କହିଲା, ‘ସେତିକି ଦୁର୍ବଳତା ତୁମେ ନିଜଠାରେ ରଖ ବିହାରୀ-! ପାଷାଣ ଦେବତାପରି ପବିତ୍ର ହୁଅ ନାହିଁ । ମନ୍ଦକୁ ଭଲପାଇ ଟିକିଏ ମନ୍ଦ ହୁଅ ।’

କହି ବିନୋଦିନୀ ବିହାରୀର ପଦଯୁଗଳକୁ ବାରମ୍ୱାର ଚୁମ୍ୱନ କଲା । ବିହାରୀ ବିନୋଦିନୀର ଏହି ଆକସ୍ମିକ ଓ ଅଭାବନୀୟ ବ୍ୟବହାରରେ କ୍ଷଣକାଳପାଇଁ ଆତ୍ମସମ୍ୱରଣ କରିପାରିଲା ନାହିଁ । ତା’ର ଶରୀର ଓ ମନର ସବୁ ଗ୍ରନ୍ଥି ଯେପରି ଶିଥିଳ ହୋଇଆସିଲା । ବିନୋଦିନୀ ବିହାରୀର ଏହି ସ୍ତବ୍‍ଧ ବିହ୍ୱଳତା ଅନୁଭବ କରି ତା’ର ଗୋଡ଼ ଛାଡ଼ିଦେଇ ନିଜର ଦୁଇ ଆଣ୍ଠୁରେ ଭରାଦେଇ ଉନ୍ମତ ହୋଇ ଉଠିଲା ଓ ଚଉକୀରେ ଆସୀନ ବିହାରୀର ଗଜଦେଶକୁ ବାହୁରେ ବେଷ୍ଟନ କରି କହିଲା, ‘ଜୀବନସର୍ବସ୍ୱ, ମୁଁ ଜାଣେ, ତୁମେ ମୋର ହୋଇ ଚିରକାଳ ରହିବ ନାହିଁ ı କିନ୍ତୁ ଆଜି ମୁହୂର୍ତ୍ତକ ପାଇଁ ମୋତେ ଭଲ ପାଅ । ତା’ପରେ ମୁଁ ମୋର ସେହି ବଣ-ଜଙ୍ଗଲ ଭିତରକୁ ଚାଲିଯିବି । କାହା ପାଖରୁ କିଛି ଚାହିଁବି ନାହିଁ । ମୃତ୍ୟୁପର୍ଯ୍ୟନ୍ତ ମନେରଖିବାପରି ମୋତେ ଗୋଟାଏ କିଛି ଦିଅ ।’ –କହି ବିନୋଦିନ ଆଖିବୁଜି ତା’ର ଓଷ୍ଠାଧର ବିହାରୀ ଆଡ଼କୁ ଅଗ୍ରସର କରାଇନେଲା । ମୁହୂର୍ତ୍ତକ ପାଇଁ ଦୁହେଁ ନିଶ୍ଚଳ ହୋଇ ରହିଲେ । ଘର ନିସ୍ତବ୍‍ଧ ହୋଇ ରହିଲା । ତା’ପରେ ଦୀର୍ଘନିଃଶ୍ୱାସ ପକାଇ ବିହାରୀ ଧୀରେ ଧୀରେ ବିନୋଦିନୀ ହାତରୁ ନିଜକୁ ମୁକୁଳାଇ ନେଇ ଅନ୍ୟ ଏକ ଚଉକୀରେ ଯାଇ ବସିଲା ଏବଂ ରୁଦ୍ଧ ପ୍ରାୟ କଣ୍ଠସ୍ୱରରେ ପରିଷ୍କାର କରି କହିଲା, ‘ଆଜି ରାତି ଗୋଟାଏବେଳେ ପାସେଞ୍ଜର ଟ୍ରେନ ଅଛି ।’

ବିନୋଦିନୀ କିଛି ସମୟ ସ୍ତବ୍‍ଧ ହୋଇ ରହିଲା । ତା’ପରେ ଅସ୍ଫଟ କଣ୍ଠରେ କହିଲା, ‘ସେଇ ଟ୍ରେନରେ ମୁଁ ଯିବି ।’

ଏହି ସମୟରେ ଗୋଡ଼ରେ ଜୋତା ନାହିଁ, ଦେହରେ ଜାମା ନାହିଁ, ବସନ୍ତ ତା’ର ପରିପୃଷ୍ଟ ଗୌରସୁନ୍ଦର ଦେହ ନେଇ ବିହାରୀ ଚଉକୀ ପାଖରେ ଆସି ଠିଆହୋଇ ଗମ୍ଭୀର ଭାବରେ ବିନୋଦିନୀକୁ ଦେଖିବାକୁ ଲାଗିଲା ।

ବିନୋଦିନୀ ପଚାରିଲା, ‘ଶୋଇବାକୁ ଯାଉନୁରେ?’ ବସନ୍ତ ତା’ର କୌଣସି ଉତ୍ତର ନ ଦେଇ ଗମ୍ଭୀରଭାବରେ ଠିଆହୋଇ ରହିଲା ।

ବିନୋଦିନୀ ଦୁଇହାତ ବଢ଼ାଇଦେଲା । ବସନ୍ତ ପ୍ରଥମେ ଟିକିଏ ଦ୍ୱିଧା କରି ଧୀରେ ଧୀରେ ବିନୋଦିନୀ ପାଖକୁ ଗଲା । ବିନୋଦିନୀ ତାକୁ ଦୁଇ ହାତରେ ଛାତିରେ ଚାପିଧରି ଝର ଝର କରି କାନ୍ଦିବାକୁ ଲାଗିଲା ।

 

(୩୪)

 

ଯାହା ଅସମ୍ଭବ, ତାହା ମଧ୍ୟ ସମ୍ଭବ ହୁଏ । ଯାହା ଅସହ୍ୟ, ତାହା ମଧ୍ୟ ସହ୍ୟ ହୁଏ । ନ ହେଲେ ମହେନ୍ଦ୍ର ଘରେ ସେରାତି ଓ ସେଦିନ କଦାପି କଟି ନ ଥାନ୍ତା । ବିନୋଦିନୀକୁ ପ୍ରସ୍ତୁତ ହୋଇ ରହିବାକୁ ପରାମର୍ଶ ଦେଇ ମହେନ୍ଦ୍ର ରାତିରେ ଖଣ୍ଡେ ପତ୍ର ଲେଖିଥିଲା । ସେହି ପତ୍ର ଡାକଯୋଗେ ସକାଳେ ଆସି ଘରେ ପହଞ୍ଚିଲା ।

 

ସେତେବେଳେ ଆଶା ଶଯ୍ୟାଗତା । ବେହେରା ଚିଠିଆଣି କହିଲା, ‘ମାଜୀ, ଚିଠି !’

 

ଆଶାର ହୃତ୍‍ପିଣ୍ଡରେ ରକ୍ତ ଧକ୍ କରି ଆଘାତ କଲା । ପଲକମଧ୍ୟରେ ସହସ ଆଶ୍ୱାସ ଓ ଆଶଙ୍କା ଏକାଠି ହୋଇ ତା’ର ବକ୍ଷରେ ବାଜିଉଠିଲା । ତରତରରେ ଚିଠିଖଣ୍ଡି ନେଇ ଦେଖିଲା, ମହେନ୍ଦ୍ରର ଅକ୍ଷରରେ ବିନୋଦିନୀର ନାଆଁ । ତତ୍‍କ୍ଷଣାତ୍ ତାହାର ମୁଣ୍ଡ ତକିଆ ଉପରେ ଢଳିପଡ଼ିଲା । କିଛି ନ କହି ଆଶା ସେହି ଚିଠିଟି ବେହେରା ହାତରେ ଫେରାଇଦେଲା ।

 

ବେହେରା ପଚାରିଲା, ‘ଚିଠି କାହାକୁ ଦେବି ?’

 

ଆଶା କହିଲା, ‘ଜାଣି ନାହିଁ ।’

 

ରାତି ପ୍ରାୟ ଆଠଟା ହେବ । ମହେନ୍ଦ୍ର ଝଡ଼ପରି ବିନୋଦିନୀର ଘର ସମ୍ମୁଖରେ ଆସି ଉପସ୍ଥିତ ହେଲା । ଦେଖିଲା, ଘରେ ଆଲୁଅ ଜଳୁ ନାହିଁ । ଚାରିଆଡ଼ ଅନ୍ଧାର । ପକେଟରୁ ଦିଆସିଲି ବାହାର କରି ଜଳାଇଲା । ଦେଖିଲା, ଘର ଶୂନ୍ୟ । ବିନୋଦିନୀ ନାହିଁ । ତା’ର ଜିନିଷପତ୍ର ମଧ୍ୟ ନାହିଁ-। ଦକ୍ଷିଣ ବାରଣ୍ଡାକୁ ଯାଇ ଦେଖିଲା, ବାରଣ୍ଡା ନିର୍ଜନ, ଡାକିଲା, ‘ବିନୋଦ’ ! କୌଣସି ଉତ୍ତର ମିଳିଲା ନାହିଁ ।

 

ନିର୍ବୋଧ, ପ୍ରକୃତରେ ମୁଁ ନିର୍ବୋଧ । ସେତେବେଳେ ତାକୁ ସଙ୍ଗରେ ନେଇଯିବା ଉଚିତ ଥିଲା । ନିଶ୍ଚୟ ମାଆ ତାକୁ ଏପରି ଗଞ୍ଜଣା ଦେଇଚନ୍ତି ଯେ ସେ ଘରେ ରହିପାରିନାହିଁ ।

 

ଏହି କଳ୍ପନା ମନଭିତରେ ଉଦୟ ହେଲାମାତ୍ରକେ ତାହା ନିଶ୍ଚୟ ସତ୍ୟ ବୋଲି ତା’ର ମନରେ ବିଶ୍ୱାସ ହେଲା ।

 

ମହେନ୍ଦ୍ର ଅଧୀର ହୋଇ ତତ୍‍କ୍ଷଣାତ୍ ମାଆ ଘରକୁ ଗଲା, ସେ ଘରେ ମଧ୍ୟ ଆଲୁଅ ନାହିଁ, କିନ୍ତୁ ରାଜଲକ୍ଷ୍ମୀ ବିଛଣାରେ ଶୋଇଛନ୍ତି । ଅନ୍ଧାରରେ ମଧ୍ୟ ବେଶ୍ ଜଣାଯାଉଚି । ମହେନ୍ଦ୍ର ରୁଷ୍ଟ ସ୍ୱରରେ କହିଲା, ‘ମାଆ, ବିନୋଦିନୀକୁ ତୁମେମାନେ କ’ଣ କହିଚ ?’

 

ରାଜଲକ୍ଷ୍ଣୀ କହିଲେ, ‘କିଛି ତ କହି ନାହିଁ’ ।

 

ମହେନ୍ଦ୍ର–ତା’ ହେଲେ ସେ କୁଆଡ଼େ ଗଲା ?

 

ରାଜଲକ୍ଷ୍ମୀ–ମୁଁ ଜାଣିବି କିପରି ?

 

ମହେନ୍ଦ୍ର ଅବିଶ୍ୱାସମିଶ୍ରିତ ସ୍ୱରରେ କହିଲା, ‘ତୁ ଜାଣିନୁ ? ଆଚ୍ଛା, ମୁଁ ତା’ର ସନ୍ଧାନ କରିବାକୁ ଯାଉଚି । ସେ ଯେଉଁଠି ଥାଉ, ନିଶ୍ଚୟ ମୁଁ ତାକୁ ଖୋଜି ବାହାର କରିବି ।’

 

କହି ମହେନ୍ଦ୍ର ଚାଲିଗଲା । ରାଜଲକ୍ଷ୍ମୀ ତରତର ହୋଇ ବିଛଣାରୁ ଉଠି ତା’ର ପଛେ ପଛେ ଯାଇ କହିଲେ, ‘ମହେନ୍ଦ୍ର, ଚାଲିଯାଆ ନା ମହେନ୍ଦ୍ର, ଫେରିଆ; ଫେରିଆ; ଗୋଟାଏ କଥା ଶୁଣିଯା ।’

 

ମହେନ୍ଦ୍ର ଏକା ନିଃଶ୍ୱାସରେ ଦଉଡ଼ି ଘରୁ ବାହାରିଗଲା । ମୁହୂର୍ତ୍ତକପରେ ଫେରିଆସି ଦରୁଆନକୁ ପଚାରିଲା, ‘ବୋହୂ ସାନ୍ତାଣୀ କୁଆଡ଼େ ଯାଇଚନ୍ତି ?’

 

ଦରୁଆନ କହିଲା, ’ଆମକୁ କହି ଯାଇନାହାନ୍ତି । ଆମେ କିଛି ଜାଣିନୁ ।’

 

ମହେନ୍ଦ୍ର ଗର୍ଜିତ ଭର୍ତ୍ସନାପୂର୍ଣ୍ଣ ସ୍ୱରରେ କହିଲା, ‘ଜାଣିନା ?’

 

ଦରୁଆନ ହାତଯୋଡ଼ି କହିଲା, ‘ନାଇଁ ବାବୁ, ଜାଣିନୁ ।’

 

ମହେନ୍ଦ୍ର ମନେ ମନେ ସ୍ଥିର କଲା, ମାଆ ଏମାନଙ୍କୁ ଶିଖାଇ ଦେଇଚନ୍ତି । କହିଲା. ‘ଆଚ୍ଛା ଯାଅ ।’

 

ମହାନଗରୀର ରାଜପଥରେ ଗ୍ୟାସଲୋକବିଦ୍ଧ ସନ୍ଧ୍ୟାନ୍ଧକାରରେ ସେତେବେଳେ ବରଫବାଲା ‘ବରଫ’ ଓ ମାଛବାଲା ‘ମାଛ’ ବୋଲି ଡାକିଡାକି ଯାଉଥିଲେ । କଳରବକ୍ଷୁବ୍‍ଧ ଜନତାମଧ୍ୟରେ ମହେନ୍ଦ୍ର ପ୍ରବେଶ କଲା ଏବଂ ଅଦୃଶ୍ୟ ହୋଇଗଲା ।

 

(୩୫)

 

ବିହାରୀ ଏକା ନିଜକୁ ନେଇ ଅନ୍ଧାକାର ରାତିରେ କେବେ ଧ୍ୟାନ କରିବାକୁ ବସେ ନାହିଁ ı କେବେହେଲେ ବିହାରୀ ନିଜ ପାଖରେ ନିଜକୁ ଆଲୋଚ୍ୟ ବିଷୟ କରିନାହିଁ । ସେ ପଢ଼ାଶୁଣା, କାମଧନ୍ଦା, ବନ୍ଧୁ–ବାନ୍ଧବ ଓ ଲୋକବାକ ନେଇ ରହେ । ସଂସାରକୁ ସେ ନିଜ ଅପେକ୍ଷା ପ୍ରାଧାନ୍ୟ ଦେଇ ଭାରି ଆନନ୍ଦରେ ଥିଲା, କିନ୍ତୁ ଦିନେ ହଠାତ୍ ପ୍ରବଳ ଆଘାତରେ ତାହାର ଚାରିପାଖ ଆଶ୍ରୟ ଯେପରି ବିଶ୍ଲିଷ୍ଟ ହୋଇପଡ଼ିଗଲା । ପ୍ରଳୟର ଅନ୍ଧକାରରେ ଅଭ୍ରଭେଦୀ ବେଦନାର ଗିରିଶୃଙ୍ଗରେ ନିଜକୁ ସେ ଏକା ହୋଇ ଠିଆହୋଇଥିବାର ଦେଖିଲା । ସେହିଦିନଠାରୁ ନିଜର ନିର୍ଜନ ସଙ୍ଗକୁ ସେ ଭୟ କରିବାକୁ ଆରମ୍ଭ କରିଚି । ଜୋରକରି ନିଜ ଉପରେ କାମ ଲଦି ଏହି ସଙ୍ଗୀଟିକୁ ସେ ଆଦୌ ଅବକାଶ ଦେବାକୁ ଚାହେଁ ନାହିଁ ।

 

କିନ୍ତୁ ଆଜି ନିଜର ସେହି ଅନ୍ତରବାସୀକୁ ବିହାରୀ କୌଣସି ପ୍ରକାରେ ଆଡ଼େଇ ରଖିପାରିଲା ନାହିଁ । କାଲି ବିନୋଦିନୀକୁ ବିହାରୀ ଗାଆଁରେ ଛାଡ଼ିଦେଇ ଆସିଚି । ତା’ର ଗୃହାଶାୟୀ ବେଦନାତୁର ହୃଦୟ ତାକୁ ନିଜର ନିଗୂଢ଼ ନିର୍ଜନତା ଆଡ଼କୁ ଅବିଶ୍ରାମ ଆକର୍ଷଣ କରୁଚି-

 

ଶ୍ରାନ୍ତ ଓ ଅବସାଦ ଆଜି ବିହାରୀକୁ ପରାସ୍ତ କରିଦେଲା । ରାତି ପ୍ରାୟ ନଅଟା ହେବ । ବିହାରୀର ଗୃହସମ୍ମୁଖବର୍ତ୍ତୀ ଦକ୍ଷିଣ ଛାତ ଉପରେ ଦିନାନ୍ତରମ୍ୟ ଗ୍ରୀଷ୍ମର ସମୀକରଣ ଉନ୍ମତ୍ତ ହୋଇଉଠିଛି । ବିହାରୀ ଚନ୍ଦ୍ରୋଦୟହୀନ ଅନ୍ଧକାର ଛାତରେ ଖଣ୍ଡେ ଚଉକୀ ପକାଇ ବସିଚି ।

 

ବାଳକ ବସନ୍ତକୁ ଆଜି ସନ୍ଧ୍ୟାବେଳେ ସେ ପାଠ ପଢ଼ାଇ ନାହିଁ । ଶୀଘ୍ର ଶୀଘ୍ର ତାକୁ ଛୁଟି ଦେଇଚି । ଆଜି ସାନ୍ତ୍ୱନାପାଇଁ, ସଙ୍ଗପାଇଁ ତା’ର ଚିରଭ୍ୟସ୍ତ ପ୍ରୀତିସୁଧାସ୍ନିଗ୍‍ଧ ପୂର୍ବ ଜୀବନ ପାଇଁ ତା’ର ହୃଦୟ ମାତୃପରିତ୍ୟକ୍ତ ଶିଶୁପରି ବିଶ୍ୱର ଅନ୍ଧକାରରେ ଦୁଇବାହୁ ବଢ଼ାଇ କାହାକୁ ଖୋଜି ବୁଲୁଚି । ଆଜି ତା’ର ଦୃଢ଼ତା ଓ ତା’ର କଠୋର ସଂଯମର ବନ୍ଧ କୁଆଡ଼େ ଭାଙ୍ଗିଯାଇଚି । ଯାହାଙ୍କ କଥା ଭାବିବ ନାହିଁ ବୋଲି ସେ ପଣ କରିଥିଲା ଆଜି ସେହିମାନଙ୍କ ଆଡ଼କୁ ହୃଦୟ ଧାଉଁଚି । ଆଜି ଆଉ ପଥରୋଧ କରିବାର ଲେଶମାତ୍ର ବଳ ନାହିଁ ।

 

ମହେନ୍ଦ୍ର ସହିତ ବାଲ୍ୟକାରୁ ପ୍ରଣୟ ଆରମ୍ଭରୁ ସେହି ପ୍ରଣୟର ଅବସାନ ପର୍ଯ୍ୟନ୍ତ ସବୁ କଥାର ଯେଉଁ ସୁଦୀର୍ଘ କାହାଣୀ ନାନାବର୍ଣ୍ଣରେ ଚିତ୍ରିତ, ଜଳ ସ୍ଥଳ ପର୍ବତ, ନଦୀରେ ବିଭକ୍ତ, ମାନଚିତ୍ରପରି ତା’ର ମନ ଭିତରେ ଗୁଡ଼ା ହୋଇ ରହିଥିଲା, ବିହାରୀ ତାହାକୁ ପ୍ରସାରିତ କରି ଦେଖିବାକୁ ଲାଗିଲା । ଯେଉଁ କ୍ଷୁଦ୍ର ଜଗତ ଉପରେ ସେ ତା’ର ଜୀବନର ପ୍ରତିଷ୍ଠା କରିଥିଲା, କେଉଁଠି କେଉଁ ଦୁର୍ଗ୍ରହ ସହିତ ଯେ ତା’ର ସଂଘାତ ଲାଗିଲା, ତାହାହିଁ ବିହାରୀ ମନେ ମନେ ଦେଖିବାକୁ ଲାଗିଲା । ପ୍ରଥମେ ବାହାରୁ କିଏ ଆସିଲା ? ସୂର୍ଯ୍ୟାସ୍ତକାଳର କରୁଣ ରକ୍ତିମ ଛଟାରେ ଆଭାସିତ ଆଶାର ଲଜ୍ଜାମଣ୍ଡିତ ତରୁଣ ମୁହଁଟି ଅନ୍ଧାରରେ ଅଙ୍କିତ ହୋଇଗଲା; ତା ସହିତ ମଙ୍ଗଳ ଉତ୍ସବର ପୁଣ୍ୟ ଶଙ୍ଖଧ୍ୱନି ତା’ର କାନରେ ବାଜିବାକୁ ଲାଗିଲା । ଏହି ଶୁଭଗ୍ରହଟି ଅଦୃଷ୍ଟାକାଶର ଅଜ୍ଞାତ ପ୍ରାନ୍ତରୁ ଆସି ଦୁଇ ବନ୍ଧୁଙ୍କର ମଝିରେ ରହିଲା । ଯେପରି ଟିକିଏ ବିଚ୍ଛେଦ ମଧ୍ୟ ଆଣିଦେଲା-। କେଉଁଠୁ ଏପରି ଗୋଟିଏ ଗୂଢ଼ ବେଦନା ଆଣି ଉପସ୍ଥିତ କଲା, ଯାହା ମୁହଁରେ କହିବାର ନୁହେଁ, ଯାହା ମନରେ ମଧ୍ୟ ଲାଇନ କରିବାର ନୁହେଁ, କିନ୍ତୁ ତଥାପି ଏହି ବିଚ୍ଛେଦ ଏହି ବେଦନା ଅପୂର୍ବ ସ୍ନେହରଞ୍ଜିତ ମାଧୂର୍ଯ୍ୟରଶ୍ମିଦ୍ୱାରା ଆଚ୍ଛନ୍ନ ପରିପୂର୍ଣ୍ଣ ହୋଇରହିଲା ।

 

ତା’ପରେ ଯେଉଁ ଶନିଗ୍ରହର ଉଦୟ ହେଲା, ବନ୍ଧୁର ପ୍ରଣୟ, ଦମ୍ପତିର ପ୍ରେମ, ଗୃହର ଶାନ୍ତି ଓ ପବିତ୍ରତାକୁ ତାହା ଏକାବେଳକେ ଛାରଖାର କରିଦେଲା । ବିହାରୀ ପ୍ରବଳ ଘୃଣାରେ ବିନୋଦିନୀକୁ ସମସ୍ତ ଅନ୍ତଃକରଣ ସହିତ ଦୂରକୁ ଠେଲିଦେବାକୁ ଚେଷ୍ଟା କଲା, କିନ୍ତୁ କି ଆଶ୍ଚର୍ଯ୍ୟ ! ଯେପରି ତା’ର ଆଘାତ ଅତ୍ୟନ୍ତ ମୃଦୁ ହୋଇଗଲା । ଯେପରି ତାହାକୁ ସ୍ପର୍ଶ ମଧ୍ୟ କଲା ନାହିଁ । ସେହି ପରମାସୁନ୍ଦରୀ ପ୍ରହେଳିକା ତାହାର ଦୁର୍ଭେଦ୍ୟ ରହସ୍ୟ ପୂର୍ଣ୍ଣ ଘନକୃଷ୍ଣ ଅନିମେଷ ଦୃଷ୍ଟିସହ କୃଷ୍ଣପକ୍ଷର ଅନ୍ଧାରରେ ବିହାରୀ ସମ୍ମୁଖରେ ସ୍ଥିର ହୋଇ ଠିଆହେଲା । ଗ୍ରୀଷ୍ମରାତିର ଉଚ୍ଛ୍ୱସିତ ଦକ୍ଷିଣାପବନ ତାହାର ଘନନିଃଶ୍ୱାସ ପରି ବିହାରୀର ଦେହ ଉପରେ ଅଜାଡ଼ି ହୋଇପଡ଼ିବାକୁ ଲାଗିଲା । ଧୀରେ ଧୀରେ ସେହି ପଲକହୀନ ଚକ୍ଷୁର ଜ୍ୱାଳାମୟୀ ଦୀପ୍ତି ମ୍ଳାନ ହୋଇଆସିଲା । ସେହି ତୃଷ୍ଣାଶୁଷ୍କ ଖରଦୃଷ୍ଟି ଅଶ୍ରୁଜଳରେ ସିକ୍ତ ଓ ସ୍ନିଗ୍‍ଧ ହୋଇ ଦେଖୁ ଦେଖୁ ଗଭୀର ଭାବରସରେ ପରିଷ୍କୃତ ହୋଇଉଠିଲା । ମୁହୂର୍ତ୍ତକ ମଧ୍ୟରେ ସେହି ମୂର୍ତ୍ତି ବିହାରୀର ଚରଣତଳେ ପଡ଼ି ତାହାର ଦୁଇ ଜାନୁକୁ ପ୍ରାଣପଣେ ବକ୍ଷରେ ଚାପିଧରିଲା । ତା’ପରେ ସେ ଗୋଟିଏ ଅପରୂପ ମାୟାଲତା ପରି ନିମେଷକ ମଧ୍ୟରେ ବିହାରୀକୁ ବେଷ୍ଟନ କରି ବଢ଼ିଉଠି ସଦ୍ୟ ବିକଶିତ ସୁଗନ୍ଧ ପୁଷ୍ପମଞ୍ଜରୀ ତୁଲ୍ୟ ତାହାର ଚୁମ୍ୱନୋନ୍ମଖ ମୁହଁକୁ ବିହାରୀର ଓଷ୍ଠ ପାଖରେ ଆଣି ଉପନୀତ କରାଇଦେଲା । ବିହାରୀ ଆଖିବୁଜି ସେହି କଳ୍ପମୂର୍ତ୍ତିକୁ ସ୍ମୃତିଲୋକରୁ ନିର୍ବାସିତ କରିବାକୁ ଚେଷ୍ଟା କଲା, କିନ୍ତୁ ତାକୁ ଆଘାତ କରିବାକୁ କୌଣସିମତେ ତା’ର ହାତ ଉଠିଲା ନାହିଁ । ଗୋଟିଏ ଅସମ୍ପୂର୍ଣ୍ଣ ବ୍ୟାକୁଳ ଚୁମ୍ୱନ ତା’ର ମୁହଁ ପାଖରେ ଆସନ୍ନ ହୋଇ ରହିଲା । ସେ ପୁଲକରେ ଆବିଷ୍ଟ ହୋଇଗଲା ।

 

ବିହାରୀ ଛାତର ନିର୍ଜନ ଅନ୍ଧକାରରେ ଆଉ ରହିପାରିଲା ନାହିଁ । ଅନ୍ୟ କେଉଁଆଡ଼କୁ ମନ ଦେବାପାଇଁ ସେ ଦୀପାଲୋକିତ ଘରେ ଆସି ପ୍ରବେଶ କଲା । କଣରେ ପଡ଼ିଥିବା ତିପାଲ ଉପରେ ରେଶମର ଘୋଡ଼ଣୀ ଥିବା ଗୋଟିଏ ବନ୍ଧା ହୋଇଥିବା ଫଟୋଗ୍ରାଫ୍ ଥିଲା । ବିହାରୀ ଘୋଡ଼ଣୀ ଉଠାଇ ସେହି ଛବିଟି ଆଣି ଆଲୁଅ ତଳେ ବସି କୋଳଉପରେ ରଖି ଦେଖିବାକୁ ଲାଗିଲା-। ଛବିଟି ମହେନ୍ଦ୍ର ଓ ଆଶାର ବିବାହର ଅନତିକାଳ ପରର ଯୁଗଳମୂର୍ତ୍ତି । ଛବିର ପଛପଟେ ମହେନ୍ଦ୍ର ନିଜେ ‘ମହେନ୍ଦ୍ର ଭାଇ’ ଓ ଆଶା ସ୍ୱହସ୍ତରେ ‘ଆଶା’ ବୋଲି ଲେଖିଥିଲେ । ଛବିରେ ନବପରିଣୟର ମଧୁର ଦିନଟି ସବୁଦିନପାଇଁ ରହିଲା । ମହେନ୍ଦ୍ର ଚଉକୀରେ ବସିଚି, ତା’ ମୁହଁରେ ନବପରିଣୟର ନବୀନ ସରସ ଭାବାବେଶ । ପାଖରେ ଆଶା ଠିଆହୋଇଚି । ଛବି ନେବାବାଲା ତାକୁ ମୁଣ୍ଡରେ ଓଢ଼ଣା ଦେବାକୁ ଦେଇ ନାହିଁ, କିନ୍ତୁ ତା’ର ମୁହଁରେ ଲଜ୍ଜା ଖସାଇପାରିନାହିଁ । ଆଜି ମହେନ୍ଦ୍ର ତା’ର ପାର୍ଶ୍ୱଚାରିଣୀ ଆଶାକୁ କନ୍ଦାଇ ତା’ପାଖରୁ କେତେଦୂରକୁ ଚାଲିଗଲାଣି, କିନ୍ତୁ ଜଡ଼ଛବି ମହେନ୍ଦ୍ର ମୁହଁରୁ ନବୀନ ପ୍ରେମର ଗୋଟିଏ ରେଖା ମଧ୍ୟ ବଦଳିବାକୁ ଦେଇନାହିଁ । କିଛି ନ ବୁଝ ମୂଢ଼ଭାବରେ ଅଦୃଷ୍ଟର ପରିହାସକୁ ସ୍ଥାୟୀ କରି ରଖିଛି । ଏହି ଛବିଟିକୁ କୋଳଉପରେ ପକାଇ ବିହାରୀ ବିନୋଦିନୀକୁ ଧିକ୍କାରଦ୍ୱାରା ସୁଦୂରକୁ ନିର୍ବାସିତ କରିଦେବାକୁ ଚାହିଁଲା ı କିନ୍ତୁ ବିନୋଦିନୀର ସେହି ପ୍ରେମକାତର ଯୌବନକୋମଳ ବାହୁ ଦୁଇଟି ବିହାରୀର ଜାନୁ ଚାପିଧରିଲା । ବିହାରୀ ମନେ ମନେ କହିଲା, ‘ଏତେ ସୁନ୍ଦର ପ୍ରେମର ସଂସାରକୁ ତୁ ଛାରଖାର କରିଦେଲୁ !’ କିନ୍ତୁ ବିନୋଦିନୀର ସେହି ଉର୍ଦ୍ଧ୍ୱୋତକ୍ଷିପ୍ତ ବ୍ୟାକୁଳ ମୁଖର ଚୁମ୍ୱନ-ନିବେଦନ ତାହାକୁ ନୀରବରେ କହିବାକୁ ଲାଗିଲା, ‘ମୁଁ ତୁମକୁ ଭଲପାଏ । ସାରା ଜଗତ ଭିତରୁ ତୁମକୁ ହିଁ ବରଣ କରିଚି ।’

 

କିନ୍ତୁ ଇଏ କ’ଣ ଉଚିତ ଜବାବ ହେଲା ? ଏଇ କଥା କ’ଣ ଗୋଟିଏ ଭଗ୍ନ ସଂସାରର ନିଦାରୁଣ ଆର୍ତ୍ତସ୍ୱରକୁ ବୁଡ଼ାଇ ଦେଇପାରିବ ? ପିଶାଚୀ !

 

ପିଶାଚୀ ! ବିହାରୀ କ’ଣ ଏହି କଥାଟା ପୂରା ଭର୍ତ୍ସନା କରି କହିଲା, ନା ତା’ ସହିତ ଟିକିଏ ଆଦର ମଧ୍ୟ ମିଶିଥିଲା ? ଯେଉଁ ମୁହୂର୍ତ୍ତରେ ବିହାରୀ ତା’ର ସାରା ଜୀବନର ସବୁ ପ୍ରେମର ଦାବୀରୁ ବିରତ ହୋଇ ନିଃସ୍ୱ ଭିକାରୀ ପରି ଦାଣ୍ଡରେ ଆସି ଠିଆହୋଇଚି, ସେହି ମୁହୂର୍ତ୍ତରେ ସେ କ’ଣ ଏପରି ଅଯାଚିତ ଅଜସ୍ର ପ୍ରେମର ଉପହାରକୁ ଉପେକ୍ଷା କରି ଫିଙ୍ଗିଦେଇପାରେ ? ଏହା ତୁଳନାରେ ସେ କ’ଣ ପାଇଚି ? ଏତେଦିନଯାଏ ସାରାଜୀବନ ଉତ୍ସର୍ଗ କରି ସେ କେବଳ ପ୍ରେମଭଣ୍ଡାରର ଖୁଦକୁଣ୍ଡା ଭିକ୍ଷା କରିଥିଲା । ଆଜି ପ୍ରେମର ଅନ୍ନପୂର୍ଣ୍ଣା ସୁନାଥାଳୀ ଭରି ଏକା ତାହାରି ପାଇଁ ଯେଉଁ ଉପହାର ପଠାଇଛନ୍ତି, ହତଭାଗ୍ୟ କେଉଁ ଦ୍ୱିଧାରେ ନିଜକୁ ସେଥିରୁ ବଞ୍ଚିତ କରିବ ?

 

ଛବିଟିକୁ କୋଳରେ ଧରି ଏହିପରି ଯେତେବେଳେ ସେ ମନେମନେ ନାନା କଥା ଆଲୋଚନା କରୁଥିଲା, ସେହି ସମୟରେ ପାର୍ଶ୍ୱରୁ ଶବ୍ଦ ଶୁଣି ଚମକିଉଠି ଦେଖିଲା ମହେନ୍ଦ୍ର ଆସିଚି-। ଚକିତ ହୋଇ ଠିଆ ହୋଇଯିବାରୁ କୋଳରୁ ଛବିଟି ତଳେ କାର୍ପେଟ୍ ଉପରେ ପଡ଼ିଗଲା । ବିହାରୀ ତାହା ଲକ୍ଷ୍ୟ କଲା ନାହିଁ ।

 

ମହେନ୍ଦ୍ର ପଚାରିଲା, ’ବିନୋଦିନୀ କେଉଁଠି ?’

 

ବିହାରୀ ମହେନ୍ଦ୍ର ପାଖକୁ ଅଗ୍ରସର ହୋଇ ତା’ର ହାତ ଧରି କହିଲା, ‘ମହେନ୍ଦ୍ର ଭାଇ, ଟିକିଏ ବସ । ସବୁ କଥାର ଆଲୋଚନା କରିବା ।’

 

ମହେନ୍ଦ୍ର କହିଲା, ‘ମୋର ବସିବାକୁ ଏବଂ ଆଲୋଚନା କରିବାକୁ ବେଳ ନାହିଁ । କହ, ବିନୋଦିନୀ କାହିଁ ?’

 

ବିହାରୀ କହିଲା, ‘ତୁମେ ଯେଉଁ ପ୍ରଶ୍ନଟି ପଚାରୁଚ, ଗୋଟିଏ କଥାରେ ତାହାର ଉତ୍ତର ଦେଇ ହେବ ନାହିଁ । ତୁମକୁ ଟିକିଏ ସ୍ଥିର ହୋଇ ବସିବାକୁ ହେବ ।’

 

ମହେନ୍ଦ୍ର କହିଲା, ‘ଉପଦେଶ ଦେବୁ ? ସେସବୁ ଉପଦେଶ ମୁଁ ପିଲାଦିନେ ପଢ଼ିଥିଲି ।’

 

ବିହାରୀ–ନା, ଉପଦେଶ ଦେବାର ଅଧିକାର ଓ କ୍ଷମତା ମୋର ନାହିଁ ।

 

ମହେନ୍ଦ୍ର–ଭର୍ତ୍ସନା କରିବୁ ? ମୁଁ ଜାଣେ ମୁଁ ପାଷାଣ୍ଡ, ମୁଁ ନରାଧମ ଏବଂ ତୁ ଯାହା କହିବାକୁ ଚାହୁଁ, ତାହା ସବୁ । କିନ୍ତୁ କଥା ହେଉଚି, ବିନୋଦିନୀ କେଉଁଠି ? ତୁ ଜାଣିଚୁ କି ନାହିଁ ?

 

ବିହାରୀ–ଜାଣେ ।

 

ମହେନ୍ଦ୍ର–କହିବୁ ନାହିଁ ?

 

ବିହାରୀ–ନା ।

 

ମହେନ୍ଦ୍ର-କହିବାକୁ ହିଁ ହେବ । ତାକୁ ଚୋରିକରି ଆଣି ତୁ ଲୁଚାଇ ରଖିଚୁ, ସେ ମୋର । ତାକୁ ମୋତେ ଫେରାଇଦେ ।

 

ବିହାରୀ କିଛି ସମୟ ସ୍ତବ୍‍ଧ ହୋଇ ରହିଲା । ତା’ପରେ ଦୃଢ଼ସ୍ୱରରେ କହିଲା, ‘ସେ ତୁମର ନୁହେଁ । ମୁଁ ତାକୁ ଚୋରି କରି ଆଣିନାହିଁ । ସେ ନିଜେ ଆସି ମୋ ପାଖରେ ଧରା ଦେଇଚି ।

 

ମହେନ୍ଦ୍ର ଗର୍ଜନ କରିଉଠିଲା, –‘ମିଛ କଥା’ ! ଏହା କହିସାରି ପାର୍ଶ୍ୱବର୍ତ୍ତୀ ଘରର ରୁଦ୍ଧଦ୍ୱାରରେ ଆଘାତ କରୁ କରୁ ଉଚ୍ଚସ୍ୱରରେ ଡାକିଲା, ‘ବିନୋଦ, ବିନୋଦ !’

 

ଘର ଭିତରୁ କ୍ରନ୍ଦନର ଶବ୍ଦ ଶୁଣି କହିଲା, ‘ଭୟ ନାହିଁ ବିନୋଦ, ମୁଁ ମହେନ୍ଦ୍ର । ତୁମକୁ ମୁଁ ଉଦ୍ଧାର କରିନେବି । ତୁମକୁ କେହି ବନ୍ଦ କରି ରଖିପାରିବେ ନାହିଁ ।’

 

ମହେନ୍ଦ୍ର ସବଳେ କବାଟରେ ଧକ୍କା ଦେବାରୁ କବାଟ ଖୋଲିଗଲା । ଭିତରେ ପଶି ଦେଖିଲା, ଘର ଅନ୍ଧାର । ସବୁ ଅସ୍ଫୁଟ ଛାୟାପରି ଦେଖାଯାଉଥାଏ । କିଏ ଯେପରି ବିଛଣାରେ ଅଟକି ଯାଇ ଅବ୍ୟକ୍ତ ଶବ୍ଦ କରି ତକିଆ ଚାପି ଧରିଲା । ବିହାରୀ ଦ୍ରୁତ ଘରଭିତରେ ପ୍ରବେଶ କରି ବସନ୍ତକୁ ବିଛଣାରୁ କୋଳକୁ ଉଠାଇନେଇ ସାନ୍ୱନା ସ୍ୱରରେ କହିଲା, ‘ଡରନା ବସନ୍ତ, ତୁ ଡରନା ।’ ମହେନ୍ଦ୍ର ଦ୍ରୁତପଦରେ ଘରର ଚାରିଆଡ଼େ ଦେଖି ଆସିଲା । ଯେତେବେଳେ ଫେରିଆସିଲା, ସେତେବେଳଯାଏ ବସନ୍ତ ଭୟରେ ଆବେଗରେ ରହି ରହି କାନ୍ଦିଉଠୁଥିଲା । ବିହାରୀ ଘରେ ଆଲୁଅ ଜଳାଇ ତାକୁ ବିଛଣାରେ ଶୁଆଇ ତା’ ଦେହରେ ହାତ ବୁଲାଇ ତାକୁ ଶୁଆଇ ପକାଇବାକୁ ଚେଷ୍ଟା କରୁଥିଲା ।

 

ମହେନ୍ଦ୍ର ଆସି କହିଲା, ‘ବିନୋଦିନୀକୁ ତୁ କେଉଁଠି ରଖିଚୁ ?’

 

ବିହାରୀ କହିଲା, ‘ମହେନ୍ଦ୍ର ଭାଇ, ତୁମେ ଗୋଳମାଳ କରନା । ତୁମ ଅକାରଣରେ ଏଇ ପିଲାଟିକୁ ଯେପରି ଡରାଇଦେଇଚ, ତଦ୍ଦ୍ୱାରା ତା’ର ଦେହ ଖରାପ ହୋଇପାରେ । ମୁଁ କହୁଚି, ବିନୋଦିନୀର ଖବରରେ ତୁମର କୌଣସି ପ୍ରୟୋଜନ ନାହିଁ ।’

 

ମହେନ୍ଦ୍ର କହିଲା, ‘ସାଧୁ ମହାତ୍ମା, ଧର୍ମର ଆଦର୍ଶ ଦେଖାଅ ନାହିଁ । ମୋ’ ସ୍ତ୍ରୀର ଛବିକୁ କୋଳରେ ଧରି ରାତିରେ କେଉଁ ଦେବତାଙ୍କର ଧ୍ୟାନରେ କେଉଁ ପୁଣ୍ୟମନ୍ତ୍ର ଜପ କରୁଥିଲୁ, ଭଣ୍ଡ ?’

 

–କହି ଛବିଟି ମାଟିରେ ପକାଇ ଜୋତାତଳେ ମାଡ଼ିଦେଇ କାଚକୁ ଖଣ୍ଡ ଖଣ୍ଡ କରିଦେଲା ଏବଂ ଛବିଟି ନେଇ ଟିକି ଟିକି ଛିଣ୍ଡାଇ ବିହାରୀ ଉପରକୁ ପକାଇଦେଲା ।

 

ତା’ର ମତ୍ତତା ଦେଖି ବସନ୍ତ ଭୟରେ ପୁଣି କାନ୍ଦିଉଠିଲା । ବିହାରୀର କଣ୍ଠ ରୁଦ୍ଧପ୍ରାୟ ହୋଇଆସିଲା । ସେ ଦ୍ୱାରଆଡ଼କୁ ହସ୍ତ ନିର୍ଦ୍ଦେଶ କରି କହିଲା, ‘ଯାଅ’ ।

 

ମହେନ୍ଦ୍ର ଜଡ଼ପରି ବାହାରି ଚାଲିଗଲା ।

 

(୩୬)

 

ଯେତେବେଳେ ବିନୋଦିନୀ ଯାତ୍ରୀଶୂନ୍ୟ ଜନାନା ଡବାରେ ବସି ବାତାୟନରୁ ଧାନକ୍ଷେତ୍ର ଓ ଛାୟାବେଷ୍ଟିତ ଖଣ୍ଡିଏ ଖଣ୍ଡିଏ ଗ୍ରାମ ଦେଖିପାରିଲା, ସେତେବେଳେ ତା’ମନରେ ସ୍ନିଗ୍‍ଧ ନିଭୃତ ପଲ୍ଲୀର ଜୀବନଯାତ୍ରା ଭାସିଉଠିଲା । ସେହି ତରୁଚ୍ଛାୟାବେଷ୍ଟନ ମଧ୍ୟରେ ତାହାର ସ୍ୱରଚିତ କଳ୍ପନା ନୀଡ଼ରେ ନିଜର ପ୍ରିୟ ବହିଗୁଡ଼ିକ ନେଇ କିଛିକାଳ ନଗରବାସର ସବୁ କ୍ଷୋଭ, ଦାହ ଓ କ୍ଷତବେଦନରୁ ସେ ଶାନ୍ତି ଲାଭ କରିପାରିବ, ଏହି କଥା ତା’ର ମନେ ହେବାକୁ ଲାଗିଲା । ଗ୍ରୀଷ୍ମର ଶସ୍ୟଶୂନ୍ୟ ଦିଗନ୍ତ ପ୍ରସାରିତ ଧୂସର ପ୍ରାନ୍ତରରେ ସୂର୍ଯ୍ୟାସ୍ତ ଦେଖି ବିନୋଦିନୀ ଭାବିଲା, ତା’ର ଆଉ କିଛି ଦରକାର ନାହିଁ । ମନ ସତେ ଅବା ଏହି ସୁବର୍ଣ୍ଣରଞ୍ଜିତ ସ୍ତବ୍‍ଧ ବିସ୍ତୀର୍ଣ୍ଣ ଶାନ୍ତମଧ୍ୟରେ ସବୁ ଭୁଲି ଦୁଇ ଚକ୍ଷୁ ମୁଦ୍ରିତ କରିଦେବାକୁ ଚାହେଁ । ତରଙ୍ଗ ବିକ୍ଷୁବ୍‍ଧ ସୁଖଦୁଃଖ ସାଗରରୁ ଜୀବନତରୀଟି ତୀରକୁ ଆଣି ନିଃଶବ୍ଦ ସନ୍ଧ୍ୟାରେ ଗୋଟିଏ ନିଷ୍କମ୍ପ ବଟବୃକ୍ଷତଳେ ବାନ୍ଧି ରଖିବାକୁ ଚାହେଁ । ତା’ର ଆଉ କିଛି ପ୍ରୟୋଜନ ନାହିଁ । ଗାଡ଼ି ଚାଲୁଚାଲୁ ଗୋଟିଏ ଗୋଟିଏ ଜାଗାରେ ଆମ୍ୱତୋଟାରୁ ବଉଳର ଗନ୍ଧ ଆସିବାରୁ ପଲ୍ଲୀର ସ୍ନିଗ୍‍ଧ ଶାନ୍ତି ତାକୁ ଅତି ନିବିଡ଼ ଭାବରେ ଆବିଷ୍ଟ କରିପକାଇଲା । ସେ ମନେ ମନେ କହିଲା, ‘ବେଶ୍ ହୋଇଚି, ଭଲ ହୋଇଚି । ନିଜକୁ ନେଇ ଆଉ ଟଣାଓଟରା କରିପାରିବି ନାହିଁ । ଏଥର ସବୁ ଭୁଲିଯିବି । ଶୋଇବି । ଗାଆଁଝିଅ ହୋଇ ଘରର ଓ ପଲ୍ଲୀର କାମଧନ୍ଦା କରି ସନ୍ତୋଷର ସହିତ ଆରାମର ସହିତ ଜୀବନ କଟାଇଦେବି ।’

 

ତୃଷିତ ବକ୍ଷରେ ଏହି ଶାନ୍ତିର ଆଶା ବହନ କରି ବିନୋଦିନୀ ଆପଣା କୁଟୀର ମଧ୍ୟରେ ପ୍ରବେଶ କଲା । କିନ୍ତୁ ହାୟ, ଶାନ୍ତି ନାହିଁ । କେବଳ ଶୂନ୍ୟତା ଏବଂ ଦାରିଦ୍ର୍ୟ ଚାରିଆଡ଼େ, ସବୁ ଜୀର୍ଣ୍ଣ, ଅପରିଚ୍ଛିନ୍ନ, ଅନାଦୃତ ଓ ମଳିନ । ବହୁଦିନର ରୁଦ୍ଧ ସନ୍ତସନ୍ତିଆ ଘରର ବାଷ୍ଫରେ ତା’ର ନିଃଶ୍ୱାସ ବନ୍ଦ ହୋଇଆସିବାପରି ଲାଗିଲା । ଘରେ ଯାହା ଅଳପ କିଛି ଜିନିଷପତ୍ର ଥିଲା, ତାହା କୀଟର ଦଂଶନରେ ମୂଷାଙ୍କ ଉତ୍ପାତରେ ଓ ଧୂଳିର ଆକ୍ରମଣରେ ଛାରଖାର ହୋଇଗଲାଣି । ସନ୍ଧ୍ୟାବେଳେ ବିନୋଦିନୀ ଯାଇ ଘରେ ପହଞ୍ଚିଲା । ନିରାନନ୍ଦ ଅନ୍ଧକାର ଘର । କୌଣସିମତେ ସୋରିଷ ତେଲରେ ଦୀପ ଜଳାଇବାରୁ ତା’ର ଧୂଆଁରେ ଓ କ୍ଷୀଣ ଆଲୋକରେ ଘରର ଦୀନତା ଆହୁରି ପରିସ୍ଫୁଟ ହେଲା । ଆଗେ ଯାହା ତାକୁ ପୀଡ଼ନ କରୁଥିଲା, ବର୍ତ୍ତମାନ ତାହା ଅସହ୍ୟ ବୋଧ ହେବାକୁ ଲାଗିଲା । ତା’ର ବିଦ୍ରୋହୀ ଅନ୍ତଃକରଣ ସବଳେ କହିଉଠିଲା, ‘ଏଠାରେ ତ ମୁହୂର୍ତ୍ତେ ବି ରହି ହେବ ନାହିଁ ।’ ଠଣାରେ ପୂର୍ବର ଖଣ୍ଡେ ଦିଖଣ୍ଡ ବହି ଓ ମାସିକ ପତ୍ର ଧୂଳିରେ ଆଚ୍ଛନ୍ନ ହୋଇ ପଡ଼ିଚି । କିନ୍ତୁ ତାକୁ ଛୁଇଁବାକୁ ମଧ୍ୟ ଇଚ୍ଛା ହେଲା ନାହିଁ । ବାହାରେ ବାହାରେ ବାୟୁସମ୍ପର୍କଶୂନ୍ୟ ଆମ୍ୱତୋଟାରେ ଝିଙ୍କାରି ଓ ମଶାର ଗୁଞ୍ଜନସ୍ୱର ଅନ୍ଧକାରରେ ଧ୍ୱନିତ ହେବାକୁ ଲାଗିଲା ।

 

ବିନୋଦିନୀର ଯେଉଁ ବୃଦ୍ଧା ଅଭିଭାବିକା ଜଣକ ଥିଲେ ସେ ଘରର ତାଲା ଦେଇ ଝିଅକୁ ଦେଖିବାଲାଗି ଜ୍ୱାଇଁଘରକୁ ଯାଇଚନ୍ତି । ବିନୋଦିନୀ ପ୍ରତିବେଶୀନୀଙ୍କ ଘରକୁ ଗଲା । ସେମାନେ ତାକୁ ଦେଖି ଚମକି ଉଠିଲେ, ‘ବାଃ, ବିନୋଦିନୀର ବର୍ଣ୍ଣ ତ କ’ଣ ବେଶ୍ ତୋରା ଫିଟିଗଲାଣି । ଲୁଗାପଟା ଫିଟଫାଟ୍, –ମେମ୍ ସାହେବମାନଙ୍କ ପରି । ସେମାନେ ପରସ୍ପର ଠରାଠରି ହୋଇ ବିନୋଦିନୀକୁ ଲକ୍ଷ୍ୟ କରି ମୁହଁ ଚୁହାଁଚୁହିଁ ହେବାକୁ ଲାଗିଲେ, ଯେପରି କି ଯେଉଁ ଜନରବଟା ଶୁଣାଯାଉଥିଲା, ତାହା ସହିତ ଲକ୍ଷଣଗୁଡ଼ିକ ବିଲକୁଲ ମିଳିଗଲା ।

 

ବିନୋଦିନୀ ତା’ର ପଲ୍ଲୀଜୀବନରୁ ସର୍ବତୋଭାବେ ବହୁ ଦୂରକୁ ଆଗେଇଗଲାଣି । ସେକଥା ସେ ପଦେ ପଦେ ଅନୁଭବ କରିବାକୁ ଲାଗିଲା । ସ୍ୱଗୃହରେ ତା’ର ନିର୍ବାସନ । କେଉଁଠି ହେଲେ ମୁହୂର୍ତ୍ତେ ଆରାମର ସ୍ଥାନ ନାହିଁ । ଡାକଘରର ବୁଢ଼ା ପିଅନ ବିନୋଦିନୀର ଆବାଲ୍ୟ ପରିଚିତ । ତା’ ପରଦିନ ଯେତେବେଳେ ବିନୋଦିନୀ ପୁଷ୍କରିଣୀ ଘାଟରେ ସ୍ନାନ କରିବାକୁ ଯାଉଚି, ସେହି ସମୟରେ ଚିଠିବ୍ୟାଗ ନେଇ ପିଅନକୁ ସେହିବାଟେ ଯାଉଥିବାର ଦେଖି ସେ ଆଉ ଆତ୍ମସମ୍ୱରଣ କରିପାରିଲା ନାହିଁ । ଗାମୁଛା ଫୋପାଡ଼ି ଦେଇ ତରତର ହୋଇ ଉଠିଆସି ତାକୁ ଡାକିଲା,

 

‘ପଞ୍ଚୁଭାଇ, ମୋର ଚିଠି ଅଛି ?

 

ବୁଢ଼ା କହିଲା, ‘ନା ।’

 

ବିନୋଦିନୀ ବ୍ୟଗ୍ର ହୋଇ କହିଲା, ‘ଥାଇପାରେ, ଥରେ ଦେଖ ।’

 

–କହି ସାହୀର ଅଳ୍ପ ପାଞ୍ଚ ଛଅଖଣ୍ଡ ଚିଠିକୁ ଓଲଟାଇ ପାଲଟାଇ ଦେଖିଲା । କେଉଁଟା ବି ତା’ର ନୁହେଁ ବିମର୍ଷ ମୁଖରେ ଯେତେବେଳେ ଘାଟକୁ ଫେରିଆସିଲା, ସେତେବେଳେ ତା’ର ଜଣେ ସଙ୍ଗୀନୀ ସକୌତୁକ କଟାକ୍ଷରେ କହିଲା, ‘କିଲୋ ବିନ୍ଦୀ, ଚିଠି ପାଇଁ ଏତେ ବ୍ୟସ୍ତ କାହିଁକି ?’

 

ଆଉ ଜଣେ ପ୍ରଗଳ୍‍ଭା କହିଲା, ‘ଭଲ ଭଲ ! ଡାକରେ ଚିଠି ଆସେ, ଏତେ ଭାଗ୍ୟ କେତେ ଜଣଙ୍କର ? ଆମରତ ସ୍ୱାମୀ, ଦିଅର, ଭାଇ ବିଦେଶରେ କାମ କରନ୍ତି, କିନ୍ତୁ ଡାକପିଅନର କେବେ ଦୟା ହୁଏ ନାହିଁ ।’

 

ଏହିପରି କଥାରେ ପରିହାସ ସ୍ଫୁଟତର ଓ କଟାକ୍ଷ ତୀକ୍ଷ୍ଣତର ହୋଇ ଉଠିଲା । ବିନୋଦିନୀ ବିହାରୀକୁ ଅନୁନୟ କରି କହିଆସିଥିଲା, ପ୍ରତ୍ୟହ, ଯଦି ନିତାନ୍ତ ସମ୍ଭବ ନ ହୁଏ, ତେବେ ସପ୍ତାହରେ ଅନ୍ତତଃ ଦି’ଥର ଦି’ଲାଇନ ହେଉ ପଛକେ, ତା’ ପାଖକୁ ଲେଖିବାକୁ । ଆଜି ବିହାରୀର ଚିଠି ପାଇବାର ସମ୍ଭାବନା ଅତ୍ୟନ୍ତ ବିରଳ । କିନ୍ତୁ ଆକାଂକ୍ଷା ଏତେ ଅଧିକ ହୋଇଉଠିଲା ଯେ ଦୂରସମ୍ଭାବନାର ଆଶା ମଧ୍ୟ ବିନୋଦିନୀ ଛାଡ଼ିପାରିଲା ନାହିଁ । ତା’ର ମନେହେଲା, ଯେପରି, ବହୁକାଳ ହେଲା କଲିକତା ତ୍ୟାଗ କରି ଆସିଲାଣି ।

 

ମହେନ୍ଦ୍ର ସହିତ ଜଡ଼ିତ କରି ବିନୋଦିନୀ ନାଆଁରେ ନିନ୍ଦା ଘରେ ଘରେ କିପରି ବ୍ୟାପ୍ତ ହୋଇପଡ଼ିଚି, ଶତ୍ରୁମିତ୍ରଙ୍କ କୃପାରୁ ତାହା ବିନୋଦିନୀର ଅଗୋଚର ରହିଲା ନାହିଁ । ଶାନ୍ତି କାହିଁ ?

 

ଗ୍ରାମବାସୀଙ୍କ ପାଖରୁ ବିନୋଦିନୀ ନିଜକୁ ନିର୍ଲିପ୍ତ କରି ନେବାକୁ ଚେଷ୍ଟା କଲା । ପଲ୍ଲୀର ଲୋକମାନେ ସେଥିରେ ଆହୁରି ରାଗିଗଲେ । ପାତକିନୀକୁ ଘୃଣା ଓ ପୀଡ଼ନ କରିବାର ବିଳାସସୁଖରୁ ବଞ୍ଚିତ ହେବାକୁ ସେମାନେ ଚାହାନ୍ତି ନାହିଁ ।

 

କ୍ଷୁଦ୍ର ପଲ୍ଲୀମଧ୍ୟରେ ନିଜକୁ ସମସ୍ତଙ୍କ ପାଖରୁ ଗୋପନ ରଖିବାର ଚେଷ୍ଟା ବୃଥା । ଏଠାରେ ଆହତ ହୃଦୟକୁ ନିର୍ଜନ ଅନ୍ଧକାର କ’ଣରେ ରଖି ଶୁଶ୍ରୁଷା କରିବାର ଅବକାଶ ନାହିଁ । ସମସ୍ତଙ୍କର ତୀକ୍ଷ୍ଣ କୌତୁହଳ-ଦୃଷ୍ଟି ଆସି କ୍ଷତସ୍ଥାନରେ ପତିତ ହୁଏ । ବିନୋଦିନୀର ଅନ୍ତଃପ୍ରକୃତି ଟୋକେଇ ଭିତରେ ସଜୀବ ମାଛପରି ଯେତେ ଛାଟିପିଟି ହେବାକୁ ଲାଗିଲା, ଚାରିଆଡ଼ର ସଂକୀର୍ଣ୍ଣତା ମଧ୍ୟରେ ନିଜକୁ ସେ ସେତିକି ବାରମ୍ୱାର ଆହତ କରିବାକୁ ଲାଗିଲା ଏଠାରେ ସ୍ୱାଧୀନଭାବରେ ପରିପୂର୍ଣ୍ଣ ବେଦନାକୁ ଭୋଗ କରିବାର ସ୍ଥାନ ମଧ୍ୟ ନାହିଁ ।

 

ଦ୍ୱିତୀୟ ଦିନ ଚିଠିପାଇବାର ସମୟ ଅତିବାହିତ ହେବାପରେ ବିନୋଦିନୀ ଘରେ କବାଟ ବନ୍ଦ କରି ଚିଠି ଲେଖିବାକୁ ବସିଲା, ‘ବିହାରୀ, ଭୟ କରନା । ମୁଁ ତୁମ ପାଖକୁ ପ୍ରେମପତ୍ର ଲେଖିବାକୁ ବସି ନାହିଁ, ତୁମେ ମୋର ବିଚାରକ, ମୁଁ ତୁମକୁ ପ୍ରଣାମ କରେ । ମୁଁ ଯେଉଁ ପାପ କରିଚି, ତୁମେ ତାହାର କଠିନ ଦଣ୍ଡ ଦେଇଚ । ତୁମ ଆଦେଶମାତ୍ରେ ସେହି ଦଣ୍ଡକୁ ମୁଁ ଶିରୋଧାର୍ଯ୍ୟ କରିଚି । ଦୁଃଖ ହେଉଚି, ଦଣ୍ଡଟି ଯେ କେତେ କଠିନ, ତୁମେ ତାହା ଦେଖିପାରିଲ ନାହିଁ । ଯଦି ଦେଖିଥାନ୍ତ, ଯଦି ଜାଣୁଥାନ୍ତ, ତା’ ହେଲେ ତୁମ ମନରେ ଯେଉଁ ଦୟା ହୋଇଥାନ୍ତା, ମୁଁ ସେଥିରୁ ମଧ୍ୟବଞ୍ଚିତ ହେଲି । ତୁମକୁ ସ୍ମରଣ କରି ମନେ ମନେ ତୁମର ପାଦତଳେ ମୁଣ୍ଡ ରଖି ମୁଁ ଏହା ମଧ୍ୟ ସହ୍ୟ କରିବି-। କିନ୍ତୁ ପ୍ରଭୁ, ଜେଲଖାନାର କଏଦୀ କ’ଣ ଆହାର ମଧ୍ୟ ପାଏ ନାହିଁ ? ସୌଖୀନ ଆହାର ନୁହେଁ, ଯେତିକି ନ ହେଲେ ତା’ର ପ୍ରାଣ ରହିବ ନାହିଁ, ସେତିକିର ବରାଦ ତ ପୁଣି ଥାଏ । ତୁମର ଦୁଇଧାଡ଼ି ଚିଠି ମୋର ଏହି ନିର୍ବାସନର ଆହାର । ଯଦି ସେତିକି ନ ପାଇବି, ତେବେ ଏହା ମୋର କେବଳ ନିର୍ବାସନଦଣ୍ଡ ନୁହେଁ, ପ୍ରାଣଦଣ୍ଡ । ମୋତେ ଏତେ ଅଧିକ ପରୀକ୍ଷା କର ନାହିଁ । ଦଣ୍ଡଦାତା, ମୋର ପାପ ମନରେ ଅହଙ୍କାରର ସୀମା ନ ଥିଲା । ମୋତେ କାହାପାଖରେ ଏପରି ଭାବରେ ମୁଣ୍ଡ ନୁଆଁଇବାକୁ ପଡ଼ିବ ବୋଲି ମୁଁ ସ୍ୱପ୍ନରେ ବି ଜାଣି ନ ଥିଲି । ତୁମର ଜୟ ହୋଇଛି, ପ୍ରଭୁ । ମୁଁ ବିଦ୍ରୋହ କରିବି ନାହିଁ । କିନ୍ତୁ ମୋତେ ଦୟା କର, ମୋତେ ବଞ୍ଚିବାକୁ ଦିଅ । ଏହି ଅରଣ୍ୟବାସର ସମ୍ୱଳ ମୋତେ ଯେତେ ଅଳ୍ପ ପରିମାଣରେ ହେଉ ପଛକେ ଦିଅ । ତା’ ହେଲେ ତୁମର ଶାସନରୁ ମୋତେ କେହି କେବେ ଟଳାଇ ପାରିବେ ନାହିଁ । ଏଇ ଦୁଃଖତକ କେବଳ ଜଣାଇଲି । ଆଉ ଯାହାସବୁ ମୋ’ ମନରେ ଅଛି, କହିବାପାଇଁ ବକ୍ଷ ଫାଟିଯାଉଚି, ସେଗୁଡ଼ାକ ତୁମକୁ ଜଣାଇବି ନାହିଁ ବୋଲି ପ୍ରତିଜ୍ଞା କରିଚି । ସେହି ପ୍ରତିଜ୍ଞା ରକ୍ଷା କରିବି ।–ତୁମର ବିନୋଦ ନୂଆବୋଉ ।’

 

ବିନୋଦିନୀ ଚିଠିଟି ଡାକରେ ପକାଇ ଆସିଲା । ସାହୀଲୋକ ଛି–ଛି କରିବାକୁ ଲାଗିଲେ । ଘରେ ଦ୍ୱାର ରୁଦ୍ଧ କରିଥାଏ, ଚିଠି ଲେଖେ, ଚିଠି ପାଇବାପାଇଁ ଯାଇ ପିଅନକୁ ଆକ୍ରମଣ କରେ । କଲିକତାରେ ଦି’ ଦିନ ରହିଲେ କ’ଣ ଲଜ୍ଜା ଧର୍ମରେ ଜଳାଞ୍ଜଳି ଦେଇ ଏହିପରି ସମସ୍ତେ ମାଟି ହୋଇଯାଆନ୍ତି !

 

ତା’ ପରଦିନ ମଧ୍ୟ ଚିଠି ପାଇଲା ନାହିଁ । ବିନୋଦିନୀ ଦିନସାରା ସ୍ତବ୍‍ଧ ହୋଇ ରହିଲା-। ତା’ର ମୁହଁ କଠିନ ହୋଇଉଠିଲା । ଭିତର ବାହାର ଚାରିଆଡ଼ର ଆଘାତ ଓ ଅପମାନର ମନ୍ଥନରେ ତା’ ହୃଦୟର ଅନ୍ଧକାର ତଳଦେଶରୁ ନିଷ୍ଠୁର ସଂହାର ଶକ୍ତି ମୂର୍ତ୍ତିପରିଗ୍ରହ କରି ବାହାରି ଆସିବାକୁ ଚାହିଁଲା । ସେହି ନିଦାରୁଣ ନିଷ୍ଠୁରତା’ର ଆବିର୍ଭାବକୁ ବିନୋଦିନୀ ସଭୟେ ଉପଲବ୍ଧି କରି ଘରର କବାଟ ବନ୍ଦ କରିଦେଲା ।

 

ତା’ ପାଖରେ ବିହାରୀର କିଛି ନ ଥିଲା । ଛବିଟିଏ ନୁହେଁ, ଧାଡ଼ିଏ ଚିଠି ନୁହେଁ, କିଛି ନୁହେଁ । ଶୂନ୍ୟମଧ୍ୟରେ ସେ କ’ଣ ଖୋଜିବାକୁ ଲାଗିଲା । ସେ ବିହାରୀର ଗୋଟିଏ କିଛି ଚିହ୍ନ ଛାତିରେ ଧରି ଶୁଷ୍କ ଚକ୍ଷୁରେ ଅଶ୍ରୁ ଆଣିବାକୁ ଚାହେଁ । ଅଶ୍ରୁ ଜଳରେ ଅନ୍ତରର କଠିନତାକୁ ତରଳାଇ ବିଦ୍ରୋହ–ଚିହ୍ନକୁ ନିର୍ବାପିତ କରି ସେ ବିହାରୀର କଠୋର ଆଦେଶକୁ ହୃଦୟର କୋମଳତମ ପ୍ରେମର ସିଂହାସନରେ ବସାଇବାକୁ ଲାଗିଲା । କିନ୍ତୁ ଅନାବୃଷ୍ଟିରେ ମଧ୍ୟାହ୍ନ ଆକାଶପରି ତା’ର ହୃଦୟ କେବଳ ଜଳିବାକୁ ଲାଗିଲା । ଦିଗନ୍ତରେ କେଉଁଠି ମଧ୍ୟ ସେ ଟୋପାଏ ଅଶ୍ରୁର ଲକ୍ଷଣ ଦେଖିପାରିଲା ନାହିଁ । ବିନୋଦିନୀ ଶୁଣିଥିଲା, ଏକାଗ୍ର ମନରେ ଧ୍ୟାନ କରି ଯାହାକୁ ଡକାଯାଏ ସେ ନ ଆସି ରହିପାରେନାହିଁ । ତେଣୁ ହାତ ଯୋଡ଼ି ଆଖି ବୁଜି ସେ ବିହାରୀକୁ ଡାକିବାକୁ ଲାଗିଲା, ‘ମୋର ଜୀବନ ଶୂନ୍ୟ, ମୋର ହୃଦୟ ଶୂନ୍ୟ, ମୋର ଚତୁର୍ଦ୍ଦିଗ ଶୂନ୍ୟ । ଏହି ଶୂନ୍ୟତାକୁ ପୂର୍ଣ୍ଣ କରି ଥରେ ତୁମେ ଆସ । ମୁହୂର୍ତ୍ତକ ପାଇଁ ଆସ । ତୁମକୁ ଆସିବାକୁ ହିଁ ହେବ । ମୁଁ ତୁମକୁ କେବେ ଛାଡ଼ିପାରିବି ନାହିଁ ।’ ଏହି କଥା ମନପ୍ରାଣ ଦେଇ କହୁ କହୁ ବିନୋଦିନୀ ଯେପରି ମନରେ ବଳ ପାଇଲା । ମନେହେଲା ଏହି ପ୍ରେମର ବଳ, ଏହି ଆହ୍ୱାନର ବଳ ବୃଥା ହେବ ନାହିଁ । କେବଳ ସ୍ମରଣ କଲେ, ଦୁରାଶାର ମୂଳରେ ହୃଦୟର ରକ୍ତ ସେଚନ କଲେ ହୃଦୟ ଅବସନ୍ନ ହୋଇପଡ଼େ । କିନ୍ତୁ ଏହିପରି ଏକ ମନରେ ଧ୍ୟାନ କରି ପ୍ରାଣପଣ ଶକ୍ତିରେ କାମନା କଲେ ନିଜକୁ ସହାୟବାନ ମନେହୁଏ । ପ୍ରବଳ ଇଚ୍ଛା ଜଗତର ଆଉସବୁ ଛାଡ଼ି କେବଳ ବାଞ୍ଛିତକୁ ଆକର୍ଷଣ କରୁଥିବାରୁ ପ୍ରତିମୁହୂର୍ତ୍ତରେ କ୍ରମେ-କ୍ରମେ ଧୀରେ ଧୀରେ ତାହାର ନିକଟବର୍ତ୍ତୀ ହୁଏ ।

 

ବିହାରୀ ଧ୍ୟାନରେ ଯେତେବେଳେ ସନ୍ଧ୍ୟାର ଦୀପଶୂନ୍ୟ ଅନ୍ଧାରଘର ନିବିଡ଼ ଭାବରେ ପରିପୂର୍ଣ୍ଣ ହୋଇଉଠିଚି, ଯେତେବେଳେ ସମାଜ, ସଂସାର ଗ୍ରାମ, ପଲ୍ଲୀ, ସମସ୍ତ ବିଶ୍ୱଭୁବନ ପ୍ରଳୟରେ ବିଲୀନ ହୋଇଯାଇଚି, ସେତେବେଳେ ବିନୋଦିନୀ ହଠାତ୍ ଦ୍ୱାରରେ ଆଘାତ ଶୁଣି ଦ୍ରୁତବେଗରେ ଭୂମିତଳୁ ଉଠି ଠିଆହେଲା । ଅସହାୟ ବିଶ୍ୱାସରେ ଦଉଡ଼ିଯାଇ କବାଟ ଖୋଲି କହିଲା, ପ୍ରଭୁ, ଆସିଛ ?’ ତା’ର ଦୃଢ଼ ପ୍ରତ୍ୟୟ ହେଲା, ଏହି ମୁହୂର୍ତ୍ତରେ ଜଗତରେ ଅନ୍ୟ କେହି ତା’ ଦୁଆରକୁ ଆସିବା କଥା ନୁହେଁ ।

 

ମହେନ୍ଦ୍ର କହିଲା, ‘ଆସିଚି, ବିନୋଦ ।’

 

ବିନୋଦିନୀ ଅପରିସୀମ ବିରାଗ ଓ ପ୍ରଚଣ୍ଡ ଧିକ୍କାର ସହିତ କହି ଉଠିଲା, ‘ଯାଅ, ଯାଅ, ଏଠାରୁ ଚାଲିଯାଅ । ଏହି ମୁହୂର୍ତ୍ତରେ ଏଠାରୁ ଚାଲିଯାଅ ।’

 

ମହେନ୍ଦ୍ର ଅକସ୍ମାତ୍ ସ୍ତମ୍ଭିତ ହୋଇଗଲା ।

 

‘ହଇଲୋ ବିନ୍ଦୀ, ଯଦି ତୋ’ ଆଈଶାଶୁ କାଲି–’ଏହିକଥା କହୁ କହୁ ଜଣେ ପ୍ରୌଢ଼ା ପ୍ରତିବେଶିନୀ ବିନୋଦିନୀର ଦୁଆର ପାଖକୁ ଆସି ‘ମାଆଲୋ’ ବୋଲି କହି ହାତେ ଓଢ଼ଣା ଟାଣି ସବେଗ ପଳାୟନ କଲା ।

 

(୩୭)

 

ସାହୀରେ ବହୁତ ଗୋଳମାଳ ହେଲା । ପଲ୍ଲୀ ବୃଦ୍ଧାମାନେ ଚଣ୍ଡୀମଣ୍ଡପରେ ବସି କହିଲେ, ‘ଏକଥା ସହ୍ୟ କରିବା ଆଦୌ ଉଚିତ ନୁହେଁ । କଲିକତାରେ କ’ଣ ହେଉଥିଲା, ସେକଥା ଆମେ ଦେଖିବାକୁ ଯାଇ ନ ଥିଲୁ । କିନ୍ତୁ ଏତେ ସାହସ ଯେ ମହେନ୍ଦ୍ର ପାଖକୁ ଚିଠି ଉପରେ ଚିଠି ଲେଖି ତାକୁ ଗାଆଁକୁ ଡାକିଆଣି ଏପରି ପ୍ରକାଶ୍ୟ ନିର୍ଲଜ୍ଜତା । ଏପରି ଭ୍ରଷ୍ଟାକୁ ଆଉ ଗାଆଁରେ ରଖିଲେ ଚଳିବ ନାହିଁ ।

ବିନୋଦିନୀ ଆଜି ନିଶ୍ଚତଭାବରେ ଆଶା କରିଥିଲା, ବିହାରୀଠାରୁ ପତ୍ରର ଉତ୍ତର ପାଇବ । କିନ୍ତୁ ଉତ୍ତର ଆସିଲା ନାହିଁ । ବିନୋଦିନୀ ମନେ ମନେ କହିବାକୁ ଲାଗିଲା, ‘ମୋ ଉପରେ ବିହାରୀର କି ଅଧିକାର ? ମୁଁ କାହିଁକି ତା’ର ହୁକୁମ ଶୁଣିବାକୁ ଗଲି ? କାହିଁକି ମୁଁ ତାକୁ ବୁଝାଇଲି ଯେ ସେ ମୋ ପାଇଁ ଯେପରି ବିଧାନ କରିବ, ମୁଁ ନତଶିରରେ ତାହା ଗ୍ରହଣ କରିବି ? ତା’ର ପ୍ରିୟତମା ଆଶାକୁ ବଞ୍ଚାଇବା ପାଇଁ ଯେତିକି ଦରକାର, ତା’ର କ’ଣ ମୋ ସହିତ ସେତିକି ସମ୍ପର୍କ ? ମୋ’ ନିଜର କ’ଣ କୌଣସି ପ୍ରାପ୍ୟ ବା ଦାବୀ ନାହିଁ ? ସାମାନ୍ୟ ଦୁଇଧାଡ଼ି ଚିଠି ମଧ୍ୟ ନୁହେଁ ? ମୁଁ ଏତେ ତୁଚ୍ଛ, ଏତେଦୂର ଘୃଣାର ପାତ୍ର ?’ ବିଷାକ୍ତ ଈର୍ଷାରେ ବିନୋଦିନୀର ବକ୍ଷ ପୂର୍ଣ୍ଣ ହୋଇଉଠିଲା, କହିଲା, ‘ଆଉ କାହାପାଇଁ ଏତେଦୁଃଖ ସହ୍ୟ କରାଯାଇପାରେ, କିନ୍ତୁ ତା’ ବୋଲି ଆଶା ପାଇଁ ନୁହେଁ-। ଏହି ଦୈନ୍ୟ, ଏହି ବନବାସ, ଏହି ଲୋକନିନ୍ଦା, ଏହି ଆବଦ୍ଧ ଜୀବନର ସବୁପ୍ରକାର ଅପରିତୃପ୍ତି କେବଳ ଆଶା ପାଇଁ ମୋତେ ବହନ କରିବାକୁ ହେବ । ଏତେବଡ଼ ଫାଙ୍କି କେଉଁଥିପାଇଁ ମୁଁ ମୁଣ୍ଡ ନୁଆଇଁ ଗ୍ରହଣ କଲି ? କାହିଁକି ମୋ ସର୍ବନାଶର ବ୍ରତ ସମ୍ପୂର୍ଣ୍ଣ କରି ଆସିଲି ନାହିଁ । ମୁଁ କେଡ଼େ ନିର୍ବୋଧ ! କାହିଁକି ମୁଁ ବିହାରୀକୁ ଭଲ ପାଇଲି ?

ଯେତେବେଳେ ବିନୋଦିନୀ କାଠପିତୁଳାପରି ଘର ଭିତରେ କଠିନ ହୋଇ ବସିଥିଲା, ସେତେବେଳେ ତା’ର ଆଈଶାଶୁ ଜୋଇଁଘରୁ ଫେରିଆସିଲେ । ତାକୁ କହିଲେ, ‘ପୋଡ଼ାମୁହିଁ, ଏସବୁ ମୁଁ କ’ଣ ଶୁଣୁଚି ?’

ବିନୋଦିନୀ କହିଲା, ‘ଯାହା ଶୁଣୁଚ, ସବୁ ସତକଥା ।’

ଆଈଶାଶୁ–ତେବେ ଏ କଳଙ୍କ ନେଇ ଗାଆଁକୁ କାହିଁକି ଆସିଲୁ ?

ରୁଦ୍ଧ କ୍ଷୋଭରେ ବିନୋଦିନୀ ଚୁପ୍ ହୋଇ ବସିରହିଲା । ଆଈଶାଶୁ କହିଲେ, ‘ଝିଅ, ମୁଁ ତୋତେ ଏଠି ରଖିପାରିବି ନାହିଁ । ସେଇକଥା କହି ଦେଉଚି । ମୋ ପୋଡ଼ାକପାଳକୁ ସମସ୍ତେ ମରି ଉଡ଼ିଗଲେ । ତାହା ମଧ୍ୟ ସହ୍ୟ କରି ବଞ୍ଚିଚି । କିନ୍ତୁ ତା ବୋଲି ମୁଁ ଏସବୁ ସହିପାରିବିନାହିଁ । ଛି, ଛି, ଆମ ମୁଣ୍ଡକୁ ତୁ ତଳକୁ କରିଦେଲୁ ? ତୁ ବର୍ତ୍ତମାନ ଏଠୁ ଯାଆ ।’

ବିନୋଦିନୀ କହିଲା, ‘ମୁଁ ବର୍ତ୍ତମାନ ଯିବି ।’

ଏହି ସମୟରେ ମହେନ୍ଦ୍ର ଅସ୍ନାତ ଅଭୁକ୍ତ ଓ ରୁକ୍ଷ ଚେହେରା ନେଇ ହଠାତ୍ ଆସି ଉପସ୍ଥିତ ହେଲା । ସାରା ରାତି ଅନିଦ୍ରା ହୋଇ ତା’ ଆଖି ରକ୍ତବର୍ଣ୍ଣ, ମୁହଁ ଶୁଷ୍କ । ଅନ୍ଧାର ଥାଉ ଥାଉ ଭୋରବେଳୁ ଆସି ସେ ବିନୋଦିନୀକୁ ନେବାପାଇଁ ଦ୍ୱିତୀୟବାର ଚେଷ୍ଟା କରିବ, ତା’ର ଏହିପରି ସଂକଳ୍ପ ଥିଲା । କିନ୍ତୁ ପୂର୍ବଦିନ ବିନୋଦିନୀର ଅଭୂତପୂର୍ବ ଘୃଣାର ଅଭିଘାତ ପାଇ ତା’ ମନରେ ନାନା ପ୍ରକାର ଦ୍ୱିଧା ଉଦୟ ହେଉଥିଲା । କ୍ରମେ ଯେତେବେଳେ ଦିନ ହୋଇଗଲା, ରେଳଗାଡ଼ିର ସମୟ ଆସନ୍ନ ହୋଇଆସିଲା, ସେତେବେଳେ ଷ୍ଚେସନର ଯାତ୍ରୀଶାଳାରୁ ବାହାରି ମନରୁ ସବଳେ ସବୁପ୍ରକାର ବିଚାର ଓ ବିତର୍କ ଦୂରକରି ଖଣ୍ଡେ ଗାଡ଼ି କରି ମହେନ୍ଦ୍ର ବିନୋଦିନୀର ଘର ସମାମନାରେ ଆସି ଉପସ୍ଥିତ ହୋଇଚି । ଲଜ୍ଜା ତ୍ୟାଗ କରି ପ୍ରକାଶ୍ୟରେ ଦୁଃସାହସିକ କାର୍ଯ୍ୟ କରିବାକୁ ପ୍ରବୃତ୍ତ ହେଲେ ଯେଉଁ ଧରଣର ସ୍ପର୍ଦ୍ଧାପୂର୍ଣ୍ଣ ବଳ ଜାତହୁଏ, ସେହି ବଳର ଆବେଗରେ ମହେନ୍ଦ୍ର ଗୋଟାଏ ପ୍ରକାରର ଭଦ୍‍ଭ୍ରାନ୍ତ ଆନନ୍ଦ ବୋଧ କଲା । ତା’ର ସବୁ ଅବସାଦ ଓ ଦ୍ୱିଧା ଚୂର୍ଣ୍ଣ ହୋଇଗଲା । ଗ୍ରାମର କୌତୁହଳୀ ଲୋକମାନେ ତା’ର ଉନ୍ମତ୍ତ ଦୃଷ୍ଟିରେ ନିର୍ଜୀବ ପୁତ୍ତଳିକା ପରି ବୋଧ ହେଲେ । ମହେନ୍ଦ୍ର କେଉଁଆଡ଼େ ଦୃକପାତ ମାତ୍ର ନ କରି ସିଧା ବିନୋଦିନୀ ପାଖକୁ ଯାଇ କହିଲା, ‘ବିନୋଦିନୀ, ଲୋକନିନ୍ଦା ମୁହଁରେ ତୁମକୁ ଛାଡ଼ିଦେଇ ଯିବି, ଏପରି କାପୁରୁଷ ମୁଁ ନୁହେଁ । ତୁମକୁ ଯେପରି ଭାବରେ ହେଉ ଏଠାରୁ ନେଇଯିବି । ତା’ ପରେ ତୁମେ ମୋତେ ପରିତ୍ୟାଗ କରିବାକୁ ଚାହିଁଲେ ପରିତ୍ୟାଗ କରିବ । ମୁଁ ତୁମକୁ କୌଣସି ବାଧା ଦେବି ନାହିଁ । ମୁଁ ତୁମକୁ ସ୍ପର୍ଶ କରି ଆଜି ଶପଥ କରି କହୁଚି, ତୁମେ ଯେତେବେଳେ ଯେପରି ଇଚ୍ଛା କରିବ, ତାହାହିଁ ହେବ । ଯଦି ଦୟା କରିବ, ତେବେ ପରିତ୍ରାଣ ପାଇବି । ଯେବେ ନ କରିବ, ତେବେ ତୁମ ପଥରୁ ଦୂରକୁ ହଟିଯିବି-। ମୁଁ ସଂସାରରେ ନାନା ଅବିଶ୍ୱାସର କାର୍ଯ୍ୟ କରିଚି । କିନ୍ତୁ ଆଜି ମୋତେ ଅବିଶ୍ୱାସ କର ନାହିଁ । ଆମେ ଦୁହେଁ ପ୍ରଳୟ ମୁହଁରେ ଠିଆ ହୋଇଚେ । ବର୍ତ୍ତମାନ ଛଳନା କରିବାର ସମୟ ନାହିଁ-।’

ବିନୋଦିନୀ ଅତି ସହଜଭାବରେ ଅବିଚଳିତ ମୁହଁରେ କହିଲା, ‘ମୋତେ ନେଇଚାଲ । ତୁମ ସହିତ ଗାଡ଼ି ଅଛି ?’

ମହେନ୍ଦ୍ର କହିଲା, ‘ଅଛି ।’

ବିନୋଦିନୀର ଆଈଶାଶୁ ଘରୁ ବାହାରି ଆସି କହିଲେ, ‘ମହେନ୍ଦ୍ର ! ତୁମେ ମୋତେ ଚିହ୍ନି ନାହଁ । କିନ୍ତୁ ତୁମେ ଆମର ପର ନୁହଁ । ତୁମର ମାଆ ରାଜଲକ୍ଷ୍ମୀ ଆମ ଗାଆଁର ଝୁଅ । ଗାଆଁ ସମ୍ପର୍କରେ ମୁଁ ତା’ର ମାଇଁ । କହିଲ, ଇଏ ତୁମର କି ବ୍ୟବହାର ? ଘରେ ତୁମର ସ୍ତ୍ରୀ ଅଛି, ମାଆ ଅଛି, ଆଉ ତୁମେ ଏପରି ଅଲାଜୁକ ଉନ୍ମତ୍ତଙ୍କପରି ହେଉଚ ? ଭଦ୍ର-ସମାଜରେ ତୁମେ ମୁହଁ ଦେଖାଇବ କିପରି ?’

ମହେନ୍ଦ୍ର ଯେଉଁ ଭାବୋନ୍ମାଦର ରାଜ୍ୟରେ ଥିଲା, ସେଠାରେ ଏଇ କଥାଟା ଯାଇ ତାକୁ ଆଘାତ କଲା । ତା’ର ମାଆ ଅଛି, ସ୍ତ୍ରୀ ଅଛି ଏବଂ ଭଦ୍ର ସମାଜ ଅଛି । ଏଇ ସହଜ କଥାଟା ତା’ ମନରେ ନୂଆ କରି ଉଦିତ ହେଲା । ଏହି ଅଜ୍ଞାତ ସୁଦୂର ପଲ୍ଲୀର ଅପରିଚିତ ଗୃହଦ୍ୱାରରେ ଯେ ମହେନ୍ଦ୍ରକୁ ଏପରି କଥା ଶୁଣିବାକୁ ହେବ, ଏହା ତା’ର ସ୍ୱପ୍ନାତୀତ ଥିଲା । ଦିନ ଦି’ପହରରେ ଗାଆଁମଝିରେ ଠିଆହୋଇ ସେ ଗୋଟିଏ ଭଦ୍ର-ଘରର ବିଧବା ରମଣୀକୁ ଘରୁ ବାହାର କରିନେଉଚି-। ମହେନ୍ଦ୍ରର ଜୀବନ-ଚରିତରେ ଏପରି ଗୋଟାଏ ଅଦ୍ଭୁତ ଅଧ୍ୟାୟ ପୁଣି ଲେଖାହେବାର ଥିଲା ? ତଥାପି ତା’ର ମାଆ ଅଛି, ସ୍ତ୍ରୀ ଅଛି, ଭଦ୍ରସମାଜ ଅଛି ।

ମହେନ୍ଦ୍ର ନିରୁତ୍ତର ଭାବରେ ଠିଆହୋଇ ରହିଲା । ବୃଦ୍ଧା କହିଲେ, ‘ଯଦି ଯିବା–କଥା, ତେବେ ସଂଗେ ସଂଗେ ଚାଲିଯାଅ । ଆଉ ମୋ ଦୁଆରରେ ମୁହୂର୍ତ୍ତେ ଡେରି କରିବା ଦରକାର ନାହିଁ-।’

କହି ବୃଦ୍ଧା ଘରମଧ୍ୟରେ ପ୍ରବେଶ କରି ଭିତରୁ ଦ୍ୱାର ରୁଦ୍ଧ କଲେ । ଅସ୍ନାତ, ଅଭୁକ୍ତ ଓ ମଳିନ ବସ୍ତ୍ର ବିନୋଦିନୀ ଶୂନ୍ୟହସ୍ତରେ ଯାଇ ଗାଡ଼ିରେ ବସିଲା । ମହେନ୍ଦ୍ର ଗାଡ଼ିରେ ବସିବାକୁ ଉଦ୍ୟତ ହେବାରୁ ବିନୋଦିନୀ କହିଲା, ‘ନା, ଷ୍ଟେସନ ବେଶୀଦୂର ନୁହେଁ, ତୁମେ ଚାଲିକରି ଆସ ।’

ମହେନ୍ଦ୍ର କହିଲା, ‘ଗାଆଁ ଲୋକଙ୍କ ଆଗରେ ମୋତେ ଯିବାକୁ ଖରାପ ଲାଗୁଚି ।’

ବିନୋଦିନୀ କହିଲା, ‘ଆହୁରି ଲାଜ ବାକି ଅଛି ?’-କହି ଗାଡ଼ିର କବାଟ ବନ୍ଦ କରି ଗାଡ଼ିବାଲାକୁ କହିଲା, ‘ଚାଲ ଷ୍ଟେସନକୁ ।’

ଗାଡ଼ିବାଲା ପଚାରିଲା, ‘ବାବୁ ଯିବେ ନାହିଁ ?’

ମହେନ୍ଦ୍ର ଟିକିଏ ଇତସ୍ତତଃ ହୋଇ ଗାଡ଼ିରେ ଉଠିବାକୁ ସାହସ କଲା ନାହିଁ । ଗାଡ଼ି ଚାଲିଗଲା । ମହେନ୍ଦ୍ର ଗ୍ରାମପଥ ପରିତ୍ୟାଗ କରି ଧାନକ୍ଷେତ ଭିତରଦେଇ ନତଶିରରେ ଷ୍ଟେସନ ଅଭିମୁଖେ ଚାଲିଲା ।

ସେତେବେଳକୁ ଗ୍ରାମବଧୂମାନଙ୍କ ସ୍ନାନହାର ସରିଲାଣି । କେବଳ ଯେଉଁ କର୍ମନିଷ୍ଠ ପ୍ରୌଢ଼ା ଗୃହଣୀମାନେ ବିଳମ୍ୱରେ ଅବକାଶ ପାଇଛନ୍ତି, ସେହିମାନେ ଗାମୁଛା ଓ ତେଲ ନେଇ ଆମ୍ରମୁକୁଳ–ଆମୋଦିତ ଛାୟାସ୍ନିଗ୍‍ଧ ପୁଷ୍କରିଣୀର ନିଭୃତ ଘାଟକୁ ଯାଉଚନ୍ତି ।

 

(୩୮)

 

ମହେନ୍ଦ୍ର କେଉଁଆଡ଼େ ନିରୁଦ୍ଦେଶ୍ୟ ହୋଇଗଲା, ଏହି ଆଶଙ୍କାରେ ରାଜଲକ୍ଷ୍ମୀଙ୍କର ଆହାର ନିଦ୍ରା ବନ୍ଦ । ସାଧୁଚରଣ ସମ୍ଭବ ଓ ଅସମ୍ଭବ ସବୁ ସ୍ଥାନରେ ତାକୁ ଖୋଜି ବୁଲୁଚନ୍ତି । ଏପରି ସମୟରେ ମହେନ୍ଦ୍ର ବିନୋଦିନୀକୁ ନେଇ କଲିକତାକୁ ଫେରିଆସିଲା । ପୋଟଲଡାଙ୍ଗାର ବସାରେ ତାକୁ ରଖି ରାତିରେ ସେ ଆସି ଘରେ ପହଞ୍ଚିଲା ।

 

ମାଆଙ୍କ ଘରେ ପ୍ରବେଶ କରି ଦେଖିଲା, ଘର ଅନ୍ଧାକାରପ୍ରାୟ । ଲଣ୍ଠନ ଆଢ଼ୁଆଳରେ ରଖାହୋଇଚି । ରାଜଲକ୍ଷ୍ମୀ ରୋଗୀଙ୍କପରି ବିଛଣାରେ ପଡ଼ିଚନ୍ତି । ଆଶା ତାଙ୍କ ପାଦତଳେ ବସି ଗୋଡ଼ରେ ହାତ ବୁଲାଇ ଦେଉଚି । ଏତେକାଳପରେ ଗୃହରେ ବଧୂ ଶାଶୁର ପଦସେବା କରିବାର ଅଧିକାର ପାଇଚି ।

 

ମହେନ୍ଦ୍ର ଆସିବାକ୍ଷଣି ଆଶା ଚକିତ ହୋଇଉଠି ଘରୁ ବାହାରି ଚାଲିଗଲା । ମହେନ୍ଦ୍ର ବଳପୂର୍ବକ ସବୁପ୍ରକାର ଦ୍ୱିଧା ପରିତ୍ୟାଗ କରି କହିଲା, ‘ମାଆ, ଏଠାରେ ମୋର ପଢ଼ାର ସୁବିଧା ହେଉ ନାହିଁ । ମୁଁ କଲେଜ ପାଖରେ ଗୋଟିଏ ବସା ନେଇଚି, ସେଇଠି ଯାଇ ରହିବି ।’

 

ରାଜଲକ୍ଷ୍ମୀ ବିଛଣାପ୍ରାନ୍ତରୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ‘ମହେନ୍ଦ୍ର, ଟିକିଏ ବସ ।’

 

ମହେନ୍ଦ୍ର ସଂକୋଚର ସହିତ ବିଛଣାରେ ବସିଲା ।

 

ରାଜଲକ୍ଷ୍ମୀ କହିଲେ, ‘ମହେନ୍ଦ୍ର, ତୋର ଯେଉଁଠି ଇଚ୍ଛା ତୁ ରହ । କିନ୍ତୁ ମୋ’ ବୋହୂଟାକୁ ତୁ କଷ୍ଟ ଦେ’ ନା ।’

 

ମହେନ୍ଦ୍ର ଚୁପ୍ ହୋଇ ରହିଲା । ରାଜଲକ୍ଷ୍ମୀ କହିଲେ, ‘ମୋର କପାଳ ମନ୍ଦ । ତେଣୁ ମୁଁ ମୋର ଏପରି ଲକ୍ଷ୍ମୀ ପ୍ରତିମା ବୋହୂକୁ ଚିହ୍ନିପାରି ନ ଥିଲି ।’ କହୁ କହୁ ତାଙ୍କର କଣ୍ଠରୁଦ୍ଧ ହୋଇଆସିଲା । ‘କିନ୍ତୁ ତୁ ତାକୁ ଏତେଦିନ ଜାଣି ଏତେ ଭଲପାଇ ଶେଷରେ ଏତେ ଦୁଃଖ ଦେଲୁ କିପରି ?’ ରାଜଲକ୍ଷ୍ମୀ ଆଉ ସମ୍ଭାଳି ନ ପାରି କାନ୍ଦିବାକୁ ଲାଗିଲେ ।

 

ମହେନ୍ଦ୍ର ସେଠାରୁ କୌଣସିମତେ ଉଠି ପଳାଇ ଆସିବାର ରକ୍ଷା ପାଇପାରିଥାନ୍ତା, କିନ୍ତୁ ହଠାତ୍ ଉଠିଯାଇପାରିଲା ନାହିଁ । ମାଆଙ୍କ ବିଛଣାରେ ଗୋଟିଏ କଡ଼ରେ ଅନ୍ଧାରରେ ନିସ୍ତବ୍‍ଧ ହୋଇ ବସିରହିଲା ।

 

ଅନେକ ସମୟପରେ ରାଜଲକ୍ଷ୍ମୀ ପଚାରିଲେ, ‘ଆଜି ରାତିରେ ତ ଏଠି ରହିବୁ ?’

 

ମହେନ୍ଦ୍ର କହିଲା, ‘ନା’ ।

 

ରାଜଲକ୍ଷ୍ମୀ ପଚାରିଲେ, ‘କେତେବେଳେ ଯିବୁ ?’ ମହେନ୍ଦ୍ର କହିଲା, ‘ବର୍ତ୍ତମାନ ।’

 

ରାଜଲକ୍ଷ୍ମୀ କଷ୍ଟକରି ଉଠିବସି କହିଲେ, ‘ବର୍ତ୍ତମାନ ! ଥରେ ବୋହୂ ସହିତ ଦେଖାକରି ଯିବୁ ନାହିଁ ?’

 

ମହେନ୍ଦ୍ର ଉତ୍ତର ଦେଲା ନାହିଁ । ରାଜଲକ୍ଷ୍ମୀ କହିଲେ, ‘ଏଇ କେଇଟା ଦିନ ବୋହୂର କିପରି ଭାବରେ କଟିଚି, ତୁ କ’ଣ ତାହା ଟିକିଏ ହେଲେ ବୁଝିପାରୁନୁ ? ଆରେ ନିର୍ଲଜ୍ଜ, ତୋର ନିଷ୍ଠୁରତାରେ ମୋର ଛାତି ଫାଟିଯାଉଚି ।’ –କହି ରାଜଲକ୍ଷ୍ମୀ ଛିନ୍ନ ଶାଖାପରି ପଡ଼ିଗଲେ ।

 

ମହେନ୍ଦ୍ର ବିଛଣାରୁ ଉଠି ବାହାରକୁ ଚାଲିଗଲା । ଅତି ମୃଦୁପଦରେ ନିଃଶବ୍ଦ ଗମନରେ ସେ ସିଡ଼ିରେ ଉଠି ତା’ର ଶୋଇବା ଘରକୁ ଗଲା । ଆଶା ସହିତ ଦେଖା ହେଉ, ତା’ର ଏପରି ଇଚ୍ଛା ନ ଥିଲା ।

 

ମହେନ୍ଦ୍ର ଉପରକୁ ଯାଇ ଦେଖିଲା ତା’ର ଶୟନ ଗୃହ–ସଂଲଗ୍ନ ଛାତରେ ଆଶା ତଳେ ପଡ଼ିଚି ı ସେ ମହେନ୍ଦ୍ରର ପାଦ ଶବ୍ଦ ଶୁଣିପାରିନାହିଁ । ହଠାତ୍ ତାକୁ ସମ୍ମୁଖରେ ଉପସ୍ଥିତ ଦେଖି ଦ୍ରୁତ ହସ୍ତରେ ଲୁଗା ସଜାଡ଼ି ସେ ଉଠି ବସିଲା । ଏହି ସମୟରେ ଯଦି ମହେନ୍ଦ୍ର ଥରେ ‘ଚୁନି’ ବୋଲି ଡାକିଥାନ୍ତା, ତେବେ ସେ ତା’ର ସବୁ ଅପରାଧ ନିଜ ମୁଣ୍ଡକୁ ଉଠାଇ ନେଇ କ୍ଷମାପ୍ରାପ୍ତ ଅପରାଧିନୀ ପରି ମହେନ୍ଦ୍ରର ଦୁଇ ପାଦ ଧରି ତା’ ଜୀବନର ସବୁ କାନ୍ଦଣା କାନ୍ଦି ନିଜକୁ ଲଘୁ କରିପାରିଥାନ୍ତା ।

 

କିନ୍ତୁ ମହେନ୍ଦ୍ର ସେହି ପ୍ରିୟନାମ ଧରି ଡାକିପାରିଲା ନାହିଁ । ସେ ଯେତେ ଚେଷ୍ଟାକଲା, ଯେତେ ମନକଲା, ଯେତେ ବେଦନା ପାଇଲା, ତଥାପି ଏକଥା ଭୁଲିପାରିଲା ନାହିଁ ଯେ ଆଜି ଆଶାକୁ ଆଦର କରିବା ଶୂନ୍ୟଗର୍ତ୍ତ ପରିହାସମାତ୍ର । ତାକୁ ମୁହଁରେ ସାନ୍ୱନା ଦେଇ କ’ଣ ହେବ ? ବିନୋଦିନୀକୁ ପରିତ୍ୟାଗ କରିବାର ପଥ ତ ସେ ନିଜ ହାତରେ ବନ୍ଦ କରିଦେଇଚି ।

 

ଆଶା ସଂକୋଚରେ ମରିଯାଇ ବସି ରହିଲା । ଉଠିବାକୁ, ଚାଲିଯିବାକୁ କୌଣସିପ୍ରକାରେ ଗତିର ଚେଷ୍ଟାମାତ୍ର କରିବାକୁ ତା’ର ଲଜ୍ଜାବୋଧ ହେଲା । ମହେନ୍ଦ୍ର କୌଣସି କଥା ନ କହି ଧୀରେ ଧୀରେ ଛାତରେ ପଦଚାରଣା କରିବାକୁ ଲାଗିଲା । କୃଷ୍ଣପକ୍ଷର ଆକାଶରେ ସେପର୍ଯ୍ୟନ୍ତ ଜହ୍ନ ଉଠିନାହିଁ । ଛାତର ଗୋଟିଏ କ’ଣକୁ ଗୋଟିଏ ଛୋଟ କୁଣ୍ଡରେ ଦୁଇପେନ୍ଥା ରଜନୀଗନ୍ଧା ଫୁଲ ଫୁଟିଚି ।

 

ଛାତ ଉପରର ଅନ୍ଧକାର ଆକାଶର ଏହି ନକ୍ଷତ୍ରଗୁଡ଼ିକ,–ଏହି ସପ୍ତର୍ଷି, ଏହି କାଳପୁରୁଷ-ଏମାନଙ୍କର ଅନେକ ସନ୍ଧ୍ୟାରେ ନିଭୃତ ପ୍ରେମାଭିନୟର ସାକ୍ଷୀ ଥିଲେ । ଆଜି ମଧ୍ୟ ସେମାନେ ନିସ୍ତବ୍‍ଧ ହୋଇ ଚାହିଁ ରହିଲେ ।

 

ମହେନ୍ଦ୍ର ଭାବିଲା, ‘ଗତ କେତୋଟି ବିପ୍ଳବ କାହାଣୀକୁ ଏହି ଆକାଶଭରା ଅନ୍ଧାରଦ୍ୱାରା ପୋଛିଦେଇ ଯଦି ଠିକ୍‌ ପୂର୍ବପରି ଏହି ଖୋଲା ଛାତରେ ସପ ପାରି ଆଶା ପାଖରେ ମୋର ଚିରନ୍ତର ସ୍ଥାନଟିରେ ଅତି ଅନାୟାସରେ ମୁଁ ଯାଇ ବସିପାରନ୍ତି, କୌଣସି ପ୍ରଶ୍ନ ନାହିଁ, କୈଫିୟତ୍‌ ନାହିଁ, ସେହି ବିଶ୍ୱାସ, ସେହି ପ୍ରେମ, ସେହି ସହଳ ଆନନ୍ଦ ! ‘କିନ୍ତୁ ହାୟ । ଜଗତ ସଂସାରରେ ସେହି ଜାଗାଟିକକ ଅଧିକାର କରିବାର ଆଉ ଉପାୟ ନାହିଁ । ଏହି ଛାତରେ ଆଶା ପାଖରେ ସପ ଉପରର ଭାଗ ମହେନ୍ଦ୍ର ସବୁ ଦିନପାଇଁ ହରାଇଚି । ଏପର୍ଯ୍ୟନ୍ତ ବିନୋଦିନୀ ସହିତ ମହେନ୍ଦ୍ରର ସମ୍ୱନ୍ଧ ପରିମାଣରେ ସ୍ୱାଧୀନ ଥିଲା, ଭଲ ପାଇବାର ଉନ୍ମତ ସୁଖ ଥିଲା, କିନ୍ତୁ ତା’ର ଅବିଚ୍ଛେଦ୍ୟ ବନ୍ଧନ ନ ଥିଲା; କିନ୍ତୁ ତା’ର ଅଭିଚ୍ଛେଦ୍ୟ ବର୍ତ୍ତମାନ ବନ୍ଧନ ନ ଥିଲା ı ମହେନ୍ଦ୍ର ବିନୋଦିନୀକୁ ସମାଜରୁ ସ୍ୱହସ୍ତରେ ଛିନ୍ନ କରି ଆଣିଚି । ଆଉ ବିନୋଦିନୀକୁ କେଉଁଠି ରଖିବାର ବା କେଉଁଠିକି ଫେରାଇ ଦେବାର ଜାଗା ନାହିଁ । ମହେନ୍ଦ୍ର ବର୍ତ୍ତମାନ ତା’ର ଏକମାତ୍ର ନିର୍ଭର । ବର୍ତ୍ତମାନ ଇଚ୍ଛା ଥାଉ ବା ନ ଥାଉ, ବିନୋଦିନୀର ସବୁ ଭାର ତାକୁ ଗ୍ରହଣ କରିବାକୁ ପଡ଼ିବ । ଏହିକଥା ମନେକରି ମହେନ୍ଦ୍ରର ହୃଦୟ ଭିତରେ ପୀଡ଼ିତ ହେବାକୁ ଲାଗିଲା । ସେମାନଙ୍କର ଛାତ ଉପରର ଏହି ଘରକରଣା, ଏହି ଶାନ୍ତ, ଏହି ବାଧାବିହୀନ ଦାମ୍ପତ୍ୟ-ମିଳନର ନିଭୃତ ରାତ୍ରି ହଠାତ୍‌ ମହେନ୍ଦ୍ର ପାଖରେ ବଡ଼ ଆରାମଦାୟକପରି ବୋଧହେଲା । କିନ୍ତୁ ଏହି ସହଜ ସୁଲଭ ଆରାମ, ଯେଉଁଥିରେ ଏକମାତ୍ର ତାହାରି ଅଧିକାର ଥିଲା, ତାହାହିଁ ଆଜି ମହେନ୍ଦ୍ରପକ୍ଷରେ ଦୁରାଶାର ସାମଗ୍ରୀ । ଚିରଦିନପାଇଁ ଯେଉଁ ବୋଝ ସେ ମୁଣ୍ଡ ଉପରକୁ ଉଠାଇନେଲା, ତାକୁ ଓହ୍ଲାଇ ମୁହୂର୍ତ୍ତେ ସୁଦ୍ଧା ସେ ନିଃଶ୍ୱାସ ମାରିପାରିବ ନାହିଁ ।

 

ଦୀର୍ଘନିଃଶ୍ୱାସ ପକାଇ ମହେନ୍ଦ୍ର ଥରେ ଆଶା ଆଡ଼କୁ ଚାହିଁ ଦେଖିଲା, ନିସ୍ତବ୍‍ଧ ରୋଦନରେ ବକ୍ଷ ପରିପୂର୍ଣ୍ଣ କରି ଆଶା ସେପର୍ଯ୍ୟନ୍ତ ବସିରହିଥିଲା । ରାତିର ଅନ୍ଧକାର ଜନନୀର ବସ୍ତ୍ରାଞ୍ଚଳପରି ତା’ର ଲଜ୍ଜା ଓ ବେଦନାକୁ ଆବଅତ କରି ରଖିଚି ।

 

ମହେନ୍ଦ୍ର ପଦଚାରଣା ବନ୍ଦ କରି କ’ଣ କହିବାପାଇଁ ହଠାତ୍‌ ଆସି ଆଶା ପାଖରେ ଠିଆହେଲା । ଦେହରୁ ସବୁ ରକ୍ତ ଆଶାର କାନ ଭିତରେ ପଶି ଶବ୍ଦ କରିବାକୁ ଲାଗିଲା । ସେ ଆଖି ବନ୍ଦ କଲା । ମହେନ୍ଦ୍ର କ’ଣ କହିବାକୁ ଆସିଥିଲା, ଭାବିପାରିଲା ନାହିଁ । ତାହାର ଆଉ କ’ଣ ବା କହିବାର ଅଛି-? କିନ୍ତୁ କିଛି ନ କହି ମଧ୍ୟ ଫେରିପାରିଲା ନାହିଁ । ପଚାରିଲା, ‘ଚାବିଟା କେଉଁଠି ଅଛି-? କିନ୍ତୁ କିଛି ନ କହି ମଧ୍ୟ ଫେରିପାରିଲା ନାହିଁ । ପଚାରିଲା, ‘ଚାବିଟା କେଉଁଠି ଅଛି ?’

 

ବିଛଣାର ଗଦିତଳେ ଚାବି ଥିଲା । ଆଶା ଉଠି ଘରଭିତରକୁ ଗଲା । ମହେନ୍ଦ୍ର ତା’ର ଅନୁସରଣ କଲା । ଗଦିତଳୁ ଚାବି ବାହାର କରି ଆଶା ଗଦିଉପରେ ରଖି ଦେଲା । ମହେନ୍ଦ୍ର ଚାବି ନେଇ ନିଜର ଲୁଗା ଆଲମାରିରେ ଗୋଟି ଗୋଟି ଚାବି ପୂରାଇ ଦେଖିବାକୁ ଲାଗିଲା । ଆଶା ଆଉ ରହିପାରିଲା ନାହିଁ । ମୃଦୁସ୍ୱରରେ କହିଲା, ‘ସେ ଆଲମାରିର ଚାବି ମୋ ପାଖରେ ନ ଥିଲା ।’

 

କାହା ପାଖରେ ଚାବି ଥିଲା, ଆଶା ମୁହଁରୁ ସେକଥା ବାହାରିଲା ନାହିଁ । କିନ୍ତୁ ମହେନ୍ଦ୍ର ତାହା ବୁଝିଲା । ଆଶା ତରତର ହୋଇ ଘରୁ ବାହାରିଗଲା । ତାହାର ଭୟ ହେଲା, କାଳେ ମହେନ୍ଦ୍ର ସମ୍ମୁଖରେ ସେ କାନ୍ଦ ସମ୍ଭାଳି ପାରିବ ନାହିଁ । ଅନ୍ଧରରେ ଛାତବାଡ଼ ଧରି ମୁହଁ ବୁଲାଇ ଉଚ୍ଛ୍ୱସିତ ରୋଦନକୁ ପ୍ରାଣପଣେ ରୁଦ୍ଧ କରି ସେ କାନ୍ଦିବାକୁ ଲାଗିଲା ।

 

କିନ୍ତୁ ଅଧିକକ୍ଷଣ କାନ୍ଦିବାର ସମୟ ନ ଥିଲା । ହଠାତ୍‌ ମନେପଡ଼ିଗଲା, ମହେନ୍ଦ୍ରର ଖାଇବା ସମୟ ହେଲାଣି । ଦ୍ରୁତପଦରେ ଆଶା ତଳକୁ ଚାଲିଗଲା ।

 

ରାଜଲକ୍ଷ୍ମୀ ଆଶାକୁ ପଚାରିଲେ, ‘ମହେନ୍ଦ୍ର କୁଆଡ଼େ ଗଲା ବୋହୂ ?’

 

ଆଶା କହିଲା, ‘ସେ ଉପରେ ଅଛନ୍ତି ।’

 

ରାଜଲକ୍ଷ୍ମୀ–ତୁ ଚାଲିଆସିଲୁ ଯେ ?

 

ଆଶା ନତମୁଖରେ କହିଲା, ‘ତାଙ୍କ ଖାଇବା-’

 

ରାଜଲକ୍ଷ୍ମୀ–ମୁଁ ଖାଇବାର ବ୍ୟବସ୍ଥା କରୁଚି ମାଆ, ତୁ ଟିକିଏ ପରିଷ୍କାର ପରିଚ୍ଛନ୍ନ ହେଲୁ-। ତୋର ସେଇ ନୂଆ ଢାକାଇ ଶାଢ଼ୀଖଣ୍ଡ ପିନ୍ଧି ଶୀଘ୍ର ପାଖକୁ ଆ । ମୁଁ ମୁଣ୍ଡଟା ବାନ୍ଧିଦିଏ ।

 

ଶାଶୁଙ୍କର ଆଦର ଉପେକ୍ଷା କରିବା କଠିନ, କିନ୍ତୁ ଏହି ସଜବାଜ ହେବାର ପ୍ରସ୍ତାବରେ ଆଶା ମର୍ମଭିତରେ ମରିଗଲା ।

 

ମୃତ୍ୟୁ ଇଚ୍ଛାକରି ଯେପରି ଭୀଷ୍ମ ସ୍ତବ୍‍ଧ ହୋଇ ଶରବର୍ଷଣ ସହ୍ୟ କରିଥିଲେ, ଆଶା ମଧ୍ୟ ସେହିପରି ରାଜଲକ୍ଷ୍ମୀକୃତ ସବୁପ୍ରକାର ପ୍ରସାଧନକୁ ପରମ ଧୈର୍ଯ୍ୟସହକାରେ ସର୍ବାଙ୍ଗରେ ଗ୍ରହଣ କଲା ।

 

ସଜ ହୋଇସାରି ଅତି ଧୀରେ ଧୀରେ ନିଃଶବ୍ଦ ପଦରେ ସେ ଉପରକୁ ଉଠିଗଲା । ଉହୁଙ୍କି କରି ଦେଖିଲା, ମହେନ୍ଦ୍ର ଛାତରେ ନାହିଁ । ଆସ୍ତେ ଆସ୍ତେ ଦୁଆରମୁହଁକୁ ଆସି ଦେଖିଲା, ସେ ଘରେ ମଧ୍ୟ ନାହିଁ । ଖାଦ୍ୟ ଅଭୁକ୍ତ ରହିଚି ।

 

ଚାବି ଅଭାବରୁ ଆଲମାରି ଭାଙ୍ଗି ଆବଶ୍ୟକ କେତେ ଖଣ୍ଡି ଲୁଗାପଟା ଓ ଡାକ୍ତରୀ ବହି ନେଇ ମହେନ୍ଦ୍ର ଚାଲିଯାଇଚି ।

 

ପରଦିନ ଏକାଦଶୀ ଥିଲା । ଅସୁସ୍ଥ କ୍ଲିଷ୍ଟ ଦେହରେ ରାଜଲକ୍ଷ୍ମୀ ବିଛଣାରେ ପଡ଼ିଥିଲେ । ବାହାରେ ମେଘ ଉଠାଇ ଝଡ଼ର ଉପକ୍ରମ ହେଉଚି । ଆଶା ଧୀରେ ଧୀରେ ଘରଭିତରେ ପ୍ରବେଶ କଲା । ଆସ୍ତେ ଆସ୍ତେ ରାଜଲକ୍ଷ୍ମୀଙ୍କ ଗୋଡ଼ ପାଖରେ ବସି ତାଙ୍କ ଗୋଡ଼ରେ ହାତଦେଇ କହିଲା, ‘ତୁମପାଇଁ ଦୁଧ ଓ ଫଳ ଆଣିଚି ମାଆ । ଖାଇବ ଆସ ।’

 

କରୁଣମୂର୍ତ୍ତି ବଧୂର ଏହି ଅନଭ୍ୟସ୍ତ ସେବାର ଚେଷ୍ଟା ଦେଖି ରାଜଲକ୍ଷ୍ମୀଙ୍କର ଶୁଷ୍କ ଚକ୍ଷୁପ୍ଳାବିତ ହୋଇଗଲା । ସେ ଉଠିବସି ଆଶାକୁ କୋଳପାଖକୁ ଟାଣିନେଇ ତାହାର ଅଶ୍ରୁଜଳସିକ୍ତ କପୋଳକୁ ଚୁମ୍ୱନ କଲେ । ପଚାରିଲେ, ‘ମହେନ୍ଦ୍ର କ’ଣ କରୁଚି ମାଆ ?’

 

ଆଶା ଅତ୍ୟନ୍ତ ଲଜ୍ଜିତ ହେଲା । ମୃଦୁସ୍ୱରରେ କହିଲା, ‘ସେ ଚାଲିଗଲେଣି ।’

 

ରାଜଲକ୍ଷ୍ମୀ–କେତେବେଳେ ଗଲା, ମୁଁ ତ ଜାଣିନାହିଁ ।’

 

ଆଶା ନତଶିରରେ କହିଲା, ‘ସେ କାଲି ରାତିରୁ ଗଲେଣି ।’

 

ଶୁଣିବାମାତ୍ରକେ ରାଜଲକ୍ଷ୍ମୀଙ୍କର ସବୁ କୋମଳତା କୁଆଡ଼େ ଉଭେଇଗଲା । ବଧୂପ୍ରତି ତାଙ୍କର ଆଦରସ୍ପର୍ଶ ଆଉ ରସର ଲେଶମାତ୍ର ନାହିଁ । ଆଶା ନୀରବ ଲାଞ୍ଛନା ଅନୁଭବ କରି ନତମୁଖରେ ଧୀରେ ଧୀରେ ଚାଲିଗଲା ।

 

(୩୯)

 

ପ୍ରଥମ ଦିନ ରାତିରେ ବିନୋଦିନୀକୁ ପୋଟଲଡାଙ୍ଗାର ବସାରେ ରଖି ମହେନ୍ଦ୍ର ଯେତେବେଳେ ତା’ର ଲୁଗା ଓ ବହି ଆଣିବାକୁ ଘରକୁ ଗଲା, ସେତେବେଳେ ବିନୋଦିନୀ କଲିକତା’ର ବିଶ୍ରାମବିହୀନ ଜନତରଙ୍ଗର କୋଳାହଳ ମଝିରେ ଏକାକୀ ବସି ନିଜକଥା ଭାବୁଥିଲା । ପୃଥିବୀରେ ତା’ର ଆଶ୍ରୟର ସ୍ଥାନ କୌଣସି ସମୟରେ ମଧ୍ୟ ଯଥେଷ୍ଟ ବିସ୍ତୀର୍ଣ୍ଣ ନ ଥିଲା, ତଥାପି ଗୋଟିଏ କଡ଼ ଗରମ ହୋଇଉଠିଲେ ଆର କଡ଼ ଲେଉଟାଇ ଶୋଇବାର ଜାଗା ଅବଶ୍ୟ ତା’ ପାଇଁ ଥିଲା । ଆଜି ତା’ର ନିର୍ଭରସ୍ଥଳ ଅତି ସଂକୀର୍ଣ୍ଣ । ସେ ଯେଉଁ ଡଙ୍ଗାରେ ବସି ସ୍ରୋତମୁହଁରେ ଭାସିଯାଉଚି, ତାହା ବାଆଁ ଡାହାଣକୁ ଟିକିଏ ଅଣେଇ ହୋଇପଡ଼ିଲେ ପାଣିରେ ପଡ଼ିଯିବାର ସମ୍ଭାବନା ରହିଚି । ଅତଏବ ଅତ୍ୟନ୍ତ ସ୍ଥିରଭାବରେ ମଙ୍ଗ ଧରିବା ଦରକାର । ଟିକିଏ ଭୁଲ ବା ଟିକିଏ ଏପାଖ ସେପାଖ ହେଲେ ମଧ୍ୟ ଚଳିବ ନାହିଁ । ଏପରି ଅବସ୍ଥାରେ କେଉଁ ରମଣୀର ହୃଦୟ କମ୍ପିତ ନ ହେବ ? ପରର ମନକୁ ସମ୍ପୂର୍ଣ୍ଣ ବଶରେ ରଖିବାଲାଗି ଯେତିକି ଲୀଳା ଲଗାଇବା ଆବଶ୍ୟକ, ସେତିକି ଅନ୍ତରାଳର ପ୍ରୟୋଜନ, ଏହି ସଂକୀର୍ଣ୍ଣତା ମଧ୍ୟରେ ତାହାର ଅବକାଶ କାହିଁ ? ଏକାବେଳକେ ମହେନ୍ଦ୍ରର ସାମନାସାମନି ହୋଇ ତାକୁ ସାରା ଜୀବନ ଯାପନ କରିବାଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ପ୍ରଭେଦ ଏତିକି ଯେ, ମହେନ୍ଦ୍ରର କୂଳକୁ ଲାଗିବାର ଉପାୟ ଅଛି, କିନ୍ତୁ ବିନୋଦିନୀର ଆଉ ତାହା ନାହିଁ ।

 

ନିଜର ଏହି ଅସହାୟ ଅବସ୍ଥାକୁ ବିନୋଦିନୀ ଯେତିକି ସୁସ୍ପଷ୍ଟଭାବରେ ବୁଝିଲା, ନିଜର ମନ ମଧ୍ୟରେ ସେ ସେତିକି ବଳ ସଞ୍ଚୟ କରିବାକୁ ଲାଗିଲା । ଯାହାହେଉ, ତାକୁ କୌଣସି ନା କୌଣସି ଉପାୟ କରିବାକୁ ପଡ଼ିବ-ଏପରିଭାବରେ ଆଉ ଅଧିକ ଦିନ ଚଳିବ ନାହିଁ ।

 

ଯେଉଁଦିନୁ ବିଦୋଦୀନି ବିହାରୀ ପାଖରେ ପ୍ରେମ ନିବେଦନ କରିଚି, ସେଇଦିନୁଁ ତା’ର ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଇଚି । ବିହାରୀର ମୁହଁପାଖରୁ ସେ ଯେଉଁ ଉଦ୍ୟତ ଚୁମ୍ୱନଟି ଫେରାଇ ଆଣିଚି, ଜଗତରେ ଅନ୍ୟ କାହାରିକୁ ସେ ତାହା କରିପାରୁନାହିଁ । ପୂଜାର ଅର୍ଘ୍ୟପରି ଦେବତାଙ୍କର ଉଦ୍ଦେଶ୍ୟରେ ହିଁ ସେ ତାହା ବହନ କରି ଚାଲିଚି । ବିନୋଦିନୀର ହୃଦୟ କୌଣସି ଅବସ୍ଥାରେ ମଧ୍ୟ ସମ୍ପୂର୍ଣ୍ଣ ଆଶାହୀନ ହୋଇପଡ଼େନାହିଁ, ନୈରାଶ୍ୟକୁ ସେ କଦାପି ସ୍ୱୀକାର କରିନିଏ ନାହିଁ । ତା’ର ମନ ଅହରହ ପ୍ରାଣପଣବଳରେ କହିଉଠୁଚି, ‘ମୋର ଏହି ପୂଜାକୁ ବିହାରୀ ଦିନେ ହେଲେ ଅବଶ୍ୟ ଗ୍ରହଣ କରିବ ।’

 

ବିନୋଦିନୀର ଏହି ଦୁର୍ଦ୍ଦାନ୍ତ ପ୍ରେମ ସହିତ ଆପଣାର ଆତ୍ମରକ୍ଷାର ଏକାନ୍ତ ଆକାଙ୍‍କ୍ଷା ଆସି ଯୋଗଦେଲା । ବିହାରୀ ଛଡ଼ା ତା’ର ଆଉ ଉପାୟ ନାହିଁ । ବିନୋଦିନୀ ମହେନ୍ଦ୍ରକୁ ଖୁବ୍‌ ଭଲଭାବରେ ଜାଣିଚି, ତା ଉପରେ ନିର୍ଭର କଲେ ସେ ସେହି ଭାର ସହ୍ୟ କରିପାରେନାହିଁ । ତାକୁ ଧରିରଖିବାକୁ ଚେଷ୍ଟା ନ କଲେ ସେ ଆପେ ଆସି ଧରାଦିଏ, କିନ୍ତୁ ଧରିରଖିଲେ ସେ ବନ୍ଧନ କାଟି ପଳାଇବାକୁ ଚାହେଁ । କିନ୍ତୁ ନାରୀପକ୍ଷରେ ଯେଉଁ ନିଶ୍ଚିନ୍ତ ବିଶ୍ୱସ୍ତ ନିରାପଦ ଆଶ୍ରୟ ଏକାନ୍ତ ଆବଶ୍ୟକ, କେବଳ ବିହାରୀ ହିଁ ତାହା ଦେଇପାରେ । ଆଜି ବିହାରୀକୁ ଛାଡ଼ିଦେଲେ ବିନୋଦିନୀ କଦାପି ଚଳିପାରିବ ନାହିଁ ।

 

ଗ୍ରାମ ଛାଡ଼ି ଆସିବା ଦିନ ତା ନାଆଁରେ ଆସୁଥିବା ଚିଠିପତ୍ରମାନ ନୂଆ ଠିକଣାରେ ପଠାଇବା ପାଇଁ ମହେନ୍ଦ୍ରଦ୍ୱାରା ବିନୋଦିନୀ ଷ୍ଟେସନ-ସଂଲଗ୍ନ ପୋଷ୍ଟ ଅଫିସରେ ବିଶେଷଭାବରେ ଖବର ଦେଇ ଆସିଥିଲା । ବିହାରୀ ଯେ ଆଦୌ ତା ଚିଠିର ଉତ୍ତର ଦେବ ନାହିଁ, ବିନୋଦିନୀ ଏକଥା କୌଣସିମତେ ସ୍ୱୀକାର କଲା ନାହିଁ । ସେ କହିଲା, ମୁଁ ଆଉ ସାତଟା ଦିନ ଧୈର୍ଯ୍ୟ ଧରି ଉତ୍ତର ପାଇଁ ଅପେକ୍ଷା କରିବ । ତା’ପରେ ଦେଖିଯିବ ।’

 

ଏହା କହି ବିନୋଦିନୀ ଝରକା ଖୋଲି ଗ୍ୟାସାଲୋକଦୀପ୍ତ କଲିକତା ଆଡ଼କୁ ଅନ୍ୟମନସ୍କ ଭାବରେ ଚାହିଁ ରହିଲା । ଏଇ ସନ୍ଧ୍ୟାବେଳେ ବିହାରୀ ଏଇ ସହରରେ ଅଛି, କେତୋଟି ରାସ୍ତା ଓ ଗଳି ପାରିହୋଇଗଲେ ବର୍ତ୍ତମାନ ତା’ର ଦୁଆର ମୁହଁରେ ପହଞ୍ଚିଯାଇହେବ । ତା’ପରେ ପାଣିକଳ ଥିବା ସେହି ଛୋଟ ଦୁଆର, ସେହି ସିଡ଼ି, ସେହି ସୁସଜ୍ଜିତ ପରିପାଟୀରେ ଆଲୋକିତ ନିଭୃତ, ସେଠାରେ ନିସ୍ତବ୍‍ଧ ଶାନ୍ତି ମଧ୍ୟରେ ବିହାରୀ ଏକୁଟିଆ ଚଉକୀ ଉପରେ ବସିଚି । ହୁଏତ ପାଖରେ ସେହି ବ୍ରାହ୍ମଣ ବାଳକ, ସେହି ସୁଗୋଲ ସୁନ୍ଦର ଗୌରବର୍ଣ୍ଣ ଆୟତନେତ୍ର ସରଳମୂର୍ତ୍ତି ପିଲାଟି ଛବିବହି ଧରି ଆପଣା ମନକୁ ଛବି ଦେଖୁଚି । ଗୋଟି ଗୋଟି କରି ସମଗ୍ର ଚିତ୍ରଟି ମନେକରି ସ୍ନେହରେ ଓ ପ୍ରେମରେ ବିନୋଦିନୀର ସର୍ବାଙ୍ଗ ପରିପୂର୍ଣ୍ଣ ଓ ପୁଲକିତ ହୋଇଉଠିଲା । ଇଚ୍ଛାକଲେ ବର୍ତ୍ତମାନ ମଧ୍ୟ ଯାଇ ହେବ, ଏହିକଥା ଭାବି ବିନୋଦିନୀ ସେହି ଇଚ୍ଛାକୁ ନେଇ ମନେ ମନେ ଖୋଜିବାକୁ ଲାଗିଲା । ଆଗେ ହୋଇଥିଲେ ହୁଏତ ଇଚ୍ଛାକୁ ପୂର୍ଣ୍ଣ କରିବାକୁ ସେ ଅଗ୍ରସର ହୋଇଥାନ୍ତା, କିନ୍ତୁ ବର୍ତ୍ତମାନ ଅନେକ କଥା ଭାବିବାକୁ ପଡ଼ୁଚି । ବର୍ତ୍ତମାନ କେବଳ ବାସନାକୁ ଚରିତାର୍ଥ କରବା ନୁହେଁ, ଉଦ୍ଦେଶ୍ୟ ସିଦ୍ଧି ମଧ୍ୟ କରିବାକୁ ହେବ । ବିନୋଦିନୀ କହିଲା, ‘ଆଗେ ଦେଖେଁ, ବିହାରୀ କିପରି ଉତ୍ତର ଦେବ । ତା’ପରେ କେଉଁ ପଥ ଅବଲମ୍ୱନ କରିବା ଆବଶ୍ୟକ, ସେ କଥା ସ୍ଥିର କରାଯିବ ।’ କିଛି ନ ବୁଝି ବିହାରୀକୁ ବିରକ୍ତ କରିବାକୁ ତା’ର ଆଉ ସାହସ ହେଲା ନାହିଁ-

 

ଏହିପରି ଭାବୁ ଭାବୁ ଯେତେବେଳେ ରାତି ନଅଟା ବାଜିଗଲା, ସେତେବେଳେ ଧୀରେ ଧୀରେ ଆସି ମହେନ୍ଦ୍ର ଉପସ୍ଥିତ ହେଲା । କେତେଦିନ ହେଲା ସେ ଅନିଦ୍ରାରେ, ଅନିୟମରେ ଅତି ଉତ୍ତେଜିତ ଅବସ୍ଥାରେ ଅଛି । ଆଜି କୃତକାର୍ଯ୍ୟ ହୋଇ ବିନୋଦିନୀକୁ ବସାକୁ ଆଣି ଅବସାଦ ଓ ଶାନ୍ତି ଯେପରି ତାକୁ ଅଭିଭୂତ କରି ପକାଇଚି । ଆଜି ଆଉ ସଂସାର ସହିତ ବା ନିଜର ଅବସ୍ଥା ସହିତ ଲଢ଼ାଇ କରିବାର ବଳ ଯେପରି ତା’ର ନାହିଁ । ତା’ର ଭାରାକ୍ରାନ୍ତ ଭାବୀ ଜୀବନର କ୍ଲାନ୍ତି ଆଜିଠାରୁ ତାକୁ ଆକ୍ରମଣ କଲା ।

 

ରୁଦ୍ଧଦ୍ୱାରା ପାଖରେ ଠିଆହୋଇ ଆଘାତ କରିବାକୁ ମହେନ୍ଦ୍ର ଅତ୍ୟନ୍ତ ଲଜ୍ଜାବୋଧ କରିବାକୁ ଲାଗିଲା । ଯେଉଁ ଭନ୍ମତ୍ତତାରେ ସେ ସାରାପୃଥିବୀକୁ ମଧ୍ୟ ଲକ୍ଷ୍ୟ କରୁ ନ ଥିଲା, ସେହି ମତ୍ତତା ବର୍ତ୍ତମାନ କାହିଁ ? ପଥର ଅପରିଚିତ ଲୋକଙ୍କ ଦୃଷ୍ଟି ସମକ୍ଷରେ ମଧ୍ୟ ତା’ର ସର୍ବାଙ୍ଗ କାହିଁକି ସଂକୁଚିତ ହୋଇଉଠୁଚି ।

 

ଭିତରେ ନୂଆ ଚାକରଟା ଶୋଇପଡ଼ିଚି । କବାଟ ଖୋଲାଇବା ପାଇଁ ତାକୁ ଅନେକ ଗୋଳମାଳ ନ କରିବାକୁ ପଡ଼ିଲା । ଅପରିଚିତ ନୂଆ ବସାର ଅନ୍ଧାର ମଧ୍ୟରେ ପ୍ରବେଶ କରି ମହେନ୍ଦ୍ରର ମନ ଦବିଗଲା । ମାଆର ଆଦରର ଧନ ମହେନ୍ଦ୍ରର ଚିରଦିନ ଯେଉଁ ବିଳାସ ଉପକରଣରେ ଯେଉଁସବୁ ଟଣା ପଙ୍ଖା ଓ ଚଉକୀ ସଫାଇରେ ଅଭ୍ୟସ୍ତ, ବସାର ନୂତନ ଆୟୋଜନରେ ତାହାର ଅଭାବ ସେହି ସନ୍ଧ୍ୟାରେ ଅତି ପରିସ୍ଫୁଟ ହୋଇଉଠିଲା । ଏହିସବୁ ଆୟୋଜନ ମହେନ୍ଦ୍ରକୁ ସମ୍ପୂର୍ଣ୍ଣ କରିବାକୁ ହେବ । ବସାର ସବୁ ବ୍ୟବସ୍ଥାର ଭାର ତା’ ଉପରେ । ମହେନ୍ଦ୍ର କେବେ ପରର ବା ନିଜର ଆରାମ ପାଇଁ କରି ନ ଥିଲା । ଆଜିଠାରୁ ଗୋଟିଏ ନବଗଠିତ ଅସମ୍ପୂର୍ଣ୍ଣ ସଂସାରର ସମସ୍ତ ବିଧି-ବ୍ୟବସ୍ଥା ତାକୁ ବହନ କରିବାକୁ ପଡ଼ିବ । ସିଡ଼ିରେ ଗୋଟିଏ କିରାସିନିର ଡିବି ଅପର୍ଯ୍ୟାସ୍ତ ଧୂମୋଦ୍‌ଗାର କରି ମିଟିମିଟି ହୋଇ ଜଳୁଚି । ତା’ ପରିବର୍ତ୍ତେ ଗୋଟିଏ ଭଲ ଲ୍ୟାମ୍ପ କିଣିବାକୁ ହେବ । ବାରଣ୍ଡାର ସେଇ ସିଡ଼ିରେ ଉଠିବାର ରାସ୍ତାଟା କଳାପାଣି ପ୍ରବାହରେ ବଡ଼ ସନ୍ତସନ୍ତିଆ ହୋଇପଡ଼ିଚି । ମିସ୍ତ୍ରୀ ଡକାଇ ସେହି ଜାଗାକୁ ସିମେଣ୍ଟଦ୍ୱାରା ମରାମତି କରାଇବା ଆବଶ୍ୟକ । ରାସ୍ତା ପାଖକୁ ଥିବା ଦି’ବଖରା ଘର ଯେ ଜୋତା-ଦୋକାନୀ ହାତରେ ଥିଲା, ତାକୁ ସେ ଏପର୍ଯ୍ୟନ୍ତ ଛାଡ଼ିଲା ନାହିଁ । ସେଥିପାଇଁ ଘରବାଲା ସହିତ ଲଢ଼ାଇ କରିବାକୁ ହେବ । ଏହିସବୁ କାମକୁ ସେ ନିଜେ ନକଲେ ଚଳିବ ନାହିଁ । ଏହିସବୁ କଥା ତା’ର ମନରେ ଉଦୟ ହୋଇ ତାହାର ଶାନ୍ତିର ବୋଝ ଉପରେ ଆହୁରି ବୋଝ ଲଦାହେଲା ।

 

ସିଡ଼ି ପାଖରେ କିଛି ସମୟ ଠିଆହୋଇ ମହେନ୍ଦ୍ର ଆପଣାକୁ ସମ୍ଭାଳି ନେଲା । ବିନୋଦିନୀପ୍ରତି ତାହାର ଯେଉଁ ପ୍ରେମ ଥିଲା, ତାହା ତାକୁ ଉତ୍ତେଜିତ କରୁଥିଲା । ସେ ନିଜକୁ ବୁଝାଇବାକୁ ଚେଷ୍ଟା କଲା ଯେ ଆଜିଯାଏ ସାରା ପୃଥିବୀକୁ ଭୁଲି ସେ ଯାହାକୁ ଚାହୁଁଥିଲା, ଆଜି ତାହାକୁ ପାଇଚି । ଆଜି ଉଭୟଙ୍କ ମଝିରେ କୌଣସି ବାଧା ନାହିଁ । ଆଜି ତା’ର ଆନନ୍ଦର ଦିନ, କିନ୍ତୁ ଆଜି କୌଣସି ବାଧା ନ ଥିବା ହିଁ ସର୍ବାପେକ୍ଷା ବଡ଼ ବାଧା । ଆଜି ମହେନ୍ଦ୍ର ନିଜେ ନିଜର ବାଧକ ।

 

ବିନୋଦିନୀ ରାସ୍ତାକୁ ଦେଖି ଆପଣାର ଧ୍ୟାନସ୍ଥାନରୁ ଉଠି ଘରେ ଆଲୁଅ ଜଳାଇଲା ଏବଂ ଗୋଟିଏ ସିଲାଇ ନେଇ ନତଶିରରେ ସେଥିରେ ନିବିଷ୍ଟ ରହିଲା । ଏହି ସିଲାଇ କରିବା ବିନୋଦିନୀରେ ଗୋଟିଏ ଆବରଣ । ଏହାର ଅନ୍ତରାଳରେ ଯେପରି ତା’ର ଗୋଟିଏ ଆଶ୍ରୟ ସ୍ଥଳ ଅଛି ।

 

ଘରେ ପ୍ରବେଶ କରି ମହେନ୍ଦ୍ର କହିଲା, ‘ନିଶ୍ଚୟ ତୁମର ଏଠି ଅନେକ ଅସୁବିଧା ହେଉଚି-?’

 

ବିନୋଦିନୀ ସିଲାଇ କରୁ କରୁ ଉତ୍ତର ଦେଲା, କିଛି ତ ଅସୁବିଧା ନାହିଁ ।

 

ମହେନ୍ଦ୍ର କହିଲା, ମୁଁ ଏଇ ଦୁଇ ତିନିଦିନ ଭିତରେ ଜିନିଷ ଆଣି ପହଞ୍ଚାଇଦେବି । ଏଇ କେତୋଟି ଦିନ ତୁମକୁ ଟିକିଏ କଷ୍ଟ ସହିବାକୁ ହେବ ।’

 

ବିନୋଦିନୀ କହିଲା, ନା, ସେକଥା ହେବ ନାହିଁ । ତୁମେ ଆଉ କୌଣସି ଜିନିଷ ଆଣିପାରିବ ନାହିଁ । ଏଠାରେ ଯାହା ଅଛି, ତାହା ମୋର ଆବଶ୍ୟକ ଅପେକ୍ଷା ଯଥେଷ୍ଟ ବେଶି ।’

 

ମହେନ୍ଦ୍ର କହିଲା, ମୁଁ ହତଭାଗ୍ୟ ମଧ୍ୟ କ’ଣ ସେହି ଯଥେଷ୍ଟ ବେଶି ଭିତରେ ?

 

ବିନୋଦିନୀ–ନିଜକୁ ଏତେବଡ଼ ମନେକରିବ ନାହିଁ । ଟିକିଏ ବିନୟ ରଖିବା ଭଲ ।

 

ସେହି ନର୍ଜନ ଦୀପାଲୋକରେ କର୍ମରେ ନତଶିର ବିନୋଦିନୀର ଆତ୍ମସମାହିତ ମୂର୍ତ୍ତି ଦେଖି ମୁହୁର୍ତ୍ତ ମଧ୍ୟରେ ମହେନ୍ଦ୍ର ମନରେ ପୁଣି ସେହି ମୋହ ସଞ୍ଚାର ହେଲା ।

 

ଘର ହୋଇଥିଲେ ଉଠିଯାଇ ସେ ବିନୋଦିନୀର ଗୋଡ଼ତଳେ ପଡ଼ିଥାନ୍ତା, କିନ୍ତୁ ଇଏ ତ ଘର ନୁହେଁ । ସେଥିପାଇଁ ମହେନ୍ଦ୍ର ତାହା କରିପାରିଲା ନାହିଁ । ଆଜି ବିନୋଦିନୀ ଅସହାୟା, ଏକାନ୍ତଭାବରେ ଆଜି ସେ ମହେନ୍ଦ୍ର ଆୟତ୍ତ ମଧ୍ୟରେ । ଆଜି ନିଜକୁ ସଂଯତ ନ ରଖିଲେ ବଡ଼ କାପୁରୁଷତା ହେବ ।

 

ବିନୋଦିନୀ କହିଲା, ‘ଏଠିକି ତୁମେ ତୁମର ବହି ଓ ଲୁଗାପଟା ଆଣିଲ କାହିଁକି ?’

 

ମହେନ୍ଦ୍ର କହିଲା, ‘ସେଗୁଡ଼ାକୁ ଯେ ମୁଁ ମୋର ଆବଶ୍ୟକ ମଧ୍ୟରେ ଗଣ୍ୟ କରେ । ସେଗୁଡ଼ାକ ଯଥେଷ୍ଟ ବେଶି ଭିତରେ ନୁହେଁ ।’

 

ବିନୋଦିନୀ–ଜାଣେ, କିନ୍ତୁ ସେସବୁ ଏଠି କାହିଁକି ?

 

ମହେନ୍ଦ୍ର–ସେ କଥା ଠିକ୍‌ । ଏଠି କୌଣସି ଆବଶ୍ୟକ ଜିନିଷ ଶୋଭା ପାଇବ ନାହିଁ । ବିନୋଦ, ବହିପତ୍ରଗୁଡ଼ାକ ତୁମେ ରାସ୍ତା ଉପରକୁ ଫୋପାଡ଼ି ଦିଅ । ମୁଁ କୌଣସି ଆପତ୍ତି କରିବି ନାହିଁ, କେବଳ ତାହା ସହିତ ମୋତେ ଫୋପାଡ଼ି ଦିଅ ନାହିଁ ।–କହି ଏହି ଉପଲକ୍ଷରେ ଟିକିଏ ଘୁଞ୍ଚିଆସି ମହେନ୍ଦ୍ର କନାରେ ବନ୍ଧା ବହିଗୁଡ଼ା ବିନୋଦିନୀର ଗୋଡ଼ପାଖରେ ଆଣି ରଖିଦେଲା ।

 

ବିନୋଦିନୀ ମୁହଁ ଗମ୍ଭୀର କରି ସିଲାଇ କରୁ କରୁ ମୁଣ୍ଡ ନ ଟେକି କହିଲା, ‘ମହେନ୍ଦ୍ର, ତୁମର ଏଠାରେ ରହିବା ହୋଇପାରିବ ନାହିଁ ।’

 

ମହେନ୍ଦ୍ର ତା’ର ସଦ୍ୟଜାଗ୍ରତ ମୁହଁରେ ପ୍ରତିଘାତ ପାଇ ବ୍ୟାକୁଳ ହୋଇଉଠିଲା । ଗଦ୍‌ଗଦ କଣ୍ଠରେ କହିଲା, ‘କାହିଁକି ବିନୋଦ, ତୁମେ ମୋତେ କାହିଁକି ଦୂରରେ ରଖିବାକୁ ଚାହଁ ? ତୁମ ପାଇଁ ସବୁ ତ୍ୟାଗ କରି ମୁଁ କ’ଣ ଏଇଆ ପାଇଲି ?’

ବିନୋଦିନୀ–ମୋ ପାଇଁ ତୁମକୁ ସବୁ ତ୍ୟାଗ କରିବାକୁ ମୁଁ ଦେବି ନାହିଁ ।

ମହେନ୍ଦ୍ର କହିଲା, ‘ବର୍ତ୍ତମାନ ତାହା ଆଉ ତୁମ ହାତରେ ନାହିଁ । ମୋର ଚତୁର୍ଦ୍ଦିଗରୁ ସାରା ସଂସାର ସ୍ଖଳିତ ହୋଇପଡ଼ିଲାଣି । କେବଳ ତୁମେ ଏକା ଅଛ ବିନୋଦ । ବିନୋଦ, ବିନୋଦ–’

କହୁ କହୁ ମହେନ୍ଦ୍ର ଶୋଇପଡ଼ି ବିହ୍ୱଳଭାବରେ ବିନୋଦିନୀର ପାଦକୁ ଜୋରକରି ଚାପିଧରିଲା ଏବଂ ତାହାର ପଦପଲ୍ଲବକୁ ବାରମ୍ୱାର ଚୁମ୍ୱନ କରିବାକୁ ଲାଗିଲା ।

ବିନୋଦିନୀ ପାଦ ଟାଣିନେଇ ଉଠି ଠିଆହେଲା । କହିଲା, ‘ମହେନ୍ଦ୍ର । ତୁମେ କ’ଣ ପ୍ରତିଜ୍ଞା କରିଥିଲ ମନେ ନାହିଁ ?’

ନିଜର ସବୁ ବଳ ପ୍ରୟୋଗ କରି ମହେନ୍ଦ୍ର ଆତ୍ମସମ୍ୱରଣ କରି କହିଲା, ‘ମନେ ଅଛି । ଶପଥ କରିଥିଲି, ତୁମର ଯାହା ଇଚ୍ଛା ତାହାହିଁ ହେବ । ମୁଁ କଦାପି ତାହାର କୌଣସି ଅନ୍ୟଥା କରିବି ନାହିଁ । ସେହି ଶପଥ ରକ୍ଷା କରିବି । କ’ଣ କରିବାକୁ ହେବ କୁହ ?

ବିନୋଦିନୀ–ତୁମେ ତୁମର ଘରେ ଯାଇ ରହ ।

ମହେନ୍ଦ୍ର–କେବଳ ମୁଁ କ’ଣ ତୁମର ଅନିଚ୍ଛାର ଏକମାତ୍ର ସାମଗ୍ରୀ, ବିନୋଦ ? ତାହେଲେ ତୁମେ ମୋତେ ଏପରି ଟାଣିନେଇ ଆସିଲ କାହିଁକି ? ଯାହା ତୁମର ଭୋଗର ସାମଗ୍ରୀ ନୁହେଁ, ତାକୁ ଶିକାର କରିବାର କି ପ୍ରୟୋଜନ ଥିଲା ? ସତକରି କୁହ । ମୁଁ ଇଚ୍ଛାକରି ତୁମ ପାଖରେ ଧରାଦେଇଚି, ନା ତୁମେ ଇଚ୍ଛାକରି ମୋତେ ଧରିଚ ? ମୋତେ ନେଇ ତୁମେ ଏପରି ଖେଳ ଖେଳିବ, ଏହା ବି କ’ଣ ମୁଁ ସହ୍ୟ କରିବି ? ତଥାପି ମୁଁ ମୋର ଶପଥ ପାଳନ କରିବି । ଯେଉଁ ଘରେ ମୁଁ ମୋର ନିଜର ସ୍ଥାନକୁ ପଦାଘାତରେ ଚୂର୍ଣ୍ଣ କରି ଆସିଚି, ପୁଣି ସେହି ଘରେ ମୁଁ ଯାଇ ରହିବି ।

ବିନୋଦିନୀ ଭୂମିରେ ବସି ପୁନରାୟ ନିରୁତ୍ତର ଭାବରେ ସିଲାଇ କରିବାକୁ ଲାଗିଲା ।

ମହେନ୍ଦ୍ର କିଛି ସମୟ ସ୍ଥିର ଭାବରେ ତା ମୁହଁକୁ ଚାହିଁରହି କହିଲା, ‘ତୁମେ ନିଷ୍ଠୁର ବିନୋଦ, ତୁମେ ନିଷ୍ଠୁର । ମୁଁ ଅତ୍ୟନ୍ତ ହତଭାଗ୍ୟ ଯେ ତୁମକୁ ଭଲ ପାଇଚି ।’

ବିନୋଦିନୀ ସିଲାଇରେ ଗୋଟାଏ ଭୁଲ କରି ଆଲୁଅ ପାଖରେ ଧରି ବହୁ ଯତ୍ନରେ ତାକୁ ଖୋଲିବାକୁ ଚେଷ୍ଟା କଲା । ମହେନ୍ଦ୍ରର ଇଚ୍ଛା ହେଲା, ବିନୋଦିନୀର ପାଷାଣ ହୃଦୟଟାକୁ ନିଜର କଠିନ ମୁଷ୍ଟି ମଧ୍ୟରେ ସବଳେ ଚାପିରଖି ଭାଙ୍ଗିପକାନ୍ତା । ଏହି ନୀରବ ନିର୍ଦ୍ଦୟତା ଓ ଅବିଚଳିତ ଉପେକ୍ଷାକୁ ପ୍ରବଳ ଆଘାତ କରି ବାହୁବଳଦ୍ୱାରା ପରାସ୍ତ କରିବାକୁ ଇଚ୍ଛା ହୁଏ ।

ମହେନ୍ଦ୍ର ଘରୁ ବାହାରିଯାଇ ପୁନରାୟ ଫେରିଆସିଲା । କହିଲା, ‘ମୁଁ ନ ରହିଲେ ଏଠାରେ ଏକାକିନୀ ତୁମକୁ କିଏ ରକ୍ଷା କରିବ ?’

ବିନୋଦିନୀ କହିଲା, ‘ତୁମେ ସେଥିପାଇଁ ମୋଟେ ଭୟ କରନା । ପିଉସୀ କ୍ଷେମିକୁ ବାହାର କରି ଦେଇଛନ୍ତି । ସେ ଆଜି ମୋ’ ପାଖରେ ଆସି ରହିଚି । କବାଟରେ କୋଲପ ପକାଇ ଆମେ ଦୁହେଁ ବେଶ୍‌ ରହିପାରିବୁ ।’

ମନେ ମନେ ଯେତେ ରାଗିବାକୁ ଲାଗିଲା, ବିନୋଦିନୀପ୍ରତି ମହେନ୍ଦ୍ରର ଆକର୍ଷଣ ସେତେ ଏକାନ୍ତ ଭାବରେ ପ୍ରବଳ ହେବାକୁ ଲାଗିଲା । ଏଇ ଅଟଳ ମୂର୍ତ୍ତିକୁ ବଜ୍ରବଳରେ ବକ୍ଷରେ ଚାପିଧରି କ୍ଲିଷ୍ଟ ଓ ପିଷ୍ଟ କରି ପକାଇବାକୁ ଇଚ୍ଛା ହେଲା । ସେହି ଦାରୁଣ ଇଚ୍ଛାର କବଳରୁ ନିଜକୁ ରକ୍ଷା କରିବା ପାଇଁ ମହେନ୍ଦ୍ର ଦ୍ରୁତପଦରେ ଘରୁ ବାହାରିଗଲା ।

 

ରାସ୍ତାରେ ବୁଲୁ ବୁଲୁ ମହେନ୍ଦ୍ର ପ୍ରତିଜ୍ଞା କଲା, ବିନୋଦିନୀକୁ ସେ ଉପେକ୍ଷା ପରିବର୍ତ୍ତରେ ଉପେକ୍ଷା ପ୍ରଦର୍ଶନ ହିଁ କରିବ । ଯେଉଁ ଅବସ୍ଥାରେ ବିଶ୍ୱ-ଜଗତରେ ମହେନ୍ଦ୍ର ବିନୋଦିନୀର ଏକାମାତ୍ର ନିର୍ଭର, ସେହି ଅବସ୍ଥାରେ ମଧ୍ୟ ମହେନ୍ଦ୍ରକୁ ଏପରି ନୀରବରେ ନିର୍ଭୟରେ, ଏପରି ସୁଦୃଢ଼ ସୁସ୍ପଷ୍ଟଭାବେ ପ୍ରତ୍ୟାଖ୍ୟାନ, ଏତେବଡ଼ ଅପମାନ କେବେ କେଉଁ ପୁରୁଷର ଭାଗ୍ୟରେ ଘଟିଚି ? ମହେନ୍ଦ୍ରର ଗର୍ବ ଚୂର୍ଣ୍ଣ ହୋଇ ମଧ୍ୟ ନତ ହେବାକୁ ଚାହିଁଲା ନାହିଁ । ସେ କେବଳ ପୀଡ଼ିତ ଓ ଦଳିତ ହେବାକୁ ଲାଗିଲା । ମହେନ୍ଦ୍ର କହିଲା, ‘ମୁଁ କ’ଣ ଏଡ଼େ ଅପଦାର୍ଥ ? ମୋ’ ସମ୍ୱନ୍ଧରେ ଏତେବଡ଼ ସ୍ପର୍ଦ୍ଧା ତା’ ମନକୁ କିପରି ଆସିଲା ? ମୋ’ ଛଡ଼ା ବର୍ତ୍ତମାନ ତା’ର ଆଉ କିଏ ଅଛି ?’

 

ଭାବୁ ଭାବୁ ହଠାତ୍‌ ମନେପଡ଼ିଲା–ବିହାରୀ ।

 

ହଠାତ୍‌ ମୁହୂର୍ତ୍ତକ ପାଇଁ ତା’ର ବକ୍ଷରେ ରକ୍ତପ୍ରବାହ ଯେପରି ସ୍ତବ୍‍ଧ ହୋଇଗଲା । ବିହାରୀ ଉପରେ ବିନୋଦିନୀ ଆସ୍ଥା ସ୍ଥାପନ କରିଚି–‘ମୁଁ ତା’ର ଉପଲକ୍ଷ୍ୟ ମାତ୍ର । ମୁଁ ତାହାର ସେପାନ । ତା’ର ଗୋଡ଼ ରଖିବାର, ପାଦେ ପାଦେ ପଦାଘାତ କରିବାର ସ୍ଥାନ । ସେହି ସାହସରେ ମୋ ପ୍ରତି ଏତେ ଅବଜ୍ଞା ।’ ମହେନ୍ଦ୍ରର ସନ୍ଦେହ ହେଲା, ବିହାରୀ ସହିତ ହୁଏତ ବିନୋଦିନୀର ଚିଠିପତ୍ର ଦିଆନିଆ ଚାଲିଚି ଏବଂ ବିନୋଦିନୀ ତା’ପାଖରୁ କୌଣସି ପ୍ରକାର ଆଶ୍ୱାସନା ପାଇଚି । ଏହି କଥା ମନେହେବାରୁ ମହେନ୍ଦ୍ର ବିହାରୀର ଘରଆଡ଼େ ଯିବାକୁ ଲାଗିଲା । ଯେତେବେଳେ ସେଠାରେ ପହଞ୍ଚି କବାଟରେ ଆଘାତ କଲା, ସେତେବେଳେକୁ ରାତି ପାହିଆସୁଚି । ଅନେକ ଡକାଡକିପରେ ବେହେରା କବାଟ ଖୋଲି କହିଲା, ‘ବାପୁଜୀ ଘରେ ନାହାନ୍ତି ।’

 

ମହେନ୍ଦ୍ର ଚମକି ଉଠିଲା । ଭାବିଲା, ‘ମୁଁ ଯେତେବେଳେ ନିର୍ବୋଧଙ୍କ ପରି ରାସ୍ତାରେ ବୁଲୁଚି, ସେହି ଅବକାଶରେ ବିହାରୀ ବିନୋଦିନୀ ପାଖକୁ ଯାଉଚି । ଏଇଥିପାଇଁ ମୋତେ ବିନୋଦିନୀ ଏଇ ରାତିରେ ଏପରି ନିର୍ଦ୍ଦୟଭାବରେ ଅପମାନିତ କରିଚି ଏବଂ ମୁଁ ମଧ୍ୟ ତାଡ଼ିତ ଗର୍ଦ୍ଦଭ ପରି ପଳାଇ ଆସିଚି ।’

 

ମହେନ୍ଦ୍ର ତା’ର ପୁରାତନ ପରିଚିତ ବେହେରାକୁ ପଚାରିଲା, ‘ଭଜ, ବାବୁ କେତେବେଳୁ ବାହାରକୁ ଯାଇଚନ୍ତି ?’

 

ଭଜୁ କହିଲା, ‘ଆଜିକୁ ଚାରି ପାଞ୍ଚ ଦିନ ହେଲା ସେ ପଶ୍ଚିମକୁ ବୁଲିବାକୁ ଯାଇଚନ୍ତି ।’

 

ଶୁଣି ମହେନ୍ଦ୍ର ଆଶ୍ୱସ୍ତ ହେଲା । ସେ ଭାବିଲା, ଏଥର ଟିକିଏ ନିଶ୍ଚିତ ହୋଇ ଶୁଏ, ଆଉ ରାତିସାରା ବୁଲିପାରିବି ନାହିଁ । ସେ ଉପରକୁ ଉଠିଯାଇ ବିହାରୀ ଘରର କୋଚ୍‍ ଉପରେ ସଙ୍ଗେ ସଙ୍ଗେ ନିଦରେ ଶୋଇପଡ଼ିଲା ।

 

ମହେନ୍ଦ୍ର ଯେଉଁଦିନ ବିହାରୀର ଘରକୁ ଆସି ଉପଦ୍ରବ କରିଥିଲା, ତା ପରଦିନ ବିହାରୀ କୁଆଡ଼େ ଯିବ, କିଛି ସ୍ଥିର ନ କରି ପଶ୍ଚିମକୁ ଚାଲିଗଲା । ବିହାରୀ ଭାବିଲା, ‘ଏଠାରେ ରହିଲେ ପୂର୍ବ ବନ୍ଧୁ ସହିତ ସଂଘର୍ଷ କେଉଁଦିନ ଏପରି ବୀଭତ୍ସ ହୋଇଉଠିବ ଯେ ତା’ପରେ ଚିରଜୀବନ ଅନୁତାପ କରିବାକୁ ପଡ଼ିବ ।’

 

ପରଦିନ ଯେତେବେଳେ ମହେନ୍ଦ୍ର ନିଦରୁ ଉଠିଲା, ସେତେବେଳେ ଏଗାରଟା ବାଜିଲାଣି-। ଉଠିବସି ସମ୍ମୁଖରେ ତିପାଇ ଉପରେ ତା’ର ଦୃଷ୍ଟି ପଡ଼ିଗଲା । ଦେଖିଲା, ବିନୋଦିନୀ ହସ୍ତାକ୍ଷରରେ ବିହାରୀ ନାଆଁରେ ଖଣ୍ଡେ ଚିଠି ପଥରର କାଗଜ-ଚପାଦ୍ୱାରା ଚାପା ଦିଆହୋଇ ରହିଚି । ଦ୍ରୁତ ହସ୍ତରେ ତାହା ଉଠାଇ ନେଇ ସେ ଦେଖିଲା, ଏପର୍ଯ୍ୟନ୍ତ ଚିଠିଟି ଖୋଲା ହୋଇନାହିଁ, ପ୍ରବାସୀ ବିହାରୀଲାଗି ଅପେକ୍ଷା କରି ରହିଚି । ମହେନ୍ଦ୍ର କମ୍ପିତହସ୍ତରେ ଚିଠିଟିକୁ ଖୋଲି ପଢ଼ିବାକୁ ଲାଗିଲା । ଏହି ଚିଠି ବିନୋଦିନୀ ତା’ ଗାଆଁରୁ ବିହାରୀ ପାଖକୁ ଲେଖିଥିଲା ଏବଂ ଏହାର କୌଣସି ଜବାବ ସେ ପାଇନାହିଁ ।

 

ଚିଠିର ପ୍ରତ୍ୟେକ ଅକ୍ଷର ମହେନ୍ଦ୍ରକୁ ଦଂଶନ କରିବାକୁ ଲାଗିଲା । ବାଲ୍ୟକାଳରୁ ବରାବର ବିହାରୀ ମହେନ୍ଦ୍ରର ଅନ୍ତରାଳରେ ପଡ଼ିଥିଲା । ଜଗତରେ ସ୍ନେହପ୍ରେମ ସମ୍ୱନ୍ଧରେ ମହେନ୍ଦ୍ରରୂପୀ ଦେବତା’ର ଶୁଷ୍କ ନିର୍ମାଲ୍ୟ ହିଁ ହୁଏତ ତା’ର ଭାଗ୍ୟରେ ଥିଲା । ଆଜି ମହେନ୍ଦ୍ର ସ୍ୱୟଂ ପ୍ରାର୍ଥୀ ଏବଂ ବିହାରୀ ବିମୁଖ । ତଥାପି ମହେନ୍ଦ୍ରକୁ ଠେଲି ବିନୋଦିନୀ ଏହି ଅରସିକ ବିହାରୀକୁ ବରଣ କଲା । ମହେନ୍ଦ୍ର ମଧ୍ୟ ବିନୋଦିନୀଠାରୁ ଦିଚାରି ଖଣ୍ଡ ଚିଠି ପାଇଚି, କିନ୍ତୁ ବିହାରୀର ଏଇ ଚିଠି ପାଖରେ ନିତାନ୍ତ କୃତ୍ରିମ । ତାହା ନିର୍ବୋଧକୁ ଭୁଲାଇବାର ଶୂନ୍ୟ ଛଳନା ମାତ୍ର ।

 

ନୂଆ ଠିକଣା ଜଣାଇବା ପାଇଁ ଗ୍ରାମ ଡାକଘରକୁ ମହେନ୍ଦ୍ରକୁ ପଠାଇବା ବିନୋଦିନୀର ବ୍ୟଗ୍ରତା ମହେନ୍ଦ୍ରର ମନେପଡ଼ିଲା ଏବଂ ସେ ତା’ର କାରଣ ଏବେ ବୁଝିପାଚିଲା । ବିନୋଦିନୀ ମନପ୍ରାଣ ଦେଇ ବିହାରୀର ଚିଠି ଉତ୍ତର ପାଇବା ପାଇଁ ଚାହିଁ ବସିଚି । ପୂର୍ବପ୍ରଥା ଅନୁଯାୟୀ ମୁନିବ ନ ଥିଲେ ମଧ୍ୟ ଭଜୁ ବେହେରା ଚାହା ଓ ଜଳଖିଆ ବଜାରରୁ ଅଣାଇ ମହେନ୍ଦ୍ରକୁ ଖୁଆଇଲା । ମହେନ୍ଦ୍ର ଗାଧୋଇବା କଥା ଭୁଲିଗଲା । ଉତ୍ତପ୍ତ ବାଲୁକା ଉପରେ ପଥିକ ଯେପରି ଦ୍ରୁତପଦରେ ଚାଲେ, ସେହିପରି ମହେନ୍ଦ୍ର ବାରମ୍ୱାର ବିନୋଦିନୀର ଜ୍ୱାଳାମୟ ଚିଠି ଉପରେ ଦ୍ରୁତ ଆଖି ବୁଲାଇବାକୁ ଲାଗିଲା । ମହେନ୍ଦ୍ର ପ୍ରତିଜ୍ଞା କଲା, ବିନୋଦିନୀ ସହିତ ସେ ଆଉ କେବେ ଦେଖାକରିବ ନାହିଁ । କିନ୍ତୁ ତା’ର ମନେହେଲା, ଆଉ ଦିନେ ଦି’ଦିନ ଭିତରେ ଚିଠିର ଉତ୍ତର ନ ପାଇଲେ ବିନୋଦିନୀ ବିହାରୀର ବସାକୁ ଆସିବ ଏବଂ ସେତେବେଳେ ସବୁକଥା ଜାଣି ସାନ୍ତ୍ୱନା ଲାଭ କରିବ-। ସେ ସମ୍ଭାବନା ତା’ ପାଖରେ ଅସହ୍ୟ ବୋଧ ହେଲା ।

 

ଚିଠି ଖଣ୍ଡିକ ପକେଟରେ ପକାଇ ମହେନ୍ଦ୍ର ସନ୍ଧ୍ୟା ହେବା ପୂର୍ବରୁ ପୋଟଲଡାଙ୍ଗା ବସାରେ ଆସି ଉପସ୍ଥିତ ହେଲା । ମହେନ୍ଦ୍ରର ମ୍ଳାନ ଅବସ୍ଥା ଦେଖି ବିନୋଦିନୀ ମନରେ ଦୟା ହେଲା । ସେ ବୁଝିପାରିଲା, ମହେନ୍ଦ୍ର ହୁଏତ କାଲି ରାତିସାରା ରାସ୍ତାରେ ବୁଲି ବୁଲି ଅନିଦ୍ରାରେ କଟାଇଚି ପଚାରିଲା, ‘କାଲି ରାତିରେ ଘରକୁ ଯାଇନ ?

 

ମହେନ୍ଦ୍ର କହିଲା, ‘ନା ।’

 

ବ୍ୟସ୍ତ ହୋଇ ବିନୋଦିନୀ କହିଲା, ‘ଆଜି ଏପର୍ଯ୍ୟନ୍ତ ତୁମର ଖାଇବାପିଇବା ହୋଇନାହିଁ ନା କ’ଣ ?’ କହି ସେବାପରାୟଣା ବିନୋଦିନୀ ତତ୍‌କ୍ଷଣାତ୍‌ ଆହାରର ଆୟୋଜନ କରିବାକୁ ଉଦ୍ୟତ ହେଲା ।

 

ମହେନ୍ଦ୍ର କହିଲା, ‘ଥାଉ ଥାଉ, ମୁଁ ଖାଇଚି ।’

 

ବିନୋଦିନୀ–କେଉଁଠି ଖାଇଚ ?

 

ମହେନ୍ଦ୍ର–ବିହାରୀ ଘରେ ।

 

ମୁହୂର୍ତ୍ତକ ପାଇଁ ବିନୋଦିନୀର ମୁହଁ ପାଣ୍ଡୁବର୍ଣ୍ଣ ହୋଇଗଲା । ମୁହୂର୍ତ୍ତକାଳ ନିରୁତ୍ତର ରହି ଆତ୍ମସମ୍ୱରଣର କରି ସେ ପଚାରିଲା, ‘ବିହାରୀ ବାବୁ ଭଲ ଅଛନ୍ତି ତ ?’

 

ମହେନ୍ଦ୍ର କହିଲା, ‘ଭଲ ଅଛି । ବିହାରୀ ବୁଲିବାକୁ ପଶ୍ଚିମକୁ ଗଲା ।’ ମହେନ୍ଦ୍ର ଏପରିଭାବରେ କହିଲା, ଯେପରି ବିହାରୀ ଆଜି ଗଲା ।

 

ବିନୋଦିନୀ ମୁହଁ ଆଉ ଥରେ ପାଣ୍ଡୁବର୍ଣ୍ଣ ହୋଇଗଲା । ପୁନର୍ବାର ଆତ୍ମସମ୍ୱରଣ କରି ସେ କହିଲା, ‘ଏପରି ଅସ୍ଥିର ଲୋକ ତ କେଉଁଠି ଦେଖିନାହିଁ । ଆମର ସବୁ ଖବର ବୋଧହୁଏ ସେ ପାଇଚନ୍ତି । ବିହାରୀ କ’ଣ ଖୁବ୍‌ ରାଗି ଯାଇଚନ୍ତି ?’

 

ମହେନ୍ଦ୍ର–ତା’ ନ ହେଲେ ଏକ ଅସହ୍ୟ ଗରମରେ କ’ଣ ମଣିଷ ସଉକୀରେ ପଶ୍ଚିମକୁ ବୁଲିବାକୁ ଯାଏ ?

 

ବିନୋଦିନୀ–ମୋ’ କଥା କ’ଣ କହୁଥିଲେ କି ?

 

ମହେନ୍ଦ୍ର–ଆଉ କହିବାର କ’ଣ ଅଛି ? ଏଇ ନିଅ ବିହାରୀ ଚିଠି ।

 

କହି ଚିଠିଟି ବିନୋଦିନୀ ହାତରେ ଦେଇ ତୀବ୍ରଦୃଷ୍ଟିରେ ତା’ର ମୁହଁର ଭାବ ନିରୀକ୍ଷଣ କରିବାକୁ ଲାଗିଲା ।

 

ତରତର ହୋଇ ବିନୋଦିନୀ ଚିଠିଟି ନେଇ ଦେଖିଲା, ଖୋଲା ଚିଠି । ଲଫାପା ଉପରେ ତାହାରି ହସ୍ତାକ୍ଷରରେ ବିହାରୀ ନାମ ହୋଇଚି । ଲଫପାରୁ ଚିଠି ବାହାର କରି ଦେଖିଲା, ତାହାରି ଲେଖା ସେଇ ଚିଠିଟି । ଓଲଟପାଲଟ କରି କେଉଁଠି ହେଲେ ବିହାରୀର ଲେଖା ଜବାବ ଦେଖିପାରିଲା ନାହିଁ ।

 

ଟିକିଏ ନୀରବ ରହି ବିନୋଦିନୀ ମହେନ୍ଦ୍ରକୁ ପଚାରିଲା, ‘ତୁମେ ଚିଠିଖଣ୍ଡ ପଢ଼ିଚ ?’

 

ବିନୋଦିନୀର ମୁହଁର ଭାବ ଦେଖି ମହେନ୍ଦ୍ର ମନରେ ଭୟର ସଞ୍ଚାର ହେଲା । ସେ ଚଟ୍‌କରି ମିଛ କଥା କହିଲା, ‘ନା ।’

 

ବିନୋଦିନୀ ଚିଠିଟି ଟିକିଟିକି କରି ଛିଣ୍ଡାଇ ପୁଣି ତାକୁ ଟିକିଟିକି କରି ଝରକା ବାହାରକୁ ଫୋପାଡ଼ି ଦେଲା ।

 

ମହେନ୍ଦ୍ର କହିଲା, ‘ମୁଁ ଘରକୁ ଯାଉଚି ।’

 

ବିନୋଦିନୀ ସେ କଥାର କୌଣସି ଉତ୍ତର ଦେଲା ନାହିଁ ।

 

ମହେନ୍ଦ୍ର–ତୁମେ ଯେପରି ଇଚ୍ଛା ପ୍ରକାଶ କରିଚ, ମୁଁ ସେହିପରି କରିବି । ସାତଦିନ ଯାଇ ଘରେ ରହିବି । କଲେଜକୁ ଆସିଲାବେଳେ ପ୍ରତ୍ୟହ ଥରେ ଏଠିକାର ବନ୍ଦୋବସ୍ତ କରି କ୍ଷେମିହାତରେ ଦେଇଯିବି । ଦେଖାକରି ତୁମକୁ ବିରକ୍ତ କରିବି ନାହିଁ ।

 

ଆପଣାର ଜିନିଷପତ୍ର ନେଇ ମହେନ୍ଦ୍ର ବାହାରିଗଲା ।

 

ବିନୋଦିନୀ ଅନେକ ସମୟ ଶୂନ୍ୟଗୃହରେ ମଉନ ହୋଇ ବସିରହି ଅବଶେଷରେ ନିଜକୁ ସତେ ଅବା ପ୍ରାଣପଣେ ଚେଷ୍ଟାକରି ସଚେତନ କରିବା ପାଇଁ ବକ୍ଷର ବସ୍ତ୍ର ଛିନ୍ନ କରି ଆପଣାକୁ ନିଷ୍ଠୁର ଭାବରେ ଆଘାତ କରିବାକୁ ଲାଗିଲା ।

 

ଶବ୍ଦ ଶୁଣି କ୍ଷେମି ବ୍ୟସ୍ତ ହୋଇ ଦଉଡ଼ି ଆସି କହିଲା, ‘ବୋହୂ ସାଆନ୍ତାଣୀ, ତୁମେ ଇଏ କ’ଣ କରୁଚ ?’

 

‘ତୁ ଯାଆ ଏଠୁ’ କହି ଗର୍ଜନ କରି ଉଠି ବିନୋଦିନୀ କ୍ଷେମିକୁ ଘରୁ ବାହାର କରିଦେଲା । ତା’ପରେ ସଶବ୍ଦେ ଦ୍ୱାର ରୁଦ୍ଧକରି, ଦୁଇହାତ ମୁଠାକରି ମାଟିରେ ଲୋଟି ବାଣାହତ ଜନ୍ତୁପରି ଆର୍ତ୍ତସ୍ୱରରେ କାନ୍ଦିବାକୁ ଲାଗିଲା । ଏହିପରି ଭାବରେ ବିନୋଦିନୀ ନିଜକୁ ବିକ୍ଷତ ଓ ପରିଶ୍ରାନ୍ତ କରି ମୂର୍ଚ୍ଛିତପର ମୁକ୍ତ ବାତାୟନ ତଳେ ସାରାରାତି ପଡ଼ିରହିଲା ।

 

ପ୍ରାତଃକାଳରେ ସୂର୍ଯ୍ୟାଲୋକ ପ୍ରବେଶ କରିବାରୁ ହଠାତ୍‌ ତା’ର ସନ୍ଦେହ ହେଲା–ଯଦି ବିହାରୀ ନ ଯାଇଥାଏ, ଯଦି ମହେନ୍ଦ୍ର ବିନୋଦିନୀକୁ ଭୁଲାଇବା ପାଇଁ ମିଥ୍ୟା କଥା କହିଥାଏ । ତତ୍‌କ୍ଷଣାତ୍‌ ସେ କ୍ଷେମିକୁ ଡାକି କହିଲା, ‘କ୍ଷେମି, ତୁ ସଙ୍ଗେ ସଙ୍ଗେ ଯାଆ, ବିହାରୀବାବୁଙ୍କ ଘରକୁ ଯାଇ ତାଙ୍କ ଖବର ବୁଝି ଆ ।’

 

ଘଣ୍ଟାକପରେ କ୍ଷେମି ଫେରିଆସି କହିଲା, ‘ବିହାରୀବାବୁଙ୍କର ଘରେ ସବୁ କବାଟଝରକା ବନ୍ଦ । କବାଟ ବାଡ଼େଇବାରୁ ବେହେରା କହିଲା, ‘ବାବୁ ଘରେ ନାହାନ୍ତି । ସେ ପଶ୍ଚିମକୁ ବୁଲି ଯାଇଚନ୍ତି ।’

 

ବିନୋଦିନୀର ମନରେ ଆଉ ସନ୍ଦେହର କୌଣସି କାରଣ ରହିଲା ନାହିଁ ।

 

(୪୦)

 

ରାତିରେ ମହେନ୍ଦ୍ର ଶଯ୍ୟାରୁ ଉଠି ଚାଲିଯାଇଥିବାର ଶୁଣି ରାଜଲକ୍ଷ୍ମୀ ବଧୂପ୍ରତି କ୍ରୁଦ୍ଧ ହୋଇଉଠିଲେ । ମନେକଲେ, ଆଶାର ଲାଞ୍ଛନାରେ ମହେନ୍ଦ୍ର ଚାଲିଗଲା । ରାଜଲକ୍ଷ୍ମୀ ଆଶାକୁ ପଚାରିଲେ, ‘କାଲି ରାତିରେ ମହେନ୍ଦ୍ର ଚାଲିଗଲା କାହିଁକି ?’

 

ମୁହଁ ତଳକୁ କରି ଆଶା କହିଲା, ‘ମୁଁ ଜାଣିନାହିଁ ମାଆ ।’

 

ରାଜଲକ୍ଷ୍ମୀ ଭାବିଲେ, ଏଇଟା ଅଭିମାନିଆ କଥା । ବିରକ୍ତ ହୋଇ କହିଲେ, ‘ତୁ ଜାଣିନୁ ତ ଆଉ କିଏ ଜାଣିବ ? ତାକୁ ତୁ କ’ଣ କହିଥିଲୁ କି ?’

 

ଆଶା କେବଳ କହିଲା, ‘ନା ।’

 

ରାଜଲକ୍ଷ୍ମୀ ବିଶ୍ୱାସ କଲେନାହିଁ । ଏହା କ’ଣ କେବେ ସମ୍ଭବ ହୋଇପାରେ ?

 

ପଚାରିଲେ ‘ମହେନ୍ଦ୍ର କାଲି କେତେବେଳେ ଗଲା ?’

 

ଆଶା ସଙ୍କୁଚିତ ହୋଇ କହିଲା, ‘ଜାଣିନାହିଁ ।’

 

ରାଜଲକ୍ଷ୍ମୀ ଅତ୍ୟନ୍ତ ରାଗିଯାଇ କହିଲେ, ‘ତୁ କିଛି ଜାଣିନୁ, ଟିକିପିଲା ହୋଇଚୁ, ସବୁ ତୋର ଚାଲାଖି ।’

 

ଆଶାର ଆଚରଣ ଓ ସ୍ୱଭାବ-ଦୋଷରୁ ଯେ ମହେନ୍ଦ୍ର ଗୃହତ୍ୟାଗୀ ହୋଇଚି, ଏକଥା ମଧ୍ୟ ରାଜଲକ୍ଷ୍ମୀ ତୀବ୍ରସ୍ୱରରେ ଘୋଷଣା କଲେ । ଆଶା ନତମସ୍ତକରେ ସେହି ଭର୍ତ୍ସନା ବହନ କରି ନିଜ ଘରେ ଯାଇ କାନ୍ଦିବାକୁ ଲାଗିଲା । ସେ ମନେ ମନେ ଭାବିଲା, ‘କାହିଁକି ଯେ ମୋର ସ୍ୱାମୀ ମୋତେ ଭଲ ପାଇଥିଲେ, ମୁଁ ତାହା ଜାଣେନା ଏବଂ ତାଙ୍କର ସେଇ ପ୍ରେମ କିପରି ଯେ ଫେରିପାଇବି, ତାହା ମଧ୍ୟ ମୁଁ କହିପାରିବି ନାହିଁ ।’ ଯେଉଁ ଲୋକ ଭଲ ପାଏ, ତାକୁ କିପରି ସୁଖୀ କରିବାକୁ ହେବ, ସେକଥା ହୃଦୟ ଆପେ ଆପେ ବୁଝିପାରେ । କିନ୍ତୁ ଯେ ଭଲ ପାଏ ନାହିଁ, ତା ମନ କିପରି ପାଇବାକୁ ହୁଏ, ସେକଥା ଆଶା ଜାଣିବ କୁଆଡ଼ୁ ? ଯେଉଁ ଲୋକ ଅନ୍ୟକୁ ଭଲ ପାଏ, ତା’ର ମନ ଆକର୍ଷଣ କଲାପରି ନିରତିଶୟ ଲଜ୍ଜାକର ଚେଷ୍ଟା ସେ କିପରି କରିବ ?

 

ସନ୍ଧ୍ୟାବେଳେ ଘରର ଦୈବଜ୍ଞ ପଣ୍ଡିତ ଓ ତାଙ୍କର ଭଗିନୀ ଆଚାର୍ଯ୍ୟ ମହାଶୟା ଆସିଚନ୍ତି । ପୁଅର ଗ୍ରହଶାନ୍ତି ପାଇଁ ରାଜଲକ୍ଷ୍ମୀ ଏମାନଙ୍କୁ ଡକାଇଥିଲେ । ରାଜଲକ୍ଷ୍ମୀ ଥରେ ବୋହୂର କୋଷ୍ଠୀ ଓ ହାତ ଦେଖିବା ପାଇଁ ଦୈବଜ୍ଞଙ୍କୁ ଅନୁରୋଧ କଲେ ଏବଂ ସେହି ଉପଲକ୍ଷରେ ଆଶାକୁ ଉପସ୍ଥିତ କରାଇଲେ । ତା’ଙ୍କ ପାଖରେ ନିଜକୁ ଦୁର୍ଭାଗ୍ୟର ଆଲୋଚନା ସଙ୍କୋଚରେ ଏକାନ୍ତ କୁଣ୍ଠିତ ହୋଇ ଆଶା କୌଣସିରୂପେ ନିଜର ହାତ ବାହାର କରି ବସିଥିଲା । ଏହି ସମୟରେ ରାଜଲକ୍ଷ୍ମୀ ତାଙ୍କ ଘରପାର୍ଶ୍ୱସ୍ଥ ଦୀପହୀନ ବାରଣ୍ଡାରୁ ଜୋତା’ର ମୁଦୁଶବ୍ଦ ଶୁଣିପାରିଲେ । କିଏ ଯେପରି ଗୋପନରେ ଚାଲିଯିବାର ଚେଷ୍ଟା କରୁଚି । ରାଜଲକ୍ଷ୍ମୀ ପଚାରିଲେ, ‘କିଏ ?’ ପ୍ରଥମେ ଉତ୍ତର ପାଇଲେ ନାହିଁ । ତା’ପରେ ପୁଣି ପଚାରିଲେ, ‘କିଏ ଯାଉଚି ?’ ସେତାବେଳେ ମହେନ୍ଦ୍ର ନିରୁତ୍ତରରେ ଘରଭିତରକୁ ଆସିଲା ।

 

ଆଶା ଖୁସି ହେବ କ’ଣ ମହେନ୍ଦ୍ରର ଲଜ୍ଜା ଦେଖି ଲଜ୍ଜାରେ ତା’ର ହୃଦୟ ଭରିଗଲା । ମହେନ୍ଦ୍ରକୁ ବର୍ତ୍ତମାନ ନିଜର ଘରେ ସୁଦ୍ଧା ଚୋରଙ୍କ ପରି ପ୍ରବେଶ କରିବାକୁ ହେଉଚି । ଦୈବଜ୍ଞ ଓ ଆଚାର୍ଯ୍ୟ ମହାଶୟା ବସିଚନ୍ତି ବୋଲି ତାକୁ ଆହୁରି ଲଜ୍ଜା ହେଲା । ସାରା ପୃଥିବୀ ପାଖରେ ନିଜର ସ୍ୱାମୀ ପାଇଁ ଯେଉଁ ଲଜ୍ଜା ରହିଥାଏ, ତାହା ଆଶାର ଆପଣା ଦୁଃଖ ଅପେକ୍ଷା ଅନେକ ବଳିପଡ଼ିଚି । ରାଜଲକ୍ଷ୍ମୀ ଯେତେବେଳେ ମୃଦୁସ୍ୱରରେ ବୋହୂକୁ କହିଲେ, ‘ମାଆ, ପାର୍ବତୀକୁ କହିଦେ, ମହେନ୍ଦ୍ର ପାଇଁ ଖାଇବାକୁ ଆଣୁ,’ ସେତେବେଳେ ଆଶା କହିଲା, ‘ମାଆ, ମୁଁ ନେଇ ଆସୁଚି ।’ ଘରର ଦାସଦାସୀମାନଙ୍କ ଦୃଷ୍ଟିରୁ ମଧ୍ୟ ସେ ମହେନ୍ଦ୍ରକୁ ଆଡ଼େଇ ରଖିବାକୁ ଚାହେଁ ।

 

ଆଚାର୍ଯ୍ୟ ଓ ତାଙ୍କ ଭଗ୍ନୀଙ୍କୁ ଦେଖି ମହେନ୍ଦ୍ର ମନେ ମନେ ଅତ୍ୟନ୍ତ ରାଗିଗଲା । ତା’ର ମାଆ ଓ ସ୍ତ୍ରୀ ଦୈବ ସହାୟତାରେ ତାକୁ ବଶ କରିବା ପାଇଁ ଏହି ମୂଢ଼ମାନଙ୍କ ସହିତ ନିର୍ଲଜ୍ଜଭାବରେ ଷଡ଼ଯନ୍ତ୍ର କରୁଚନ୍ତି । ମହେନ୍ଦ୍ର ପାଖରେ ଏହା ଅସହ୍ୟ ବୋଧ ହେଲା । ପୁଣି ଯେତେବେଳେ ଆଚାର୍ଯ୍ୟ ମହାଶୟା କଣ୍ଠସ୍ୱରରେ ଅତିରିକ୍ତ ମଧୁଢଳା ସ୍ନେହର ସ୍ୱର ସଞ୍ଚାର କରି ପଚାରିଲେ, ‘ଭଲ ଅଛ ତ ବାପା ?’ ସେତେବେଳେ ଆଉ ମହେନ୍ଦ୍ର ବସିରହିପାରିଲା ନାହିଁ । କୁଶଳ ପ୍ରଶ୍ନର କୌଣସି ଉତ୍ତର ନ ଦେଇ କହିଲା, ‘ମାଆ, ମୁଁ ଉପରକୁ ଯାଉଚି ।’

 

ମାଆ ଭାବିଲେ, ବୋଧହୁଏ ମହେନ୍ଦ୍ର ଶୟନ ଗୃହର ଏକାନ୍ତତାରେ ବଧୂ ସହିତ କଥାବାର୍ତ୍ତା ହେବାକୁ ଚାହେଁ । ଅତି ଖୁସି ହୋଇ ତରତରରେ ନିଜେ ରୋଷେଇଘରକୁ ଯାଇ ଆଶାକୁ କହିଲେ, ‘ଯାଆ ଯାଆ, –ତୁ ଶୀଘ୍ର ଉପରକୁ ଯାଆ, ମହେନ୍ଦ୍ରର କ’ଣ ଦରକାର ଅଛି ।’

 

ଆଶା ଆନ୍ଦୋଳିତ ବକ୍ଷରେ ସସଙ୍କୋଚ ପଦକ୍ଷେପରେ ଉପରକୁ ଗଲା । ଶାଶୁକଥାରେ ସେ ମନେ କରିଥିଲା, ବୋଧହୁଏ ମହେନ୍ଦ୍ର ତାଙ୍କୁ ଡାକିଚି, କିନ୍ତୁ ସେ କୌଣସିମତେ ହଠାତ୍‌ ଘର ମଧ୍ୟରେ ପ୍ରବେଶ କରିପାରିଲା ନାହିଁ । ପ୍ରବେଶ କରିବା ପୂର୍ବରୁ ଆଶା ଅନ୍ଧକାରରେ ଦ୍ୱାରର ଅନ୍ତରାଳରୁ ମହେନ୍ଦ୍ରକୁ ଦେଖିବାକୁ ଲାଗିଲା ।

 

ସେତେବେଳେ ମହେନ୍ଦ୍ର ଶୂନ୍ୟ ହୃଦୟରେ ତଳବିଛଣାରେ ପଡ଼ି ତକିଆରେ ଆଉଜି ଉପରକୁ ଚାହିଁ କଡ଼ିକାଠଗୁଡ଼ିକର ପର୍ଯ୍ୟାଲୋଚନା କରୁଥିଲା ।

 

ଏଇ ତ ସେହି ମହେନ୍ଦ୍ର । ସବୁ ପୂର୍ବପରି, କିନ୍ତୁ କି ପରିବର୍ତ୍ତନ । ଏହି କ୍ଷୁଦ୍ର ଶୟନଗୃହକୁ ଦିନେ ମହେନ୍ଦ୍ର ସ୍ୱର୍ଗରେ ପରିଣତ କରିଥିଲା । ଆଜି ସେହି ଆନନ୍ଦସ୍ମୃତିରେ ପବିତ୍ର ଘରଟିକୁ କାହିଁକି ସେ ଅପମାନ କରୁଚି ? ପ୍ରକୃତରେ ଯଦି ତୁମର ଏତେ ଚେଷ୍ଟା, ଏତେ ବିରକ୍ତି, ଏତେ ଚାଞ୍ଚଲ୍ୟ ହେଉଥାଏ, ତେବେ ଶଯ୍ୟାରେ ଆଉ ବସ ନାହିଁ ମହେନ୍ଦ୍ର । ଯଦି ଏଠାକୁ ଆସି ମଧ୍ୟ ପୂର୍ବରୁ ସେହି ପରିପୂର୍ଣ୍ଣ ଗଭୀର ରାତିଗୁଡ଼ିକର କଥା ମନେ ନ ପଡ଼ିବ, ସେହିସବୁ ସୁନିବିଡ଼ ମଧ୍ୟାହ୍ନ ଆତ୍ମହରା କର୍ମ ବିସ୍ମୃତ ଘନବର୍ଷାର ଦିନ, ଦକ୍ଷିଣବାୟୁକମ୍ପିତ ବସନ୍ତର ବିହ୍ୱଳ ସନ୍ଧ୍ୟା, ସେହି ଅନନ୍ତ ଅସୀମ ନିର୍ବାଚନୀୟ କଥାଗୁଡ଼ିକ–ତେବେ ଏ ଗୃହରେ ଅନେକ ଘର ଅଛି, କିନ୍ତୁ ଏହି କ୍ଷୁଦ୍ର ଗୃହଟିରେ ଆଉ ମୁହୂର୍ତ୍ତେ ସୁଦ୍ଧା ନୁହେଁ ?

 

Unknown

ଅନ୍ଧାରରେ ଠିଆହୋଇ ଆଶା ମହେନ୍ଦ୍ରକୁ ଯେତେ ନିରୀକ୍ଷଣ କରି ଦେଖିବାକୁ ଲାଗିଲା, ସେତେ ତା’ର ମନେହେଲା, ମହେନ୍ଦ୍ର ଅଳ୍ପକ୍ଷଣ ପୂର୍ବରୁ ବିନୋଦିନୀ ପାଖରୁ ଆସିଛି । ତା’ ଅଙ୍ଗରେ ବିନୋଦିନୀର ସ୍ପର୍ଶ, ତା’ ଆଖିରେ ବିନୋଦିନୀର ମୂର୍ତ୍ତି, କାନରେ ସେହି ବିନୋଦିନୀର କଣ୍ଠସ୍ୱର, ମନରେ ସେହି ବିନୋଦିନୀର ବାସନା ଏକାବେଳକେ ଲିପ୍ତ ଓ ଜଡ଼ିତ ହୋଇରହିଛି । ଏହି ମହେନ୍ଦ୍ରକୁ କିପରି ଆଶା ପବିତ୍ର ଭକ୍ତି ଦେଇପାରିବ ? କିପରି ଏକାଗ୍ରମନରେ କହିବ, ‘ମୋର ଅନନ୍ୟପରାୟଣ ହୃଦୟ ମୋର ଅଟଳ ନିଷ୍ଠା, ସତ୍ୟପ୍ରେମର ଶୁଭ୍ର ଶତଦଳ ତୁମର ଚରଣସ୍ପର୍ଶରେ ଧନ୍ୟ ହେଉ ।’ ସେ ତା’ ମାଉସୀର ଉପଦେଶ, ପୁରାଣର କଥା ଶାସ୍ତ୍ରର ଅନୁଶାସନ କିଛି ମାନିପାରିଲା ନାହିଁ । ଏହି ଦାମ୍ପତ୍ୟ-ସ୍ୱର୍ଗଚ୍ୟୁତ ମହେନ୍ଦ୍ରକୁ ସେ ଆଉ ମନ ମଧ୍ୟରେ ଦେବତା ବୋଲି ଅନୁଭବ କରିପାରିଲା ନାହିଁ । ସେ ଆଜି ବିନୋଦିନୀର କଳଙ୍କ-ପାରାବାରରେ ତା’ର ହୃଦୟଦେବତାଙ୍କୁ ବିସର୍ଜନ ଦେଲା । ସେହି ପ୍ରେମପୂର୍ଣ୍ଣ ରାତିର ଅନ୍ଧକାରରେ ତା’ର କାନରେ, ତା’ର ବକ୍ଷରେ, ତା’ର ମସ୍ତିଷ୍କରେ, ତା’ର ସର୍ବାଙ୍ଗରେ ରକ୍ତସ୍ରୋତରେ, ତା’ର ଚତୁର୍ଦ୍ଦିଗର ସଂସାରରେ, ତା’ର ଆକାଶର ନକ୍ଷତ୍ରରେ, ତା’ର ପ୍ରାଚୀରବେଷ୍ଟିତ ନିଭୃତ ଛାତଟିରେ, ତା’ର ଶୟନଗୃହର ପରିତ୍ୟକ୍ତ ବିରହ ଶଯ୍ୟାତଳେ ଭୟାବହ ଗମ୍ଭୀର ବ୍ୟାକୁଳତା’ର ସହିତ ବିସର୍ଜନର ବାଦ୍ୟ ବାଜିବାକୁ ଲାଗିଲା ।

ବିନୋଦିନୀର ମହେନ୍ଦ୍ର ଯେପରି ଆଶା ପାଖରେ ପରପୁରୁଷ, ପରପୁରୁଷଠାରୁ ବି ବଳେ,-ଏପରି ଏକ ଲଜ୍ଜାର ବିଷୟ ସହିତ ସମସ୍ତେ ବେଶ୍‌ ପରିଚିତ ମଧ୍ୟ ହୋଇଗଲେଣି । ସେ କୌଣସିମତେ ଘରେ ପ୍ରବେଶ କରିପାରିଲା ନାହିଁ । ଏହି ସମୟରେ ମହେନ୍ଦ୍ରର ଦୃଷ୍ଟି କଡ଼ିକାଠାରୁ ସମ୍ମୁଖର କାନ୍ଥ ଉପରେ ଆସି ପଡ଼ିଲା । ତା’ର ଦୃଷ୍ଟିକୁ ଅନୁସରଣ କରି ଆଶା ଦେଖିଲା, ସମ୍ମୁଖର କାନ୍ଥରେ ମହେନ୍ଦ୍ରର ଛବି ପାଖରେ ଆଶାର ଖଣ୍ଡେ ଫଟୋ ଟଙ୍ଗାହୋଇଚି । ଇଚ୍ଛା ହେଲା, ଅଞ୍ଚଳଦ୍ୱାରା ସେ ଖଣ୍ଡି ଆବୃତ କରିଦେବାକୁ, ଟାଣି ଛିଣ୍ଡାଇ ନେଇ ଆସିବାକୁ । ଅଭ୍ୟାସବଶତଃ ସେଇଟା ଯେ କାହିଁକି ଏତେଦିନ ହେଲା ଆଖିରେ ପଡ଼ିନାହିଁ, କାହିଁକି ଯେ ଏତେଦିନ ଯାଏ ସେ ସେଇଟାକୁ କାଢ଼ି ଫୋପାଡ଼ି ଦେଇନାହିଁ, ତାହା ମନେକରି ସେ ଆପଣାକୁ ଧିକ୍‍କାର ଦେବାକୁ ଲାଗିଲା । ତାହାର ମନେହେଲା, ମହେନ୍ଦ୍ର ଯେପରି ମନେ ମନେ ହସୁଚି ଏବଂ ତା’ ହୃଦୟରେ ଆସନରେ ଯେଉଁ ବିନୋଦିନୀର ମୂର୍ତ୍ତି ପ୍ରତିଷ୍ଠିତ, ସେ ମଧ୍ୟ ଯେପରି ତା’ର ଭୁରୁ ଯୁଗଳ ଭିତରୁ ଏହି ଫଟୋଗ୍ରାଫଟା ପ୍ରତି ସହାସ୍ୟ କଟାକ୍ଷପାତ କରୁଚି ।

ଅବଶେଷରେ ବିରକ୍ତିପୀଡ଼ିତ ମହେନ୍ଦ୍ରର ଦୃଷ୍ଟି ଦେହରୁ ଖସିଆସିଲା । ଆଶା ନିଜର ମୂର୍ଖତା ଦୂର କରିବାପାଇଁ ଆଜିକାଲି ସନ୍ଧ୍ୟାବେଳେ କାମଧନ୍ଦା ଓ ଶାଶୁଙ୍କର ସେବାରୁ ଅବକାଶ ପାଇଲେ ଅନେକ ରାତ୍ରିପର୍ଯ୍ୟନ୍ତ ନୀରବରେ ଅଧ୍ୟୟନ କରେ । ତା’ର ସେଇ ଅଧ୍ୟୟନର ବହିଖାତାଗୁଡ଼ିକ ଘରେ ଗୋଟିଏ କୋଣରେ ସଜଡ଼ା ହୋଇ ରହିଥିଲା । ହଠାତ୍‌ ଅଳସଭାବରେ ମହେନ୍ଦ୍ର ଖଣ୍ଡେ ଖାତା ଟାଣିନେଇ ଖୋଲି ଦେଖିବାକୁ ଲାଗିଲା । ଆଶାର ଇଚ୍ଛା ହେଲା, ଚିତ୍କାର କରି ଦଉଡ଼ି ଯାଇ ସେ ଖଣ୍ଡି ଛଡ଼ାଇ ଆଣନ୍ତା । ତା’ର ଅପଟୁହାତର ଅକ୍ଷରଗୁଡ଼ିକ ପ୍ରତି ମହେନ୍ଦ୍ରର ହୃଦୟହୀନ ବିଦ୍ରୁପଦୃଷ୍ଟି କଳ୍ପନା କରି ସେ ଆଉ ମୁହୂର୍ତ୍ତେ ସୁଦ୍ଧା ଠିଆହୋଇପାରିଲା ନାହିଁ । ଦ୍ରୁତପଦରେ ତଳକୁ ଓହ୍ଲାଇଗଲା–ପଦଶବ୍ଦ ଗୋପନ କରିବାର ଚେଷ୍ଟା ସୁଦ୍ଧା କଲା ନାହିଁ ।

ମହେନ୍ଦ୍ରର ଆହାର ପ୍ରସ୍ତୁତ ହୋଇସାରିଥିଲା । ରାଜଲକ୍ଷ୍ମୀ ମନେ ମନେ ଭାବୁଥିଲେ, ମହେନ୍ଦ୍ର ବୋହୂ ସହିତ ରହସ୍ୟାଳାପରେ ପ୍ରବୃତ୍ତ ଅଛି । ସେଥିପାଇଁ ଖାଇବାକୁ ନେଇଯାଇ ମଝିରେ ରସଭଙ୍ଗ କରିବାକୁ ତାଙ୍କର ପ୍ରବୃତ୍ତି ହେଉ ନ ଥିଲା । ଆଶାକୁ ତଳକୁ ଆସିବାର ଦେଖି ସେ ଭୋଜନସ୍ଥଳକୁ ଆହାର ନେଇ ମହେନ୍ଦ୍ରକୁ ଖବର ଦେଲେ । ମହେନ୍ଦ୍ର ଖାଇବାକୁ ଯିବାମାତ୍ରେ ଆଶା ଘର ଭିତରକୁ ଯାଇ ନିଜର ଛବିଟା ଟାଣିଆଣି ଛାତର ପାଚେରୀ ସେ ପାଖକୁ ଫୋପାଡ଼ି ଦେଲା ଏବଂ ତାହାର ଖାତାପତ୍ରଗୁଡ଼ିକ ତରତର ହୋଇ ନେଇଗଲା ।

ଆହାରାନ୍ତେ ମହେନ୍ଦ୍ର ଆସି ଶୟନଗୃହରେ ବସିଲା । ରାଜଲକ୍ଷ୍ମୀ ବଧୂକୁ ଆଖପାଖରେ କେଉଁଠି ଖୋଜି ପାଇଲେ ନାହିଁ । ଅବଶେଷରେ ରନ୍ଧନଶାଳାକୁ ଯାଇ ଦେଖିଲା, ଆଶା ତାଙ୍କ ପାଇଁ ଦୁଧ ଆଉଟୁଚି । କୌଣସି ଆବଶ୍ୟକ ନ ଥିଲା, କାରଣ ଯେଉଁ ଦାସୀ ପ୍ରତିଦିନ ରାଜଲକ୍ଷ୍ମୀଙ୍କ ପାଇଁ ଦୁଧ ଆଉଟେ, ସେ ନିକଟରେ ଥିଲା ଏବଂ ଆଶାର ଏହି ଅକାରଣ ଉତ୍ସାହରେ ଆପତ୍ତି ପ୍ରକାଶ କରୁଥିଲା । ବିଶୁଦ୍ଧ ଜଳଦ୍ୱାରା କ୍ଷତିପୂରଣ କରି ଦୁଧ ଯେଉଁ ଅଂଶତକ ସେ ହରଣ କରେ, ଆଜି ସେତକ ବ୍ୟର୍ଥ ହେବାର ସମ୍ଭାବନାରେ ସେ ମନେ ମନେ ଆକୁଳ ହୋଇ ଉଠୁଥିଲା ।

 

ରାଜଲକ୍ଷ୍ମୀ କହିଲେ, ‘ବୋହୂ, ଇଏ କ’ଣ ? ଏଠି କାହିଁକି ? ମାଆ, ଉପରକୁ ଯାଆ ।’

 

ଉପରକୁ ଯାଇ ଆଶା ତା’ ଶାଶୁର ଘରଭିତରେ ଆଶ୍ରୟ ଗ୍ରହଣ କଲା । ରାଜଲକ୍ଷ୍ମୀ ବଧୂର ବ୍ୟବହାରରେ ବିରକ୍ତ ହେଲେ । ଭାବିଲେ ଯଦିବା ମହେନ୍ଦ୍ର ମାୟାବିନୀର ମାୟା କଟାଇ କିଛି ସମୟ ପାଇଁ ଘରକୁ ଆସିଲା, ବୋହୂ ରଗାରଗି ମାନ-ଅଭିମାନ କରି ତାକୁ ପୁଣି ଘରୁ ତଡ଼ିବାର ଚେଷ୍ଟାରେ ଅଛି । ବିନୋଦିନୀର ଫାନ୍ଦରେ ଯେ ମହେନ୍ଦ୍ର ଧରାଦେଲା, ତାହା କେବଳ ଆଶାର ଦୋଷରୁ । ପୁରୁଷ ତ ସ୍ୱଭାବତଃ ହିଁ ବିପଥରେ ଯିବାପାଇଁ ପ୍ରସ୍ତୁତ, ସ୍ତ୍ରୀର କର୍ତ୍ତବ୍ୟ ତାକୁ ଛଳେବଳେ କୌଶଳେ ସିଧାବାଟକୁ ଆଣିବା ।

 

ରାଜଲକ୍ଷ୍ମୀ ତୀବ୍ର ଭର୍ତ୍ସନାପୂର୍ଣ୍ଣ ସ୍ୱରରେ କହିଲେ, ‘ତୋର ଇଏ କି ଢଙ୍ଗ, ବୋହୂ ? ତୋର ଭାଗ୍ୟକ୍ରମେ ଯଦିବା ସ୍ୱାମୀ ଘରକୁ ଆସିଲେ, ତୁ ମୁହଁଟାକୁ ହାଣ୍ଡିପରି କରି ଏ କ’ଣ ସେ କ’ଣ ହୋଇ କାହିଁକି ଲୁଚି ଲୁଚି ବୁଲୁଚୁ ?’

 

ଆଶା ନିଜକୁ ଅପରାଧିନୀ ମନେକରି ଅଙ୍କୁଶାହତ ଚିତ୍ତରେ ଉପରକୁ ଚାଲିଗଲା ଏବଂ ମନକୁ ଦ୍ୱିଧା କରିବାର ଅବକାଶମାତ୍ର ନ ଦେଇ ଏକାନିଶ୍ୱାସରେ ଯାଇ ଘର ଭିତରେ ଉପସ୍ଥିତ ହେଲା । ଦଶଟା ବାଜିଗଲାଣି । ଠିକ୍‌ ସେତିକିବେଳେ ମହେନ୍ଦ୍ର ବିଛଣା ସମ୍ମୁଖରେ ଠିଆ ହୋଇ ଅନାବଶ୍ୟକ ଦୀର୍ଘକାଳ ଧରି ଚିନ୍ତିତ ଭାବରେ ମଶାରି ଝାଡ଼ୁଚି । ବିନୋଦିନୀ ଉପରେ ତା’ର ମନରେ ତୀବ୍ର ଅଭୀମାନ ଉଦୟ ହୋଇଚି । ସେ ମନେ ମନେ କହୁଥିଲା, ‘ବନୋଦିନୀ କ’ଣ ମୋତେ ନିଜର କ୍ରୀତଦାସ ବୋଲି ନିଶ୍ଚୟ ସ୍ଥିର କରି ରଖିଚି ? ଆଶା ପାଖକୁ ମୋତେ ପଠାଇବାକୁ ତା’ମନରେ କ’ଣ ଲେଶମାତ୍ର ଆଶଙ୍କା ହେଲା ନାହିଁ ? ଆଜିଠାରୁ ମୁଁ ଯଦି ଆଶାପ୍ରତି ମୋର କର୍ତ୍ତବ୍ୟ ପାଳନ କରିଚି, ତେବେ ବିନୋଦିନୀ କାହାକୁ ଆଶ୍ରୟ କରି ଏହି ପୃଥିବୀରେ ବଞ୍ଚିରହିବ ? ମୁଁ କ’ଣ ଏଡ଼େ ଅପଦାର୍ଥ ଯେ ଏହି କର୍ତ୍ତବ୍ୟପାଳନରେ ଇଚ୍ଛା ମୋ’ ପକ୍ଷରେ ଏକାବେଳକେ ଅସମ୍ଭବ ହୋଇପଡ଼ିବ ? ବିନୋଦିନୀ ପାଖରେ କ’ଣ ଶେଷରେ ମୋ ଏହି ପରିଚୟ ହେଲା ? ଶ୍ରଦ୍ଧା ତ ହରାଇଲି, ପ୍ରେମ ମଧ୍ୟ ପାଇଲି ନାହିଁ । ମୋତେ ଅପମାନ ଦେବାକୁ କ’ଣ ତା’ର ଦ୍ୱିଧା ହେଲା ନାହିଁ ? ମହେନ୍ଦ୍ର ମଶାରି ସମ୍ମୁଖରେ ଠିଆ ହୋଇ ଦୃଢ଼ଚିତ୍ତରେ ପ୍ରତିଜ୍ଞା କରୁଥିଲା, ସେ ବିନୋଦୀନିର ଏହି ସ୍ପର୍ଦ୍ଧାର ପ୍ରତିବାଦ କରିବ । ଯେପରିଭାବରେ ହେଉ, ଆଶାପ୍ରତି ହୃଦୟକୁ ଅନୁକୂଳ କରି ବିନୋଦୀନିକୃତ ଅବମାନନାର ପ୍ରତିଶୋଧ ନେବ ।

 

ଆଶା ଯେଉଁ ମୁହୂର୍ତ୍ତରେ ଘରେ ପ୍ରବେଶ କଲା, ମହେନ୍ଦ୍ରର ଅନ୍ୟମନସ୍କ ହୋଇ ମଶାରି ଝାଡ଼ିବା ସେହି ମୁହୂର୍ତ୍ତରେ ବନ୍ଦ ହୋଇଗଲା । କ’ଣ କହି ସେ ଆଶା ସହିତ କଥା ଆରମ୍ଭ କରିବ, ତାହା ଅତି ଦୁରୂହ ସମସ୍ୟା ହୋଇଉଠିଲା ।

 

ମହେନ୍ଦ୍ର ବହୁ ଚେଷ୍ଟାରେ ନୀରସ ଭାବରେ ଟିକିଏ ହସି ହଠାତ୍‌ ତା’ ମୁହଁକୁ ଯେଉଁ କଥାଟା ଆସିଲା, ତାହାହିଁ କହି ପକାଇଲା । କହିଲା, ‘ଦେଖିଲ, ତୁମେ ବି ମୋରି ପରି ପଢ଼ାପଢ଼ିରେ ମନ ଦେଇଚ । ଏଇଠି ତ ଖାତାପତ୍ର ସବୁ ଦେଖିଥିଲି, ଗଲା କୁଆଡ଼େ ?’

 

କଥାଟା ଯେ କେବଳ ଅଖାଡ଼ୁଆ, ସେତିକି ନୁହେଁ, ଯେପରି ଆଶାକୁ କିଏ ବେତ୍ରାଘାତ କରିବାକୁ ଲାଗିଲା । ମୂଢ଼ ଆଶା ଯେ ଶିକ୍ଷିତା ହେବାକୁ ଚେଷ୍ଟା କରୁଚି, ସେଇଟା ତା’ର ବଡ଼ ଗୋପନ କଥା । ଆଶା ସ୍ଥିର କରିଥିଲା, ଏ କଥାଟା ବଡ଼ ହାସ୍ୟକର । ତା’ର ଏହି ଶିକ୍ଷାଲାଭର ସଂକଳ୍ପ ଯଦି କାହାରି ହାସ୍ୟ-ବିଦ୍ରୁପର ଲେଶମାତ୍ର ଆଭାସରୁ ଗୋପନ କରିବାର ବିଷୟ ହୁଏ, ତେବେ ତାହା ବିଶେଷଭାବରେ ମହେନ୍ଦ୍ର । ସେଇ ମହେନ୍ଦ୍ର ଯେତେବେଳେ ଏତେଦିନପରେ ପ୍ରଥମ ସମ୍ଭାଷଣରେ ହସି ସେହି କଥାର ଅବତା’ରଣା କଲା, ସେତେବେଳେ ନିଷ୍ଠୁର ବେତ୍ରାହତ ଶିଶୁର କୋମଳ ଦେହପରି ଆଶାର ମନଟା ସଙ୍କୁଚିତ ବ୍ୟଥିତ ହେବାକୁ ଲାଗିଲା । ସେ କୌଣସି ଉତ୍ତର ନ ଦେଇ ମୁହଁ ବୁଲାଇ ତିପାଇର ପ୍ରାନ୍ତ ଧରି ଠିଆହୋଇ ରହିଲା ।

 

ମହେନ୍ଦ୍ର ମଧ୍ୟ ଉଚ୍ଚାରଣମାତ୍ରେ ବୁଝିପାରିଥିଲା ଯେ କଥାଟି ଠିକ୍‌ ସଙ୍ଗତ, ଠିକ୍‌ ସମୟ ଉପଯୋଗୀ ହୋଇନାହିଁ । କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଉପଯୋଗୀ କଥାଟା ଯେ କ’ଣ ହୋଇପାରେ, ତାହା ସେ ଆଦୌ ଭାବିପାରିଲା ନାହିଁ । ହୃଦୟ ମଧ୍ୟ ମୂକ, କୌଣସି ନୂଆ କଥା କହିବା ପାଇଁ ସେ ପ୍ରସ୍ତୁତ ନୁହେଁ । ମହେନ୍ଦ୍ର ଭାବିଲା, ବିଛଣାରେ ଶୋଇପଡ଼ିଲେ ଶଯ୍ୟାରେ ନିଭୃତ ବେଷ୍ଟନ ମଧ୍ୟରେ କଥା କହିବା ସହଜ ହେବ ।

 

ଏହା ଭାବି ସେ ପୁଣି ମଶାରିର ବର୍ହିଭାଗକୁ କୁଞ୍ଚଦ୍ୱାରା ଝାଡ଼ତିବାକୁ ଲାଗିଲା । ନୂଆ ଅଭିନେତା ରଙ୍ଗଭୂମିରେ ପ୍ରବେଶ କରିବାପୂର୍ବରୁ ଯେପରି ଉତ୍କଣ୍ଠାର ସହିତ ନେପଥ୍ୟଦ୍ୱାରରେ ଠିଆହୋଇ ନିଜର ଅଭିନେତବ୍ୟ ବିଷୟ ଥରେ ମନେ ମନେ ଆବୃତ୍ତି କରିନିଏ, ମହେନ୍ଦ୍ର ସେହିପରି ମଶାରି ଆଗରେ ଠିଆହୋଇ ମନେ ମନେ ତା’ର ବକ୍ତବ୍ୟ ଓ କର୍ତ୍ତବ୍ୟ ଆଲୋଚନା କରିବାକୁ ଲାଗିଲା । ଏହି ସମୟରେ ଅତି ମୃଦୁ ଗୋଟିଏ ଶବ୍ଦ ଶୁଣି ମହେନ୍ଦ୍ର ମୁହଁ ବୁଲାଇ ଦେଖିଲା, ଆଶା ଘର ଭିତରେ ନାହିଁ ।

 

(୪୧)

 

ପରଦିନ ପ୍ରଭାତରେ ମହେନ୍ଦ୍ର ମାଆଙ୍କୁ କହିଲା, ‘ମାଆ, ପଢ଼ାପଢ଼ି ପାଇଁ ମୋର ଗୋଟିଏ ନିର୍ଜନ ଘର ଦରକାର । ଖୁଡ଼ୀ ଯେଉଁ ଘରେ ରହୁଥିଲେ, ମୁଁ ସେଇ ଘରେ ରହିବି ।’

 

ମାଆ ଭାରି ଖୁସି ହୋଇଗଲେ । ତେବେ ମହେନ୍ଦ୍ର ଏଥର ଘରେ ରହିବ; ବୋଧହୁଏ ବୋହୂ ସହିତ ମିଳାମିଶା ହୋଇଗଲାଣି । ଏପରି ସୁନାବୋହୂକୁ କ’ଣ ମହେନ୍ଦ୍ର କେବେ ଚିରଦିନ ଅନାଦର କରିପାରେ ? ଏହି ଲକ୍ଷ୍ମୀ-ପ୍ରତିମାକୁ ଛାଡ଼ି କୋଉଆଡ଼ର ସେହି ମାୟାବିନୀ ଡାହାଣୀକୁ ନେଇ କେତେଦିନ ବା ସେ ଭୁଲିକରି ରହିବ ?

 

ବ୍ୟଗ୍ରଭାବରେ ସେ ଉତ୍ତର ଦେଲେ, ‘ଭାରି ଭଲ କଥା ।’ ସଙ୍ଗେ ସଙ୍ଗେ ଚାବି ବାହାର କରି ରୁଦ୍ଧ ଘର ଖୋଲିଦେଇ ଝଡ଼ାଝଡ଼ିର ବ୍ୟବସ୍ଥାରେ ଲାଗିପଡ଼ିଲେ । ‘ବୋହୂ, ବୋହୂ, ବୋହୂ, କୁଆଡ଼େ ଗଲା ?’ ଅନେକ ସନ୍ଧାନ କରିବାପରେ ଘରର ଗୋଟିଏ କୋଣରୁ ସଙ୍କୁଚିତ ବଧୂକୁ ବାହାର କରାଗଲା । ‘ଗୋଟିଏ ସଫା ସତରଞ୍ଜି ବାହାର କରିଦେ, ଏଘରେ ଟେବୁଲ ନାହିଁ, ଏଠି ଗୋଟିଏ ଟେବୁଲ ଆଣି ପକାଇବାକୁ ହେବ, ଏ ଆଲୁଅଟା ଏଠି ଚଳିବ ନାହିଁ, ଉପରୁ ଲ୍ୟାମ୍ପଟା ପଠାଇ ଦେ ।’ ଏହିପରି ଉଭୟେ ମିଶି ଏହି ଘରର ରାଜାଧିରାଜାଙ୍କ ପାଇଁ ଅନ୍ନପୂର୍ଣ୍ଣାଙ୍କ ଘରେ ବିସ୍ତୃତ ରାଜାସନ ପ୍ରସ୍ତୁତ କରିଦେଲେ । ସେବାକାରିଣୀମାନଙ୍କ ପ୍ରତି ଭ୍ରୁକ୍ଷେପ ମାତ୍ର ନ କରି ମହେନ୍ଦ୍ର ଗମ୍ଭୀର ଭାବରେ ବହିପତ୍ର ନେଇ ଘରେ ବସିଲା ଏବଂ ଲେଶମାତ୍ର ସମୟ ଅପବ୍ୟୟ ନ କରି ପଢ଼ିବାକୁ ଆରମ୍ଭ କଲା ।

 

ସନ୍ଧ୍ୟାର ଆହାର ପରେ ମହେନ୍ଦ୍ର ପୁଣି ପଢ଼ି ବସିଲା । ସେ ଉପରେ ତା’ର ଶୟନଗୃହରେ ଶୋଇବ କି ତଳେ ଶୋଇବ, କେହି ସେ କଥା ବୁଝିପାରିଲେ ନାହିଁ । ବହୁଯତ୍ନରେ ରାଜଲକ୍ଷ୍ମୀ ଆଶାକୁ ଲବଣୀପିତୁଳାଟି ପରି ସଜାଇ କହିଲେ, ‘ଗଲୁ ମାଆ, ମହେନ୍ଦ୍ରକୁ ପଚାରି ଆସିବୁ, ତା’ର ବିଛଣା କ’ଣ ଉପରେ କରାଯିବ ?’

 

ଏହି ପ୍ରସ୍ତବରେ ଆଶାର ପାଦ ଚଳିଲାନାହିଁ, ସେ ନୀରବରେ ନତମୁଖରେ ଠିଆହୋଇ ରହିଲା । ରୁଷ୍ଟ ରାଜଲକ୍ଷ୍ମୀ ଆଶାକୁ ତୀବ୍ର ଭର୍ତ୍ସନା କରିବାକୁ ଲାଗିଲେ । ଆଶା ବହୁକଷ୍ଟରେ ଧୀରେ ଧୀରେ ଦୁଆରମୁହଁଯାଏ ଗଲା, କିନ୍ତୁ ଆଉ କୌଣସି ପ୍ରକାର ଅଗ୍ରସର ହୋଇପାରିଲାନାହିଁ । ରାଜଲକ୍ଷ୍ମୀ ଦୂରୁ ବଧୂର ଏହି ବ୍ୟବହାର ଦେଖି ବାରଣ୍ଡାକଡ଼େ ଠିଆହୋଇ କ୍ରୁଦ୍ଧ ଇଙ୍ଗିତ କରିବାକୁ ଲାଗିଲେ । ବାଧ୍ୟହୋଇ ଆଶା ଘରଭିତରେ ପ୍ରବେଶ କଲା । ପଶ୍ଚାତରୁ ପଦଶବ୍ଦ ଶୁଣି ମହେନ୍ଦ୍ର ବହିରୁ ମୁହଁ ନ ଟେକି କହିଲା, ‘ମୋର ବିଳମ୍ୱ ହେବ, ପୁଣି ଭୋରୁ ମଧ୍ୟ ଉଠି ପଢ଼ିବାକୁ ହେବ । ମୁଁ ଏଇ ଘରେ ଶୋଇବି ।’

 

କି ଲଜ୍ଜାର କଥା । ଆଶା କ’ଣ ମହେନ୍ଦ୍ରକୁ ଶୋଇବାକୁ ଯିବାପାଇଁ ଡାକି ଆସିଥିଲା ?

 

ସେ ଘରୁ ବାହାରି ଆସିବାକ୍ଷଣି ରାଜଲକ୍ଷ୍ମୀ ବିରକ୍ତପୂର୍ଣ୍ଣ ପଚାରିଲେ, ‘କ’ଣ ହେଲା ?’

 

ଆଶା କହିଲା, ‘ସେ ବର୍ତ୍ତମାନ ପଢ଼ୁଚନ୍ତି, ସେଇ ଘରେ ଶୋଇବେ ।’-କହି ସେ ଯାଇ ନିଜର ଅପମାନିତ ଶୟନଗୃହରେ ପ୍ରବେଶ କଲା । ଯେଉଁଠି ହେଲେ ତା’ ପାଇଁ ସୁଖ ନାହିଁ । ଯେପରି ସାରା ପୃଥିବୀରେ ସର୍ବତ୍ର ମଧ୍ୟାହ୍ନର ମରୁଭୂତଳ ପରି ତପ୍ତ ହୋଇ ରହିଚି ।

 

ଅଧରାତିରେ ଆଶାର ଶୟନଗୃହରେ ରୁଦ୍ଧଦ୍ୱାରରେ ଆଘାତ ଶୁଣାଗଲା–‘ବୋହୂ, ବୋହୂ, କବାଟ ଖୋଲ ।’

 

ତରତର ହୋଇ ଆଶା କବାଟ ଖୋଲିଦେଲା । ରାଜଲକ୍ଷ୍ମୀ ସିଡ଼ିରେ ଉପରକୁ ଉଠିଆସି ଶ୍ୱାସଯୋଗୁଁ ଅତି କଷ୍ଟରେ ନିଶ୍ୱାସ ନେଉଥିଲେ । ଘରେ ପ୍ରବେଶ କରି ସେ ବିଛଣାରେ ବସିପଡ଼ିଲେ ଓ ବାକ୍‌ଶକ୍ତି ଫେରିଆସିବାକୁ ଭଗ୍ନ ସ୍ୱରରେ କହିଲେ, ‘ବୋହୂ, ତୋର ଇଏ କି ଢଙ୍ଗ କହିଲୁ ! ଉପରେ ଆସି କବାଟ ବନ୍ଦ କରି ଦେଇଚୁ ! ବର୍ତ୍ତମାନ କ’ଣ ଏପରି ରଗାରଗି କରିବା ବେଳ ? ଏତେ ଦୁଃଖ ଭୋଗକରି ମଧ୍ୟ ତୋର ବୁଦ୍ଧି ହେଉନାହିଁ । ଯାଆ, ତଳକୁ ଯାଆ ।’

 

ଆଶା ମୂଦୃସ୍ୱରରେ କହିଲା, ‘ସିଏ ତ ଏକା ରହିବେ ବୋଲି କହିଲେ ।’

 

ରାଜଲକ୍ଷ୍ମୀ–ଏକା ରହିବ ବୋଲି କହିଦେଲେ କ’ଣ ହୋଇଯିବ ? ରାଗରେ ସେ କ’ଣ କହିପକାଇଚି; ସେଇ କଥାରେ କ’ଣ ଏପରି ରାଗିଯାଆନ୍ତି ? ଏତେ ଅଭିମାନ କରିବା ଠିକ୍‌ ନୁହେଁ-। ଯାଆ, ଶୀଘ୍ର ତଳକୁ ଯାଆ ।’

 

ଦୁଃଖ ସମୟରେ ଶାଶୁର ବଧୂ ପାଖରେ ଆଉ କୌଣସି ସଙ୍କୋଚ ନାହିଁ । ତାଙ୍କ ହାତରେ ଯେତେ ରକମର ଉପାୟ ଅଛି, ସବୁ ପ୍ରୟୋଗ କରି ମହେନ୍ଦ୍ରକୁ କୌଣସିମତେ ବାନ୍ଧି ରଖିବାକୁ ହେବ ।

 

ଆବେଗର ସହିତ କଥା କହୁ କହୁ ରାଜଲକ୍ଷ୍ମୀଙ୍କର ପୁନରାୟ ଅତ୍ୟନ୍ତ ଶ୍ୱାସକଷ୍ଟ ଆରମ୍ଭ ହେଲା । ନିଜକୁ ସମ୍ୱରଣ କରି ସେ ଉଠିପଡ଼ିଲେ । ଆଶା ମଧ୍ୟ ଦ୍ୱିରୁକ୍ତି ନ କରି ତାଙ୍କୁ ଧରି ତଳକୁ ନେଇଗଲା । ରାଜଲକ୍ଷ୍ମୀଙ୍କୁ ଶୟନଘର ବିଛଣାରେ ବସାଇ ତାଙ୍କର ପିଠିପାଖକୁ ତକିଆଗୁଡ଼ିକ ଠିକ୍‌ କରିଦେବାକୁ ଲାଗିଲା । ରାଜଲକ୍ଷ୍ମୀ କହିଲେ, ‘ଥାଉ ମାଆ ଥାଉ, ତୁ ଆଉ କାହାକୁ ଡାକି ଦେଇ ଯାଆ, ଆଉ ଡେରି କରନା ।’

 

ଆଶା ଆଉ ଦ୍ୱିଧା କଲା ନାହିଁ । ଶାଶୁଙ୍କ ଘରୁ ବାହାରି ମହେନ୍ଦ୍ରର ଘରେ ଯାଇ ଉପସ୍ଥିତ ହେଲା । ମହେନ୍ଦ୍ର ସମ୍ମୁଖରେ ଟେବୁଲ ଉପରେ ଖୋଲା ବହି ପଡ଼ିଚି । ଟେବୁଲ ଉପରେ ଦୁଇ ଗୋଡ଼ ରଖି, ଚୌକୀ ଉପରେ ମୁଣ୍ଡ ଦେଇ ସେ ଏକମନରେ କ’ଣ ବସି ଭାବୁଥିଲା । ପଛରୁ ପାଦଶବ୍ଦ ଶୁଣି ଚମକି ଉଠି ଫେରି ଚାହିଁଲା । ସେ ଯେପରି କାହାର ଧ୍ୟାନରେ ନିମଗ୍ନ ଥିଲା; ହଠାତ୍‌ କେହି ଆସି ପହଞ୍ଚିଗଲାପରି ଭ୍ରମ ହେଲା । ଆଶାକୁ ଦେଖି ମହେନ୍ଦ୍ର ସଂଯତ ହୋଇ ଟେବୁଲ ଉପରୁ ଗୋଡ଼ ଉଠାଇ ନେଇ ଖୋଲା ବହିଟାକୁ କୋଳକୁ ଟାଣିନେଲା । ମନେ ମନେ ସେ ବଡ଼ ଆଶ୍ଚର୍ଯ୍ୟ ହୋଇଗଲା । ଆଜିକାଲି ତ ଆଶା ଏପରି ଅସଙ୍କୋଚରେ ତା’ର ସାମନାକୁ କେବେ ଆସେ ନାହିଁ । ଦୈବାତ୍‌ ଉଭୟଙ୍କ ସାକ୍ଷାତ୍‍ ହୋଇଗଲେ ସେ ସଙ୍ଗେ ସଙ୍ଗେ ଚାଲିଯାଏ । ଏତେ ରାତିରେ ଏପରି ସହଜଭାବରେ ସେ ଆଜି ତା’ ଘରେ ପ୍ରବେଶ କଲା । ତାକୁ ଏକଥା ବଡ଼ ବିସ୍ମୟକର ବୋଧହେଲା । ବହିରୁ ମୁହଁ ନ ଟେକି ଅନାଇଲା । ସୁସ୍ପଷ୍ଟ ସ୍ୱରରେ ଆଶା କହିଲା, ‘ମାଆଙ୍କ ଶ୍ୱାସ ଭାରି ବଢ଼ିଯାଇଚି, ତୁମେ ଥରେ ତାଙ୍କୁ ଦେଖିଆସିଲେ ଭଲ ହୁଅନ୍ତା ।’

 

ମହେନ୍ଦ୍ର–ସେ କେଉଁଠି ଅଛନ୍ତି ?

 

ଆଶା–ତାଙ୍କ ଶୋଇବା ଘରେ । ମୋଟେ ଶୋଇ ପାରୁନାହାନ୍ତି ।

 

ଅନେକ ଦିନପରେ ଆଶା ସହିତ ଏହି କେତେପଦ କଥାବାର୍ତ୍ତା ହୋଇ ମହେନ୍ଦ୍ର ଯେପରି ଭାରି ଆଶ୍ୱସ୍ତ ବୋଧକଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୁର୍ଗପ୍ରାଚୀର ପରି ଏକ ନୀରବତା ଠିଆ ହୋଇରହିଥିଲା, ମହେନ୍ଦ୍ର ତରଫରୁ ତାକୁ ଭାଙ୍ଗିବାଲାଗି କୌଣସି ଅସ୍ତ୍ର ନ ଥିଲା । ଏହି ସମୟରେ ଆଶା ସ୍ୱହସ୍ତରେ ପୁଣି ଗୋଟିଏ ଛୋଟ ଦ୍ୱାର ଖୋଲିଦେଲା ।

 

ରାଜଲକ୍ଷ୍ମୀଙ୍କ ଘରର କବାଟ ବାହାରେ ଆଶା ଠିଆ ହୋଇ ରହିଲା, ମହେନ୍ଦ୍ର ଘରଭିତରେ ପ୍ରବେଶ କଲା । ମହେନ୍ଦ୍ରକୁ ଅସମୟରେ ଆସିବାର ଦେଖି ରାଜଲକ୍ଷ୍ମୀ ଭୀତ ହେଲେ । ଭାବିଲେ, ଆଶା ଉପରେ ରଗାରଗି କରି ବୋଧହୁଏ ମହେନ୍ଦ୍ର ବିଦାୟ ନେବାକୁ ଆସିଚି । କହିଲେ, ‘ମହେନ୍ଦ୍ର, ତୁ ଏପର୍ଯ୍ୟନ୍ତ ଶୋଇନୁ ?’

 

ମହେନ୍ଦ୍ର କହିଲା, ‘ମାଆ, ତୋର ଶ୍ୱାସ କ’ଣ ପୁଣି ବଢ଼ିଚି ?

 

ଏତେଦିନପରେ ଏପରି ଏକ ପ୍ରଶ୍ନ ଶୁଣି ରାଜଲକ୍ଷ୍ମୀଙ୍କ ମନରେ ବଡ଼ ଅଭିମାନ ଜନ୍ମିଲା । ସେ ବୁଝିପାରିଲେ, ବୋହୂ କହିବାରୁ ମହେନ୍ଦ୍ର ମାଆର ଖବର ନେବାକୁ ଆସିଚି । ଏହି ଅଭିମାନର ଆବେଗରେ ତାଙ୍କର ବକ୍ଷ ଆନ୍ଦୋଳିତ ହୋଇଉଠିଲା । ଅତି କଷ୍ଟରେ ବାକ୍ୟ ଉଚ୍ଚାରଣ କରି ସେ କହିଲେ, ‘ଯାଆ, ତୁ ଶୋଇବାକୁ ଯାଆ । ମୋର ସେପରି କିଛି ହୋଇନାହିଁ ।’

 

ମହେନ୍ଦ୍ର–ନାଇଁ ମାଆ । ଥରେ ପରୀକ୍ଷା କରି ଦେଖିବା ଭଲ । ଏ ବେମାରି ଉପେକ୍ଷା କରିବାର ଜିନିଷ ନୁହେଁ ।

 

ମହେନ୍ଦ୍ର ଜାଣିଥିଲା, ମାଆଙ୍କ ହୃତ୍‌ପିଣ୍ଡରେ ଦୁର୍ବଳତା ଅଛି । ଏହି କାରଣରୁ ଏବଂ ମାଆର ମୁଖଶ୍ରୀର ଲକ୍ଷଣ ଦେଖି ସେ ଉଦ୍‌ବେଗ ଅନୁଭବ କଲା ।

 

ମାଆ କହିଲେ, ‘ପରୀକ୍ଷା କରିବା ଦରକାର ନାହିଁ । ମୋର ଏହି ବେମାରି ଭଲ ହେବାର ନୁହେଁ ।’

 

ମହେନ୍ଦ୍ର କହିଲା, ‘ଆଚ୍ଛା, ଆଜି ରାତିପାଇଁ ଗୋଟିଏ ନିଦ-ଓଷଦ ଅଣାଇ ଦେଉଚି । କାଲି ଭଲ ଭାବରେ ଦେଖିବି ।’

 

ରାଜଲକ୍ଷ୍ମୀ-ଢେର ଓଷଦ ଖାଇଚି । ଓଷଦରେ ମୋର କିଛି ହେବ ନାହିଁ । ଯାଆ ମହେନ୍ଦ୍ର, ଅନେକ ରାତି ହେଲାଣି, ତୁ ଶୋଇବାକୁ ଯାଆ ।

 

ମହେନ୍ଦ୍ର–ତୁ ଟିକିଏ ସୁସ୍ଥ ହେଲେ ମୁଁ ଯିବି ।

 

ସେତେବେଳେ ଅଭିମାନିନୀ ରାଜଲକ୍ଷ୍ମୀ ଅନ୍ତରାଜବର୍ତ୍ତିନୀ ବଧୂକୁ ସମ୍ୱୋଧନ କରି କହିଲେ, ‘ବୋହୂ, ତୁ କାହିଁକି ଏତେ ରାତିରେ ମହେନ୍ଦ୍ରକୁ ବିରକ୍ତି କରିବାପାଇଁ ଏଠିକି ଡାକି ଆଣିଲୁ-?’ କହୁ କହୁ ତାଙ୍କର ଶ୍ୱାସକଷ୍ଟ ଆହୁରି ବଢ଼ିଉଠିଲା ।

 

ଆଶା ଘରଭିତରକୁ ଆସି ମୃଦୁ ଅଥଚ ଦୃଢ଼ସ୍ୱରରେ ମହେନ୍ଦ୍ରକୁ କହିଲା, ‘ଯାଅ, ତୁମେ ଶୋଇବାକୁ ଯାଅ । ମୁଁ ମାଆଙ୍କ ପାଖରେ ଅଛି ।’

 

ଆଶାକୁ ବାହାରକୁ ଡାକିନେଇ ମହେନ୍ଦ୍ର କହିଲା, ‘ଗୋଟାଏ ଔଷଧ ଆଣିବାକୁ ଲୋକ ପଠାଉଚି । ଶିଶିରେ ଦି’ଦାଗ ଥିବ । ଗୋଟିଏ ଦାଗ ଖାଇସାରିବାପରେ ଦେବ, ଯଦି ନିଦ ନ ଆସେ, ତେବେ ଘଣ୍ଟାକପରେ ଆଉ ଗୋଟିଏ ଦାଗ ଖୁଆଇଦେବ । ରାତିରେ ଶ୍ୱାସ ଅଧିକ ହେଲେ ମୋତେ ନିଶ୍ଚୟ ଖବର ଦେବ ।’

 

ଏହା କହି ମହେନ୍ଦ୍ର ନିଜ ଘରକୁ ଫେରିଗଲା । ଆଶା ଆଜି ତା’ ପାଖରେ ଯେଉଁ ମୂର୍ତ୍ତିରେ ଦେଖାଦେଲା, ମହେନ୍ଦ୍ର ପକ୍ଷରେ ତାହା ନୂଆ । ଆଜିର ଆଶାଠାରେ ସଙ୍କୋଚ ନାହିଁ, ଦୀନତା ନାହିଁ, ଏଇ ଆଶା ନିଜର ଅଧିକାରରେ ନିଜେ ଅଧିଷ୍ଠିତ । ସେଥିପାଇଁ ମହେନ୍ଦ୍ର ନିକଟରେ ସେ ଭିକ୍ଷାପ୍ରାର୍ଥନୀ ନୁହେଁ । ନିଜର ସ୍ତ୍ରୀକୁ ମହେନ୍ଦ୍ର ଉପେକ୍ଷା କରିଚି, କିନ୍ତୁ ଏ ଘରର ବଧୂପ୍ରତି ତା’ର ସମ୍ଭ୍ରମ ଜନ୍ମିଲା ।

 

ଆଶା ତାଙ୍କ ପାଇଁ ଯତ୍ନବଶତଃ ମହେନ୍ଦ୍ରକୁ ଡାକିଆଣିଚି, ଏଥିପାଇଁ ରାଜଲକ୍ଷ୍ମୀ ମନେମନେ ଖୁସି ହେଲେ । କହିଲେ, ‘ମାଆ, ତୋତେ ଶୋଇବାକୁ ପଠାଇଲି । ତୁ ପୁଣି ମହେନ୍ଦ୍ରକୁ ଟାଣିଆଣିଲୁ କାହିଁକି ?’

 

ସେ କଥାରେ ଉତ୍ତର ନ ଦେଇ ଆଶା ପଙ୍ଖା ନେଇ ତାଙ୍କ ପଛରେ ବସି ବିଞ୍ଚିବାକୁ ଲାଗିଲା ।

 

ରାଜଲକ୍ଷ୍ମୀ କହିଲେ, ‘ଯା’ ମା’, ଶୋଇବାକୁ ଯାଆ ।’

 

ଆଶା ମୁଦୃସ୍ୱରରେ କହିଲା, ‘ମୋତେ ଏଠାରେ ରହିବାକୁ କହିଯାଇଚନ୍ତି ।’ ଆଶା ଜାଣିଥିଲା, ମହେନ୍ଦ୍ର ମାଆ ସେବାରେ ତାକୁ ନିଯୁକ୍ତ କରିଯାଇଚି ବୋଲି ଜାଣିଲେ ରାଜଲକ୍ଷ୍ମୀ ଖୁସି ହେବେ ।

 

(୪୨)

 

ଯେତେବେଳେ ରାଜଲକ୍ଷ୍ମୀ ସ୍ପଷ୍ଟଭାବରେ ଦେଖିଲେ ଯେ ମହେନ୍ଦ୍ରର ମନକୁ ଆଶା ଆୟତ୍ତ କରିପାରୁନାହିଁ, ସେତେବେଳେ ତାଙ୍କର ମନେହେଲା, ‘ଅନ୍ତତଃ ମୋର ବେମାରି ଉପଲକ୍ଷରେ ଯଦି ମହେନ୍ଦ୍ର ରହିଯାନ୍ତା, ତେବେ ଭାରି ଭଲ ହୁଅନ୍ତା ।’ ତାଙ୍କର ଭୟ ହେଲା, କାଳେ ତାଙ୍କ ଦେହ ଭଲ ହୋଇଯିବ । ଆଶାର ଅଜାଣତରେ ସେ ଔଷଦ ଫୋପାଡ଼ି ଦେବାକୁ ଆରମ୍ଭ କଲେ ।

 

ଅନ୍ୟମନସ୍କ ମହେନ୍ଦ୍ର ବିଶେଷ ଖିଆଲ କରେନାହିଁ, କିନ୍ତୁ ଆଶା ଦେଖିଥିଲା, ରାଜଲକ୍ଷ୍ମୀଙ୍କ ରୋଗ କମିନାହିଁ, ବରଂ ଯେପରି ବଢ଼ିବାରେ ଲାଗିଚି । ସେ ଭାବିଲା, ମହେନ୍ଦ୍ର ଯଥେଷ୍ଟ ଯତ୍ନ ଓ ଚିନ୍ତା କରି ଔଷଧ ନିର୍ବାଚନ କରୁନାହିଁ । ମହେନ୍ଦ୍ରର ମନ ଏତେ ଉଦ୍‌ଭ୍ରାନ୍ତ ଯେ ମାଆର ପୀଡ଼ା ସୁଦ୍ଧା ତାକୁ ସଚେତନ କରିପାରୁନାହିଁ । ମହେନ୍ଦ୍ରର ଏତେବଡ଼ ଦୁର୍ଗତିରେ ଆଶା ତାକୁ ମନେ ମନେ ଧିକ୍‍କାର ନ କରି ରହିପାରିଲାନାହିଁ । ଗୋଟିଏ ଆଡ଼ୁ ନଷ୍ଟ ହେଲେ କ’ଣ ମଣିଷ ସବୁ ଆଡ଼ ଏହିପରି ନଷ୍ଟ ହୋଇଯାଏ । ଦିନେ ସଞ୍ଜବେଳେ ବେଶୀ କଷ୍ଟ ହେବାରୁ ରାଜଲକ୍ଷ୍ମୀଙ୍କର ବିହାରୀ କଥା ମନେପଡ଼ିଗଲା । ସେ ଯେ କେତେଦିନ ହେଲା ଆସିନାହିଁ , ତା’ର ଠିକଣା ନାହିଁ । ଆଶାକୁ ପଚାରିଲେ, ‘ବୋହୂ, ବର୍ତ୍ତମାନ ବିହାରୀ କେଉଁଠି ଅଛି, ତୁ ଜାଣୁ ?’ ଆଶା ବୁଝିପାରିଲା, ଚିରକାଳ ରୋଗତାପ ସମୟରେ ବିହାରୀ ମାଆଙ୍କ ସେବା କରିଚନ୍ତି । ତେଣୁ କଷ୍ଟ ସମୟରେ ମାଆ ବିହାରୀକୁ ମନେପକାଉଚନ୍ତି । ହାୟ, ଏହି ସଂସାରର ଅଟଳ ନିର୍ଭର ସେହି ଚିରକାଳର ବିହାରୀ ମଧ୍ୟ ଦୂରକୁ ଚାଲିଗଲା । ବିହାରୀବାବୁ ଥିଲେ ଏହି ଦୁଃଖ ସମୟରେ ମାଆଙ୍କର ଯତ୍ନ ନେଉଥାନ୍ତେ-। ମହେନ୍ଦ୍ର ପରି ସେ ହୃଦୟହୀନ ନୁହନ୍ତି । ଆଶା ଦୀର୍ଘନିଃଶ୍ୱାସ ପକାଇଲା ।

 

ରାଜଲକ୍ଷ୍ମୀ–ମହେନ୍ଦ୍ର କ’ଣ ବିହାରୀ ସହିତ କଜିଆ କରିଚି କି ? ଭାରି ଅନ୍ୟାୟ କରିଚି-। ତା’ପରି ହିତାକାଙ୍‍କ୍ଷୀ ବନ୍ଧୁ ମହେନ୍ଦ୍ରର ଆଉ କେହି ନାହାନ୍ତି । କହୁ କହୁ ତାଙ୍କ ଆଖିରେ ଲୁହ ଜକଜକଳ ହେବାକୁ ଲାଗିଲା ।

 

ଗୋଟିଗୋଟି ହୋଇ ଆଶାର ଅନେକ କଥା ମନେପଡ଼ିଲା । ଅନ୍ଧ, ମୂଢ଼ ଆଶାକୁ ଯଥାସମୟରେ ସତର୍କ କରିବାପାଇଁ ବିହାରୀ କେତେପ୍ରକାରେ କେତେ ଚେଷ୍ଟା କରିଥିଲା ଏବଂ ସେହି ଚେଷ୍ଟାଫଳରେ ସେ କ୍ରମଶଃ ଆଶାର ଅପ୍ରିୟ ହୋଇଉଠିଥିଲା । ସେହି କଥା ମନେପକାଇ ଆଜି ଆଶା ନିଜକୁ ମନେ ମନେ ତୀବ୍ରଭାବରେ ଧିକ୍‍କାର କରିବାକୁ ଲାଗିଲା । ଏକମାତ୍ର ସୁହୃଦ୍‍କୁ ଲାଞ୍ଛିତ କରି ଏକମାତ୍ର ଶତ୍ରୁକୁ ଯିଏ ବକ୍ଷକୁ ଟାଣିନିଏ, ବିଧାତା ସେହି କୃତଘ୍ନ ମୂର୍ଖକୁ କାହିଁକି ଶାସ୍ତି ନ ଦେବେ । ଭଗ୍ନହୃଦୟ ବିହାରୀ ଯେଉଁ ନିଃଶ୍ୱାସ ପକାଇ ଏହି ଘରୁ ବିଦାୟ ନେଇଯାଇଚି, ସେହି ନିଃଶ୍ୱାସ କ’ଣ ଏ ଘରେ ପଡ଼ିବ ନାହିଁ ?

 

ଚିନ୍ତିତ ମୁଖରେ ଅନେକ ସମୟ ସ୍ଥିର ରହି ହଠାତ୍‌ ରାଜଲକ୍ଷ୍ମୀ କହିଲେ, ‘ବୋହୂ, ଯଦି ବିହାରୀ ଥାଆନ୍ତା, ତେବେ ଏଇ ଦୁର୍ଦ୍ଦିନରେ ଆମକୁ ସେ ରକ୍ଷାକରି ପାରିଥାଆନ୍ତା । ଘଟଣାମାନ କଦାପି ଏତେଦୂର ଗଡ଼ିଯାଇ ନ ଥାନ୍ତା ।’

 

ଆଶା ନିସ୍ତବ୍‍ଧ ହୋଇ ଭାବିବାକୁ ଲାଗିଲା । ରାଜଲକ୍ଷ୍ମୀ ନିଃଶ୍ୱାସ ପକାଇ କହିଲେ, ‘ମୋ’ ଦେହ ଖରାପ ହୋଇଚି ବୋଲି ଯଦି ସେ ଖବର ପାଇବ, ତେବେ ନ ଆସି ସେ ରହିପାରିବ ନାହିଁ ।’

 

ଆଶା ବୁଝିଲା, ରାଜଲକ୍ଷ୍ମୀଙ୍କର ଇଚ୍ଛା ଯେ ବିହାରୀ ଏ ଖବରଟା ପାଆନ୍ତେ । ବିହାରୀର ଅଭାବରେ ଆଜିକାଲି ଯେ ନିରାଶ୍ରୟ ହୋଇପଡ଼ିଚନ୍ତି ।

 

ଘରର ଆଲୁଅ ନିଭାଇ ଦେଇ ମହେନ୍ଦ୍ର ଜ୍ୟୋତ୍ସ୍ନାରେ ଝରକାପାଖରେ ଠିଆ ହୋଇଥିଲା-। ଆଉ ପଢ଼ିବାକୁ ଇଚ୍ଛା ହେଉନାହିଁ । ଘରେ କୌଣସି ସୁଖ ନାହିଁ । ଯେଉଁମାନେ ପରମାତ୍ମୀୟ, ଆଉ ସେମାନଙ୍କ ସହିତ ସହଜ ସମ୍ପର୍କ ନାହିଁ । ସେମାନଙ୍କୁ ପରପରି ଅନାୟାସରେ ତ୍ୟାଗ କରିହେବ ନାହିଁ, ପୁଣି ପ୍ରିୟଜନପରି ଅନାୟାସରେ ଗ୍ରହଣ ମଧ୍ୟ କରି ହେଉନାହିଁ । ସେମାନଙ୍କର ଅତ୍ୟାଜ୍ୟ ଆତ୍ମୀୟତା ଅହରହ ଅସହ୍ୟ ଭାରପରି ବକ୍ଷ ଉପରେ ଲଦା ହୋଇଥାଏ । ମାଆ ଆଗକୁ ଯିବାକୁ ମହେନ୍ଦ୍ରକୁ ଇଚ୍ଛା ହୁଏନାହିଁ । ମହେନ୍ଦ୍ରକୁ ପାଖକୁ ଆସିବାର ଦେଖିଲେ ସେ ଏପରି ଶଙ୍କିତ ଉଦ୍‌ବେଗର ସହିତ ତା’ର ମୁହଁକୁ ଚାହାନ୍ତି ଯେ ମହେନ୍ଦ୍ରକୁ ତାହା ଭାରି ଆଘାତ କରେ । ଆଶା କୌଣସି ଉପଲକ୍ଷ୍ୟରେ ପାଖକୁ ଆସିଲେ ତାହା ସହିତ କଥାବାର୍ତ୍ତା କରିବା ଯେପରି କଠିନ, ନୀରବ ରହିବା ମଧ୍ୟ ସେହିପରି କଷ୍ଟକର । ଏପରିଭାବରେ ଆଉ ଦିନ କଟିବା ଅସହ୍ୟ ହୋଇପଡ଼ୁଛି । ମହେନ୍ଦ୍ର ଦୃଢ଼ ପ୍ରତିଜ୍ଞା କରିଥିଲା, ଅନ୍ତତଃ ସାତଦିନ ବିନୋଦିନୀ ସହିତ ସେ ଦେଖାକରିବ ନାହିଁ । ଆହୁରି ଦୁଇଦିନ ବାକି ଅଛି କିପରି ସେ ଦୁଇଦିନ କଟିବ ?

 

ମହେନ୍ଦ୍ର ପଛରୁ ପାଦଶବ୍ଦ ଶୁଣିପାରିଲା । ବୁଝିପାରିଲା, ଆଶା ଘରେ ପ୍ରବେଶ କରିଚି । ଯେପରି ଶୁଣିପାରି ନାହିଁ, ଏହି ଛଳନା କରି ଠିଆହୋଇ ରହିଲା । ଆଶା ସେହି ଛଳନା ବୁଝିପାରିଲା, ତଥାପି ଘରୁ ଚାଲିଗଲା ନାହିଁ । ପଛରେ ଠିଆହୋଇ କହିଲା, ‘ଗୋଟିଏ କଥା ଅଛି, ସେଇଟା କହିସାରି ମୁଁ ଚାଲିଯିବି ।’

 

ମହେନ୍ଦ୍ର ଫେରି ଠିଆହୋଇ କହିଲା, ‘ଯିବ କାହିଁକି, ଟିକିଏ ବସ ।’

 

ଆଶା ଏହି ଭଦ୍ରତାକୁ କାନ ନ ଦେଇ ସ୍ଥିର ଭାବରେ ଠିଆହୋଇ କହିଲା, ‘ବିହାରୀ ବାବୁଙ୍କୁ ମାଆଙ୍କ ଅସୁସ୍ଥତା’ର ଖବର ଦେବା ଉଚିତ ।’

 

ବିହାରୀର ନାଆଁ ଶୁଣି ମହେନ୍ଦ୍ରର ଗଭୀର ହୃଦୟକ୍ଷତରେ ଆଘାତ ଲାଗିଲା । ନିଜକୁ ଟିକିଏ ସମ୍ଭାଳି ନେଇ କହିଲା, ‘କାହିଁକି ଉଚିତ ? ମୋ’ ଚିକିତ୍ସାରେ ବିଶ୍ୱାସ ହେଉନାହିଁ କି ?’

 

ମହେନ୍ଦ୍ର ମାଆଙ୍କର ଚିକିତ୍ସାରେ ଯଥୋଚିତ ଯତ୍ନ କରୁନାହିଁ, ଏହି ଭର୍ତ୍ସନାରେ ଆଶାର ହୃଦୟ ପରିପୂର୍ଣ୍ଣ ହୋଇ ରହିଥିଲା । ତେଣୁ ତା’ର ମୁହଁରୁ ବାହାରିଗଲା, ‘କାଇଁ, ମାଆଙ୍କ ରୋଗ ତ ଆଦୌ କମୁନାହିଁ, ବରଂ ଦିନକୁ ଦିନ ବଢ଼ିବାରେ ଲାଗିଚି ।’

 

ଏହି ସାମାନ୍ୟ କଥାଭିତରର ଉତ୍ତାପ ମହେନ୍ଦ୍ର ବୁଝିପାରିଲା । ଏପରି ଗୂଢ଼ ଭର୍ତ୍ସନା ଆଶା ଆଉ କେବେ ମହେନ୍ଦ୍ରକୁ କରିନାହିଁ ।

 

ମହେନ୍ଦ୍ର ନିଜର ଅହଙ୍କାରରେ ଆହତ ହୋଇ ବିସ୍ମିତ ବିଦ୍ରୁପର ସହିତ କହିଲା, ‘ତୁମ ପାଖରୁ ଡାକ୍ତରୀ ଶିଖିବାକୁ ହେବ ଦେଖୁଚି ।’

 

ଆଶା ଏହି ବିଦ୍ରୁପରେ ତା’ର ପୁଞ୍ଜୀଭୂତ ବେଦନା ଉପରେ ହଠାତ୍‌ ଆଘାତ ପାଇଲା । ଘରେ ଅନ୍ଧାର ଥିଲା । ତେଣୁ ସେହି ଚିରକାଳର ନିରୁତ୍ତର ଆଶା ଆଜି କୌଣସି ସଙ୍କୋଚ ନ ରଖି ଉଦ୍ଦୀପ୍ତ ତେଜର ସହିତ କହିଲା, ‘ଡାକ୍ତରୀ ନ ଶିଖ, ମାଆକୁ ଯତ୍ନ କରିବା ଶିଖିପାର ।’

 

ଆଶା ପାଖରୁ ଏପରି ଉତ୍ତର ପାଇ ମହେନ୍ଦ୍ରର ବିସ୍ମୟର ସୀମା ରହିଲା ନାହିଁ । ଏହି ଅନଭ୍ୟସ୍ତ ତୀବ୍ର ବାକ୍ୟରେ ନିଷ୍ଠୁର ହୋଇଉଠିଲା । କହିଲା, ‘ତୁମ ବିହାରୀବାବୁଙ୍କୁ ମୁଁ କାହିଁକି ଏ ଘରକୁ ଆସିବାକୁ ନିଷେଧ କରିଚି, ତୁମେ ତ ସେ କଥା ଜାଣ । ପୁଣି ତାକୁ ମନେପଡ଼ିଲା ପରା ?’

 

ଆଶା ଦ୍ରୁତପଦରେ ଘରୁ ବାହାରିଗଲା । ଲଜ୍ଜାର ଝଡ଼ ଯେପରି ତାକୁ ଠେଲି ନେଇଗଲା-। ଲଜ୍ଜା ତା’ ନିଜ ପାଇଁ ନୁହେଁ । ଅପରାଧରେ ଯେଉଁ ବ୍ୟକ୍ତି ମଗ୍ନ ହୋଇ ରହିଚି, ସେ ଏପରି ଅନ୍ୟାୟ ଅପବାଦ ମୁହଁରେ ଉଚ୍ଚାରଣ କରିପାରେ, ଏତେବଡ଼ ନିର୍ଲଜ୍ଜତାକୁ ପର୍ବତ ପ୍ରାମଣ ଲଜ୍ଜା ଦେଇ ମଧ୍ୟ ଘୋଡ଼ାଇ ହେବ ନାହିଁ ।

 

ଆଶା ଚାଲିଗଲାପରେ ମହେନ୍ଦ୍ର ନିଜର ସମ୍ପୂର୍ଣ୍ଣ ପରାଭବ ଅନୁଭବ କଲା । ଆଶା ଯେ କେଉଁକାଳେ ଅବସ୍ଥାରେ ବି ମହେନ୍ଦ୍ରକୁ ଏପରି ଧିକ୍‌କାର କରିପାରେ, ମହେନ୍ଦ୍ର ତାହା କଳ୍ପନା ହିଁ କରି ନ ଥିଲା । ମହେନ୍ଦ୍ର ଦେଖିଲା, ଯେଉଁଠି ତା’ ପାଇଁ ସିଂହାସନ ଥିଲା, ସେଠାରେ ଆଜି ସେ ଧୂଳିରେ ଲୋଟୁଚି । ଏତେଦିନପରେ ତା’ର ଆଶଙ୍କା ହେଲା, କାଳେ ଆଶାର ବେଦନା ଘୃଣାରେ ପରିଣତ ହୋଇଯିବ ।

 

ବିହାରୀର କଥା ମନକୁ ଆସିବା ମାତ୍ରକେ ବିନୋଦିନୀ ସମ୍ୱନ୍ଧରେ ଚିନ୍ତା ତା’ର ମନକୁ ଅଧୀର କରି ପକାଇଲା । ବିହାରୀ ପଶ୍ଚିମରୁ ଫେରିଲାଣି କି ନାହିଁ, କେଜାଣି ? ଇତିମଧ୍ୟରେ ହୁଏତ ବିନୋଦିନୀ ତା’ର ଠିକଣା ଜାଣିସାରିଲାଣି କିମ୍ୱା ବିହାରୀ ସହିତ ତା’ର ଦେଖାହେବା ମଧ୍ୟ ଆଦୌ ଅସମ୍ଭବ ନୁହେଁ । ମହେନ୍ଦ୍ର ପକ୍ଷରେ ଆପଣାର ପ୍ରତିଜ୍ଞା ରକ୍ଷା କରିବା ଅସମ୍ଭବ ହୋଇପଡ଼ିଲା ।

 

ରାତିରେ ରାଜଲକ୍ଷ୍ମୀଙ୍କର ଶ୍ୱାସକଷ୍ଟ ବଢ଼ିଗଲା । ଆଉ ସହି ନ ପାରି ସେ ମହେନ୍ଦ୍ରକୁ ଡକାଇ ପଠାଇଲେ । ଅତି କଷ୍ଟରେ ବାକ୍ୟ ଉଚ୍ଚାରଣ କରି କହିଲେ, ‘ମହେନ୍ଦ୍ର । ବିହାରୀକୁ ଦେଖିବାକୁ ମୋର ଭାରି ଇଚ୍ଛା ହେଉଚି, ସେ ଅନେକ ଦିନ ହେଲା ଏଠାକୁ ଆସିନାହିଁ ।’

 

ଆଶା ଶାଶୁଙ୍କୁ ପଙ୍ଖା କରୁଥିଲା । ସେ ମୁହଁ ତଳକୁ କରି ରହିଲା । ମହେନ୍ଦ୍ର କହିଲା, ‘ବିହାରୀ ଏଠି ନାହିଁ, ପଶ୍ଚିମକୁ କୁଆଡ଼େ ବୁଲିଯାଇଚି ।’

 

ରାଜଲକ୍ଷ୍ମୀ କହିଲେ, ‘ମୋ’ ମନ କହୁଚି ସେ ଏଇଠି ଅଛି, କେବଳ ତୋ ଉପରେ ଅଭିମାନ କରି ସେ ଆସୁନାହିଁ । ମୋ ରାଣ, କାଲି ଥରେ ତୁ ତା’ ଘରକୁ ଯାଆ ।’

 

ମହେନ୍ଦ୍ର କହିଲା, ‘ଆଚ୍ଛା ଯିବି ।’

 

ସମସ୍ତେ ଆଜି ବିହାରୀକୁ ଖୋଜୁଚନ୍ତି । ମହେନ୍ଦ୍ର ଆପଣାକୁ ବିଶ୍ୱର ପରିତ୍ୟକ୍ତପରି ବୋଧ କରିବାକୁ ଲାଗିଲା ।

 

(୪୩)

 

ପରଦିନ ପ୍ରତ୍ୟୁଷରେ ମହେନ୍ଦ୍ର ଯାଇ ବିହାରୀଘରେ ଉପସ୍ଥିତ ହେଲା । ଦେଖିଲା, ଦୁଆରମୁହଁରେ ଅନେକଗୁଡ଼ିଏ ଶଗଡ଼ରେ ଭୃତ୍ୟମାନେ ଜିନିଷପତ୍ର ବୋଝାଇ କରୁଚନ୍ତି । ମହେନ୍ଦ୍ର ଭଜୁକୁ ଦେଖି ପଚାରିଲା, ‘କିରେ, କଥା କ’ଣ ?’

 

ଭଜୁ କହିଲା, ‘ବାବୁ ଗଙ୍ଗାକୂଳରେ ବାଲିଠାରେ ଗୋଟିଏ ଘର ନେଇଚନ୍ତି, ସେଠାକୁ ଜିନିଷପତ୍ର ଯାଉଚି ।’

 

ମହେନ୍ଦ୍ର ପଚାରିଲା, ‘ବାବୁ ଘରେ ଅଛନ୍ତି ?’

 

ଭଜୁ କହିଲା, ‘ସେ ଦି’ଦିନ କଲିକତାରେ ରହି କାଲି ପୁଣି ବାଲି ଚାଲିଗଲେ ।’

 

ଏକଥା ଶୁଣି ମହେନ୍ଦ୍ରର ମନ ଆଶଙ୍କାରେ ପୁର୍ଣ୍ଣ ହୋଇଗଲା । ସେ ଅନୁପସ୍ଥିତ ଥିବା ସମୟରେ ବିନୋଦିନୀ ଓ ବିହାରୀଙ୍କ ମଧ୍ୟରେ ଯେ ଦେଖାସାକ୍ଷାତ୍‍ ହୋଇଚି, ତା’ମନରେ ଏ ବିଷୟରେ କୌଣସି ସନ୍ଦେହ ରହିଲା ନାହିଁ । ସେ କଳ୍ପନାଚକ୍ଷୁରେ ଦେଖିଲା, ବିନୋଦିନୀର ବସା ସମ୍ମୁଖରେ ମଧ୍ୟ ଶଗଡ଼ରେ ଜିନିଷ ବୋଝାଇ ହେଉଚି । ସେ ଭାବିଲା, ‘ବୋକା ଖାସ୍‌ ଏଇଥିଲାଗି ମୋତେ ବିନୋଦିନୀ ବସାରୁ ଦୂରରେ ରଖିଚି ।’

 

ମୁହୁର୍ତ୍ତମାତ୍ର କାଳବିଳମ୍ୱ ନ କରି ମହେନ୍ଦ୍ର ଗାଡ଼ିରେ ଉଠି ଗାଡ଼ିବାଲାକୁ ଗାଡ଼ି ଚଳାଇବାକୁ କହିଲା । ଘୋଡ଼ା ଯଥେଷ୍ଟ ଦ୍ରୁତବେଗରେ ଯାଉନାହିଁ ବୋଲି ମହେନ୍ଦ୍ର ମଝିରେ ମଝିରେ ଗାଡ଼ିବାଲାକୁ ଗାଳି ଦେଉଥାଏ । ଗଳି ମଧ୍ୟରେ ସେହି ବସାର ସମ୍ମୁଖରେ ପହଞ୍ଚି ଦେଖିଲା, ଯାତ୍ରାର କୌଣସି ଆୟୋଜନ ନାହିଁ । କାଳେ ସବୁକାର୍ଯ୍ୟ ପୂର୍ବରୁ ସମାହିତ ହୋଇଯାଇଥିବ ବୋଲି ତା’ର ଭୟ ହେଲା । ସେ ଜୋରରେ କବାଟ ଉପରେ ହାତ ବାଡ଼େଇଲା । ଭିତରୁ ବୁଦ୍ଧ ଚାକର ଖୋଲିଦେବା ମାତ୍ରକେ ମହେନ୍ଦ୍ର ପଚାରିଲା, ‘ଖବର ସବୁ ଭଲ ତ ?’

 

ସେ କହିଲା, ଆଜ୍ଞା ହଁ, ସବୁ ଭଲ ।’

 

ଉପରକୁ ଯାଇ ଦେଖିଲା, ବିନୋଦିନୀ ଗାଧୋଇବାକୁ ଯାଇଚି । ତା’ର ନିଜର ଶୟନଘରେ ପ୍ରବେଶ କରି ମହେନ୍ଦ୍ର ବିନୋଦିନୀର ଗତରାତିର ବ୍ୟବହୃତ ଶଯ୍ୟାଉପରେ ଲୋଟିଗଲା-ସେହି କୋମଳ ଆସ୍ତରଣକୁ ପ୍ରସାରିତ ଦୁଇହାତରେ ବକ୍ଷପାଶକୁ ଆକର୍ଷିତ କରି ଆଣିଲା ଏବଂ ତାକୁ ଆଘ୍ରାଣ କରି ତା’ ଉପରେ ମୁହଁ ରଖି କହିବାକୁ ଲାଗିଲା, ‘ନିଷ୍ଠୁର, ନିଷ୍ଠୁର ।’

 

ଏହିରୂପେ ହୃଦୟୋଚ୍ଛ୍ୱାସ ଉନ୍ମୁକ୍ତ କରିଦେଇ ଶଯ୍ୟାରୁ ଉଠି ମହେନ୍ଦ୍ର ଅଧିରଭାବରେ ବିନୋଦିନୀର ପ୍ରତୀକ୍ଷା କରିବାକୁ ଲାଗିଲା । ଘରଭତରେ ପଦଚାରଣା କରୁ କରୁ ଦେଖିଲା, ଖଣ୍ଡେ ବଙ୍ଗଳା ଖବରକାଗଜ ତଳ ବିଛଣାରେ ଖୋଲାହୋଇ ପଡ଼ିଚି । ସମୟ କଟାଇବାପାଇଁ ଅନ୍ୟମନସ୍କଭାବରେ ସେ ସେ ଖଣ୍ଡି ଉଠାଇନେଲା । ପ୍ରଥମେ ଯେଉଁଠି ଆଖି ପଡ଼ିଲା, ସେଠାରେ ମହେନ୍ଦ୍ର ବିହାରୀର ନାମ ଦେଖିବାକୁ ପାଇଲା । ଜଣେ ପତ୍ରପ୍ରେରକ ଲେଖିଚନ୍ତି,–ଅଳ୍ପ ବେତନ ପାଉଥିବା ଦରିଦ୍ର, କିରାନୀମାନେ ରୁଗ୍‌ଣ ହୋଇପଡ଼ିଲେ ବିନାମୂଲ୍ୟରେ ସେମାନଙ୍କର ଚିକିତ୍ସା ଓ ସେବାପାଇଁ ବିହାରୀବାବୁ ବାଲିଠାରେ ଗଙ୍ଗାକୂଳରେ ଗୋଟିଏ ଘର ନେଇଚନ୍ତି-ସେଠାରେ ଏକ ସମୟରେ ପାଞ୍ଚଜଣଙ୍କୁ ଆଶ୍ରୟ ଦେବାର ବନ୍ଦୋବସ୍ତ ହୋଇଚି ଇତ୍ୟାଦି ।

 

ବିନୋଦିନୀ ଏହି ଖବରଟା ନିଶ୍ଚୟ ପଢ଼ିଥିବ । ପଢ଼ିକରି ତା’ର ମନୋଭାବ କିପରି ହୋଇଥିବ ? ତା’ ମନ ସେଠାକୁ ଯିବାକୁ ନିଶ୍ଚୟ ଛଟପଟ ହେଉଥିବ । କେବଳ ସେଇଥିପାଇଁ ନୁହେଁ, ମହେନ୍ଦ୍ରର ମନ ଏହି କାରଣରୁ ଅଧିକ ଛଟପଟ ହେବାକୁ ଲାଗିଲା ଯେ ବିହାରୀର ଏହି ସଂକଳ୍ପରେ ତା’ପ୍ରତି ବିନୋଦିନୀ ଭକ୍ତି ଆହୁରି ବଢ଼ିଯିବ । ବିହାରୀକୁ ସେ ମନେ ମନେ ଧୂର୍ତ୍ତ ବୋଲି କହିବାକୁ ଲାଗିଲା । ବିହାରୀର ଏହି କାର୍ଯ୍ୟକୁ ସେ ଗୋଟାଏ ତାମ୍‍ସା ବୋଲି ଅଭିହିତ କଲା । କହିଲା, ‘ଲୋକଙ୍କର ହିତକାରୀ ଖୋଇ ପିଲାଦିନରୁ ବିହାରୀର ରହିଚି ।’ ନିଜକୁ ବିହାରୀ ତୁଳନାରେ ଏକାନ୍ତ ଅକପଟ ଅକୃତ୍ରିମ ବୋଲି ସେ ବାହା-ବାହା ଦେବାକୁ ଚେଷ୍ଟା କଲା । କହିଲା, ‘ଔଦାର୍ଯ୍ୟ ଓ ଆତ୍ମତ୍ୟାଗର ଭଣ୍ଡାମି କରି ମୂଢ଼ ଲୋକଙ୍କୁ ଭୁଲାଇବାର ଚେଷ୍ଟାକୁ ମୁଁ ଭାରି ଘୃଣା କରେ ।’ କିନ୍ତୁ ହାୟ, ଏହିପରି ନିଶ୍ଚେୟ ଅକୃତ୍ରିମତା’ର ମାହାତ୍ମ୍ୟ ଲୋକେ ଅର୍ଥାତ୍‌ ଗୋଟିଏ ଲୋକ ହୁଏତ ବୁଝିବ ନାହିଁ । ମହେନ୍ଦ୍ରର ମନେହେଲା, ଯେପରି ବିହାରୀ ତା’ ଉପରେ ଗୋଟାଏ ଚାଲ୍‌ ଚଳାଇଚି ।

 

ବିନୋଦିନୀର ପଦଶବ୍ଦ ଶୁଣି ମହେନ୍ଦ୍ର ତରତର ହୋଇ କାଗଜଖଣ୍ଡି ଭାଙ୍ଗି ତା’ଉପରେ ବସିପଡ଼ିଲା । ସ୍ନାତା ବିନୋଦିନୀ ଘରମଧ୍ୟରେ ପ୍ରବେଶ କଲା । ମହେନ୍ଦ୍ର ତା’ର ମୁହଁ ଆଡ଼କୁ ଚାହିଁ ବିସ୍ମିତ ହୋଇଗଲା । ତା’ର ଇଏ କି ଅପରୂପ ପରିବର୍ତ୍ତନ ହୋଇଚି ? ଯେପରି ଗତ କେତେଦିନ ହେଲା ସେ ନିଆଁ ଜାଳି ତପସ୍ୟାରେ ବସିଥିଲା । ତା’ର ଶରୀର କୃଶ ହୋଇଯାଇଛି ଏବଂ ସେହି କୃଶତା ଭେଦ କରି ତା’ର ପାଣ୍ଡୁବର୍ଣ୍ଣ ମୁହଁରୁ ଦୀପ୍ତି ବାହାରିବାରେ ଲାଗିଚି ।

 

ବିନୋଦିନୀ ବିହାରୀଠାରୁ ପତ୍ରର ଆଶା ତ୍ୟାଗ କରିଚି । ନିଜପ୍ରତି ବିହାରୀର ନିରତିଶୟ ଅବଜ୍ଞାର କଳ୍ପନା କରି ସେ ଅହୋରାତ୍ର ନିଃଶବ୍ଦରେ ଦଗ୍‍ଧ ହେଉଚି । ଏହି ଦାହରୁ ନିଷ୍କୃତି ପାଇବାର କୌଣସି ପଥ ନାହିଁ । ଯେପରି ତାକୁ କେବଳ ତିରସ୍କାର କରିବାଛଳରେ ବିହାରୀ ପଶ୍ଚିମକୁ ଚାଲିଯାଇଚି । ତାକୁ ହାତପାଆନ୍ତାରେ ପାଇବାଲାଗି ବିନୋଦିନୀ ହାତରେ ଆଉ କୌଣସି ଉପାୟ ନାହିଁ । କର୍ମପରାୟଣା ନିରଳସା ବିନୋଦିନୀ କର୍ମ ଅଭାବରୁ ଏହି କ୍ଷୁଦ୍ର ବସାମଧ୍ୟରେ ଯେପରି ରୁଦ୍ଧଶ୍ୱାସ ହୋଇପଡ଼ୁଥିଲା । ତା’ର ସବୁ ଉଦ୍ୟମ ନିଜକୁ କ୍ଷତବିକ୍ଷତ କରି ଆଘାତ କରୁଥିଲା । ତା’ର ସମସ୍ତ ଭାବୀ ଜୀବନ ଏହି ପ୍ରେମହୀନ, କର୍ମହୀନ ଓ ଆନନ୍ଦହୀନ ବସାମଧ୍ୟରେ, ଏହି ରୁଦ୍ଧ ଗଳିମଧ୍ୟରେ ଚିରକାଳ ପାଇଁ ଆବଦ୍ଧ ରହିଥିବାର କଳ୍ପନା କରି ତା’ର ବିଦ୍ରୋହୀ ପ୍ରକୃତି ଆୟତ୍ତାତୀତ ଅଦୃଷ୍ଟ ବିରୁଦ୍ଧରେ ଯେପରି ଆକାଶରେ ମୁଣ୍ଡ ପିଟିବାର ବ୍ୟର୍ଥ ଚେଷ୍ଟା କରୁଥିଲା । ଚାରିଆଡ଼ୁ ବିନୋଦିନୀର ମୁକ୍ତିର ଉପାୟ ରୁଦ୍ଧ କରି ଦେଇ ଯେଉଁ ମୂଢ଼ ମହେନ୍ଦ୍ର ତା’ର ଜୀବନକୁ ଏପରି ସଂକୀର୍ଣ୍ଣ କରି ପକାଇଚି, ତାହାପ୍ରତି ବିନୋଦିନୀର ଘୃଣା ଓ ବିଦ୍ୱେଷର କୌଣସି ସୀମା ନ ଥିଲା ।

 

ବିନୋଦିନୀ ବୁଝିପାରୁଥିଲା ଯେ ମହେନ୍ଦ୍ରକୁ ସେ ଆଉ କୌଣସିମତେ ଦୂରେଇ ରଖିପାରିବ ନାହିଁ । ଏହି କ୍ଷୁଦ୍ର ବସାରେ ମହେନ୍ଦ୍ର ତା’ ସମ୍ମୁଖକୁ ଆସି ପାଖକୁପାଖ ଲାଗିକରି ବସିବ-। ପ୍ରତିଦିନ ଅଲକ୍ଷ୍ୟ ଆକର୍ଷଣରେ ତିଳତିଳ କରି ତା’ଆଡ଼କୁ ଆସିବ । ଏହି ଅନ୍ଧକୂପରେ, ଏହି ସମାଜଭ୍ରଷ୍ଟ ଜୀବନର ପଙ୍କଶଯ୍ୟାରେ, ଘୃଣା ଓ ଆସକ୍ତି ମଧ୍ୟରେ ଯେଉଁ ପ୍ରାତ୍ୟହିକ ସଂଘର୍ଷ ହେବ, ତାହା ଅତ୍ୟନ୍ତ ବୀଭତ୍ସ । ବିନୋଦିନୀ ସ୍ୱହସ୍ତରେ ସ୍ୱଚେଷ୍ଟାରେ ମାଟିଖୋଳି ମହେନ୍ଦ୍ରର ହୃଦୟର ଅନ୍ତଃସ୍ଥଳରୁ ଯେଉଁ ଲୋକଜିହ୍ୱା ଲୋଲୁପତା’ର କ୍ଲେଦାନ୍ତ ସରିସୃପକୁ ବାହାରକୁ ଆଣିଚି, ତା’ର ପୁଚ୍ଛପାଶରୁ ସେ କିପରି ରକ୍ଷା କରିବ ? ଏକେତ ବିନୋଦିନୀର ବ୍ୟଥିତ ହୃଦୟ, ସେଥିରେ ପୁଣି ଏହି କ୍ଷୁଦ୍ର ଅବରୁଦ୍ଧ ବସାଘର, ତା’ ଉପରେ ମହେନ୍ଦ୍ରର ବାସନା-ତରଙ୍ଗର ଅହରହ ଅଭିଘାତ,-ଏହା କଳ୍ପନା କରି ବିନୋଦିନୀର ସମସ୍ତ ଚିତ୍ତ ଆତଙ୍କରେ ପୀଡ଼ିତ ହୋଇଉଠେ । ଜୀବନରେ ଏହାର ସମାପ୍ତି କେଉଁଠି ? ସେ କେବେ ଏସବୁରୁ ମୁକ୍ତ ହୋଇପାରିବ ?

 

ବିନୋଦିନୀର କୃଶ ପାଣ୍ଡୁର ମୁହଁ ଦେଖି ମନରେ ଈର୍ଷାନଳ ଜଳିଉଠିଲା । ତା’ର କ’ଣ ଏପରି କୌଣସି ଶକ୍ତି ନାହି, ଯାହାଦ୍ୱାରା ସେ ବିହାରୀର ଚିନ୍ତାରୁ ଏହି ତପସ୍ୱିନୀକୁ ବଳପୂର୍ବକ ଉତ୍ପାଟିତ କରି ଆଣିପାରିବ ? ଯେପରି ଇଗଲ ପକ୍ଷୀ ନିମିଷେକ ମଧ୍ୟରେ ମେଷଶାବକକୁ ଝାମ୍ପିନେଇ ତା’ର ସୁଦୁର୍ଗମ ଅଭ୍ରଭେଦୀ ପର୍ବତ-ନୀଡ଼କୁ ଉତ୍ତୀର୍ଣ୍ଣ କରିନେଇଯାଏ, ସେହିପରି କୌଣସି ମେଘପରିବୃତ ନିଖିଳ-ବିସ୍ତୃତ ସ୍ଥାନ କ’ଣ କେଉଁଠି ନାହିଁ,-ଯେଉଁଠାରେ ମହେନ୍ଦ୍ର ଏକାକୀ ତା’ର ଏହି କୋମଳ-ସୁନ୍ଦର ଶିକାରଟିକୁ ଆପଣାର ବକ୍ଷତଳେ ଘୋଡ଼ାଇ ରଖିପାରିବ ? ଈର୍ଷାର ଉତ୍ତାପରେ ତା’ର ଇଚ୍ଛାର ଆଗ୍ରହ ଚତୁର୍ଗୁଣ ବଢ଼ିଉଠିଲା । ସେ କ’ଣ ଆଉ ମୁହୁର୍ତ୍ତେ ସୁଦ୍ଧା ବିନୋଦିନୀକୁ ଆଖିର ଆଢ଼ୁଆଳ କରି ରଖିପାରିବ ? ବିହାରୀର ବିଭୀଷିକାକୁ ନିରନ୍ତର ଅଟକାଇବାକୁ ପଡ଼ିବ, ତାକୁ ସୂତ୍ୟଗ୍ରମାତ୍ର ଅବକାଶ ଦେବାକୁ ଆଉ ମହେନ୍ଦ୍ରର ସାହସ ହେଉନାହିଁ । ବିରହର ତାପ ରମଣୀର ସୌନ୍ଦର୍ଯ୍ୟକୁ ଅଧିକ ସୁକୁମାର କରିଦିଏ ମହେନ୍ଦ୍ର ଏକଥା ସଂସ୍କୃତ-କାବ୍ୟରେ ପଢ଼ିଥିଲା । ଆଜି ବିନୋଦିନୀକୁ ଦେଖି ସେ ତାହା ଯେତେ ଅନୁଭବ କଲା, ସୁଖମିଶ୍ରିତ ଦୁଃଖର ସୁତୀବ୍ର ଆଲୋଡ଼ନରେ ତା’ର ହୃଦୟ ସେତିକି ଏକାନ୍ତ ଭାବରେ ମଥିତ ହୋଇଉଠିଲା ।

 

କିଛି ସମୟ ନୀରବ ରହି ବିନୋଦିନୀ ମହେନ୍ଦ୍ରକୁ ପଚାରିଲା, ‘ତୁମେ ଚାହା ପିଇ ଆସିଚ-?’

 

ମହେନ୍ଦ୍ର କହିଲା,‘ହଁ, ପିଇ ଆସିଚି । ତା’ବୋଲି, ସ୍ୱହସ୍ତରେ ଆଉ କପେ ଦେବାକୁ କୃପଣତା କରନା । ପିଆଲା ମୁଝେ ଭର ଦେ’ ରେ–

 

ବୋଧହୁଏ ଇଚ୍ଛା କରି ବିନୋଦିନୀ ନିତାନ୍ତ ନିଷ୍ଠୁର ଭାବରେ ମହେନ୍ଦ୍ରର ଏହି ଉଚ୍ଛ୍ୱାସ ଉପରେ ହଠାତ୍‌ ଆଘାତ କଲା । କହିଲା, ‘ବିହାରୀବାବୁ ବର୍ତ୍ତମାନ କେଉଁଠି ଅଛନ୍ତି, ଜାଣିଚ ?’

 

ନିମିଷେକ ମଧ୍ୟରେ ବିବର୍ଣ୍ଣ ହୋଇ ମହେନ୍ଦ୍ର କହିଲା, ‘ସେ ବର୍ତ୍ତମାନ କଲିକତାରେ ନାହିଁ-।’

 

ବିନୋଦିନୀ–ତାଙ୍କ ଠିକଣା ?

 

ମହେନ୍ଦ୍ର–ସେ କାହାକୁ ଜଣାଇବାକୁ ଚାହେନାହିଁ ।

 

ବିନୋଦିନୀ–ସନ୍ଧାନ କରି ଖବର ନେଇହେବ ନାହିଁ ?

 

ମହେନ୍ଦ୍ର–ମୋର ତ ସେପରି ଜରୁରି ଦରକାର ନାହିଁ ।

 

ବିନୋଦିନୀ–କେବଳ ଦରକାର କ’ଣ ସବୁ ? ଆଶୈଶବ ବନ୍ଧୁତା କ’ଣ କିଛି ନୁହେଁ ?

 

ମହେନ୍ଦ୍ର–ବିହାରୀ ମୋର ଆଶୈଶବ ବନ୍ଧୁ । କିନ୍ତୁ ସହିତ ତା’ର ବନ୍ଧୁତା ଦି’ଦିନର, ତଥାପି ଯେପରି ତାଗିଦଟା ତୁମଆଡ଼ୁ ବେଶୀ ପରି ବୋଧ ହେଉଚି ।

 

ବିନୋଦିନୀ–ସେହି କଥା ଦେଖି ତୁମର ଲଜ୍ଜିତ ହେବା ଉିଚତ । କିପରି ଭାବରେ ବନ୍ଧୁତା କରିବାକୁ ହୁଏ, ଏପରି ବନ୍ଧୁପାଖରୁ ମଧ୍ୟ ତୁମେ ତାହା ଶିଖିପାରିଲନାହିଁ ?

 

ମହେନ୍ଦ୍ର–ମୁଁ ସେଥିପାଇଁ ବିଶେଷ ଦୁଃଖିତ ନୁହେଁ । କିନ୍ତୁ କିପରି ଫାଙ୍କି ଦେଇ ସ୍ତ୍ରୀଲୋକର ମନ ହରଣ କରିବାକୁ ହୁଏ, ସେହି ବିଦ୍ୟା ତା’ପାଖରୁ ଶିଖିଥିଲେ ଭାରି କାମରେ ଆସିଥାନ୍ତା ।

 

ବିନୋଦିନୀ–କେବଳ ଇଚ୍ଛା ଥିଲେ ସେହି ବିଦ୍ୟା ଶିଖିହୁଏ ନାହିଁ, କ୍ଷମତା ଥିବା ଦରକାର-

 

ମହେନ୍ଦ୍ର–ଯଦି ତୁମକୁ ଗୁରୁଦେବଙ୍କର ଠିକଣା ଜଣାଥାଏ, ତେବେ ମୋତେ କହିଦିଅ । ଏ ବୟସରେ ଥରେ ତାଙ୍କଠାରୁ ମନ୍ତ୍ର ନେଇଆସେ, ତା’ପରେ କ୍ଷମତା’ର ପରୀକ୍ଷା ହେବ ।

 

ବିନୋଦିନୀ–ଯଦି ବନ୍ଧୁର ଠିକଣା ବାହର କରି ନ ପାର, ତେବେ ମୋ’ ପାଖରେ ପ୍ରେମକଥା ଆଉ ଉଚ୍ଚାରଣ କରିବ ନାହିଁ । ବିହାରୀବାବୁଙ୍କ ସହିତ ତୁମେ ଯେପରି ବ୍ୟବହାର କରିଚ, ସେଥିରେ କିଏ ବିଶ୍ୱାସ କରିବ ?

 

ମହେନ୍ଦ୍ର–ଯଦି ମୋତେ ସମ୍ପୂର୍ଣ୍ଣ ବିଶ୍ୱାସ କରୁ ନ ଥାନ୍ତ, ତେବେ ମୋତେ ଏତେ ଅପମାନ କରୁ ନ ଥାନ୍ତ । ମୋର ଭଲ ପାଇବା ସମ୍ପର୍କରେ ଯଦି ଏତେ ନିଃସହାୟ ହୋଇ ନ ଥାନ୍ତ, ତେବେ ହୁଏତ ମୋତେ ଏତେ ଦୁଃସହ ଦୁଃଖ ଦେଇ ନ ଥାନ୍ତ । ବିହାରୀ ପୋଷା ନ ମାନିବାର ବିଦ୍ୟା ଜାଣେ । ଯଦି ସେ ଏହି ହତଭାଗ୍ୟକୁ ସେହି ବିଦ୍ୟାଟା ଶିଖାଇଥାନ୍ତା, ତେବେ ପ୍ରକୃତ ବନ୍ଧୁର କାମ କରିଥାନ୍ତା ।

 

‘ବିହାରୀ ମଣିଷ, ସେଥିପାଇଁ ସେ ପୋଷା ମାନିପାରେ ନାହିଁ ।’-ଏହା କହି ବିନୋଦିନୀ ବାଳ ଖୋଲି ଯେପରି ଝରକା ପାଖରେ ଠିଆ ହୋଇଥିଲା, ସେହିପରି ଠିଆହୋଇ ରହିଲା । ହଠାତ୍‌ ମହେନ୍ଦ୍ର ଉଠି ଠିଆହୋଇ ମୁଷ୍ଟିବଦ୍ଧ କରି ରୋଷଗର୍ଜିତ ସ୍ୱରରେ କହିଲା, ‘ତୁମେ କାହିଁକି ମୋତେ ବାରବାର ଅପମାନିତ କରିବାକୁ ସାହସ କର ? ଏତେ ଅପମାନର କୌଣସି ପ୍ରତିଫଳ ଯେ ପାଅ ନାହିଁ, ତାହା ତୁମ କ୍ଷମତାକୁ ନା ମୋ’ ଗୁଣରୁ ? ଯଦି ମୋତେ ଗୋଟାଏ ପଶୁ ବୋଲି ଧରିନେଇଥାଅ, ତେବେ ହିଂସ୍ରପଶୁ ବୋଲି ଜାଣିରଖିବ । ମୁଁ ଯେ ଆଦୌ ଆଘାତ କରି ଜାଣେ ନାହିଁ, ଏଡ଼େ କାପୁରୁଷ ମୁଁ ନୁହେଁ ।’ କହି ବିନୋଦିନୀ ମୁହଁଆଡ଼କୁ ଚାହିଁ ମହେନ୍ଦ୍ର ମୁହୁର୍ତ୍ତକ ପାଇଁ ସ୍ତବ୍‍ଧ ହୋଇ ରହିଲା । ତା’ ପରେ କହିଲା, ‘ବିନୋଦ, ଚାଲ ଏଠାରୁ କେଉଁଆଡ଼େ ଚାଲିଯିବା । ପଶ୍ଚିମକୁ ହେଉ କି ପାହାଡ଼କୁ ହେଉ ତୁମର ଯେଉଁଆଡ଼େ ଇଚ୍ଛା, ଚାଲ । ଏଠି ବଞ୍ଚିରହିବାର ସ୍ଥାନ ନାହିଁ । ମୁଁ ଛଟପଟ ହୋଇ ମରିଯାଉଚି ।’

 

ବିନୋଦିନୀ କହିଲା, ‘ଚାଲ, ବର୍ତ୍ତମାନ ଚାଲ, ପଶ୍ଚିମକୁ ଯିବା ।’

 

ମହେନ୍ଦ୍ର-ପଶ୍ଚିମକୁ କୁଆଡ଼େ ଯିବ ?

 

ବିନୋଦିନୀ–କୁଆଡ଼କୁ ନୁହେଁ । କୌଣସି ଗୋଟାଏ ଜାଗାରେ ମଧ୍ୟ ଦୁଇଦିନ ରହିବା ନାହିଁ, ବୁଲିବା ।

 

ମହେନ୍ଦ୍ର କହିଲା, ‘ଭଲ କଥା । ଆଜି ରାତିରେ ବାହାର ।’

 

ବିନୋଦିନୀ ସମ୍ମତ ହୋଇ ମହେନ୍ଦ୍ର ପାଇଁ ରନ୍ଧନର ଉଦ୍‌ଯୋଗ କରିବାକୁ ଗଲା ।

 

ମହେନ୍ଦ୍ର ବୁଝିପାରିଲା, ବିହାରୀର ଖବର ବିନୋଦିନୀର ଆଖିରେ ପଡ଼ିନାହିଁ । ଖବରକାଗଜରେ ମନ ଦେବାପରି ଅବଧାନଶକ୍ତି ବିନୋଦିନୀର ବର୍ତ୍ତମାନ ନାହିଁ । କାଳେ ଦୈବାତ୍‌ ସେହି ଖବର ସେ ଜାଣିପାରିବ, ସେହି ଉଦ୍‌ବେଗରେ ମହେନ୍ଦ୍ର ଦିନଯାକ ସତର୍କ ହୋଇ ରହିଲା ।

 

(୪୪)

 

ବିହାରୀର ଖବର ନେଇ ମହେନ୍ଦ୍ର ଫେରିଆସିବ, ଏହି କଥା ସ୍ଥିର କରି ଘରେ ତା’ ପାଇଁ ଆହାର ପ୍ରସ୍ତୁତ ହୋଇ ରହିଥିଲା । ଅନେକ ବିଳମ୍ୱ ହେବାର ଦେଖି ପୀଡ଼ିତା ରାଜଲକ୍ଷ୍ମୀ ଉଦ୍‌ବିଗ୍ନ ହୋଇଉଠିଲେ । ରାତିସାରା ନିଦ ହୋଇ ନ ଥିବାରୁ ସେ ଅତ୍ୟନ୍ତ କ୍ଲାନ୍ତ ଥିଲେ ତା’ଉପରେ ପୁଣି ମହେନ୍ଦ୍ର ପାଇଁ ଉତ୍କଣ୍ଠା ତାଙ୍କୁ କ୍ଲିଷ୍ଟ କରୁଚି ଦେଖି ଆଶା ଖବର ନେଇ ଜାଣିଲା, ମହେନ୍ଦ୍ରର ଗାଡ଼ି ଆସିଲାଣି । ଗାଡ଼ିବାଲା ପାଖରୁ ସମ୍ୱାଦ ମିଳିଲା, ମହେନ୍ଦ୍ର ବିହାରୀଙ୍କ ଘର ହୋଇ ପଟଳଡଙ୍ଗା ବସାକୁ ଯାଇଚି । ଏହା ଶୁଶି ରାଜଲକ୍ଷ୍ମୀ କାନ୍ଥଆଡ଼କୁ ମୁହଁ ବୁଲାଇ ସ୍ତବ୍‍ଧ ହୋଇ ଶୋଇରହିଲେ । ଆଶା ତାଙ୍କ ମୁଣ୍ଡପାଖରେ ଚିତ୍ରାର୍ପିତ ପରି ସ୍ଥିର ହୋଇ ବସି ପଙ୍ଖା କରିବାକୁ ଲାଗିଲା । ଅନ୍ୟଦିନ ଯଥାସମୟରେ ଆଶାକୁ ଖାଇବାକୁ ଯିବାପାଇଁ ରାଜଲକ୍ଷ୍ମୀ ଆଦେଶ ଦିଅନ୍ତି, ଆଜି ସେ କିଛି କହିଲେ ନାହିଁ । ତାଙ୍କର କାଲି ରାତିରେ କଠିନ ପୀଡ଼ା ଦେଖି ମଧ୍ୟ ମହେନ୍ଦ୍ର ଯେତେବେଳେ ବିନୋଦିନୀର ମୋହରେ ଚାଲିଗଲା, ସେତେବେଳେ ରାଜଲକ୍ଷ୍ମୀଙ୍କ ପକ୍ଷରେ ଏ ସଂସାରରେ କୌଣସି ପ୍ରଶ୍ନ କରିବାର ବା ଇଚ୍ଛା କରିବାର ଆଉ କିଛି ରହିଲା ନାହିଁ ।

 

ସେ ବୁଝିଲେ ଯେ ମହେନ୍ଦ୍ର ତାଙ୍କ ପୀଡ଼ାକୁ ସାମାନ୍ୟ ଜ୍ଞାନ କରିଚି । ଅନ୍ୟାନ୍ୟ ଥର ଯେପରି ମଝିରେ ମଝିରେ ରୋଗ ବାହାରି ପୁଣି ଭଲ ହୋଇଯାଇଚି, ଏଥର ସେହିପରି ଗୋଟାଏ କ୍ଷଣିକ ଉପସର୍ଗ ଘଟିଚି ମନେକରି ବୋଧହୁଏ ମହେନ୍ଦ୍ର ନିଶ୍ଚିତ ଅଛି । କିନ୍ତୁ ସେହି ଆଶଙ୍କାଶୂନ୍ୟ ଅନୁଦ୍‌ବେଗ ରାଜଲକ୍ଷ୍ମୀଙ୍କ ପାଖରେ ବଡ଼ ନିଷ୍ଠୁରତା ବୋଲି ମନେହେଲା । ମହେନ୍ଦ୍ର ପ୍ରେମୋନ୍ମତ୍ତତାରେ କୌଣସି ଆଶଙ୍କାକୁ କୌଣସି କର୍ତ୍ତବ୍ୟକୁ ମନରେ ସ୍ଥାନ ଦେଉନାହିଁ । ସେ ମାଆର କଷ୍ଟକୁ, ପୀଡ଼ାକୁ ଏତେ ଲଘୁ କରି ଦେଖିଚି ଯେ କାଳେ ଜନନୀର ରୋଗଶଯ୍ୟା ପାଖରେ ତାକୁ ଆବଦ୍ଧ ହୋଇ ପଡ଼ିବାକୁ ହେବ, ସେଥିପାଇଁ ସେ ନିର୍ଲଜ୍ଜଙ୍କ ପରି ଟିକିଏ ଅବକାଶ ପାଇବା ମାତ୍ରେ ବିନୋଦିନୀ ପାଖକୁ ପଳାଇ ଯାଇଚି । ରୋଗ ଆରୋଗ୍ୟପ୍ରତି ରାଜଲକ୍ଷ୍ମୀଙ୍କର ଆଉ ଲେଶମାତ୍ର ଉତ୍ସାହ ରହିଲା ନାହିଁ । ମହେନ୍ଦ୍ରର ଅନୁଦ୍‌ବେଗ ଯେ ଅମୂଳକ, ଦାରୁଣ ଅଭିମାନରେ ସେ ସେହିକଥା ପ୍ରମାଣ କରିବାକୁ ଚାହିଁଲେ ।

 

ଦୁଇଟାବେଳେ ଆଶା କହିଲା, ‘ମାଆ, ତୁମର ଔଷଧ ଖାଇବାକୁ ବେଳ ହେଲାଣି । ରାଜଲକ୍ଷ୍ମୀ ଉତ୍ତର ନ ଦେଇ ନୀରବ ରହିଲେ । ଆଶା ଔଷଧ ଆଣିବା ପାଇଁ ଉଠିବାରୁ ସେ କହିଲେ, ‘ଔଷଧ ଦେବା ଦରକାର ନାହିଁ, ମାଆ ! ତୁ ଯାଆ ।’

 

ଆଶା ତାଙ୍କର ଅଭିମାନ ବୁଝିପାରିଲା । ସେହି ଅଭିମାନ ସଂକ୍ରମିତ ହୋଇ ତା’ ହୃଦୟର ଆନ୍ଦୋଳନକୁ ଦୁଇଗୁଣ ବଢ଼ାଇଦେବାରୁ ଆଶା ଆଉ ରହିପାରିଲା ନାହିଁ । କ୍ରନ୍ଦନ ଚାପି ରଖିବାକୁ ଚେଷ୍ଟା କରି କଇଁ କଇଁ ହୋଇ କାନ୍ଦିଉଠିଲା । ରାଜଲଲକ୍ଷ୍ମୀ ଧୀରେ ଧୀରେ ଆଶା ଆଡ଼କୁ ବୁଲି ହାତ ଉପରେ ସକରୁଣ ସ୍ନେହରେ ଆସ୍ତେ ଆସ୍ତେ ହାତ ବୁଲାଇବାକୁ ଲାଗିଲେ । କହିଲେ, ‘ମାଆ, ତୋର ବୟସ ଅଳ୍ପ । ସୁଖର ମୁହଁ ଦେଖିବାର ସମୟ ତୋର ଅଛି । ତୁ ଆଉ ମୋ’ ପାଇଁ ଚେଷ୍ଟା କରନା । ମୁଁ ତ ଅନେକ ଦିନ ବଞ୍ଚିଲିଣି, ଆଉ ବଞ୍ଚି କ’ଣ ହେବ ?’ ଶୁଣି ଆଶାର ରୋଦନ ଆହୁରି ଉଚ୍ଛ୍ୱସିତ ହୋଇଉଠିଲା । ସେ ଲୁଗାକାନିରେ ମୁହଁକୁ ଚାପିଧରିଲା ।

 

ଏହିପରି ରୋଗୀ-ଗୃହରେ ନିରାନନ୍ଦ ଦିନଟି ମନ୍ଦଗତିରେ କଟିଗଲା । ଅଭିମାନ ମଧ୍ୟରେ ବି ଏହି ନାରୀଙ୍କର ଭିତରେ ଆଶା ଥିଲା ଯେ ବର୍ତ୍ତମାନ ମହେନ୍ଦ୍ର ଆସି ପହଞ୍ଚିବ । ଯେ କୌଣସି ଶବ୍ଦ ହେଲାମାତ୍ର ଉଭୟଙ୍କ ଦେହରେ ଯେଉଁ ଚମକ ସଞ୍ଚାର ହେଉଥିଲା, ତାହା ଉଭୟେ ବୁଝିପାରୁଥିଲେ । କ୍ରମେ ଦିବାବସାନର ଆଲୋକ ଅସ୍ପଷ୍ଟ ହୋଇଆସିଲା । କଲିକତା’ର ଅନ୍ତଃପୁର ମଧ୍ୟରେ ଗୋଧୂଳିର ଯେଉଁ ଆଭା, ସେଥିରେ ଆଲୋକର ପ୍ରଫୁଲ୍ଲତା ନାହିଁ, ଅନ୍ଧକାରର ଆବରଣ ମଧ୍ୟ ନାହିଁ । ତାହା ବିଷାଦକୁ ଗୁରୁଭାର ଏବଂ ନୈରାଶ୍ୟକୁ ଅଶ୍ରୁହୀନ କରିପକାଏ । ତାହା କର୍ମ ଓ ଆଶ୍ୱାସର ବଳ ହରଣ କରିଦିଏ, ଅଥଚ ବିଶ୍ରାମ ଓ ବୈରାଗ୍ୟର ଶାନ୍ତି ଆନୟନ କରିପାରେ ନାହିଁ । ରୁଗ୍‌ଣ ଗୃହର ସେହି ଶୁଷ୍କ ଶ୍ରୀହୀନ ସନ୍ଧ୍ୟାରେ ଆଶା ନିଃଶବ୍ଦ ପଦରେ ଉଠି ଗୋଟାଏ ପ୍ରଦୀପ ଜଳାଇଆଣି ଘରେ ରଖିଲା ରାଜଲକ୍ଷ୍ମୀ କହିଲେ, ‘ବୋହୁ, ଆଲୁଅ ଭଲ ଲାଗୁନାହିଁ । ଦୀପ ବାହାରେ ରଖିଦେ ।’

 

ଦୀପ ବାହାରେ ରଖିଦେଇ ଆସି ଆଶା ବସିଲା । ଯେତେବେଳେ ଅନ୍ଧକାର ଘନତର ହୋଇ ଏହି କ୍ଷୁଦ୍ର କକ୍ଷମଧ୍ୟରେ ବାହାରର ଅନନ୍ତ ରାତ୍ରି ବିରାଜମାନ କଲା, ସେତେବେଳେ ଆଶା ରାଜଲକ୍ଷ୍ମୀଙ୍କୁ ମୃଦୁସ୍ୱରରେ ପଚାରିଲା, ‘ମାଆ, ତାଙ୍କ ପାଖକୁ ଥରେ ଖବର ଦେବି ?’

 

ରାଜଲକ୍ଷ୍ମୀ ଦୃଢ଼ସ୍ୱରରେ କହିଲେ, ‘ନା,-ତୋତେ ମୋର ରାଣ ରହିଲା ବୋହୂ, ମହେନ୍ଦ୍ରକୁ ଖବର ଦେବୁ ନାହିଁ ।’

 

ଶୁଣି ଆଶା ସ୍ତବ୍‍ଧ ହୋଇ ରହିଲା । ତା’ର ଆଉ କାନ୍ଦିବାର ବଳ ନ ଥିଲା ।

 

ବାହାରେ ଠିଆହୋଇ ବେହେରା କହିଲା, ‘ବାବୁଙ୍କ ପାଖରୁ ଚିଠି ଆସିଚି ।’ ଶୁଣିମୁହୂର୍ତ୍ତକ ମଧ୍ୟରେ ରାଜଲକ୍ଷ୍ମୀଙ୍କର ମନେହେଲା, ହୁଏତ ମହେନ୍ଦ୍ରର ହଠାତ୍‌ କିଛି ଦେହ ଖରାପ ହୋଇଚି । ତେଣୁ ସେ କୌଣସିମତେ ଆସି ନ ପାରି ପଠାଇଚି । ଅନୁତପ୍ତ ଓ ବ୍ୟସ୍ତ ହୋଇ କହିଲେ, ‘ଦେଖ ତ ବୋହୂ, ମହେନ୍ଦ୍ର କ’ଣ ଲେଖିଚି ।’

ଆଶା ବାହାରର ପ୍ରଦୀପ ଆଲୋକରେ କମ୍ପିତ ହସ୍ତରେ ମହେନ୍ଦ୍ରର ଚିଠି ପଢ଼ିଲା । ମହେନ୍ଦ୍ର ଲେଖିଚି,–କେତେଦିନ ହେଲା ତା’ଦେହ ଭଲ ଲାଗୁନାହିଁ । ତେଣୁ ସେ ପଶ୍ଚିମକୁ ବୁଲିବାକୁ ଯାଉଚି । ମାଆର ଅସୁସ୍ଥତା ପାଇଁ ବିଶେଷ ଚିନ୍ତାର କାରଣ ନାହିଁ । ତାଙ୍କୁ ନିୟମିତ ଦେଖିଯିବାପାଇଁ ନବୀନବାବୁ ଡାକ୍ତରଙ୍କୁ କହିଯାଉଚି । ରାତିରେ ନିଦ ନ ହେଲେ ବା ମୁଣ୍ଡ ବିନ୍ଧିଲେ କେତେବେଳେ କ’ଣ କରିବାକୁ ହେବ, ତାହା ମଧ୍ୟ ଚିଠିରେ ଲେଖାହୋଇଚି ଏବଂ ଦୁଇଟିଣ ଲଘୁ ଓ ପୁଷ୍ଟିକର ପଥ୍ୟ ମହେନ୍ଦ୍ର ଡାକ୍ତରଖାନାରୁ ଚିଠି ସହିତ ପଠାଇ ଦେଇଚି । ବର୍ତ୍ତମାନ ଗିରିଡ଼ିହ ଠିକଣାରେ ମାଆର ସମ୍ୱାଦ ଅବଶ୍ୟ ଜଣାଇବା ପାଇଁ ଚିଠିରେ ପୁନଶ୍ଚ ଅନୁରୋଧ କରାହୋଇଚି ।

ଏହି ଚିଠି ପଢ଼ି ଆଶା ସ୍ତମ୍ଭିତ ହୋଇଗଲା । ପ୍ରବଳ ଧିକ୍‍କାର ତା’ର ଦୁଃଖକୁ ଅତିକ୍ରମ କଲା ଏହି ନିଷ୍ଠୁର ବାର୍ତ୍ତା ମାଆଙ୍କୁ ସେ କିପରି ଶୁଣାଇବ ।

ଆଶାର ବିଳମ୍ୱରେ ରାଜଲକ୍ଷ୍ମୀ ଅଧିକତର ଉଦ୍‌ବିଗ୍ନ ହୋଇଉଠିଲେ । କହିଲେ, ‘ବୋହୂ, ମହେନ୍ଦ୍ର କ’ଣ ଲେଖିଚି ମୋତେ ଶୀଘ୍ର ଶୁଣା ।’ କହୁ କହୁ ସେ ଆଗ୍ରହରେ ବିଛଣାଉପରେ ଉଠି ବସିଲେ ।

ଆଶା ଘରଭିତରେ ଆସି ଧୀରେ ଧୀରେ ଚିଠି ପଢ଼ି ଶୁଣାଇଲା । ରାଜଲକ୍ଷ୍ମୀ ପଚାରିଲେ, ‘ଦେହକଥା ମହେନ୍ଦ୍ର କ’ଣ ଲେଖିଚି, ସେଇ ଜାଗାଟା ଆଉ ଥରେ ପଢ଼ ।’

ଆଶା ପୁନରାୟ ପଢ଼ିଲା, ‘କେତେଦିନ ହେଲା ମୁଁ ବିଶେଷ ସୁସ୍ଥ ବୋଧ କରୁ ନ ଥିଲି । ତେଣୁ ମୁଁ–’

ରାଜଲକ୍ଷ୍ମୀ ଥାଉ ଥାଉ, ଆଉ ପଢ଼ିବା ଦରକାର ନାହିଁ । ସୁସ୍ଥ ବୋଧ କରିବ କିପରି ? ବୁଢ଼ୀ ମାଆ ମରୁନାହିଁ, ଅଥଚ କେବଳ ବେମାର ପଡ଼ି ତାକୁ ଜଳାଉଚି । ତୁ କାହିଁକି ମହେନ୍ଦ୍ରକୁ ମୋ’ ଅସୁସ୍ଥତା’ର ଖବର ଦେବାକୁ ଗଲୁ ? ଘରେ ଥିଲା, ଗୋଟାଏ କ’ଣରେ ବସି ପଢ଼ାଶୁଣା କରୁଥିଲା । କାହାରି କିଛି କଥାରେ ମୁଣ୍ଡ ପୁରାଉ ନ ଥିଲା । ମଝିରେ ମାଆର ବେମାରି କଥା କହି ତାକୁ ଘରୁ ତଡ଼ି ତୋର କି ସୁଖ ହେଲା ? ମୁଁ ଏଠାରେ ମରିପଡ଼ିଥିଲେ କାହାର କି କ୍ଷତି ହୋଇଥାନ୍ତା ? ଏତେ ଦୁଃଖରେ ବି ତୋ ମୁଣ୍ଡକୁ ଟିକିଏ ବୁଦ୍ଧି ଆସୁନାହିଁ ? କହି ସେ ବିଛଣାରେ ଶୋଇପଡ଼ିଲେ ।

ବାହାରେ ମସ୍‌ମସ୍‌ ଶବ୍ଦ ଶୁଣାଗଲା । ବେହେରା କହିଲା, ଡାକ୍ତରବାବୁ ଆସିଚନ୍ତି ।’

ଡାକ୍ତର ଟିକିଏ କାଶି ଘରମଧ୍ୟରେ ପ୍ରବେଶ କଲେ । ଆଶା ତରତର ହୋଇ ଓଢ଼ଣା ଟାଣି ଖଟ ଅନ୍ତରାଳକୁ ଘୁଞ୍ଚିଗଲା । ଡାକ୍ତର ପଚାରିଲେ, ‘ଆପଣଙ୍କର କ’ଣ ହୋଇଚି, କୁହନ୍ତୁ ତ ?’

ରାଜଲକ୍ଷ୍ମୀ ସକ୍ରୋଧ ସ୍ୱରରେ କହିଲେ, ‘ହେବ ଆଉ କ’ଣ ? ମଣିଷକୁ କ’ଣ ମରିବାକୁ ଦେବ ନାହିଁ ? ତୁମ ଔଷଧ ଖାଇଲେ କ’ଣ ମୁଁ ଅମର ହୋଇ ରହିବି ?’

ଡାକ୍ତର ସାନ୍ତ୍ୱନାପୂର୍ଣ୍ଣ ସ୍ୱରରେ କହିଲେ, ‘ଅମର କରି ନ ପାରେ, କିନ୍ତୁ କଷ୍ଟ ଯେପରି କମିଯିବ, ସେହି ଚେଷ୍ଟା–’

ରାଜଲକ୍ଷ୍ମୀ କହିଲେ, ‘କଷ୍ଟଲାଘବର ଭଲ ଚିକିତ୍ସା ଥିଲା, ଯେତେବେଳେ ବିଧବାମାନେ ପୋଡ଼ିହୋଇ ମରୁଥିଲେ । ବର୍ତ୍ତମାନ ଇଏ ତ କେବଳ ବାନ୍ଧିମାରିବା । ଯାଅ ଡାକ୍ତରବାକୁ, ତୁମେ ଯାଅ । ମୋତେ ଆଉ ବିରକ୍ତ କରନା । ମୁଁ ଏକୁଟିଆ ରହିବାକୁ ଚାହେଁ ।’

ଡାକ୍ତର ଶଙ୍କିତ ଭାବରେ କହିଲେ, ‘ଥରେ ଆପଣଙ୍କ ନାଡ଼ୀଟା–’

ରାଜଲକ୍ଷ୍ମୀ ଅତ୍ୟନ୍ତ ବିରକ୍ତିପୂର୍ଣ୍ଣ ସ୍ୱରରେ କହିଲେ, ’ମୁଁ କହୁଚି ତୁମେ ଯାଅ । ମୋର ନାଡ଼ୀ ବେଶ୍‌ ଭଲ ଅଛି । ଏ ନାଡ଼ୀ ଯେ ଶୀଘ୍ର ଛାଡ଼ିବ, ମୋର ଏ ଭରସା ନାହିଁ ।

 

ଡାକ୍ତର ଅଗତ୍ୟା ଘର ବାହାରକୁ ଯାଇ ଆଶାକୁ ଡକାଇ ପଠାଇଲେ । ଆଶାକୁ ନବୀନବାବୁ ଡାକ୍ତର ରୋଗର ସମସ୍ତ ବିବରଣ ପଚାରିଲେ । ଉତ୍ତରରେ ସବୁ ଶୁଣି ପୁଣି ଗମ୍ଭୀଭାବରେ ଘର ଭିତରେ ପ୍ରବେଶ କଲେ । କହିଲେ, ‘ଦେଖନ୍ତୁ, ମହେନ୍ଦ୍ର ମୋ ଉପରେ ବିଶେଷ କରି ଭାର ଦେଇଯାଇଛି । ଯଦି ଆପଣ ମୋତେ ଚିକିତ୍ସା କରିବାକୁ ନ ଦେବେ, ତେବେ ସେ ମନଦୁଃଖ କରିବ ।’

 

ମହେନ୍ଦ୍ର କଷ୍ଟ ପାଇବ, ଏ କଥା ରାଜଲକ୍ଷ୍ମୀଙ୍କୁ ଉପହାସପରି ଶୁଣାଗଲା । ସେ କହିଲେ, ‘ମହେନ୍ଦ୍ର ପାଇଁ ବେଶି ଭାବନା । ସଂସାରରେ ସମସ୍ତଙ୍କୁ କଷ୍ଟ ପାଇବାକୁ ହୁଏ । ଏ କଷ୍ଟ ମହେନ୍ଦ୍ରକୁ ବେଶି କାତର କରିବ ନାହିଁ । ତୁମେ ବର୍ତ୍ତମାନ ଯାଅ ଡାକ୍ତର ! ମୋତେ ଟିକିଏ ଶୋଇବାକୁ ଦିଅ ।’

 

ଡାକ୍ତର ବୁଝିଲେ ଯେ ରୋଗୀକୁ ଉତ୍ୟକ୍ତ କଲେ ଫଳ ଭଲ ହେବ ନାହିଁ । ଧୀରେ ଧୀରେ ବାହାରକୁ ଆସି ଯାହା କର୍ତ୍ତବ୍ୟ, ଆଶାକୁ ଉପଦେଶ ଦେଇଗଲେ ।

 

ଆଶା ଘରଭିତରକୁ ଆସିବାକୁ ରାଜଲକ୍ଷ୍ମୀ କହିଲେ, ‘ଯା ବୋହୂ, ତୁ ଟିକିଏ ବିଶ୍ରାମ କରିବୁ । ଦିନସାରା ରୋଗୀ ପାଖରେ ବସିଚୁ । ହାରୁ-ମାଆକୁ ପଠାଇ ଦେ । ସେ ଆସି ପାଖରେ ବସୁ ।’

 

ଆଶା ରାଜଲକ୍ଷ୍ମୀଙ୍କୁ ବୁଝିପାରେ । ଏହା ତାଙ୍କର ସ୍ନେହର ଅନୁରୋଧ ନୁହେଁ । ଏହା ତାଙ୍କର ଆଦେଶ, ପାଳନ କରିବା ଛଡ଼ା ଆଉ ଉପାୟ ନାହିଁ । ହାରୁମାଆକୁ ପଠାଇ ଦେଇ ସେ ନିଜ ଘରେ ଯାଇ ଅନ୍ଧାରରେ ଶୀତଳ ଭୂମିଶଯ୍ୟାରେ ଶୋଇପଡ଼ିଲା ।

 

ସାରା ଦିନର ଉପବାସ ଓ କଷ୍ଟରେ ତା’ର ଶରୀର-ମନ ଶ୍ରାନ୍ତ ଓ ଅବସନ୍ନ । ସାହିରେ ସେଦିନ କାହା ଘରେ ବିବାହ-ବାଦ୍ୟ ବାଜୁଥିଲା । ସେହି ସମୟରେ ପୁଣି ମହୁରି ବାଜିଉଠିଲା । ସେହି ରାଗିଣୀର ଆଘାତରେ ରାତ୍ରିର ଅନ୍ଧକାର ଯେପରି ସ୍ପନ୍ଦିତ ହୋଇ ଆଶାକୁ ବାରମ୍ୱାର ଅଭିଘାତ କରିବାକୁ ଲାଗିଲା । ତା’ର ବିବାହ-ରାତିର ପ୍ରତ୍ୟେକ କ୍ଷୁଦ୍ର ଘଟଣା ସଜୀବ ହୋଇ ରାତିର ଆକାଶକୁ ସ୍ୱପ୍ନଛବିରେ ପୂର୍ଣ୍ଣ କରିଦେଲା । ସେଦିନର ଆଲୋକ କୋଳାହଳ, ଜନତା, ସେ ଦିନର ମାଲ୍ୟଚନ୍ଦନ, ନବବସ୍ତ୍ର ଓ ହୋମଧୂପର ଗନ୍ଧ, ନବବଧୂର ଶଙ୍କିତ ଲଜ୍ଜିତ ଆନନ୍ଦିତ ହୃଦୟରେ ନିଗୂଢ଼ କମ୍ପନ ଯେତିକି ସ୍ମୃତି ଆକାଶରେ ତାକୁ ଚାରିଆଡ଼ୁ ଆବିଷ୍ଟ କରିପକାଇଲା, ତା’ ହୃଦୟର ବ୍ୟଥା ସେତିକି ସେତିକି ପ୍ରାଣବନ୍ତ ହୋଇ ଅଜଟ କରିବାକୁ ଲାଗିଲା । ଦାରୁଣ ଦୁର୍ଭିକ୍ଷରେ ବାଳକ ଯେପରି ଖାଦ୍ୟପାଇଁ ମାତାକୁ ଆଘାତ କରୁଥାଏ, ସେହିପରି ଜାଗ୍ରତ ସୁଖର ସ୍ମୃତି ଆପଣାର ଖାଦ୍ୟ ଚାହି ବାରମ୍ୱାର ଆଶା ବକ୍ଷରେ ସରୋଦନ କରାଘାତ କରିବାକୁ ଲାଗିଲା । ଅବସନ୍ନ ଆଶା ଆଉ ଶାନ୍ତରେ ପଡ଼ି ରହିପାରିଲା ନାହିଁ । ଦୁଇ ହାତଯୋଡ଼ି ଦେବତା ପାଖରେ ପ୍ରାର୍ଥନା କରିବାକୁ ଯାଇ ସଂସାରରେ ତା’ର ଏକମାତ୍ର ପ୍ରତ୍ୟକ୍ଷ ମାଉସୀଙ୍କର ପବିତ୍ର ସ୍ନିଗ୍‍ଧ ମୂର୍ତ୍ତି ଆଶାର ଅଶ୍ରୁବାଷ୍ପାଚ୍ଛନ୍ନ ହୃଦୟ ମଧ୍ୟରେ ଆବିର୍ଭୁତ ହେଲା । ପୁନରାୟ ସଂସାରର ଦୁଃଖ ସଙ୍କଟ ଭିତରକୁ ସେହି ତାପସୀଙ୍କୁ ଆହ୍ୱାନ କରିଆଣିବ ନାହିଁ, ଏତେଦିନ ଯାହା ଯାହାହିଁ ତା’ର ପ୍ରତିଜ୍ଞା ଥିଲା । କିନ୍ତୁ ଆଜି ସେ ଆଉ କେଉଁଠି କିଛି ଉପାୟ ଦେଖିବାକୁ ପାଇଲା ନାହିଁ । ଆଜି ତା’ର ଚତୁର୍ଦ୍ଦିଗରେ ଘନାୟିତ ନିବିଡ଼ ଦୁଃଖ ମଧ୍ୟରେ ଆଉ ରନ୍ଧ୍ରମାତ୍ର ନ ଥିଲା । ତେଣୁ ସେ ଆଜି ଘରଭିତରେ ଆଲୁଅ ଜାଳି କୋଳ ଉପରେ ଖଣ୍ଡେ ଖାତାରେ ଚିଠିକାଗଜ ରଖି ଘନଘନ ଆଖି ପୋଛୁପୋଛୁ ଚିଠି ଲେଖିବାକୁ ଲାଗିଲା :

 

ଶ୍ରୀଚରଣକମଳେଷୁ,

 

ମାଉସୀ, ତୁମ ଛଡ଼ା ମୋର ଆଜି ଆଉ କେହି ନାହାନ୍ତି । ଥରେ ଆସି ଏ ଦୁଃଖିନୀକୁ କୋଳକୁ ଟାଣିନିଅ । ନ ହେଲେ ମୁଁ କିପରି ବଞ୍ଚିବି ? ଆଉ କ’ଣ ଲେଖିବି ଜାଣିନାହିଁ । ତୁମର ଚରଣରେ ମୋର ଶତସହସ୍ର କୋଟି ପ୍ରଣାମ ।

 

ତୁମର ସ୍ନେହର ଚୁନି ।’

 

(୪୫)

 

କାଶୀରୁ ଫେରି ଅନ୍ନପୂର୍ଣ୍ଣା ଅତି ଧୀରେ ଧୀରେ ରାଜଲକ୍ଷ୍ମୀଙ୍କ ଘରେ ପ୍ରବେଶ କରି ପ୍ରଣାମପୂର୍ବକ ତାଙ୍କର ପଦଧୂଳି ନେଇ ମୁଣ୍ଡରେ ମାରିଲେ । ମଝିରେ କେତେଦିନର ବିରୋଧ ବିଚ୍ଛେଦସତ୍ତ୍ୱେ ଅନ୍ନପୂର୍ଣ୍ଣାଙ୍କୁ ଦେଖି ରାଜଲକ୍ଷ୍ମୀ ଯେପରି ହଜିଲା ଧନ ଫେରିପାଇଲେ । ଭିତରେ ଭିତରେ ଯେ ସେ ନିଜର ଅଲକ୍ଷ୍ୟରେ ଅଗୋଚରରେ ଅନ୍ନପୂର୍ଣ୍ଣାଙ୍କୁ ଚାହିଁ ବସିଥିଲେ । ଅନ୍ନପୂର୍ଣ୍ଣାଙ୍କୁ ପାଇ ସେ ସେ କଥା ବୁଝିପାରିଲେ । ତାଙ୍କର ଏତେଦିନର ଏତେଶାନ୍ତି ଏତେକ୍ଷୋଭ ଯେ କେବଳ ଅନ୍ନପୂର୍ଣ୍ଣାଙ୍କର ଅଭାବରୁ ହେଉଥିଲା, ଅନେକ ଦିନପରେ ଆଜି ତାହା ତାଙ୍କ ପାଖରେ ମୁହୂର୍ତ୍ତକ ମଧ୍ୟରେ ସୁସ୍ପଷ୍ଟ ହୋଇଗଲା । ମୁହୂର୍ତ୍ତକ ମଧ୍ୟରେ ତାଙ୍କର ବ୍ୟଥିତ ହୃଦୟ ତା’ର ଚିରନ୍ତନ ସ୍ଥାନଟି ଅଧିକାର କଲା । ମହେନ୍ଦ୍ରର ଜନ୍ମପୂର୍ବରୁ ଦୁଇ ଜାଆ ଯେତେବେଳେ ବଧୂଭାବରେ ଏହି ପରିବାରରେ ସମସ୍ତ ସୁଖଦୁଃଖକୁ ବରଣ କରିନେଇଥିଲେ, ପୂଜାରେ, ଉତ୍ସବରେ, ଶୋକରେ, ମୃତ୍ୟରେ ଉଭୟେ ଏହି ସଂସାର-ରଥରେ ଏକତ୍ର ଯାତ୍ରା କରିଥିଲେ, ସେତେବେଳେ ସେହି ଘନିଷ୍ଠ ସଖୀତ୍ୱ ରାଜଲକ୍ଷ୍ମୀଙ୍କ ହୃଦୟକୁ ଆଜି ମୁହୂର୍ତ୍ତକ ମଧ୍ୟରେ ଆଚ୍ଛନ୍ନ କରିନେଲା । ଯାହା ସହିତ ସେ ସୁଦୂର ଅତୀତ କାଳରେ ଏକତ୍ର ଜୀବନ ଆରମ୍ଭ କରିଥିଲେ, ନାନା ବ୍ୟାଘାତପରେ ସେହି ବାଲ୍ୟ ସହଚରୀ ହିଁ ପରମ ଦୁଃଖସମୟରେ ତାଙ୍କର ପାର୍ଶ୍ୱବର୍ତ୍ତିନୀ ହେଲେ,-ସେହି ସମୟର ସବୁ ସୁଖଦୁଃଖର, ସବୁ ପ୍ରିୟ ଘଟଣାର ଏହି ଗୋଟିଏ ମାତ୍ର ସ୍ମରଣାଶ୍ରୟ ରହିଚି । ଯାହା ପାଇଁ ରାଜଲକ୍ଷ୍ମୀ ଏହାଙ୍କୁ ମଧ୍ୟ ନିଷ୍ଠୁରଭାବରେ ଆଘାତ କରିଥିଲେ, ସେ ବା ଆଜି କାହିଁ ? ଅନ୍ନପୂର୍ଣ୍ଣା ରୋଗିଣୀ ପାଖରେ ବସି ତାଙ୍କର ଦକ୍ଷିଣ ହସ୍ତକୁ ନେଇ କହିଲେ, ‘ଅପା !’ ରାଜଲକ୍ଷ୍ମୀ କହିଲେ, ‘ମଝିଆଁ ବୋହୂ ।’ ତାଙ୍କ ମୁହଁରୁ ଆଉ କୌଣସି କଥା ବାହାରିଲା ନାହିଁ । ଆଖିରୁ ଲୁହ ବହିଯିବାକୁ ଲାଗିଲା । ଏହି ଦୃଶ୍ୟ ଦେଖି ଆଶା ଆଉ ନିଜକୁ ସମ୍ଭାଳିପାରିଲା ନାହିଁ । ପାଖଘରକୁ ଯାଇ ତଳେ ବସିପଡ଼ି କାନ୍ଦିବାକୁ ଲାଗିଲା ।

 

ରାଜଲକ୍ଷ୍ମୀ କିମ୍ୱା ଆଶାକୁ ଅନ୍ନପୂର୍ଣ୍ଣା ମହେନ୍ଦ୍ର ସମ୍ୱନ୍ଧରେ କୌଣସି କଥା ପଚାରିବାକୁ ସାହସ କଲେ ନାହିଁ । ସାଧୁଚରଣଙ୍କୁ ପଚାରିଲେ, ‘ମାମୁଁ, ମହେନ୍ଦ୍ର କାହିଁ ?’

 

ସାଧୁଚରଣ ବିନୋଦିନୀ ଓ ମହେନ୍ଦ୍ରର ସବୁ ଘଟଣା ବିସ୍ତୃତ କରି କହିଲେ । ଅନ୍ନପୂର୍ଣ୍ଣା ସାଧୁଚରଣଙ୍କୁ ପଚାରିଲେ, ‘ବିହାରୀର ଖବର କ’ଣ ?’

 

ସାଧୁଚରଣ କହିଲେ, ‘ସେ ଅନେକ ଦିନ ହେଲା ଆସିନାହାନ୍ତି । ତାଙ୍କ ଖବର ମୁଁ ଜାଣିନାହିଁ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ଥରେ ତା’ ଘରକୁ ବୁଝିଆସ ।’

 

ସାଧୁଚରଣ ଫେରିଆସି କହିଲେ, ‘ସେ ଘରେ ନାହାନ୍ତି । ବାଲିଠାରେ ଗଙ୍ଗାକୂଳରେ ସେ ଯେଉଁ ଘର ନେଇଚନ୍ତି, ସେଇଠାରେ ଅଛନ୍ତି ।’

 

ଅନ୍ନପୂର୍ଣ୍ଣା ନବୀନ ଡାକ୍ତରଙ୍କୁ ଡାକି ରୋଗୀର ଅବସ୍ଥା ବିଷୟରେ ପଚାରିଲେ । ଡାକ୍ତର କହିଲେ, ‘ହୃତ୍‌ପିଣ୍ଡର ଦୁର୍ବଳତା ସହିତ ଉଦରୀ ଦେଖାଦେଇଚି । କେତେବେଳେ ଯେ ଅକସ୍ମାତ୍‌ ମୃତ୍ୟୁ ହୋଇଯିବ, କୁହାଯାଇ ପାରୁନାହିଁ ।’

 

ସନ୍ଧ୍ୟାବେଳେ ଯେତେବେଳେ ରାଜଲକ୍ଷ୍ମୀଙ୍କର କଷ୍ଟ ଖୁବ୍‌ ବଢ଼ିଗଲା, ସେତେବେଳେ ଅନ୍ନପୂର୍ଣ୍ଣା ପଚାରିଲେ, ‘ଅପା, ନବୀନ ଡାକ୍ତରଙ୍କୁ ଥରେ ଡକାଏ ?’

 

ରାଜଲକ୍ଷ୍ମୀ କହିଲେ, ‘ନବୀନ ଡାକ୍ତର ମୋର କିଛି କରିପାରିବ ନାହିଁ ?’

 

ଅନ୍ନପୂର୍ଣ୍ଣା କହିଲେ, ‘ତେବେ ଆଉ କାହାକୁ ଡାକିବା ପାଇଁ ତୁମେ କହୁଚ ?’

 

ରାଜଲକ୍ଷ୍ମୀ କହିଲେ, ‘ଥରେ ଯଦି ବିହାରୀକୁ ଖବର ଦେଇପାରନ୍ତୁ, ତେବେ ଭାରି ଭଲ ହୁଅନ୍ତା ।’

 

ଅନ୍ନପୂର୍ଣ୍ଣାଙ୍କ ବକ୍ଷରେ ଆଘାତ ଲାଗିଲା । ସେଦିନ ଦୂରପ୍ରବାସରେ ସନ୍ଧ୍ୟାବେଳେ ସେ ବିହାରୀକୁ ଦୁଆରମୁହଁରୁ ଅନ୍ଧାରରେ ଅପମାନ ଦେଇ ବିଦାୟ କରି ଦେଇଥିଲେ । ଆଜିପର୍ଯ୍ୟନ୍ତ ସେ ସେହି ବେଦନା ଭୁଲି ପାରିନାହାନ୍ତି । ବିହାରୀ ଆଉ କେବେହେଲେ ତାଙ୍କର ଦୁଆରକୁ ଫେରିଆସିବ ନାହିଁ, ଇହଜୀବନରେ ଆଉ ଯେ କେବେ ସେହି ଅନାଦରର ପ୍ରତିକାର କରିବାର ଅବସର ପାଇବେ, ଏ ଆଶା ମଧ୍ୟ ତାଙ୍କ ମନରେ ନ ଥିଲା ।

 

ଛାତ ଉପରେ ଥିବା ମହେନ୍ଦ୍ରର ଘରକୁ ଅନ୍ନପୂର୍ଣ୍ଣା ଥରେ ଦେଖିବାକୁ ଗଲେ । ସାରା ଘର ମଧ୍ୟରେ ଏହି ଘରଟି ଦିନେ ଆନନ୍ଦ-ନିକେତନ ହୋଇ ରହିଥିଲା । ଆଜି ସେହି ଘରର କୌଣସି ଶ୍ରୀ ନାହିଁ, ବିଛଣାପତ୍ର ବିଶୃଙ୍ଖଳା, ସାଜସଜ୍ଜା ଅନାଦୃତ, ଛାତ ଉପରର ଫୁଲକୁଣ୍ଡରେ କେହି ପାଣି ଦିଅନ୍ତି ନାହିଁ । ଗଛଗୁଡ଼ିକ ଶୁଖିଶାଖି ଗଲାଣି ।

 

ମାଉସୀ ଛାତ ଉପରକୁ ଯାଇଚନ୍ତି ବୋଲି ଜାଣିପାରି ଆଶା ମଧ୍ୟ ଧିରେ ଧୀରେ ତାଙ୍କର ଅନୁସରଣ କଲା । ଅନ୍ନପୂର୍ଣ୍ଣା ତାକୁ ଛାତିଉପରକୁ ଟାଣିନେଇ ତା’ର ମସ୍ତକ ଚୁମ୍ୱନ କଲେ । ଆଶା ନତ ହାତରେ ତାଙ୍କ ଦୁଇଗୋଡ଼ ଧରି ବାରମ୍ୱାର ତାଙ୍କ ପାଦରେ ମୁଣ୍ଡ ଲଗାଇଲା । କହିଲା, ‘ମାଉସୀ, ମୋତେ ଆଶୀର୍ବାଦ କର, ମୋତେ ବଳ ଦିଅ । ମଣିଷ ଯେ ଏତେକଷ୍ଟ ସହିପାରେ, ମୁଁ ସେକଥା କେବେ ଭାବି ମଧ୍ୟ ନ ଥିଲି । ଏସବୁ ମୁଁ ଆଉ କେତେଦିନ ସହିବି, କହିଲେ ମାଉସୀ ?’

 

ଅନ୍ନପୂର୍ଣ୍ଣା ସେହିଠାରେ ତଳେ ବସିପଡ଼ିଲେ, ତାଙ୍କର ପାଦ ଉପରେ ମୁଣ୍ଡ ରଖି ଆଶା ଲୋଟିଯିବାକୁ ଲାଗିଲା । ଆଶାର ମୁଣ୍ଡକୁ ଅନ୍ନପୂର୍ଣ୍ଣା କୋଳଉପରକୁ ଉଠାଇ ନେଲେ ଏବଂ କୌଣସି କଥା ନ ନିସ୍ତବ୍‍ଧ ଭାବରେ ହାତଯୋଡ଼ି ଦେବତାଙ୍କୁ ସ୍ମରଣ କଲେ ।

 

ଅନ୍ନପୂର୍ଣ୍ଣାଙ୍କର ସ୍ନେହ-ଚିହ୍ନିତ ନିଃଶବ୍ଦ ଆଶୀର୍ବାଦ ଆଶାର ଗଭୀର ହୃଦୟ ମଧ୍ୟରେ ପ୍ରବେଶ କରି ଅନେକ ଦିନପରେ ଶାନ୍ତି ଆନୟନ କଲା । ତା’ର ମନେହେଲା, ଯେପରି ତା’ର ଅଭୀଷ୍ଟ ସିଦ୍ଧ ପ୍ରାୟ । ଦେବତା ତା’ପରି ମୂଢ଼କୁ ହୁଏତ ଅବହେଳା କରିପାରନ୍ତି, କିନ୍ତୁ ମାଉସୀଙ୍କର ପ୍ରାର୍ଥନାକୁ ସେ କଦାପି ଅଗ୍ରାହ୍ୟ କରିପାରିବେ ନାହିଁ । ହୃଦୟରେ ଆଶ୍ୱାସ ଓ ବଳ ପାଇ ଆଶା ଅନେକ ସମୟପରେ ଦୀର୍ଘନିଃଶ୍ୱାସ ପକାଇ ଉଠି ବସିଲା । କହିଲା, ‘ମାଉସୀ, ବିହାରୀବାବୁଙ୍କୁ ଥରେ ଆସିବାକୁ ଚିଠି ଲେଖିଦିଅ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ନାଇଁ ଚିଠି ଲେଖିବି ନାହିଁ ।’

 

ଆଶା । ତେବେ ତାଙ୍କୁ ଖବର ଦେବ କିପରି ?

 

ଅନ୍ନପୂର୍ଣ୍ଣା କହିଲେ, ‘କାଲି ମୁଁ ବିହାରୀ ସହିତ ଦେଖାକରିବାକୁ ଯିବି ।’

 

(୪୬)

 

ବିହାରୀ ଯେତେବେଳେ ପଶ୍ଚିମରେ ନାନାସ୍ଥାନରେ ବୁଲୁଥିଲା, ସେତେବେଳେ ସେ ଭାବିଲା, ଗୋଟାଏ କିଛି କାମରେ ନିଜକୁ ଆବଦ୍ଧ ନ କଲେ ତାକୁ ଶାନ୍ତି ମିଳିବ ନାହିଁ । ସେହିକଥା ଚିନ୍ତା କରି ସେ କଲିକତାରେ ଦରିଦ୍ର କିରାନୀମାନଙ୍କର ଚିକିତ୍ସା ଓ ଶୁଶ୍ରୁଷାର ଭାର ଗ୍ରହଣ କରିଚି । ଗ୍ରୀଷ୍ମକାଳରେ ଗାଡ଼ିଆର ମାଛ ଯେପରି କୌଣସିମତେ ପଙ୍କ ଭିତରେ ଛଟପଟ ହୋଇ ଶୀର୍ଣ୍ଣ ଅବସ୍ଥାରେ ଥାଏ, ଗଳିନିବାସୀ ଅଳ୍ପାଶୀ ପରିବାର ଭାରଗ୍ରସ୍ତ କିରାନୀର ବ୍ୟଥିତ ଜୀବନ ଠିକ୍‌ ସେହିପରି । ସେହି ବିବର୍ଣ୍ଣ, କୃଶ, ଦୁଶ୍ଚିନ୍ତାଗ୍ରସ୍ତ ଭଦ୍ରମଣ୍ଡଳୀଙ୍କ ପ୍ରତି ଅନେକ ଦିନରୁ ବିହାରୀର କରୁଣା-ଦୃଷ୍ଟି କରିଥିଲା । ସେମାନଙ୍କୁ ସେ ବନର ଛାୟା ଓ ଗଙ୍ଗାକୂଳର ହାଉଆ ଦେବାର ସଂକଳ୍ପ କଲା ।

 

ବାଲିପରେ ଗୋଟିଏ ତୋଟା କିଣି ଚୀନା ମିସ୍ତ୍ରୀଙ୍କ ସାହାଯ୍ୟରେ ସେ ଛୋଟ ଛୋଟ ସୁନ୍ଦର କୁଟୀର ତିଆରି କରାଇବା ଆରମ୍ଭ କଲା । କିନ୍ତୁ ସେତିକିରେ ତା’ର ମନ ଶାନ୍ତ ହେଲାନାହିଁ । କାର୍ଯ୍ୟରେ ପ୍ରବୃତ୍ତ ହେବାର ଦିନ ଯେତିକି ନିକଟ ହେବାକୁ ଲାଗିଲା, ତା’ର ଚିତ୍ତ ସେତିକି ଆପଣାର ସଂକଳ୍ପରେ ବିମୁଖ ହୋଇଉଠିଲା । ତା’ର ମନ ଖାଲି କହିବାକୁ ଲାଗିଲା, ‘ଏ କାମରେ କୌଣସି ସୁଖ ନାହିଁ, କୌଣସି ସରସତା ନାହିଁ, କୌଣସି ସୌନ୍ଦର୍ଯ୍ୟ ନାହିଁ,-ଏହା କେବଳ ଶୁଷ୍କଭାର ମାତ୍ର । ଇତିପୂର୍ବେ କାର୍ଯ୍ୟରେ କଳ୍ପନା ବିହାରୀକୁ ଆଉକେବେ ଏପରି ଭାବରେ କ୍ଲିଷ୍ଟ କରି ନ ଥିଲା ।’

 

ଦିନଥିଲା, ଯେତେବେଳେ ବିହାରୀର ବିଶେଷ କିଛି ଦରକାର ହେଉ ନ ଥିଲା । ତା’ର ସମ୍ମୁଖରେ ଯାହା ଆସି ଉପସ୍ଥିତ ହେଉଥିଲା, ସେଥିରେ ସେ ଅନାୟାସରେ ଆପଣାକୁ ନିଯୁକ୍ତ କରିପାରୁଥିଲା । ବର୍ତ୍ତମାନ ତା’ର ମନ ଭିତରେ ଗୋଟାଏ କି କ୍ଷୁଧା ଉଦ୍ରେକ ହୋଇଚି କେଜାଣି, ପ୍ରଥମେ ତାହା ନିବାରଣ ନ କରି ଅନ୍ୟ କୌଣସିଥିରେ ତା’ର ଆସକ୍ତି ଆସୁନାହିଁ । ପୂର୍ବର ଅଭ୍ୟାସଯୋଗୁଁ ଯାହାହେଉ ଗୋଟାଏ କିଛି କରିବାକୁ ବସେ, ପରକ୍ଷଣରେ ସବୁ ପରିତ୍ୟାଗ କରି ନିଷ୍କୃତି ପାଇବାକୁ ଚାହେଁ ।

 

ବିହାରୀ ଭିତରେ ଯେଉଁ ଯୌବନ ନିଶ୍ଚଳ ଭାବରେ ସୁପ୍ତ ହୋଇ ରହିଥିଲା, ଯାହାକଥା କେବେ ଚିନ୍ତା ସୁଦ୍ଧା କରିନାହିଁ, ବିନୋଦିନୀର ସୁନାକାଠି-ସ୍ପର୍ଶରେ ଆଜି ତାହା ଜାଗ୍ରତ ହୋଇଉଠିଚି-। ସଦ୍ୟଜାତ ଗରୁଡ଼ପରି ସେ ଆପଣାର ଖୋରାକ ପାଇଁ ସାରାଜଗତଟାକୁ ଘାଣ୍ଟି ବୁଲୁଚି । ଏହି କ୍ଷୁଧିତ ପ୍ରାଣୀଟି ବିହାରରୀର କୌଣସି ପୂର୍ବ ପରିଚୟ ନ ଥିଲା, କିନ୍ତୁ ବର୍ତ୍ତମାନ ତାକୁ ନେଇ ସେ ବ୍ୟସ୍ତ ହୋଇପଡ଼ିଲାଣି । କଲିକତା’ର ଜୀର୍ଣ୍ଣ ସ୍ୱଳ୍ପାୟୁ କିରାନୀମାନଙ୍କୁ ନେଇ ସେ କ’ଣ କରିବ ?

 

ଆଷାଢ଼ ମାସର ଗଙ୍ଗାନଦୀ ସମ୍ମୁଖରେ ବହିଯାଇଚି । ଆରପାରିରେ ନୀଳମେଘ ରହି ରହି ଘନବୃକ୍ଷଶ୍ରେଣୀ ଉପରେ ଭାରାବନତ ନିବିଡ଼ ଆବିଷ୍ଟ ହୋଇ ଉଠୁଚି । ନଦୀର ଜଳ ଉଷ୍ମାତ୍‌ର ତରବାରିପରି କେଉଁଠି ଉଜ୍ଜ୍ୱଳ କୃଷ୍ଣବର୍ଣ୍ଣ ଧାରଣ କରିଚି, କେଉଁଠି ବା ନିଆଁପରି ଜକ୍‌ ଜକ୍‌ କରୁଚି । ନବବର୍ଷାର ଏହି ସମାରୋହରେ ବିହାରୀର ଦୃଷ୍ଟି ପଡ଼ିବା ମାତ୍ରକେ ତା’ର ହୃଦୟର ଦ୍ୱାର ଉଦ୍‌ଘାଟନ କରି ଆକାଶରେ ଏହି ନୀଳସ୍ନିଗ୍‍ଧ ଆଲୋକରେ ଯେପରି କିଏ ଜଣେ ଏକାକିନୀ ବାହାରି ଆସେ, ଯେପରି କିଏ ଜଣେ ଆପଣାର ସ୍ନାନସିକ୍ତ ଘନତରଙ୍ଗାୟିତ କୃଷ୍ଣକେଶ ଉନ୍ମୁକ୍ତ କରି ତା’ ଆଗରେ ଠିଆହୁଏ, ବର୍ଷାକାଶରୁ ବିଦୀର୍ଣ୍ଣ ମେଘ ବିଚ୍ଛୁରିତ ବିଭିନ୍ନ ରଶ୍ମିଜାଳାକୁ ଏକତ୍ର କରି କିଏ ଯେପରି ଏକମାତ୍ର ତାହାରି ମୁହଁ ଉପରେ ଅନିମେଷ ଦୃଷ୍ଟିର ଦିପ୍ତିକାତରତା ପ୍ରସାରିତ କରିଦିଏ ।

 

ତା’ର ଯେଉଁ ଜୀବନଟା ପୂର୍ବେ ସୁଖ-ସନ୍ତୋଷରେ କଟିଯାଇଚି, ବିହାରୀ ଆଜି ସେହି ଜୀବନକୁ ପରମ କ୍ଷତି ବୋଲି ମନେକରିଚି । ଏହିପରି କେତେମେଘ, ସନ୍ଧ୍ୟା, କେତେପୂର୍ଣ୍ଣିମାର ରାତି ଆମରୁ ଆସିଥିଲା । ସେମାନେ ବିହାରୀର ଶୂନ୍ୟ ହୃଦୟଦ୍ୱାରରୁ ସୁଧାପାତ୍ର ହସ୍ତରୁ ନିଶଃବ୍ଦରେ ଫେରିଯାଇଛନ୍ତି,–ସେହି ଦୁର୍ଲ୍ଲଭ ଶୁଭକ୍ଷଣରେ କେତେସଙ୍ଗୀତ ଅନାରବ୍‍ଧ ଓ କେତେଉତ୍ସବ ଅସମ୍ପନ୍ନ ହୋଇରହିଛି, ତାହାର କୌଣସି ଅନ୍ତ ନାହିଁ । ବିହାରୀର ମନରେ ଯେଉଁସବୁ ପୂର୍ବ-ସ୍ମୃତି ରହିଥିଲା, ସେହିଦିନର ଉଦ୍ୟତ ଚୁମ୍ୱନର ରକ୍ତିମ ଆଭାଦ୍ୱାରା ବିନୋଦିନୀ ସେଗୁଡ଼ିକୁ ବିବର୍ଣ୍ଣ ଓ ଅକିଞ୍ଚିତ୍‍କର କରିଦେଇଛି । ମହେନ୍ଦ୍ର ଛାୟାପରି ହୋଇ ଜୀବନର ଅଧିକାଂଶ ଦିନ ସେ କିପରି କଟାଇଥିଲା, ତା’ ଭିତରେ ବା କି ଚରିତାର୍ଥତା ଥିଲା ? ପ୍ରେମର ବେଦନାରେ ଜଳସ୍ଥଳ-ଆକାଶର କେନ୍ଦ୍ରକୁହରରୁ ଯେ ଏପରି ରାଗିଣୀରେ ଏପରି ବଇଁଶୀ ବାଜେ, ତାହା ଅଚେତନ ବିହାରୀ ଆଗକୁ ଅନୁମାନହିଁ କରିପାରି ନ ଥିଲା । ଯେଉଁ ବିନୋଦିନୀ ଦୁଇ ବାହୁରେ ବେଷ୍ଟନ କରି ମୁହୂର୍ତ୍ତକ ମଧ୍ୟରେ ଅକସ୍ମାତ୍‌ ଏହି ଅପରୂପ ସୌନ୍ଦର୍ଯ୍ୟାଲୋକକୁ ବିହାରୀକୁ ଉତ୍ତୀର୍ଣ୍ଣ କରିଦେଇଚି, ସେହି ବିନୋଦିନୀକୁ ସେ କିପରି ଭୁଲିପାରିବ ? ତା’ର ଦୃଷ୍ଟି, ତା’ର ଆକାଙ୍‌କ୍ଷା ଆଜି ସର୍ବତ୍ର ବ୍ୟାପ୍ତ ହୋଇପଡ଼ିଛି । ତା’ର ବ୍ୟାକୁଳ ଘନନିଃଶ୍ୱାସ ବିହାରୀର ରକ୍ତସ୍ରୋତକୁ ଅହରହ ତରଙ୍ଗିତ କରୁଚି ଏବଂ ତା’ର ସ୍ପର୍ଶର ସୁକୋମଳ ଉତ୍ତାପ ବିହାରୀକୁ ବେଷ୍ଟନ କରି ତା’ର ପୁଲକାବିଷ୍ଟ ହୃଦୟକୁ ଫୁଲପରି ବିକଶିତ କରିଦେଇଚି ।

 

କିନ୍ତୁ ତଥାପି ସେହି ବିନୋଦିନୀ ପାଖରୁ ଆଜି ବିହାରୀ କାହିଁକି ଏତେଦୂରରେ ରହିଚି ? ତା’ର କାରଣ ହେଉଚି, ଯେଉଁ ସୌନ୍ଦର୍ଯ୍ୟ-ରସରେ ବିନୋଦିନୀ ବିହାରୀକୁ ଅଭିଷିକ୍ତ କରିଚି, ସଂସାରରେ ବିନୋଦିନୀ ସହିତ ସେହି ସୌନ୍ଦର୍ଯ୍ୟର ଉପଯୁକ୍ତ କୌଣସି ସମ୍ୱନ୍ଧ ବିହାରୀ କଳ୍ପନା କରିପାରୁନାହିଁ । ପଦ୍ମଫୁଲ ତୋଳିବାକୁ ଗଲେ ଫୁଲର ନାଡ଼ ସହିତ ନିଶ୍ଚୟ ପଙ୍କ ଉଠିଆସିବ । କ’ଣ କହି ସେ ତାକୁ ଏପରି ଏକ ସ୍ଥାନରେ ସ୍ଥାପନ କରିଦେଇପାରିବ, ଯେଉଁଠାରେ କି ତା’ର ସୌନ୍ଦର୍ଯ୍ୟବିଭତ୍ସ ହୋଇପଡ଼ିବାର କୌଣସି ଭୟ ନ ଥିବ । ତା’ପରେ ଯଦି ମହେନ୍ଦ୍ର କଳହ ଲାଗିଯାଏ, ତେବେ ବିଷୟଟି ଏପରି କୁତ୍ସିତ ଆକାର ଧାରଣ କରିବ ଯେ, ସେପରି କୌଣସି ସମ୍ଭାବନାକୁ ବିହାରୀ ଆପଣାମନରେ ସୁଦ୍ଧା ତା’ର ମାନସୀପ୍ରତିମାକୁ ପ୍ରତିଷ୍ଠିତ ଆପଣାର ହୃଦୟକୁ ଧୂପପରି ଦଗ୍‍ଧ କରୁଚି । କାଳେ ସେ ଆପଣାକୁ ସୁଖ-ସ୍ୱପ୍ନ-ଜାଲ ଛିନ୍ନ-ବିଚ୍ଛିନ୍ନ ହୋଇଯିବାଭଳି କୌଣସି ସମ୍ୱାଦ ପାଇବ, ସେଥିପାଇଁ ଚିଠି ଲେଖି ସେ ବିନୋଦିନୀର କୌଣସି ଖବର ନେଉନାହିଁ-

 

ଆପଣା ବଗିଚାର ପ୍ରାନ୍ତରେ ଫଳପୂର୍ଣ୍ଣ ଜାମୁଗଛତଳେ ମେଘାଚ୍ଛନ୍ନ ପ୍ରଭାତରେ ବିହାରୀ ଚୁପ ହୋଇ ବସିଥିଲା, ସମ୍ମୁଖରେ କୋଠିର ଡଙ୍ଗା ଯାତାୟାତ କରୁଥିଲା । ସେ ତାହାପ୍ରତି ଅଳସଭାବରେ ଦୃଷ୍ଟିପାତ କରୁଥିଲା । କ୍ରମେ ବେଳ ଅନେକ ହୋଇଯିବାକୁ ଲାଗିଲା । ଚାକର ଆସି ଆହାରର ଆୟୋଜନ କରିବ କି ନାହିଁ ବୋଲି ପଚାରିଲା । ବିହାରୀ କହିଲା, ‘ଆଉ ଟିକିଏ ଯାଉ ।’ ମିସ୍ତ୍ରି ସର୍ଦ୍ଦାର ବିଶେଷ ପରାମର୍ଶ ପାଇଁ ତାକୁ କାମ ଦେଖିଯିବାକୁ ଆହ୍ୱାନ କଲା । ବିହାରୀ କହିଲା, ‘ପରେ ଦେଖିବି ।’

 

ଏହି ସମୟରେ ହଠାତ୍‌ ଚମକି ଉଠି ବିହାରୀ ଦେଖିଲା, ସମ୍ମୁଖରେ ଅନ୍ନପୂର୍ଣ୍ଣା । ସେ ବ୍ୟସ୍ତ ହୋଇ ଉଠିପଡ଼ିଲା । ଦୁଇ ହାତରେ ତାଙ୍କର ପାଦ ଧରି ଭୂତଳରେ ମସ୍ତକ ରଖି ପ୍ରଣାମ କଲା । ଅନ୍ନପୂର୍ଣ୍ଣା ତାଙ୍କର ଦକ୍ଷିଣହସ୍ତଦ୍ୱାରା ପରମସ୍ନେହରେ ବିହାରୀର ମୁଣ୍ଡ ଓ ଦେହ ସ୍ପର୍ଶ କଲେ-। ଅଶ୍ରୁଜଡ଼ିତ ସ୍ୱରରେ କହିଲେ, ‘ବିହାରୀ, ତୁ ଝଡ଼ିଯାଇଚୁ କାହିଁକି ?’

 

ବିହାରୀ କହିଲା, ‘ଖୁଡ଼ୀ, ତୁମର ସ୍ନେହ ଫେରିପାଇବା ପାଇଁ ।’

 

ଶୁଣି ଅନ୍ନପୂର୍ଣ୍ଣାଙ୍କ ଆଖିରୁ ଝରଝର ଲୁହ ବହିବାକୁ ଲାଗିଲା । ବିହାରୀ ବ୍ୟସ୍ତ ହୋଇ କହିଲା, ‘ଖୁଡ଼ୀ ଏପର୍ଯ୍ୟନ୍ତ ତୁମର ଖିଆପିଆ ତ ହୋଇନାହିଁ ?’

 

ଅନ୍ନପୂର୍ଣ୍ଣା କହିଲେ, ‘ନାଇଁ, ଏପର୍ଯ୍ୟନ୍ତ ମୋର ଖାଇବାବେଳ ହୋଇନାହିଁ ।’

 

ବିହାରୀ କହିଲା, ‘ଚାଲ, ମୁଁ ରାନ୍ଧିବାର ଯୋଗାଡ଼ କରିଦେବି । ଆଜି ଅନେକ ଦିନପରେ ତୁମ ହାତର ରନ୍ଧା ଓ ପ୍ରସାଦ ଖାଇବି ।’

 

ମହେନ୍ଦ୍ର ଓ ଆଶା ସମ୍ୱନ୍ଧରେ ବିହାରୀ କୌଣସି ପ୍ରଶ୍ନ କଲାନାହିଁ । ଦିନେ ଅନ୍ନପୂର୍ଣ୍ଣା ସ୍ୱହସ୍ତରେ ବିହାରୀ ପାଇଁ ସେହି ଦ୍ୱାର ବନ୍ଦ କରି ଦେଇଚନ୍ତି, ଅଭିମାନ ସହିତ ସେ ସେହି ନିଷ୍ଠୁର ନିଷେଧ ପାଳନ କଲା ।

 

ଆହାରାନ୍ତେ ଅନ୍ନପୂର୍ଣ୍ଣା କହିଲେ, ‘ଘାଟରେ ଡଙ୍ଗା ପ୍ରସ୍ତୁତ ହୋଇ ରହିଚି । ଥରେ କଳିକତା ଚାଲ ।’

 

ବିହାରୀ କହିଲା, ‘କଲିକତାରେ ମୋର କି କାମ ଅଛି ?’

 

ଅନ୍ନପୂର୍ଣ୍ଣା କହିଲେ, ‘ବର୍ତ୍ତମାନ ପିଉସୀ ଭାରି ଅସୁସ୍ଥ, ସେ ତୋତେ ଭାରି ଖୋଜୁଛନ୍ତି ।’

 

ଶୁଣି ବିହାରୀ ଚକିତ ହୋଇଉଠିଲା । ପଚାରିଲା, ‘ମହେନ୍ଦ୍ର ଭାଇ କେଉଁଠି ?’

 

ଅନ୍ନପୂର୍ଣ୍ଣା କହିଲେ, ‘ସେ କଲିକତାରେ ନାହିଁ, ପଶ୍ଚିମ ଚାଲିଯାଇଚି ।’

 

ମୁହୂର୍ତ୍ତକ ମଧ୍ୟରେ ବିହାରୀର ମୁହଁ ବିବର୍ଣ୍ଣ ହୋଇଗଲା । ସେ ନୀରବ ହୋଇ ରହିଲା ।

 

ଅନ୍ନପୂର୍ଣ୍ଣା ପଚାରିଲେ ‘ତୁ କ’ଣ ସବୁକଥା ଜାଣିନୁ ?’

 

ବିହାରୀ କହିଲା, ‘କିଛି ଜାଣିଚି, କିନ୍ତୁ ସବୁ ନୁହେଁ ।’

 

ଅନ୍ନପୂର୍ଣ୍ଣା ବିହାରୀକୁ ବିନୋଦିନୀ ସହିତ ମହେନ୍ଦ୍ରର ପଶ୍ଚିମ ପଳାୟନ ବାର୍ତ୍ତା ଦେଲେ ।

 

ତତ୍‌କ୍ଷଣାତ୍‌ ବିହାରୀ ଆଖିରେ ଜଳସ୍ଥଳ-ଆକାଶର ରଙ୍ଗ ବଦଳିଗଲା, ତା’ର କଳ୍ପନା-ଭଣ୍ଡାରର ସବୁ ସଞ୍ଚିତ ରସ ମୁହୂର୍ତ୍ତକ ମଧ୍ୟରେ ତିକ୍ତ ହୋଇଉଠିଲା ।

 

‘ମାୟାବିନୀ ବିନୋଦିନୀ କ’ଣ ସେଦିନ ସନ୍ଧ୍ୟାବେଳେ ମୋ’ ସହିତ ଖେଳ ଖେଳୁଥିଲା-? ତା’ର ଭଲ ପାଇବା ଓ ଆତ୍ମସମର୍ପଣ ପଣ ସବୁ କେବଳ ଛଳନା ମାତ୍ର ? ସେ ତା’ର ଗ୍ରାମ ତ୍ୟାଗ କରି ନିର୍ଭଜ୍ଜଭାବରେ ମହେନ୍ଦ୍ର ସହିତ ଏକାକିନୀ ପଶ୍ଚିମକୁ ବାହାରିଗଲା । ଧିକ୍‌ ତାକୁ, ଆଉ ଧିକ୍‍ ମୋତେ ଯେ ମୁଁ ମୂଢ଼ ତାକୁ କ୍ଷଣକ ପାଇଁ ମଧ୍ୟ ବିଶ୍ୱାସ କରିଥିଲି ।’

 

ହାୟ, ମେଘାଛନ୍ନ ଆକାଶର ସନ୍ଧ୍ୟା, ହାୟ ଗତବୃଷ୍ଟି ପୂର୍ଣ୍ଣିମାର ରାତି । ତୁମମାନଙ୍କର ଇନ୍ଦ୍ରଜାଲ ବର୍ତ୍ତମାନ ଗଲା କୁଆଡ଼େ ?

 

(୪୭)

 

ବିହାରୀ ଭାବୁଥିଲା, ସେ ଦୁଃଖିନୀ ଆଶାର ମୁହଁକୁ କିପରି ଚାହିଁପାରିବ ? ଯେତେବେଳେ ସେ ଦେହୁଡ଼ି ଭିତରେ ପ୍ରବେଶ କଲା, ସେତେବେଳେ ସମସ୍ତ ଅନାଥ ଘରଟାର ଘନୀଭୂତ ବିଷାଦ ତାହାକୁ ମୁହୂର୍ତ୍ତକ ମଧ୍ୟରେ ଆବୃତ କରି ପକାଇଲା । ଘରର ଦରୁଆନ୍‌ ଓ ଚାକରମାନଙ୍କ ମୁହକୁ ଚାହିଁ ଉନ୍ମତ୍ତ ନିରୁଦ୍ଦେଶ୍ୟ ମହେନ୍ଦ୍ର ପାଇଁ ବିହାରୀ ଲଜ୍ଜାରେ ମସ୍ତକ ନତ କଲା-। ପରିଚିତ ଭୃତ୍ୟମାନଙ୍କୁ ସେ ପୂର୍ବପରି ସ୍ନିଗ୍‍ଧ ଭାବରେ କୁଶଳ ପ୍ରଶ୍ନ କରିପାରିଲା ନାହିଁ । ଅନ୍ତଃପୁରରେ ପ୍ରବେଶ କରିବାକୁ ତା’ର ପାଦ ଚଳିଲା ନାହିଁ । ବିଶ୍ୱର ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ୍ୟଭାବରେ ମହେନ୍ଦ୍ର ଅସହାୟା ଆଶାକୁ ଯେଉଁ ଦାରୁଣ ଅପମାନ ମଧ୍ୟରେ ପକାଇ ଦେଇଯାଇଛି, ଯେଉଁ ଅପମାନ ନାରୀର ଚରମତମ ଆବରଣ ଅପହରଣ କରି ତାକୁ ସାରା ସଂସାରର ସକୌତୂହଳ କୃପାଦୃଷ୍ଟିବର୍ଷଣର ମଧ୍ୟସ୍ଥଳରେ ଆଣି ଠିଆ କରିଦିଏ, ସେହି ଅପମାନର ଅନାବୃତ ପ୍ରକାଶ୍ୟତା ମଧ୍ୟରେ ବିହାରୀ କୁଣ୍ଠିତ ଓ ବ୍ୟଥିତ ଆଶାକୁ ଦେଖି କିପରି ହୃଦୟ ଧରି ରହିପାରିବ ?

 

କିନ୍ତୁ ଏହିସବୁ ଚିନ୍ତା ଓ ସଙ୍କୋଚ ଲାଗି ଆଉ କୌଣସି ଅବସର ରହିଲା ନାହିଁ । ଅନ୍ତଃପୁରରେ ପ୍ରବେଶ କରିବା ମାତ୍ରେ ଆଶା ଦ୍ରୁତପଦରେ ଆସି ବିହାରୀକୁ କହିଲା, ‘ବିହାରୀ, ଶୀଘ୍ର ଆସି ଟିକିଏ ମାଆଙ୍କୁ ଦେଖିଯାଅ । ମାଆ ଭାରି କଷ୍ଟ ପାଉଚନ୍ତି ।’

 

ବିହାରୀ ସହିତ ଆଶାର ପ୍ରକାଶ୍ୟଭାବରେ ଏହାହିଁ ପ୍ରଥମ ବାକ୍ୟାଳାପ । ଦୁଃଖ ଓ ଦୁର୍ଦ୍ଦିନ ସାମାନ୍ୟ ଗୋଟିଏ ମାତ୍ର ଧକ୍‌କାରେ ସବୁ ବ୍ୟବଧାନ ଉଡ଼ାଇ ନିଏ । ଯେଉଁମାନେ ଦୂରରେ ଥାଆନ୍ତି, ହଠାତ୍‌ ବନ୍ୟା ମାଡ଼ି ଆସି ସେମାନଙ୍କୁ ଖଣ୍ଡିଏ ସଂକୀର୍ଣ୍ଣ ଭୂଖଣ୍ଡ ଉପରେ ଏକତ୍ର କରାଇଦିଏ ।

 

ଆଶାର ଏହି ସଙ୍କୋଚହୀନ ବ୍ୟାକୁଳତାରେ ବିହାରୀ ଆଘାତ ପାଇଲା । ମହେନ୍ଦ୍ର ଆପଣାର ସଂସାରକୁ ଯେ କ’ଣ କରିଦେଇ ଯାଇଚି, ଏହି କ୍ଷୁଦ୍ର ଘଟଣାରୁ ଯେପରି ସେ ତାହା ଅଧିକ ବୁଝିପାରିଲା । ଦୁର୍ଦ୍ଦିନର ତାଡ଼ନାରେ ଗୃହର ସାଜସଜ୍ଜା ସୌନ୍ଦର୍ଯ୍ୟ ଯେପରି ଉପେକ୍ଷିତ ହୋଇଚି, ସେହିପରି ଗୃହଲକ୍ଷ୍ମୀର ଲଜ୍ଜାର ଶ୍ରୀ ଟିକକ ମଧ୍ୟ କରିବା ପାଇଁ କୌଣସି ଅବସର ନାହିଁ । ଛୋଟ ଛୋଟ ଆବରଣ, ଅନ୍ତରାଳ, ବାଛବିଚାର ସବୁ ଖସିପଡ଼ିଛି । ସେଥିପ୍ରତି ଭ୍ରୂକ୍ଷେପ କରିବାକୁ ଆଉ ସମୟ ନାହିଁ ।

 

ବିହାରୀ ରାଜଲକ୍ଷ୍ମୀଙ୍କ ଘରେ ପ୍ରବେଶ କଲା । ରାଜଲକ୍ଷ୍ମୀ ଏକ ଆକସ୍ମିତ ଶ୍ୱାସକଷ୍ଟ ଅନୁଭବ କରି ବିବର୍ଣ୍ଣ ହୋଇଉଠିଥିଲେ । ତାହା ବେଶି କ୍ଷଣ ସ୍ଥାୟୀ ନ ହେବାରୁ ପୁଣି ସୁସ୍ଥବୋଧ କଲେ ।

 

ବିହାରୀ ପ୍ରଣାମ କରି ପଦଧୂଳି ଗ୍ରହଣ କରିସାରିବାପରେ ସେ ତାକୁ ପାଖରେ ବସିବାକୁ ଇଙ୍ଗିତ କଲେ, ଏବଂ ଧୀରେ ଧୀରେ କହିଲେ, ‘କିପରି ଅଛୁ ବିହାରୀ ? ତୋତେ କେତେଦିନହେଲା ଦେଖିନାହିଁ ।’

 

ବିହାରୀ କହିଲା, ‘ମାଆ । ତୁମେ ଅସୁସ୍ଥ, ଅଥଚ ସେହି ଖବର କାହିଁକି ମୋତେ ଜଣାଇଲ ନାହିଁ ? ତା’ ହେଲେ ମୁଁ କ’ଣ କେବେ ଆସିବାକୁ ମୁହୂର୍ତ୍ତେ ସୁଦ୍ଧା ବିଳମ୍ୱ କରିଥାନ୍ତି ?’

 

ରାଜଲକ୍ଷ୍ମୀ ମୃଦୁସ୍ୱରରେ କହିଲେ, ‘ସେ କଥା ମୁଁ ଜାଣିଚି ବାପା । ତୋତେ ସିନା ମୁଁ ଗର୍ଭରେ ଧାରଣ କରିନାହିଁ, କିନ୍ତୁ ଜଗତରେ ତୋ’ ଅପେକ୍ଷା ମୋର ଆଉ ଆପଣାର କିଏ ଅଛି କହିଲୁ !’ କହୁ କହୁ ତାଙ୍କର ଆଖିରୁ ଲୁହ ଗଡ଼ିପଡ଼ିଲା ।

 

ବିହାରୀ ତରତର ହୋଇ ଉଠିପଡ଼ି ଘରର ଥାକ ଉପରେ ଥିବା ଔଷଧପତ୍ରର ଶିଶିଡବାମାନ ପରୀକ୍ଷା କରିବାଛଳରେ ଆତ୍ମସମ୍ୱରଣର ଚେଷ୍ଟା କଲା । ଫେରିଆସି ଯେତେବେଳେ ସେ ରାଜଲକ୍ଷ୍ମୀଙ୍କର ନାଡ଼ୀ ଦେଖିବାକୁ ଉଦ୍ୟତ ହେଲା, ସେତେବେଳେ ରାଜଲକ୍ଷ୍ମୀ କହିଲେ, ‘ମୋ’ ନାଡ଼ୀ ପଛେ ଦେଖିବୁ । ତୁ ଏପରି କାହିଁକି ଧଡ଼ିଆ ହୋଇଯାଇଚୁ କହିଲୁ ।’ କହି ରାଜଲକ୍ଷ୍ମୀ ତାଙ୍କର କୃଶ ହସ୍ତ ଉଠାଇ ବିହାରୀର ପିଠିରେ ହାତ ବୁଲାଇବାକୁ ଲାଗିଲେ ।

 

ବିହାରୀ କହିଲା, ‘ତୁମ ହାତର ମାଛଝୋଳ ନ ଖାଇଲେ ମୋର ଏ ହାଡ଼ କେବେହେଲେ ଲୁଚିବ ନାହିଁ, ତୁମେ ଶୀଘ୍ର ଶୀଘ୍ର ଭଲ ହୋଇଯାଅ । ମୁଁ ରୋଷେଇର ଆୟୋଜନ କରି ରଖିବି ।’

 

ଈଷତ୍ ହସି ରାଜଲକ୍ଷ୍ମୀ କହିଲେ, ‘ଶୀଘ୍ର ଶୀଘ୍ର ଆୟୋଜନ କର ବାପା । କିନ୍ତୁ ରେଷେଇର ନୁହେଁ ।’ କହି ବିହାରୀର ହାତ ଚାପିଧରି କହିଲେ, ‘ବିହାରୀ ତୁ ଘରକୁ ବୋହୂ ଆଣ । ତୋ’ କଥା ବୁଝିବାକୁ ଘରେ କେହି ନାହାନ୍ତି । ମଝିଆଁବୋହୂ, ଏଥର ତୁମେମାନେ ବିହାରୀକୁ ବାହା କରିଦିଅ । ଦେଖିଲୁ, ପିଲାଟାର ଚେହେରା କେମିତି ହୋଇଗଲାଣି ।’

 

ଅନ୍ନପୂର୍ଣ୍ଣା କହିଲେ, ‘ତୁମେ ଭଲ ହୋଇଯାଅ ଅପା । ଇଏ ତ ତୁମରି କାମ, ତୁମେ ସମ୍ପନ୍ନ କରିବ । ଆମେ ସମସ୍ତେ କେବଳ ଯୋଗଦେଇ ଆମୋଦ କରିବୁ’ ।

 

ରାଜଲକ୍ଷ୍ମୀ କହିଲେ, ‘ମୋର ଆଉ ସମୟ ହେବ ନାହିଁ, ମଝିଆଁ ବୋହୂ । ବିହାରୀର ଭାର ତୁମମାନଙ୍କ ଉପରେ ରହିଲା । ତାକୁ ତୁମେମାନେ ସୁଖୀ କରିବ । ତା’ର ଋଣ ମୁଁ ଶୁଝିପାରିଲି ନାହିଁ, କିନ୍ତୁ ଭଗବାନ ନିଶ୍ଚୟ ତା’ର ଭଲ କରିବେ ।’ କହି ବିହାରୀର ମସ୍ତକରେ ଦକ୍ଷିଣ ହସ୍ତ ବୁଲାଇ ଆଣିଲେ । ଆଶା ଆଉ ସେ ଘରେ ରହିପାରିଲା ନାହିଁ, କାନ୍ଦିବା ପାଇଁ ବାହାରକୁ ଚାଲିଗଲା-। ଅନ୍ନପୂର୍ଣ୍ଣା ଲୋତକପୂର୍ଣ୍ଣ ଚକ୍ଷୁରେ ବିହାରୀ ଆଡ଼କୁ ସସ୍ନେହ ଦୃଷ୍ଟିପାତ କଲେ ।

 

ରାଜଲକ୍ଷ୍ମୀଙ୍କର ହଠାତ୍‌ କ’ଣ ମନେପଡ଼ିଲା । ସେ ଡାକିଲେ, ‘ବୋହୂ, ବୋହୂ ।’

 

ଆଶା ଘରେ ପ୍ରବେଶ କରିବାକୁ କହିଲେ, ‘ବାହାରୀର ଖାଇବା ବନ୍ଦୋବସ୍ତ କରିଚୁ ତ-?’

 

ବିହାରୀ କହିଲା, ‘ମାଆ ତୁମର ଏଇ ପେଟୁ ପୁଅଟିକୁ ସମେସ୍ତ ଚିହ୍ନିସାରିଲେଣି । ଦେହୁଡ଼ିରେ ଗୋଡ଼ ଦେବାମାତ୍ରେ ଦେଖିଲି ଯେ ବିହନ ଥିବା ବଡ଼ ବଡ଼ କଉମାଛ ପାଛିଆରେ ନେଇ ଚାକରାଣୀ ଡଗ-ଡଗ ହୋଇ ଘର ଭିତରକୁ ଦଉଡ଼ିଚି । ବୁଝିଲି, ଏ ଘରେ ଆଜିଯାଏ ମୋର ଖ୍ୟାତି ଲୁପ୍ତ ହୋଇନାହିଁ ।’ କହି ବିହାରୀ ହସି ହସି ଆଶା ଆଡ଼କୁ ଚାହିଁଲା ।

 

ଆଶା ଆଜି ଲଜ୍ଜିତ ହୋଇ ସ୍ନେହପେୂର୍ଣ୍ଣ ସ୍ନିଗ୍‍ଧ ହାସ୍ୟରେ ବିହାରୀର ପରିହାସ ଗ୍ରହଣ କଲା । ବିହାରୀ ଯେ ଏ ଘରର କ’ଣ, ଆଶା ତାହା ପୂର୍ବେ ସମ୍ପୂର୍ଣ୍ଣଭାବେ ଜାଣି ନ ଥିଲା । ଅନେକ ସମୟରେ ତାକୁ ଅନାବଶ୍ୟକ ଆଗନ୍ତୁକ ମନେକରି ସେ ଅବଜ୍ଞା କରିଚି । ଅନେକ ସମୟରେ ତା’ର ଅଗୋଚରରେ ବିହାରୀପ୍ରତି ଏକ ବିମୁଖଭାବ ସୁସ୍ପଷ୍ଟ ପରିସ୍ଫୁଟ ହୋଇଉଠିଚି । ସେହି ଅନୁତାପର ଧିକ୍‌କାରରେ ଆଜି ବିହାରୀପ୍ରତି ତା’ର ଶ୍ରଦ୍ଧା ଏବଂ କରୁଣା ସବେଗରେ ଧାବିତ ହେଉଚି ।

 

ରାଜଲକ୍ଷ୍ମୀ କହିଲେ, ‘ମଝିଆଁ ବୋହୂ, ସେ ପୂଜାରୀର କାମ ନୁହେଁ । ରୋଷେଇଟା ତୁ ଯାଆ ଠିଆ ହୋଇ କହିଦେବୁ । ଆମର ଏଇ ପୂର୍ବବଙ୍ଗର ପୁଅଟି ଅତିରିକ୍ତ ରାଗ ନ ହେଲେ ଖାଇପାରେନାହିଁ ।’

 

ବିହାରୀ–ମାଆ, ତୁମ ମାଆ ଥିଲେ ବିକ୍ରମପୁରର ଝିଅ, ଆଉ ତୁମେ ନଦିଆ ଜିଲ୍ଲାର ଭଦ୍ର ସନ୍ତାନକୁ ପୂର୍ବବଙ୍ଗର ଅଧିବାସୀ ବୋଲି କହୁଚ ? ଏ ତ ମୋର ସହ୍ୟ ହେଉନାହିଁ ।

 

ଏଇ କଥାନେଇ ଅନେକ ପରିହାସ ହେଲା ଏବଂ ଅନେକ ଦିନପରେ ମହେନ୍ଦ୍ରଙ୍କ ଘରେ ବିଷାଦଭାର ଯେପରି ଲଘୁ ହୋଇଗଲା ।

 

କିନ୍ତୁ ଏତେ କଥାବାର୍ତ୍ତା ମଧ୍ୟରେ କୌଣସି ପକ୍ଷରୁ କେହି ମହେନ୍ଦ୍ରର ନାମ ଉଚ୍ଚାରଣ କଲେ ନାହିଁ ।

 

ପୂର୍ବେ ବିହାରୀ ସହିତ ମହେନ୍ଦ୍ର ବିଷୟରେ କଥାବାର୍ତ୍ତା କରିବା ରାଜଲକ୍ଷ୍ମୀଙ୍କର ଏକମାତ୍ର କଥା ଥିଲା । ସେଥିପାଇଁ ନିଜେ ମହେନ୍ଦ୍ର ଅନେକ ଥର ଆପଣାର ମାଆକୁ ପରିହାସ କରିଚି । ଆଜି ସେହି ରାଜଲକ୍ଷ୍ମୀଙ୍କ ମୁହଁରୁ ସୁଦ୍ଧା ମହେନ୍ଦ୍ରର ନାଆଁ ନ ଶୁଣି ବିହାରୀ ମନେ ମନେ ସ୍ତମ୍ଭିତ ହେଲା ।

 

ରାଜଲକ୍ଷ୍ମୀଙ୍କର ଟିକିଏ ନିଦ୍ରାବେଶ ହେବାରୁ ବାହାରକୁ ଆସି ବିହାରୀ ଅନ୍ନପୂର୍ଣ୍ଣାଙ୍କୁ କହିଲା, ‘ମାଆଙ୍କର ଅବସ୍ଥା ତ ମୁଁ ଆଦୌ ଦେଖୁନାହିଁ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ହୁଁ– ।’ କହି ତାଙ୍କ ଘର ଝରକା ପାଖରେ ଯାଇ ବସିପଡ଼ିଲେ ।

 

ଅନେକ ସମୟ ଚୁପ୍‌ ହୋଇ ବସିରହି କହିଲେ, ‘ଥରେ ମହେନ୍ଦ୍ରକୁ ଯାଇ ଡାକିଆଣିବୁ ନାହିଁ ବିହାରୀ ? ଆଉ ତ ଅଧିକ ବିଳମ୍ୱ କରିବା ଉଚିତ ନୁହେଁ ।’

 

ବିହାରୀ କିଛି ସମୟ ନିରୁତ୍ତର ରହି କହିଲା, ‘ତୁମେ ଯାହା ଆଦେଶ କରିବ, ମୁଁ ତାହା କରିବି । ତା’ର ଠିକଣା କ’ଣ କିଏ ଜାଣିଚି ?’

 

ଅନ୍ନପୂର୍ଣ୍ଣା–ଠିକ୍‌ କରି କେହି ଜାଣିନାହାନ୍ତି; ଖୋଜିବାକୁ ହେବ । ବିହାରୀ, ତୋତେ ମୁଁ ଆଉ ଗୋଟିଏ କଥା କହେ । ଆଶାର ମୁହଁକୁ ଥରେ ଚାହିଁ ଦେଖିଲୁ । ବିନୋଦିନୀ ହାତରୁ ଯେବେ ମହେନ୍ଦ୍ରକୁ ଉଦ୍ଧାର କରି ନ ପାରିବୁ, ତେବେ ଆଉ ସେ ବଞ୍ଚିବ ନାହିଁ । ତାହା ମୁହଁ ଦେଖିଲେ ବୁଝିପାରିବୁ ଯେ ତା’ର ଛାତିରେ ଆସି ମୃତ୍ୟୁବାଣ ବସିଲାଣି ।

 

ମନେ ମନେ ବିହାରୀ ତୀବ୍ର ହସି ଭାବିଲା, ‘ମୁଁ ପରକୁ ଉଦ୍ଧାର କରିବାକୁ ଯିବି ? ଭଗବାନ୍‌, ମୋତେ ଆସି ପୁଣି କିଏ ଉଦ୍ଧାର କରିବ ?’ କହିଲା, ‘ବିନୋଦିନୀର ଆକର୍ଷଣରୁ ଚିରକାଳ ପାଇଁ ମହେନ୍ଦ୍ରକୁ ଦୂରକରି ରଖିବି, ଏପରି ମନ୍ତ୍ର କ’ଣ ମୁଁ ଜାଣିଚି ଖୁଡ଼ୀ ? ମାଆଙ୍କ ବେମାରି ପାଇଁ ସେ ଦୁଇଦିନ ଶାନ୍ତ ହୋଇ ରହିପାରେ; କିନ୍ତୁ ସେ ଯେ ପୁଣି ଫେରି ନ ଯିବ, ତାହା ମୁଁ କିପରି କହିବି ?’

 

ଏହି ସମୟରେ ମଳିନବସନା ଆଶା ଅଧମୁଣ୍ଡରେ ଲୁଗା ଦେଇ ଧୀରେ ଧୀରେ ମାଉସୀଙ୍କ ଗୋଡ଼ପାଖରେ ଆସି ବସିଲା । ସେ ଜାଣିଥିଲା, ରାଜଲକ୍ଷ୍ମୀଙ୍କ ପୀଡ଼ା ସମ୍ୱନ୍ଧରେ ବିହାରୀ ସହିତ ଅନ୍ନପୂର୍ଣ୍ଣା ଆଲୋଚନା କରୁଛନ୍ତି; ତେଣୁ ଔତ୍ସୁକ୍ୟର ସହିତ ଶୁଣିବାକୁ ଆସିଲା । ପତିବ୍ରତା ଆଶାର ମୁହଁରେ ନିସ୍ତବ୍‍ଧ ଦୁଃଖର ନୀରବମହିମା ଦେଖି ବିହାରୀ ମନରେ ଅପୂର୍ବ ଭକ୍ତିର ସଞ୍ଚାର ହେଲା । ଶୋକର ତପ୍ତ ତୀର୍ଥଜଳରେ ଅଭିଷିକ୍ତ ହୋଇ ଏହି ତରୁଣୀ ରମଣୀ ପ୍ରାଚୀନ ଯୁଗର ଦେବୀମାନଙ୍କ ପରି ଏକ ଅଚଞ୍ଚଳ ମହିମା ଲାଭ କରିଚି । ସେ ଆଉ ବର୍ତ୍ତମାନ ସାମାନ୍ୟ ନାରୀ ନୁହେଁ; ସେ ଯେପରି ଦାରୁଣ ଦୁଃଖରେ ପୁରାଣବର୍ଣ୍ଣିତ ସାଧ୍ୱୀମାନଙ୍କର ବୟସ ପ୍ରାପ୍ତ ହୋଇଚି-

 

ବିହାରୀ ଆଶା ସହିତ ରାଜଲକ୍ଷ୍ମୀଙ୍କ ପଥ୍ୟ ଓ ଔଷଧ ସମ୍ୱନ୍ଧରେ ଆଲୋଚନା କରି ଯେତେବେଳେ ଆଶାକୁ ବିଦାୟ ଦେଲା, ସେତେବେଳେ ଗୋଟିଏ ଦୀର୍ଘନିଶ୍ୱାସ ପକାଇ ଅନ୍ନପୂର୍ଣ୍ଣାଙ୍କୁ କହିଲା, ମୁଁ ମହେନ୍ଦ୍ରକୁ ଉଦ୍ଧାର କରିବି ।’

 

ବିହାରୀ ମହେନ୍ଦ୍ରର ବ୍ୟାଙ୍କକୁ ଯାଇ ଖବର ପାଇଲା ଯେ ବ୍ୟାଙ୍କର ଏଲାହାବାଦ ଶାଖା ସହିତ ମହେନ୍ଦ୍ର ଅଳ୍ପଦିନ ହେଲା ଯୋଗସୂତ୍ର ସ୍ଥାପନ କରିଚି ।

 

(୪୮)

 

ଷ୍ଟେସନକୁ ଆସି ବିନୋଦିନୀ ସିଧା ଯାଇ ଇଣ୍ଟର କ୍ଲାସର ସ୍ତ୍ରୀଲୋକଙ୍କ ଡବାରେ ବସିଲା-

 

ମହେନ୍ଦ୍ର କହିଲା, ‘ନାଇଁ, ନାଇଁ । ମୁଁ ପରା ତୁମ ପାଇଁ ସେକେଣ୍ଡ କ୍ଲାସର ଟିକଟ କିଣିବାକୁ ଯାଉଚି ।’

 

ବିନୋଦିନୀ କହିଲା, ‘କି ଦରକାର ? ଏଇଥିରେ ମୁଁ ବେଶ୍‌ ଭଲରେ ଯାଇପାରିବି ।’

 

ମହେନ୍ଦ୍ର ଆଶ୍ଚର୍ଯ୍ୟ ହେଲା । ବିନୋଦିନୀ ସ୍ୱଭାବତଃ ବଡ଼ ସୌଖିନ୍‌ ଥିଲା । ପୂର୍ବେ ଦାରିଦ୍ର୍ୟର କୌଣସି ଲକ୍ଷଣ ତା’ପାଖରେ ଆଦୌ ପ୍ରୀତିକର ନ ଥିଲା । ନିଜର ସାଂସାରିକ ଦୈନ୍ୟକୁ ସେ ନିଜ ପକ୍ଷରେ ଅପମାନକର ବୋଲି ମନେକରୁଥିଲା । ମହେନ୍ଦ୍ର ଏତିକି ବୁଝିଥିଲା ଯେ ତାଙ୍କ ଘରର ଅଜସ୍ର ସ୍ୱଚ୍ଛଳତା, ବିଳାସ ଉପକରଣ ଏବଂ ସାଧାରଣଙ୍କ ନିକଟରେ ଧନୀ ବୋଲି ତାଙ୍କର ଗୌରବ ଏକ ସମୟରେ ବିନୋଦିନୀର ମନକୁ ଆକର୍ଷଣ କରିଥିଲା । ସେ ଅନାୟାସରେ ଏହି ଧନସମ୍ପଦ, ଏହିସବୁ ଆରାମ ଓ ଗୌରବର ଅଧିକାରିଣୀ ହୋଇପାରି ଥାଆନ୍ତା । ତା’ ମନକୁ ସେହି କଳ୍ପନା ଏକାନ୍ତ ଉତ୍ତେଜିତ କରୁଥିଲା । ଯେତେବେଳେ ଆଜି ମହେନ୍ଦ୍ର ଉପରେ ପ୍ରଭୁତ୍ୱ ଲାଭ କରିବାର ସମୟ ହେଲା, ନ ଚାହିଁ ମଧ୍ୟ ସେ ଯେତେବେଳେ ମହେନ୍ଦ୍ରର ସବୁ ଧନସମ୍ପତ୍ତିକୁ ନିଜ ଭୋଗରେ ଲଗାଇପାରେ, ସେତେବେଳେ ସେ କାହିଁକି ଏପରି ଅସହ୍ୟ ଉପେକ୍ଷାର ସହିତ ଏକାନ୍ତ ଉଦ୍ଧତ ଭାବରେ କଷ୍ଟକର ଲଜ୍ଜାକର ଦୀନତାକୁ ସ୍ୱୀକାର କରି ନେଉଚି ? ମହେନ୍ଦ୍ରପ୍ରତି ନିଜର ନିର୍ଭରକୁ ସେ ଯଥାସମ୍ଭବ ସଙ୍କୁଚିତ କରି ରଖିବାକୁ ଚାହେଁ । ଯେଉଁ ଉନ୍ମତ୍ତ ମହେନ୍ଦ୍ର ବିନୋଦିନୀକୁ ତାହାର ସ୍ୱାଭାବିକ ଆଶ୍ରୟରୁ ଚିରଦିନ ଚ୍ୟୁତ କରିଚି, ସେହି ମହେନ୍ଦ୍ର ହାତରୁ ସେ ଏପରି କିଛି ଚାହୁଁନାହିଁ, ଯାହା ତାହାର ସେହି ସର୍ବନାଶର ମୂଲ୍ୟସ୍ୱରୂପ ଗଣ୍ୟ ହୋଇପାରେ । ମହେନ୍ଦ୍ରର ଘରେ ଥିଲାବେଳେ ବିନୋଦିନୀର ଆଚରଣରେ ବୈଧବ୍ୟ ବ୍ରତର କାଠିନ୍ୟ ଖୁବ୍‌ ବେଶି ନ ଥିଲା । କିନ୍ତୁ ଏତେଦିନ ପରେ ଆପଣାକୁ ସେ ସର୍ବପ୍ରକାର ଭୋଗରୁ ବଞ୍ଚିତ କରିଚି । ବର୍ତ୍ତମାନ ସେ ଓଳିଏ ଖାଏ, ମୋଟାଲୁଗା ପିନ୍ଧେ । ତା’ର ସେହି ଅନର୍ଗଳ ଉତ୍ସରିତ ହାସ-ପରିହାସ ବା କୁଆଡ଼େ ଗଲା ? ଆଜିକାଲି ସେ ଏପରି ସ୍ତବ୍‍ଧ, ଏପରି ଆବୃତ, ଏପରି ସୁଦୂର, ଏପରି ଭୀଷଣ ହୋଇଉଠିଲାଣି ଯେ ମହେନ୍ଦ୍ର ତାକୁ ସାମାନ୍ୟ ଜୋରକରି ଗୋଟିଏ କଥା କହିବାକୁ ସୁଦ୍ଧା ସାହସ କରେ ନାହିଁ । ମହେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଅଧୀର ହୋଇ କ୍ରୁଦ୍ଧ ହୋଇ କେବଳ ଭାବିବାକୁ ଲାଗିଲା, ‘ବିନୋଦିନୀ ମୋତେ ଏତେ ଚେଷ୍ଟାରେ ଦୁର୍ଲଭ ଫଳପରି ଉଚ୍ଚ ଶାଖାରୁ ଆହରଣ କଲା । ତା’ପରେ ଘ୍ରାଣ ମାତ୍ର ନ ନେଇ ଆଜି ମାଟିରେ ପକାଇ ଦେଉଚି କାହିଁକି ?’

 

ମହେନ୍ଦ୍ର ପଚାରିଲା, ‘କେଉଁଯାଏ ଟିକେଟ କରିବି କୁହ ।’

 

ବିନୋଦିନୀ କହିଲା, ‘ପଶ୍ଚିମଆଡ଼େ ଯେଉଁଠିକି ଖୁସି, ଚାଲ । କାଲି ସକାଳେ ଯେଉଁଠି ଗାଡ଼ି ରହିବ, ସେଇଠି ଓହ୍ଲାଇ ପଡ଼ିବା ।’

 

ଏପରି ଭ୍ରମଣ ମହେନ୍ଦ୍ର ପାଖରେ ଲୋଭନୀୟ ନୁହେଁ, ତା’ ପକ୍ଷରେ ଆରାମର ବ୍ୟାଘାତ କଷ୍ଟକର । ବଡ଼ ସହରକୁ ଯାଇ ଭଲଭାବରେ ଆଶ୍ରୟ ନ ପାଇଲେ ମହେନ୍ଦ୍ରର ବଡ଼ ମୁଷ୍ଟିଲ । ସେ ଖୋଜାଖୋଜି କରି ଯୋଗାଡ଼ କରିନେବାର ଲୋକ ନୁହେଁ । ତେଣୁ ଅତ୍ୟନ୍ତ କ୍ଷୁବ୍‍ଧ ବିରକ୍ତ ମନରେ ସେ ଗାଡ଼ି ଉପରକୁ ଉଠିଲା । ଏଣେ ମନରେ କେବଳ ଭୟ ହେଲା, କାଳେ ବିନୋଦିନୀ ତାକୁ ନ ଜଣାଇ କେଉଁଠି ଗାଡ଼ିରୁ ଓହ୍ଲାଇଯିବ ।

 

ବିନୋଦିନୀ ଏପରି ଭାବରେ ଶନିଗ୍ରହ ପରି ଘୁରିବାକୁ, ଏବଂ ମହେନ୍ଦ୍ରକୁ ଘୁରାଇବାକୁ ଲାଗିଲା । ତାକୁ କେଉଁଠିହେଲେ ବିଶ୍ରାମ ଦେଲା ନାହିଁ । ବିନୋଦିନୀ ଅତିଶୀଘ୍ର ଲୋକଙ୍କୁ ଆପଣାର କରି ନେଇପାରେ । ଯେଉଁଠିକି ଯିବାର ଇଚ୍ଛା, ସେଠିକାର ସବୁ ଖବର ନିଏ । ଯାତ୍ରୀଶାଳାରେ ଆଶ୍ରୟ ନିଏ ଏବଂ ଯେଉଁଠି ଯାହା ଦେଖିବାର ଥାଏ, ବୁଲି ବୁଲି ବନ୍ଧୁ ସହାୟତାରେ ଦେଖିନିଏ । ବିନୋଦିନୀ ପାଖରେ ମହେନ୍ଦ୍ର ନିଜର ଅନାବଶ୍ୟକତାରେ ପ୍ରତିଦିନ ଆପଣାକୁ ହତମାନ ବୋଧ କରିବାକୁ ଲାଗିଲା । ଟିକେଟ୍‌ କିଣିଦେବା ବ୍ୟତୀତ ତା’ର ଆଉ କୌଣସି କାମ ନ ଥିଲା । ବାକି ସମୟତକ ତା’ର ପ୍ରବୃତ୍ତି ତାକୁ ଓ ସେ ଆପଣାର ପ୍ରବୃତ୍ତିକୁ ଦଂଶନ କରୁଥାଏ । ପ୍ରଥମେ ପ୍ରଥମେ କିଛିଦିନ ସେ ବିନୋଦିନୀ ସହିତ ରାସ୍ତାରେ ବୁଲିଥିଲା, କିନ୍ତୁ ତାହା କ୍ରମେ ଅସହ୍ୟ ହୋଇଉଠିଲା । ତା’ପରଠାରୁ ମହେନ୍ଦ୍ର ଆହାରାଦି କରି ଶୋଇବାର ଚେଷ୍ଟା କରେ ଏବଂ ବିନୋଦିନୀ ଦିନସାରା ବୁଲୁଥାଏ । ମାତୃସ୍ନେହଲାଳିତ ମହେନ୍ଦ୍ର ଯେ ଏପରି ଭାବରେ ବୁଲିପାରେ, ତାହା କେହି କଳ୍ପନା ସୁଦ୍ଧା କରିପାରୁ ନ ଥିଲା ।

 

ଦିନେ ଏଲାହାବାଦ ଷ୍ଟେସନରେ ଦି’ଜଣଯାକ ଗାଡ଼ି ପାଇଁ ଅପେକ୍ଷା କରି ରହିଥିଲେ । କୌଣସି ଆକସ୍ମିକ କାରଣରୁ ଗାଡ଼ି ଆସିବାରେ ବିଳମ୍ୱ ହେଉଥିଲା । ଇତିମଧ୍ୟରେ ଅନ୍ୟାନ୍ୟ ଗାଡ଼ିସବୁ ଆସୁଚି ଓ ଯାଉଚି, ବିନୋଦିନୀ ଯାତ୍ରୀମାନଙ୍କୁ ନିରୀକ୍ଷଣ କରି ଦେଖୁଚି । ପଶ୍ଚିମରେ ବୁଲୁ ବୁଲୁ ଚାରିଆଡ଼େ ନିରୀକ୍ଷଣ କରୁ କରୁ ସେ ହଠାତ୍‌ କାହାର ଦେଖାପାଇବ, ବୋଧହୁଏ ସେ ଏହିପରି ଆଶା କରୁଥିଲା । ଅନ୍ତତଃ ରୁଦ୍ଧ ଗଳିଭିତରେ ଜନହୀନ ଗୃହରେ ନିଶ୍ଚଳ ଉଦ୍ୟମରେ ନିଜକୁ ପ୍ରତିଦିନ ହତ୍ୟା କରିବା ଅପେକ୍ଷା ଏହି ନିତ୍ୟ ସନ୍ଧାନପରତା ମଧ୍ୟରେ, ଏହି ଉନ୍ମୁକ୍ତ ପଥର ଜନକୋଳାହଳ ମଧ୍ୟରେ ଶାନ୍ତି ରହିଚି ।

 

ହଠାତ୍‌ ଏକ ସମୟରେ ଷ୍ଟେସନର ଗୋଟିଏ କାଚ ବାକ୍‌ସ ଉପରେ ବିନୋଦିନୀର ଦୃଷ୍ଟି ପଡ଼ିଯିବାରୁ ସେ ଚମକି ଉଠିଲା । ଏହି ପୋଷ୍ଟ ଅଫିସର ବାକ୍‌ସ ମଧ୍ୟରେ ଯେଉଁ ଲୋକମାନଙ୍କର ପତ୍ତା ମିଳୁନାହିଁ, ସେମାନଙ୍କର ପତ୍ର ପ୍ରଦର୍ଶିତ ହୋଇଥାଏ । ଏହି ବାକ୍‌ସରେ ସଜ୍ଜିତ ଖଣ୍ଡିଏ ପତ୍ର ଉପରେ ବିନୋଦିନୀ ବିହାରୀର ନାମ ଦେଖିବାକୁ ପାଇଲା । ବିହାରୀଲାଲ ନାଆଁଟି ଅସାଧାରଣ ନୁହେଁ । ପତ୍ରର ବିହାରୀ ଯେ ବିନୋଦିନୀର ଅଭୀଷ୍ଟ ବିହାରୀ, ଏକଥା ମନେକରିବାର କୌଣସି ହେତୁ ନ ଥିଲା । ତଥାପି ବିହାରୀର ପୂରା ନାଆଁ ଦେଖି ସେହି ଗୋଟିଏ ମାତ୍ର ବିହାରୀ ଛଡ଼ା ଆଉ କେଉଁ ବିହାରୀ ବିଷୟରେ ତା’ର ମନରେ ମନ୍ଦେହ ସୁଦ୍ଧା ହେଲା ନାହିଁ । ପତ୍ରରେ ଲିଖିତ ଠିକଣାଟି ସେ ମୁଖସ୍ଥ କରିନେଲା । ଅତ୍ୟନ୍ତ ଅପ୍ରସନ୍ନ ମୁହଁରେ ମହେନ୍ଦ୍ର ଗୋଟିଏ ବେଞ୍ଚ ଉପରେ ବସିଥିଲା । ବିନୋଦିନୀ ସେଠାକୁ ଯାଇ କହିଲା, ‘କିଛିଦିନ ଏଲାହାବାଦରେ ରହିବା ।’

 

ବିନୋଦିନୀ ନିଜର ଇଚ୍ଛାନୁଯାୟୀ ମହେନ୍ଦ୍ରକୁ ଚଳାଉଚି, ଅଥଚ ତା’ର କ୍ଷୁଧିତ ଅତୃପ୍ତ ହୃଦୟକୁ ଖୋରାକମାତ୍ର ଦେଉନାହିଁ । ଏଥିପାଇଁ ମହେନ୍ଦ୍ରର ପୌରୁଷାଭିମାନ ପ୍ରତିଦିନ ଆହତ ହୋଇ ତା’ର ହୃଦୟ କ୍ରମଶଃ ବିଦ୍ରୋହୀ ହୋଇ ଉଠିଥିଲା । ଏଲାହାବାଦରେ କିଛିଦିନ ରହି ବିଶ୍ରାମ ନେଇପାରିଲେ ସେ ବଞ୍ଚିଯାଆନ୍ତା, କିନ୍ତୁ ଇଚ୍ଛାର ଅନୁକୂଳ ସୁଦ୍ଧା ବିନୋଦିନୀର ଖିଆଲରେ ସମ୍ମତି ଦେବାକୁ ତା’ ମନ ହଠାତ୍‌ ବିରୋଧ କଲା । ସେ ରାଗିଯାଇ କହିଲା, ‘ଯେତେବେଳେ ଯିବାକୁ ବାହାରିଚେ, ସେତେବେଳେ ଯିବା, ଆଉ ଫେରିବା କାହିଁକି ?’

 

ବିନୋଦିନୀ କହିଲା, ‘ମୁଁ ଯିବି ନାହିଁ ।’

 

ମହେନ୍ଦ୍ର କହିଲା, ‘ତେବେ ତୁମେ ଏକା ରହ । ମୁଁ ଚାଲିଯିବି ।’

 

ବିନୋଦିନୀ କହିଲା, ‘ଭଲ କଥା ।’ କହି ଦ୍ୱିରୁକ୍ତି ମାତ୍ର ନ କରି ଇଙ୍ଗିତରେ କୁଲି ଡାକି ଷ୍ଟେସନରୁ ବାହାରିଗଲା ।

 

ମହେନ୍ଦ୍ର ପୁରୁଷର କର୍ତ୍ତୃତ୍ୱାଧିକାର ନେଇ ମୁହଁ ଅନ୍ଧାର କରି ବେଞ୍ଚ ଉପରେ ବସିରହିଲା-। ଯେତେବେଳେ ବିନୋଦିନୀ ଦେଖାଯାଉଥିଲା, ସେପର୍ଯ୍ୟନ୍ତ ସେ ସ୍ଥିରହୋଇ ବସିରହିଲା । ଯେତେବେଳେ ବିନୋଦିନୀ ଥରେ ସୁଦ୍ଧା ପଛକୁ ନ ଚାହିଁ ବାହାରିଗଲା, ସେତେବେଳେ ସେ ତରତର ହୋଇ କୁଲି ମୁଣ୍ଡରେ ବାକ୍‌ସ ବିଛଣା ଥୋଇ ତାହାର ଅନୁସରଣ କଲା । ବାହାରକୁ ଆସି ଦେଖିଲା, ବିନୋଦିନୀ ଖଣ୍ଡେ ଗାଡ଼ିରେ ବସିଚି । ମହେନ୍ଦ୍ର କୌଣସି କଥା ନ କହି ଗାଡ଼ି ଉପରକୁ ମାଲ ଉଠାଇ କୋଚ୍‍ ବାକ୍‌ସରେ ଯାଇବସିଲା । ନିଜ ଅହଙ୍କାରକୁ ଖର୍ବ କରି ଗାଡ଼ି ଭିତରେ ବିନୋଦିନୀର ସମ୍ମୁଖରେ ବସିବାକୁ ଆଉ ତା’ର ମୁହଁ ରହିଲା ନାହିଁ ।

 

କିନ୍ତୁ ଗାଡ଼ି ଚାଲୁଚି ତ ଚାଲୁଚି । ପ୍ରାୟ ଘଣ୍ଟାଏ ହୋଇଗଲା । କ୍ରମେ ସହର ଛାଡ଼ି ଗାଡ଼ି ବିଲରାସ୍ତାରେ ପଡ଼ିଲା । ଗାଡ଼ିବାଲାକୁ ପ୍ରଶ୍ନ କରିବାକୁ ମହେନ୍ଦ୍ରର ଲଜ୍ଜାବୋଧ ହେଲା । କାରଣ କାଳେ ଗାଡ଼ିବାଲା ମନେକରିବ ଯେ ଭିତରର ସ୍ତ୍ରୀଲୋକଟି କର୍ତ୍ତୃପକ୍ଷ । କେଉଁ ଆଡ଼କୁ ଯିବାକୁ ହେବ, ସେ କଥା ମଧ୍ୟ ଏହି ଅନାବଶ୍ୟକ ପୁରୁଷଟି ସହିତ ସେ ପରାମର୍ଶ କରିନାହିଁ । ମହେନ୍ଦ୍ର ଆପଣାର ରୁଷ୍ଟ ଅଭିମାନକୁ ମନେ ମନେ ପରିପାକ କରି କୋଚ୍‍ ବାକ୍‌ସରେ ନୀରବରେ ବସିରହିଲା ।

 

ଗାଡ଼ି ନିର୍ଜନ ଯମୁନାକୂଳରେ ଗୋଟିଏ ସଯତ୍ନରକ୍ଷିତ ଘର ସମ୍ମୁଖରେ ଆସି ରହିଲା । ମହେନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲା । ଏ କାହାର ଘର ? ଠିକଣା ବିନୋଦିନୀ ଜାଣିଲା କିପରି ?

 

ଘର ବନ୍ଦ ଥିଲା । ଡକାଡକି କରିବାକୁ ବୃଦ୍ଧ ଗୃହରକ୍ଷକ ବାହାରକୁ ଆସିଲା । ସେ କହିଲା, ‘ଘରର ମାଲିକ ଧନୀ, ସେ ଅନେକ ଦୂରରେ ଥାନ୍ତି । ତାଙ୍କର ଅନୁମତି ନେଇ ଆସିଲେ ଏ ଘରେ ରହିପାରିବେ ।’

 

ବିନୋଦିନୀ ମହେନ୍ଦ୍ରର ମୁହଁକୁ ଚାହିଁଲା । ମହେନ୍ଦ୍ର ଏହି ମନୋରମ ଘରଟି ଦେଖି ଲୁବ୍‍ଧ ହୋଇପଡ଼ିଥିଲା । ଦୀର୍ଘକାଳପରେ କିଛିଦିନ ସ୍ଥିତିର ସମ୍ଭାବନାରେ ସେ ପ୍ରଫୁଲ୍ଲ ବୋଧ କଲା-। ବିନୋଦିନୀକୁ କହିଲା, ‘ତାହାହେଲେ ଚାଲ, ଘରବାଲାଙ୍କ ପାଖକୁ ଯିବା । ତୁମେ ବାହାରେ ଗାଡ଼ିରେ ଅପେକ୍ଷା କରିବ, ମୁଁ ଭିତରକୁ ଯାଇ ଭଡ଼ା ଠିକ୍‌ କରି ଆସିବି ।’

 

ବିନୋଦିନୀ କହିଲା, ‘ମୁଁ ଆଉ ବୁଲିପାରିବି ନାହିଁ । ତୁମେ ଯାଅ, ମୁଁ ଏଇଠି ବିଶ୍ରାମ କରେ । ଭୟର କୌଣସି କାରଣ ଦେଖୁନାହିଁ ।’

 

ମହେନ୍ଦ୍ର ଗାଡ଼ି ନେଇ ଚାଲିଗଲା । ବିନୋଦୀନୀ ବୁଢ଼ା ବ୍ରାହ୍ମଣକୁ ଡାକି ତା’ପିଲାପିଲିଙ୍କ କଥା ପଚାରିଲା, ସେମାନେ କୋଉଁଠି ଅଛନ୍ତି, କିଏ କେଉଁଠି ଚାକିରି କରିଛନ୍ତି, ଝିଅମାନଙ୍କର କେଉଁଠି ବିବାହ ହୋଇଛି । ତା’ର ସ୍ତ୍ରୀ ମୃତ୍ୟୁ ସମ୍ୱାଦ ଶୁଣି କରୁଣ ସ୍ୱରରେ କହିଲା, ‘ଆହା, ତୁମର ତ ଭାରି କଷ୍ଟ ହେଉଥିବ । ଏହି ବୟସରେ ତୁମେ ସଂସାରରେ ଏକୁଟିଆ ପଡ଼ିଗଲ !, ତୁମକୁ ଦେଖିବାକୁ କେହି ନାହାନ୍ତି ।’

 

ତା’ପରେ କଥାରେ ବିନୋଦିନୀ ପଚାରିଲା, ‘ବିହାରୀବାବୁ ଏଠି ଥିଲେ ନା ?’

 

ବୃଦ୍ଧ କହିଲା, ‘ହଁ, କିଛିଦିନ ଥିଲେ । ମାଆ କ’ଣ ତାଙ୍କୁ ଚିହ୍ନନ୍ତି ।’

 

ବିନୋଦିନୀ କହିଲା, ‘ଆମର ସେ ଆତ୍ମୀୟ ହୁଅନ୍ତି ।’

 

ବିନୋଦିନୀ ବୃଦ୍ଧପାଖରୁ ବିହାରୀ ବିବରଣ ଓ ବର୍ଣ୍ଣନା ଯାହା ପାଇଲା ତାହା ମନରେ ଆଉ କୌଣସି ସନ୍ଦେହ ରହିଲା ନାହିଁ । ବୁଢ଼ାଦ୍ୱାରା ଘର ଖୋଲାଇ କେଉଁ ଘରେ ବିହାରୀ ଶୋଉଥିଲା, କେଉଁଟା ତା’ ବସିବା ଘର ଥିଲା, ତାହାସବୁ ବୁଝିଲା । ତା’ର ଯିବାପରେ ଘରଗୁଡ଼ିକ ବନ୍ଦ ଥିଲା । ସେଥିପାଇଁ ମନେହେଲା ଯେପରି ସେଠାରେ ଅଦୃଶ୍ୟ ବିହାରୀର ସଞ୍ଚାର ସାରାଘରେ ଜମା ହୋଇରହିଛି । ପବନ ଯେପରି ତାହାକୁ ଭଡ଼ାଇ ନେଇପାରିନାହିଁ । ବିନୋଦିନୀ ଘ୍ରାଣଦ୍ୱାରା ହୃଦୟ ପୂର୍ଣ୍ଣ କରି ତାହା ଗ୍ରହଣ କଲା । ଘରର ବଦ୍ଧ ବାୟୁକୁ ସର୍ବାଙ୍ଗଦ୍ୱାରା ସ୍ପର୍ଶକଲା । କିନ୍ତୁ ବିହାରୀ ଯେ କେଉଁଆଡ଼େ ଗଲା, ସେ ସମ୍ୱାଦ ମିଳିଲା ନାହିଁ । ହୁଏତ ସେ ଫେରିଆସିପାରେ । ସ୍ପଷ୍ଟଭାବରେ କିଛି ଜଣାନାହିଁ । ବୃଦ୍ଧ ତା’ ପ୍ରଭୁଙ୍କୁ ପଚାରି ଆସି କହିବ ବୋଲି ବିନୋଦିନୀ ଆଶ୍ୱାସନା ଦେଲା ।

 

ଅଗ୍ରିମ ଭଡ଼ା ଦେଇ ରହିବାର ଅନୁମତି ନେଇ ମହେନ୍ଦ୍ର ଫେରିଆସିଲା ।

 

(୪୯)

Unknown

 

ହିମାଳୟ ଶିଖର ଯେଉଁ ଯମୁନାକୁ ତୁଷାରସ୍ଫୀତ ଅକ୍ଷୟ ଜଳଧାରା ଯୋଗାଇ ଦେଉଚି, କେତେକାଳରୁ କବିମାନେ ସେହି ଯମୁନା ମଧ୍ୟରେ ଯେଉଁ କବିତ୍ୱସ୍ରୋତ ଢାଳିଚନ୍ତି, ତାହା ମଧ୍ୟ ଅକ୍ଷୟ । ତା’ର କଳଧ୍ୱନିରେ କେତେ ବିଚିତ୍ର ଛନ୍ଦ ଧ୍ୱନିତ ହେଉଚି ଓ ତା’ର ତରଙ୍ଗଲୀଳାରେ କେତେ ଯୁଗର ପୁଲକୋଚ୍ଛ୍ୱସିତ ଭାବାବେଗ ଉଦ୍‌ବେଳିତ ହୋଇଉଠୁଚି ।

 

ପ୍ରଦୋଷରେ ସେଇ ଯମୁନାତୀରରେ ମହେନ୍ଦ୍ର ଯେତେବେଳେ ଆସି ବସିଲା, ସେତେବେଳେ ଘନଭୂତ ପ୍ରେମର ଆବେଗ ତାହାର ଦୃଷ୍ଟିରେ, ତାହାର ନିଃଶ୍ୱାସରେ, ତାହାର ଶିରାରେ, ତାହାର ଅସ୍ଥିମଧ୍ୟରେ ପ୍ରଗାଢ଼ ମୋହରସ-ପ୍ରବାହ ସଞ୍ଚାର କରିଦେଲା । ଆକାଶରେ ସୂର୍ଯ୍ୟାସ୍ତ କିରଣର ସ୍ୱର୍ଣ୍ଣବୀଣା ବେଦନାର ମୂର୍ଚ୍ଛନାରେ ଆଲୋକଶ୍ରୁତ ସଂଗୀତରେ ଝଙ୍କୃତ ହୋଇଉଠିଲା ।

 

ବିସ୍ତୀର୍ଣ୍ଣ ନିର୍ଜନ ବାଲୁତଟରେ ବିଚିତ୍ର ବର୍ଣ୍ଣଛଟାରେ ଧୀରେ ଧୀରେ ଦିନ ଅବସାନ ହୋଇଗଲା । ମହେନ୍ଦ୍ର ଚକ୍ଷୁ ଅର୍ଦ୍ଧ୍ୱମୁଦ୍ରିତ କରି କାବ୍ୟଲୋକରୁ ଗୋକ୍ଷୁରଧୂଳିଜାଲ ମଧ୍ୟରେ ବୃନ୍ଦାବନର ଧେନୁମାନଙ୍କର ଗୋଷ୍ଠରୁ ପ୍ରତ୍ୟାବର୍ତ୍ତନକାଳୀନ ହମ୍ୱାରବ ଶୁଣୁଥିଲା ।

 

ବର୍ଷାର ମେଘରେ ଆକାଶ ଆଚ୍ଛନ୍ନ ହୋଇଆସିଲା । ଅପରିଚିତ ସ୍ଥାନରେ ଅନ୍ଧକାର କେବଳ କୃଷ୍ଣ ବର୍ଣ୍ଣର ଆବରଣ ନୁହେଁ, ତାହା ବିଚିତ୍ର ରହସ୍ୟରେ ପରିପୂର୍ଣ୍ଣ । ତା’ ମଧ୍ୟରେ ଯେଉଁ ଆଭା, ଯେଉଁ ଆକୃତି ଦେଖାଯାଏ, ତାହା ଅଜ୍ଞାତ ଅନୁଚାରିତ ଭାଷାରେ କଥା କହେ । ପରବର୍ତ୍ତୀ ବାଲୁକାର ଅସ୍ଫୁଟ ପାଣ୍ଡୁରତା, ନିସ୍ତରଙ୍ଗ ଜଳର ମସୀକୃଷ୍ଣ କାଳିମା, ବଗିଚାର ଘନପଲ୍ଲବ ବିପୁଳ ନିମ୍ୱବୃକ୍ଷର ପୁଞ୍ଜୀଭୂତ ସ୍ତବ୍‍ଧତା, ତରୁହୀନ ମ୍ଲାନ ଧୂସର ତଟର ବଙ୍କିମରେଖା, ସେହି ଆଷାଢ଼ ସନ୍ଧ୍ୟାର ଅନ୍ଧକାରରେ ବିବିଧ ଅନିର୍ଦ୍ଧିଷ୍ଟ ପରିସ୍ଫୁଟ ଆକାରରେ ମିଳିତ ହୋଇ ମହେନ୍ଦ୍ରକୁ ଚାରିଆଡ଼ୁ ବେଷ୍ଟନ କରି ଧରିଲା ।

 

‘ପଦାବଳୀ’ର ବର୍ଷାଭିସାର ମହେନ୍ଦ୍ରର ମନେପଡ଼ିଲା-ଅଭିସାରିକା ଘରୁ ବାହାରିଚି । ଯମୁନାର ଏହି ତଟପ୍ରାନ୍ତରେ ସେ ଆସି, ଏକାକିନୀ ଠିଆହୋଇଚି । ପାରିହେବ କିପରି ? ‘ପାରିକରି ଦିଅ ପାରିକରି ଦିଅ’ । ମହେନ୍ଦ୍ର ବକ୍ଷରେ ସେହି ଡାକ ଆସି ବାଜୁଚି–‘ପାରିକରି ଦିଅ ।’

 

ନଦୀର ଅନ୍ଧକାର ପରପାରରେ ସେହି ଅଭିସାରିଣୀ ବହୁଦୂରରେ । ତଥାପି ମହେନ୍ଦ୍ର ତାକୁ ସ୍ପଷ୍ଟ ଦେଖିପାରୁଚି । ତା’ର କାଳ ନାହିଁ, ବୟସ ନାହିଁ, ସେ ଚିରନ୍ତନ ଗୋପବାଳା । କିନ୍ତୁ ମହେନ୍ଦ୍ର ତାକୁ ତଥାପି ଚିହ୍ନିଲା । ସେ ବିନୋଦିନୀ । ସବୁ ବିରହ, ସବୁ ବେଦନା, ସବୁ ଯୌବନଭାର ନେଇ ସେ କାଳରୁ ସେ ଅଭିସାରରେ ଯାତ୍ରା କରି କେତେଗୀତ ଓ କେତେଛନ୍ଦ ମଧ୍ୟଦେଇ ବର୍ତ୍ତମାନ କାଳର ତୀରରେ ଆସି ଉତ୍ତୀର୍ଣ୍ଣ ହୋଇଚି । ଆଜିର ଏହି ଜନହୀନ ଯମୁନାତଟ ଉପରେ ଥିବା ଆକାଶରୁ ତା’ର କଣ୍ଠସ୍ୱର ଶୁଣାଯାଉଚି,–‘ପାରିକରି ଦିଅ ଗୋ’ । ଡଙ୍ଗାପାଇଁ ସେ ଏହି ଅନ୍ଧାରରେ ଆଉ କେତେକାଳ ଏପରି ଏକୁଟିଆ ଠିଆହୋଇ ରହିବ ?

 

ମେଘର ଏକପ୍ରାନ୍ତ ଅପସାରିତ ହୋଇ କୃଷ୍ଣପକ୍ଷର ତୃତୀୟା ଚାନ୍ଦ ଦେଖାଗଲା । ଜ୍ୟୋତ୍ସ୍ନାର ମାୟାମନ୍ତ୍ରରେ ସେହି ନଦୀ ଓ ନଦୀତୀର, ସେହି ଆକାଶ ଓ ଆକାଶର ସୀମାନ୍ତ ପୃଥିବୀର ଅନେକ ବାହାରକୁ ଚାଲିଗଲା । ମର୍ତ୍ତ୍ୟର କୌଣସି ବନ୍ଧନ ରହିଲା ନାହିଁ । କାଳର ସମସ୍ତ ଧାରାବାହିକତା ଛିଣ୍ଡିଗଲା । ଅତୀତ କାଳର ସମସ୍ତ ଇତିହାସ ଲୁପ୍ତ, ଭବିଷ୍ୟତ କାଳର ସମସ୍ତ ଫଳାଫଳ ଅନ୍ତର୍ହିତ, କେବଳ ଏହି ରକତଧାରାପ୍ଳାବିତ ବର୍ତ୍ତମାନ ଟିକକ ଯମୁନା ଓ ଯମୁନାତଟ ମଧ୍ୟରେ ମହେନ୍ଦ୍ର ଆଉ ବିନୋଦିନୀକୁ ନେଇ ବିଶ୍ୱବିଧାନର ବାହାରେ ଚିରସ୍ଥାୟୀ ।

 

ମହେନ୍ଦ୍ର ମାତାଲ ହୋଇଉଠିଲା । ବିନୋଦିନୀ ଯେ ତାକୁ ପ୍ରତ୍ୟାଖ୍ୟାନ କରିବ, ଜ୍ୟୋତ୍ସ୍ନାରାତିର ଏହି ନିର୍ଜନ ସ୍ୱର୍ଗଖଣ୍ଡକୁ ଲକ୍ଷ୍ମୀରୂପରେ ପରିପୂର୍ଣ୍ଣ କରିଦେବ ନାହିଁ, ସେକଥା ସେ କଳ୍ପନା ସୁଦ୍ଧା କରିପାରିଲା ନାହିଁ । ତତ୍‌କ୍ଷଣାତ୍‌ ଉଠି ସେ ବିନୋଦିନୀକୁ ଖୋଜିବା ଲାଗି ଘରଆଡ଼କୁ ଗଲା ।

 

ଶୟନଗୃହକୁ ଆସି ଦେଖିଲା, ଘର ଫୁଲଗନ୍ଧରେ ପରିପୂର୍ଣ୍ଣ । ଉନ୍ମୁକ୍ତ ଝରକା କବାଟ ଦେଇ ଜ୍ୟୋତ୍ସ୍ନାର ଆଲୋକ ଶୁଭ୍ର ବିଛଣା ଉପରେ ଆସି ପଡ଼ିଚି । ବିନୋଦିନୀ ବଗିଚାରୁ ଫୁଲ ତୋଳି ମାଳ ଗୁନ୍ଥି ଖୋସାରେ ପିନ୍ଧିଚି, ବେକରେ ପିନ୍ଧିଚି, କଟିରେ ବାନ୍ଧିଚି । ଫୁଲରେ ଭୂଷିତ ହୋଇ ସେ ବସନ୍ତକାଳର ପୁଷ୍ପଭାରକାଳର ପଷ୍ପଭାରଲୁଣ୍ଠିତ ଲତାଟିପରି ଜ୍ୟୋତ୍ସ୍ନାରେ ବିଛଣା ଉପରେ ପଡ଼ିଚି ।

 

ମହେନ୍ଦ୍ରର ମୋହ ଦ୍ୱିଗୁଣ ହୋଇଉଠିଲା । ସେ ଅବରୁଦ୍ଧ କଣ୍ଠରେ ଡାକିଲା, ‘ବିନୋଦ, ମୁଁ ଯମୁନାତୀରରେ ଅପେକ୍ଷା କରି ବସିଥିଲି । ତୁମେ ଯେ ଏଠି ଅପେକ୍ଷା କରିଚ, ଆକାଶର ଚନ୍ଦ୍ର ମୋତେ ଏହି ସମ୍ୱାଦ ଦେଲା । ସେଥିପାଇଁ ମୁଁ ଚାଲିଆସିଲି ।’

 

ଏହିକଥା କହି ମହେନ୍ଦ୍ର ବିଛଣାରେ ବସିବାକୁ ଅଗ୍ରସର ହେଲା ।

 

ବିନୋଦିନୀ ଚକିତ ହୋଇ ଉଠିବସି ଦକ୍ଷିଣବାହୁ ପ୍ରସାରିତ କରି କହିଲା, ‘ଯାଅ-ଯାଅ, ତୁମେ ଏ ବିଛଣାରେ ବସ ନାହିଁ ।’

 

ଭରାପାଲର ଡଙ୍ଗା ଚଡ଼ାରେ ବସି ଅଟକିଗଲା । ମହେନ୍ଦ୍ର ସ୍ତମ୍ଭିତ ହୋଇ ଠିଆହୋଇ ରହିଲା । ଅନେକ ସମୟଯାଏ ତା’ ମୁହଁରୁ କଥା ବାହାରି ନାହିଁ । କାଳେ ମହେନ୍ଦ୍ର ନିଷେଧ ନ ମାନିବ, ସେଥିପାଇଁ ବିନୋଦିନୀ ଶଯ୍ୟା ଛାଡ଼ି ଉଠିଆସିଲା ।

 

ମହେନ୍ଦ୍ର କହିଲା, ‘ତେବେ ତୁମେ କାହାପାଇଁ ସଜ ହୋଇଚ ? କାହାପାଇଁ ଅପେକ୍ଷା କରିଚ ?’

 

ବିନୋଦିନୀ ଆପଣାର ବକ୍ଷ ଚାପିଧରି କହିଲା, ‘ଯାହାପାଇଁ ସଜ ହୋଇଚି, ସେ ମୋର ଅନ୍ତର ଭିତରେ ଅଛି ।’

 

ମହେନ୍ଦ୍ର କହିଲା, ’ସେ କିଏ ? ବିହାରୀ ?’

 

ବିନୋଦିନୀ କହିଲା, ‘ତା’ର ନାଆଁ ତୁମେ ଉଚ୍ଚାରଣ କର ନା ।’

 

ମହେନ୍ଦ୍ର–ତାରି ପାଇଁ ତୁମେ ପଶ୍ଚିମରେ ବୁଲୁଚ ?

 

ବିନୋଦିନୀ–ତାରି ପାଇଁ ।

 

ମହେନ୍ଦ୍ର–ତାରି ପାଇଁ ତୁମେ ଏଠାରେ ଅପେକ୍ଷା କରିଚ ?

 

ବିନୋଦିନୀ–ତାରି ପାଇଁ ।

 

ମହେନ୍ଦ୍ର–ତା’ର ଠିକଣା ଜାଣ ?

 

ବିନୋଦିନୀ–ଜାଣିନାହିଁ, କିନ୍ତୁ ଯେମିତି ହେଉ ନିଶ୍ଚୟ ଜାଣିବି ।

 

ମହେନ୍ଦ୍ର–କୌଣସିମତେ ଜାଣିବାକୁ ଦେବି ନାହିଁ ।

 

ବିନୋଦିନୀ–ଜାଣିବାକୁ ନ ଦେଲେ ସୁଦ୍ଧା ମୋ’ ହୃଦୟରୁ ତାକୁ କାଢ଼ି ନେଇପାରିବ ନାହିଁ-

 

ଏହା କହି ବିନୋଦିନୀ ଆଖିବୁଜି ଆପଣାର ହୃଦୟ ମଧ୍ୟରେ ବିହାରୀକୁ ଅନୁଭବ କଲା-

 

ସେହି ପୁଷ୍ପାଭରଣା ବିରହବିଧୂରମୂର୍ତ୍ତି ବିନୋଦିନୀଦ୍ୱାରା ପ୍ରବଳ ବେଗରେ ଆକୃଷ୍ଟ ଓ ପ୍ରତ୍ୟାଖ୍ୟାତ ହୋଇ ମହେନ୍ଦ୍ର ହଠାତ୍‌ ଭୀଷଣ ହୋଇଉଠିଲା । ମୁଷ୍ଟିବଦ୍ଧ କରି କହିଲା, ‘ଛୁରୀରେ କାଟି ତୁମ ବକ୍ଷଭିତରୁ ମୁଁ ତାକୁ ବାହାର କରି ଆଣିବି ।’

 

ବିନୋଦିନୀ ଅବିଚଳିତ ଭାବରେ କହିଲା, ‘ତୁମ ପ୍ରେମ ଅପେକ୍ଷା ତୁମର ଛୁରୀ ମୋ’ ହୃଦୟରେ ସହଜରେ ପ୍ରବେଶ କରିବ ।’

 

ମହେନ୍ଦ୍ର ! ତୁମେ ମୋତେ ଭୟ କରନାହିଁ କାହିଁକି ? ଏଠାରେ ତୁମର ରକ୍ଷକ ଆଉ କିଏ ଅଛି ?

 

ବିନୋଦିନୀ-ତୁମେ ମୋର ରକ୍ଷକ । ତୁମ ନିଜ ପାଖରୁ ତୁମେ ମୋତେ ରକ୍ଷା କରିବ ।

 

ମହେନ୍ଦ୍ର–ଏହି ଶ୍ରଦ୍ଧା ଓ ଏହି ବିଶ୍ୱାସ ଟିକକ ଏପର୍ଯ୍ୟନ୍ତତ ବାକି ଅଛି ?

 

ବିନୋଦିନୀ-ସେତକ ନ ଥିଲେ ମୁଁ ଆତ୍ମହତ୍ୟା କରି ମରିଥାଆନ୍ତି, ତୁମ ସହିତ ବାହାରି ଆସି ନ ଥାନ୍ତି ।

 

ମହେନ୍ଦ୍ର–କାହିଁକି ମରିଲ ନାହିଁ ? ବିଶ୍ୱାସର ଫାଶ ମୋ ବେକରେ ଗୁଡ଼ାଇ କାହିଁକି ମୋତେ ଦେଶ-ଦେଶାନ୍ତରକୁ ଟାଣିନେଇ ମାରୁଚ ? ତୁମେ ମରିଥିଲେ କେତେ ମଙ୍ଗଳ ହୋଇଥାନ୍ତା ଭାବି ଦେଖ ।

 

ବିନୋଦିନୀ–ମୁଁ ସେ କଥା ଜାଣେ । କିନ୍ତୁ ଯେତେଦିନଯାଏ ବିହାରୀର ଆଶା ଥିବ, ସେତେଦିନଯାଏ ମୁଁ ମରିପାରିବି ନାହିଁ ।

 

ମହେନ୍ଦ୍ର–ଯେତେଦିନଯାଏ ତୁମେ ନ ମରିବ, ସେତଦିନଯାଏ ମୋର ପ୍ରତ୍ୟାଶା ବି ମରିବ ନାହିଁ । ମୁଁ ମଧ୍ୟ ନିଷ୍କୃତି ପାଇବି ନାହିଁ । ଆଜିଠାରୁ ଭଗବାନଙ୍କ ପାଖରେ ମୁଁ ସର୍ବାନ୍ତଃକରଶରେ ତୁମର ମୃତ୍ୟୁକାମମନା କରିବି । ତୁମେ ମୋର ହେବ ନାହିଁ, ତୁମେ ବିହାରୀର ମଧ୍ୟ ହେବ ନାହିଁ । ତୁମେ ଯାଅ, ମୋତେ ଛୁଟି ଦିଅ । ମୋର ମାଆ କାନ୍ଦୁଛନ୍ତି, ମୋର ସ୍ତ୍ରୀ କାନ୍ଦୁଚି,-ସେମାନଙ୍କର ଅଶ୍ରୁ ମୋତେ ଏତେଦୂରରୁ ବିଦଗ୍‍ଧ କରୁଚି । ତୁମେ ନ ମଲେ, ତୁମେ ମୋର ଏବଂ ପୃଥିବୀର ସମସ୍ତଙ୍କର ଆଶାର ଅତୀତ ନ ହେଲେ, ମୁଁ ସେମାନଙ୍କର ଆଖିଲୁହ ପୋଛିବାକୁ ପାଇବି ନାହିଁ ।

 

ଏହା କହି ମହେନ୍ଦ୍ର ଦ୍ରୁତପଦରେ ବାହାରିଗଲା । ବିନୋଦିନୀ ଏକା ପଡ଼ିରହି ଆପଣାର ଚତୁର୍ଦ୍ଦିଗରେ ଯେଉଁ ମୋହଜାଲ ରଚନା କରୁଥିଲା, ତାହାକୁ ଛିନ୍ନଭିନ୍ନ କରି ଦେଇଗଲା । ଚୁପ୍‌ହୋଇ ଦଣ୍ଡାୟମାନ ରହି ବିନୋଦିନୀ ବାହାରକୁ ଚାହିଁରହିଲା । ଆକାଶଭରା ଜ୍ୟୋତ୍ସ୍ନାକୁ ଶୂନ୍ୟ କରିଦେଇ ତାହାର ସବୁ ସୁଧାରସ କୁଆଡ଼େ ଉଭେଇଗଲା । କିଆରୀ ହୋଇଥିବା ସେହି ଫୁଲ ବଗିଚା, ତା’ପରେ ବାଲୁକାତୀର, ତା’ପରେ ନଦୀର କୃଷ୍ଣଜଳ, ତା’ପରେ ପରପାରର ଅସ୍ଫୁଟତା-ଯେପରି ଖଣ୍ଡେ ବଡ଼ ଧଳାକାଗଜ ଉପରେ ପେନ୍‌ସିଲ୍‌–ଅଙ୍କା ଗୋଟିଏ ଚିତ୍ର ମାତ୍ର-ନୀରସ ଏବଂ ନିରର୍ଥକ ।

 

ବିନୋଦିନୀ ମହେନ୍ଦ୍ରକୁ କିପରି ବେଗରେ ଆକର୍ଷଣ କରିଚି, ପ୍ରଚଣ୍ଡ ଝଡ଼ପରି ଚେରମୂଳ ସହିତ ତାକୁ କିପରି ଉତ୍ପାଟିତ କରିଚି, ଆଜି ସେ କଥା ଅନୁଭବ କରି ତା’ର ହୃଦୟ ଆହୁରି ଅଶାନ୍ତ ହୋଇଉଠିଲା । ତା’ର ତ ଏପରି ପ୍ରବଳ ଶକ୍ତି ରହିଚି, ତେବେ କାହିଁକି ବିହାରୀ ପୂର୍ଣ୍ଣିମା ରାତ୍ରିର ଉଦ୍‌ବେଳିତ ତା’ର ସମ୍ମୁଖରେ ଆସି ଭାଙ୍ଗିପଡ଼ୁନାହିଁ ? କାହିଁକି ଏକ ଅନାବଶ୍ୟକ ଭଲ ପାଇବାର ପ୍ରବଳ ଅଭିଘାତ ପ୍ରତ୍ୟହ ବସି ତା’ର ଧ୍ୟାନ ଭଙ୍ଗ କରୁଚି ? ଆଉ ଆଗନ୍ତୁକର ରୋଦନ ବାରମ୍ୱାର ଆସି କାହିଁକି ତା’ର ଅନ୍ତରର ରୋଦନକୁ ପରିପୂର୍ଣ୍ଣ ଅବକାଶ ଦେଉନାହିଁ ? ସେ ଏହି ଯେଉଁ ପ୍ରକାଣ୍ଡ ଆନ୍ଦୋଳନ ସୃଷ୍ଟି କରିଚି, ଏହାକୁ ନେଇ ସାରାଜୀବନ ସେ କ’ଣ କରିବ ? ଏହାକୁ ସେ ବର୍ତ୍ତମାନ କେଉଁ ଉପାୟରେ ଶାନ୍ତ କରିବ ?

 

ଯେଉଁ ଫୁଲମାଳରେ ସେ ଆଜି ନିଜକୁ ଭୂଷିତ କରିଥିଲା, ତାହା ଉପରେ ମହେନ୍ଦ୍ରର ମୁଗ୍‍ଧ ଦୃଷ୍ଟି ପଡ଼ିଚି ଜାଣି ସେ ସବୁକୁ ଟାଣି ଛିଣ୍ଡାଇ ପକାଇଲା । ତା’ର ସବୁ ଶକ୍ତି ବୃଥା, ଚେଷ୍ଟା ବୃଥା, –ଏହି କାନନ, ଏହି ଜ୍ୟୋତ୍ସ୍ନା, ଏଇ ଯମୁନାତଟ, ଏହି ଅପୂର୍ବ ସୁନ୍ଦର ପୃଥିବୀ, ସବୁ ବୃଥା ।

 

ଏତେ ବ୍ୟର୍ଥତା, ତଥାପି ଯିଏ ଯେଉଁଠି ସେଇଠି ରହିଚି, ଜଗତରେ କୌଣସି ଜିନିଷର ଲେଶମାତ୍ର ବ୍ୟତ୍ୟୟ ହୋଇନାହିଁ । ତଥାପି କାଲି ସୂର୍ଯ୍ୟ ଉଠିବ ଏବଂ ସଂସାର ତା’ର କ୍ଷୁଦ୍ରତମ କାର୍ଯ୍ୟ ମଧ୍ୟ ଭୁଲିବ ନାହିଁ, ଏବଂ ଅବିଚଳିତ ବିହାରୀ ଯେପରି ଦୂରରେ ଥିଲା, ସେହିପରି ଦୂରରେ ରହି ବ୍ରାହ୍ମଣ ବାଳକକୁ ‘ବୋଧୋଦୟ’ ନୂଆପାଠ ଅଭ୍ୟାସ କରାଇବ ।

 

ବିନୋଦିନୀର ଆଖିରୁ ଲୁହ ଗଡ଼ିପଡ଼ିଲା । ତା’ର ସବୁ ବଳ ଓ ଆକାଙ୍‌କ୍ଷା ନେଇ ସେ ଆଜି କେଉଁ ପାଷାଣକୁ ଠେଲିବାରେ ଲାଗିଚି ? ତା’ର ହୃଦୟ ରକ୍ତରେ ଭାସିଗଲା, କିନ୍ତୁ ତା’ର ଅଦୃଷ୍ଟ ସୂଚ୍ୟଗ୍ର ପରିମାଣ ବି ଟଳିଲା ନାହିଁ ।

 

(୫୦)

 

ରାତିସାରା ମହେନ୍ଦ୍ର ଶୋଇନାହିଁ, କ୍ଲାନ୍ତ ଶରୀରରେ ଭୋର ଆଡ଼କୁ ତାକୁ ଟିକିଏ ଲାଗିଲା । ବେଳ ଆଠଟା ନଅଟାବେଳେ ନିଦ ଭାଙ୍ଗିବାରୁ ସେ ତରତର ହୋଇ ଉଠିବସିଲା । ଗତ ରାତିର ଗୋଟାଏ ଅସମାପ୍ତ ବେଦନା ନିଦ୍ରା ମଧ୍ୟରେ ମଧ୍ୟ ପ୍ରବାହିତ ହେଇଥିଲା । ସଚେତନ ମହେନ୍ଦ୍ର ପୁଣି ସେହି ବେଦନା ଅନୁଭବ କରିବାକୁ ଲାଗିଲା । କିଛି ସମୟ ପରେ ସବୁଘଟଣା ମନ ଭିତରେ ସ୍ପଷ୍ଟ ହୋଇଉଠିଲା । ସକାଳର ଖରାରେ ଅତୃପ୍ତ ନିଦ୍ରାରେ, କ୍ଲାନ୍ତିରେ ସାରା ଜଗତ ଏବଂ ଜୀବନ ଅତ୍ୟନ୍ତ ବିରସବୋଧ ହେଲା । ସଂସାର ତ୍ୟାଗର ଗ୍ଲାନି, ଧର୍ମତ୍ୟାଗର ଗଭୀର ପରିତାପ ଏବଂ ଏହି ଉଦ୍‌ଭ୍ରାନ୍ତ ଜୀବନର ସବୁ ଅଶାନ୍ତିଭାର ମହେନ୍ଦ୍ର କ’ଣ ପାଇଁ ବହନ କରୁଚି ? ଏହି ମୋହାବେଶଶୂନ୍ୟ ପ୍ରଭାତ ରୌଦ୍ରର ମନେହେଲା ସେ ବିନୋଦିନୀକୁ ଭଲ ପାଏ ନାହିଁ । ସେ ରାସ୍ତାଆଡ଼କୁ ଚାହିଁ ଦେଖିଲା ସମସ୍ତ ଜାଗ୍ରତ ପୃଥିବୀ କାର୍ଯ୍ୟବ୍ୟସ୍ତ । ସବୁ ଆତ୍ମଗୌରବକୁ ତାଙ୍କ ମଧ୍ୟରେ ବିସର୍ଜନ ଦେଇ ଗୋଟିଏ ବିମୁଖ ସ୍ତ୍ରୀଲୋକର ପଦପ୍ରାନ୍ତରେ ଅକର୍ମଣ୍ୟ ଜୀବନକୁ ପ୍ରତିଦିନ ଆବଦ୍ଧ କରି ରଖିବାରେ ଯେଉଁ ମୂଢ଼ତା, ତାହା ମହେନ୍ଦ୍ର ପାଖରେ ସୁସ୍ପଷ୍ଟ ହୋଇଉଠିଲା । ପ୍ରବଳ ଆବେଗର ଉଚ୍ଛ୍ୱାସ ପରେ ହୃଦୟରେ ଅବସାଦ ଉପସ୍ଥିତ ହୁଏ । କ୍ଲାନ୍ତ ହୃଦୟ ସେତେବେଳେ ଆପଣା ଅନୁଭୂତିର ବିଷୟକୁ କିଛିକାଳ ପାଇଁ ଦୂରକୁ ଠେଲି ରଖିବାକୁ ଚାହେଁ । ସେହିଭାବରେ ଭଟ୍ଟା ସମୟରେ ତଳେ ଥିବା ପ୍ରଚ୍ଛନ୍ନ ପଙ୍କ ବାହାରି ପଡ଼େ । ଯାହା ମୋହର ସଞ୍ଚାର କରିଥିଲା, ସେଥିରେ ବିତୃଷ୍ଣା ଜନ୍ମେ । ମହେନ୍ଦ୍ର ଯେ କ’ଣ ପାଇଁ ନିଜକୁ ଏପରି ଅପମାନିତ କରୁଚି, ଆଜି ସେ ତାହା ବୁଝିପାରିଲା ନାହିଁ । ସେ କହିଲା, ‘ମୁଁ ସର୍ବାଂଶରେ ବିନୋଦିନୀ ଅପେକ୍ଷା ଶ୍ରେଷ୍ଠ । ତଥାପି ଆଜି ମୁଁ ସର୍ବପ୍ରକାର ହୀନତା ଓ ଲାଞ୍ଚନା ସ୍ୱୀକାର କରି ଘୃଣିତ ପରି ତା’ର ପଶ୍ଚାତରେ ଅହୋରାତ୍ର ଦଉଡ଼ିଚି । ଏପରି ଅଦ୍‌ଭୂତ ପାଗଳାମି କେଉଁ ଶଇତାନ୍‌ ମୋ ମୁଣ୍ଡରେ ପୁରାଇ ଦେଇଚି ?’ ଆଜି ବିନୋଦିନୀ ମହେନ୍ଦ୍ର ପାଖରେ ଗୋଟିଏ ସ୍ତ୍ରୀଲୋକ ମାତ୍ର, ଆଉ କିଛି ନୁହେଁ । ତା’ର ଚତୁର୍ଦ୍ଦିଗରେ ସମଗ୍ର ପୃଥିବୀର ସୌନ୍ଦର୍ଯ୍ୟରୁ, କାବ୍ୟରୁ କାହାଣୀକୁ ଯେଉଁ ଲାବଣ୍ୟ ଜ୍ୟୋତି ଆକୃଷ୍ଟ ହୋଇଥିଲା, ଆଜି ତାହା ମାୟାମରୀଚିକା ଅନ୍ତର୍ହିତ ହୋଇଯିବା ପରେ ଗୋଟିଏ ସାମାନ୍ୟ ନାରୀମାତ୍ର ଅବଶିଷ୍ଟ ରହିଲା । ତା’ର ଆଉ କୌଣସି ଅପୂର୍ବତ୍ୱ ରହିଲା ନାହିଁ ।

 

ଏହି ଧିକ୍‌କୃତ ମୋହଚକ୍ରରୁ ନିଜକୁ ବିଚ୍ଛିନ୍ନ କରି ଘରକୁ ଫେରିଯିବା ପାଇଁ ମହେନ୍ଦ୍ର ବ୍ୟଗ୍ର ହୋଇଉଠିଲା । ଯେଉଁ ଶାନ୍ତି, ପ୍ରେମ ଏବଂ ସ୍ନେହ ତା’ର ଥିଲା, ତାହାହିଁ ତାହା ପାଖରେ ଦୁର୍ଲଭତମ ଅମୃତ ବୋଲି ହେଲା । ବିହାରୀର ଆଶୈଶବ ଅଟଳ ନିର୍ଭରଶୀଳ ବନ୍ଧୁତା ତା’ପାଖରେ ମହାମୂଲ୍ୟ ପରି ବୋଧହେଲା । ମହେନ୍ଦ୍ର ମନେ ମନେ କହିଲା, ‘ଯାହା ଯଥାର୍ଥ ଗଭୀର ,ଏବଂ ସ୍ଥାୟୀ, ତାହା ମଧ୍ୟରେ ଚେଷ୍ଟାରେ ବାଧାରେ ଆପଣାକୁ ସମ୍ପୂର୍ଣ୍ଣ ନିମଗ୍ନ କରିହୁଏ ବୋଲି ଗୌରବ ଆମେ ବୁଝିପାରୁନାହିଁ । ଯାହା କେବଳ ଚଞ୍ଚଳ ଛଳନା ମାତ୍ର, ଯାହାର ପରିତୃପ୍ତିରେ ମଧ୍ୟ ଲେଶମାତ୍ର ସୁଖନାହିଁ, ତାହା ଆମକୁ ନିଜ ପଛରେ ଉର୍ଦ୍ଧ୍ୱଶ୍ୱାସରେ ଘୋଡ଼ାଦୌଡ଼ କରାଏ ବୋଲି ତାହା ଚରମ କାମନାର ଧନ ପରି ମନେହୁଏ ।’

 

ମହେନ୍ଦ୍ର କହିଲା, ‘ଆଜି ଘରକୁ ଫେରିଯିବି । ବିନୋଦିନୀ ଯେଉଁଠି ରହିବାକୁ ଚାହିଁବ, ସେହିଠାରେ ତାକୁ ରଖିବାର ବ୍ୟବସ୍ଥା କରିଦେଇ ମୁଁ ମୁକ୍ତ ହେବି । ‘ମୁଁ ମୁକ୍ତ ହେବି,’ ଏହି କଥାକୁ ଦୃଢ଼ ସ୍ୱରରେ ଉଚ୍ଚାରଣ କରିବା ମାତ୍ରେ ତା’ ମନରେ ଏକପ୍ରକାର ଆନନ୍ଦର ଆବିର୍ଭାବ ହେଲା । ଏତେଦିନ ହେଲା ସେ ଯେଉଁ ଅବିଶ୍ରାମ ଦ୍ୱିଧାର ଭାର କରି ଆସୁଥିଲା, କ୍ରମେ ତାହା ହାଲୁକା ହୋଇଆସିଲା । ଏତେଦିନ ହେଲା ଏହି ମୁହୂର୍ତ୍ତରେ ଯାହା ତାକୁ ପରମ ଅପ୍ରୀତିକର ବୋଲି ମନେହେଉଥିଲା, ପରମୁହୂର୍ତ୍ତରେ ସେ ତାହା ପାଳନ କରିବାକୁ ବାଧ୍ୟ ହେଉଥିଲା । ଜୋର କରି ‘ନା’ କି ‘ହଁ’ ସେ କହିପାରୁ ନ ଥିଲା । ତା’ର ଅନ୍ତଃକରଣ ମଧ୍ୟରେ ଯେଉଁ ଆଦେଶ ଉତ୍‌ଥିତ ହେଉଥିଲା, ବରାବର ଜୋର କରି ତାକୁ ଦରବାଇ ରଖି ସେ ଅନ୍ୟ ପଥରେ ଯାଇଥିଲା । ଯେଉଁ ମୁହୂର୍ତ୍ତରେ ସେ ସବେଗରେ କହିଲା, ‘ମୁଁ ମୁକ୍ତିଲାଭ କରିବି,’ ସେହି ମୁହୂର୍ତ୍ତରେ ତା’ର ଦୋଳାୟିତ ପୀଡ଼ିତ ହୃଦୟ ଆଶ୍ରୟ ପାଇଁ ତାକୁ ଅଭିନନ୍ଦନ କଲା ।

 

ମହେନ୍ଦ୍ର ଶଯ୍ୟାତ୍ୟାଗ କରି ଉଠି ମୁହଁ ଧୋଇ ବିନୋଦିନୀ ସହିତ ଦେଖା କରିବାକୁ ଗଲା । ଯାଇ ଦେଖିଲା, ତା’ର କବାଟ ବନ୍ଦ । କବାଟରେ ଆଘାତ କରି କହିଲା, ‘ଶୋଇଚ କି ?’

 

ବିନୋଦିନୀ କହିଲା, ‘ନା–ତୁମେ ବର୍ତ୍ତମାନ ଯାଅ ।’

 

ମହେନ୍ଦ୍ର କହିଲା, ‘ତୁମ ସହିତ ବିଶେଷ କଥା ଅଛି । ମୁଁ ବେଶୀ ସମୟ ରହିବି ନାହିଁ ।’

 

ବିନୋଦିନୀ କହିଲା, ‘ମୁଁ ଆଉ କୌଣସି କଥା ଶୁଣିପାରିବି ନାହିଁ । ତୁମେ ଯାଅ ଆଉ ମୋତେ ବିରକ୍ତ କର ନାହିଁ । ମୋତେ ଏକା ରହିବାକୁ ଦିଅ ।’

 

ଅନ୍ୟ ସମୟ ହୋଇଥିଲେ ଏହି ପ୍ରତ୍ୟାଖ୍ୟାନରେ ମହେନ୍ଦ୍ରର ଆବେଗ ଆହୁରି ବଢ଼ିଉଠିଥାନ୍ତା । କିନ୍ତୁ ଆଜି ତା’ର ଅତ୍ୟନ୍ତ ଘୃଣା ବୋଧହେଲା । ସେ ଭାବିଲା, ‘ଏଇ ସାମାନ୍ୟ ସ୍ତ୍ରୀଲୋକ ପାଖରେ ମୁଁ ନିଜକୁ ଏତେ ହୀନ କରି ରଖିଚି ଯେ ମୋତେ ଯେତେବେଳେ ସେତେବେଳେ ଏପରି ଅବଜ୍ଞା କରିବାର ଅଧିକାର ଏହାର ଜନ୍ମିଚି । ସେହି ଅଧିକାର ଏହାର ସ୍ୱାଭାବିକ ଅଧିକାର ନୁହେଁ । ମୁଁ ତାକୁ ଏହି ଅଧିକାର ଦେଇ ତା’ର ଗର୍ବକୁ ଅନ୍ୟାୟ ଭାବରେ ବଢ଼ାଇ ଦେଇଚି । ଏହି ଲାଞ୍ଛନା ପରେ ମହେନ୍ଦ୍ର ନିଜ ମଧ୍ୟରେ ନିଜର ଶ୍ରେଷ୍ଠତ୍ୱ ଅନୁଭବ କରିବାକୁ ଚେଷ୍ଟା କଲା । ସେ କହିଲା, ‘ମୁଁ ଜୟୀ ହେବି । ଏହି ବନ୍ଧନ ଛେଦନ କରି ମୁଁ ଚାଲିଯିବି ।’

 

ଆହାରାନ୍ତେ ଟଙ୍କା ଆଣିବାକୁ ମହେନ୍ଦ୍ର ବ୍ୟାଙ୍କକୁ ଚାଲିଗଲା । ଟଙ୍କା ଆଣି ଆଶା ପାଇଁ ଓ ମାଆ ପାଇଁ କିଛି ଭଲ ନୂଆ ଜିନିଷ କିଣିବ ବୋଲି ବଜାରରେ ବୁଲିବାକୁ ଲାଗିଲା ।

 

ପୁଣିଥରେ ବିନୋଦିନୀର ଦ୍ୱାରରେ ଆଘାତ ପଡ଼ିଲା । ପ୍ରଥମେ ସେ ବିରକ୍ତ ହୋଇ କୌଣସି ଉତ୍ତର ଦେଲାନାହିଁ । ତା’ପରେ ବାରମ୍ୱାର ଆଘାତ ଶୁଣିବାରୁ ବିନୋଦିନୀ ଜ୍ୱଳନ୍ତ ରୋଷରେ ସବଳେ କବାଟ ଖୋଲି କହିଲା, ‘କାହିଁକି ତୁମେ ମୋତେ ବାରମ୍ୱାର ବିରକ୍ତ କରିବାକୁ ଆସୁଚ ?’ କଥା ଶେଷହେବା ପୂର୍ବରୁ ଦେଖିଲା ବିହାରୀ ଠିଆ ହୋଇଚି ।

 

ଘର ଭିତରେ ମହେନ୍ଦ୍ର ଅଛି କି ନାହିଁ ପାଇଁ ବିହାରୀ ଥରେ ଭିତରକୁ ଅନାଇଲା । ଦେଖିଲା, ଶୟନ ଘରେ ଶୁଖିଲା ଫୁଲ ଏବଂ ଛିଣ୍ଡାମାଳ ଘରଯାକ ପଡ଼ିଚି । ତା’ର ମନ ନିମେଷକ ମଧ୍ୟରେ ପ୍ରବଳ ବେଗରେ ବିମୁଖ ହୋଇ ଉଠିଲା । ବିହାରୀ ଯେତେବେଳେ ଦୂରରେ ଥିଲା, ସେତେବେଳେ ବିନୋଦିନୀ ଜୀବନଯାତ୍ରା ସମ୍ୱନ୍ଧରେ କୌଣସି ସନ୍ଦେହଜନକ ଚିତ୍ର ଯେ ତା’ର ମନରେ ଉଦୟ ହୋଇନାହିଁ, ତାହା ନୁହେଁ । କିନ୍ତୁ କଳ୍ପନାର ଲୀଳା ସେହି ଚିତ୍ରକୁ ଆଡ଼େଇ ଦେଇ ଗୋଟିଏ ଉଜ୍ଜ୍ୱଳ ମୋହନ ଛବି ଆଙ୍କି ଦେଉଥିଲା । ବିହାରୀ ଯେତେବେଳେ ଘର ଭିତରକୁ ପ୍ରବେଶ କରୁଥିଲା, ସେତେବେଳେ ତାହାର ହୃତକମ୍ପ ହେଉଥିଲା । କାଳେ କଳ୍ପନା ପ୍ରତିମାରେ ଅକସ୍ମାତ୍‌ ଆଘାତ ଲାଗିବ, ଏଥିପାଇଁ ତା’ର ଚିତ୍ତ ସଙ୍କୁଚିତ ହେଉଥିଲା । ବିହାରୀ ବିନୋଦିନୀ ଶୟନଗୃହ ସମ୍ମୁଖରେ ଠିଆ ହେବା ମାତ୍ରକେ ସେହି ଆଘାତ ପାଇଲା ।

 

ଦୂରରେ ଥିଲାବେଳେ ବିହାରୀ ମନେକରୁଥିଲା, ସେ ଆପଣାର ପ୍ରେମାଭିଷେକରେ ବିନୋଦିନୀର ଜୀବନର ସବୁ ପଙ୍କିଳତା ଅନାୟାସରେ ଧୌତ କରିଦେଇ ପାରିବ । ପାଖକୁ ଆସି ଦେଖିଲା, ତାହା ଆଦୌ ସହଜ ନୁହେଁ । ମନ ଭିତରେ କରୁଣାର ବେଦନା ତ କାହିଁ ଆସୁନାହିଁ ? ହଠାତ୍‌ ଘୃଣାର ତରଙ୍ଗ ଉଠି ଅଭିଭୂତ କରିଦେଲା । ବିନୋଦିନୀକୁ ବିହାରୀ ଅତ୍ୟନ୍ତ ମଳିନ ଦେଖିଲା ।

 

ମୁହୂର୍ତ୍ତକ ମଧ୍ୟରେ ବିହାରୀ ବୁଲି ଠିଆହୋଇ, ‘ମହେନ୍ଦ୍ର, ମହେନ୍ଦ୍ର’ ବୋଲି ଡାକିଲେ ।

 

ଏହି ଅପମାନ ପାଇ ବିନୋଦିନୀ ନମ୍ର ମୃଦୁ ସ୍ୱରରେ କହିଲା, ‘ମହେନ୍ଦ୍ର ନାହିଁ, ସହରକୁ ଯାଇଛି ।’

 

ବିହାରୀ ଚାଲିଯିବାକୁ ଉଦ୍ୟତ ହେବାରୁ ବିନୋଦିନୀ କହିଲା, ‘ବିହାରୀ, ତୁମ ଗୋଡ଼ତଳେ ପଡ଼ୁଚି, ତୁମେ ଟିକିଏ ବସ ।’

 

ବିହାରୀ କୌଣସି ଶୁଣିବ ନାହିଁ ବୋଲି ଭାବିଥିଲା । ଏହି ଘୃଣାପୂର୍ଣ୍ଣ ଦୃଶ୍ୟ ପାଖରୁ ସଙ୍ଗେ ସଙ୍ଗେ ଦୂରେଇ ଯିବ ବୋଲି ସ୍ଥିର କରିଥିଲା । କିନ୍ତୁ ବିନୋଦିନୀର କରୁଣ ଅନୁନୟପୂର୍ଣ୍ଣ ସ୍ୱର ଶୁଣିବାମାତ୍ରେ କ୍ଷଣକାଳ ପାଇଁ ତା’ର ପାଦ ଚଳିଲା ନାହିଁ ।

 

ବିନୋଦିନୀ କହିଲା, ‘ଆଜିଯଦି ତୁମେ ବିମୁଖ ହୋଇ ଚାଲିଯିବ, ତୁମେ ମୁଁ ତୁମର ଶପଥ ନେଇ କହୁଚି, ମୁଁ ପ୍ରାଣ ହରାଇ ଦେବି ।’

 

ବିହାରୀ ଫେରି ଠିଆହୋଇ ରହିଲା, ‘ବିନୋଦିନୀ, ତୁମ ଜୀବନ ସହିତ ମୋତେ ବାନ୍ଧିବାକୁ କାହିଁକି ଚେଷ୍ଟା କରୁଚ ? ମୁଁ ତୁମର କ’ଣ କରିଚି ? କେବେ ତ ମୁଁ ତୁମ ବାଟରେ ଠିଆ ହୋଇନାହିଁ ? ତୁମର ସୁଖଦୁଃଖରେ ହସ୍ତକ୍ଷେପ କରିନାହିଁ ?’

 

ବିନୋଦିନୀ କହିଲା, ‘ତୁମେ ଯେ ମୋତେ କେତେ ଅଧିକାର କରିଚ, ସେ କଥା ମୁଁ ଥରେ ତୁମକୁ ଜଣାଇଥିଲି । ତୁମେ ବିଶ୍ୱାସ କଲ ନାହିଁ । ତଥାପି ତୁମ ଭିତରେ ରହିଥିବା ସବୁ ବିରାଗ ସତ୍ତ୍ୱେ ଆଜି ପୁଣି ତୁମକୁ ସେହି କଥା ଜଣାଇଚି । ତୁମେ ତ ମୋତେ ନ କହି ଜଣାଇବାର, ଲଜ୍ଜା କରି ଜଣାଇବାର ସମୟ ଦେଇ ନାହଁ । ତୁମେ ମୋତେ ଗୋଡ଼ରେ ଠେଲି ଦେଇଚ । ତଥାପି ମୁଁ ତୁମର ଗୋଡ଼ ଧରି କହୁଚି, ମୁଁ ତୁମକୁ–’

 

ବିହାରୀ ବାଧା ଦେଇ କହିଲା, ‘ଆଉ ସେ କଥା କୁହନା, ମୁହଁରେ ଧରନା । ସେ କଥା ବିଶ୍ୱାସ କରିବାର ଉପାୟ ନାହିଁ ।’

 

ବିନୋଦିନୀ–ସେକଥା ଇତର ଲୋକେ କରିପାରିବେ ନାହିଁ, କିନ୍ତୁ ତୁମେ କରିବ । ମୁଁ ସେଇଥିପାଇଁ ତୁମକୁ ବସିବାକୁ କହୁଚି ।

 

ବିହାରୀ–ମୁଁ ବିଶ୍ୱାସ କରେ ବା ନ କରେ ସେଥିରେ ଯାଏ-ଆସେ କ’ଣ ? ତୁମ ଜୀବନ ଯେପରି ଚଳୁଚି, ସେହିପରି ଚଳିଯିବ ।

 

ବିନୋଦିନୀ–ମୁଁ ଜାଣେ, ଏଥିରେ ତୁମର କିଛି ଯିବଆସିବ ନାହିଁ । ମୋ’ ଭାଗ୍ୟ ଏପରି ଯେ ତୁମର ସମ୍ମାନ ରକ୍ଷା କରି ତୁମ ପାଖରେ ଠିଆ ହେବାର ଉପାୟ ମଧ୍ୟ ମୋର ନାହିଁ । ଚିରକାଳ ମୋତେ ତୁମ ପାଖରୁ ଦୂରେଇ ରହିବାକୁ ହେବ । ମୋର ମନ ତୁମ ପାଖରେ କେବଳ ଏହି ଦାବୀଟିକଳ ନ କରି ରହିପାରୁ ନାହିଁ ଯେ ମୁଁ ଯେଉଁଠି ଥାଏ ନା କାହିଁକି, ତୁମେ ମୋତେ ଟିକିଏ ମାଧୂର୍ଯ୍ୟର ସହିତ ଭାବିବ । ମୁଁ ଜାଣେ, ମୋ’ ଉପରେ ତୁମର ଅଳ୍ପଟିକିଏ ଶ୍ରଦ୍ଧା ଜନ୍ମିଥିଲା । ସେଇଟିକକ ମୋର ଏକମାତ୍ର ସମ୍ୱଳ କରି ରଖିବି । ସେଇଥିପାଇଁ ମୋର ସବୁକଥା ତୁମର ଶୁଣିବାକୁ ହେବ । ମୁଁ ହାତଯୋଡ଼ି କହୁଚି, ଟିକିଏ ବସ ।

 

‘ଆଚ୍ଛା, ଚାଲ’ କହି, ବିହାରୀ ସେହି ସ୍ଥାନରୁ ଅନ୍ୟତ୍ର ଯିବାକୁ ଉଦ୍ୟତ ହେଲା ।

 

ବିନୋଦିନୀ କହିଲା, ‘ଯାହା ମନେକରୁଚ, ତାହା ନୁହେଁ । ଏ ଘରେ କୌଣସି କଳଙ୍କ ସ୍ପର୍ଶ କରିନାହିଁ । ତୁମେ ଦିନେ ଏହି ଘରେ ଶୟନ କରୁଥିଲ । ଏ ଘର ତୁମପାଇଁ ଉତ୍ସର୍ଗ କରି ରଖିଚି-। ସେହି ଫୁଲଗୁଡ଼ିକ ତୁମର ପୂଜା କରି ଆଜି ଶୁଷ୍କ ହୋଇ ପଡ଼ିଚି । ତୁମକୁ ଏହି ଘରେ ବସିବାକୁ ହେବ ।

 

ପୁଣି ବିହାରୀର ଚିତ୍ତରେ ପୁଲକ-ସଞ୍ଚାର ହେଲା । ସେ ଘରଭିତରେ ପ୍ରବେଶ କଲା ।

 

ଦିନୋଦିନୀ ହାତ ତାକୁ ଖଟ ଦେଖାଇ ଦେଲା । ବିହାରୀ ଯାଇ ଖଟ ଉପରେ ବସିଲା । ବିନୋଦିନୀ କହିଲା, ‘ତୁମେ ବସ । ମୋ ମୁଣ୍ଡ ଖାଅ, ଉଠ ନାହିଁ । ମୁଁ ତୁମର ପାଦ ତଳେ ବସିବାର ବି ଯୋଗ୍ୟ ନୁହେଁ । ତୁମେ ଦୟାକରି ସେଠାରେ ସ୍ଥାନ ଦେଇଚ । ଦୂରରେ ରହିଲେ ମଧ୍ୟ ଏହି ଅଧିକାରଟିକକ ମୁଁ ରଖିବି ।’

 

ଏହା କହି ବିନୋଦିନୀ କିଛି ସମୟ ନୀରବ ହୋଇ ରହିଲା । ତା’ପରେ ହଠାତ୍‌ ଚମକି ଉଠି କହିଲା, ‘ତୁମେ ଖାଇଚ ତ ?’

 

ବିହାରୀ କହିଲା, ‘ଷ୍ଟେସନରୁ ଖାଇ ଆସିଚି ।’

 

ବିନୋଦିନୀ–ଗାଆଁକୁ ମୁଁ ତୁମ ପାଖକୁ ଯେଉଁ ଚିଠିଟି ଲେଖିଥିଲି, ତାକୁ ଖୋଲି କୌଣସି ଜବାବ ନ ଦେଇ ମହେନ୍ଦ୍ର ହାତରେ ମୋ ପାଖରେ ଫେରାଇ ଦେଇଥିଲ କାହିଁକି ?

 

ବିହାରୀ–ସେ ଚିଠି ତ ମୁଁ ପାଇନାହିଁ ।

 

ବିନୋଦିନୀ–ଏଥର କ’ଣ କଲିକତାରେ ତୁମର ମହେନ୍ଦ୍ର ସହିତ ଦେଖା ହୋଇଥିଲା ?

 

ବିହାରୀ–ତୁମକୁ ଗାଆଁରେ ପହୁଞ୍ଚାଇ ଦେବା ପରଦିନ ମହେନ୍ଦ୍ର ସହିତ ଦେଖା ହୋଇଥିଲା । ତା’ପରେ ଆଉ ଦେଖା ହୋଇନାହିଁ ।

 

ବିନୋଦିନୀ–ତା ପୂର୍ବରୁ ଆଉଦିନେ ମୋ’ଚିଠି ପଢ଼ି ଉତ୍ତର ନ ଦେଇ ଫେରାଇ ଦେଇଥିଲ-?

 

ବିହାରୀ–ନା ଏପରି କେବେ ହୋଇନାହିଁ ।

 

ବିନୋଦିନୀ ସ୍ତମ୍ଭିତ ହୋଇ ବସିରହିଲା । ତା’ପରେ ଦୀର୍ଘ ନିଶ୍ୱାସ ପକାଇ କହିଲା, ‘ସବୁ ବୁଝିଲି । ବର୍ତ୍ତମାନ ମୋ’ କଥା ସବୁ ତୁମକୁ କହୁଚି, ଶୁଣ । ଯଦି ବିଶ୍ୱାସ କରିବ ତ ସୌଭାଗ୍ୟ ବୋଲି ମନେକରିବି, ନ କରିବ ତ କଦାପି ଦୋଷ ଦେବନାହିଁ । ମୋତେ ବିଶ୍ୱାସ କରିବା କଠିନ ।’

 

ବିହାରୀର ହୃଦୟ ସେତେବେଳେକୁ ଆର୍ଦ୍ର ହୋଇଗଲାଣି । ଏଇ ଭକ୍ତିଭରାନମ୍ର ବିନୋଦିନୀ ପୂଜାର ସେ କୌଣସି ପ୍ରକାରେ ଅପମାନ କରି ପାରିଲା ନାହିଁ । ସେ କହିଲା, ‘ନୂଆବୋହୂ, ତୁମର କିଛି କହିବାର ଦରକାର ନାହିଁ । କିଛି ନ ଶୁଣି ମଧ୍ୟ ମୁଁ ତୁମକୁ ବିଶ୍ୱାସ କରୁଚି । ମୁଁ କଦାପି ଘୃଣା କରିପାରେନା । ତୁମେ ଆଉ ପଦିଏ କଥା ସୁଦ୍ଧା କହନା ।’

 

ଶୁଶି ବିନୋଦିନୀ ଆଖିରୁ ଲୁହ ବହିବାକୁ ଲାଗିଲା । ସେ ବିହାରୀର ପଦଧୂଳି ଗ୍ରହଣ କଲା । କହିଲା, ‘ସବୁକଥା ନ କହିଲେ ମୁଁ ବଞ୍ଚି ପାରିବିନାହିଁ । ଟିକିଏ ଧୈର୍ଯ୍ୟଧରି ଶୁଣ,-ତୁମ ମୋତେ ଯେଉଁ ଆଦେଶ ଦେଇଥିଲ, ତାହାକୁ ହିଁ ମୁଁ ଶିରୋଧାର୍ଯ୍ୟ କରିଥିଲି । ତୁମେ ମୋ’ ପାଖକୁ ଚିଠି ଖଣ୍ଡେସୁଦ୍ଧା ଲେଖି ନ ଥିଲ, ତଥାପି ମୁଁ ମୋର ସେଇ ଗାଆଁରେ ଲୋକଙ୍କର ଉପହାସ ଓ ନିନ୍ଦା ସହ୍ୟକରି ଜୀବନ କବାଇ ଦେଇଥାନ୍ତି । ତୁମର ସ୍ନେହ ପରିବର୍ତ୍ତରେ ତୁମର ଶାସନ ଗ୍ରହଣ କରିଥାନ୍ତି । କିନ୍ତୁ ବିଧାତା ସେଥିରେ ବିମୁଖ ହେଲା । ମୁଁ ଯେଉଁ ପାପର ନିଦ୍ରାଭଙ୍ଗ କରାଇଥିଲି, ତାହା ମୋତେ ନିଦ୍ରାଭଙ୍ଗରେ ମଧ୍ୟ ଶାନ୍ତିରେ ରହିବାକୁ ଦେଲାନାହିଁ । ମହେନ୍ଦ୍ର ଗାଆଁକୁ ଆସି ମୋ’ ଘରେ ସମସ୍ତଙ୍କ ସମ୍ମୁଖରେ ମୋତେ ଲାଞ୍ଛନା କଲା । ସେ ଗାଆଁରେ ଆଉ ମୋ’ ପାଇଁ ସ୍ଥାନ ରହିଲା ନାହିଁ । ଦ୍ୱିତୀୟଥର ତୁମର ଆଦେଶ ପାଇଁ ତୁମକୁ ଅନେକ ଖୋଜିଲି । କୌଣସିମତେ ତୁମକୁ ପାଇଲି ନାହିଁ । ମହେନ୍ଦ୍ର ମୋର ଖୋଲା ଚିଠି ତୁମ ଘରୁ ଫେରାଇ ଆଣି ମୋତେ ପ୍ରତା’ରଣା କଲା । ବୁଝିଲି ଯେ ମୋତେ ତୁମେ ସମ୍ପୂର୍ଣ୍ଣ ପରିତ୍ୟାଗ କରିଚ । ତା’ପରେ ମୁଁ ପୂରାପୂରି ନଷ୍ଟ ହୋଇ ଯାଇପାରିଥାନ୍ତି । କିନ୍ତୁ ତୁମର କି ଗୁଣ ଅଛି କେଜାଣି, ତୁମେ ଦୂରରେ ରହି ମଧ୍ୟ ରକ୍ଷା କରିପାର । ତୁମକୁ ମନ ଭିତରେ ସ୍ଥାନ ଦେଇଚି ବୋଲି ମୁଁ ପବିତ୍ର ହୋଇଚି । ଦିନେ ମୋତେ ତୁମେ ଦୂରକୁ ଠେଲିଦେଇ ନିଜର ଯେଉଁ କଠିନ ପରିଚୟ ଦେଇଥିଲ, ତୁମର ସେହି କଠିନ ପରିଚୟ କଠିନ ସୁନାପରି, କଠିନ ମାଣିକ ପରି ମୋର ମନଭିତରେ ରହିଚି । ମତେ ମହାମୂଲ୍ୟ କରିଚି । ଦେବତା, ତୁମର ଚରଣ ଛୁଇଁ କହୁଚି, ସେ ମୂଲ୍ୟ ନଷ୍ଟ ହୋଇନାହିଁ ।

 

ବିହାରୀ ଚୁପ୍‌ ହୋଇ ବସିରହିଲା । ବିନୋଦିନୀ ମଧ୍ୟ ଆଉ କୌଣସି କଥା କହିଲା ନାହିଁ । ଅପରାହ୍ନର ଆଲୋକ ପ୍ରତି ମୂହୂର୍ତ୍ତରେ ମ୍ଳାନ ହୋଇ ଆସିବାକୁ ଲାଗିଲା । ଏହି ସମୟରେ ମହେନ୍ଦ୍ର ଘରର ଦୁଆରମୁହଁ ପାଖକୁ ଆସି ବିହାରୀକୁ ଦେଖି ଚମକି ପଡ଼ିଲା । ବିନୋଦିନୀ ପ୍ରତି ତା’ର ଯେଉଁ ଔଦାସୀନ୍ୟ ଜନ୍ମୁଥିଲା, ଇର୍ଷାର ତାଡ଼ନାରେ ତାହା ପଳାଇବାର ଉପକ୍ରମ କଲା । ବିନୋଦିନୀ ବିହାରୀ ଗୋଡ଼ପାଖରେ ସ୍ତବ୍‍ଧ ହୋଇ ବସିଚି ଦେଖି ପ୍ରତ୍ୟାଖ୍ୟାତ ମହେନ୍ଦ୍ରର ଗର୍ବରେ ଆଘାତ ଲାଗିଲା । ଚିଠିପତ୍ରଦ୍ୱାରା ଯେ ବିନୋଦିନୀ ସହିତ ବିହାରୀର ଏହି ମିଳନ ଘଟିଚି, ଏଥିରେ ତା’ର ଆଉ ସନ୍ଦେହ ରହିଲା ନାହିଁ । ଆଜିଯାଏ ବିହାରୀ ବିମୁଖ ହୋଇ ରହିଥିଲା, ବର୍ତ୍ତମାନ ସେ ଯଦି ନିଜେ ଆସି ଧରାଦିଏ, ତେବେ ବିନୋଦିନୀକୁ ଆଉ ଅଟକାଇବ କିଏ ? ମହେନ୍ଦ୍ର ବିନୋଦିନୀକୁ ତ୍ୟାଗ କରିପାରେ, କିନ୍ତୁ ଆଉ କାହା ହାତରେ ତ୍ୟାଗ କରିପାରିବ ନାହିଁ । ବିହାରୀକୁ ଦଖି ସେ ଆଜି ଏହି କଥା ବୁଝିପାରିଲା ।

 

ବ୍ୟର୍ଥ ରୋଷରେ, ତୀବ୍ର ବିଦ୍ରୁପପୂର୍ଣ୍ଣ ସ୍ୱରରେ ମହେନ୍ଦୟ ବିନୋଦିନୀକୁ କହିଲା, ‘ବର୍ତ୍ତମାନ ତବେ ରଙ୍ଗଭୂମିରେ ମହେନ୍ଦ୍ରର ପ୍ରସ୍ଥାନ, ବିହାରୀର ପ୍ରବେଶ । ଦୃଶ୍ୟଟି ବଡ଼ ସୁନ୍ଦର । ତାଳି ମାରିବାକୁ ଇଚ୍ଛା ହେଉଚି । କିନ୍ତୁ ମୁଁ ଆଶା କରୁଚି ଏଇଟା ହେଉଚି ଶେଷ ଅଙ୍କ । ଏହାପରେ ଆଉକିଛି ଭଲ ଲାଗିବ ନାହିଁ ।

 

ବିନୋଦିନୀର ମୁହଁ ରକ୍ତିମ ହୋଇଉଠିଲା । ଯେତେବେଳେ ସେ ମହେନ୍ଦ୍ର ଆଶ୍ରୟ ନେବାକୁ ବାଧ୍ୟ ହେଇଚି, ସେତେବେଳେ ଏହି ଅପମାନର ଉତ୍ତର ଦେବାକୁ ତା’ ପାଖରେ କିଛି ନାହିଁ-। ସେ ବ୍ୟାକୁଳ ଦୃଷ୍ଟିରେ କେବଳ ବିହାରୀ ମୁହଁକୁ ଚାହିଁଲା ।

 

ବିହାରୀ ଖଟରୁ ଓହ୍ଲାଇ ଅଗ୍ରସର ହୋଇ କହିଲା, ‘ମହେନ୍ଦ୍ର, ତୁମେ କାପୁରୁଷ ପରି ବିନୋଦିନୀକୁ ଅପମାନ କରନା । ଯଦି ତୁମର ଭଦ୍ରତା ତୁମକୁ ନିଷେଧ ନ କରେ, ତେବେ ତୁମକୁ ନିଷେଧ କରିବାର କ୍ଷମତା ମୋର ଅଛି ।’

 

ହସିକରି ମହେନ୍ଦ୍ର କହିଲା, ‘ୟାଭିତରେ ତେବେ ଅଧିକାର ସାବ୍ୟସ୍ତ ହୋଇଗଲାଣି ? ଆଜି ତୁମର ନୂଆ ନାମକରଣ କରାଯାଉ-ବିନୋଦବିହାରୀ !’

 

ଅପମାନର ମାତ୍ରା ବଢ଼ୁଥିବାର ଦେଖି ବିହାରୀ ମହେନ୍ଦ୍ରର ହାତ ଚାପିଧରିଲା । କହିଲା, ‘ମହେନ୍ଦ୍ର, ମୁଁ ବିନୋଦିନୀକୁ ବିବାହ କରିବି । ତୁମକୁ ଜଣାଇ ଦେଲି । ଅତଏବ ବର୍ତ୍ତମାନଠାରୁ ତୁମେ ସଂଯତ ହୋଇ କଥା କୁହ ।’

ଶୁଣି ମହେନ୍ଦ୍ର ବିସ୍ମୟରେ ନିସ୍ତବ୍‍ଧ ହୋଇଗଲା ଏବଂ ବିନୋଦିନୀ ଚମକି ଉଠିଲା । ତା’ର ଛାତି ଭିତରର ରକ୍ତ ହଠାତ୍‌ ଚଞ୍ଚଳ ହୋଇ ଉଠିଲା ।

 

ବିହାରୀ କହିଲା, ‘ତୁମକୁ ଆଉ ଗୋଟିଏ ଖବର ଦେବାର ଅଛି । ତୁମର ମାଆ ମୃତ୍ୟୁଶଯ୍ୟାରେ ଶାୟିତା । ତାଙ୍କର ବଞ୍ଚିବାର କୌଣସି ଆଶା ନାହିଁ । ମୁଁ ଆଜି ରାତି ଗାଡ଼ିରେ ଫେରିଯିବି । ବିନୋଦିନୀ ମଧ୍ୟ ମୋ ସହିତ ଯିବ ।’

 

ବିନୋଦିନୀ ଚମକି ଉଠିଲା । କହିଲା, ‘ଅପା ଅସୁସ୍ଥ ?’

 

ବିହାରୀ କହିଲା, ‘ସେହି ଅସୁସ୍ଥତା ଭଲ ହେବାର ନୁହେଁ । କେତେବେଳେ ଯେ କ’ଣ ହେବ, କିଛି କୁହାଯାଇପାରୁନାହିଁ ।’

 

ଆଉ କିଛି ନ କହି ମହେନ୍ଦ୍ର ଘରୁ ବାହାରି ଚାଲିଗଲା ।

 

ବିନୋଦିନୀ ବିହାରୀକୁ କହିଲା, ‘ତମେ ଯାହା କହିଲ, ତାହା ତୁମ ମୁହଁରୁ କିପରି ବାହାରିଲା ? ଇଏ ବି କ’ଣ ଥଟ୍ଟା ?’

 

ବିହାରୀ କହିଲା, ‘ନାଇଁ, ମୁଁ ସତ କହିଚି । ମୁଁ ତୁମକୁ ବିବାହ କରିବି ।’

 

ବିନୋଦିନୀ–କ’ଣ ଏହି ପାପିଷ୍ଠାକୁ ଉଦ୍ଧାର କରିବା ପାଇଁ ?

 

ବିହାରୀ–ନା, ତୁମକୁ ମୁଁ ଭଲପାଏ ବୋଲି, ଶ୍ରଦ୍ଧା କରେ ବୋଲି ।

 

ବିନୋଦିନୀ–ଏହା ମୋର ଶେଷ ପୁରସ୍କାର । ଯାହା ତୁମେ ସ୍ୱୀକାର କଲ, ତାହାଠାରୁ ବେଶୀ ମୁଁ ଆଉ କିଛି ଚାହୁନାହିଁ । ଚାହିଁଲେ ମଧ୍ୟ ତାହା ମୁଁ ପାଇବି ନାହିଁ । ଧର୍ମ ତାହା କଦାପି ସହିବ ନାହିଁ ।

 

ବିହାରୀ–କାହିଁକି ସହିବ ନାହିଁ ?

 

ବିନୋଦିନୀ–ଛି, ଛି ଏକଥା ମନରେ ଭାବିବାକୁ ବି ଲଜ୍ଜା ହୁଏ । ମୁଁ ବିଧବା ମୁଁ ନିନ୍ଦିତା, ସମାଜରେ ତୁମକୁ ମୁଁ ଲାଞ୍ଛିତ କରିବି, ତାହା କଦାପି ହୋଇପାରିବ ନାହିଁ । ଛି, ଛି ! ଏକଥା ଆଉ ମୁହଁରେ ଧରନା ।

 

ବିହାରୀ–ତୁମେ ମୋତେ ତ୍ୟାଗ କରିବ ?

 

ବିନୋଦିନୀ–ତ୍ୟାଗ କରିବାର ଅଧିକାର ମୋର ନାହିଁ । ତୁମେ ଗୋପନରେ ଅନେକ ଭଲ କାମ କର । ତୁମର କୌଣସି ଗୋଟିଏ ବ୍ରତର ଭାର ମୋ’ ଉପରେ ଅର୍ପଣ କର । ତାକୁ ବହନ କରି ମୁଁ ନିଜକୁ ସେବିକା ବୋଲି ଗଣ୍ୟ କରିବି । କିନ୍ତୁ ଛି, ଛି । ତୁମେ ବିଧବାକୁ ବିବାହ କରିବ ? ତୁମର ଔଦାର୍ଯ୍ୟ ପାଖରେ ସବୁ ସମ୍ଭବ ହୋଇପାରେ । କିନ୍ତୁ ଯଦି ମୁଁ ଏହି କାମ କରିବି, ସମାଜରେ ତୁମକୁ ହୀନ କରିବି, ତେବେ ଇହଜୀବନରେ ମୁଁ ଆଉ ମୁଣ୍ଡଟେକି ପାରିବି ନାହିଁ ।

 

ବିହାରୀ–କିନ୍ତୁ ବିନୋଦିନୀ, ମୁଁ ତୁମକୁ ଭଲପାଏ ।

 

ବିନୋଦିନୀ–ସେହି ଭଲ ପାଇବାର ଅଧିକାରରେ ମୁଁ ଆଜି ଗୋଟିଏ ମାତ୍ର ସ୍ପର୍ଦ୍ଧା ପ୍ରକାଶ କରିବି । ଏତକ କହି ବିନୋଦିନୀ ଭୂମିଷ୍ଠ ହୋଇ ବିହାରୀର ପଦାଙ୍ଗୁଳି ଚୁମ୍ୱନ କଲା । ପାଦ ପାଖରେ ବସି କହିଲା, ‘ପରଜନ୍ମରେ ତୁମକୁ ପାଇବା ପାଇଁ ମୁଁ ତପସ୍ୟା କରିବି । ଏ ଜନ୍ମରେ ମୋର ଆଉକିଛି ଆଶା ନାହିଁ, ପ୍ରାପ୍ୟ ନାହିଁ । ମୁଁ ଅନେକ ଦୁଃଖ ଦେଇଚି, ଅନେକ ଦୁଃଖ ପାଇଚି । ମୋର ଅନେକ ଶିକ୍ଷା ହୋଇଚି । ଯଦି ସେହି ଶିକ୍ଷାକୁ ଭୁଲି ଯାଇଥାନ୍ତି, ତେବେ ତୁମକୁ ହୀନକରି ନଜେ ଆହୁରି ହୀନ ହୋଇଥାନ୍ତି । କିନ୍ତୁ ତୁମେ ଉଚ୍ଚ ବୋଲି ଆଜି ମୁଁ ମୁଣ୍ଡ ଟେକି ପାରିଚି । ଏହି ଆଶ୍ରୟକୁ ମୁଁ କଦାପି ଭୂମିସାତ୍‌ କରିବାକୁ ଦେବି ନାହିଁ ।’

 

ବିହାରୀ ଗମ୍ଭୀର ଭାବରେ ଚୁପ୍‌ ହୋଇ ରହିଲା ।

 

ବିନୋଦିନୀ ହାତଯୋଡ଼ି କହିଲା, ‘ଭୁଲ କରନା । ମୋତେ ବିବାହ କଲେ ତୁମେ ସୁଖୀ ହୋଇପାରିବ ନାହିଁ । ତୁମର ଗୌରବ ନଷ୍ଟ ହେବ । ମୁଁ ମଧ୍ୟ ସବୁ ଗୌରବ ହରାଇବି । ତୁମେ ଚିରଦିନ ନିର୍ଲିପ୍ତ, ପ୍ରସନ୍ନ । ଆଜି ମଧ୍ୟ ତୁମେ ତାହାହିଁ ହୁଅ । ମୁଁ ଦୂରରେ ରହିବି । ତୁମର କର୍ମ କରିବି । ତୁମେ ପ୍ରସନ୍ନ ହୁଅ, ତୁମେ ସୁଖୀ ହୁଅ ।’

 

(୫୧)

 

ମହେନ୍ଦ୍ର ତା’ ମାଆର ଶୋଇବାଘରେ ପ୍ରବେଶ କରିବାକୁ ଯାଉଚି, ଆଶା ତରତର ହୋଇ ବାହାରି ଆସି କହିଲା, ‘ବର୍ତ୍ତମାନ ତୁମେ ସେ ଘରଭିତରକୁ ଯାଅନାହିଁ ।’

 

ମହେନ୍ଦ୍ର ପଚାରିଲା, ‘କାହିଁକି ?’

 

ଆଶା କହିଲା, ‘ଡାକ୍ତର କହିଚନ୍ତି, ହଠାତ୍‌ ମାଆଙ୍କ ମନରେ ସୁଖରେ ହେଉ, ଦୁଃଖର ହେଉ, ଯେ କୌଣସି ଆଘାତ ଲାଗିଲେ ବିପଦର ଆଶଙ୍କା ରହିଚି ।’

 

ମହେନ୍ଦ୍ର କହିଲା, ‘ମୁଁ ଆସ୍ତେ ଆସ୍ତେ ତାଙ୍କର ମୁଣ୍ଡପାଖକୁ ଯାଇ ଥରେ ଦେଖିଆସିବି । ସେ ଜାଣିପାରିବେ ନାହିଁ ।’

 

ଆଶା କହିଲା, ‘ସେ ଅତି ଅଳ୍ପ ଶବ୍ଦରେ ଚମକି ଉଠୁଚନ୍ତି । ତୁମେ ଘରଭିତରେ ଗୋଡ଼ଦେବା ମାତ୍ରକେ ସେ ଜାଣିପାରିବେ ।’

 

ମହେନ୍ଦ୍ର–ତେବେ ବର୍ତ୍ତମାନ ମୋତେ କ’ଣ କରିବାକୁ କହୁଚ ?

 

ଆଶା–ଆଗ ବିହାରୀବାବୁ ଆସି ଥରେ ଦେଖି ଯାଆନ୍ତୁ । ସେ ଯେପରି ପରାମର୍ଶ ଦେବେ, ସେହିପରି ହେବ ।

 

କହୁ କହୁ ବିହାରୀ ଆସି ପହଞ୍ଚିଗଲା । ଆଶା ତାକୁ ଡକାଇ ପଠାଇଥିଲା ।

 

ବିହାରୀ–ନୂଆବୋଉ, ତୁମେ ମୋତେ ଡାକୁଥିଲ ? ମାଆ ଭଲ ଅଛନ୍ତି ତ ?

 

ବିହାରୀକୁ ଦେଖି ଆଶା ଯେପରି ଭରସା ପାଇଲା । କହିଲା, ‘ତୁମେ ଯିବା ପରଠାରୁ ଯେପରି ମାଆ ଅଧିକ ଅସ୍ଥିର ହୋଇପଡ଼ିଚନ୍ତି । ପ୍ରଥମଦିନ ତମକୁ ନ ଦେଖି ମୋତେ ପଚାରିଲେ, ବିହାରୀ କୁଆଡ଼େ ଗଲା ? ମୁଁ କହିଲି ସେ ବିଶେଷ କାମରେ ଯାଇଚନ୍ତି । ଗୁରୁବାର ଭିତରେ ଫେରିବାର କଥା ଅଛି । ତା’ପରଠାରୁ ସେ ମଝିରେ ମଝିରେ ଚମକି ଉଠୁଚନ୍ତି । ମୁହଁରେ କିଛି କହୁନାହାନ୍ତି, କିନ୍ତୁ ଭିତରେ ଯେପରି କାହାର ଅପେକ୍ଷା କରି ରହିଚନ୍ତି । କାଲି ତୁମର ଟେଲିଗ୍ରାମ ପାଇ ଜଣାଇଲି, ତୁମେ ଆଜି ଆସିବ । ଶୁଣି ସେ ଆଜି ତୁମପାଇଁ ବିଶେଷ ଭାବରେ ଖାଇବାର ଆୟୋଜନ କରିବାକୁ କହିଚନ୍ତି । ଯେଉଁସବୁ ଚିଜ ଖାଇବାକୁ ତୁମେ ଶ୍ରଦ୍ଧା ପାଅ, ସବୁ ଆଣିବାକୁ କହିଚନ୍ତି । ସାମନାରେ ଥିବା ପିଣ୍ଡାରେ ରାନ୍ଧିବାର ଆୟୋଜନ କରାଇଚନ୍ତି, ଯେପରି ସେ ଘରଭିତରୁ ବତାଇ କହି ଦେଇପାରିବେ । ଡାକ୍ତରଙ୍କର କୌଣସି ବାରଣ ଶୁଣିଲେ ନାହିଁ । କିଛି ସମୟ ଆଗରୁ ମୋତେ ଡାକି କହିଲେ, ବୋହୂ, ତୁ ନିଜ ହାତରେ ସବୁ ରାନ୍ଧିବୁ । ଆଜି ମୁଁ ବିହାରୀକୁ ଆଗରେ ବସାଇ ଖୁଆଇବି ।’

 

 

ଶୁଣି ବିହାରୀର ଆଖି ଛଳ ଛଳ ହୋଇଆସିଲା । ସେ ପଚାରିଲା, ‘ବର୍ତ୍ତମାନ ମାଆଙ୍କ ଅବସ୍ଥା କିପରି ଅଛି ?’

 

ଆଶା କହିଲା, ‘ତମେ ନିଜେ ଥରେ ଦେଖିବ ଆସ । ଅଧିକ ବଢ଼ିଚି ବୋଲି ମୋର ଅନୁମାନ ହେଉଚି ।

 

ବିହାରୀ ଘର ଭିତରେ ପ୍ରବେଶ କଲା । ମହେନ୍ଦ୍ର ବାହାରେ ଠିଆହୋଇ ଆଶ୍ଚର୍ଯ୍ୟ ହୋଇଗଲା । ଆଶା ଅନାୟାସରେ ଘରର କର୍ତ୍ତୃତ୍ୱ ଗ୍ରହଣ କରିଚି । କେଡ଼େ ସହଜରେ ସେ ମହେନ୍ଦ୍ରକୁ ଘରଭିତରେ ପ୍ରବେଶ କରିବାକୁ ନିଷେଧ କଲା ? ଟିକିଏ ସଙ୍କୋଚ ନାହିଁ କି ଟିକିଏ ଅଭିମାନ ବି ନାହିଁ । ଆଜି ମହେନ୍ଦ୍ରର ବଳ କେତେ କିମଗଲାଣି ? ସେ ଅପରାଧୀ ! ସେ ବାହାରେ ଚୁପ ହୋଇ ଠିଆହୋଇ ରହିଲା । ଆପଣାର ମାଆ ଶୋଇଥିବା ଘର ଭିତରେ ପ୍ରବେଶ କରିପାରିଲା ନାହିଁ ।

 

ଆଶା କିପରି ଅକୁଣ୍ଠିତ ଭାବରେ ବିହାରୀ ସହିତ କଥାବାର୍ତ୍ତା କଲା । ଏ କଥା ମଧ୍ୟ ମହେନ୍ଦ୍ରକୁ ଭାରୀ ଆଶ୍ଚର୍ଯ୍ୟ ଲାଗିଲା । ସବୁ ପରାମର୍ଶ କେବଳ ବିହାରୀ ସହିତ । ସେ ଆଜି ଏହି ସଂସାରର ଏକମାତ୍ର ରକ୍ଷକ, ସମସ୍ତଙ୍କର ସୃହୃତ୍‌ । ତା’ର ଗତିବିଧି ସର୍ବତ୍ର ଅବାରିତ । ସବୁ ତାହାରି ଉପଦେଶ ଅନୁସାରେ ହିଁ ହେଉଚି । ମହେନ୍ଦ୍ର କିଛିଦିନ ପାଇଁ ଯେଉଁ ସ୍ଥାନଟି ଛାଡ଼ି ଚାଲିଯାଇଥିଲା, ଆଜି ଫେରିଆସି ଦେଖିଲା, ସେହି ସ୍ଥାନ ଆଉ ଠିକ୍‌ ସେହିପରି ଭାବରେ ନାହିଁ ।

 

ବିହାରୀ ଘରେ ପ୍ରବଶ କରିବାରୁ ରାଜଲକ୍ଷ୍ମୀ ଆପଣାର କରୁଣ ଚକ୍ଷୁକୁ ତା ମୁହଁଉପରେ ସ୍ଥିରନିବଦ୍ଧ କରି କହିଲେ, ‘ବିହାରୀ, ଫେରିଲୁ ବାପ ।’

 

ବିହାରୀ କହିଲା, ‘ହଁ ମା !’

 

ରାଜଲକ୍ଷ୍ମୀ କହିଲେ, ‘ତୋର କାମ ସରିଲା ?’ କହି ଏକାଗ୍ରଦୃଷ୍ଟିରେ ତା’ର ମୁହଁକୁ ଚାହିଁରହିଲେ ।

 

ପ୍ରଫୁଲ୍ଲ ମୁଖରେ ବିହାରୀ କହିଲା, ‘ହଁ ମାଆ, କାମ ସୁସମ୍ପନ୍ନ ହୋଇଚି । ବର୍ତ୍ତମାନ ମୋର ଆଉ କୌଣସି ଚିନ୍ତା ନାହିଁ । –କହି ଥରେ ବାହାରକୁ ଚାହିଁଲା ।

 

ରାଜଲକ୍ଷ୍ମୀ–ଆଜି ବୋହୂ ତୋ’ ପାଇଁ ନିଜ ହାତରେ ରାନ୍ଧିବ । ମୁଁ ଏଇଠୁ ବତାଇଦେବି । ଡାକ୍ତର ମନାକରିଚି । କିନ୍ତୁ ମନା ଆଉ କେଉଁଥିପାଇଁ ବାପ ? ଯିବା ଆଗରୁ କ’ଣ ମୁଁ ଥରେ ତୋର ଖାଇବା ବି ଦେଖିବି ନାହିଁ ?

 

ବିହାରୀ କହିଲା, ‘ଡାକ୍ତରଙ୍କର ମନା କରିବାର କୌଣସି କାରଣ ତ ମୁଁ ଦେଖିପାରୁନାହିଁ ମାଆ । ତୁମେ ବତାଇ ନ ଦେଲେ ଚଳିବ କିପରି ? ପିଲାଟିଦିନରୁ ତ ଆମେ ତୁମର ହାତରନ୍ଧାକୁ ଭଲ ପାଇ ଆସୁଚୁ । ପଶ୍ଚିମର ରୁଟି ଡାଲି ଖାଇ ଖାଇ ମହେନ୍ଦ୍ର ଭାଇର ଅରୁଚି ହୋଇଚି । ଆଜି ସେ ତୁମର ମାଛଝୋଳ ପାଇ ନବଜୀବନ ଲାଭ କରିବ । ଆଜି ଆମେ ଦୁଇ ଭାଇ ପିଲାଦିନପରି ବାଜି ମାରି ଖାଇବୁ । ତୁମର ବୋହୂ ଅଣ୍ଟେଇ ପାରିଲେ ହେଲା !

 

ରାଜଲକ୍ଷ୍ମୀ ବୁଝିପାରିଲେ ଯେ ବିହାରୀ ମହେନ୍ଦ୍ରକୁ ସାଙ୍ଗରେ ନେଇ ଆସିଚି । ତଥାପି ନାଆଁ ଶୁଣିବାମାତ୍ରେ ତାଙ୍କର ହୃଦୟ ସ୍ପନ୍ଦିତ ହୋଇ ମୁହୂର୍ତ୍ତକ ପାଇଁ ନିଶ୍ୱାସ କଠିନ ହୋଇଉଠିଲା । ସେହି ଚଞ୍ଚଳତା କଟିଯିବା ପରେ ବିହାରୀ କହିଲା, ‘ପଶ୍ଚିମରେ ରହି ମହେନ୍ଦ୍ର ଭାଇଙ୍କ ସ୍ୱାସ୍ଥ୍ୟ ବେଶ୍‌ ବାଗେଇ ଯାଇଚି । ରାସ୍ତାରେ ଭ୍ରମଣ କରିବାର ଅନିୟମରେ ଯାହା ଟିକିଏ ମ୍ଳାନ ଦେଖାଯାଉଚନ୍ତି । ସ୍ନାନାହାର କରିବାପରେ ଠିକ୍‌ ହୋଇଯିବ ।’

 

ତଥାପି ରାଜଲକ୍ଷ୍ମୀ ମହେନ୍ଦ୍ର ବିଷୟରେ କିଛି କହିଲେ ନାହିଁ । ବିହାରୀ କହିଲା, ‘ମାଆ, ମହେନ୍ଦ୍ରଭାଇ ବାହାରେ ଠିଆ ହୋଇଚନ୍ତି । ତୁମେ ଡାକିଲେ ସିନା ଭିତରକୁ ଆସିବେ ?’

 

କିଛି ନ କହି ରାଜଲକ୍ଷ୍ମୀ କବାଟ ଆଡ଼କୁ ଚାହିଁଲେ । ବିହାରୀ ଡାକିଲା, ‘ମହେନ୍ଦ୍ରଭାଇ, ଭିତରକୁ ଆସ ।’

 

ମହେନ୍ଦ୍ର ଧୀରେ ଧୀରେ ଘର ଭିତରେ ପ୍ରବେଶ କଲା । କାଳେ ହଠାତ୍‌ ହୃତ୍‌ପିଣ୍ଡ ସ୍ତବ୍‍ଧ ହୋଇଯିବ, ଏହି ଭୟରେ ରାଜଲକ୍ଷ୍ମୀ ସଙ୍ଗେ ସଙ୍ଗେ ମହେନ୍ଦ୍ରର ମୁହଁକୁ ଚାହିଁପାରିଲେ ନାହିଁ । ଚକ୍ଷୁ ଅର୍ଦ୍ଧନିମୀଳିତ କରିଦେଲେ । ବିଛଣା ଆଡ଼କୁ ଦୃଷ୍ଟିପାତ କରି ମହେନ୍ଦ୍ର ଚମକି ଉଠିଲା । ସତେ ଅବା ତାକୁ ଯେପରି କିଏ ମାଡ଼ ମାରିଲା । ମହେନ୍ଦ୍ର ମାଆର ଗୋଡ଼ପାଖରେ ମୁଣ୍ଡ ରଖି ଗୋଡ଼ଧରି ପଡ଼ିରହିଲା । ବକ୍ଷର ସ୍ପନ୍ଦନରେ ରାଜଲକ୍ଷ୍ମୀଙ୍କର ସର୍ବଶରୀର ଥରି ଥରି ଉଠିଲା ।

 

କିଛିମସୟ ପରେ ଅନ୍ନପୂର୍ଣ୍ଣା ଧୀରେ ଧୀରେ କହିଲେ, ‘ଅପା, ତୁମେ ମହେନ୍ଦ୍ରକୁ ଉଠିବାକୁ କୁହ । ନ ହେଲେ ସେ ଉଠିବ ନାହିଁ ।’

 

ଅତି କଷ୍ଟରେ ବାକ୍ୟସ୍ଫୁରଣ କରି ରାଜଲକ୍ଷ୍ମୀ କହିଲେ, ‘ମହେନ୍ଦ୍ର, ଉଠ୍‌ ବାପ !’

 

ମହେନ୍ଦ୍ର ନାମ ଉଚ୍ଚାରଣ କରିବାମାତ୍ରେ ଅନେକଦିନ ପରେ ଆଖିରୁ ଝର ଝର ହୋଇ ଲୁହ ବହିବାକୁ ଲାଗିଲା । ସେହି ଅଶ୍ରୁଦ୍ୱାରା ତାଙ୍କର ହୃଦୟର ବେଦନା ଲଘୁ ହୋଇଆସିଲା । ମହେନ୍ଦ୍ର ଉଠି ତଳେ ଆଣ୍ଠୁମାଡ଼ି ଖଟଉପରେ ଛାତିଭରା ଦେଇ ମାଆଙ୍କ ପାଖରେ ବସିଲା । ରାଜଲକ୍ଷ୍ମୀ ଅତିକଷ୍ଟରେ ଅଣେଇହୋଇ ଦୁଇ ହାତରେ ମହେନ୍ଦ୍ର ମୁଣ୍ଡ ଧରି ତାହାର ମସ୍ତକ ଆଘ୍ରାଣ କଲେ । ତାହାର ଲଲାଟକୁ ଚୁମ୍ୱନ କଲେ ।

 

ମହେନ୍ଦ୍ର ରୁଦ୍ଧକଣ୍ଠରେ କହିଲା, ‘ମାଆ, ତୋତେ ମୁଁ ଅନେକ ଦୁଃଖ ଦେଇଚି । ତୁ ମୋତେ କ୍ଷମାକର ।’

 

ବକ୍ଷ ଶାନ୍ତ ହେବା ପରେ ରାଜଲକ୍ଷ୍ମୀ କହିଲେ, ‘ସେ କଥା ତୁଣ୍ଡରେ ଧରନ୍ତି ନାହିଁ ମହେନ୍ଦ୍ର-। ତୋତେ କ୍ଷମା ନ କରି କ’ଣ ମୁଁ ରହିପାରିବି ? ବୋହୂ ଗଲା କୁଆଡେ ?’

 

ଆଶା ପାଖରେ ପଥି ତିଆରି କରୁଥିଲା । ଅନ୍ନପୂର୍ଣ୍ଣା ତାକୁ ଡାକିଆଣିଲେ ।

 

ରାଜଲକ୍ଷ୍ମୀ ମହେନ୍ଦ୍ରକୁ ତଳୁ ଉଠି ଖଟରେ ବସିବାକୁ ଇଙ୍ଗିତ କଲେ । ମହେନ୍ଦ୍ର ଖଟଉପରେ ବସିଲା । ମହେନ୍ଦ୍ର ପାର୍ଶ୍ୱରେ ସ୍ଥାନ ନିର୍ଦ୍ଦେଶ କରି ରାଜଲକ୍ଷ୍ମୀ ଆଶାକୁ କହିଲେ, ‘ବୋହୁ, ତୁ ଏଠିଆସି ବସ । ଆଜି ତୁମ ଦୁଇଜଣଙ୍କୁ ବସାଇ ମୁଁ ଦେଖିବି । ତେବେ ଯାଇ ମୋର ସବୁ ଦୁଃଖ ଦୂରହେବ । ବୋହୂ, ମୋ’ ପାଖରେ ତୁ ଲଜ୍ଜା କରନା । ଆଉ ମହେନ୍ଦ୍ର ମନଭିତରେ କୌଣସି ଅଭିମାନ ନ ରଖି ଥରେ ଏଠି ଆସି ବସ । ମୁଁ ଥରେ ଆଖି ପୂରାଇ ଦେଖେ ମାଆ !’

 

ଆଶା ଲାଜରେ ଓଢ଼ଣା ଟାଣି ଧୀରେ ଧୀରେ ଆସି କମ୍ପିତ ବକ୍ଷରେ ମହେନ୍ଦ୍ର ପାଖରେ ବସିଲା । ରାଜଲକ୍ଷ୍ମୀ ସ୍ୱହସ୍ତରେ ଆଶାର ଡାହାଣ ହାତକୁ ନେଇ ମହେନ୍ଦ୍ରର ଡାହାଣ ହାତ ଉପରେ ରଖି ଧରିଲେ । କହିଲେ, ‘ମୋର ଏଇ ମାଆକୁ ମୁଁ ତୋ’ ହାତରେ ଦେଇଯାଉଚି ।, ମହେନ୍ଦ୍ର । ମୋର ଏଇ କଥାଟି ସୁବଦିନ ମନେରଖିଥିବୁ । ତୁ ଏପରି ଲକ୍ଷ୍ମୀପ୍ରତିମା ବୋହୂ ଆଉ କୋଉଠି ପାଇବୁ ନହିଁ । ମଝିଆ ବୋହୂ, ଆ’ ଥରେ ଆଶୀର୍ବାଦ କର । ତୋର ପୂଣ୍ୟରେ ଏ ଦୁହିଁଙ୍କର ମଙ୍ଗଳ ହେଉ ।’

 

ଅନ୍ନପୂର୍ଣ୍ଣା ଆସି ସମ୍ମୁଖରେ ଠିଆ ହେବାରୁ ଉଭୟେ ସଜଳ ତାଙ୍କର ପଦଧୂଳି ଗ୍ରହଣ କଲେ । ଅନ୍ନପୂର୍ଣ୍ଣା ଉଭୟଙ୍କର ମସ୍ତକ ଚୁମ୍ୱନ କରି କହିଲେ, ‘ଭଗବାନ ତୁମ ଦୁହିଁଙ୍କର ମଙ୍ଗଳ କରନ୍ତୁ ।’

 

ରାଜଲକ୍ଷ୍ମୀ–ବିହାରୀ, ଆ’ ବାପା । ତୁ ଆସି ମହେନ୍ଦ୍ରକୁ କ୍ଷମା କରିଯା ।

 

ବିହାରୀ ମହେନ୍ଦ୍ର ସମ୍ମୁଖରେ ଆସି ଠିଆ ହେବାରୁ ମହେନ୍ଦ୍ର ଉଠି ଦୃଢ଼ ବାହୁଦ୍ୱାରା ବିହାରୀକୁ ଆଲିଙ୍ଗନ କଲା ।

 

ରାଜଲକ୍ଷ୍ମୀ କହିଲେ, ‘ମହେନ୍ଦ୍ର ମୁଁ ତୋତେ ଏଇ ଆଶୀର୍ବାଦ କରୁଚି, ପିଲାଦିନରୁ ବିହାରୀ ତୋର ଯେପରି ବନ୍ଧୁଥିଲା, ଚିରକାଳ ସେହିପରି ବନ୍ଧୁ ହୋଇ ରହିଥାଉ । ଏହାଠାରୁ ବଳି ତୋ’ ପକ୍ଷରେ ଅଧିକ ବଡ଼ ସୌଭାଗ୍ୟ ଆଉ କିଛି ହୋଇ ନ ପାରେ ।’ ଏହା କହି ରାଜଲକ୍ଷ୍ମୀ ଅତ୍ୟନ୍ତ କ୍ଲାନ୍ତ ହୋଇ ନିସ୍ତବ୍‍ଧ ହୋଇଗଲେ । ବିହାରୀ ତାଙ୍କର ମୁହଁ ପାଖରେ ଗୋଟିଏ ଉତ୍ତେଜକ ଔଷଧ ଧରିବାରୁ ରାଜଲକ୍ଷ୍ମୀ ହାତରେ ତାହାକୁ ଆଡ଼େଇ ଦେଇ କହିଲେ, ‘ଆଉ ଔଷଧ ନୁହେଁ ବାପ-। ବର୍ତ୍ତମାନ ମୁଁ ଭଗବାନଙ୍କୁ ସ୍ମରଣ କରେ । ସେ ମୋତେ ମୋ’ ସଂସାର ଦାହର ଶେଷ ଔଷଧ ଦେବେ । ମହେନ୍ଦ୍ର, ତୁମେମାନେ ଯାଅ । ଟିକିଏ ବିଶ୍ରାମ କରିବ । ବୋହୂ, ଏଥର ରୋଷେଇ ଆରମ୍ଭ କର ।’

 

ସନ୍ଧ୍ୟାବେଳେ ବିହାରୀ ଏବଂ ମହେନ୍ଦ୍ର ରାଜଲକ୍ଷ୍ମୀଙ୍କର ବିଛଣା ସମ୍ମଖରେ ତଳେ ଖାଇବସିଲେ । ରାଜଲକ୍ଷ୍ମୀ ଆଶା ଉପରେ ପରିବେଷଣର ଭାର ଦେଇଥିଲେ । ସେ ପରିବେଷଣ କରିବାକୁ ଲାଗିଲେ ।

 

ମହେନ୍ଦ୍ରର ବକ୍ଷମଧ୍ୟରେ ଉଦ୍‌ବେଳିତ ହୋଇ ଉଠୁଥିଲା । ତାହା ମୁହଁକୁ ଅନ୍ନ ଯାଉ ନ ଥିଲା । ରାଜଲକ୍ଷ୍ମୀ ତାକୁ ବାରମ୍ୱାର କହିବାକୁ ଲାଗିଲେ, ‘ମହେନ୍ଦ୍ର, ତୁ କିଛି ଖାଉନୁ କାହିଁକି ? ଭଲକରି ଖାଆ, ମୁଁ ଟିକିଏ ଦେଖେ ।’

 

ବିହାରୀ କହିଲା, ‘ଜାଣିଚ ତ ମା’ । ମହେନ୍ଦ୍ରଭାଇ ସବୁଦିନେ ସେମିତି । କିଛି ଖାଇପାରେନାହିଁ । ନୂଆବୋଉ, ମୋତେ ଏହି ଘାଣ୍ଟତରକାରୀଟା ଆଉ ଟିକିଏ ଦେବାକୁ ପଡ଼ିବ, ଭାରୀ ସୁଆଦିଆ ହୋଇଚି ।’

 

ରାଜଲକ୍ଷ୍ମୀ ଖୁସି ହୋଇ ଈଷତ୍‌ ହସି କହିଲେ, ‘ମୁଁ ଜାଣେ ବିହାରୀ ସବୁଦିନ ଏଇ ଘାଣ୍ଟତରକାରୀକୁ ଭାରୀ ଭଲପାଏ । ବୋହୂ, ଏତିକି କ’ଣ ଦେଉଚୁ ? ଆଉ ଟିକିଏ ଦେ’ ।

 

ବିହାରୀ କହିଲା ‘ତୁମର ଏଇ ବୋହୂଟି ଭାରି କୃପଣ, ହାତରୁ କିଛି ଛାଡ଼ନ୍ତି ନାହିଁ ।’

 

ରାଜଲକ୍ଷ୍ମୀ ହସି ହସି କହିଲେ, ‘ଦେଖ ବୋହୂ, ତୋ’ରି ଲୁଣ ଖାଇ ବିହାରୀ ତୋହରି ନିନ୍ଦା କରୁଚି ।’

 

ବିହାରୀ ଥାଳୀରେ ଆଶା ବେଶୀକରି ଘାଣ୍ଟତରକାରୀ ଦେଇଗଲା ।

 

ବିହାରୀ କହିଲା, ‘ହାୟରେ କପାଳ । କେବଳ ଘାଣ୍ଟ ତରକାରୀରେ ମୋର ପେଟ ପୂରାଇଦେବ, ଦେଖୁଚି, ଭଲ ଭଲ ଜିନିଷତକ ଖାଲି ମହେନ୍ଦ୍ର ଭାଇର ପତରରେ ପଡ଼ିବ ।’

 

ଆଶା ଫୁସ୍‌ କରି କହିଲା, ‘ନିନ୍ଦୁକର ମୁହଁ କୌଣସିଥିରେ ବି ବନ୍ଦ ହୁଏ ନାହିଁ ।’

 

ଦୁଇ ବନ୍ଧୁଙ୍କର ଆହାର ସମାପ୍ତ ହେଲା, ରାଜଲକ୍ଷ୍ମୀ ଅତ୍ୟନ୍ତ ତୃପ୍ତି ବୋଧ କଲେ । ଆଶାକୁ କହିଲେ, ତୁ ଏଥର ଯାଆ, ଶୀଘ୍ର ଖାଇକରି ଆସିବୁ ।’

 

ରାଜଲକ୍ଷ୍ମୀଙ୍କ ଆଦେଶରେ ଆଶା ଖାଇବାକୁ ଗଲାପରେ ସେ ମହେନ୍ଦ୍ରକୁ କହିଲେ, ‘ମହେନ୍ଦ୍ର, ତୁ ଯାଆ ଶୋଇବୁ ।’

 

ମହେନ୍ଦ୍ର କହିଲା, ‘ବର୍ତ୍ତମାନ କାହିଁକି ଶୋଇବାକୁ ଯିବି ?’ ମହେନ୍ଦ୍ର ରାତିରେ ମାଆ ପାଖରେ ରହି ତାଙ୍କର ଶୁଶ୍ରୂଷା କରିବ ବୋଲି ସ୍ଥିର କରିଥିଲା । ରାଜଲକ୍ଷ୍ମୀ କୌଣସିମତେ ତାହା କରାଇ ଦେଲେ ନାହିଁ । କହିଲେ, ‘ତୁ ବଡ଼ କ୍ଲାନ୍ତ ହୋଇପଡ଼ିଚୁ, ମହେନ୍ଦ୍ର, ଯାଆ ଶୋଇବୁ ।’

 

ଆହାର ଶେଷ କରି ଆଶା ପଙ୍ଖାହାତରେ ରାଜଲକ୍ଷ୍ମୀଙ୍କ ମୁଣ୍ଡପାଖରେ ଆସି ବସିବାର ଉପକ୍ରମ କରିବାରୁ ସେ ଥିରିଥିରି କରି ତାକୁ କହିଲେ, ‘ବୋହୂ, ମହେନ୍ଦ୍ରର ବିଛଣା ପରାହୋଇଚି କି ନାହିଁ ଆଗ ଦେଖିଆସିବୁ ଯା’ସେ ଏକୁଟିଆ ଅଛି ।’

 

ଆଶା ଲାଜରେ ମରିଯାଇ କୌଣସି ପ୍ରକାର ଘରୁ ବାହାରିଗଲା । ଘର ଭିତରେ ଖାଲି ବିହାରୀ ଆଉ ଅନପୂର୍ଣ୍ଣା ରହିଲେ ।

 

ରାଜଲକ୍ଷ୍ମୀ କହିଲେ, ‘ବିହାରୀ, ତୋତେ ଗୋଟିଏ କଥା ପଚାରିବି । ବିନୋଦିନୀର କ’ଣ ହେଲା କହିଲୁ । ସେ ବର୍ତ୍ତମାନ କେଉଁଠି ଅଛି ?’

 

ବିହାରୀ କହିଲା, ‘ବିନୋଦିନୀ କଲିକତାରେ ଅଛି ।’

 

ରାଜଲକ୍ଷ୍ମୀ ନୀରବ ଦୃଷ୍ଟିରେ ବିହାରୀକୁ ପ୍ରଶ୍ନ କରିବାକୁ ଲାଗିଲେ । ବିହାରୀ ତାହା ବୁଝିପାରିଲା । କହିଲା, ‘ବିନୋଦିନୀ ପାଇଁ ଆଉ କିଛି ଭୟ କରନା, ମାଆ ।’

 

ରାଜଲକ୍ଷ୍ମୀ କହିଲେ, ‘ମୋତେ ସେ ଅନେକ ଦୁଃଖ ଦେଇଚି, ବିହାରୀ ! ତଥାପି ମୁଁ ତାକୁ ମନେ ମନେ ଭଲପାଏ ।’

 

ବିହାରୀ କହିଲା, ‘ସେ ମଧ୍ୟ ତୁମକୁ ମନେ ମନେ ଭଲପାଏ, ମାଆ ।’

 

ରାଜଲକ୍ଷ୍ମୀ–ମୋର ଅନୁମାନ ମଧ୍ୟ ଠିକ୍‌ ସେଇଆ । ଦୋଷଗୁଣ ସମସ୍ତଙ୍କର ଅଛି, କିନ୍ତୁ ସେ ମୋତେ ପ୍ରକୃତରେ ଭଲ ପାଉଥିଲା । ଚେଷ୍ଟାକରି ମଧ୍ୟ ତା’ ପରି ସେବା କେହି କରିପାରିବେ ନାହିଁ ।

 

ବିହାରୀ କହିଲା, ‘ତୁମ ସେବା କରିବାପାଇଁ ସେ ଭାରି ବ୍ୟାକୁଳ ।’

 

ଦୀର୍ଘନିଶ୍ୱାସ ପକାଇ ରାଜଲକ୍ଷ୍ମୀ କହିଲେ, ‘ମହେନ୍ଦ୍ର ତ ଶୋଇବାକୁ ଗଲାଣି, ରାତିରେ ଥରେ ବିନୋଦିନୀକୁ ଏଠାକୁ ଆଣିଲେ କ’ଣ କ୍ଷତି ହେବ ?’

 

ବିହାରୀ କହିଲା, ‘ସିଏତ ଏଇଠି ବାହାରଘରରେ ଲୁଚିକରି ବସିଚି, ମାଆ ! ଆଜି ଦିନଭିତରେ ଜଳବିନ୍ଦୁ ଗ୍ରହଣ କରିନାହିଁ । ସେ ପଣ କରିଚି, ଯେତେବେଳେଯାଏ ତୁମେ ତାକୁ ଡାକି କ୍ଷମା ନ କରିଚ, ସେ ପର୍ଯ୍ୟନ୍ତ ସେ ଜଳସ୍ପର୍ଶ କରିବ ନାହିଁ ।’

 

ରାଜଲକ୍ଷ୍ମୀ ବ୍ୟସ୍ତ ହୋଇ କହିଲେ, ‘ଦିନସାରା ସେ ଉପାସ ରହିଚି ? ଆ-ହା, ତାକୁ ତୁ ଯାଇ ଡାକିଆଣ ।’

 

ବିନୋଦିନୀ ଧୀରେ ଧୀରେ ରାଜଲକ୍ଷ୍ମୀଙ୍କ ଘରେ ପ୍ରବେଶ କରିବାରୁ ସେ କହିଲେ, ‘ବୋହୂ, ଛି ଛି । ତୁ ଇଏ କ’ଣ କରୁଚୁ ? ଆଜି ସାରାଦିନ ଉପାସ ରହିଚୁ ? ଯା-ଯା, ଆଗ ଖାଇଆସିବୁ ଯା, ତା’ପରେ ଯାଇ ଯାହା କଥାବାର୍ତ୍ତା ।

 

ବିନୋଦିନୀ ରାଜଲକ୍ଷ୍ମୀଙ୍କର ପଦଧୂଳି ନେଇ ପ୍ରଣାମ କରି କହିଲା, ‘ତୁମେ ଆଗ ଏ ପାପିଷ୍ଠାକୁ କ୍ଷମାକର, ଅପା । ତେବେ ଯାଇ ମୁଁ ଖାଇବାକୁ ଯିବି ।’

 

ରାଜଲକ୍ଷ୍ମୀ–କ୍ଷମାକରି ସାରିଚି ମାଆ । ବର୍ତ୍ତମାନ ମୋର ଆଉ କାହାରି ଚପରେ କୌଣସି ରାଗ ନାହିଁ । ବିନୋଦିନୀର ଡାହାଣ ହାତଧରି ତା’ପରେ କହିଲେ, ‘ବୋହୂ, ତୋଦ୍ୱାରା କାହାରି ମନ୍ଦ ନ ହେଉ, ତୁ ଭଲରେ ରହ ।’

 

ବିନୋଦିନୀ–ତୁମର ଆଶୀର୍ବାଦ କଦାପି ମିଥ୍ୟା ହେବ ନାହିଁ ଅପା । ମୁଁ ତୁମର ପାଦଛୁଇଁ କହୁଚି, ମୋ’ଦ୍ୱାରା ଏହି ସଂସାରର ଆଉ କୌଣସି ମନ୍ଦ ହେବ ନାହିଁ ।

 

ବିନୋଦିନୀ ଅନ୍ନପୂର୍ଣ୍ଣାଙ୍କୁ ଭୂମିଷ୍ଠ ହୋଇ ପ୍ରଣାମ କରି ଖାଇବାକୁ ଗଲା । ଖାଇ ଆସିବାପରେ ରାଜଲକ୍ଷ୍ମୀ ତା’ଆଡ଼କୁ କହିଲେ, ‘ବୋହୂ, ତୁ ଯାଉଚୁ ?’

 

ବିନୋଦିନୀ–ଅପା, ମୁଁ ତୁମର ସେବା କରିବି । ଈଶ୍ୱରଙ୍କୁ ମୁଁ ସାକ୍ଷୀରଖି କହୁଚି, ମୋ’ଦ୍ଵାରା ତୁମେ ଆଉ କୌଣସି ଅନିଷ୍ଟର ଆଶଙ୍କା କରନାହିଁ ।

 

ରାଜଲକ୍ଷ୍ମୀ ବିହାରୀର ମୁହଁକୁ ଚାହିଁଲେ । ବିହାରୀ ଟିକିଏ ଚିନ୍ତାକରି କହିଲା, ‘ନୂଆବୋଉ ରହନ୍ତୁ ମା’–ସେ୍ଥିରେ କିଛି କ୍ଷତି ହେବ ନାହିଁ ।’

 

ରାତିରେ ବିହାରୀ, ବିନୋଦିନୀ ଏବଂ ଅନ୍ନପୂର୍ଣ୍ଣା ତିନିଜଣ ମିଶି ରାଜଲକ୍ଷ୍ମୀଙ୍କର ଶୁଶ୍ରୂଷା କଲେ ।

 

ଆଶା ସାରାରାତି ରାଜଲକ୍ଷ୍ମୀଙ୍କ ଘରକୁ ଥରେ ହେଲେ ଆସିନାହିଁ ବୋଲି ଲଜ୍ଜାରେ ଅତି ପ୍ରତ୍ୟୁଷରୁ ଉଠିଚି । ବିଛଣାରେ ମହେନ୍ଦ୍ରକୁ ସୁପ୍ତ ଅବସ୍ଥାରେ ରଖି ସେ ତରତର ହୋଇ ମୁହଁ ଧୋଇ ଲୁଗା ବଦଳାଇ ପ୍ରସ୍ତୁତ ହେଲା । ସେ ପର୍ଯ୍ୟନ୍ତ ଅନ୍ଧାର ପୂରାପୂରି ଯାଇ ନ ଥାଏ । ରାଜଲକ୍ଷ୍ମୀଙ୍କର ଦୁଆରମୁହଁକୁ ଆସି ସେ ଯାହା ଦେଖିଲା, ସେଥିରେ ଅବାକ ହୋଇଯାଇ ସେ ଭାବିଲା, ମୁଁ କ’ଣ ସ୍ୱପ୍ନ ଦେଖୁଚି ?’

 

ଗୋଟିଏ ସ୍ପିରିଟ୍‌ଲ୍ୟାମ୍ପ ଜାଳି ବିନୋଦିନୀ ପାଣି ଗରମ କରୁଚି । ବିହାରୀର ଆଖି ରାତିରେ କଷା ପଡ଼ିନାହିଁ । ତା’ପାଇଁ ଚାହା ତିଆରି ହେବ ।

 

ଆଶାକୁ ଦେଖି ବିନୋଦିନୀ ଉଠି ଠିଆହେଲା । କହିଲା, ‘ମୁଁ ଆଜି ମୋର ସବୁ ଅପରାଧ ନେଇ ତୁମର ଆଶ୍ରୟ ଗ୍ରହଣ କଲି । ମୋତେ ଆଉ କେହି ତଡ଼ି ଦେଇପାରିବେ ନାହିଁ । କିନ୍ତୁ ଯଦି ତୁମେ ‘ଯାଅ’ ବୋଲି କହିବ, ତା’ହେଲେ ମୁଁ ଏହି ମୁହୂର୍ତ୍ତରେ ଚାଲିଯିବି ।’

 

ଆଶା କୌଣସି ଉତ୍ତର ଦେଇପାରିଲା ନାହିଁ । ତା’ର ମନ କ’ଣ କହୁଚି, ସେ କଥା ମଧ୍ୟ ସେ ଭଲଭାବରେ ବୁଝିପାରିଲା ନାହିଁ, କେବଳ ଅଭିଭୂତ ହୋଇ ରହିଲା ।

 

ବିନୋଦିନୀ କହିଲା, ‘ତୁମେ ମୋତେ କଦାପି କ୍ଷମା କରିପାରିବ ନାହିଁ । ସେ ଚଷ୍ଟା ମଧ୍ୟ କରନା । କିନ୍ତୁ ମୋତେ ଆଉ ଭୟ କରନା । ପିଉସୀଙ୍କର ଯେତିକି ଦିନ ଦରକାର, ସେଇ କେତେଟା ଦିନ ମୋତେ ତାଙ୍କର ସେବା କରିବାକୁ ଦିଅ । ତା’ପରେ ମୁଁ ଚାଲିଯିବି ।’

 

କାଲି ଯେତେବେଳେ ରାଜଲକ୍ଷ୍ମୀ ଆଶାର ହାତକୁ ନେଇ ମହେନ୍ଦ୍ରର ହାତରେ ଏକାଠି କରିଦେଲେ, ସେତେବେଳେ ଆଶା ତା’ମନରୁ ସବୁ ଅଭିମାନ ପୋଛିଦେଇ ସମ୍ପୂର୍ଣ୍ଣଭାବରେ ମହେନ୍ଦ୍ର ପାଖରେ ଆତ୍ମସମର୍ପଣ କରିଥିଲା । ଆଜି ବିନୋଦିନୀକୁ ସମ୍ମୁଖରେ ଦେଖି ତା’ର ଖଣ୍ଡିତ ପ୍ରେମର ଦାହ ଶାନ୍ତି ମାନିଲା ନାହିଁ । ଏହାକୁ ମହେନ୍ଦ୍ର ଦିନେ ଭଲ ପାଉଥିଲା, ହୁଏତ ବର୍ତ୍ତମାନ ମଧ୍ୟ ଏହାକୁ ହିଁ ସେ ମନେ ମନେ ଭଲପାଏ-ତା’ର ଛାତିଭିତରେ ଏଇ କଥାଟି ଢେଉପରି ଫୁଲି ଉଠିବାକୁ ଲାଗିଲା । ମହେନ୍ଦ୍ର କିଛି ସମୟ ପରେ ବିଛଣାରୁ ଉଠିବ, ବିନୋଦିନୀକୁ ଦେଖିବ, କେଉଁ ଆଖିରେ ଦେଖିବ ସେ କଥା କିଏ ଜାଣିଚି ? ଆଶା କାଲି ରାତିରେ ଆପଣାର ସଂସାରକୁ ନିଷ୍କଣ୍ଟକ ଦେଖିପାରିଥିଲା–ଆଜି ପ୍ରତ୍ୟୁଷରେ ଉଠି ଦେଖିଲା, ତା’ର ଘର ପ୍ରାଙ୍ଗଣରେ କଣ୍ଟା ଗଛ । ସଂସାରରେ ସୁଖରେ ସ୍ଥାନ ସବୁଠାରୁ ସଂକୀର୍ଣ୍ଣ, ଯେଉଁଠିହେଲେ ତାକୁ ସମ୍ପୂର୍ଣ୍ଣ ନିର୍ବିଘ୍ନଭାବରେ ରଖିବାର ଅବକାଶ ନାହିଁ । ହୃଦୟର ଭାର ବହନ କରି ଆଶା ରାଜଲକ୍ଷ୍ମୀଙ୍କ ଘରେ ପ୍ରବେଶ କଲା ଏବଂ ଅତ୍ୟନ୍ତ ଲଜ୍ଜାର ସହିତ କହିଲା, ‘ମାଉସୀ, ତୁମେ ରାତିସାରା ବସିରହିଚ, ଯାଅ, ଟିକିଏ ଶୋଇବ ଯାଅ ।’ ଅନ୍ନପୂର୍ଣ୍ଣା ଆଶାର ମୁହଁକୁ ନିରୀକ୍ଷଣ କରି ଦେଖିଲେ । ତା’ପରେ ଶୋଇବାକୁ ନ ଯାଇ ଆଶାକୁ ନିଜ ଘରକୁ ଡାକିନେଲେ । କହିଲେ, ‘ଚୁନି ଯଦି ରହିବାକୁ ଇଚ୍ଛା କରୁଚ, ତେବେ ସବୁକଥା ପାଶୋରିପକା । ଅନ୍ୟକୁ ଦୋଷୀ କରି ଯେତିକି ସୁଖ ମିଳେ, ଦୋଷ ମନେରଖିବାର ଦୁଃଖ ତା’ଠାରୁ ଢେର ବେଶୀ ।’

 

ଆଶା କହିଲା, ‘ମାଉସୀ ମୁଁ ମନଭିତରେ କିଛି ପୋଷଣ କରି ରଖିବାକୁ ଚାହେଁନା । ମୁଁ ଭୁଲିବାକୁ ଚାହେଁ, କିନ୍ତୁ ଭୁଲିବାକୁ ଦେଲେ ସିନା ?’

 

ଅନ୍ନପୂର୍ଣ୍ଣା–ମା, ତୁ ଠିକ୍‌ କହିଚୁ । ଉପଦେଶ ଦେବା, ସହଜ, କିନ୍ତୁ ଉପାୟ କହିବା ଶକ୍ତ-। ତଥାପି ମୁଁ ତୋତେ ଗୋଟିଏ ଉପାୟ କହିଦେଉଚି । ସତେ ଯେପରି ତୁ ସବୁକଥା ଭୁଲିଯାଇଚୁ । ଅନ୍ତତଃ ବାହାରେ ଏହି ଭାବଟି ପ୍ରାଣପଣେ ରକ୍ଷା କରିବାକୁ ହେବ । ପ୍ରଥମେ ବାହାରୁ ଭୁଲିବାକୁ ଆରମ୍ଭ କର, ତା’ହେଲେ ଭିତରୁ ମଧ୍ୟ ଭୁଲି ପାରିବୁ । ଏକଥା ମନେରଖ ଚୁନି, ତୁ ଯଦି ଭୁଲି ନ ପାରିବୁ, ତେବେ ଅନ୍ୟକୁ ମଧ୍ୟ ସ୍ମରଣ କରାଇ ଦେଉଥିବୁ । ତୁ ନିଜ ଇଚ୍ଛାରେ ଏହା କରି ନ ପାରୁ, କିନ୍ତୁ ତୋତେ ମୋର ଆଦେଶ ରହିଲା, ତୁ ବିନୋଦିନୀ ସହିତ ଏପରି ବ୍ୟବହାର କର, ଯେପରି ତୋ’ ବ୍ୟବହାରରୁ ଜଣାପଡ଼ିବ ଯେ ସେ କେବେ ତୋର କୌଣସି ଅନିଷ୍ଟ କରିନାହିଁ ଏବଂ ତାହାଦ୍ୱାରା ତୋର କୌଣସି ଅନିଷ୍ଟ ହେବାର ଆଶଙ୍କା ମଧ୍ୟ ନାହିଁ ।

 

ଆଶା ନମ୍ରଭାବରେ କହିଲା, ‘ମୋତେ କ’ଣ କରିବାକୁ ହେବ, କୁହ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ବର୍ତ୍ତମାନ ବିନୋଦିନୀ ବିହାରୀ ପାଇଁ ଚାହା ତିଆରି କରୁଚି, ତୁ ଦୁଧ, ଚିନି ଓ ପିଆଲା ନେଇ ତା’ ପାଖକୁ ଯାଆ । ଦୁହେଁ ମିଶିକରି ଚାହା ତିଆରି କର ।’

 

ଆଦେଶ ପାଳନ କରିବାକୁ ଆଶା ଉଠିଲା । ଅନ୍ନପୂର୍ଣ୍ଣା କହିଲେ, ‘ଏଇଟା ସହଜ,–ମୋର ଆଉ ଗୋଟିଏ କଥା ଅଛି, ତାହା କରିପାରିବା ଅଧିକ ଶକ୍ତ । ତାହା ମଧ୍ୟ ତୋତେ ପାଳନ କରିବାକୁ ପଡ଼ିବ । ବେଳେ ବେଳେ ନିଶ୍ଚୟ ମହେନ୍ଦ୍ର ସହିତ ବିନୋଦିନୀର ଦେଖାହେବ । ସେତେବେଳେ ତୋର ମନ କ’ଣ ହେବ, ସେକଥା ମୁଁ ଜାଣେ । ସେତେବେଳେ ତୁ ଗୋପନ କଟାକ୍ଷରେ ସୁଦ୍ଧା ମହେନ୍ଦ୍ରର ଭାବ କିମ୍ୱା ବିନୋଦିନୀର ଭାବ ଦେଖିବାକୁ ଚେଷ୍ଟା କରିବୁ ନାହିଁ । ଛାତି ଫାଟିଗଲେ ସୁଦ୍ଧା ତୋତେ ଅବିଚଳିତ ରହିବାକୁ ପଡ଼ିବ । ମହେନ୍ଦ୍ର ଏ କଥା ଜାଣିବ ଯେ ତୋ’ ମନରେ କୌଣସି ସନ୍ଦେହ ନାହିଁ, କୌଣସି ଶୋକ ନାହିଁ, ଭୟ ନାହିଁ ବା ଚିନ୍ତା ନାହିଁ । ଯୋଡ଼ାମୁହଁ ପୂର୍ବରୁ ଯେପରି ଥିଲା, ଯୋଡ଼ାଲାଗି ପୁଣି ଠିକ୍‌ ସେହିପରି ହୋଇଯାଇଚି, ଭଙ୍ଗା ଦାଗଟା ମଧ୍ୟ ମିଶିଯାଇଚି ମହେନ୍ଦ୍ର ବା ଆଉ କେହି ତୋର ମୁହଁ ଦେଖି ଯେପରି ନିଜକୁ ଅପରାଧୀ ବୋଲି ମନେ ନ କରନ୍ତି । ଚୁନି, ଏହା ମୋର ଅନୁରୋଧ ନୁହେଁ ବା ଉପଦେଶ ନୁହେଁ, ଏହା ତୋ ମାଉସୀର ଆଦେଶ । ଯେତେବେଳେ ମୁଁ ପୁଣି କାଶୀ ଚାଲିଯିବି, ସେତେବେଳେ ଏହି କଥାଟି ଦିନକ ପାଇଁ ସୁଦ୍ଧା ଭୁଲିବୁ ନାହିଁ ।’

 

ଆଶା ଚାହା କପ୍‌ ପ୍ରଭୃତି ନେଇ ବିନୋଦିନୀ ପାଖରେ ଉପସ୍ଥିତ ହେଲା । କହିଲା, ‘ପାଣି ଗରମ ହେଲାଣି ନା ନାହିଁ ? ମୁଁ ଚାହା ଆଣିଚି ।’

 

ଆଶ୍ଚର୍ଯ୍ୟ ହୋଇ ବିନୋଦିନୀ ଆଶାର ମୁହଁକୁ ଚାହିଁ ରହିଲା । କହିଲା, ‘ବିହାରୀ ପିଣ୍ଡାରେ ବସିଚନ୍ତି । ତୁମେ ତାଙ୍କ ପାଖକୁ ଚାହା ପଠାଇଦିଅ । ମୁଁ ଇତିମଧ୍ୟରେ ଅପାଙ୍କର ମୁହଁ ଧୋଇବାର ବନ୍ଦୋବସ୍ତ କରି ରଖୁଚି । ସେ ବୋଧହୁଏ ବର୍ତ୍ତମାନ ଉଠିପଡ଼ିବେ ।’

 

ଚାହା ନେଇ ବିନୋଦିନୀ ବିହାରୀ ପାଖକୁ ଗଲାନାହିଁ । ତା’ର ପ୍ରେମ ସ୍ୱୀକାର କରି ବିହାରୀ ତାକୁ ଯେଉଁ ଅଧିକାର ଦେଇଚି, ସେହି ଅଧିକାରକୁ ସ୍ୱେଚ୍ଛାନୁସାରେ ଖଟାଇବାକୁ ସେ ସଙ୍କୋଚବୋଧ କଲା । ଅଧିକାର ଲାଭ କରିବାରେ ଯେଉଁ ମର୍ଯ୍ୟାଦା ରହିଚି, ତାକୁ ରକ୍ଷା କରିବାକୁ ହେଲେ ଅଧିକାର ପ୍ରୟୋଗକୁ ସଂଯତ କରିବାକୁ ହେବ । ବେଶୀ ପାଇବାଲାଗି ଆକୁଳ ହେବା କାଙ୍ଗାଳ ପାଖରେ ହିଁ ଶୋଭାପାଏ । ଭୋଗକୁ ଖର୍ବ କରିବା ହେଉଚି ସମ୍ପଦର ଯଥାର୍ଥ ଗୌରବ । ବର୍ତ୍ତମାନ ବିହାରୀ ତାକୁ ନିଜେ ନ ଡାକିଲେ କୌଣସି ଉପଲକ୍ଷ ସୃଷ୍ଟି କରି ବିନୋଦିନୀ ତା’ ପାଖକୁ ଯାଇପାରିବ ନାହିଁ ।

 

ଠିକ୍‌ ଏତିକିବେଳେ ମହେନ୍ଦ୍ର ଆସି ଉପସ୍ଥିତ ହେଲା । ଆଶାର ଛାତିଭିତରଟା ଅବଶ୍ୟ ଧଡ଼ କରି ଉଠିଲା, ତଥାପି ସେ ଆପଣାକୁ ସମ୍ୱରଣ କରିନେଇ ସ୍ୱାଭାବିକ ସ୍ୱରରେ ମହେନ୍ଦ୍ରକୁ କହିଲା, ‘ତୁମେ ଏତେଭୋରରୁ କାହିଁକି ଉଠିଲ ? ଆଲୁଅ ପଡ଼ି କାଳେ ତୁମର ନିଦ ଭାଙ୍ଗିଯିବ, ସେଇଥିପାଇଁ ମୁଁ କବାଟ ଝରକା ସବୁ ବନ୍ଦକରି ଦେଇ ଆସିଥିଲି ।’

 

ବିନୋଦିନୀ ସମ୍ମୁଖରେ ଆଶାକୁ ଏପରି ସହଜ ଭାବରେ କଥା କହିବାର ଶୁଣି ମହେନ୍ଦ୍ର ଛାତିଉପରୁ ଗୋଟାଏ ବୋଝ ଓହ୍ଲାଇଗଲା । ସେ ଅତି ଆନନ୍ଦିତ ଭାବରେ କହିଲା, ‘ମାଆ କିପରି ଅଛନ୍ତି ଦେଖିବାକୁ ଆସିଥିଲି । ସେ କ’ଣ ଏପର୍ଯ୍ୟନ୍ତ ଶୋଇଚନ୍ତି ?’

 

ଆଶା କହିଲା, ‘ହଁ, ସେ ଶୋଇଚନ୍ତି । ବର୍ତ୍ତମାନ ତୁମେ ସେଠାକୁ ଯାଅନା । ବିହାରୀ ବାବୁ କହୁଚନ୍ତି, ଆଜି ସେ ଅନେକ ଭଲ ଅଛନ୍ତି । ଅନେକଦିନ ପରେ ସେ କାଲି ରାତିସାରା ବେଶ୍‌ ଭଲରେ ଶୋଇଚନ୍ତି ।’

 

ନିଶ୍ଚିତ ହୋଇ ମହେନ୍ଦ୍ର କହିଲା, ‘ଖୁଡ଼ୀ କାହାନ୍ତି ?’

 

ଆଶା ତାଙ୍କ ଘର ଭିତରକୁ ହାତ ଦେଖାଇଦେଲା ।

 

ଆଶାର ଏହି ଦୃଢ଼ତା ଓ ସଂଯମ ଦେଖି ବିନୋଦିନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା ।

 

ଅନ୍ନପୂର୍ଣ୍ଣା ଭୋରରୁ ଗାଧୋଇସାରି ବର୍ତ୍ତମାନ ପୂଜାରେ ବସିବେ ବୋଲି ଭାବୁଥିଲେ, ତଥାପି କହିଲେ, ‘ଆ ମହେନ୍ଦ୍ର, ଆ ।’

 

ମହେନ୍ଦ୍ର ତାଙ୍କୁ ପ୍ରଣାମ କରି କହିଲେ, ! ଖୁଡ଼ୀ ମୁଁ ପାପିଷ୍ଠ, ତୁମ ପାଖକୁ ଆସିବାକୁ ମୋତେ ଭାରି ଲାଜ ଲାଗେ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ଛି ଛି ! ତୁ ଆଉ ସେ ସବୁ କହନା ମହେନ୍ଦ୍ର । ପୁଅ ତ ପୁଣି ଧୂଳିମାଟି ବୋଳିହୋଇ ମାଆ କୋଳରେ ଆସି ବସେ ।’

 

ମହେନ୍ଦ୍ର–କିନ୍ତୁ ମୋର ଏହି ଧୂଳି କେବେହେଲ ପୋଛିହେବ ନାହିଁ, ଖୁଡ଼ୀ ।

 

ଅନ୍ନପୂର୍ଣ୍ଣା–ଥରେ ଦୁଇଥର ଝାଡ଼ିଦେଲେ ଝଡ଼ିଯିବ । ଇଏ ଭାରୀ ଭଲ ହେଲା, ମହେନ୍ଦ୍ର-। ନିଜକୁ ଭଲ ବୋଲି ତୋର ଅହଙ୍କାର ରହିଥିଲା, ନିଜ ଉପରେ ତୋ’ର ଖୁବ୍‍ବେଶୀ ବିଶ୍ୱାସ ଥିଲା, ପାପର ଝଡ଼ ତୋ’ର ସେହି ଗର୍ବକୁ ଭାଙ୍ଗି ଦେଇଚି, କିନ୍ତୁ କିଛି ଅନିଷ୍ଟ କରିନାହିଁ ।

 

ମହେନ୍ଦ୍ର–ଖୁଡ଼ୀ, ଏଥର ଆଉ ତୁମକୁ ଛାଡ଼ିଦେବି ନାହିଁ । ତୁମେ ଚାଲିଯିବାରୁ ମୋର ଏପରି ଦୁର୍ଗତି ହେଲା ।ଅନ୍ନପୂର୍ଣ୍ଣା–ଘରେ ରହି ମୁଁ ଯେଉଁ ଦୁର୍ଗତିକୁ ଅଟକାଇ ରଖିଥାନ୍ତି, ସେହି ଦୁର୍ଗତି ଥରେ ଘଟିଯିବା ଭଲ । ଏଥର ମୁଁ ତୋ’ର ଆଉ କୌଣସି ଦରକାରରେ ଲାଗିବି ନାହିଁ ।

 

କବାଟ ବାହାରୁ ଡାକ ଆସିଲା, ‘ଖୁଡ଼ୀ, ପୂଜାରେ ବସିଚ ନା କ’ଣ ?’

 

ଅନ୍ନପୂର୍ଣ୍ଣା କହିଲେ, ‘ନାଇଁ, ତୁ ଆ ।’

 

ବିହାରୀ ଘରଭିତରେ ପ୍ରବେଶ କଲା । ଏତେ ସକାଳୁ ମହେନ୍ଦ୍ରକୁ ଜାଗ୍ରତ ଦେଖି କହିଲା, ’ମହେନ୍ଦ୍ର ଭାଇ, ତୁମ ଜୀବନରେ ବୋଧହୁଏ ତୁମେ ଆଜି ପ୍ରଥମ ସୂର୍ଯ୍ୟୋଦୟ ଦେଖିଲ ।’

 

ମହେନ୍ଦ୍ର କହିଲା, ’ହଁ ବିହାରୀ, ଆଜି ମୋ’ ଜୀବନର ପ୍ରଥମ ସୂର୍ଯ୍ୟୋଦୟ ହେଲା । ତୋ’ର ବୋଧହୁଏ ଖୁଡ଼ୀଙ୍କ ସହିତ କିଛି ପରାମର୍ଶ କରିବାର ଅଛି, –ମୁଁ ଯାଉଚି ।’

 

ହସିକରି ବିହାରୀ କହିଲା, ‘ତୁମକୁ ଏବେ କାବିନେଟ ମିନିଷ୍ଟର କରି ନିଆହେବ । ତୁମ ପାଖରେ ତ ମୁଁ କଦାପି କିଛି ଗୋପନ କରିନାହିଁ । ଯଦି କୌଣସି ଆପତ୍ତି ନ ଥାଏ, ତେବେ ଆଜି ମଧ୍ୟ ଗୋପନ କରିବି ନାହିଁ ।’

 

ମହେନ୍ଦ୍ର । ମୁଁ ଆପତ୍ତି କରିବି । ତେବେ ଅବଶ୍ୟ ଦାବୀ କରିପାରିବି ନାହିଁ । ଯଦି ତୁ ମୋ’ ପାଖରେ କିଛି ଗୋପନ ନ କରୁ, ତେବେ ମୁଁ ମଧ୍ୟ ମୋ’ପ୍ରତି ପୁଣି ଶ୍ରଦ୍ଧା ପୋଷଣ କରିପାରିବି-

 

ଆଜିକାଲି ମହେନ୍ଦ୍ର ସମ୍ମୁଖରେ ସବୁକଥା ଅସଙ୍କୋଚ ହୋଇ କହିବା କଠିନ । ବିହାରୀ ମୁହଁରେ କଥା ଅଟକିଗଲା । ତଥାପି ସେ ଜୋରକରି କହିଲା, ‘ବିନୋଦିନୀକୁ ମୁଁ ବିବାହ କରିବି, ଏପରି ଗୋଟିଏ ପ୍ରସଙ୍ଗ ଉଠିଥିଲା । ସେହି ସମ୍ୱନ୍ଧରେ ମୁଁ ଖୁଡ଼ୀଙ୍କ ସହିତ କଥାବାର୍ତ୍ତା କରିବାକୁ ଆସିଚି ।’

 

ଏକଥା ଶୁଣି ମହେନ୍ଦ୍ର ଏକାନ୍ତ ସଙ୍କୁଚିତ ହୋଇ ଉଠିଲା । ଅନପୂର୍ଣ୍ଣା ଚକିତ ହୋଇ କହିଲେ ’ଇଏ ପୁଣି କି କଥା ବିହାରୀ ?’

 

ପ୍ରବଳ ଶକ୍ତି ପ୍ରୟୋଗ କରି ମହେନ୍ଦ୍ର ସଙ୍କୋଚ ଦୂର କଲା । କହିଲା, ‘ବିହାରୀ, ଏହି ବିବାହର କୌଣସି ପ୍ରୟୋଜନ ନାହିଁ ।

 

ଅନ୍ନପୂର୍ଣ୍ଣା କହିଲେ, ଏହି ବିବାହ ପ୍ରସ୍ତାବରେ କ’ଣ ବିନୋଦିନୀ କୌଣସି ପ୍ରକାରେ ସଂପୃକ୍ତ ଅଛି କି ?’

 

ବିହାରୀ କହିଲା, ‘ନାହିଁ ।

 

ଅନ୍ନପୂର୍ଣ୍ଣା କହିଲେ, ସେ କ’ଣ ଏଥିରେ ରାଜି ହେବ ?

 

ମହେନ୍ଦ୍ର କହିଲା, ବିନୋଦିନୀ କାହିଁ ରାଜି ନ ହେବ, ଖୁଡ଼ୀ. ମୁଁ ଜାଣେ ବିହାରୀକୁ ସେ ଏକାନ୍ତଭାବରେ ଭକ୍ତି କରେ, ସେ କ’ଣ ଇଚ୍ଛାକରି ଏପରି ଆଶ୍ରୟ ଛାଡ଼ି ଦେଇପାରିବ ?’

 

ବିହାରୀ କହିଲା, ‘ମହେନ୍ଦ୍ର ଭାଇ, ମୁଁ ବିନୋନିଦୀ ପାଖରେ ବିବାହର ପ୍ରସ୍ତାବ କରିଥିଲି-। ସେ ଲଜ୍ଜାର ସହିତ ତାହା ପ୍ରତ୍ୟାଖ୍ୟାନ କରିଚି ।’

 

ଶୁଣି ମହେନ୍ଦ୍ର ନୀରବ ହୋଇ ରହିଲା ।

 

(୫୨)

 

ଭଲରେ ମନ୍ଦରେ ରାଜଲକ୍ଷ୍ମୀଙ୍କର ଦୁଇ ତିନିଦିନ କଟିଗଲା । ଦିନେ ସକାଳେ ତାଙ୍କର ମୁହଁ ବେଶ୍‌ ପ୍ରସନ୍ନ ଦେଖାଗଲା । ସବୁ ବେଦନା ହ୍ରାସ ହୋଇଗଲା । ସେହିଦିନ ସେ ମହେନ୍ଦ୍ରକୁ ଡାକି କହିଲେ, ଆଉ ମୋର ବେଶୀ ସମୟ ନାହିଁ କିନ୍ତୁ ମୁଁ ସୁଖରେ ମରିବି, ମହେନ୍ଦ୍ର ! ମୋର ଆଉ କୌଣସି ଦୁଃଖ ନାହିଁ । ଯେତେବେଳେ ତୁ ପିଲା ଥିଲୁ, ସେତେବେଳେ ତୋତେ ନେଇ ମୋର ଯେଉଁ ଆନନ୍ଦ ଥିଲା, ଆଜି ସେହି ଆନନ୍ଦରେ ମୋର ବକ୍ଷ ଭରିଉଠିଛି । ତୁ ମୋର ଗୋଟିଏ ବୋଲି ପୁଅ, ମୋର ମଣିମାଣିକ୍ୟ-ତୋର ସବୁ ଦୁଃଖ-ବିପତ୍ତି ଝାଡ଼ିଝୁଡ଼ି ନେଇ ମୁଁ ଯାଉଚି, ଏହାହିଁ ମୋର ସବୁଠାରୁ ବଡ଼ ସୁଖ ।’ କହି ରାଜଲକ୍ଷ୍ମୀ ମହେନ୍ଦ୍ରର ମୁହଁରେ ଦେହରେ ହାତ ବୁଲାଇବାକୁ ଲାଗିଲେ-। କୌଣସି ବାଧା ନ ମାନି ମହେନ୍ଦ୍ରର ରୋଦନ ଉଚ୍ଛ୍ୱସିତ ହୋଇଉଠିଲା ।

 

ରାଜଲକ୍ଷ୍ମୀ କହିଲା, ‘ତୁ କାନ୍ଦନା ମହେନ୍ଦ୍ର ! ଲକ୍ଷ୍ମୀ ଘରେ ରହିଲା । ମୋ ଚାବିଟା ବୋହୂକୁ ଦେବୁ । ମୁଁ ସବୁ ସଜାଡ଼ି ରଖିଚି, କୌଣସି ଘରକରଣା ଅଭାବ କେବେହେଲେ ହେବ ନାହିଁ । ଆଉ ଗୋଟିଏ କଥା ଶୁଣି, ମହେନ୍ଦ୍ର । ମୋ ମୃତ୍ୟୁ ପୂର୍ବରୁ ତୁ ଏକଥା କାହାକୁ ଜଣାଇବୁ ନାହିଁ-। ମୋ ବାକ୍‌ସଭିତରେ ଦୁଇ ହଜାର ଟଙ୍କାର ନୋଟ ଅଛି, ତାକୁ ମୁଁ ବିନୋଦିନୀକୁ ଦେଲି । ସେ ବିଧବା, ତା’ର ଆଉ କେହି ନାହାନ୍ତି । ଏହି ଟଙ୍କାର ସୁଧରେ ସେ ବେଶ୍‌ ଚଳିଯିବ । କିନ୍ତୁ ମହେନ୍ଦ୍ର, ତୁ ଆଉ ତାକୁ ତୁମ ଦୁହିଁଙ୍କର ଭିତରକୁ ଆଣିବୁ ନାହିଁ । ତୋ’ ପ୍ରତି ମୋର ଏହି ଅନୁରୋଧ ରହିଲା-।’

 

ବିହାରୀକୁ ଡାକି ରାଜଲକ୍ଷ୍ମୀ କହିଲେ, ‘ବାପ ବିହାରୀ, ମହେନ୍ଦ୍ର କାଲି କହୁଥିଲା, ତୁ ଗରିବ ଭଦ୍ରଲୋକଙ୍କର ଚିକିତ୍ସା ପାଇଁ ଗୋଟିଏ ଘର କରିଚୁ । ଭଗବାନ ତୋତେ ଦୀର୍ଘଜୀବୀ କରି ଗରିବଙ୍କର ହିତ କରାନ୍ତୁ । ମୋର ବିବାହ ସମୟରେ ମୋ ଶଶୁର ମୋତେ ଗୋଟିଏ ଗାଁ ଯୌତୁକ ଦେଇଥିଲେ, ସେଇ ଗାଆଁଖଣ୍ଡକ ମୁଁ ତୋତେ ଦେଲି । ତାକୁ ତୁ ତୋ’ର ଗରିବମାନଙ୍କର କାମରେ ଲଗାଇବୁ, ମୋ ଶଶୁରଙ୍କର ପୁଣ୍ୟ ହେବ ।’

 

(୫୩)

 

ରାଜଲକ୍ଷ୍ମୀଙ୍କ ମୃତ୍ୟୁପରେ ତାଙ୍କର ଶ୍ରାଦ୍ଧ ଅନ୍ତେ ମହେନ୍ଦ୍ର କହିଲା, ‘ଭାଇ ବିହାରୀ, ମୁଁ ଡାକ୍ତରୀ ଜାଣେ । ତୁ ଯେଉଁ କାମ ଆରମ୍ଭ କରିଚୁ, ମୋତେ ମଧ୍ୟ ସେଥିରେ ଭର୍ତ୍ତି କରିନେ । ଚୁନି ଯେପରି ଘରଣୀ ହେଲାଣି, ସେ ମଧ୍ୟ ତୋର ଅନେକ ସହାୟତା କରିପାରିବ । ଆମେ ସମସ୍ତେ ଯାଇ ସେଠାରେ ରହିବୁ ।’

 

ବିହାରୀ କହିଲା, ‘ମହେନ୍ଦ୍ର ଭାଇ, ଭଲକରି ଭାବି ଦେଖ । ଏ କାମ କ’ଣ ସବୁଦିନ ପାଇଁ ତୁମକୁ ଭଲ ଲାଗିବ ? ବୈରାଗ୍ୟର ଉଚ୍ଛ୍ୱାସରେ ଗୋଟିଏ ସ୍ଥାୟୀ ଭାର ଗ୍ରହଣ କରିବ ସିନା !’

 

ମହେନ୍ଦ୍ର କହିଲା, ‘ବିହାରୀ, ତୁମ ମଧ୍ୟ ଭାବି ଦେଖ । ମୁଁ ଯେଉଁ ଜୀବନ ଗଠନ କରିଚି, ତାକୁ ନେଇ ଆଳସ୍ୟରେ ଆଉ ଉପଭୋଗ କରିବାର ଉପାୟ ନାହିଁ । ଯଦି କର୍ମଦ୍ୱାରା ତାକୁ ମୁଁ ଟାଣିନେଇ ନ ଯିବି, ତେବେ କେଉଁ ଦିନ ମୋତେ ହୁଏତ ତାହା ଟାଣିନେଇ ଅବସାଦ ମଧ୍ୟରେ ପକାଇଦେବ । ତୋର କର୍ମ ମଧ୍ୟରେ ମୋତେ ସ୍ଥାନ ଦେବାକୁ ପଡ଼ିବ ।’

 

ସେହିକଥା ଶେଷକୁ ସ୍ଥିର ହେଲା ।

 

ଅନ୍ନପୂର୍ଣ୍ଣା ଓ ବିହାରୀ ବସି ବିଷାଦର ସହିତ ସେକାଳର କଥାମାନ ଆଲୋଚନା କରୁଥିଲେ । ସେମାନଙ୍କର ପରସ୍ପର ବିଦାୟର ସମୟ ନିକଟ ହେଲାଣି । ବିନୋଦିନୀ ଦୁଆରମୁହଁକୁ ବସି କହିଲା, ‘ଖୁଡ଼ୀ, ମୁଁ ଏଠି ବସେଁ ।’

 

ଅନ୍ନପୂର୍ଣ୍ଣା କହିଲେ, ‘ଆ–ମା–ବସ ।’

 

ବିନୋଦିନୀ ବସିବା ପରେ ତା’ସହିତ ଦି’ ଚାରିପଦ କଥା କହି ବିଛଣା ଉଠାଇବାରେ ଉପଲକ୍ଷ କରି ଅନ୍ନପୂର୍ଣ୍ଣା ପିଣ୍ଡାକୁ ଗଲେ ।

 

ବିନୋଦିନୀ ବିହାରୀକୁ କହିଲା, ‘ମୋ ପ୍ରତି ବର୍ତ୍ତମାନ ତୁମର କ’ଣ ଆଦେଶ କୁହ ?’

 

ବିହାରୀ କହିଲା, ‘ନୂଆବୋଉ, ତୁମେ କୁହ ତୁମେ କ’ଣ କରିବାକୁ ଚାହୁଁଚ ।’

 

ବିନୋଦିନୀ କହିଲା, ‘ଶୁଣିଲି ଗରିବମାନଙ୍କ ଚିକିତ୍ସା ପାଇଁ ତୁମେ ଗଙ୍ଗାକୂଳରେ ଖଣ୍ଡେ ଘର କରିଚ । ସେଠାରେ ରହି ମୁଁ ତୁମର କୌଣସି କାମ ଭାର ନେବି । କିଛି କରି ନ ପାରିଲେ ତ ଅନ୍ତତଃ-ରନ୍ଧାବଢ଼ା କରିପାରିବି ।’

 

ବିହାରୀ କହିଲା, ‘ନୂଆବୋଉ, ମୁଁ ଅନେକ ଭାବିଚି । ନାନା ଜଞ୍ଜାଳ ଭିତରେ ପଡ଼ି ଆମର ଜୀବନଜାଲ ଅନେକ ଅଡ଼ୁଆ ହୋଇଯାଇଚି । ବର୍ତ୍ତମାନ ନିଭୃତରେ ବସିବସି ତା’ର ଗୋଟିଏ ଗ୍ରନ୍ଥି ମୋଚନ କରିବାର ସମୟ ଆସିଚି । ପ୍ରଥମେ ସବୁ ପରିଷ୍କାର କରିନେବାକୁ ହେବ । ବର୍ତ୍ତମାନ ହୃଦୟ ଯାହା ଚାହୁଁଚି, ତାକୁ ପ୍ରଶ୍ରୟ ଦେବାକୁ ଆଉ ସାହସ ହେଉ ନାହିଁ । ଏପର୍ଯ୍ୟନ୍ତ ଯାହାକିଛି ଘଟିଚି, ଯାହାସବୁ ସହ୍ୟ କରିଚି, ତା’ର ସମସ୍ତ ଆବର୍ତ୍ତନ, ସମସ୍ତ ଆନ୍ଦୋଳନକୁ ଶାନ୍ତ କରି ନ ପାରିଲେ, ମୁଁ ଜୀବନର ସମାପ୍ତି ପାଇଁ ପ୍ରସ୍ତୁତ ହୋଇପାରିବି ନାହିଁ । ଯଦି ସମଗ୍ର ଅତୀତ କାଳ ଅନୁକୂଳ ହୋଇଥାନ୍ତା, ତେବେ ସଂସାରରେ ଏକମାତ୍ର ତୁମରିଦ୍ୱାରା ଜୀବନ ସଂପୂର୍ଣ୍ଣ ହୋଇପାରିଥାନ୍ତା । ବର୍ତ୍ତମାନ ତୁମକୁ ଛାଡ଼ି ମୋତେ ବଞ୍ଚିତ ହେବାକୁ ପଡ଼ିବ । ବର୍ତ୍ତମାନ ଆଉ ସୁଖପାଇଁ ଚେଷ୍ଟା କରିବା ବୃଥା । ବର୍ତ୍ତମାନ କେବଳ ଆସ୍ତେ ସମସ୍ତ ଭଙ୍ଗାତୁଟାକୁ ଯୋଡ଼ି ନେବାକୁ ହେବ ।’

 

ଏହି ସମୟରେ ଅନ୍ନପୂର୍ଣ୍ଣା ଘରେ ପ୍ରବେଶ କରୁଥିବାରୁ ବିନୋଦିନୀ କହିଲା, ‘ମାଆ, ମୋତେ ତୁମର ପାଦତଳେ ସ୍ଥାନ ଦେବାକୁ ହେବ । ପାପିଷ୍ଠା ବୋଲି ମୋତେ ଦୂରକୁ ଠେଲି ଦିଅନା-

 

ଅନ୍ନପୂର୍ଣ୍ଣା କହିଲେ, ‘ଚାଲ ମା’ ତୁ ମୋରି ସଙ୍ଗରେ ଚାଲ ।’

 

ଅନ୍ନପୂର୍ଣ୍ଣା ଓ ବିନୋଦିନୀଙ୍କର କାଶୀ ଯିବାଦିନ ଗୋଟିଏ ସୁଯୋଗ ଖୋଜି ବୀହାରୀ ବିରଳରେ ବିନୋଦିନୀ ସହିତ ଦେଖାକଲା । କହିଲା, ‘ନୁଆବୋଉ, ମୁଁ ତୁମର ଗୋଟାଏ କିଛି ଚିହ୍ନ ମୋ’ପାଖରେ ରଖିବାକୁ ଚାହେଁ ।

 

ବିନୋଦିନୀ କହିଲା, ‘ମୋ’ ପାଖରେ ଏପରି କ’ଣ ଅଛି, ଯାହାକୁ କି ତୁମେ ଚିହ୍ନପରି ତୁମ ପାଖରେ ରଖିପାରିବ ?’

 

ବିହାରୀ ଲଜ୍ଜା ଓ ସଙ୍କୋଚର ସହିତ କହିଲା, ‘ଇଂରେଜମାନଙ୍କର ଗୋଟିଏ ପ୍ରଥା ଅଛି, ସେମାନେ ପ୍ରିୟଜନର ଗୋଛାଏ ବାଳ ସ୍ମାରକପରି ରଖିଦିଅନ୍ତି । ତୁମେ ଯଦି–’

 

ବିନୋଦିନୀ ଛି, ଛି କି ଅଦ୍‌ଭୁତ କଥା । ମୋର ବାଳ ନେଇ ତୁମେ କ’ଣ କରିବ ? ସେହି ଆସୁଚି ମୃତବସ୍ତୁ ମୋର କିଛି ସମ୍ପଦ ନୁହେଁ, ଯାହା ମୁଁ ତୁମକୁ ଦେଇପାରେ । ମୁଁ ହତଭାଗିନୀ ତୁମ କାମରେ ଲାଗିପାରିଲି ନାହିଁ । ଏପରି ଗୋଟାଏ ଜିନିଷ ଦେବାକୁ ଚାହେଁ, ଯାହା ମୋର ହୋଇ କାମ କରିବ । କୁହ, ତୁମେ ନେବ ତ ?

 

ବିହାରୀ କହିଲା, ‘ନେବି ।’

 

ବିନୋଦିନୀ ଲୁଗାକାନିର ପ୍ରାନ୍ତ ଖୋଲି ହଜାର ଟଙ୍କାର ନୋଟ୍‌ ଦିଖଣ୍ଡ ବିହାରୀ ହାତରେ ଦେଲା । ବିହାରୀ ସୁଗଭୀର ଆବେଗର ସହିତ ସ୍ଥିରଦୃଷ୍ଟିରେ ବିନୋଦିନୀର ମୁହଁକୁ ଚାହିଁରହିଲା । କିଛି ସମୟ ପରେ କହିଲା, ମୁଁ କ’ଣ ତୁମକୁ କିଛି ଦେଇପାରିବି ନାହିଁ ?’

 

ବିନୋଦିନୀ କହିଲା, ‘ମୋ ପାଖରେ ତୁମର ଚିହ୍ନ ଅଛି । ତାହା ମୋ’ ଅଙ୍ଗର ଭୂଷଣ । ତାକୁ କେହି କାଢ଼ି ନେଇପାରିବେ ନାହିଁ । ମୋର ଆଉକିଛି ଦରକାର ନାହିଁ-’ କହି ସେ ନିଜ ହାତରେ ସେହି କଟାଦାଗଟା ଦେଖାଇଲା ।

 

ବିହାରୀ ଆଶ୍ଚର୍ଯ୍ୟ ହୋଇଗଲା । ବିନୋଦିନୀ କହିଲା, ‘ତୁମେ ଜାଣିନାହଁ । ଇଏ ତୁମରି ଆଘାତ ଏବଂ ଏହି ଆଘାତ ତୁମର ଉପଯୁକ୍ତ । ଏହାକୁ ତୁମେ ବର୍ତ୍ତମାନ ଫେରାଇ ନେଇପାରିବ ନାହିଁ ।’

 

ମାଉସୀଙ୍କ ଉପଦେଶ ସତ୍ତ୍ୱେ ଆଶା ବିନୋଦିନୀ ସମ୍ୱନ୍ଧରେ ନିଜର ମନକୁ ନିଷ୍କଣ୍ଟକ କରିପାରି ନ ଥିଲା । ରାଜଲକ୍ଷ୍ମୀଙ୍କ ସେବାରେ ଦୁହେଁଯାକ ଏକାଠି କାମ କରିଚନ୍ତି, କିନ୍ତୁ ଯେତେବେଳେ ଆଶା ବିନୋଦିନୀକୁ ଦେଖେ, ସେତେବେଳେ ତା’ର ବକ୍ଷରେ ଆଘାତ ଲାଗେ । ମୁହଁରୁ ସଜହରେ କଥା ବାହାରେ ନାହିଁ ,ଏବଂ ହସିବାର ଚେଷ୍ଟା ତାକୁ ପୀଡ଼ନ କରିବାକୁ ଲାଗେ । ବିନୋଦିନୀ ନିକଟରୁ ସାମାନ୍ୟ କୌଣସି ସେବା ଗ୍ରହଣ କରିବାକୁ ମଧ୍ୟ ତା’ର ସକଳ ଚିତ୍ତ ବିମୁଖ ହୋଇଉଠେ । ବିନୋଦିନୀର ଭଙ୍ଗା ପାନ ଅନେକ ସମୟରେ ଶିଷ୍ଟତା’ର ଖାତିରିରେ ତାକୁ ଗ୍ରହଣ କରିବାକୁ ହୋଇଚି, କିନ୍ତୁ ସେ ତାହା ଲୁଚାଇ ଫୋପାଡ଼ି ଦେଇଚି । ମାତ୍ର ଯେତେବେଳେ ଆଜି ବିଦାୟ ସମୟ ଉପସ୍ଥିତ ହେଲା, ମାଉସୀ ସଂସାରରୁ ଦ୍ୱିତୀୟଥର ପାଇଁ ଚାଲିଯାଉଛନ୍ତି ବୋଲି ହୃଦୟ ଯେତେବେଳେ ଅଶ୍ରୁଜଳରେ ଆର୍ଦ୍ର ହୋଇଉଠିଲା । ସେତେବେଳେ ବିନୋଦିନୀ ପ୍ରତି ତା’ର କରୁଣା ଉଦୟ ହେଲା । ସେ ଏକାଥରକେ ଚାଲିଯାଉଚି । ତାକୁ କ୍ଷମା କରିପାରିବ ନାହିଁ, ଏପରି କଠିନ ହୃଦୟ ସଂସାରରେ ଖୁବ୍‌ ବିରଳ । ଆଶା ଜାଣିଥିଲା, ବିନୋଦିନୀ ମହେନ୍ଦ୍ରକୁ ଭଲ ପାଏ । ମହେନ୍ଦ୍ରକୁ ଭଲ ନ ପାଇବ ବା କାହିଁକି ? ମହେନ୍ଦ୍ରକୁ ଭଲ ପାଇବା ଯେ କିପରି ଅନିବାର୍ଯ୍ୟ, ଆଶା ତାହା ନିଜ ହୃଦୟ ଭିତରୁ ଜାଣେ । ନିଜ ଭଲ ପାଇବାର ସେହି ବେଦନାରେ ବିନୋଦିନୀ ପ୍ରତି ତା’ର ଆଜି ଭାରି ଦୟା ହେଲା । ବିନୋଦିନୀ ମହେନ୍ଦ୍ରକୁ ଚିରଦିନ ପାଇଁ ଛାଡ଼ିଯାଉଚି । ତାହାର ଯେଉଁ ଦୁର୍ବିଷହ ଦୁଃଖ, ତାହା ଆଶା ଅତି ବଡ଼ ଶତ୍ରୁପାଇଁ ମଧ୍ୟ କାମନା କରିପାରିବ ନାହିଁ । ଏହି କଥା ମନେକରି ତା’ର ଆଖିକୁ ଲୁହ ଆସିଲା । ଦିନେ ସେ ବିନୋଦିନୀକୁ ଭଲ ପାଉଥିଲା, ସେହି ସ୍ନେହ ତାକୁ ସ୍ପର୍ଶ କଲା । ସେ ଧୀରେ ଧୀରେ ବିନୋଦିନୀ ପାଖକୁ ଆସି ଅତ୍ୟନ୍ତ କରୁଣ ଓ ସ୍ନେହର ସହିତ, ମୁଦୁସ୍ୱରରେ କହିଲା, ‘ଅପା, ତୁମେ ଯାଉଚ ?’

 

ବିନୋଦିନୀ ଆଶାର ଚିବୁକ ଧରି କହିଲା, ‘ହଁ ଭଉଣୀ, ମୋର ଯିବାର ସମୟ ଆସିଚି । ତୁ ଦିନେ ମତେ ଭଲ ପାଇଥିଲୁ । ବର୍ତ୍ତମାନ ସୁଖ ସମୟରେ ସେହି ସ୍ନେହରୁ ମୋ’ ପାଇଁ ଟିକିଏ ରଖିବୁ, ଆଉସବୁ ଭୁଲିଯିବୁ ।’

 

ମହେନ୍ଦ୍ର ଆସି ପ୍ରଣାମ କରି କହିଲା, ‘ନୂଆବୋଉ, କ୍ଷମା କରିବ ।’ –ତା’ର ଆଖିରୁ ଦୁଇଠୋପା ଲୁହ ଗଡ଼ିପଡ଼ିଲା ।

 

ବିନୋଦିନୀ କହିଲା, ‘ତୁମେ ମୋତେ କ୍ଷମା କରିବ ମହେନ୍ଦ୍ର ! ଭଗବାନ ତୁମମାନଙ୍କୁ ଚିରସୁଖୀ କରି ରଖିଥାନ୍ତୁ ।’

Image